Unknown

 

 

 

 

 

 

 

 

୧୧୭ତମ ସଂଖ୍ୟା କୋଣାର୍କ ୨୦୦୦

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

 

ଶ୍ରୀ ଉମାଶଙ୍କର ପଣ୍ଡା

ମୁଖ୍ୟ ସମ୍ପାଦକ

 

 

ଡକ୍ଟର ପ୍ରଫୁଲ କୁମାର ମହାନ୍ତି

ଡକ୍ଟର ବିଜୟାନନ୍ଦ ସିଂହ

ସମ୍ପାଦକ

 

 

ସାହିତ୍ୟ ଏକାଡେମୀ

ଶ୍ରୀ ଅଶ୍ୱିନୀ କୁମାର ମିଶ୍ର

ପରିଚାଳନା ସମ୍ପାଦକ

 

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର – ୭୫୧୦୧୪

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ । ପ୍ରକାଶିତ ଲେଖାଗୁଡ଼ିକର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ଅନୁତି ସାପେକ୍ଷ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱମତ ।

 

ବିଷୟ ସୂଚୀ

ପ୍ରବନ୍ଧ

 

 

 

ଓଡ଼ିଆ ନାଟକରେ ଉତ୍ତର ଆଧୁନିକତା

:

ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ

ମହିମାଧର୍ମ ଓ ଭୀମଭୋଇ

:

ପ୍ରଫେସର ବୈଷ୍ଣବ ଚରଣ ସାମଲ

ପ୍ରାକ୍‌ ଭଞ୍ଜୀୟ ଗୀତିକାବ୍ୟରେ ମନସ୍ତାତ୍ତ୍ୱିକ ଚିତ୍ର

:

ଡକ୍ଟର ଗୌରାଙ୍ଗ ଚରଣ ଦାଶ

ଓଡ଼ିଆ ନାଟକ ଆଦିପର୍ଯ୍ୟାୟର ବିଭା ଓ ବିଭବ

:

ଡକ୍ଟର ଧରଣୀଧର ନାୟକ

ଇତିହାସ ଓ କିଂବଦନ୍ତି ଭିତ୍ତିରେ ନୀଳକଣ୍ଠଙ୍କ ‘କୋଣର୍କେ ’

:

ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ

ବୈଷ୍ଣବ ପାଣିଙ୍କ ପାଣ୍ଡିତ୍ୟ ଓ ମୌଳିକତା

:

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

ମୁଦ୍ରିତ କବିତାର ବିଷୟବସ୍ତୁ ଓ ସାଧାରଣ ମଣିଷ

:

ଶ୍ରୀ ଶ୍ରୀନିବାସ ଉଦ୍‌ଗାତା

 

ଅନୁବାଦ ସାହିତ୍ୟ

 

ଇତାଲୀୟ କବିତା ମାଳା

:

ଲୁସିଆନୋ ଏର୍ବା

ଉପସ୍ଥାପନା ଓ ଅନୁସୃଜନ

:

ଡକ୍ଟର ପ୍ରସନ୍ନ କୁମାର ମହାନ୍ତି

କାହାଣୀ

:

ଲୁସିଆନୋ ଏର୍ବା

ଦୃଶ୍ୟ ପରିଧି

:

ଭିଟ୍ଟୋରିଓ ସେରେନି

ପରମମିତ୍ର

:

ଭିଟ୍ଟୋରିଓ ସେରେନି

ବିଚାରକ

:

ମାରିଓ ଲୁଜି

କେଉଁଠାରେ ତେବେ

:

ମାରିଓ ଲୁଜି

 

 

 

ଇତାଲୀୟ କଥା ସାହିତ୍ୟ

ଜାଗତିକ ଯନ୍ତ୍ର

:

ପାଓଲୋ ଭୋଲପାନି,

ଅନୁସୃଜନ – କ୍ଷୀରୋଦ ପରିଡ଼ା

ନୂଆବହି

 

ଭ୍ରମଣ ଓ ତୀର୍ଥଯାତ୍ରା

:

ଦୀପ୍ତିରଞ୍ଜନ ପଟ୍ଟନାୟକ

ଗର୍ଭଧାରିଣୀ ( ବେଙ୍ଗଲୀ )

:

ଯୁଗଳକିଶୋର ଦତ୍ତ

ଦି ଜର୍ଣ୍ଣି

:

ଫିଲିସ୍‌ ଗ୍ରେନଫ୍‌, ଅଶ୍ୱିନୀ କୁମାର ମିଶ୍ର

 

 

 

ଏକାଡେମୀ ସମାଚାର

 

 

ଶ୍ରଦ୍ଧାଞ୍ଜଳି

 

ଅଧ୍ୟାପକ ଡକ୍ଟର ନଟବର ସାମନ୍ତରାୟ ଚିରଦିନ ପାଇଁ ଓଡ଼ିଶାର ସାରସ୍ୱତ ଜଗତରୁ ଅନ୍ତର୍ହିତ ହୋଇ ଯାଇଅଛନ୍ତି । ଓଡ଼ିଆ ସାହିତ୍ୟ ଓ ଓଡ଼ିଶାର ଅଧ୍ୟାପନା ଜଗତରେ ତାଙ୍କର ସ୍ଥାନ ବହୁକାଳ ପାଇଁ ଅପୂରଣୀୟ ରହିବ । ଜୀବନର ନାନା ଝଡ଼ଝଞ୍ଜା ମଧ୍ୟରେ ଗତି କରି ଅଧ୍ୟାପକ ସାମନ୍ତରାୟଙ୍କ ବ୍ୟକ୍ତିତ୍ୱ ଉର୍ଜସ୍ୱଳ ଓ ମହିମା ମଣ୍ଡିତ ହୋଇ ପାରିଥିଲା । ଜୀବନର ଯେକୌଣସି ପ୍ରକାରର ପ୍ରତିବନ୍ଧକ ଅଥବା ବିରୋଧ ପରିବେଶକୁ ମୁକାବିଲା କରି ଅଧ୍ୟାପକ ସାମନ୍ତରାୟ ନିଜର ସାଧନା ଦୀପ୍ତ ଜୀବନର ପରିଚୟ ଦେଇଯାଇ ଅଛନ୍ତି । ସେ ଥିଲେ ଜଣେ ଅନ୍ତରଙ୍ଗ ଓ ଛାତ୍ରବତ୍ସଳ ଅଧ୍ୟାପକ । ଅଧ୍ୟାପନାର ବାହାରେ ନିଜର ଛାତ୍ର ଓ ଅନୁଜ ପ୍ରତିମ ସହକର୍ମୀମାନଙ୍କୁ ଅବିରତ ଉତ୍ସାହ ଓ ପ୍ରେରଣା ଦେଇ ଆସୁଥିଲେ । ସାହିତ୍ୟ ସାଧନା ଓ ଗବେଷଣା କରିବା ପାଇଁ ଓଡ଼ିଆ ସାହିତ୍ୟର ଗବେଷଣା କ୍ଷେତ୍ରରେ ଡକ୍ଟର ସାମନ୍ତ ରାୟଙ୍କର ତପସ୍ୟା ଥିଲା ଅନନ୍ୟ ସାଧାରଣ । ଦ୍ୱିତୀୟ ମହାଯୁଦ୍ଧୋତ୍ତର କାଳରେ ଓଡ଼ିଶାରେ ପ୍ରଥମ କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହିତ ମହାବିଦ୍ୟାଳୟ ଶିକ୍ଷାର ପ୍ରସାର ହେବାରୁ ଓଡ଼ିଆ ସାହିତ୍ୟ ଅଧ୍ୟାପନାରେ ଆବଶ୍ୟକ ହେଉଥିଲା ଅଭିନବ ନେତୃତ୍ୱ । ଏହି କ୍ଷେତ୍ରରେ ଅଧ୍ୟାପକ ଡକ୍ଟର ନଟବର ସାମନ୍ତରାୟଙ୍କର ଅବଦାନ ଅତ୍ୟନ୍ତ ଅବିସ୍ମରଣୀୟ ।

 

ଡକ୍ଟର ସାମନ୍ତରାୟ ଥିଲେ ଆଜୀବନ ନିରବଚ୍ଛିନ୍ନ ସାହିତ୍ୟ ସାଧକ । ଜୀବନର ଶେଷ ନିଃଶ୍ୱାସ ନେଉଥିଲା ପର୍ଯ୍ୟନ୍ତ ତାଙ୍କର ଲେଖନୀ ଚଳଚଞ୍ଚଳ ହେଉଥିଲା ଏବଂ ସେ ସର୍ବଦା ଓଡ଼ିଆ ସାହିତ୍ୟର ନୂତନ ରହସ୍ୟ ଉଦ୍‌ଘାଟନ କରିବାରେ ଚେଷ୍ଟିତ ରହିଥିଲେ । ସମାଲୋଚନା ସାହିତ୍ୟରେ ବିଶେଷ କରି ଅତ୍ୟନ୍ତ ବୈଜ୍ଞାନିକ ଅନୁଶୀଳନ ଓ ସିଦ୍ଧାନ୍ତର ଅନୁରୋଧରେ ତାଙ୍କର ସାହିତ୍ୟ ସମାଲୋଚନା ଥିଲା ଅତ୍ୟନ୍ତ ପ୍ରାଣବନ୍ତ, ଯୁକ୍ତିସିଦ୍ଧ ଏବଂ ଅତୁଳନୀୟ । ଏହିଭଳି ଜଣେ ସାରସ୍ୱତ କ୍ଷେତ୍ରରେ ତପସ୍ୟାରତ ସାଧକଙ୍କ ବିୟୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜକୁ ଧନ୍ୟ ମନେକରୁଛି ।

 

ସଂପାଦକୀୟ

ସଂସ୍କୃତିର ସନ୍ଧିକାଳ

 

ଜୀବନ ଧାରଣ ଓ ଜୀବନ ଯାପନର ଦାୟ ଅନେକ । ପ୍ରତିଦିନ ଛୋଟ ଛୋଟ ସମସ୍ୟା ଘେର ମଧ୍ୟରୁ ବାହାରି ନ ପାରି କ୍ରମେ ଆମେ ସମସ୍ୟାର ଦାସ ହୋଇପଡ଼ୁ । ଏକ ଅନିବାର୍ଯ୍ୟ ଅନ୍ଧତ୍ୱ ଆମକୁ ଗ୍ରାସ କରେ । ଆଜି ଆମର ପ୍ରାପ୍ୟ କମ ମାତ୍ର ପ୍ରତ୍ୟାଶା ଅନେକ । ହାତ ପାହାନ୍ତାରେ ସ୍ଥୂଳ ସୁଖର ସମାରୋହ ସୁଖର ଆହରଣ ପାଇଁ ଦିନକୁ ଅଠରରୁ କୋଡ଼ିଏ ଘଣ୍ଟା ପରିଶ୍ରମ କିଛି ବଡ଼ କଥା ନୁହେଁ । ଅବକାଶ ନାହିଁ ବିଶ୍ରାମ ନାହିଁ ।

 

ଉତ୍ତେଜନା ପରେ ଉତ୍ତେଜନାର ଆୟୋଜନ । ଗୋଟାଏ ଲକ୍ଷ୍ୟ ସ୍ଥିର କରି, ଗୋଟିଏ ମାର୍ଗ ନିର୍ଦ୍ଦିଷ୍ଟ କରି ଜୀବନ ରଥକୁ ସେଇପରି ଚାଳନ କରିବାର ଉଦ୍ଦେଶ୍ୟ କାହାରି ନାହିଁ । କେବଳ ଦିନ ପରେ ଦିନ ରାତ୍ରି ଉନ୍ମାଦନାର ରାଶିଚକ୍ରରେ ମଣିଷ ବୁଲୁଛି । ଦଣ୍ଡେ ସ୍ଥିର ହୋଇ ବସି ଜୀବନର ଉଦ୍ଦେଶ୍ୟକୁ ନିର୍ଦ୍ଦିଷ୍ଟ ନ କରି ମଣିଷ ତା’ର ସମସ୍ତ ଶକ୍ତିକୁ ଗୋଟାଏ ‘ମିଥ୍ୟା ପଛରେ ବ୍ୟୟ କରିବାଚାଲିଛି । ଯାହା ଫଳରେ ସେ ତା’ର ଗଭୀରତମ ଚିତ୍ତକୁ ଫମ୍ପା କରି ଦେଉଛି ସେ ନିଜ ପାଖରେ ହୋଇଯାଇଛି ନିଃସ୍ୱ । ଶକ୍ତି ହ୍ରାସରୁ ଆସୁଛି କ୍ଲାନ୍ତି – ଅବସାଦରୁ ରିକ୍ତତା । ତା’ ନ ହେଲେ ଆଜି ନିଜକୁ ଜ୍ଞାନୀ ଗୁଣୀ ବୋଲାଉଥିବା ବିଶେଷଜ୍ଞମାନେ ବାଟ ଖୋଜି ପାଉନାହାନ୍ତି ! ଅର୍ଥନୀତିଜ୍ଞ ମୂଲ୍ୟବୃଦ୍ଧିର କାରଣ ଖୋଜି ପାଇନାହିଁ, ଅନକକୋଲଜିଷ୍ଟ ବୋଲାଉଥିବା କ୍ୟାନ୍‌ସର ବିଶେଷଜ୍ଞ, ପଡ଼ିଛନ୍ତି ବିଭ୍ରାନ୍ତିରେ – କ୍ୟାନ୍‌ସର ତାଙ୍କୁ ପଛରେ ପକାଇ ଆଗେଇ ଯାଇଛି ବହୁ ଦୂରକୁ । ସମାଜରେ ଯେଉଁମାନେ ନିୟମ ଶୃଙ୍ଖଳା ରକ୍ଷା କରିବାର ଦାୟିତ୍ୱ, ସେଇ ନିୟମ ରକ୍ଷକମାନେ ବୁଝିପାରୁନାହାନ୍ତି କେଉଁଟା ନିୟମ ଆଉ କେଉଁଟା ନିୟମ ନୁହେଁ ।

 

ହିସାବର ଦୁନିଆରେ ମଣିଷ ସଦାବେଳେ ଅଙ୍କ କଷୁଛି କେତେ ଦେଲି କେତେ ପାଇଲି । ତେଣୁ ମଣିଷ ମନ ଭିତରୁ ସମମର୍ମିତା ଓ ଶୁଭବୋଧ ପ୍ରଭୃତି ଭାବ ଗୁଡ଼ିକ କ୍ରମେ ଫିକା ପଡ଼ିଯାଇଛି-। ଆଜି ବାଳକ ପାଖରେ ଖେଳିବାର ସମୟ ନାହିଁ, ତା’ଭିତରେ ବାଳକ ସୁଲଭ ଚପଳତା ନାହିଁ । ବହି ଖାତାର ବୋଝ ତା’ର ଶୈଶବକୁ ଅଣନିଶ୍ୱାସୀ କରିଦେଉଛି । ଯୁବକ ପାଖରେ ଶ୍ରମ କରିବାର ଫୁରସତ୍‌ ନାହିଁ । ପ୍ରେମିକାର ଜନ୍ମ ଦିନରେ ଦି ପୃଷ୍ଠାର ଚିଠିଟିଏ ଲେଖିବ, ସେ ଆବେଗ ତା’ ପାଖରେ ନାହିଁ । ସୌଖିନ କାର୍ଡ଼ ଖଣ୍ଡେ ସେ ତା’ର କର୍ତ୍ତବ୍ୟ କରୁଛି । ବଞ୍ଚିବାର ଦୌଡ଼ରେ ‘କର୍ତ୍ତବ୍ୟ’ ଅବହେଳା ନାହିଁ ମାତ୍ର ସେ କର୍ତ୍ତବ୍ୟରେ ‘ଆବେଗ’ ନାହିଁ । ଗୋଟିଏ ଦିଗରେ ମଣିଷ ‘ଆବେଗ’ ହୀନ ହେବା ସଙ୍ଗେ ସଙ୍ଗେ, ତେଣେ ବିଜ୍ଞାନୀ ବାଟ କଲାଣି ଆଉ କେଇଟା ଦିନରେ ସେ ‘ଆବେଗବାନ’ କମ୍ପ୍ୟୁଟର ତିଆରି କରିନେବ । ସେଦିନ କମ୍ପ୍ୟୁଟରରେ ‘ଚେତନା’ ଆସିଯିବ ସେଦିନ ହୁଏତ କମ୍ପ୍ୟୁଟର ନିଜେ ଚିନ୍ତା କରିବ ନିଜର ‘ବିବେଚନା’, ଜାହିର କରିବ । ଏହି ସମସ୍ତ କମ୍ପ୍ୟୁଟର ହେବ ଆଗାମି ଦିନର ‘ରବର୍ଟସ୍ପେସିଜ’ର ପୂର୍ବଜ । ସେଦିନ ‘ରବର୍ଟ ସ୍ପେସିଜ’ ହେବ ଆବେଗ ପ୍ରବଣ ସେ ନିଜେ ନିଜର ବଂଶ ବୃଦ୍ଧି କରିବ । ମଣିଷର ଏକାନ୍ତ ନିଜସ୍ୱ - ‘ଆବେଗ’ ଯାହା ତାହାକୁ ଧୀରେ ଧୀରେ ଅପସରି ଯାଉଛି ତାହା କ୍ରମେ ‘ରବର୍ଟ ସ୍ପେସିଜ୍‌’ରେ ସଂଚାଳିତ ହେବ।

 

ଆଜି ମଣିଷ ଭିତରେ ‘ଆବେଗ’, ‘ଦରଦ’ର ଅନୁପସ୍ଥିତି ତାକୁ କରି ଦେଇଛି ଯନ୍ତ୍ରବତ୍ । ମା’ ଛୁଆ ଜନ୍ମ କରୁଛି ହେଲେ ସେ ଦଖୁଛି ତା’ର ସୁବିଧା । ତା’ର ସମୟ ମୁତାବକ ସେ ଗର୍ଭଧାରଣ କରୁଛି । ଗାୟକ ଗୀତ ବୋଲୁଛି ଶ୍ରୋତାମାନଙ୍କ ଫରମାୟେସି ମୁତାବକ। ଲେଖକ ଲେଖୁଛି ବଜାଇ କାଟତି ମୁତାବକ । ତେଣୁ କବିତାରେ ଶବ୍ଦ ଅଛି ‘କାବ୍ୟ’ ନାହିଁ । ଗଳ୍ପରେ ‘ଚରିତ୍ର’ ଅଛି ‘ଜୀବନ’ ନାହିଁ ।

 

ଆଜି ଆମେ ସଭିଏଁ ଆମର ବାହାରଟାକୁ ଅତ୍ୟନ୍ତ ବେଶୀ କରି ଜାଣିଛୁ – ଅନ୍ତର ଭିତରକୁ ଆମର ଯାତାୟତ ନାହିଁ – ସେଥିପାଇଁ ଜୀବନର ଔଜ୍ଜ୍ଵଲ୍ୟ ନଷ୍ଟ ହୋଇଯାଉଛି । ବାହାରର ସଂସ୍ରବ ପରିହାର କିନ୍ତୁ ଏହାର ପ୍ରତିକାର ନୁହେଁ – ମଣିଷ ଯଦି ମଣିଷକୁ ଛାଡ଼ି ଚାଲିଯାଏ ତେବେ ବୁଝିବାକୁ ହେବ ରୋଗ ଅପେକ୍ଷା ଆମେ ଚିକିତ୍ସାକୁ ଅଧିକ ପ୍ରାଧାନ୍ୟ ଦେଉଛୁ । ଏହାର ଯଥାର୍ଥ ପ୍ରତିକାର ଅନ୍ତର ଓ ବାହାର ଭିତରେ ସାମଞ୍ଜସ୍ୟ ସ୍ଥାପନ । ନିଜର ବିଶାଳ ମନୁଷ୍ୟତ୍ୱକୁ ଖର୍ଚ୍ଚ କରି ଆନନ୍ଦହୀନ ଗୋଟାଏ ମୋହ ପଛରେ ଦୌଡ଼ିଲେ ଜୀବନର ପୂର୍ଣ୍ଣତା ଆସେ ନାହିଁ ।

 

ଅରାଜକ ରାଜତ୍ୱର ପ୍ରଜା ପରି ଆମେ ସଂସାରରେ ନିପୀଡ଼ିତ । ଆମକୁ ରକ୍ଷା କରିବାର କେହି ନାହାନ୍ତି । ନାନା ଶକ୍ତି ନାନା ଭାବରେ ଆମକୁ ଲୁଟି ଚାଲିଛନ୍ତି । ଯାହାର ଅସ୍ତ୍ର ଶାଣିତ ସେ ଆମର ମର୍ମ ବିଦ୍ଧ କରୁଛି । ଯାହାର ଶକ୍ତି ଅଧିକ ସେ ଆମକୁ ପଦତଳେ ରଖୁଛି । ଆତ୍ମରକ୍ଷା ପାଇଁ, ନିଜର ଟିକିଏ ସୁଖ ଟିକିଏ ସ୍ୱସ୍ତି ପାଇଁ ଆମେ ଆଜି ନାନା ଲୋକର ଶରଣାପନ୍ନ ହେଉଛୁ । ହେଲେ ଆମର ମନେ ପଡ଼ୁନାହିଁ ଆମର ଅନ୍ତର ଆତ୍ମାର ଅଚଳ ସିଂହାସନରେ ବସିଛନ୍ତି ରାଜାର ରାଜା । ଆଉ ସେଇ ଖବର ମନେ ପଡ଼ୁନାହିଁ ବୋଲି ଆମର ସମସ୍ତ ‘ବିଚାର’ ସମସ୍ତ ‘ବୋଧ’ ହରେଇ ବସିଛୁ ।

 

ଅସଲରେ ଆମର ଭିତର ମହଲ ଆମର କଳରବ ମୁଖର କାର୍ଯ୍ୟ କ୍ଷେତ୍ର ଭିତରେ ଗୋଟାଏ ‘ଅବକାଶ’ ଗୋଟାଏ ‘ଆବେଗ’କୁ ସର୍ବଦା ଧାରଣ କରି ରହିଛି । ଏହି ଅବକାଶ ଶୂନ୍ୟତା ନୁହେଁ ଏହି ‘ଆବେଗ’ କେବଳ ରୋମାଣ୍ଟିସିଜିମ୍ ନୁହେଁ । ଏହା ସ୍ନେହ ପ୍ରେମ କଲ୍ୟାଣରେ ପରିପୂର୍ଣ୍ଣ-। ଏହି ‘ଅବକାଶ’ଟି ହେଉଛନ୍ତି ସେଇ ପରମପୁରୁଷ ଆଉ ଆବେଗ ହେଉଛି ‘ମୁଁ’ । ‘ଈଶାବାସ୍ୟମିଦଂ ସର୍ବଂ ଯତ୍‌କିଞ୍ଚିତ ଜଗତ୍ୟା ଜଗତ’’ ସେଇ ପରମପୁରୁଷ ହିଁ ଏ ଜଗତକୁ ଓ ସମସ୍ତ କାର୍ଯ୍ୟକୁ ବେଷ୍ଟନ କରି ଅଛନ୍ତି । ସେ ହି ସତ୍ୟ । ତାକୁ ଅତି ଯତନରେ, ନିଭୃତରେ ନିର୍ଜନରେ ଚିରନ୍ତନ ଉବଲବ୍ଧି କରିବାହିଁ ଜୀବନର ଉଦ୍ଦେଶ୍ୟ ।

 

ଉମାଶଙ୍କର ପଣ୍ଡା

 

ଓଡ଼ିଆ ନାଟକରେ ଉତ୍ତର ଆଧୁନିକତା

ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ

 

ଉତ୍ତର ଆଧୁନିକ ନାଟ୍ୟ ସମାଜରେ ଆଧୁନିକ ସଂଭ୍ରାନ୍ତ ପଣିଆ ବିରୁଦ୍ଧରେ ଯୁଦ୍ଧ ଚାଲୁ ଚାଲୁ କିଛି ଅସ୍ତ୍ର ଶାସ୍ତ୍ରୀୟ, ବୈଦିକ ଓ ବ୍ରାହ୍ମଣଧର୍ମୀ ମୂଲ୍ୟବୋଧ ଭିତ୍ତିକ ନାଟକ ଓ ସାହିତ୍ୟ ବିରୁଦ୍ଧରେ ମଧ୍ୟ ଚାଳନ କରାଗଲା । ଯେଉଁମାନଙ୍କ ମନରେ ଜାତିଆଣ ଛୋଟଲୋକି ଥିଲା, ତାହା ମଧ୍ୟ ନାଟକର ରାଜନୀତି ପରିସରକୁ ଚାଲି ଆସିଲା ଏବଂ ଚାଲି ଆସିଲା ଆଞ୍ଚଳିକ ବଡ଼ପଣିଆ । ଏଗୁଡ଼ିକ ଯେ କୌଣସି ସାଂସ୍କୃତିକ ଅଧ୍ୟୟନ ବେଳେ ଅତ୍ୟନ୍ତ ଆବଶ୍ୟକ ହୋଇଉଠେ । ଫଳରେ ଉତ୍ତର ଆଧୁନିକ ନାଟ୍ୟ ସାହିତ୍ୟରେ କୌଣସି ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ଓ ନାନ୍ଦନିକ ପ୍ରକରଣକୁ ଉଚ୍ଚ ଆସନ ଏବଂ ମାନ୍ୟତା ଦେବା ସମ୍ଭବପର ନୁହେଁ । ନାଟକ ଗୋଟିଏ ବସ୍ତୁବାଚକ ବିଶେଷ୍ୟ (ଅନ୍ୟାନ୍ୟ ସାହିତ୍ୟ ପରି) ଏବଂ ଏହାକୁ ଦର୍ଶକମାନଙ୍କ ବଜାରରେ କ୍ରୟ ବିକ୍ରୟ କରାଯାଉଥିବାରୁ ଏଥିରେ ଯେ କୌଣସି ଶାସ୍ତ୍ରୀୟ ନାଟକକୁ ଅନୁସରଣ କରି ତାହାର ଆଉ ଗୋଟିଏ ଆଧୁନିକ ସଂସ୍କରଣ ତିଆରି କରାଯାଇପାରେ ।

 

ଓଡ଼ିଆ ନାଟକରେ ‘ଆଧୁନିକତା’ ସଂପର୍କରେ ଆମ ପାଠକମାନଙ୍କର ଧାରଣା ଗୁଡ଼ିକ ସ୍ପଷ୍ଟ ନହେବା ପୂର୍ବରୁ ଉତ୍ତର ଆଧୁନିକତା ସଂପର୍କରେ ଲେଖିବା ବହୁ ପ୍ରାଚୀନ ପନ୍ଥୀଙ୍କ ପାଇଁ ଅନାବଶ୍ୟକ ମନେ ହୋଇପାରେ । ତଥାପି ସମଗ୍ର ‘ଆଧୁନିକତା’କୁ ତିନୋଟି ସମାନ୍ତରାଳ ତତ୍ତ୍ୱରେ ବିଭାଗୀକରଣ କରାଯାଇପାରେ : (୧) ଫ୍ରଏଡ଼ୀୟ ଯୌନ ମାନସିକତା, ଅର୍ଥାତ୍‌ ଜୀବନଟିଏ ବଞ୍ଚିବା ପାଇଁ ଯାହା ସବୁ ପ୍ରେରଣା ମିଳେ ତାହାର ଉତ୍ସ ମୂଳଧାରା ଚକ୍ର (୨) ମାର୍କ୍ସୀୟ ତତ୍ତ୍ୱ ବା ମନୁଷ୍ୟ ସବୁବେଳେ ବସ୍ତୁ ଓ ଅର୍ଥ ଦ୍ୱାରା ନିଜର ଓ ନିଜ ଇତିହାସର ଜୀବନ ତିଆରି କରିଛି ତେଣୁ ସମଗ୍ର ସଂସ୍କୃତି ଏକ ବସ୍ତୁବାଚକ ବିଶେଷ୍ୟ । (୩) ଡାର୍‍ଓ୍ୱିନ୍‌ଙ୍କ ଯୋଗ୍ୟତମର ବଞ୍ଚିବା ଅଧିକାର ପ୍ରାପ୍ତି । ଏଠାରେ ଯୋଗ୍ୟତମ ଲୋକଟି ଅନ୍ୟସବୁ ଯୋଗ୍ୟ ଲୋକଙ୍କର ତଣ୍ଟିକାଟି ହତ୍ୟାକଲେ ଯାଇ ଇତିହାସ ଦ୍ୱାରା ମହାପୁରୁଷ ହୋଇପାରିବ । ଏଠାରେ କେବଳ ଯୋଗ୍ୟତମ ବୋଲି ନିଜକୁ ପ୍ରମାଣ କରିବା ଆବଶ୍ୟକ । କିପରି ଯୋଗ୍ୟତମ ହେବାକୁ ପଡ଼େ, ସେଥିରେ ନୈତିକତା ଓ ଅନୈତିକତାର ପ୍ରସଙ୍ଗ ଉଠାଇବା ଅନାବଶ୍ୟକ । ତେଣୁ ନିଜର କୌଣସି ସ୍ପଷ୍ଟମତ ବ୍ୟକ୍ତ ନ କରି ନିଜ ବକ୍ତବ୍ୟକୁ କେବଳ ଶୈଳୀ ପ୍ରଧାନ ଦୁର୍ବୋଧ୍ୟତାରେ କହିପାରିଲେ ଅନ୍ୟମାନଙ୍କୁ ଟପି ଯାଇ ପାରିବା ସମ୍ଭବ ହେବ ।

 

‘ଆଧୁନିକତା’ର ଏହି ତିନୋଟି ମୁଖ୍ୟ ବିଭାଗକୁ ଟିକିଏ ମନଦେଇ ଲକ୍ଷ୍ୟ କଲେ ଜଣାପଡ଼ୁଛି ‘ଆଧୁନିକତା’ କେବଳ ସାହିତ୍ୟକୁ ଶୈଳୀ ପ୍ରଧାନ ଏବଂ ଦୁର୍ବୋଧ୍ୟ କରିନାହିଁ, ଏହା ସଂସ୍କୃତି ଓ ଇତିହାସ/ସଭ୍ୟତାକୁ ମଧ୍ୟ ଶୈଲୀପ୍ରଧାନ (ଅର୍ଥାତ୍‌ ବିଜ୍ଞାନଭିତ୍ତିକ ଯାଦୁକରୀ) ଏବଂ ଜଟିଳ କରିଛି । ଶୈଳୀ ସବୁବେଳେ ଏକ ବାହ୍ୟଅଳଙ୍କାର ଏବଂ ଏହା ବସ୍ତୁ ପ୍ରଧାନ । ଅନ୍ତଃଶୈଳୀ ପ୍ରମାଣଯୋଗ୍ୟ, ନୁହେଁ । ଯେତେଦିନ ଆମେ ଯୌକ୍ତିକତା ଖୋଜୁଥିବା, ସେତେଦିନ ପ୍ରମାଣଯୋଗ୍ୟ ସତ୍ୟକୁ ପ୍ରକାଶ କରୁଥିବା । ଏଗୁଡ଼ାକୁ ଦେଖି ଦେଖି ସମଗ୍ର ପୃଥିବୀର ସୂକ୍ଷ୍ମାନୁଧ୍ୟାୟୀ ତାତ୍ତ୍ୱିକମାନେ ହଠାତ୍‌ ୧୯୬୦ ମସିହା ବେଳକୁ ବୁଝିପାରିଲେ ଯେ, ବିଜ୍ଞାନ ହିଁ ବସ୍ତୁର ପ୍ରାଧାନ୍ୟ ବଢ଼ାଇ ଶୈଳୀ/ବାହ୍ୟାଡ଼ମ୍ବର ଦ୍ୱାରା ମଣିଷକୁ ‘ଆଧୁନିକ’ କରିପାରେ । ଆଧୁନିକ ହେବା ଦ୍ୱାରା ବେପାରୀମାନେ ହିଁ ଇଂଜିନିଅର, ଡାକ୍ତର ଓ ବୈଜ୍ଞାନିକମାନଙ୍କୁ କ୍ରୀତଦାସ କରିପାରିଲେ ଏବଂ ସମଗ୍ର ମଣିଷ ଜାତିକୁ, ହୃଦୟକୁ ଏବଂ ସୂକ୍ଷ୍ମ ଅନୁଭୂତିମାନଙ୍କୁ ନୂତନ ଶୈଳୀରେ ବସ୍ତୁରୂପକୁ ରୂପାନ୍ତରିତ କରିପାରିଲେ । ତା’ପରେ ଆମେ ବୁଝିପାରିଲୁ ପ୍ରେମ ଗୋଟିଏ ‘କଣ୍ଡୋମ୍‌’ କିମ୍ବା ‘‘ମୋତି’’ ଗର୍ଭନିରୋଧକ ବଟିକା । ହୃଦୟ ଗୋଟିଏ ବସ୍ତୁ ଏହାକୁ ‘କାଡ଼ିଆକ୍‌ ଓ୍ୱାର୍ଡ଼’ ମାଧ୍ୟମରେ କିଣାଯାଇପାରେ କିମ୍ବା ‘‘ଆଦର୍ଶ’’ ଗୋଟିଏ ମୁଖା ଏହାକୁ ପିନ୍ଧି ଲୋକଙ୍କୁ ବୋକା ବନେଇ ଦିଆଯାଇପାରେ । ଏପରିକି ‘‘ମାନବଧର୍ମ’’ ମଧ୍ୟ ବାତ୍ୟାବେଳେ ଅର୍ଥ ସାହାଯ୍ୟ କରି କିଣାଯାଇପାରେ । ଦରିଦ୍ର ନାରାୟଣମାନଙ୍କର ପତ୍ନୀମାନଙ୍କୁ ବାସନ ମଜେଇବାକୁ ରଖି ଶେଜଉପରର ବସ୍ତୁ ରୂପେ ବ୍ୟବହାର କରାଯାଇପାରେ କିମ୍ବା ବାତ୍ୟାରେ ସମଗ୍ର ପରିବାରକୁ ହରେଇ ଦେଇଥିବା ଝିଅଟିକୁ ଥଇଥାନ କରେଇବାକୁ ଜଣେ ପଦସ୍ଥ ସମ୍ଭ୍ରାନ୍ତ ଭୁବନେଶ୍ୱର ଆଣି, ନିଜ ଯୌନ କାମନା ଚରିତାର୍ଥ କରି ବାହାରେ ସମାଜସେବୀ ବୋଲି ଫୁଲମାଳ ପାଇପାରନ୍ତି । ଏଗୁଡ଼ିକ ସବୁ ଆଧୁନିକ ଇତିହାସ, ସାମ୍ପ୍ରଦାୟିକ ସଂସ୍କୃତିଧର୍ମୀ ରାଜନୀତି ଏବଂ ଶୈଳୀ ପ୍ରଧାନ ତତ୍ତ୍ୱ ।

 

ବର୍ତ୍ତମାନ ଦେଖିବା ସାହିତ୍ୟ କଥା । ନିଜ ମୁଣ୍ଡରେ ଥିବା ସମସ୍ତ ଦୁର୍ବୋଧ୍ୟତାକୁ ଆବର୍ଜନା ପରି ସାହିତ୍ୟ ଭିତରେ ଗଦେଇ ଦେଲେ ଜଣେ ଆଧୁନିକ ସାହିତ୍ୟିକ ହୁଏ । ତେଣୁ ଆଧୁନିକ ସାହିତ୍ୟ ପାଠକମାନଙ୍କ ସହିତ କୌଣସି ସଂପର୍କ ରକ୍ଷା କରି ପାରିଲା ନାହିଁ । ସେହିପରି ଆଧୁନିକ ନାଟକ (ଏହାକୁ ଓଡ଼ିଶାରେ କେହି କେହି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସାହିତ୍ୟ ବୋଲି କୁହନ୍ତି) ମଧ୍ୟ ଦର୍ଶକମାନଙ୍କ ସହିତ ସଂପର୍କ ହରାଇ ବସିଲା । ଏହି ପର୍ଯ୍ୟାୟର ନାଟକଗୁଡ଼ିକ ମଧ୍ୟରେ ଶ୍ରୀ ମନୋରଞ୍ଜନ ଦାସଙ୍କ ପୂର୍ଣ୍ଣାଙ୍ଗ ନାଟକଗୁଡ଼ିକ, ଶ୍ରୀ କାର୍ତ୍ତିକ ଚନ୍ଦ୍ର ରଥଙ୍କ ‘‘ମୁଁ ନୁହେଁ’’ ଓ ସମୁଦ୍ରର ରଙ୍ଗ ଯନ୍ତ୍ରଣା’’, ଶ୍ରୀ ବିଜୟ କୁମାର ମିଶ୍ରଙ୍କ ‘ଯାଦୁକର’ ଏବଂ ଶ୍ରୀ ରତ୍ନାକର ଚଇନିଙ୍କ ‘ଶୂନ୍ୟତାର ସିଡ଼ି’ ପ୍ରଭୃତି ବହୁନାଟକକୁ ଗ୍ରହଣ କରାଯାଇପାରେ । ଉଗ୍ର ଆଧୁନିକତାର ଏହି ଦୁର୍ବୋଧ୍ୟ ପରୀକ୍ଷା (?) ଗୁଡ଼ିକୁ ଓଡ଼ିଆରେ ଲେଖୁଥିବା କିଛି ଇଂରେଜୀ ବିଭାଗର ଅଧ୍ୟାପକ ‘ଉଦ୍ଭଟନାଟକ’ ବୋଲି ପରିଚୟ ଦେଇଛନ୍ତି । ଏହା ଏକ ସାଂଘାତିକ ଭ୍ରମ ଏବଂ ଏପରି ଏକ ବୌଦ୍ଧିକ ଶଠତାକୁ ବିଗତ ତିରିଶି ବର୍ଷ ଧରି ଓଡ଼ିଆ ସାହିତ୍ୟର ସ୍ନାତକୋତ୍ତର ପାଠ୍ୟକ୍ରମରେ ପଢ଼ାଯାଇ ବଂଶାନୁକ୍ରମରେ ତାତ୍ତ୍ୱିକ ଭ୍ରମଟିକୁ ବହୁଳ ଭାବରେ ପ୍ରଚାର କରାଯାଇଅଛି । ଅବଶ୍ୟ, ଏ ସଂପର୍କରେ ବିଶଦ ଆଲୋଚନାର ଆବଶ୍ୟକତା ଏଠାରେ ଅନୁଭବ କରାଯାଇନାହିଁ । କିନ୍ତୁ ‘ଉଦ୍ଭଟ ନାଟକ’କୁ ଆଧୁନିକତାର ଚରମ ପର୍ଯ୍ୟାୟ ବୋଲି କୁହାଯାଇପାରେ । ପ୍ରଥମ ପର୍ଯ୍ୟାୟରେ ସେ ବିଜ୍ଞାନ ପ୍ରୟୋଗବିଦ୍ୟାରେ ବିଶ୍ୱାସ କରି ଆଧୁନିକ ହୁଏ । ଦ୍ୱିତୀୟରେ ସେ ବୈଦ୍ଧିକ ସାମନ୍ତବାଦରେ ବିଶ୍ୱାସ କରେ । ଏହି ପର୍ଯ୍ୟାୟରେ ଜ୍ଞାନ ତା’କୁ କ୍ଷମତା ପରି ଲାଗେ । ପଇସା ପରି ଲାଗେ । ତେଣୁ ନୂଆଜ୍ଞାନ ପାଇଥିବା ଲୋକେ ଲାଇବ୍ରେରୀରୁ ବହି ଚୋରାନ୍ତି, ଏବଂ ନିଜ ଜ୍ଞାନକୁ ଟିଉସନ ଦ୍ୱାରା ବିକ୍ରି କରନ୍ତି । ଯେଉଁମାନେ ସେଇ ବହିଗୁଡ଼ିକୁ ଦେଖିନାହାନ୍ତି, ସେମାନଙ୍କୁ ‘‘ଗ୍ରାମବାସୀ’’ ବୋଲି କହି ଥଟ୍ଟା କରନ୍ତି । ଆଧୁନିକତାର ଏହି ଦ୍ୱିତୀୟ ପର୍ଯ୍ୟାୟରେ ନାଟକରେ ଏକ ପ୍ରକାର ‘ବୌଦ୍ଧିକ ପୁଞ୍ଜିପତି’ ଓ ବୌଦ୍ଧିକ ସର୍ବହରା’ ଦଳ ସୃଷ୍ଟି ହୁଅନ୍ତି । ଦ୍ୱିତୀୟ ବା ଅନ୍ତିମ ପର୍ଯ୍ୟାୟର ଆଧୁନିକତା ସାହିତ୍ୟ/ସଂସ୍କୃତି/ନାଟକକୁ କେବଳ ‘ବସ୍ତୁ ସର୍ବସ୍ୱ’ ଓ ‘ ‘ଡିଜାଇନ୍‌ ସର୍ବସ୍ୱ’ କରିଦିଏ । ଏହାକୁ ଲୁଚାଇବା ପାଇଁ ସମାଲୋଚକମାନେ ’ଶୈଳୀସର୍ବସ୍ୱ ବୋଲି ଶବ୍ଦଟିଏ ତିଆରି କଲେ । ଏଠାରେ ଶୈଳୀ ସହିତ ମୂଲ୍ୟବୋଧ ଏବଂ ନାନ୍ଦନିକତାର ସଂପର୍କ କ୍ଷୀଣ, ବରଂ ଶୈଳୀକୁ ଯଥାସମ୍ଭବ ଦୁର୍ବୋଧ୍ୟ କରି ନିଜ ପାଇଁ ଏକ ସଂଭ୍ରାନ୍ତ ସିଂହାସନଟିଏ ତିଆରି କିରବା ନାଟ୍ୟକାରର ଲକ୍ଷ୍ୟ ହୋଇପଡ଼ିଛି । ଆଧୁନିକତାର ଅନ୍ତିମ ପର୍ଯ୍ୟାୟରେ ନାଟକ ସେଇଥି ପାଇଁ ଦର୍ଶକମାନଙ୍କ ପାଖରୁ ଦୂରେଇ ଯାଇ କେବଳ ନାଟ୍ୟକାର ପାଇଁ ସଂଭ୍ରାନ୍ତ ପଣିଆଟିଏ ତିଆରି କରିଛି । ଏଥିପାଇଁ ପୁରସ୍କାର ତିଆରି କରାଯାଇଛି ଏବଂ ତାକୁ ପାଇବା ପାଇଁ ଜାତିଆଣ ଲବି ତିଆରି କରାଯାଇଛି ।

 

ଆଧୁନିକତାର ଏହି ବିପର୍ଯ୍ୟୟ କେବଳ ନାଟକର ବିପର୍ଯ୍ୟୟ ନୁହେଁ, ଏହା ସମଗ୍ର ସାହିତ୍ୟ ଏବଂ ସଂସ୍କୃତିର ମଧ୍ୟ, ଏଥିପାଇଁ ୧୯୬୦ ମସିହା ବେଳକୁ ବିଶ୍ୱର ‘ଉତ୍ତର ଆଧୁନିକତା’ର ଆନ୍ଦୋଳନ ଆରମ୍ଭ ହୋଇଛି । ଏହି ଆନ୍ଦୋଳନଟି ନାଟକ ସଂପର୍କୀୟ ହୋଇଥିଲେ ମଧ୍ୟ ଏଥିରେ ନିମ୍ନଲିଖିତ ୧୫ଟି ଲକ୍ଷଣ ଦେଖାଯାଏ ।

 

୧.

ଉତ୍ତର ଆଧୁନିକ ନାଟକ – ନାଟକର ଐତିହାସିକ ଉଦ୍‌ବର୍ତ୍ତନ ସଂପର୍କରେ ଲେଖାଯାଏ । ଏଣୁ ଏହା ଏକ ଆତ୍ମ –ସଚେତନାତ୍ମକ ବିଶ୍ଲେଷଣ । ନାଟକ ଏଠାରେ ନାଟକ ସଂପର୍କରେ ଲେଖାଯାଇଥାଏ । ଉଦାହରଣ ସ୍ୱରୂପ, ମନ୍ମଥ ଶତପଥୀଙ୍କର ‘କାହାଣୀ ନୁହେଁ’ କିମ୍ବା ଏହି ଲେଖକର ‘ଆତ୍ମଲିପି’ ନାଟକକୁ ନିଆଯାଇପାରେ । ଏପରିକି ଶ୍ରୀ ମନୋରଞ୍ଜନ ଦାସଙ୍କ ‘ଶବ୍ଦଲିପି’କୁ ମଧ୍ୟ । ଓଡ଼ିଆ ନାଟ୍ୟ ସାହିତ୍ୟରେ ରମେଶ ପାଣିଗ୍ରାହୀଙ୍କ ‘ଜାତୀୟ ସଙ୍କଟ’ ଏହି ପର୍ଯ୍ୟାୟର ଶେଷ ନାଟକ ।

 

ଆତ୍ମ ସଚାତନ ଶୈଳୀର ସାହିତ୍ୟକ କିମ୍ବା ନାଟ୍ୟପ୍ରୟୋଗ ବ୍ୟତୀତ ଅନ୍ୟ ଏକ ଉତ୍ତର ଆଧୁନିକ ସାଂସ୍କୃତିକ ପ୍ରୟୋଗ ମଧ୍ୟ ଅଛି । ତାହାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ; (କ) ଆଧୁନିକତା ଦ୍ୱାରା ଯେଉଁ ସାଂସ୍କୃତିକ ବିପର୍ଯ୍ୟୟ ଘଟିଛି ସେଥିପାଇଁ ଓଡ଼ିଶାର ବୟସ୍କ ସାହିତ୍ୟକମାନେ ଦାୟୀ । ଯେଉଁ ସାହିତ୍ୟକମାନଙ୍କର ବୟସ ୬୫ ବର୍ଷରୁ ଅଧିକ ସେମାନେ ଓଡ଼ିଆ ସଂସ୍କୃତିର ଚେରକୁ କାଟିଛନ୍ତି । କାରଣ ସେମାନେ ଉପନିବେଶବାଦୀ ଗୋଲାମୀ ଭିତରେ ପ୍ରତିପାଳିତ ଏବଂ ସମସ୍ତ ଲୋକନାଟକ/ଯାତ୍ରାକୁ ସେମାନେ ଏ ଯାବତ ଘୃଣା କରି ଆସିଛନ୍ତି । ଏହା ସେମାନଙ୍କର ବ୍ୟକ୍ତିଗତ ପ୍ରାଧାନ୍ୟ ପାଇଁ ତିଆରି କରାଯାଇଥିବା ଏକ ସାଂସ୍କୃତିକ ରାଜନୀତି । (ଖ) ଦ୍ୱିତୀୟତଃ ସାହିତ୍ୟ/ନାଟକ/ସଂସ୍କୃତିର ଇତିହାସ ରଚନା କାଳରେ ଏବଂ ‘ଝଙ୍କାର’ ପ୍ରଭୃତି ସାହିତ୍ୟକ ପତ୍ରିକାମାନଙ୍କରେ ଯେଉଁମାନଙ୍କୁ ଯୁଗସ୍ରଷ୍ଟା ବୋଲି ପ୍ରାଧାନ୍ୟ ଦିଆଯାଇଅଛି ତାହା ଐତିହାସିକ ସତ୍ୟ ନୁହେଁ । ତାହା ସାହିତ୍ୟିକ ପୁଞ୍ଜିପତିମାନଙ୍କର ସଂଭ୍ରାନ୍ତପଣିଆର ମୁଖାତଳେ ଥିବା ସାଂସ୍କୃତିକ ରାଜନୀତି ।

 

ଉତ୍ତର ଆଧୁନିକ ନାଟ୍ୟ ସାହିତ୍ୟ ଓ ସମାଲୋଚନା ଏହି ଦୃଷ୍ଟିରୁ ସଂସ୍କୃତିକୁ ପ୍ରଥମ ପ୍ରାଧାନ୍ୟ ଦିଏ ।

 

୨.

ଉତ୍ତର ଆଧୁନିକତା ପରି ଉତ୍ତର ଆଧୁନିକ ନାଟକ ମଧ୍ୟ ଏକ ସାଂସ୍କୃତିକ ଅଧ୍ୟୟନ । ଏଥିରେ ସମାଜ ଉପରେ ପଡ଼ୁଥିବା ଉତ୍ତର ଧନତାନ୍ତ୍ରିକ ସଭ୍ୟତାର ପ୍ରଭାବ ସଂପର୍କରେ କାହାଣୀ, ଚରିତ୍ର କିମ୍ବା ସମ୍ବାଦ ଦିଆଯାଏ । ସାହିତ୍ୟ ଏବଂ ସଂସ୍କୃତିକୁ ଆମ ସମାଜର ବୟସ୍କମାନେ (ଯେଉଁମାନେ ବର୍ତ୍ତମାନ ସାହିତ୍ୟ/ନାଟକ ଜଗତର ମୁଖ୍ୟ ଓ ପ୍ରଭାବଶାଳୀ ବଣିକ) ଯେଉଁ ସାମନ୍ତବାଦୀ, ଜମିଦାରୀପଣିଆ ଦ୍ୱାରା ଆକ୍ରାନ୍ତ କରି ରଖିଛନ୍ତି, ତାହାକୁ ସଂପୂର୍ଣ୍ଣ ରୂପେ ଧ୍ୱଂସ କରିବା ଉତ୍ତର ଆଧୁନିକ ସାହିତ୍ୟ/ନାଟକର ମୁଖ୍ୟ ଆଭିମୂଖ୍ୟ । ବ୍ରେଖ୍‌ତଙ୍କ ପରେ ଆର୍ତ୍ତୋ, ଗ୍ରୋଟୋସ୍ଲିଙ୍କ ଠାରୁ ଆରମ୍ଭ କରି ଉତ୍ତଟୋତ୍ତର ପ୍ରାୟ କୋଡ଼ିଏଟି ଆନ୍ଦୋଳନରେ ଏପରି ଏକ ଆଧୁନିକତା ବିରୋଧୀ ପ୍ରତିବାଦର ସ୍ୱର ସ୍ପଷ୍ଟ ।

 

ଏହାଦ୍ୱାରା ଉତ୍ତର ଆଧୁନିକ ନାଟକ କତିପୟ ସ୍ୱାର୍ଥାନ୍ୱେଷା ସଂମ୍ଭ୍ରାନ୍ତଙ୍କଠାରୁ ଦୂରେଇଯାଇ ଗଣ ସଂସ୍କୃତିକୁ ଆପଣାର କରିଛି । ଯେଉଁମାନେ ଯାତ୍ରାନାଟକ ଦ୍ୱାରା ପ୍ରକ୍ଷେପିତ ଗଣସଂସ୍କୃତିକୁ ଏପର୍ଯ୍ୟନ୍ତ ମୂଲ୍ୟବୋଧ ଏବଂ ନାନ୍ଦନିକ ଦୃଷ୍ଟିରୁ ଅପସଂସ୍କୃତିର ଦ୍ୱାହି ଦିଅନ୍ତି, ସେମାନେ ହିଁ ପାଶ୍ଚାତ୍ୟ ଅନୁସରଣ ଦ୍ୱାରା ଓଡ଼ିଆ ସଂସ୍କୃତିକୁ ଜାରଜ ସଂସ୍କୃତିରେ ପରିଣତ କରିବା ପ୍ରକ୍ରିୟାଟି ଆଧୁନିକତାର ତମ୍ବୁତଳେ ଆରମ୍ଭ କରିଛନ୍ତି ।

 

୩.

ଆଧୁନିକତା ରୋମାଣ୍ଟିକ୍‌ ସାହିତ୍ୟ ଓ ମେଲୋଡ୍ରାମାକୁ ଭାଙ୍ଗିଲା । ମାନବିକ ସମ୍ବେଗକୁ ଉପେକ୍ଷା କରି ବୌଦ୍ଧିକ ତିଆରି କରୁ କରୁ ମନସ୍ତତ୍ତ୍ୱ ନାମରେ ଯୌନତା (ତାହା ଏକ ଅନ୍ତଃ-ପ୍ରକାଶ ନୁହେଁ-ବହିଃ-ପ୍ରକାଶ)ର ବାହ୍ୟିକତାକୁ ନିଜର ଅବଲମ୍ବନ କଲା । ଅନ୍ତଃସ୍ଥଳର ସମସ୍ତ କୋମଳ ସମ୍ବେଗମାନଙ୍କୁ ଦୁର୍ବଳତା ବା ଅପ୍ରାକୃତିକତା ବୋଲି ଅଭିହିତ କଲା । ତେଣୁ ଉତ୍ତର ଆଧୁନିକ ନାଟକ ଏଗୁଡ଼ିକ ପାଖକୁ ପୂନର୍ବାର ଫେରିଲି । ଓଡ଼ିଆ ଉତ୍ତର ଆଧୁନିକ ନାଟକରେ ସେହି କାରଣରୁ ସମ୍ବେଗାତ୍ମକ କାହାଣୀକୁ ପ୍ରାଧାନ୍ୟ ଦିଆଗଲା । ଏଠାରେ ସ୍ମରଣ କରାଯାଇପାରେ ଯେ ଯେଉଁ ଯାତ୍ରାନାଟକକୁ ଅଶ୍ଳୀଳ ବୋଲି ବୟସ୍କ ଆଧୁନିକମାନେ ଘୃଣା କରୁଛନ୍ତି, ସେମାନେ ଜାଣିନାହାନ୍ତି ଯେ ଯାତ୍ରାନାଟକରେ ମାନବିକ ସମ୍ବେଦନଗୁଡ଼ିକୁ ହିଁ ପ୍ରାଧାନ୍ୟ ଦିଆଯାଏ । ଏହାହିଁ ଗଣସଂସ୍କୃତିର ଆଭିମୂଖ୍ୟ ।

 

ଆଧୁନିକତାର ମାନସିକ ପାରିମଣ୍ଡଳ ନାନ୍ଦନିକତା ଓ ମୂଲ୍ୟବୋଧଗୁଡ଼ିକ ସ୍ଥିର । କିନ୍ତୁ ଉତ୍ତର ଆଧୁନିକତାର ସମୟ ବହୁସଂସ୍କୃତି ଏବଂ ବହୁମୂଲ୍ୟବୋଧର ସମୟ । ତେଣୁ ଏଥିରେ ସ୍ଥିରତା ଓ ଏକମାତ୍ର ଅନିବାର୍ଯ୍ୟ ମୂଲ୍ୟବୋଧ ବୋଲି କିଛି ନାହିଁ । ଯେତେ ଜଣ ପାଠକ ସେତେପ୍ରକାର ଅର୍ଥ ଓ ମୂଲ୍ୟବୋଧ । ଯେତେ ପ୍ରକାର ଦର୍ଶକ, ସେତେପ୍ରକାର ନାନ୍ଦନିକତା । ସମାଲୋଚନାରେ Readers’ Response Theory ଯାହା, ଉତ୍ତର ଆଧୁନିକ ନାଟକରେ ନାନ୍ଦନିକତା ଓ ମୂଲ୍ୟବୋଧ ଭିତ୍ତିକ ଅର୍ଥ ନିଷ୍ପତ୍ତି ସେୟା ।

 

ଉତ୍ତର ଆଧୁନିକ ନାଟ୍ୟ ସମାଜରେ ଆଧୁନିକ ସଂଭ୍ରାନ୍ତ ପଣିଆ ବିରୁଦ୍ଧରେ ଯୁଦ୍ଧ ଚାଲୁ ଚାଲୁ କିଛି ଅସ୍ତ୍ର ଶାସ୍ତ୍ରୀୟ, ବୈଦିକ ଓ ବ୍ରାହ୍ମଣଧର୍ମୀ ମୂଲ୍ୟବୋଧ ଭିତ୍ତିକ ନାଟକ ଓ ସାହିତ୍ୟ ବିରୁଦ୍ଧରେ ମଧ୍ୟ ଚାଳନ କରାଗଲା । ଯେଉଁମାନଙ୍କ ମନରେ ଜାତିଆଣ ଛୋଟଲୋକି ଥିଲା, ତାହା ମଧ୍ୟ ନାଟକର ରାଜନୀତି ପରିସରକୁ ଚାଲି ଆସିଲା ଏବଂ ଚାଲି ଆସିଲା ଆଞ୍ଚଳିକ ବଡ଼ପଣିଆ । ଏଗୁଡ଼ିକ ଯେ କୌଣସି ସାଂସ୍କୃତିକ ଅଧ୍ୟୟନ ବେଳେ ଅତ୍ୟନ୍ତ ଆବଶ୍ୟକ ହୋଇଉଠେ । ଫଳରେ ଉତ୍ତର ଆଧୁନିକ ନାଟ୍ୟ ସାହିତ୍ୟରେ କୌଣସି ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ଓ ନାନ୍ଦନିକ ପ୍ରକରଣକୁ ଉଚ୍ଚ ଆସନ ଏବଂ ମାନ୍ୟତା ଦେବା ସମ୍ଭବପର ନୁହେଁ । ନାଟକ ଗୋଟିଏ ବସ୍ତୂବାଚକ ବିଶେଷ୍ୟ (ଅନ୍ୟାନ୍ୟ ସାହିତ୍ୟ ପରି) ଏବଂ ଏହାକୁ ଦର୍ଶକମାନଙ୍କ ବଜାରରେ କ୍ରୟ ବିକ୍ରୟ କରାଯାଉଥିବାରୁ ଏଥିରେ ଯେ କୌଣସି ଶାସ୍ତ୍ରୀୟ ନାଟକକୁ ଅନୁସରଣ କରି ତାହାର ଆଉ ଗୋଟିଏ ଆଧୁନିକ ସଂସ୍କରଣ ତିଆରି କରାଯାଇପାରେ । ଗୋଟିଏ ସିନେମା କିମ୍ବା ଟି.ଭି. ସିରିଆଲ୍‌କୁ ଉଠାଇ ଆଣି ଓଡ଼ିଆରେ ନାଟକ ବଜାରରେ ବିକ୍ରି କରାଯାଇପାରେ । ଯାତ୍ରା ବଜାରରେ ଡକ୍ଟର ସୁଧାଂଶୁ ନାୟକ କିମ୍ବା ଶ୍ରୀ ଅନନ୍ତ ଓଝାଙ୍କର ଅଧିକାଂଶ ନାଟକ କୋଉ ବଙ୍ଗଳା, ହିନ୍ଦୀ କିମ୍ବା ଦକ୍ଷିଣ ଭାରତୀୟ ସିନେମାର କପି, ଓଡ଼ିଆ ସିନେମା ମଧ୍ୟ ‘ରିମେକ୍‌’ ସିନେମା । ବହୁ ଲେଖକ ଲେଖିକାଙ୍କର ବହୁ ଉପନ୍ୟାସ; କାହାଣୀ ଓ କବିତା ଲେଖକ ଓଡ଼ିଶାରେ ଏୟା ହିଁ କରନ୍ତି । ବର୍ତ୍ତମାନ E-mail ମାଗାଜିନ୍‌ ଆସିଗଲା ପରେ ସେଥିରୁ କପି କରିବା ମଧ୍ୟ ସହଜ ।

 

‘ଉତ୍ତର ଆଧୁନିକ ନାଟକ’ରେ ଏହିଗୁଡ଼ିକୁ Pastiche ଓ Simulacrum ବୋଲି କୁହାଯାଏ । ଏଗୁଡ଼ିକରେ Myth ଟା Pop-myth ହୋଇଯାଏ- ଯେମିତି ‘ଶ୍ରୀକୃଷ୍ଣ ଆସୁଛନ୍ତି’ ନାଟକରେ କରାଯାଇଛି ।

 

୪.

ଏଣୁ ଉତ୍ତର ଆଧୁନିକ ନାଟକରେ ଶୃଙ୍ଖଳା ଓ ବିଶୃଙ୍ଖଳା ମଧ୍ୟରେ କୌଣସି ପ୍ରଭେଦ ନାହିଁ । ଶୃଙ୍ଖଳାର ଅର୍ଥ ମନ୍ତ୍ରୀ କିମ୍ବା ଅଫିସରଙ୍କ ଆଗରେ କୁକୁର ଭୂମିକାରେ ଅଭିନୟ କରିବା ନୁହେଁ କିମ୍ବା ମଧୁର ଓ ଭଦ୍ର ଭାଷା କହିବା ନୁହେଁ । ମଧୁର ଓ ଭଦ୍ରଭାଷା ବିକ୍ରେତାର ଭାଷା । ଏଣୁ ମଧୁର ଓ ଭଦ୍ରଭାଷା ପ୍ରୟୋଗ କରି ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଶଠ ଲେଖକମାନେ ବହୁ ପୁରସ୍କାର ପାଇଥାନ୍ତି । ‘ଶୃଙ୍ଖଳା’ଟି ସବୁବେଳେ ସ୍ରଷ୍ଟାର ଅନ୍ତଃସ୍ଥଳରେ ରହିବା ଉଚିତ୍‌ ବୋଲି ଉତ୍ତର ଆଧୁନିକମାନେ ବିଶ୍ୱାସ କରନ୍ତି । ଏହି ଦୃଷ୍ଟିରୁ ‘ମାନସ ହଂସ ମୁଁ ମାନସେ ଯିବି ଉଡ଼ି’ ଉତ୍ତର ଆଧୁନିକ କବିତା ଏବଂ ଗୁରୁ ମହାନ୍ତିଙ୍କ ଚମ୍ପାଫୁଲର ବାସ୍ନାଟି ଆଧୁନିକତା ନୁହେଁ-ଉତ୍ତର ଆଧୁନିକତାର ପର୍ଯ୍ୟାୟଭୁକ୍ତ । ଅର୍ଥାତ୍‌ ସଂଭ୍ରାନ୍ତ ପଣିଆ, ସାହିତ୍ୟକ ଜମିଦାରୀ ଏବଂ ପୁରସ୍କାର ବିତରଣ ଲବିଗୁଡ଼ିକ ଆଧୁନିକତା ଅର୍ଥାତ୍‌ ବସ୍ତୁତାନ୍ତ୍ରିକତା ସହିତ ସଂପୃକ୍ତ । ସେଗୁଡ଼ିକ ବିଶ୍ୱସାହିତ୍ୟରେ ୧୯୬୦ ମସିହାରେ ଆସିଛି-। ଓଡ଼ିଆ ନାଟକରେ ଯାତ୍ରାଶୈଳୀର ପୁନରୂଦ୍ଧାର ଏବଂ ଗୀତିନାଟ୍ୟର ପୁନଃପ୍ରଚଳନ ସହିତ ଉତ୍ତର ଆଧୁନିକ ପର୍ଯ୍ୟାୟର ଆରମ୍ଭ । ଷଷ୍ଠ ଦଶକର ଶେଷ ଭାଗ ବେଳକୁ ଗୋପାଳ ଛୋଟରାୟଙ୍କ ଗୀତିନାଟ୍ୟ ଏବଂ ଧୀରେନ୍‌ ଦାଶଙ୍କ ଯାତ୍ରା ଓଡ଼ିଆ ନାଟକରେ ଉତ୍ତର ଆଧୁନିକତାର ଯୁଗ ତିଆରି କରିଛି । ଓଡ଼ିଶାରେ ଉତ୍ତର ଆଧୁନିକତାର ପ୍ରଥମ ସ୍ୱର ଉଚ୍ଚାରିତ ହୋଇଛି ସଂଗୀତ ଲେଖକ ଓ ନିର୍ଦ୍ଦେଶକ ଶ୍ରୀ ଅକ୍ଷୟ ମହାନ୍ତିଙ୍କ ‘ସବାରୀ ଚାଲେରେ ଧୀରେଧୀରେ’ କିମ୍ବା ରକତ ଟଳମଳ ଖଇର ପାଞ୍ଚପଳ’ ଗୀତରୁ । ଏହା ଷଷ୍ଠ ଦଶକର ଆରମ୍ଭ ।

 

ଏଇଠୁ ଅକ୍ଷୟ ମହାନ୍ତିଙ୍କ ବିରୁଦ୍ଧରେ ଚକ୍ରାନ୍ତ ଆରମ୍ଭ ହେଇଚି ଏବଂ ତାଙ୍କୁ କୁହାଯାଇଚି ‘‘ଲୋକଟା ଅଶ୍ଲୀଳ !!’’ ଏହି ଲେଖକ, ଏ ପ୍ରବନ୍ଧର ବହୁପାଠକ ଏବଂ ଓଡ଼ିଆ ଦର୍ଶକମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ଲୋକ ଏହି ଘଟଣାଟିକୁ ଜାଣନ୍ତି । କିନ୍ତୁ ସେମାନେ ସ୍ପଷ୍ଟ ଭାବରେ ଜାଣିନାହାନ୍ତି ଯେ ଶ୍ରୀ ଅକ୍ଷୟ କୁମାର ମହାନ୍ତିଙ୍କ ଗୀତି କବିତା ଓ ସଂଗୀତ ଗୁଡ଼ିକ ଲୋକାନୁଶ୍ରୟୀ ଏବଂ ସାମନ୍ତବାଦୀ ସାହିତ୍ୟକ, ପୁଞ୍ଜିପତିମାନଙ୍କ ବସ୍ତୁନିଷ୍ଠ, ଅଶ୍ଲୀଳ ସାମନ୍ତବାଦୀ ଆଧୁନିକତା ବିରୁଦ୍ଧରେ ଏକ ନିସଙ୍ଗ (?) ଉଚ୍ଚାରଣ । ଜାଗତିକ ଚିନ୍ତାଧାରାର ଉତ୍ତର ଆଧୁନିକ ପ୍ରତିଫଳନ । ସେହିପରି ଶ୍ରୀ ବିଭୂତି ପଟ୍ଟନାୟକ ଏବଂ ଶ୍ରୀମତୀ ପ୍ରତିଭା ରାୟଙ୍କ ଉପନ୍ୟାସଗୁଡ଼ିକୁ ମଧ୍ୟ ଉଦାହରଣ ସ୍ୱରୂପ ନିଆଯାଇପାରେ । ଏପରିକି ଶ୍ରୀ ରବୀନ୍ଦ୍ର ନାଥ ସିଂହ ଓ ଶ୍ରୀ ପ୍ରସନ୍ନ ପାଟଶାଣୀ ମଧ୍ୟ ଏହି ଉତ୍ତର ଆଧୁନିକତାର ପ୍ରଥମ ପର୍ଯ୍ୟାୟର ସ୍ରଷ୍ଟା । ଓଡ଼ିଆ ସାହିତ୍ୟରେ ଯୁବଲେଖକ ସମ୍ମିଳନୀ, ‘ବେଳା’, ‘ଅବଧୂତ’, ‘ଅନାମ’ ଏବଂ ‘ଙଞ୍ଜ’ ପତ୍ରିକା/ଗୋଷ୍ଠୀ ଆନ୍ଦୋଳନ ପ୍ରଭୃତି ଏହି ଉତ୍ତର ଆଧୁନିକତାର ପ୍ରଥମ ଉଚ୍ଚାରଣ ସଂପର୍କିତ ଭିତ୍ତିଭୂମି । ଆହୁରି ଅନେକ ଅଛନ୍ତି । କିନ୍ତୁ ଏ ପ୍ରବନ୍ଧଟି ନାଟକ ସଂପର୍କରେ ଲେଖାଯାଉଥିବାରୁ ସେ ସଂପର୍କରେ ବିଶଦ ଆଲୋଚନା କରାଯାଉ ନାହିଁ । କୌଣସି ପରବର୍ତ୍ତୀ ସମାଲୋଚକ ଯଦି ଭବିଷ୍ୟତରେ ଏ ସଂପର୍କରେ ନ ଲେଖନ୍ତି, ଏହି ଲେଖକ ସେଗୁଡ଼ିକୁ ଲିପିବଦ୍ଧ କରିବ ।

 

ଓଡ଼ିଆ ନାଟକରେ ୧୯୭୧ ମସିହାରେ ଏହି ଲେଖକ ‘ମହାନାଟକ’ (ପଞ୍ଚମସ୍ୱର) ମଞ୍ଚସ୍ଥ କଲାବେଳେ କେହି ତା’ର ଉତ୍ତର ଆଧୁନିକ ଦିଗଟିକୁ ଦେଖିପାରିନାହାନ୍ତି । ଅଥଚ ଜଣେ ଗବେଷକ ଏହାକୁ ଭାରତର ସର୍ବପ୍ରଥମ ‘ଲୋକନାଟକ’ ବୋଲି ଦର୍ଶାଇଛନ୍ତି । ଏହାର କିଛିଦିନ ପରେ ଜ୍ଞାନପୀଠ ବିଜେତା ଶ୍ରୀ ଗିରୀଶ କନ୍ନଡ଼ ତାଙ୍କର ‘ହୟବଦନ’ ନାଟକ ଲେଖିଛନ୍ତି । ଏହା ଆତ୍ମ-ପ୍ରଶସ୍ତି ନୁହେଁ ଇତିହାସ । ଅଥଚ ଆମ ସାହିତ୍ୟର ଐତିହାସିକମାନେ ସାଂସ୍କୃତିକ/ରାଜନୈତିକ କାରଣରୁ ଏ ସଂପର୍କରେ ଉଲ୍ଲେଖ କରିବା ପାଇଁ କୁଣ୍ଠାବୋଧ କରିଛନ୍ତି । ଦ୍ୱିତୀୟତଃ, ସମଗ୍ର ଉତ୍ତର ଆଧୁନିକ ମାନସିକତା ସଂପର୍କରେ ଓଡ଼ିଶାର ବରିଷ୍ଠ ସାହିତ୍ୟ କଟୁଆଳମାନେ ଜାଣି ନାହାନ୍ତି । ଆଧୁନିକତା ତାଙ୍କ ପାଖକୁ ଆସିଛି ଇଂରାଜୀ ଉପନିବେଶ ବାଟେ । ସେମାନେ କେବଳ ‘କ୍ଷମତା’ ରୂପେ ସାହିତ୍ୟ ଓ ସଂସ୍କୃତିକୁ ବ୍ୟବହାର କରି ଚାଲିଛନ୍ତି । ନିଜ ସୃଷ୍ଟିକୁ ଆତ୍ମ-ରତି/ତୃପ୍ତିର ଟନିକ୍‌ ମନେକରି ଅନ୍ୟମାନଙ୍କ ସଂପର୍କରେ ନିର୍ଦ୍ଦିଷ୍ଟ ଊନବିଂଶ ଶତାବ୍ଦୀ ମାର୍କା, ନାନ୍ଦନିକ ମତ ପୋଷଣ କରି ଭଲ/ଖରାପର ମୋହର ମାରି ଚାଲିଛନ୍ତି । ଏହାହିଁ ଆଧୁନିକତାର ‘‘ଏଷ୍ଟାବ୍ଲିଶ୍‌ମେଣ୍ଟ’’ ସାହିତ୍ୟ/ନାଟକ ।

 

୫.

ଉତ୍ତର ଆଧୁନିକ ସାହିତ୍ୟ ସବୁବେଳେ ସାହିତ୍ୟିକ ଜମିଦାରୀପଣିଆ, ଅପ୍ରାସଙ୍ଗିକ ମୂଲ୍ୟବୋଧ ଏବଂ ଉପଭୋକ୍ତାମାନଙ୍କ ପାଇଁ ଅନୁପଯୁକ୍ତ ନାନ୍ଦନିକ ମାପକାଠିମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିଛି । ତେଣୁ ସପ୍ତମ ଦଶକର ଆରମ୍ଭରେ ଶ୍ରୀ ଗୋପାଳ ଛୋଟରାୟ ଏବଂ ଶ୍ରୀ ଅକ୍ଷୟ କୁମାର ମହାନ୍ତିଙ୍କ ପ୍ରଯୋଜନାରେ ଯେତେବେଳେ ଆକାଶବାଣୀ ‘‘ଶ୍ରୀମତୀ ସମାର୍ଜନୀ’’ ଗୀତିନାଟ୍ୟ ତିଆରି କଲା ଓଡ଼ିଆ ନାଟକର କିମ୍ବା ସାହିତ୍ୟର କିମ୍ବା ସଂସ୍କୃତିର କୌଣସି ସମାଲୋଚକ ତାକୁ ଚିହ୍ନିପାରିଲା ନାହିଁ । ଚିହ୍ନିପାରିଲା ନାହିଁ, କାରଣ ତାହା ଏକବିଂଶ ଶତାବ୍ଦୀର Pastiche ଏବଂ Simulacrumପାଇଁ ପ୍ରଥମ ଆହ୍ୱାନ ଥିଲା।

 

କିନ୍ତୁ ଉତ୍ତର ଆଧୁନିକତା ତେଲମାରି ପୁରସ୍କାର ପାଇବା କ୍ରୀଡ଼ାତ୍ମକ ଶଠତା ବିରୁଦ୍ଧରେ ସଂଗ୍ରାମ କରେ । ତେଣୁ ଉତ୍ତର ଆଧୁନିକ ମାନସିକତା ଦ୍ୱାରା ସମସ୍ତ ସାମନ୍ତବାଦୀ ମୂଲ୍ୟବୋଧ ଏବଂ ପ୍ରାଚୀନ ନାନ୍ଦନିକ ସଂଜ୍ଞାଗୁଡ଼ିକ ବିରୁଦ୍ଧରେ ନୂତନ ପ୍ରଶ୍ନବାଚୀ ଗୁଡ଼ିଏ ତିଆରି ହୁଏ, ପ୍ରାଚୀନତା ବନାମ ଆଧୁନିକ ବୈଜ୍ଞାନିକତାକୁ ଭାଙ୍ଗିବାର ଏହି ପ୍ରୟାସଟିକୁ ଉତ୍ତର ଆଧୁନିକମାନେ ସକାରାତ୍ମକ ବୋଲି କୁହନ୍ତି । ସେହି ଦୃଷ୍ଟିରୁ କବି ରବୀନ୍ଦ୍ରନାଥ ସିଂହଙ୍କ ସମଗ୍ର ରଚନାବଳୀ ସକାରାତ୍ମକ । ଆଧୁନିକମାନଙ୍କର ଶଠତା ଏବଂ ବୌଦ୍ଧିକ ବିପର୍ଯ୍ୟୟ ବିରୁଦ୍ଧରେ ଏକ ମୂଲ୍ୟବୋଧ ଭିତ୍ତିକ ଉଦ୍‌ଗୀରଣ । ପାଶ୍ଚାତ୍ୟମାନଙ୍କର ଭାଷାରେ ସେଗୁଡ଼ିକ (ଏବଂ ସମସ୍ତ ବ୍ୟଙ୍ଗ ନାଟକ/ସାହିତ୍ୟ) negative Utopia । ନିଜ ସ୍ୱପ୍ନର ଚରମ ସତ୍ୟଟିକୁ ପୁନର୍ବାର ସ୍ଥାପନ କରିବାର ଏକାନ୍ତ ଦାର୍ଶନିକ ବିପ୍ଳବ।

 

୬.

ନିଜକୁ ‘ମାନସ ହଂସ’ ବୋଲି ମନେ କରୁଥିବା କବିଟିକୁ ସ୍ୱପ୍ନବିଳାସୀ ବୋଲି କହି ପ୍ରଗତିର ସମସ୍ତ ବାର୍ତ୍ତାବହ ଗୋଟିଏ ପାଶ୍ଚାତ୍ୟ ‘ଆଣ୍ଟିଥେସିସ୍‌’ ତିଆରି କରି ଥାଇ ପାରନ୍ତି । କିନ୍ତୁ ଉଭୟେ (ରୋମାଣ୍ଟିକ୍‌ ଓ ପ୍ରଗତିଶୀଳ) ସାହିତ୍ୟର ସାମାଜିକ ଉପଯୋଗିତା ସଂପର୍କରେ ନିଶ୍ଚିତ ସଚେତନ ଥିଲେ । ଉତ୍ତର ଆଧୁନିକମାନେ ସେଥିପାଇଁ କହିଛନ୍ତି – ଚେତନାର ସଂସ୍କାର କରିବା ହେଉଛି କଳାର ଉପଯୋଗିତା । ଆଧୁନିକମାନେ ବିଜ୍ଞାନ ଓ ପ୍ରାୟୋଗିକତାରେ ବିଶ୍ୱାସ କରୁଥିବା ଡାକ୍ତର ଓ ଇଂଜିନିଅର ହୋଇଥିବା ଯୋଗୁଁ ସାହିତ୍ୟକୁ ଏକ ଲାବୋରେଟରୀ ବୋଲି ଭାବନ୍ତି ଏବଂ ତାଙ୍କର ମୂଲ୍ୟବୋଧରୁ କେବଳ ‘‘ଗ୍ୟାସ୍‌’’ ବାହାରେ । କିନ୍ତୁ ସାମାଜିକ ବ୍ୟଙ୍ଗ ଲେଖୁଥିବା ଅର୍ଥାତ୍‌ ସାମାଜିକ ଅଙ୍ଗୀକାର ଥିବା ନାଟକମାନଙ୍କୁ ସେମାନେ ଉପଲବ୍ଧିର ଅବତରଣ ବୋଲି ମନେକରନ୍ତି । କେବଳ ବେଦରୁ ସଂସ୍କୃତ ଶ୍ଳୋକ ଘୋଷି ସଭାମାନଙ୍କରେ ପାଲାଗାୟନ କଲେ ମାନସିକ ଉତ୍ତରଣ ହୋଇଗଲା ବୋଲି ମନେକରନ୍ତି । ନିକଟରେ ଗୋଟିଏ ସାହିତ୍ୟ ମିଳନରେ ଜଣେ ବୈଦିକ ମୁଖା ପିନ୍ଧିଥିବା ପ୍ରାଜ୍ଞ ସାହିତ୍ୟ ଓ ନାଟକର ଜନପ୍ରିୟତା ଅନାବଶ୍ୟକ ବୋଲି ପ୍ରମାଣ କରିବାକୁ ଯାଇ ଗୋଟିଏ ଶ୍ଳୋକ ଗାଇଲେ ଏବଂ ତାହା ୠକ୍‌ବେଦର ବୋଲି କହିଲେ । ଏହା ମୋ’ ପ୍ରତି ଏକ ତୀକ୍ଷ୍ମ ଅପମାନ ଥିଲା । କାରଣ ସେ ପ୍ରମାଣ କରିବାକୁ ଚାହୁଁଥିଲେ ଯେ ରମେଶ ପାଣିଗ୍ରାହୀ ଏକ ‘ଯାତ୍ରାବାଲା’ ଏବଂ ବେଦ ପଢି ନାହାନ୍ତି । ମୁଁ ପଚାରିଲି, ‘‘କେଉଁ ମଣ୍ଡଳ?’’ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ, ‘‘ଦଶମ ମଣ୍ଡଳ’’ । ଏହା ମତେ ପୁନଶ୍ଚ ହତବାକ୍‌ କଲା, ଦଶମ ମଣ୍ଡଳରେ ପ୍ରଜାପତି ବ୍ରହ୍ମା ତାଙ୍କ କନ୍ୟା ଉଷସ୍‌ଙ୍କ ସହ ପାଶବିକ ସଂପର୍କ ସ୍ଥାପନ କରିବାରୁ ପଶୁପତି ତାଙ୍କୁ ତୀରବିଦ୍ଧ କରିଛନ୍ତି । ପୁରୁଷସୂକ୍ତ ସୃଷ୍ଟି ସଂପର୍କିତ ହୋଇଥିଲେ ମଧ୍ୟ ତାହା ସାହିତ୍ୟ ସଂପର୍କିତ ନୁହେଁ । ତେଣୁ ମୁଁ ବୁଝିଲି ଓଡ଼ିଶାରେ ବୟସ୍କ ବୁଦ୍ଧିଜୀବୀମାନେ ପ୍ରବଳ ଶଠ ଏବଂ ଅନ୍ୟମାନଙ୍କୁ ମୁର୍ଖ ବୋଲି ମନେକରି ଆତ୍ମତୃପ୍ତିରେ ବଞ୍ଚିଅଛନ୍ତି । ଏହା କୌଣସି ମତେ ଚେତନାର ଉତ୍ତରଣ ନୁହେଁ – ଅବତରଣ । ଏପରି ଏକ ଆଧୁନିକତା ଦ୍ୱାରା ଜନଚେତନାର ସଂସ୍କାର ଅସମ୍ଭବ ।

 

୭.

ଉତ୍ତର ଆଧୁନିକ ନାଟକଟି ନିର୍ଦ୍ଦିଷ୍ଟ ନାଟକର ସଂଜ୍ଞା ଭିତରେ ଆବଦ୍ଧ ରହିବାକୁ ବାଧ୍ୟ ନୁହେଁ-। ଅଷ୍ଟମ ଦଶକରେ ପ୍ରକାଶିତ ମୋର ‘ନିଶବ୍ଦ ଶୋଭାଯାତ୍ରା‘ ନାଟକରେ ଆଦୌ ସଂଳାପ ନାହିଁ । ତାହା କେବଳ ଅଭିନୟର ବର୍ଣ୍ଣନା । ସପ୍ତମ ଦଶକରେ ଲିଖିତ ‘ଟୁଆଁଟୁଇଁ’ ଓ ‘ସତ ହେଲେବି ଗପ’ ଅଣୁନାଟକ ଦୁଇଟି କେବଳ ଚାରିପୃଷ୍ଠା ମଧ୍ୟରେ ସୀମାବଦ୍ଧ । ଏଗୁଡ଼ିକରେ ‘କ୍ଷୁଦ୍ରଗଳ୍ପ’ର ଶୈଳୀ ବ୍ୟବହାର କରାଯାଇଅଛି । ସେହିପରି ସ୍ୱର୍ଗତ ରବି ପଟ୍ଟନାୟକଙ୍କ ଗଳ୍ପରେ ନାଟକର ଶୈଳୀ ଏବଂ ବହୁ ଆଧୁନିକ କବିଙ୍କ କବିତାରେ ସଂଳାପର ଭୂମିକା ଲକ୍ଷଣୀୟ । ଏଗୁଡ଼ିକ ଆଧୁନିକତାର ଗର୍ଭ ଭିତରେ ଥିବା ଉତ୍ତର ଆଧୁନିକତାର ସ୍ୱର । ଏଠାରେ ମୋର ବକ୍ତବ୍ୟ ହେଲା ଉତ୍ତର ଆଧୁନିକ ଶିଳ୍ପଶୈଳୀରେ ସାହିତ୍ୟିକ ବିଭାବ (ଗଳ୍ପ, କବିତା, ନାଟକ ଇତ୍ୟାଦି) ଗୁଡ଼ିକର ସୀମାରେଖାକୁ ଉଲ୍ଲଘଂନ କରାଯାଏ।

 

ସେହିପରି ଉତ୍ତର ଆଧୁନିକ ବର୍ଣ୍ଣନା ଶୈଳୀରେ ବର୍ଣ୍ଣନାକାରୀ ତୃତୀୟ ପୁରୁଷ, ଏକବଚନ ହୋଇ ଅତୀତକାଳ ବର୍ଣ୍ଣନା କରେନାହିଁ । ସେ ପ୍ରଥମେ ପୁରୁଷ, ଏକ ବଚନ ହୋଇ ନିତ୍ୟ ପ୍ରବୃତ୍ତ ବର୍ତ୍ତମାନ କାଳ ବ୍ୟବହାର କରିପାରେ । ଅତଏବ ନାଟକ ଏକ ନୈର୍ବ୍ୟକ୍ତିକ କଳା ନହୋଇ ସଂପୂର୍ଣ୍ଣ ବ୍ୟକ୍ତିଗତ କଳା ବୋଲି ଧରି ନିଆଯାଏ । ଏହା ରୋମାଣ୍ଟିକ୍‌ ସାହିତ୍ୟଭଙ୍ଗୀକୁ ଫେରି ଆସିଛି ।

 

୯.

ଉତ୍ତର ଆଧୁନିକ ସାହିତ୍ୟିକ/ନାଟ୍ୟକାର ତା’ର ନିଜ ସୃଷ୍ଟିରେ ସାହିତ୍ୟକ ବିଭାବ ଏବଂ ବର୍ଣ୍ଣନାଶୈଳୀର ସୀମାରେଖାକୁ ଉଲ୍ଲଘଂନ କରୁଥିଲେ ମଧ୍ୟ ତା’ର ନିଜ ସୃଷ୍ଟିର ସୀମାବଦ୍ଧତା ସଂପର୍କରେ ସଂପୂର୍ଣ୍ଣ ଅଚେତନ ନୁହେଁ । ମୁଖ୍ୟତଃ ସେ ତିନିଗୋଟି ସୀମାକୁ ସଚେତନ ଭାବରେ ସ୍ୱୀକାର କରେ : (କ) ଶବ୍ଦର ସୀମାରେଖା । କବି କିମ୍ବା ଗାଳ୍ପିକ ଭାବିଥାଏ ଯେ ସେମାନେ ହେଉଛନ୍ତି ଶବ୍ଦର ଇଂଜିନିଅର୍ । ସେମାନେ ହିଁ ଶବ୍ଦକୁ ବ୍ୟବହାର କରି ପାଠକମାନଙ୍କୁ ବିଭିନ୍ନ ଭାବରେ ଓଦା କରିପାରନ୍ତି । ତେଣୁ ‘ଶବ୍ଦ’ ଖୋଜି ଖୋଜି ସେମାନେ ପାଆନ୍ତି ନାହିଁ । ନିଜ ପାଇଁ ସମ୍ମାନ ଯୋଗାଡ଼ କରି ପାରୁଥିବା ଜଣେ ସଫଳ କବି ଦିନେ ବିନମ୍ରତାର ମୁଖାଟିଏ ପିନ୍ଧି କହିଲେ ସେ ଶୂନ୍ୟକୁ ଚାହିଁ ଆକୁଳ ପ୍ରାର୍ଥନା କଲାପରେ ଯାଇ ଶବ୍ଦାବତରଣ ହୁଏ ତାଙ୍କ ଭିତରର ଆକାଶରେ । ସତ ହୋଇପାରେ । କିନ୍ତୁ ଓଡ଼ିଶାରେ ଅନେକ ଜାଣନ୍ତି ନାହିଁ – ଶବ୍ଦ ଦୁଇ ପ୍ରକାର :- ଭାଷା କୋଷର ଶବ୍ଦ ଏବଂ ପ୍ରାୟୋଗିକ ଶବ୍ଦ । ପ୍ରଥମ ପ୍ରକାର ଶବ୍ଦ ଘୋଷାବିଦ୍ୟା ଦ୍ୱାରା ଅକ୍ତିଆରକୁ ଆସନ୍ତି । ଦ୍ୱିତୀୟ ପ୍ରକାରର ଅର୍ଥାତ୍‌ ପ୍ରାୟୋଗିକ ଶବ୍ଦର ବ୍ୟବହାର ମିଳିବ ନାଟକରେ ଓ ଗୀତି କବିତାରେ । କାରଣ ଏହାକୁ କହିବ ଆଉ ଜଣକର କଣ୍ଠ । ଏଣୁ ନାଟ୍ୟକାର ଶବ୍ଦର ସୀମାକୁ ଚିହ୍ନିଥାଏ (ଖ) ଲିଙ୍ଗର ସୀମାରେଖା, ଅର୍ଥାତ୍‌ ଜଣେ ପୁଲିଙ୍ଗ ଲେଖକ ଜଣେ ସ୍ତ୍ରୀ ଲିଙ୍ଗକୁ ବୁଝିବା ସହଜ ନୁହେଁ । ଏଣୁ ଉତ୍ତର ଆଧୁନିକ ନାଟକରେ ବାମାବାଦୀ ଚିନ୍ତାର ପ୍ରବେଶ ଘଟିଛି, (ଗ) ତୃତୀୟଟି ହେଉଛି ବ୍ୟକ୍ତିସତ୍ତାର ସୀମାରେଖା । ବ୍ୟକ୍ତିସତ୍ତାଟି ଯଦି ପୁରସ୍କାର ପାଇବା ପାଇଁ ବ୍ୟାକୁଳ ତା’ହେଲେ ତା’ର ସାହିତ୍ୟ ଆଇ.ଏ.ଏସ୍‌. ପରୀକ୍ଷାର ଉତ୍ତର ପରି ହୋଇଯିବ । କିମ୍ବା ସଂନ୍ତ୍ରାସବାଦୀର ଗୁଳି ପରି ଯାଇ ପୁରସ୍କାର ଲକ୍ଷ୍ୟଟିକୁ ଭେଦ କରିପାରିବ । ଏଣୁ ସ୍ୱଚ୍ଛନ୍ଦ ପ୍ରକାଶ ନ ଘଟି ସୀମାର ଶୃଙ୍ଖଳାରେ ତାହା ଆବଦ୍ଧ ହେବ । ତା’ପରେ ପ୍ରକାଶ ଭଙ୍ଗୀର ସଂଯମ ସଂପର୍କରେ ସେ ଆଗରୁ ଘୋଷିଥିବା ସଂସ୍କୃତ ଓ ଇଂରାଜୀ ଶ୍ଲୋକ ଆବୃତ୍ତି କରି ଭାଷାର ଶୃଙ୍ଖଳା ସଂପର୍କରେ ଭାଷଣ ଦେବ। ଫଳରେ ସେ ଉତ୍ତର ଆଧୁନିକ ନ ହୋଇ ଆଧୁନିକ ହୋଇ ରହିବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଷଷ୍ଠ ଦଶକ ପରଠାରୁ ସମଗ୍ର ବିଶ୍ୱରେ ସଂଯମୀ ଅଳଙ୍କାରଯୁକ୍ତ ଭଦ୍ରଭାଷାମାନଙ୍କୁ ଶଠ ଓ ଧୂର୍ତ୍ତମାନଙ୍କର ଭାଷା ବୋଲି କୁହାଯାଇ ବସ୍ତି ଅଞ୍ଚଳର ଭାଷାକୁ ହିଁ କେନ୍ଦ୍ରସ୍ଥାନ ଦିଆଯାଇଅଛି । କିନ୍ତୁ ପ୍ରଶାସକର ଭାଷା ପରି ନାଟ୍ୟକାରର ଭାଷ୍ୟଟି ଯଦି ହିସାବକରା, ଲକ୍ଷ୍ୟଭେଦକାରୀ ଭାଷା ହୋଇଯାଏ ତା’ ହେଲେ ବ୍ୟକ୍ତିସତ୍ତାଟିକୁ ବାରମ୍ବାର ରଙ୍ଗ ବଦଳାଇବାକୁ ପଡ଼ିବ ଏବଂ ନିଜ ଭିତରେ ଥିବା ସୃଜନଶୀଳ ବ୍ୟକ୍ତିସତ୍ତା (ମନେକର ‘‘ମୁଁ – ୧’’) ଏବଂ ପୁରସ୍କାର ଆଶାୟୀ ବ୍ୟକ୍ତିସତ୍ତା (ମୁଁ – ୨) ମଧ୍ୟରେ ଲଢ଼େଇ ହବ । ଭିତରେ ଥିବା ପାନିପଥ ଉପରେ । ତେଣୁ ବ୍ୟକ୍ତିସତ୍ତାର ଆଚରଣକୁ ଚିହ୍ନି ତା’ର ସୀମାରେଖାଗୁଡ଼ିକୁ ଉତ୍ତରଆଧୁନିକ ନାଟ୍ୟକାର ମାନିବା ପାଇଁ ବାଧ୍ୟ।

 

୧୦.

ଉତ୍ତର ଆଧୁନିକ ନାଟକର ଭିତ୍ତିଭୂମି ଅତିକଳ୍ପନା । ସାଧାରଣତଃ ଲୋକକଥା ଓ ପରୀଗଳ୍ପଗୁଡ଼ିକରେ କିମ୍ବା ‘ଅବୋଲକରା କାହାଣୀ’ମାନଙ୍କରେ ଏପରି ବାସ୍ତବୋତ୍ତର କଳ୍ପନାର ସମ୍ଭାର ଦେଖାଯାଏ । ଏ ସମ୍ପର୍କରେ Rosemary Jackson ଙ୍କର Fantasy : Literature of Subversion କିମ୍ବା Ann Swinfen ଙ୍କର In Defence of Fantasy : A Study of the Genre in English and American Literature since 1945 ଗ୍ରନ୍ଥ ଦୁଇଟି ଅନ୍ତତଃପକ୍ଷେ ପଢ଼ାଯାଇପାରେ । ଇଂରେଜୀ ଉପନିବେଶୀୟ ସାହିତ୍ୟତତ୍ତ୍ୱମାନଙ୍କରେ ବାସ୍ତବବାଦୀ ନାଟକରେ ପ୍ରସେନିୟମ୍‌ ମଞ୍ଚ ଉପରେ ଦାମୀ ସେଟ୍‌ ଓ ଦାମୀଆଲୋକର ଭ୍ରାନ୍ତି ଉଦ୍ରେକକାରୀ ବସ୍ତୁମାନଙ୍କ ଉପରେ ନାଟକର ସଫଳତା ନିର୍ଭର କରୁଥିଲା । ଏଥିରେ କଳାକାରମାନେ ମଧ୍ୟ ବସ୍ତୁପ୍ରାୟ ଉପଭୋଗ୍ୟ ସାମଗ୍ରୀ ଥିଲେ । ବସ୍ତୁପ୍ରଧାନ ନାଟକରେ ଦିଗ୍‌ବଳୟଟି ରୈଖିକ ବିସ୍ତୃତି ଲାଭ କରେ କିନ୍ତୁ ତାହାର ଉତ୍ତରତା କିମ୍ବା ଗଭୀରତା ନଥାଏ-। କିନ୍ତୁ ଆମ ଓଡ଼ିଆ ଲୋକନାଟକ ଓ ଯାତ୍ରାମାନଙ୍କରେ କେବଳ ଶୂନ୍ୟ ମଞ୍ଚଟିଏ ଥାଏ । ବାକି ସବୁ କଳ୍ପନା ଓ ଅତି କଳ୍ପନା । ଦ୍ୱିତୀୟତଃ ପ୍ରଗତିବାଦୀ/ମାର୍କ୍ସବାଦୀ ନାଟକ କିମ୍ବା ଯୌନଧର୍ମୀ ନାଟକଗୁଡ଼ିକ ଆଧୁନିକତା ନାମରେ ବସ୍ତୁକୁ ପ୍ରାଧାନ୍ୟ ଦେଇ ଏହାଦ୍ୱାରା ଦର୍ଶକମାନଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ପ୍ରଭାବ ପଡ଼ୁଛି ବୋଲି ସେମାନେ ଦାବୀ କରୁଥିଲେ ଏବଂ ସାହିତ୍ୟ ସମାଜ ପାଇଁ ଉଦ୍ଦିଷ୍ଟ ବୋଲି ଭ୍ରାନ୍ତିଟିଏ ପୋଷିଥିଲେ । କ୍ରମଶଃ ନାଟକରେ ସେଇ ଗୋଟିଏ ଶୋଷଣର ଇତିହାସକୁ ବାରମ୍ବାର ଉପସ୍ଥାପନ କରୁଥିବାରୁ ଦର୍ଶକମାନଙ୍କ ପାଖରେ ସେହି ଶ୍ରେଣୀର ଆଧୁନିକ ନାଟକଗୁଡ଼ିକର ଚାହିଦା ରହିଲା ନାହିଁ । ବାସ୍ତବବାଦୀ ଔପନିବେଶିକମାନେ ଆମର ଲୋକକଥା ଏବଂ ଲୋକଶୈଳୀଗୁଡ଼ିକୁ କୁସଂସ୍କାର ବୋଲି କହି ଅଳିଆଗଦାରେ ଫୋପାଡ଼ି ଦେବାକୁ କହିବା ଦ୍ୱାରା ସେମାନଙ୍କର ବ୍ୟବସାୟଟି ଭଲ ଚାଲିଲା । କଲିକତାରୁ ସିନ୍‌, ସିନେରୀ, ଆଲୁଅ ଓ ପୋଷାକ ବାଟେ ଏହି ବ୍ୟବସାୟ ଚାଲିଲା । ଉତ୍ତର ଆଧୁନିକ ନାଟକରେ ଲୋକଶୈଳୀ ଏବଂ ଶୂନ୍ୟ ଯାତ୍ରାମଞ୍ଚର ବ୍ୟବହାର ଦ୍ୱାରା ଏକନୂତନ, ଉତ୍ତର ଆଧୁନିକ ନାନ୍ଦନିକତାର ଉଦ୍ଭବ ଘଟିଲା ।

 

୧୧.

ଉତ୍ତର ଆଧୁନିକ ନାଟକରେ ନାଟ୍ୟସୃଜନ ସମବାୟ ସୂତ୍ରରେ ହୋଇପାରେ । ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା ଅଭିନେତ୍ରୀ ତଥା ସଂଗୀତଜ୍ଞ, ଆଲୋକ ଶିଳ୍ପୀ ଏକତ୍ରିତ ହୋଇ ଏହି ନାଟକ ସୃଜନ କରି ପାରନ୍ତି ।

 

୧୨.

ଅତଏବ ଉତ୍ତର ଆଧୁନିକ ନାଟକ ସମସ୍ତ ଉଚ୍ଚାଙ୍ଗ ସାହିତ୍ୟକୁ ବିଦ୍ରୂପ କରି Pastiche ଏବଂ Simulacrum ତିଆରି କରିବାରେ ଆଗ୍ରହୀ ।

 

୧୩.

ଉତ୍ତର ଆଧୁନିକ ସାହିତ୍ୟ ମୁଖ୍ୟତଃ ନିଜର ସଂସ୍କୃତି ପ୍ରତି ବିଶେଷ ସଚେତନ । ସଂସ୍କୃତି ସଂପର୍କିତ ସମସ୍ତ ଅଧ୍ୟୟନ ରାଜନୈତିକ । ଆଞ୍ଚଳିକତା ଏବଂ ଜାତିଆଣ ପ୍ରତିଯୋଗିତା ଓ ସଂଘର୍ଷ ଗୁଡ଼ିକ ଏହି ଅଧ୍ୟୟନର ଅନ୍ତର୍ଗତ ବିଷୟ । ପୁଣି ଏହା ଏକ ସାମୂହିକ ଚେତନା ବୋଲି ସାଂସ୍କୃତିକ ନୃତତ୍ତ୍ୱବିତ୍‌ମାନଙ୍କର ମତ । Robert king Morton ଏବଂ A.R. Redcliff Brown ପ୍ରଭୃତି ସାଂସ୍କୃତିକ ନୃତତ୍ତ୍ୱବିତ୍‌ମାନେ Eunomia ଓ Dysnomia ଅଧ୍ୟୟନ କାଳରେ ସଂସ୍କୃତିର ବାହ୍ୟ କାର୍ଯ୍ୟକାରିତା ଏବଂ ଅନ୍ତର୍ନିହିତ କାର୍ଯ୍ୟକାରିତା ସଂପର୍କରେ ଯେଉଁ ଗବେଷଣା କରିଛନ୍ତି ତନ୍ମଧ୍ୟରେ ଜାତିଆଣ ଏବଂ ଗୋଷ୍ଠୀଗତ ତଥା ଆଞ୍ଚଳିକତା ଉପରେ ପ୍ରାଧାନ୍ୟ ଦିଆଯାଇଅଛି । ସାମାଜିକ ସଂରଚନା ଉପରେ ସେମାନଙ୍କର ନଜର ବେଶୀ । ତେଣୁ ଉତ୍ତର ଆଧୁନିକ ଓଡ଼ିଆ ନାଟକରେ ଓଡ଼ିଶାର ବ୍ରାହ୍ମଣମାନେ କେତେବେଳେ ହାସ୍ୟକାର ଲୋଭୀ, ପେଟୁ ମଣିଷତ ଆଉ କେତେବେଳେ ଖଣ୍ଡାୟତ/କରଣମାନେ ଟାଉଟର ଭୂମିକାରେ ଚିତ୍ରିତ । ବରହମ୍‌ପୁରୀ ଭାଷା କହୁଥିବା ଲୋକଟି କେତେବେଳେ କମେଡ଼ିଆନ୍‌ ତ ଆଉ କେତେବେଳେ ଭିଲିଅନ୍‌, ଆଜିର ସାହିତ୍ୟିକ ଜଗତୀକରଣ ଯୁଗରେ ଆଉ ଏକପ୍ରକାର ମିଶ୍ରିତ ନାଟକ ତିଆରି ହେଉଥିଲେ ମଧ୍ୟ ଆଞ୍ଚଳିକ ସଂସ୍କୃତି ଉପରେ ଆଧାରିତ ଲୋକଶୈଳୀର ପ୍ରୟୋଗକୁ ହିଁ ଉତ୍ତର ଆଧୁନିକ ଶୈଳୀ ବୋଲି କୁହାଯିବ ।

 

୧୪.

ଉତ୍ତର ଆଧୁନିକ ନାଟକକୁ ଉତ୍ତର ଆଧ୍ୟାତ୍ମିକ ନାଟକ ବୋଲି କୁହାଯାଇପାରେ । କାରଣ ଧର୍ମଧାରାର ଊର୍ଦ୍ଧ୍ୱରେ ଏହାର ଭିତ୍ତି । ଏପରି ନାଟକରେ କୌଣସି ନିର୍ଦ୍ଦିଷ୍ଟ ଧର୍ମର ଛାପ ନଥାଏ । ପୁନଶ୍ଚ ପୂର୍ବରେ ଲେଖାଯାଉଥିବା ପୌରାଣିକ ନାଟକର ଭକ୍ତିରସ ଏହି ଉତ୍ତର ଆଧୁନିକ ନାଟକର ଆଧାର ହୋଇପାରେନା । ଆଧୁନିକ ନାଟକ ପର୍ଯ୍ୟନ୍ତ ଧାର୍ମିକ ମିଥ୍‌ ପ୍ରୟୋଗର ଦୃଷ୍ଟାନ୍ତ ମିଳିବ । ଏପରିକି ସାମୁଏଲ୍‌ ବେକେଟ୍‌ଙ୍କ Waiting for Godot ରେ ମଧ୍ୟ Vladimin ଏବଂ Estragon ମଝିରେ ମଝିରେ ବାଇବେଲ୍‌ ପାଖକୁ ଫେରିଯାଆନ୍ତି – ଯିଦିଓ ବାଇବେଲ୍‌ରେ ଦିଆଯାଇଥିବା ମାନଚିତ୍ରର ରଙ୍ଗଟା ଦେଖି ତାଙ୍କୁ ଶୋଷ ଲାଗେ । Wole Soyinkaଙ୍କର ନାଟକରେ ମଧ୍ୟ କିଛି କିଛି ଭୂତ ଗପ ମାଧ୍ୟମରେ ଭଗବତ୍‌ ଅନୁଭୂତିର ଆଭାସ ଖୋଜାଯାଇ ପାରେ । କିନ୍ତୁ ଉତ୍ତର ଆଧୁନିକ ନାଟକରେ ତାହା ସଂପୂର୍ଣ୍ଣ ଉତ୍ତର ଆଧୁନିକ, ଉଦାହରଣ ସ୍ୱରୂପ ‘‘ଗୋଟିଏ ବୃତ୍ତ ଆଙ୍କିବାର ସହଜ ପ୍ରଣାଳୀ’’ରେ ଜଗନ୍ନାଥ ନିଜେ ଗୋଟିଏ ଅଳନ୍ଧୁ ଝାଡ଼ୁଥିବା ଚରିତ୍ର ।

 

୧୫.

ପୁନଶ୍ଚ ଉତ୍ତର ଆଧୁନିକ ନାଟକରେ ଆଦିବାସୀ ସଂସ୍କୃତିର ପ୍ରବର୍ତ୍ତନ ଘଟେ । ଜଣେ ସମାଲୋଚକ ଏହାକୁ rebarbarization ବୋଲି ଅଭିହିତ କରିଛନ୍ତି । ଆର୍ଯ୍ୟମାନେ ବହୁଦିନ ଧରି ଅନାର୍ଯ୍ୟମାନଙ୍କୁ ଦଳିତ କରି ରଖିଥବାରୁ ସବୁପ୍ରକାର ସାମନ୍ତବାଦୀ ଧାରଣାକୁ ଭାଙ୍ଗୁଥିବା ଉତ୍ତର ଆଧୁନିକତା ଆଦିବାସୀ ସଂସ୍କୃତିର ପୁନଃ ସଂସ୍ଥାପନରେ ପ୍ରୟାସୀ । ଆଧୁନିକତା ଓଡ଼ିଶାର ଅନାର୍ଯ୍ୟମାନଙ୍କୁ ଆଲୁଅ ଦେଖେଇବା ପାଇଁ ଏକ ଲମ୍ବା ଟର୍ଚ୍ଚ ଲାଇଟ୍‌ ପରି କାର୍ଯ୍ୟ କରୁଥିଲା । ଏହାକୁ ୟୁଯୋପୀୟମାନେ Enlightenment ବୋଲି କହୁଛନ୍ତି । ଉତ୍ତର ଆଧୁନିକତା ଏକ ଉତ୍ତର ଔପନିବେଶିକା ମାନସିକତାରୁ ଉଦ୍ଭବ ହୋଇଛି ବୋଲି ଆମେ ନାଟକରେ ପୁନର୍ବାର ଆଦିବାସୀ ଓ ଗ୍ରାମୀଣ ସଂସ୍କୃତି ଉପରେ ବିଶ୍ୱାସ ଓ ଆସ୍ଥା ସ୍ଥାପନ କରୁଛୁ ।

 

ଏତଦ୍‍ବ୍ୟତୀତ ନାଟକରେ ଗୋଟିଏ ପରିବେଷଣାତ୍ମକ ଦିଗ ରହିଛି । ଉତ୍ତର ଆଧୁନିକ ନାଟକରେ ଉପଭୋକ୍ତା ସଂସ୍କୃତିଟି କେନ୍ଦ୍ର ସ୍ଥାନ ଅଧିକାର କରୁଥିବାରୁ ଶରୀରର ଉପସ୍ଥାପନା ଏହି ସମୟର ନାଟକର ଏକ ମୁଖ୍ୟ ବିଭାବ । ସବୁବେଳେ ଘୁରୁଥିବା ଏବଂ ବିଭିନ୍ନ ଆଲୋକ ବା ଉଚ୍ଚତା ଦ୍ୱାରା ସ୍ପଷ୍ଟ ଓ ଅସ୍ପଷ୍ଟ ହେଉଥିବା ଶରୀରରେ ଏକ ଲିଙ୍ଗିଭିତ୍ତିକ ଆବେଦନ ରହିଛି । ଲୋକ ସଂସ୍କୃତି ଏବଂ ଗଣପ୍ରିୟ ସଂସ୍କୃତିରେ ଶରୀର ହିଁ ଏକ ଅଳଙ୍କାର । ତା’ଉପରେ ପୋଷାକ ଓ ଭାଷାର ଅଳଙ୍କାର ଥିଲେ ବା ନଥିଲେ କିଛି ଯାଏ ଆସେ ନାହିଁ, ତେଣୁ ଶରୀରଟି ଏହି ଉତ୍ତର ଆଧୁନିକ ମଞ୍ଚ ଉପରେ ଏକ ଉପଭୋକ୍ତା ସାମଗ୍ରୀ ରୂପେ ସଞ୍ଚରିତ । ଉତ୍ତର ଆଧୁନିକତା ସମସ୍ତ ଗୋପନୀୟତାକୁ ‘ହିପୋକ୍ରିସୀ’ ବୋଲି ଆକ୍ରମଣ କରୁଥିବାରୁ ଏହାର ପରିବେଷଣରେ ମଣିଷକୁ ଏକ ବସ୍ତୁକଳ୍ପ ରୂପରେ ପ୍ରକାଶ କରାଯାଏ । ରୂପେଲୀ ପରଦା ଏବଂ ଛୋଟ ପରଦାରେ ପରିବେଷଣାତ୍ମକ କଳାକୁ digitalize କରାଯାଉଥିବା ଯୋଗୁଁ ଉତ୍ତର ଆଧୁନିକ ନାଟକରେ ମଧ୍ୟ ‘ଶରୀରକଳ୍ପ’ ପ୍ରାଧାନ୍ୟପାଏ । ବୟସ୍କମାନେ ମନେକରନ୍ତି ଏଗୁଡ଼ିକ ଅଶ୍ଳୀଳତା । ହୁଏତ ସେମାନଙ୍କ ମାନସିକତାରେ ଶ୍ଳୀଳତା ଓ ଅଶ୍ଲୀଳତାର ଉତ୍ତର-ଦକ୍ଷିଣ ମେରୁମାନେ ବିଦ୍ୟମାନ । ଏପରି ମେରୁଭିତ୍ତିକ ଦ୍ୱୈତଭାବ ଉତ୍ତର ଆଧୁନିକ କାଳରେ ଅନୁପସ୍ଥିତ । ଗୋଟିଏ ଶୂନ୍ୟସ୍ଥାନରେ ଶରୀରମାନଙ୍କର ସ୍ଥାପତ୍ୟ ଯେଉଁ ପ୍ରତୀକ ବା ଦୃଶ୍ୟବିମ୍ବ ରଚନା କରେ ତାହାହିଁ ଉତ୍ତର ଆଧୁନିକ ଉପସ୍ଥାପନାତ୍ମକ କଳା ।

 

ଏକ ବିଂଶ ଶତାବ୍ଦୀ ପାଇଁ ଉପସଂହାରରେ ଏତିକି କୁହାଯାଇପାରେ ଯେ, ଓଡ଼ିଶା ପାଇଁ ଉତ୍ତର ଆଧୁନିକତା ଏକ ବ୍ୟବଧାନହୀନ ସମକାଳୀନତା । ଆମର ଭାଗ୍ୟ ଭଲ–ନିରକ୍ଷରତା ଏବଂ ଆର୍ଥିକ ସଂକଟ ଯୋଗୁଁ ଆମେ ଆଧୁନିକତାର ପରୀକ୍ଷା ଜଙ୍ଗଲରେ ପଶିବାର ସୁଯୋଗ ପାଇନଥିଲେ । ବିଶ୍ୱ ପ୍ରେକ୍ଷାପଟଠାରୁ ଆମେ ଅନ୍ୟୁନ ଶହେବର୍ଷ ପଛରେ ଥିଲେ । ବର୍ତ୍ତମାନ ଆଧୁନିକତା ‘ଚକ୍ରବତ୍‌’ ପରିବର୍ତ୍ତିତ ହୋଇ ପୁନର୍ବାର ପୁରୁଣା ସ୍ଥାନକୁ ଫେରି ଆସିଲା ବେଳକୁ ଆମେ ଯୋଉଠି ଅଛେ, ତାହାହିଁ ଉତ୍ତର ଆଧୁନିକତା । ସେମାନେ ଶୂନ୍ୟମଞ୍ଚକୁ ଆସିଲାବେଳକୁ ଆମେ ଯାତ୍ରାର ଶୂନ୍ୟମଞ୍ଚରେ ଅଛେ ଏବଂ ଅଛେ ଶରୀରର ସ୍ଥାପତ୍ୟ ପାଖରେ । ଯେଉଁମାନେ ଏକଦା ଆଧୁନିକତାର ରଣପା ଉପରେ ଠିଆ ହୋଇ ଆମ ଗ୍ରାମାଞ୍ଚଳ/ଆଦିବାସୀ/ଅନୁନ୍ନତମାନଙ୍କୁ ବିଦ୍ରୁପ କରୁଥିଲେ ସେମାନେ ଆଜି ଆମ ପାଖରେ ହୋଇଯାଇଛନ୍ତି ଅନାବଶ୍ୟକ ତତ୍ତ୍ୱଦର୍ଶୀ । ଆଜିର ସଂସ୍କୃତିଟା କିଣାବିକାର ସଂସ୍କୃତି ଏବଂ ସେହି ପୁଞ୍ଜିପତି ବୌଦ୍ଧିକମାନେ ନିଜକୁ ହିଁ ବିକ୍ରି କରିବାକୁ ଯାଇ ବିଫଳ ହୋଇ ତାରିଖ ଚାଲିଯାଇଥିବା ଔଷଧ ଶିଶି ପରି ଫୋପଡ଼ା ହେଉଛନ୍ତି । ପ୍ରାଚୀନ ବା ଶାଶ୍ୱତ ମୂଲ୍ୟବୋଧଗୁଡ଼ିକର ବ୍ୟବହାରିକ ଗୁଣ ଆଉ ନାହିଁ । ଏହା ଏହି ବିପୁଳା ପୃଥ୍ୱୀରେ ନିରବଧି କାଳର ବିଡ଼ମ୍ବନା ହୋଇପାରେ । ଏଇଠି ‘‘ସମାନଧର୍ମୀ’’ଙ୍କ ସଂଖ୍ୟା ମଧ୍ୟ ବିପୁଳ-

 

 

‘‘ମୁଁ, ଆମ୍ଭେ ଓ ଆମ୍ଭେମାନେ’’

୧୦୫, ରସୁଲଗଡ଼

ଭୁବନେଶ୍ୱର – ୧୦

 

***

 

ମହିମା ଧର୍ମ ଓ ଭୀମଭୋଇ

ପ୍ରଫେସର ବୈଷ୍ଣବ ଚରଣ ସାମଲ

 

ମହିମା ଧର୍ମ, ଏକ ଧର୍ମ ମାତ୍ର ନୁହେଁ; ଏକ ମହାଭାବ । ଏହି ଭାବରେ ଜାତି ନାହିଁ. ଅଜାତି ନାହିଁ, ସାନ ନାହିଁ ବଡ଼ ନାହିଁ, ଧନୀ ନାହିଁ, ନିର୍ଦ୍ଧନ ନାହିଁ । ସେଠି ଅଛି ଏକ ଅଧ୍ୟାତ୍ମ ଉତ୍ତରିତ ମଣିଷ । ସେହି ମଣିଷ ପାଖରେ ଉପଭୋଗ ତୁଚ୍ଛ, ବିଳାସ ତୁଚ୍ଛ, କ୍ଷମତା-ସିଂହାସନ ତୁଚ୍ଛ । ସତ୍ୟ ତା’ର ଆଦର୍ଶ । ତ୍ୟାଗ ତା’ର ଧର୍ମ । ସହିଷ୍ଣୁତା ତା’ର ମର୍ମ । ଏହି କାରଣରୁ ଏ ଧର୍ମ ଏକ ପ୍ରତିବାଦ ଧର୍ମ । ଏ ପ୍ରତିବାଦ ରାଜା ଓ କ୍ଷମତା ବିରୋଧରେ, ଜାତି ଓ ଜାତିଆଣ ମନୋଭାବ ବିରୋଧରେ, ବ୍ରାହ୍ମଣ ଓ ବ୍ରାହ୍ମଣ୍ୟ କ୍ରିୟାକାଣ୍ଡ ବିରୋଧରେ, ଯାବତୀୟ କୁସଂସ୍କାର ବିରୋଧରେ, ପୂଜାପାର୍ବଣ ନାମରେ ଚାଲୁଥିବା ସ୍ୱେଚ୍ଛାଚାର ବିରୁଦ୍ଧରେ । ତେଣୁ ଏ ଧର୍ମ ସାଧାରଣ ନୁହେଁ; ଅସାଧାରଣ । ଉପନିଷଦର ଦର୍ଶନକୁ ଏହା ସ୍ୱୀକାର କରେ । ତେଣୁ ଏହା ବିଶୁଦ୍ଧ ସନାତନ ଧର୍ମ ।

 

ବିଶ୍ୱର ଧର୍ମ ଇତିହାସରେ ମହିମା ଧର୍ମ ସର୍ବକନିଷ୍ଠ ଧର୍ମ । ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପରେ ଏହି ଧର୍ମର କ୍ରମ ପ୍ରସାର ଓ ମାତ୍ର ଦେଢ଼ଶହ ବର୍ଷ ମଧ୍ୟରେ ଏହାର ସଶ୍ରଦ୍ଧ ପ୍ରତିଷ୍ଠା । ଏ ଧର୍ମର ପ୍ରତିଷ୍ଠାତା ମହିମା ସ୍ୱାମୀ ଓ ସେ ଅଯୋନି ସଂଭୂତ ସ୍ୱୟଂ ପରଂବ୍ରହ୍ମ ବୋଲି ମହିମାପନ୍ଥୀଙ୍କର ବିଶ୍ୱାସ । ତାଙ୍କୁ ମୁକୁନ୍ଦ ଦାସ ବୋଲି କେତେକ କହୁଥିଲେ ମଧ୍ୟ ତାହା ଗୃହୀତ ହୋଇନାହିଁ । ଆବିର୍ଭାବ ତାଙ୍କର ରହସ୍ୟମୟ । ତିରୋଭାବ ରହସ୍ୟମୟ ମଧ୍ୟ ତାହା ଗୃହୀତ ହୋଇନାହିଁ । ଆବିର୍ଭାବ ତାଙ୍କର ରହସ୍ୟମୟ । ତିରୋଭାବ ରହସ୍ୟମୟ ମଧ୍ୟ । ୧୮୨୬ ମସିହାରେ ପୁରୀର ବଡ଼ଦାଣ୍ଡରେ ତାଙ୍କର ପ୍ରଥମ ଆବିର୍ଭାବ । ସେଠାରେ ସେ ପରିଚିତ ହେଲେ ଧୂଳିଆ ଗୋସାଇଁ ଭାବରେ । ତା’ପରେ ତାଙ୍କର ହେଲା ପୁରୀରୁ ଗତି ଖଣ୍ଡଗିରି, ପଟିଆ ଓ ଶେଷରେ ଢେଙ୍କାନାଳର କପିଳାସ ପର୍ବତକୁ । ଦୀର୍ଘ ୩୬ ବର୍ଷ କାଳ ନୀର, ଫଳ ଓ କ୍ଷୀର ଆହାର କରି ଅବଶେଷରେ ସେ ପର୍ଯ୍ୟଟନ କଲେ ଗଡ଼ଜାତ ଅଞ୍ଚଳର ଗ୍ରାମରୁ ଗ୍ରାମକୁ ଦୀକ୍ଷା ଦେଲେ ଗୋବିନ୍ଦ ବାବା ନୃସିଂହ ବାବାଙ୍କୁ । ଧର୍ମ ପ୍ରଚାର କଲେ ନାହିଁ, କାହାକୁ ମଧ୍ୟ ତାଙ୍କ ଧର୍ମଗ୍ରହଣ କରିବାକୁ କହିଲେ ନାହିଁ । ମାତ୍ର ତାଙ୍କର ଅବଧୂତ ରୂପ, ଦିବ୍ୟ ଜ୍ୟୋତି ଲୋକମାନଙ୍କୁ ପ୍ରଭାବିତ କଲା । ତାଙ୍କ ପ୍ରତି ଗ୍ରାମାଞ୍ଚଳର ଲୋକେ ଜଣାଇଲେ ସଭକ୍ତି ଅଭିନନ୍ଦନ । କେତେ ଅଲୌକିକ ଘଟଣା ସେ ଘଟାଇଲେ । ୧୮୭୧ ମସିହାରେ ଭୀମଭୋଇଙ୍କୁ ଦର୍ଶନ ଦେଇ ତାଙ୍କର କବିତ୍ୱ ଶକ୍ତିକୁ ଜାଗ୍ରତ କଲେ । ଭୀମ ହେଲେ ମହିମା ଧର୍ମର ପ୍ରଥମ କବି । ପ୍ରଥମ କବି କେବଳ ନୁହନ୍ତି, ପ୍ରଥମ ଦାର୍ଶନିକ ମଧ୍ୟ । ୧୮୭୬ ମସିହାରେ ମହିମା ସ୍ୱାମୀଙ୍କର ହେଲା ଅନ୍ତର୍ଦ୍ଧାନ । ଏ ସମୟକୁ ୬୪ ଜଣ ସିଦ୍ଧବାବାଙ୍କର ଆବିର୍ଭାବ ଘଟିଲାଣି । ଗ୍ରାମରୁ ଗ୍ରାମକୁ ସେମାନେ ଖେଳେଇ ହୋଇଗଲେଣି । ଲୋକେ ମହିମା ଧର୍ମ ଗ୍ରହଣ କଲେଣି । ଭୀମଭୋଇଙ୍କ ଭଜନ, ଜଣାଣ ଓ କାବ୍ୟ କବିତା ଲୋକମାନଙ୍କୁ ଆକୃଷ୍ଟ କଲାଣି । ମହିମା ଟୁଙ୍ଗୀ ଗ୍ରାମମାନଙ୍କରେ ପ୍ରତିଷ୍ଠା ହେଲାଣି । ଊନବିଂଶ ଶତାବ୍ଦୀ ଶେଷ ଉପକୂଳବର୍ତ୍ତୀ ଗ୍ରାମମାନଙ୍କରେ ମହିମା ଧର୍ମର ପ୍ରଭାବ ଅନୁଭୂତ ହେଲା-। ପଲ୍ଲୀକବି ନନ୍ଦକିଶୋର ବଳଙ୍କର ୧୮୯୮ ମସିହାରେ ପ୍ରକାଶିତ ପଲ୍ଲୀଚିତ୍ରର ପ୍ରଥମ ଭାଗରେ ସଂଯୋଜିତ ‘ନବବର୍ଷ ଭାବନା’ କବିତାରେ ସ୍ପଷ୍ଟ ଭାବରେ ସୂଚିତ ସନ୍ଧ୍ୟା ସମୟରେ ମହିମା ସନ୍ୟାସୀଙ୍କର ଭୀମଭୋଇ ଭଜନ ବୋଲାଯାଉଥିବା କଥା । ବିଂଶ ଶତାବ୍ଦୀରେ ଏହି ଧର୍ମ ଆପଣାର ସ୍ୱକୀୟତା ବଜାୟ ରଖିପାରିଛି । ଆଜି ଓଡ଼ିଶା ଭିତରେ ଏହି ଧର୍ମ ଆଉ ସୀମିତ ନୁହେଁ; ଓଡ଼ିଶା ବାହାରେ ମଧ୍ୟ ଏହାର ଖ୍ୟାତି ଓ ପ୍ରସାର ।

 

ମହିମା ଧର୍ମର ଉନ୍ମେଷ ଓଡ଼ିଶାର ମାଟିରେ । ଏହା କୌଣସି ବୈଦିକ କର୍ମକାଣ୍ଡ ବା ଶାସ୍ତ୍ରୀୟ ଆଧାର ଉପରେ ସୃଷ୍ଟି ହୋଇ ନାହିଁ । ସ୍ୱତଃ ଏହାର ସୃଷ୍ଟି । ଓଡ଼ିଶାର ଏକ ସଂକଟ କାଳରେ ଏହାର ଉନ୍ମେଷ । ଗଣଗୋଷ୍ଠୀ ସମାଜରେ ଏହାର ଆଦର । ଏହା ମଣିଷର ଧର୍ମ । ମଣିଷକୁ ଛାଡ଼ିଦେଇ ନୁହେଁ, ମଣିଷକୁ ଉତ୍ତୋଳନ କରି ନେବାରେ ଏହି ଧର୍ମର ମହତ୍ତ୍ୱ । ସମ୍ପ୍ରଦାୟ ନୁହେଁ, ଜାତି ନୁହେଁ; କେବଳ ମଣିଷ ହିଁ ଏହାର ସମ୍ପତ୍ତି । ମାଟିର ମମତାରେ ଏହା ୠଦ୍ଧିମନ୍ତ । ଉପରେ ଅନନ୍ତ ଆକାଶ । ତଳେ ମାଆ ଧରିତ୍ରୀ । ଧରିତ୍ରୀକୁ ମହିମା ସନ୍ୟାସୀ ଛାଡ଼େ ନାହିଁ । ଧରିତ୍ରୀ ଉପରେ ତା’ର ଗତି । ଅଟକିଯାଏ ନାହିଁ କେଉଁଠି । ଗାଁରୁ ଗାଁକୁ ସେ ଯାଏ । ଗୋଟିଏ ଗାଁରେ ଗୋଟିଏ ରାତି କଟାଇ ସେ ପୁଣି ଚାଲିଯାଏ ଆଉ କେଉଁ ଗ୍ରାମକୁ । ଗୋଟିଏ ଘରୁ ଥରେ ମାତ୍ର ଭିକ୍ଷା ଗ୍ରହଣ କରେ । ଉପରେ ଆକାଶ । ତଳେ ଧରିତ୍ରୀ । ତାରି ଉପରେ ସେ ଚାଲେ । ଦୃଷ୍ଟି ରହେ ନିମ୍ନକୁ । ଆକାଶ ପରି ସେ ପ୍ରଶସ୍ତ, ଉଦାର ଓ ଅବ୍ୟକ୍ତ । ଧରିତ୍ରୀ ପରି ସେ ମୁକ୍ତ ଓ ବ୍ୟକ୍ତ । ସେ ନିଜେ ସସୀମ । ସୀମା ଭିତରେ କିନ୍ତୁ ସେ ବନ୍ଦୀ ନୁହେଁ । ଅସୀମ ତା’ର ଉପାସ୍ୟ । ସେହି ଅସୀମ ହିଁ ମହିମା; ତାହା ହିଁ ଭୂମା, ବିରାଟ । ସେ ଶୂନ୍ୟ ମହାଶୂନ୍ୟ । ଶୂନ୍ୟ ହୋଇ ମଧ୍ୟ ସେ ନକରାତ୍ମକ ନୁହନ୍ତି; ଅସ୍ତ୍ୟାତ୍ମକ । ସେ ସବୁ କିଛିର କାରଣ । ମଣିଷ ଅପୂର୍ଣ୍ଣ ଓ ଅନିତ୍ୟ । ମହିମା ନିତ୍ୟ ଓ ପୂର୍ଣ୍ଣ । ସେ ଅଣାକାର, ସତ୍ୟ ଓ ସନାତନ । ସେ ମଧ୍ୟ ବିଶୁଦ୍ଧ ସତ୍ୟ ସନାତନ । ଅପୂର୍ଣ୍ଣ ମଣିଷ ଯେତେବେଳେ ନିଜ ଭିତରେ ସେହି ବ୍ରହ୍ମଙ୍କୁ ଉପଲବ୍ଧି କରେ ସେତେବେଳେ ସେ ହୁଏ ପୂର୍ଣ୍ଣ-। ବ୍ରହ୍ମ ଓ ମଣିଷ ମଧ୍ୟରେ ମଧ୍ୟସ୍ଥି ନାହିଁ । ଉଭୟଙ୍କ ସମ୍ପର୍କ ନିତ୍ୟ । ମଧ୍ୟସ୍ଥି ପ୍ରଥା ବ୍ରାହ୍ମଣ୍ୟ କର୍ମକାଣ୍ଡର ଏକ କୌଶଳ । ପାଦ୍ରୀ ଓ ମୁଲ୍ଲାଙ୍କର ଏକ ଉପାୟ । ମହିମା ଧର୍ମ ଏହି ମଧ୍ୟସ୍ଥି ପ୍ରଥାର ବିରୋଧୀ । ତେଣୁ ଏ ଧର୍ମ ମୂର୍ତ୍ତି ଓ ରୂପ ଉପାସନାକୁ ସ୍ୱୀକାର କରେନାହିଁ । ଏହା ମନେକରେ ମୂର୍ତ୍ତି ପାପ । କାଷ୍ଠ ପାଷାଣ ଉପାସନା ଅସାର । ସାର କେବଳ ସେହି ଅରୂପ ଅଣାକାର ଅବ୍ୟକ୍ତ ଶୂନ୍ୟ ବ୍ରହ୍ମକୁ ନିଜ ଭିତରେ ଉପଲବ୍ଧି କରିବା । ମଣିଷ ଯେତିକି ଯେତିକି ସେହି ମହିମା ଶୂନ୍ୟବ୍ରହ୍ମଙ୍କୁ ନିଜ ଭିତରେ ଉପଲବ୍ଧ କରେ ସେତିକି ତା’ର ଅନ୍ତର୍ଦୃଷ୍ଟି ଶାଣିତ ହୋଇଉଠେ, ହୃଦୟ ପ୍ରସାରିତ ହୋଇଯାଏ ଓ ସବୁ ମଣିଷ ତା’ ପାଖରେ ସମାନ ବିବେଚିତ ହୁଅନ୍ତି ।

 

ମହିମା ଧର୍ମ, ଏକ ଧର୍ମ ମାତ୍ର ନୁହେଁ; ଏକ ମହାଭାବ । ଏହି ଭାବରେ ଜାତି ନାହିଁ. ଅଜାତି ନାହିଁ, ସାନ ନାହିଁ, ବଡ଼ ନାହିଁ, ଧନୀ ନାହିଁ, ନିର୍ଦ୍ଧନ ନାହିଁ । ସେଠି ଅଛି ଏକ ଅଧ୍ୟାତ୍ମ ଉତ୍ତରିତ ମଣିଷ । ସେହି ମଣିଷ ପାଖରେ ଉପଭୋଗ ତୁଚ୍ଛ, ବିଳାସ ତୁଚ୍ଛ, କ୍ଷମତା – ସିଂହାସନ ତୁଚ୍ଛ । ସତ୍ୟ ତା’ର ଆଦର୍ଶ । ତ୍ୟାଗ ତା’ର ଧର୍ମ । ସହିଷ୍ଣୁତା ତା’ର ମର୍ମ । ଏହି କାରଣରୁ ଏ ଧର୍ମ ଏକ ପ୍ରତିବାଦ ଧର୍ମ । ଏ ପ୍ରତିବାଦ ରାଜା କ୍ଷମତା ବିରୋଧରେ, ଜାତି ଓ ଜାତିଆର ମନୋଭାବ ବିରୋଧରେ, ବ୍ରାହ୍ମଣ ଓ ବ୍ରାହ୍ମଣ୍ୟ କ୍ରିୟାକାଣ୍ଡ ବିରୋଧରେ, ଯାବତୀୟ କୁସଂସ୍କାର ବିରୋଧରେ, ପୂଜାପାର୍ବଣ ନାମରେ ଚାଲୁଥିବା ସ୍ୱେଚ୍ଛାଚାର ବିରୁଦ୍ଧରେ । ତେଣୁ ଏ ଧର୍ମ ସାଧାରଣ ନୁହେଁ; ଅସାଧାରଣ । ଉପନିଷଦର ଦର୍ଶନକୁ ଏହା ସ୍ୱୀକାର କରେ । ତେଣୁ ଏହା ବିଶୁଦ୍ଧ ସନାତନ ଧର୍ମ । ଭୀମଭୋଇ ଗୁରୁ ମହିମା ସ୍ୱାମୀଙ୍କ ଉପଦେଶ କ୍ରମେ କବିତା ଲେଖିଛନ୍ତି ଓ କବିତାର ଛତ୍ରେ ଛତ୍ରେ ମହିମା ଧର୍ମର ତତ୍ତ୍ୱ ସେ ଲୋକଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି । ତାଙ୍କ ଜୀବନ, କବିତା ଓ ଜୀବନର ଲକ୍ଷ୍ୟ ଏକାକାର । ଏକାକାର ମଧ୍ୟ ଜୀବ, ବ୍ରହ୍ମ ଓ ଜଗତ । ମୁଣ୍ଡକ ଉପନିଷଦ କହନ୍ତି

 

ବ୍ରହ୍ମୈର୍ବେଦ ମମୃତଂ ପୁରସ୍ତାଦ୍‌ ବ୍ରହ୍ମ, ପଶ୍ଚାଦ୍‌ ବ୍ରହ୍ମ

ଦକ୍ଷିଣତଶ୍ଚୋତ୍ତରେଣ ଅଧଶ୍ଚୋର୍ଦ୍ଧ୍ୱ ପ୍ରସୃତଂ

ବ୍ରହ୍ମୈବୈଦଂ ବିଶ୍ୱମିଦଂ ବରିଷ୍ଠମ୍‌ ।୨ ।୨ ।୧୧

 

କଠ ଉପନିଷଦ ମଧ୍ୟ କହନ୍ତି –

 

      ଏକୋବଶୀ ସର୍ବଭୂତାନ୍ତରାତ୍ମା

            ଏକଂ ରୂପଂ ବହୁଧା ଯଃ କରୋତି

      ତମାତ୍ମସ୍ଥଂ ଯେ ହନୁ ପଶ୍ୟନ୍ତି ଧୀରା

            ସ୍ତେଷାଂ ସୁଖଂ ଶାଶ୍ୱତଂ ନେତ ରେଷାମ୍‌ ।୨ ।୨ ।୧୨

 

ଶ୍ୱେତାଶ୍ୱତରୋ ଉପନିଷଦରେ ଉଲ୍ଲେଖ ଅଛି –

 

ତ୍ୱଂ ସ୍ତ୍ରୀ ତ୍ୱଂ ପୁମାନସିଂ ତ୍ୱଂ କୁମାର ଉତବା କୁମାରୀ

ତ୍ୱଂ ଜୀର୍ଣ୍ଣ ଦଣ୍ଡେନ ବଂଚସି ତ୍ୱଂ ଜାଣେ ଭବସି ବିଶ୍ୱତୋ ମୁଖଃ । ୪ ।୩

 

ବିଭିନ୍ନ ଉପନିଷଦରେ ବ୍ରହ୍ମଙ୍କୁ ଅସୀମ, ଅନନ୍ତ ଓ ଅବ୍ୟକ୍ତ ରୂପେ ବର୍ଣ୍ଣନା କରାଯାଇଛି । ଭୀମଭୋଇ ଏକଥା ଜାଣନ୍ତି । ତେଣୁ ସେ କହନ୍ତି –

 

ଅଶେଷ ଭୂବନ କରତା

ସକଳ ଜୀବ ପିତା ମାତା

ତାହାଙ୍କ ବର୍ଣ୍ଣ ଚିହ୍ନ ନାହିଁ

ଅରୂପାନନ୍ଦ ସେ ବୋଲାଇ

ଶ୍ରୁତିନିଷେଧ ଗୀତା

 

ଜାତି ଅଜାତି ତା’ର ନାହିଁ

ପୁରିଛି ସର୍ବ ଘଟେ ସେହି

ତାହାର ନାହିଁ ଘଡ଼ି ବେଳା

ନିତ୍ୟ ଆନନ୍ଦ ମତି ଭୋଳା

ପାଳଇ ସର୍ବ ଆତ୍ମାଜୀବ

ସର୍ବ ଶରୀରେ ସମ ଭାବ

 

ସେ ପୁଣି କହନ୍ତି ମହିମା ପ୍ରଭୁ ଅନନ୍ତ ଅନ୍ତର୍ଯ୍ୟାମୀ । ସକଳ ଜୀବ ଦେହରେ ସେ ବିରାଜିତ । ସେ ଏକାଧାରରେ ସ୍ତ୍ରୀ ଓ ପୁରୁଷ, କୁମାର ଓ କୁମାରୀ, ବାଳ ଓ ବୃଦ୍ଧ, ସତ୍ୟ ଓ ମିଥ୍ୟା, ମଧୁର,କଷା ଓ ପିତା, ରାଜା ଓ ପ୍ରଜା, ସାଧୁ ଓ ଚୋର, ପିତା ଓ ମାତା, ଜନ୍ମ ଓ ମୃତ୍ୟୁ, ହର୍ତ୍ତା ଓ କର୍ତ୍ତା, ବ୍ୟାଧି ଓ ମହୌଷଧି, ଜ୍ଞାନ ଓ ଧ୍ୟାନ, ଜପ ଓ ତପ, ସେ ମଧ୍ୟ ବରୁଣ, କୁବେର, ଅଣଚାଶ ପବନ, ଅନାଦି ବ୍ରହ୍ମ । ସେହି ମଧ୍ୟ ନୀଳଗିରିରେ ଚତୁର୍ଦ୍ଧା ମୂର୍ତ୍ତି । ନିର୍ବେଦ ସାଧନ ଗ୍ରନ୍ଥରେ ସେ ବ୍ରହ୍ମଙ୍କର ଏବଂ ବିଧ ରୂପ ବର୍ଣ୍ଣନା କରିଥିଲା ବେଳେ ‘ବ୍ରହ୍ମାନିରୂପଣ ଗୀତା’ରେ କହନ୍ତି –

 

ନୀଚ ଉଚ୍ଚ ନାହିଁ ତହିଁ ବାଚ୍ଛନ୍ଦ ବିଚାର

ସର୍ବକର୍ମ ସମାଚାର ଅଟେ ଅବିକାର

ପାପପୁଣ୍ୟ ନାହିଁ ତହିଁ ଅପରାଧ ଦୋଷ

ସକାମ ନୁହନ୍ତି ସେ ଯେ ନିଷ୍କାମ ପୁରୁଷ ।

ସ୍ତିରୀ ପୁରୁଷ ନୁହନ୍ତି ନୋହେ ବାଳବୃଦ୍ଧ ।

ଦୁତି ପାଦ ନଚଳଇ ଅଛି ଏକପାଦ ।

(ବ୍ର.ନି.ଗୀ. – ୧ମ ଅଧ୍ୟାୟ)

 

ସେହି ଏକ ବ୍ରହ୍ମ ଆଦି ଅନ୍ତହୀନ । ସେ ମହାନିତ୍ୟବାସୀ । ସେ ଉପନିଷଦର ପୁରୁଷ ନୁହନ୍ତି : କେବଳ ମହା ଶୂନ୍ୟ । ସେ ଅବିକାର, ନିର୍ବିକାର । ସେ ମଧ୍ୟ ଏକ ସତ୍ୟ, ଏକ ଧ୍ୟାନ, ଏକ ଜ୍ଞାନ, ଏକ ଧର୍ମ, ଏକ କର୍ମ, ଏକ ନାମୀ, ଏକ ସ୍ୱାମୀ, ଏକ ପନ୍ଥା, ଏକ ପିତା, ଏକ ମାତା, ଏକ ଗୁରୁ, ଏକ ଶିଷ୍ୟ, ଏକ ମୂଳ, ଏକ ଠୁଳ, ଏକ କୁଳ, ଏକ ସୂତ୍ର, ଏକ ଶୂନ୍ୟ, ଏକ ବର୍ଣ୍ଣ, ଏକ ପୂଣ୍ୟ । ମହିମା ଧର୍ମର ଦର୍ଶନ କର୍ମତ୍ୟାଗ ନୁହେଁ, କର୍ମାଚରଣ ଓ ତା’ରି ଭିତରେ ମହିମା ନାମ ଭଜନ । ମହିମା ହିଁ ପ୍ରତ୍ୟକ୍ଷ ମନୁଷ୍ୟ ଓ ମନୁଷ୍ୟ ଭିତରେ ସେ ‘ବ୍ରହ୍ମବୁଦ୍ଧି’ । ତାଙ୍କର ‘ଆଜ୍ଞା’ ହିଁ ଶ୍ରେୟ । ତାଙ୍କ ଦର୍ଶନରେ ଜୀବନ ଧନ୍ୟ ଓ ପରମ ସୁଖ ଲାଭ । ସେ ରୂପରେଖ ହୀନ । ତାଙ୍କର ନିକେତନ ଅଲେଖପାଟଣାପୁର । ସେ ମାଳାରେ ବା ଭଜନରେ ନାହାନ୍ତି । ମାଳା ଭଜନରେ ଦିବ୍ୟଜ୍ଞାନ ହୁଏ ନାହିଁ । ମନ୍ତ୍ର ଯନ୍ତ୍ରରେ ସେ ନଥାନ୍ତି । ଅନାମ ଭଜନରେ ତାଙ୍କୁ ପାଇହୁଏ । (ବ୍ରହ୍ମଚାଳକ) । ସକଳ ଘଟରେ ସେ ପରିପୂର୍ଣ୍ଣ । ଭାବକୁ ସେ ନିକଟ । ଅଭାବରେ ଅଭେଟ । ଭୀମ କହନ୍ତି –

 

ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ଚାହିଁଦେଲେ ଅନୁସରି

ସକଳ ଘଟରେ ପୂରି ସମାନରେ ନୋହେ ସାନବଡ଼ କରି ।

ଭାବକୁ ନିକଟ ଅଭାବେ ଭକ୍ତ ଭାବେ ପରାବଶ ।

ଏ ମୋର ଗୁହାରି ନ ଶୁଣ କି କରି ଧରିଅଛି କଉଁ ରୋଷ ।

ସ୍ତୁତି ଚିନ୍ତାମଣି, ୧୫ଶ ବୋଲି

 

 

ଏହି ଯେଉଁ ବ୍ରହ୍ମ, ସେ ଏକାଧାରରେ ଗୁରୁ, ଶିଷ୍ୟ, ସାମନ୍ତ ସେବକ, ପୁରୁଷ ସ୍ତ୍ରୀ, ପିତା ପୁତ୍ର, ଜଳ ପବନ, କଷା ମଧୁର ସବୁ ହୋଇ ମଧ୍ୟ କିଛି ନୁହନ୍ତି ।

 

ନୁହନ୍ତି ସେ ଗୁରୁ ନୁହନ୍ତି ସେ ଶିଷ୍ୟ ନାହିଁ ସାଆନ୍ତ ସେବକ

ନୁହନ୍ତି ବ୍ରାହ୍ମଣ ନୁହନ୍ତି ଚଣ୍ଡାଳ ନୁହନ୍ତି ସେ ବଡ଼ ଲୋକ ।

ନୁହନ୍ତି ସେ ସ୍ତୀରୀ ନୁହନ୍ତି ପୁରୁଷ ନୁହନ୍ତି ଅଣ୍ଡିରା ମାଈ

ନୁହନ୍ତି ସେ ପିତା ସେ ପୁତ୍ର ନୁହନ୍ତି ଭଉଣୀ ଭାଇ

ନୁହନ୍ତି ସେ କ୍ଷୀର ନୁହନ୍ତି ସେ ନୀର ନୁହନ୍ତି ଦୁଗ୍ଧ ମଧୁର

ନୁହନ୍ତି ସେ କଷା ନୁହନ୍ତି ସେ ପିତା ନ ଥାଇ ଶୋଭା ସୁନ୍ଦର

ନାହିଁ ତାଙ୍କ ଜାତି ନାହିଁ ତାଙ୍କ ଗୋତ୍ର ନଥାଇ ବାଛ ବେଭାର

ବେନିଜନ ଏକ ଆତ୍ମା ମନ ହୋଇ କରୁଅଛନ୍ତି ସଂସାର ।

 

ବ୍ରହ୍ମଙ୍କୁ ଭୀମ ଭୋଇ କିଛି ନୁହେଁ ବୋଲି କହି ତାଙ୍କୁ ସବୁ କିଛିର କାରଣ ବୋଲି ଉଲ୍ଲେଖ କରିଛନ୍ତି । ସତ୍ୟ ଶାନ୍ତି କ୍ଷମା ବଳରେ ମଣିଷ ତାଙ୍କୁ ନିଜ ଭିତରେ ଉପଲବ୍ଧି କରେ । ଭୋଗ ନୁହେଁ, ତ୍ୟାଗୀ, ହିଂସା ନୁହେଁ ଅହିଂସା; ମିଥ୍ୟା ନୁହେଁ; ସତ୍ୟ ଦ୍ୱାରା ତାଙ୍କୁ ପାଇହୁଏ । ଦେହକୁ କଷ୍ଟ ଦେଇ ନୁହେଁ, ଦେହକୁ ମାନି ସଂଯମ ଦ୍ୱାରା ଦେହ ଭିତରେ ତାଙ୍କୁ ଆରାଧନା କରିହୁଏ । ଘଟରେ ବ୍ରହ୍ମଙ୍କୁ ଚିହ୍ନିଲେ ସଂପୂର୍ଣ୍ଣ ଫଳ ମିଳେ । ଦେହରୂପୀ ଘରର ଘରଣୀ ଜୀବ ତା’ ସହିତ ରତି କଲେ ଶରୀର ଲାଭ ହୁଏ । ଦେହ ସର୍ବଦା ପୂଣ୍ୟମୟ । ଦେହକୁ ପାପ ଲାଗେନାହିଁ । ଏହି ଶରୀର ଦୁର୍ଲ୍ଲଭ । ଏହାର ଆଦି ଅନ୍ତ ନାହିଁ । (ଆଦି ଅନ୍ତ ଗୀତା) ପିଣ୍ଡ ଓ ବ୍ରହ୍ମାଣ୍ଡକୁ ଏକ ମନେକଲେ ଦିବ୍ୟଜ୍ଞାନ ଜାତ ହୁଏ । ଭୀମ ତେଣୁ କହନ୍ତି –

 

ଦୁର୍ଲ୍ଲଭ ଜନ୍ମ ପିଣ୍ଡେ ସକଳ ସିଦ୍ଧି

ଏହି ଶରୀରରେ ଜ୍ଞାନ ପାରିଲେ ସାଧି ।

(ଭଜନମାଳା–୧୧୪)

 

ସେ ପୁଣି କହନ୍ତି – ‘‘ଦୁର୍ଲ୍ଲଭ ଜନମ ମଣିଷ ଶରୀର ସଂସାରରେ କଲା ସାର’’ – (ସ୍ତୁତିଚିନ୍ତାମଣି – ୪୯ ବୋଲି) ଏହି ଘଟରେ ବ୍ରହ୍ମ ବିଦ୍ୟମାନ । ଦେହ ଶାସ୍ତ୍ରକୁ ଭେଦ କଲେ ରୂପକୁ ଚିହ୍ନି ଅରୂପକୁ ଧରିହୁଏ । ବିଭିନ୍ନ କବିତାରେ ଭୀମ ପିଣ୍ଡ, ବ୍ରାହ୍ମଣ ଓ ଅରୂପ ବ୍ରହ୍ମଙ୍କ କଥା କହିଅଛନ୍ତି । ଏହା ଯେ ଭୀମଙ୍କର ନୂତନ; ଏକଥା ନୁହେଁ । ଉପନିଷଦରେ ପିଣ୍ଡ ବ୍ରହ୍ମାଣ୍ଡ କଥା କୁହାଯାଇଛି । ସେହି ପିଣ୍ଡ ଭିତରେ ବ୍ରହ୍ମଙ୍କ ଅଧିଷ୍ଠାନ ବିଷୟରେ ଉଲ୍ଲେଖ ଅଛି । ଶ୍ରୀମଦ୍‌ ଭାଗବତରେ ମଧ୍ୟ ମନୁଷ୍ୟ ଦେହର ମହତ୍ତ୍ୱକୁ ବର୍ଣ୍ଣନା କରାଯାଇଅଛି । ସନ୍ଥକବି କବୀର ଦେହ ଉପରେ ଗୁରୁତ୍ୱ ଦେଇଛନ୍ତି । ଅଚ୍ୟୁତାନନ୍ଦ, ବଳରାମ, ଜଗନ୍ନାଥ, ଯଶୋବନ୍ତ, ଶିଶୁ ଅନନ୍ତ ଓ ପରବର୍ତ୍ତୀ କାଳରେ ହାଡ଼ି ଦାସ, ଅରକ୍ଷିତ ଦାସ ପ୍ରମୁଖ ମଧ୍ୟ ଦେହ ଉପରେ ଗୁରୁତ୍ୱ ଦେଇ ଦେହାତୀତର ସନ୍ଧାନ ଲାଭ କରିବାକୁ ଉଲ୍ଲେଖ କରିଯାଇଛନ୍ତି । ଭୀମଭୋଇ ସେହି ସନ୍ଥ ପରମ୍ପରାର ଶେଷ ଅନିର୍ବାଣ ଦୀପ ଶିଖା । ତେଣୁ ସେ ମଧ୍ୟ ଦେହକୁ ଗୁରୁତ୍ୱ ଦେଇ ତା’ରି ଭିତରେ ଅରୂପ ଅଲେଖ ମହିମା ପ୍ରଭୁଙ୍କ ସାନ୍ନିଧ୍ୟ ପାଇଁ ପ୍ରେରଣା ଦେଇଅଛନ୍ତି । ଆପଣାର ଦେହରେ ବ୍ରହ୍ମଙ୍କୁ ଉପଲବ୍ଧି କରିପାରିଲେ ସକଳ ଦେହରେ ବ୍ରହ୍ମଙ୍କୁ ଉପଲବ୍ଧି କରିହୁଏ । ନିଜକୁ ଚିହ୍ନି ପାରିଲେ ସମସ୍ତଙ୍କୁ ଚିହ୍ନି ହୁଏ । ଫଳରେ ସମସ୍ତେ ସମାନ ଦେଖାଯାଆନ୍ତି । ଜାତି ଅଜାତି, ବଡ଼ ସାନ, ଭେଦ ରହେନାହିଁ । ସର୍ବଭୂତ ପ୍ରତି ପ୍ରକାଶ ପାଏ ସମଭାବ । ‘ସର୍ବଭୂତେ କରେ ଯେହୁ ଗୋ ସମଚିତ୍ତ/ତାଙ୍କୁ ପ୍ରସନ୍ନ ହୁଅନ୍ତି ଗୋ ଅବଧୂତ । (ଆଦିଅନ୍ତଗୀତା – ୧୨ଶ ଅଧ୍ୟାୟ) ଏହି ସମଦୃଷ୍ଟି ଓ ସମଚିତ୍ତତା ପାଇଁ ଭୀମ ପ୍ରେରଣା ଦେଇଛନ୍ତି –

 

ଛତିଶ କୁଳ ବାଉନ ଯେ ପାଟକ ଯେ ଅଛ ସ୍ତିରୀ ପୁରୁଷ

ଉଚ୍ଚ ନୀଚ ବୋଲି ବାରଣ ନକରି ନାମରେ ଶରଣ ପଶ ।

କିବା ବେଶ୍ୟା ନାରୀ କିବା ଦୁରାଚାରୀ କିବା ପାଷାଣ୍ଡ ପୁରୁଷ

ଅଦଦ୍ଭୁତ ବିପତ୍ତି ଘୋଟି ଆସୁଅଛି ବେନି ନେତ୍ରେ ସର୍ବେ ଦେଖ ।

ସ୍ତୁତି ଚିନ୍ତାମଣି – ୯୨ ବୋଲି

 

ଭୀମଭୋଇ ବାରମ୍ବାର ତାଙ୍କର ଗ୍ରନ୍ଥ କବିତାମାନଙ୍କରେ ଚେତେଇ ଦେଇଛନ୍ତି ବିଶ୍ୱ ପାଇଁ ଅଦ୍ଭୂତ ବିପତ୍ତି ମାଡ଼ିଆସୁଛି । ଏହି ପ୍ରସଙ୍ଗକୁ ମଧ୍ୟ ଅତୀତରେ ପଞ୍ଚସଖା ଓ ହାଡ଼ିଦାସ ପ୍ରମୁଖ ଚେତେଇ ଦେଇଥିଲେ । ଉନବିଂଶ ଶତାବ୍ଦୀ ଶେଷ ଭାଗରେ ମଧ୍ୟ ଭୀମ ଭୋଇ ଚେତେଇ ଦେଲେ ସେଇ କଥା । କଳିଯୁଗ ରୀତି ଦେଖି ତାଙ୍କୁ ଭୟ ମାଡ଼ିଛି । ତାଙ୍କର ପଞ୍ଚଭୂତ ଆତ୍ମା ଥୟ ହୋଇନାହିଁ । ପଞ୍ଚଭୂତ ଆତ୍ମା ଶ୍ରୀଗୁରୁ କରିବେ ପାର ।’ ପ୍ରକୃତି ବଶରେ ବଶ ହୋଇ ଲୋକେ ଅଭକ୍ଷ ଭକ୍ଷଣ କରି ଉନ୍ମାଦ ପରି କାର୍ଯ୍ୟ କରୁଛନ୍ତି । ପାପ ପୁଣ୍ୟ ପ୍ରତି ଭୟ ନାହିଁ । ଘରେ ଘରେ ପଶି ନାନା ବ୍ୟଭିଚାର କରୁଛନ୍ତି । ସତ୍ୟକୁ ଲଙ୍ଘି ମିଥ୍ୟାକୁ ଆଶ୍ରୟ କରୁଛନ୍ତି –

 

ସତ୍ୟକୁ ଲଙ୍ଘିଲେ ଅମଡ଼ା ମାଡ଼ିଲେ ଲାଗିଅଛି ନଟକୂଟ

ମିଛ ପସରାକୁ ଆବୋରି ଅଛନ୍ତି ଲଗାଇ ବଜାର ହାଟ ।

 

ଏହା ଫଳରେ ମଣିଷ ସମାଜ ସକଳ ମୂଲ୍ୟବୋଧ, ନୀତି ଓ ଆଦର୍ଶକୁ ଛାଡ଼ି ଦେଉଛି । ଭ୍ରାନ୍ତ ବିଳାସବୋଧ ଓ ଯୌନଭାବ ଉଦଗ୍ର ହୋଇ ଉଠୁଛି । ଭୀମଭୋଇ ଏହି କଥାକୁ ଉଲ୍ଲେଖ କରିଅଛନ୍ତି-

 

      ଘରେ ଘରେ ପଶି ପର ସ୍ତିରୀଙ୍କୁ ହରିଲେ

                        ଘର କରି ବାପା ଝିଅରେ ବଉଳ

                        ବଡ଼ ଲୋକ ବୋଲାଇଲେ ।

      ଉମରା ହୋଇ ମାତିଲେ ପରଧନ ପଣେ

                        ଆରମ୍ଭ ଦେଖାଉଛନ୍ତିରେ ବଉଳ

                        କଳିଯୁଗ ପ୍ରାଣୀମାନେ ।

      ଶାନ୍ତ ଶୀଳ ଦୟା କ୍ଷମା ନାହିଁ ନା କାହାରି

                        ସଦଜ୍ଞାନ ହୁଡ଼ିଗଲେରେ ବଉଳ

                        ସର୍ବେ ହୋଇଲେ ଦୋଚାରି ।

      ସତୀ ସ୍ତିରୀମାନେ ଅସତୀ ହୋଇଲେ

                        ସଂଗମ ପରପୁରୁଷରେ ବଉଳ

                        କୁଳ ଧର୍ମ ବୁଡ଼ାଇଲେ ।

      ଠିକ ଠିକ ଲୋକମାନେ ଠକ ବୁଦ୍ଧି କଲେ

                        ସଭାରେ ମିଛ କହିଲେରେ ବଉଳ

                        ଧର୍ମକର୍ମ ହୁଡ଼ିଗଲେ ।

 

ଭୀମଭୋଇ ପରିବର୍ତ୍ତିତ ସମାଜ ସମ୍ପର୍କରେ ଅବହିତ ଥିଲେ । ତେଣୁ ସେତେବେଳେ ଯେଉଁ ସମାଜ-ବ୍ୟବସ୍ଥା ସୃଷ୍ଟି ହେଉଥିଲା ଓ ତା’ର ପରିଣତି ଯେପରି ହେବାକୁ ଯାଉଥିଲା ଜଣେ ସମାଜ ସଚେତନ ଶିଳ୍ପୀ ଭାବରେ ତାହାକୁ ଜାଣିପାରିଥିଲେ । ତେଣୁ ସେ ତାଙ୍କର କବିତାମାନଙ୍କରେ ସେକଥାକୁ ସୂଚାଇ ଦେବା ସଙ୍ଗେ ସଙ୍ଗେ ଚେତାବନୀ ମଧ୍ୟ ଦେଇଛନ୍ତି । ନିର୍ବେଦ ସାଧନ ଓ ଶ୍ରୁତିନିଷେଧ ଗୀତାପରି ଗ୍ରନ୍ଥରେ ସେ ଅଲେଖ ବ୍ରହ୍ମଙ୍କ ବିଷୟରେ ଉଲ୍ଲେଖ କରିବା ସହିତ ବାରମ୍ବାର କହିଛନ୍ତି ଯେ – ‘‘ମେଳଚ୍ଛ ପତିତ ପାମର / ଏ କଳି ଯୁଗେ ବଳିୟାର ।’’ ‘‘ଏ କଳିଯୁଗଟି କଳିହା / ମେଳେଚ୍ଛ ପ୍ରାୟ ସର୍ବ ଲୋକ ।’’ ଧର୍ମକୁ କରିଛି ଗୋଳିଆ, କଳିଯୁଗର ଭାବ ଦେଖ / ଏ ଯୁଗରେ ମଣିଷ ଆତ୍ମବଡ଼ିମା ନାନା ଭାବରେ ଦେଖାଉଛି । ଏହି ମଣିଷ ମାନେ – ‘ଧର୍ମ କର୍ମକୁ ଦୂରେ ଫିଙ୍ଗି / ଆତ୍ମବଡ଼ିମା କଲେ ରଙ୍ଗି ।’ ଏମାନେ ପୁଣି – ‘ଧର୍ମ ଅଧର୍ମ ନ ଜାଣିଣ / କୂଟ କପଟେ ନେଲେ ଦିନ ।’ ଭୀମଭୋଇ ପୁଣି ଚେତେଇ ଦେଇଛନ୍ତି – ‘ଧର୍ମକୁ ନିନ୍ଦନ୍ତି ବହୁତ / ତିଳ ପ୍ରାୟେକ ଯାନ୍ତି ହତ ।’ ଏପରି ଲୋକେ ସାଧୁକୁ ନିନ୍ଦା କରନ୍ତି, ଉପହାସ କରନ୍ତି । ଅଥଚ ଏମାନେ ବଡ଼ ଅସହାସ ଭାବରେ ଜୀବନ କାଟନ୍ତି । ଧନ ଆଉ କ୍ଷମତା ମଦରେ ମତ୍ତ ହୁଅନ୍ତି । ହିଂସା ଆଚରଣ କରନ୍ତି । ନର ରକ୍ତରେ ହୋରି ଖେଳନ୍ତି । ପ୍ରକୃତ ଧର୍ମ କ’ଣ ତାହା ଜାଣିପାରନ୍ତି ନାହିଁ । ଭୀମ ଭୋଇ ତେଣୁ କହନ୍ତି –

 

ଧର୍ମରେ ହୁଅ ଆତଯାତ

ମୁକ୍ତି ହୋଇବ ପରାପତ

ଧର୍ମଟି ଶୂନ୍ୟବ୍ରହ୍ମ ଅଟେ

ପୁରି ରହିଛି ସର୍ବ ଘଟେ

ଧର୍ମ ନାବରେ ବଶ ସବୁ

ଭୟରୁ ଉଦ୍ଧାରିବେ ପ୍ରଭୁ

 

ଅଥଚ ମଣିଷ ଧର୍ମକୁ ଜାଣୁନାହିଁ । ଅଧର୍ମରେ ରତ ରହୁଛି । ଭ୍ରାନ୍ତ ଅହଂକାରରେ ବଶ ହୋଇ ନାନାଦି ଅପକର୍ମ କରୁଛି । ସମାଜକୁ ଭାଗ କରିଦେଉଛି । ଜାତି ନାମରେ ଭେଦ ସୃଷ୍ଟି କରୁଛି । ସୁବିଧାବାଦୀ ମଣିଷ ସମାଜକୁ ଭାଗ ଭାଗ କରିରଖେ । ମଣିଷମାନଙ୍କୁ ଏକ କରିଦିଏ ନାହିଁ । ରାଜା, ବ୍ରାହ୍ମଣ ଓ ତଥାକଥିତ ମହାନୁଭବମାନେ ସମାଜକୁ ଓ ମଣିଷମାନଙ୍କୁ ଭାଗ ଭାଗ କରି ନାନାଦି କ୍ଷୁଦ୍ରତା ଓ ସଂକୀର୍ଣ୍ଣତା ଭରି ଦେଇଛନ୍ତି । ଭୀମଭୋଇ ଏକଥା ଜାଣିଥିଲେ । ତେଣୁ ତାଙ୍କର ବିଦ୍ରୋହ ସାମନ୍ତବାଦ ଓ ବ୍ରାହ୍ମଣ୍ୟବାଦ ବିରୋଧରେ । ସେ ଅର୍ଥବାଦକୁ ଗୁରୁତ୍ୱ ଦେଇନାହାନ୍ତି । ତାଙ୍କ ମତରେ ଅର୍ଥବାଦ ମଣିଷ ଭିତରେ ତୁଚ୍ଛ ଉପଭୋଗ ଲାଳସା ସୃଷ୍ଟି କରେ । ଅର୍ଥକୁ ନେଇ ପ୍ରତିଯୋଗିତା ହୁଏ । ତେଣୁ ସେ ଧର୍ମ ଓ ସରଳ ଜୀବନ ଉପରେ ଗୁରୁତ୍ୱ ଦେଇଛନ୍ତି-। ଧର୍ମରେ ଜୀବନ ଅତିବାହିତ ହେଲେ ମଣିଷ ଅଯଥା ଅର୍ଥ ପଛରେ ଗୋଡ଼ାଏ ନାହିଁ । ବିଳାସ ବ୍ୟସନକୁ ପସନ୍ଦ କରେନାହିଁ । ବିଳାସ-ତୃଷ୍ଣା ଓ ନିଜକୁ ଅନ୍ୟମାନଙ୍କ ଭିତରେ ପ୍ରତିଷ୍ଠା କରିବାର ଅହଂକାର ଯେତିକି ଉଦଗ୍ର ହୁଏ ସେତିକି ମଣିଷ ଚାହେଁ ଅର୍ଥ । ସେତିକି ସେ ଅନ୍ୟକୁ ଶୋଷଣ କରେ । ପାପ ପୁଣ୍ୟକୁ ଖାତିର କରେନାହିଁ । ସେ ହୋଇଯାଏ ସଇତାନ । ଭୀମଭୋଇ ଏକଥା ଉତ୍ତମ ରୂପେ ଜାଣିଥିଲେ । ତେଣୁ ଅର୍ଥନୀତିକ ସାମ୍ୟବାଦ ନୁହେଁ, ଧର୍ମଭିତ୍ତିକ ସାମ୍ୟବାଦ ତାଙ୍କର ଲକ୍ଷ୍ୟ । କର୍ମ ଉପରେ ସେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ତାହା ସତ୍‌କର୍ମ । କର୍ମତ୍ୟାଗ କରି ଅରଣ୍ୟକୁ ଯାଇ ସାଧନା କରିବାର ସେ ପକ୍ଷପାତୀ ନୁହନ୍ତି । ଏହି ସଂସାରରେ ରହି, ସଂସାର ଧର୍ମପାଳନ କରି, ଆପଣା ଆପଣା କର୍ମ କରି, ସରଳ ଭାବରେ ଜୀବନ ଯାପନ କରିବା ଓ ମହିମା ନାମ ନେବା ଦ୍ୱାରା ପ୍ରକୃତ ଶାନ୍ତି ମିଳେ । କର୍ମକୁ ସେ ନିଷ୍କାମ କର୍ମ କହିଅଛନ୍ତି । ନିଷ୍କାମ କର୍ମ ଓ ନିର୍ବେଦ ସାଧନ ଦ୍ୱାରା ମଣିଷ ଶାନ୍ତି ପାଏ । ହୃଦୟରେ କପଟତା ରଖି ମିଥ୍ୟାକୁ ଜୀବନର ବ୍ରତ କରିଦେଲେ, ପରନାରୀ ଉପଭୋଗ ପାଇଁ ବାସନାକୁ ଜାଗ୍ରତ କଲେ, ପରଧନ ହରଣ କଲେ, ଦାମ୍ଭିକ ଭାବରେ ଦିନ କାଟିଲେ, ମିଛୁଆ ଓ ମାଛୁଆ ହୋଇଗଲେ, ଅଲେଖ ପ୍ରଭୁଙ୍କର ଶରଣ ନେଇ ହୁଏନାହିଁ । ଧର୍ମରହିତ ହୋଇ ମଣିଷ ପାପପଙ୍କରେ ବୁଡ଼ି ରହେ । ଯାବତୀୟ ଅନ୍ୟାୟ, ଅନାଚାର, ଅବିଚାର ଭିତରେ ଜୀବନ କଟାଏ । ଧର୍ମ ଅବ୍ୟକ୍ତ ଓ ସ୍ୱୟଂ ବ୍ରହ୍ମ । ସତ୍ୟର ଉପାସନା କଲେ ଧର୍ମର ମଧୁମୟତାକୁ ଉପଲବ୍ଧି କରିହୁଏ । ମହିମା ହିଁ ସତ୍ୟ ସନାତନ । ତାଙ୍କୁ ଆଶ୍ରୟ କଲେ ମିଥ୍ୟା ଚଳେନାହିଁ, ପରଦାରା ଚଳେ ନାହିଁ, ହିଂସା ଚଳେ ନାହିଁ, ଖଚ ଚଳେ ନାହିଁ । ତାଙ୍କୁ ଭଜିଲେ ପରପୁରୁଷ ହୋଇଯାଆନ୍ତି ପିତା ସଦୃଶ, ପରନାରୀ ହୋଇଯାଆନ୍ତି ମାତା ସଦୃଶ । ମହିମା ଭଜନରେ ସୁଖଦୁଃଖ ସବୁ ଏକ ହୋଇଯାଏ । ଏହି ଧର୍ମ କହେ ପତି ଓ ପତ୍ନୀ ଗୋଟିଏ ଡାଳରେ ଦୁଇଟି ପ୍ରସୂନ ପରି । ଜଣେ ଅନ୍ୟ ଜଣଙ୍କୁ ଠାରୁ ଅବିଚ୍ଛେଦ୍ୟ । ପତି-ଧର୍ମ ଓ ପତ୍ନୀ-ଧର୍ମ ଯଦି ଠିକ୍‌ ରୂପେ ପାଳନ କରାଯାଏ ତେବେ ଜୀବନ ହୋଇଉଠେ ମଧୂମୟ । ଭୀମଭୋଇ ବାରମ୍ବାର ଏ ସମ୍ପର୍କରେ ଚେତେଇ ଦେଇଛନ୍ତି । ମହିମା ଧର୍ମ ଏକ ସମାଜନିଷ୍ଠ ମାନବ ଧର୍ମ । ମଣିଷର ଉତ୍ତରଣ ଏ ଧର୍ମରେ କାମନା । କେତେ ସରଳ ଭାବରେ ଭୀମଭୋଇ କହନ୍ତି ଯେ ମହିମା ପ୍ରଭୁ ନିଜେ ହିଁ ଗୁରୁ ଓ ଶିଷ୍ୟ, ସାମନ୍ତ ଓ ସେବକ, ପତି ଓ ପତ୍ନୀ, ଅସ୍ତି ଓ ନାସ୍ତି, ଜ୍ଞାନୀ ଓ ଅଜ୍ଞାନ, ଶତ୍ରୁ ଓ ମିତ୍ର, ପୁରୁଷ ଓ ସ୍ତ୍ରୀ, ବାଳକ ଓ ବୃଦ୍ଧ । ସେ ମାଡ଼ଦିଅନ୍ତି ଓ ମାଡ଼ ଖାଆନ୍ତି, ଦୋଷ କରନ୍ତି ଓ କଷ୍ଟ ସହନ୍ତି, କୋପ କରନ୍ତି ଓ ଶାନ୍ତ ହୁଅନ୍ତି, ପ୍ରୀତି ଲାଗାନ୍ତି ଓ ପ୍ରୀତି ଛଡ଼ାନ୍ତି, ଶୟନ କରନ୍ତି ଓ ଉଠନ୍ତି, ବନ୍ଦୀ କରାନ୍ତି ଓ ବନ୍ଦୀ ହୁଅନ୍ତି, କୁହନ୍ତି ଓ କୁହାନ୍ତି, ଶୁଣନ୍ତି ଓ ଶୁଣାନ୍ତି । ସେ ମଧ୍ୟ ହାକିମ ଓ ହୁକୁମ, ଯୁବକ ଓ ବୃଦ୍ଧ, ଜନ୍ମ ଓ ମରଣ, ଅତିଥି ଓ ବୈଷ୍ଣବ, ଶବ୍ଦ ଓ ନିଶବ୍ଦ, ଉଚ୍ଚ ଓ ନୀଚ, କ୍ଷୀର ଓ ନୀର, ମହାଜନ ଓ ଖାତକ, କାୟା ଓ ଛାୟା, ଜୀବ ଓ ପରମ, ପାପ ଓ ପୁଣ୍ୟ, ସତ୍ୟ ଓ ମିଛ, ହାଟ ଓ ବାଟ । ସେ ରୂପ ପରି ଦେଖାଗଲେ ମଧ୍ୟ ଅରୂପ, ଦେହ ପରି ଜଣାଗଲେ ମଧ୍ୟ ଅଦେହ । ବେଦାନ୍ତ ପରି ଦିଶନ୍ତି ମାତ୍ର ବେଦାନ୍ତ ନୁହନ୍ତି । ସେ ମହାବ୍ରହ୍ମ ଶକ୍ତି । ସେ ସର୍ବକାରଣ, ସର୍ବଶକ୍ତିମାନ । ଭୀମ ଭୋଇ ଏହିପରି ଏକ ଅବ୍ୟକ୍ତ ବ୍ରହ୍ମଙ୍କର ଚମତ୍କାର ରୂପାୟନ କରିଅଛନ୍ତି । ଏକାଗ୍ରତା. କଠୋର ସଂଯମ, ନିଷ୍କାମ ଭକ୍ତି, ସଂପୂର୍ଣ୍ଣ ତ୍ୟାଗ, ସଂପୂର୍ଣ୍ଣ ଆତ୍ମସମର୍ପଣ, ପିଣ୍ଡ ମଧ୍ୟରେ ଶୂନ୍ୟ ବ୍ରହ୍ମଦର୍ଶନ, କରୁଣାତ୍ମକ ବୈରାଗ୍ୟ, ମାନବ କଲ୍ୟାଣ, ଜୀବନଦେବତା ଓ ବିଶ୍ୱ ଦେବତାର ମିଳନ ଇତ୍ୟାଦିକୁ ଭୀମ ଭୋଇ ତାଙ୍କର କାବ୍ୟ କବିତାରେ ରୂପାୟନ କରି ମହିମା ଧର୍ମର ଆଦର୍ଶକୁ ସ୍ପଷ୍ଟ କରିଦେଇଛନ୍ତି । ଏଥିପାଇଁ ତାଙ୍କୁ କେତେ ବିରୋଧର ସମ୍ମୁଖୀନ ହେବାକୁ ହୋଇଛି । ତଥାପି ସେ ନିଜ ଆଦର୍ଶରେ ଅଟଳ ରହିଥିଲେ ।

 

ମହିମା ଧର୍ମ ବୌଦ୍ଧ ଧର୍ମର ଶେଷ ନିର୍ଯ୍ୟାସ ନୁହେଁ, ସହଜିଆ ବୈଷ୍ଣବ ଧର୍ମର ସଂସ୍କରଣ ମଧ୍ୟ ନୁହେଁ । ଏହା ବୈଦିକ ପରମ୍ପରାକୁ ସ୍ୱୀକାର କଲେ ମଧ୍ୟ ଏକ ନୂତନ ଧର୍ମ । ମଣିଷକୁ ଧରି ଏ ଧର୍ମର ଜୈତ୍ର ଯାତ୍ରା । ମଣିଷର ମୁକ୍ତି ଓ ମଣିଷର ପ୍ରଗତି ଏହାର ଲକ୍ଷ୍ୟ । ଭୀମ ଯଥାର୍ଥରେ ଏକ ଭକ୍ତ, ଏକ ସନ୍ଥ । ସେ ମୂର୍ଖ ନୁହନ୍ତି; ବହୁ ଶାସ୍ତ୍ରଦର୍ଶୀ ଉଚ୍ଚକୋଟୀର ଜ୍ଞାନୀ । ସେ ବୁଦ୍ଧିମାନ, ପବିତ୍ରାତ୍ମା, ସଜ୍ଜନ, ପରୋପକାରୀ ଓ ସଦାଚାରୀ । ଏ ସବୁ ସନ୍ଥର ପ୍ରତିଶବ୍ଦ । କବୀରଙ୍କ ଭାଷାରେ ସନ୍ଥ ନିର୍ବିର, ନିଷ୍କାମ, ପ୍ରଭୁଙ୍କର ପ୍ରେମୀ ଓ ବିଷୟବିରାଗୀ । ତୁଳସୀ ଦାସଙ୍କ ମତରେ ସନ୍ଥ ସମଦର୍ଶୀ ଓ ସକଳ କାମନା ରହିତ (ସମଦର୍ଶୀ ଇଚ୍ଛା କଚ୍ଛ୍ରୁ ନାହିଁ ।) ମହାଭାରତରେ କୁହାଯାଇଛି – ‘ଆଚାର ଲକ୍ଷଣାଂ ଧର୍ମଃ, ସଂତଶ୍ଚାରଲକ୍ଷଣାଃ’ । ଭର୍ତୃହରି କହନ୍ତି ‘ସଂ ତ ବୟଂ ପରହିତେ ବିହିତାଭିଯୋଗାଃ ।’ ତେଣୁ ସନ୍ଥ ହେଉଛନ୍ତି ବ୍ରହ୍ମାନନ୍ଦ ସମ୍ପନ୍ନ ବ୍ୟକ୍ତି । ଧମ୍ମପଦର ଭିକ୍ଷୁବଗ୍‌ଗରେ ଉଲ୍ଲେଖ ଅଛି- ‘ଅଧିଗଚ୍ଛେ ପଦେ ସଂତଂ ସଙ୍‌ଖାରୂପସମଂ ସୁଖଂ । ଅର୍ହତ ବଗ୍‌ଗରେ ମଧ୍ୟ କୁହାଯାଇଛି – ‘ସଂତଂ ଅସ୍‌ସ ମନଂହୋତି । ଲାଟିନ୍‌ରେ Sancio ଶବ୍ଦର ଅର୍ଥ ପବିତ୍ର କରିବା । ଏଥିରୁ Sanctus ଶବ୍ଦ ଉତ୍ପତ୍ତି ହୋଇ Saint ହୋଇଅଛି । ଏହାର ଅର୍ଥ ପବିତ୍ରାତ୍ମା । ଏହି ସବୁ ଦୃଷ୍ଟିରୁ ଭୀମ ଭୋଇ ଜଣେ ନିଷ୍କାମ ଭକ୍ତ କେବଳ ନୁହନ୍ତି; ଜଣେ ପବିତ୍ରାତ୍ମା ସନ୍ଥ ମଧ୍ୟ । ତାଙ୍କର ପ୍ରତ୍ୟେକ କାବ୍ୟ ଓ କବିତା ସନ୍ଥ ଦୃଷ୍ଟିର ପ୍ରଚୋଦକ । ଆତ୍ମବିଶ୍ୱାସ ବଳିଷ୍ଠ ହୋଇଗଲେ ଜଣେ ଯାହା ଠିକ୍‌ ବୋଲି ଭାବେ ତାହାକୁ ସେ ଯେତେ ବାଧା ଆସିଲେ ମଧ୍ୟ କହେ । ସେଥିରେ ତା’ର ବ୍ୟକ୍ତିଗତ ଆକାଂକ୍ଷା କିଛି ନଥାଏ; ଥାଏ ସମୂହ କଲ୍ୟାଣ, ଜଗତ କଲ୍ୟାଣ । ଏହି ଦୃଷ୍ଟିରୁ ଭୀମ ଭୋଇ ଜଣେ ସନ୍ଥ ଓ ଭକ୍ତ । ତାଙ୍କଠାରେ ତେଜସ ଓ ବୈଶ୍ୱାନର ଦୃଷ୍ଟି ସମନ୍ୱିତ । ଅନେକ ସମୟରେ ସେ କବିତାରେ ‘କ୍ରୋଧେ ଜର ଜର’ ହୋଇଥିବା କଥା ଉଲ୍ଲେଖ କରଅଛନ୍ତି । ଏଠି ତାଙ୍କର କ୍ରୋଧ ଭାବ ସୂଚିତ ହୁଏ ନାହିଁ; ସୂଚିତ ହୁଏ କରୁଣାତ୍ମକ ବୈରାଗ୍ୟ । ଭୀମ ବେଦାନ୍ତ ଦର୍ଶନକୁ ତାଙ୍କର କାବ୍ୟ କବିତାରେ ରୂପ ଦେଇଥିଲା ପରି ମନେହୁଅନ୍ତି । ଅଥଚ ସେ ବେଦାନ୍ତ ଅଧ୍ୟୟନ କରିଥିଲେ କି ନାହିଁ ଜଣା ନାହିଁ । ବେଦାନ୍ତର ୠଷିଙ୍କ ପରି ସେ ଯେ ବ୍ରହ୍ମ, ମଣିଷ ଓ ଜଗତ କଥା ଚିନ୍ତା କରିଛନ୍ତି ଓ ତାହାକୁ ରୂପ ଦେଇଛନ୍ତି; ସତ୍ୟ । ତେଣୁ ତାଙ୍କର ସାହିତ୍ୟ ଏକ ନୂତନ ବେଦାନ୍ତର ସାହିତ୍ୟ । ବୌଦ୍ଧ ଧର୍ମ ଦର୍ଶନର ଅନେକ ତତ୍ତ୍ୱ, ବିଶେଷ କରି ନିଷ୍କାମ ତତ୍ତ୍ୱ, ଶୂନ୍ୟତତ୍ତ୍ୱ ଓ ମାନବ-କଲ୍ୟାଣ ଭାବନା ଭୀମଙ୍କ ସାହିତ୍ୟରେ ପରିଦୃଷ୍ଟ । ଅଥଚ ସେ ବୌଦ୍ଧ ଦର୍ଶନ ପଢ଼ିଥିଲେ କି ନାହିଁ, ବୌଦ୍ଧ ସନ୍ୟାସୀଙ୍କ ସଂସ୍ପର୍ଶରେ ଆସିଥିଲେ କି ନାହିଁ ଜଣା ନାହିଁ । ତେବେ ତାଙ୍କ ଦର୍ଶନରେ ବୌଦ୍ଧ-ଦର୍ଶନ ସହିତ କେତେକ ସାମ୍ୟ ଥିଲେ ହେଁ ତାହା କିନ୍ତୁ ବୌଦ୍ଧ ଦର୍ଶନ ନୁହେଁ, ବିଶୁଦ୍ଧ ସନାତନ ଦର୍ଶନ । ସେ ପୁଣି ନିରୋଳା ଭକ୍ତକବି ନୁହନ୍ତି; ସନ୍ଥ ଓ ଭକ୍ତ କବି, ଧର୍ମ ଭାବ ସମନ୍ୱିତ ଜଗଜ୍ଜୀବନ ଓ ମଣିଷର କବି । ପୁନଶ୍ଚ ସେ ବିଦ୍ରୋହ ଓ ବିପ୍ଲବର କବି । ବିଦ୍ରୋହ ତାଙ୍କର ରାଜା, ବ୍ରାହ୍ମଣ ଓ ପୌରୋହିତ୍ୟ ପ୍ରଥା ବିରୋଧରେ, କର୍ମକାଣ୍ଡ ନିୟନ୍ତ୍ରିତ ଧର୍ମ ବିରୁଦ୍ଧରେ, ମୂର୍ତ୍ତି ପୂଜା ଓ ଅଣାକାର ବ୍ରହ୍ମଙ୍କୁ ରୂପ ଦେଉଥିବା ସମ୍ପ୍ରଦାୟ ବିରୋଧରେ, ଧର୍ମଙ୍କୁ ତଥା ବ୍ରହ୍ମଙ୍କୁ ସମ୍ପ୍ରଦାୟର ସଂକୀର୍ଣ୍ଣ ସୀମା ଭିତରେ ବାନ୍ଧି ଦେଉଥିବା ସମ୍ପ୍ରଦାୟ ବିରୋଧରେ, ମଣିଷକୁ ଭାଗ ଭାଗ କରି ଜାତି ଅଜାତି ସୃଷ୍ଟି କରିଦେଉଥିବା ଚତୁରମାନଙ୍କ ବିରୋଧରେ । ବିପ୍ଲବ ତାଙ୍କର କଲ୍ୟାଣମୟ । ସେ ‘ମହିମା ମହିମା’ କହିବାରୁ ତାଙ୍କୁ ଖ୍ରୀଷ୍ଟିଆନ୍‌ ବୋଲି ଚତୁର ଆଉ ସୁବିଧାବାଦୀମାନେ ଭର୍ତ୍ସନା କରିଛନ୍ତି । ‘ଅଲେଖ ଅଲେଖ’ ଉଚ୍ଚାରଣ କରିବାରୁ ତାଙ୍କୁ କଠୋର ଦୁଃଖ ଦେଇଛନ୍ତି । ‘ସତ୍ୟ ଧର୍ମ ସତ୍ୟ ଧର୍ମ’ କହିବାରୁ ନିନ୍ଦା କରିଛନ୍ତି । ‘ଅବଧୂତ ଅବଧୂତ’ କହିବାରୁ ତାଙ୍କୁ ବାବନା ଭୂତ ବୋଲି ଗାଳି ଦେଇଛନ୍ତି । ‘ଅଣାକାର ଅଣାକାର’ କହିବାରୁ ତାଙ୍କ ମୁହଁକୁ ନଚାହିଁବା ପାଇଁ କହିଛନ୍ତି । ‘ନିଷ୍କାମ ନିଷ୍କାମ’ କହିବାରୁ ନିଶରେ ହାତ ମାରି ତାଙ୍କୁ ନାଲିଆଖି ଦେଖେଇଛନ୍ତି । ନିର୍ଗୁଣ ନିର୍ଗୁଣ କହିବାରୁ ତାଙ୍କୁ ଗ୍ରାମରୁ ବାହାର କରି ଦେଇଛନ୍ତି । ‘ନିର୍ବେଦ ନିର୍ବେଦ’ କହିବାରୁ ବେଦପନ୍ଥୀମାନେ ତାଙ୍କର ବାଦୀ ହୋଇଛନ୍ତି । ‘ଏକ ବ୍ରହ୍ମ ଏକ ବ୍ରହ୍ମ’ କହିବାରୁ ତାଙ୍କର ମାୟା ଭ୍ରମ ହୋଇଛି ଓ ମତିଭ୍ରମ ହୋଇଛି ବୋଲି କହିଛନ୍ତି । ‘ନାମ ଭଜ ନାମ ଭଜ’ କହିବାରୁ ତାଙ୍କୁ ଲୋକେ ଛାଡ଼ି ଚାଲିଯାଇଛନ୍ତି । ‘ଅଜପା ଅଜପା’ କହିବାରୁ ତାଙ୍କୁ ‘ଅଚ୍ଛବ’ କହିଛନ୍ତି-। ‘ଅରୂପା ଅରୂପା’ କହିବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ୍‌ ଦାଇଛନ୍ତି । ‘ଧୁନି ଦେଖ ଧୁନି ଦେଖ’ କହିବାରୁ ଦୂରରୁ ଲୋକେ ବାଟ ଭାଙ୍ଗି ଚାଲି ଯାଇଛନ୍ତି । ‘ଏକାଙ୍ଗ ଭକ୍ତି’ କହିବାରୁ ତାଙ୍କୁ ଅଧମ ଅରକ୍ଷିତ ବୋଲି କହିଛନ୍ତି । ’ସମଦୀକ୍ଷା ସମଦୀକ୍ଷା’ କହିବାରୁ ତାଙ୍କୁ କୁକୁର ବୋଲି ଗାଳି ଦେଇଛନ୍ତି ।

 

‘ସ୍ତୁତି ଚିନ୍ତାମଣି’ର ୨୦ଶ ବୋଲିରେ ପ୍ରଦତ୍ତ ଏହି ସକରୁଣ ଆତ୍ମଲିପି ଯେକେହି ପାଠକକୁ ଅଭିଭୂତ କରିଦିଏ । ସେ ଯେ କେତେବଡ଼ ଧର୍ମ ଓ ସମାଜ ବିପ୍ଲବୀ ତାହା ସ୍ପଷ୍ଟ ହୋଇଉଠେ । ଲୋକଭାଷାରେ ସରଳ ସାବଲୀଳ ଭାବରେ ବ୍ରହ୍ମତତ୍ତ୍ୱ ଓ ଧର୍ମ ଦର୍ଶନକୁ ଯେପରି ଭାବରେ ସେ ପ୍ରକାଶ କରିଯାଇଛନ୍ତି, ଜଗତ ଓ ମଣିଷର କଲ୍ୟାଣ ପାଇଁ ଯେପରି ସ୍ୱଚ୍ଛ ଝରଣା ପରି ତାଙ୍କ ହୃଦୟ କନ୍ଦରରୁ କବିତାର ଝରଣା ଝରି ଆସିଛି, ଯେପରି ଏକକ ଉଦ୍ୟମରେ କୌଣସି ପ୍ରଚାରର ମାଧ୍ୟମ ନନେଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି କବିତା ଲେଖିଯାଇଛନ୍ତି ତାହା ତାଙ୍କୁ ଓଡ଼ିଆ ସାହିତ୍ୟରେ ଅମର କରି ରଖିଅଛି । ଅରଣ୍ୟ କୋଳରେ ତାଙ୍କର ଜନ୍ମ ଓ ବିକାଶ । ଅରଣ୍ୟ ପରି ସେ ମୁକ୍ତ ଓ ସ୍ୱାଧୀନ । ଅରଣ୍ୟର ଶାନ୍ତ ସମାହତ ପରିବେଶ ପରି ତାଙ୍କର କବିତା ଶାନ୍ତ ସମାହତ ଓ ସୁମଧୁର । ସେହି କବିତା ଆତ୍ମାର କବିତା, ହୃଦୟର କବିତା, କଲ୍ୟାଣ ଓ କରୁଣାକର କବିତା । ସେହି କବିତାର ଛତ୍ରେ ଛତ୍ରେ କବି ହୃଦୟର ଦୁଃଖ, ଦୈନ୍ୟ ଓ ଆର୍ତ୍ତି ଅରୂପ ବ୍ରହ୍ମଙ୍କ ପାଦପଦ୍ମରେ ନିବେଦିତ ମାତ୍ର ସେଥିରେ ଅସହାୟତା ନାହିଁ, ନିଃସଙ୍ଗତାର ପଦଧ୍ୱନି ନାହିଁ; ସମସ୍ତଙ୍କୁ ଆପଣେଇ ନେବାର ଅଛି ଦୁର୍ବାର ଅଭିପ୍ସା କବିତା ଓ ସଂଗୀତ ଗଙ୍ଗାଯମୁନା ପରି ମିଶିଯାଇଛି । ଶବ୍ଦ, ଚିତ୍ର ଓ ସଂଗୀତର ହୋଇଛି ମଧୁର ସମନ୍ୱୟ । ତେଣୁ ତାଙ୍କର କବିତା ରୀତିକାବ୍ୟ ପରମ୍ପରାର ଶେଷ ପାହାଚରୁ ସୃଷ୍ଟି ହୋଇଥିଲେ ହେଁ ସେଥିରୁ ନିଆରା ହୋଇଯାଇଛି । ଆଧୁନିକ କବିତାର ଆଦ୍ୟପର୍ବର ସମକାଳରେ ସୃଷ୍ଟି ହୋଇଥିଲେ ମଧ୍ୟ ଅଲଗା ହୋଇଯାଇଛି । ତାହା ଆପେ ଆପଣାର ଏକ ସ୍ୱତନ୍ତ୍ର ମାର୍ଗ ପ୍ରସ୍ତୁତ କରିଦେଇଛି । ସେହି ମାର୍ଗଟି ଅରଣ୍ୟ ଭିତରେ, ଅମଡ଼ା ଭିତରେ ସ୍ୱତନ୍ତ୍ର ଓ ପ୍ରଶାନ୍ତ ମାର୍ଗ ପ୍ରସ୍ତୁତ । ସେହି ମାର୍ଗଟି ଆଜକୁ ଶହେ ବର୍ଷ ଧରି ସେଇପରି ଦୀପ୍ତିମନ୍ତ ହୋଇ ରହିଛି ଓ ଏକବିଂଶ ଶତାବ୍ଦୀ ପାଇଁ ତାହା ଯେ ଆହୁରି ଦୀପ୍ତୀମନ୍ତ ହେବ ଓ ସେହି ମାର୍ଗରେ ଯେଉଁ ସବୁ ବୈପ୍ଲବିକ ଚେତାବନୀ ରହିଛି, ତାହାକୁ ଯେ ସଚେତନ ଲୋକ ଆଗ୍ରହ ସହକାରେ ବିଚାର କରିବାକୁ ବାଧ୍ୟ ହେବେ, ଏକଥା କହିଲେ ବୋଧହୁଏ ସତ୍ୟର ଅପଳାପ ହେବନାହିଁ । ଭୀମଭୋଇ କାହାର ନକଲ ନୁହନ୍ତି, ଅନୁକରଣ ନୁହନ୍ତି, ପ୍ରତିଫଳନ ମଧ୍ୟ ନୁହନ୍ତି । ସେ ନିଜେ ନିଜର ସ୍ରଷ୍ଟା, ସିଦ୍ଧି ଓ ସ୍ୱାକ୍ଷର । ତେଣୁ ସେ ନିଜେ ନିଜର ତୁଳନୀୟ ଓ ଓଡ଼ିଆ ସାହିତ୍ୟରେ ସେ ଯଥାର୍ଥରେ ଏକ ବିସ୍ମୟ ।

 

ବିଶ୍ୱଭାରତୀ, ଶାନ୍ତିନିକେତନ

 

***

 

ପ୍ରାକ୍‌ ଭଞ୍ଜୀୟ ରୀତିକାବ୍ୟରେ

ମନସ୍ତାତ୍ତ୍ୱିକ ଚିତ୍ର

ଡକ୍ଟର ଗୌରାଙ୍ଗ ଚରଣ ଦାଶ

 

ଜଗତରେ ଜୀବନ୍ତମାନଙ୍କର ମନଟିଏ ଲେଖାଏଁ ଥାଏ । ମାତ୍ର ମଣିଷ ନାମକ ଜୀବର ମନ ଅନ୍ୟମାନଙ୍କ ଠାରୁ ବହୁ ଭାବରେ ସ୍ୱତନ୍ତ୍ର, ବିଚିତ୍ର । ମଣିଷର ମନ କେବଳ ତାକୁ ଚଳାଉ ନଥାଏ, ଚଳାଉଥାଏ ଏବଂ ନଚାଉଥାଏ ଅନ୍ୟମାନଙ୍କୁ । ସମଗ୍ର ଜଗତକୁ ଆପଣା ମନଭୂମିର କୋଉ ଅଭେଦ୍ୟ ଓ ରହସ୍ୟମୟ ସଂପୁଟକ ଭିତରେ କେତେ ଶରଧାରେ ସମ୍ପାଦି ଥାଏ । ପ୍ରକୃତି ଜଗତରେ ଜୀବନ ନଥିବା ଅନ୍ୟ ବିଭବମାନଙ୍କରେ ମଧ୍ୟ ଜୀବନ ସଂଚାର କରୁଥାଏ । ତା’ର ରାଗ ଓ ବାଂଗ୍‌ମୟ ଜୀବନ ନାଟିରେ ଯେତେ ନାଟ ଲାଗୁଥାଏ, ମନ ହିଁ ସାଜିଥାଏ ଅସଲ ଗୋବର୍ଦ୍ଧନ । ଭାରତୀୟମାନେ ଏହି ମହାନଟ ଗୋବର୍ଦ୍ଧନକୁ ଚିହ୍ନିଲା ପରି ଚିହ୍ନିଥିଲେ । କେବଳ ଚିହ୍ନି ନଥିଲେ ଭଲ କରି ଭେଦିଥିଲେ ଏବଂ ସେମାନଙ୍କର ସର୍ଜନଶୀଳ ଅବବୋଧର ପ୍ରତ୍ୟେକ ବିନ୍ଦୁରେ ମହାନଟ ମନର ଆଚରଣ ହିଁ ପ୍ରତିବିମ୍ବିତ ହେଉଥିଲା । ଦର୍ଶନ, ସଂଗୀତ, ସାହିତ୍ୟ ନୃତ୍ୟ ଚିତ୍ର ଓ ସକଳ ବିଦ୍ୟାର ଅଧ୍ୟୟନରେ ରହସ୍ୟମୟ ମନ ହିଁ ଥିଲା ମୂଳଭୂତ ଉପସର୍ଗ ।

 

(ଏକ)

 

୧.୦ ଆମ ଭାଷାରେ, କାଳସମୀକ୍ଷଣର ଇତିହାସରେ ମନସ୍ତତ୍ତ୍ୱକୁ ଭୂମି ଭାବରେ ଗ୍ରହଣ କରିବାର ମାନସିକତା ବେଶି ଦିନର ନୁହେଁ । ଆମ ସର୍ଜନାତ୍ମକ ସାହିତ୍ୟରେ ମଣିଷର ସୂକ୍ଷ୍ମ, ଅନାଲୋକିତ ମନର ବୈଚିତ୍ର୍ୟକୁ ଅକ୍ଷରାୟନର ସଚେତନ ପ୍ରୟାସ ଆରମ୍ଭ ହୋଇଛି ଚଳିତ ଶତାବ୍ଦୀର ଚତୁର୍ଥ ଦଶକରେ, ବିଶେଷତଃ କଥା ସାହିତ୍ୟରେ । ଏହା ପୁଣି ପାଶ୍ଚାତ୍ୟ ତତ୍ତ୍ୱ ଅବଗାହିମାନଙ୍କର ବିଚାର ପ୍ରଭାବିତ । ଏହାର ଅର୍ଥ ନୁହେଁ ଯେ ଏ ଭୂମିର ସ୍ରଷ୍ଟାମାନେ ମଣିଷର ମନକୁ ଚିହ୍ନି ନଥିଲେ, ଜାଣି ନଥିଲେ ଏବଂ ଏହାର ରହସ୍ୟ ଆଲୋକନ ପାଇଁ ବିମନସ୍କ ଥିଲେ । ଜଗତରେ ଜୀବନ୍ତମାନଙ୍କର ମନଟିଏ ଲେଖାଏଁ ଥାଏ । ମାତ୍ର ମଣିଷ ନାମକ ଜୀବର ମନ ଅନ୍ୟମାନଙ୍କ ଠାରୁ ବହୁ ଭାବରେ ସ୍ଵତନ୍ତ୍ର, ବିଚିତ୍ର । ମଣିଷର ମନ କେବଳ ତାକୁ ଚଳାଉ ନ ଥାଏ ଏବଂ ନଚାଉଥାଏ ଅନ୍ୟମାନଙ୍କୁ । ସମଗ୍ର ଜଗତକୁ ଆପଣା ମନଭୂମିର କୋଉ ଅଭେଦ୍ୟ ଓ ରହସ୍ୟମୟ ସଂପୁଟକ ଭିତରେ କେତେ ଶରଧାରେ ସମ୍ପାଦି ଥାଏ । ପ୍ରକୃତି ଜଗତରେ ଜୀବନ ନଥିବା ଅନ୍ୟ ବିଭବମାନଙ୍କରେ ମଧ୍ୟ ଜୀବନ ସଂଚାର କରୁଥାଏ । ତା’ର ରାଗ ଓ ବାଂଗ୍‌ମୟ ଜୀବନ ନାଟିରେ ଯେତେ ନାଟ ଲାଗୁଥାଏ, ମନ ହିଁ ସାଜିଥାଏ ଅସଲ ଗୋବର୍ଦ୍ଧନ । ଭାରତୀୟମାନେ ଏହି ମହାନଟ ଗୋବର୍ଦ୍ଧନକୁ ଚିହ୍ନିଲା ପରି ଚିହ୍ନିଥିଲେ । କେବଳ ଚିହ୍ନି ନଥିଲେ ଭଲ କରି ଭେଦିଥିଲେ ଏବଂ ସେମାନଙ୍କର ସର୍ଜନଶୀଳ ଅବବୋଧର ପ୍ରତ୍ୟେକ ବିନ୍ଦୁରେ ମହାନଟ ମନର ଆଚରଣ ହିଁ ପ୍ରତିବିମ୍ବିତ ହେଉଥିଲେ । ଦର୍ଶନ, ସଂଗୀତ, ସାହିତ୍ୟ, ନୃତ୍ୟ ଚିତ୍ର ଓ ସକଳ ବିଦ୍ୟାର ଅଧ୍ୟୟନରେ ରହସ୍ୟମୟ ମନ ହିଁ ଥିଲା ମୂଳଭୂତ ଉପସର୍ଗ ।

 

୧୧.      ଭାରତୀୟ ସାହିତ୍ୟ ଓ ଦର୍ଶନର ଇତିହାସରେ, ବେଦ, ବେଦାନ୍ତ, ଉପନିଷଦ, ବ୍ରାହ୍ମଣ, ମହାକାବ୍ୟ, କାବ୍ୟ, ବ୍ୟାକରଣ ରଚନା କାଳରେ ମନ୍ତ୍ରଦ୍ରଷ୍ଟା ୠଷି ଓ ୠଷି ମନସ୍କ ଜୀବନବାଦୀମାନେ ବାହ୍ୟ ଓ ଅନ୍ତର୍ଜଗତ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ଚାଲିଥିବା ଦ୍ୱନ୍ଦ୍ୱ ଓ ସଂଘାତର ଥିଲେ ସଚେତନ ବିଶ୍ଳେଷକ । ମାତ୍ର କାବ୍ୟ ଯୁଗରେ ଚରିଆ, କହା, ଦୋହାଗୁଡ଼ିକରେ ମନର ଅନ୍ଧାରିତ ଦିଗନ୍ତ କାବ୍ୟିକ ରୀତିରେ ପ୍ରତୀକିତ ହେଲା । ସେମାନେ ବଞ୍ଚୁଥିବା କାଳର ସକଳ ବ୍ୟବସ୍ଥା, ସେମାନଙ୍କର ଜାଗ୍ରତ ଇନ୍ଦ୍ରିୟ ମାଧ୍ୟମରେ ମନଭୂମିର ବିଭିନ୍ନ ପ୍ରସ୍ତରେ ଯେଉଁ ନାଟ ଭିଆଉଥିଲେ, କବିମାନେ ସେ ସମସ୍ତକୁ ହିଁ ଅନ୍ୟମାନଙ୍କ ଚେତନାରେ ଦର୍ପଣାୟିତ କରୁଥିଲେ । ଭାବବାଦୀ ମଣିଷର ଚାରିପାଖରେ ସ୍ୱାଭାବିକ ଭାବରେ ଚିତ୍ରାୟିତ ହେଉଥାଏ ବାସ୍ତବ ଜଗତ । ବସ୍ତବତା ଛୁଉଁଥାଏ, ଭବକିତ କରୁଥାଏ ତା’ର ଅନୁଭବକୁ । ଅନୁଭୂତି ତାକୁ କରେ ଅଭିଜ୍ଞ । ଆପଣାର ଅନୁଭବ ଓ ଅଭିଜ୍ଞତା ତା ଅବଚେତନରେ କେତେ ଭଙ୍ଗୀରେ ଲହଡ଼ି ଭାଙ୍ଗୁଥାଏ । ଲହଡ଼ିମାନେ ଗୋଟିଏ ଜନ୍ମରେ ଲିଭିଯା’ନ୍ତି ନାହିଁ । ସେମାନେ କେତେ ଯତନରେ, ଅଲିଭା ବିଭବ ପରି କାଳ କାଳ ପାଇଁ ସ୍ମୃତିପଟରେ ସାଇତା ହୋଇ ରହିଥାନ୍ତି । ଭିତରେ ଅଧିକ ବୁଡ଼ି ରହିଥାନ୍ତି । ବାହାରକୁ ଅଳପ ଦିଶୁଥାନ୍ତି – ପାଣି ଉପରେ ଭାସମାନ ବରଫଖଣ୍ଡ ପରି; ପାଣି ଭିତରେ ତିନି ଚତୁର୍ଥାଂଶ ଓ ଉପରେ ଏକ ତୃତୀୟାଂଶ । ମଣିଷର ଆଚରଣରେ ଚିତ୍ରାୟିତ ହେଉଥାନ୍ତି । ସମୟ ଓ ସମାଜ ନିୟନ୍ତ୍ରିତ ବ୍ୟକ୍ତିର ମନ ଯେମିତି ସେଇ ଗୁମର କଥାଗୁଡ଼ିକର କୋଠଘର । ତାହା ଅଉକୁଡ଼ା ଓ ଅକ୍ଷୟ ଭଣ୍ଡାର ।

 

୧.୨ ବୈଦିକ ଓ ମହାକାବ୍ୟିକ ଯୁଗର କବିମାନଙ୍କର କୃତି ସମୂହରେ ମନର ଯେଉଁ ସୂକ୍ଷ୍ମତା କଳାତ୍ମକରୀତିରେ ବିଶ୍ଳେଷିତ ହୋଇଛି, କାବ୍ୟଯୁଗରେ ସେହି ଅବବୋଧ ଛୁଇଁଛି ଚେତନାର ଏକ ଭିନ୍ନ ଦିଗନ୍ତକୁ । ପଣ୍ଡିତମାନେ ରଚନାର ବିଧି ଓ ମାର୍ଗମାନ ମାର୍ଜନ କରିଛନ୍ତି । ନିଜ ନିଜ ବିଚାରର ପ୍ରତିଷ୍ଠା ଉଦ୍ଦେଶ୍ୟରେ ବିପୁଳକାୟ ଶାସ୍ତ୍ରମାନ ରଚନା କରିଛନ୍ତି । ମାର୍ଗର ଖଟୁଲୀରେ ମହାସମନ୍ତ ବେଶରେ ବସି, ଅନୁଗତ ଗୋଷ୍ଠୀମାନେ ଗଢ଼ିଛନ୍ତି । ରସ, ରୀତି, ଗୁଣ, ବକ୍ରୋକ୍ତି, ଧ୍ୱନି ଓ ଔଚିତ୍ୟ ଆଦି କେତେ କେତେ ବାଦର ଝଙ୍କାରରେ କଳା ସୁନ୍ଦରୀକୁ ମୁଖରା କରିବା ପାଇଁ କଳ୍ପନା ଓ ପ୍ରକାଶ ରସ ନିଗାଡ଼ିଛନ୍ତି । କଳାମଣ୍ଡପରେ ଶୃଙ୍ଗାର ଚର୍ଚ୍ଚାର ଓଜ ପରିବ୍ୟାପ୍ତ ହୋଇଛି । ଶୃଙ୍ଗାର ଚର୍ଚ୍ଚା ପାଇଁ ଅଳଙ୍କାର, ବାଦ୍ୟ ନୃତ୍ୟ ସଂଗୀତର ଲୋଡ଼ା ପଡ଼ିଛି । ରାଜା ଅଥବା ରଙ୍କ ପୋଷିତ ପଣ୍ଡିତମାନେ କବିର ପଗଡ଼ି ବାନ୍ଧିଛନ୍ତି । ସାହତ୍ୟ ରଟ ଦରବାର, ଅନ୍ତଃପୁର ଓ ଗୀର୍ବାଣମନସ୍କମାନଙ୍କ ମେଳଣରେ ବିନୋଦନର ସାମଗ୍ରୀ ହୋଇଛି । ସ୍ରଷ୍ଟାମାନଙ୍କ ବିଚାର ହୋଇଛି ସୁଉଚ୍ଚ ଶୃଙ୍ଗ ଓ ସୁଗଭୀର ବିବର ବାହାରୀ । ଜୀବନର ବହୁମୁଖୀ ଦିଗମାନଙ୍କୁ ଛୁଇଁବାରେ ତାହା ଅସମର୍ଥ ହୋଇଛି ଏବଂ ସେମାନଙ୍କର ପ୍ରଜ୍ଞା ଆଦିକୂପର ଆଲୋକିତ ଅନ୍ଧକାରରେ ଖଟଣି ହୋଇଛି । ସାହିତ୍ୟର ଧ୍ୱନି ହୋଇଛି ‘ଈଷିକାର ସର୍ବସ୍ୱ । ମହାକାବ୍ୟ ଓ କଥା ସାହିତ୍ୟରେ ପ୍ରତିଧ୍ୱନିତ ମନର ବୈଚିତ୍ର୍ୟ ପ୍ରବନ୍ଧର ଅନୁବନ୍ଧନୀରେ ସଙ୍କୁଚିତ ହୋଇଛି । ଏହା ହିଁ ଥିଲା ସେ କାଳର କବିର ମନସ୍ତତ୍ତ୍ୱ । ତଥାପି ଜୀବନ ଓ ଜଗତ ସଂକ୍ରାନ୍ତ ସେମାନଙ୍କ ଅନୁଭୂତି ସ୍ଥଳ ବିଶେଷରେ ବଡ଼ କୁଚଟ ଭାବରେ ଶବ୍ଦାଳଂକାର ଓ ଚିତ୍ରକଳ୍ପ ମାଧ୍ୟମରେ ପ୍ରକାଶିତ ହୋଇଛି ।

 

୧.୩ ବହୁକାଳ ପରେ ପ୍ରାନ୍ତୀୟ ଭାଷାର କବିମାନେ ସଂସ୍କୃତ ପ୍ରବନ୍ଧକାରମାନଙ୍କ ମାର୍ଗନିଷ୍ଠ ମାନସିକତାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେମାନେ ନିଜ ନିଜ ଭୂମିର କଥିତ ଭାଷାରେ ବାଲ୍ମୀକି ଓ ବ୍ୟାସଙ୍କ ବିଚାରକୁ ପ୍ରକାଶ କରିଛନ୍ତି । ସନ୍ଥର ମନ ନେଇ ମହାକାବ୍ୟିକ ଚରିତ୍ରମାନଙ୍କ ବିଶେଷତ୍ୱକୁ ବିଶ୍ଲେଷଣ କରିଛନ୍ତି । ବାଲ୍ମୀକି, ବ୍ୟାସ ଓ ସେମାନଙ୍କ ସମକାଳୀନମାନେ କାହିଁ କେତେ ଦୂରରେ ରହିଯାଇଛନ୍ତି । ଶହ ଶହ ବର୍ଷର ପରିବର୍ତ୍ତିତ ସାମାଜିକ, ରାଜନୀତିକ, ସାଂସ୍କୃତିକ ଜୀବନବୋଧ, ସୂକ୍ଷ୍ମ ଅନୁଭୂତି ସେମାନଙ୍କ ସ୍ମୃତିକୋଷରୁ ସ୍ୱଭାବତଃ ଉଜ୍ଜିବିତ ହୋଇଛି । ସମୟ ଓ ମଣିଷର ମନକୁ ଶ୍ରଦ୍ଧାର ସହ ସେମାନେ ପଢ଼ିଛନ୍ତି । ମହାକାବ୍ୟର ପ୍ରଥାସିଦ୍ଧ ଚରିତ୍ରମାନଙ୍କ ବେଶ ଓ ଆଚରଣକୁ ବଦଳାଇବା ପାଇଁ ଦୁଃସାହସ କରିଛନ୍ତି । ଦକ୍ଷ ମନୋବିଜ୍ଞାନୀ ପରି, ହେତୁ ଅଦ୍ୱେଷୀ ଭାବ ଦେଇ ଚରିତ୍ରମାନଙ୍କ ଦୁର୍ଗମ ମନଗହନକୁ ବିଶ୍ଲେଷଣ କରିଛନ୍ତି । ମନର ଅନାଲୋକିତ ସୂକ୍ଷ୍ମ ବିନ୍ଦୁର ଆଲୋକନ ପାଇଁ ଅବିଶ୍ୱାସ୍ୟ ଅକଥାମାନ ବଖାଣିବାକୁ କିନ୍ତୁ ମଣିନାହାନ୍ତି । ସେମାନେ ପ୍ରତ୍ୟେକ ଥିଲେ ସଂଥମନସ୍କ ଜୀବନବାଦୀ ଓ ବିପ୍ଲବୀ । ତେଣୁ ସମାଜ ଓ ବ୍ୟକ୍ତି ଉଭୟଙ୍କୁ ଗୋଟିଏ ଘାଟରେ ବସେଇବାକୁ ସାହସ କରିଛନ୍ତି ଏବଂ ସାମାଜିକମାନେ ମଧ୍ୟ ସେମାନଙ୍କ ସର୍ଜନଶୀଳତାର ସ୍ୱାତନ୍ତ୍ର୍ୟକୁ ହୃଦୟରେ ସ୍ୱୀକାର କରିଛନ୍ତି । ପ୍ରତ୍ୟେକ ଚରିତ୍ରଙ୍କର ଅହଂସର୍ବସ୍ୱ ମନର ବୈଜ୍ଞାନିକ ବ୍ୟବଚ୍ଛେଦ କାଳରେ ସେମାନଙ୍କ ଅନ୍ତର୍ଦୃଷ୍ଟି ଗଭୀରତାକୁ ଛୁଇଁଛି । ଗୀର୍ବାଣମନସ୍କ ମାର୍ଗୀମାନଙ୍କର ସକଳ ଔଦ୍ଧତ୍ୟକୁ ଚତୁରଙ୍କ ପରି ସ୍ୱୀକାର କରିଛନ୍ତି ଏବଂ ଗଣମାନସ ଅନୁଶୀଳନରେ ମଧ୍ୟ ନିର୍ମୋହ ଭାବେ ବ୍ୟକ୍ତ କରିଛନ୍ତି । କାହାକୁ ପବିତ୍ର ଖଟୁଲିରେ ସବୁକାଳ ପାଇଁ ବସେଇ ନାହାନ୍ତି କି କାହାକୁ ଅପବାଦର ଗୁହ ଗଡ଼ିଆରେ କଲବଲ କରିନାହାନ୍ତି । ଉତ୍ତର ଭାରତର ତୁକ୍କାରାମ, ତୁଳସୀ ଦାସ, କବିର, ନାନକ, ଆସାମର ଶଙ୍କର ଦେବ, ମାଧବ ଦେବ, ଓଡ଼ିଶାର ସାରଳା ଦାସ, ବଳରାମ ଦାସ, ସେମାନଙ୍କର ଅନୁଗାମୀ, ଦକ୍ଷିଣ ଭାରତର କମ୍ବନ, ଫପା ଆଦି କବିମାନଙ୍କ ସାହିତ୍ୟରେ ସମାଜ ଓ ସାମାଜିକମାନଙ୍କ ସକଳ ସମସ୍ୟା ଚରିତ୍ରୀଭୂତ ହୋଇଛି । ସେମାନଙ୍କ ସାହିତ୍ୟ ହୋଇଛି ମଣିଷର ମନୋଭୂମିରେ ସଂଘଟିତ ଋଣ ଧନ୍ଦୋଳର କଳାତ୍ମକ ଅଭିବ୍ୟକ୍ତି ।

 

(ଦୁଇ)

 

୨.୦ ସଂସ୍କୃତି ସାହିତ୍ୟ ଇତିହାସରେ ବାଲ୍ମୀକି, ବ୍ୟାସଙ୍କ ପରବର୍ତ୍ତୀକାଳୀନ, କାଳିଦାସ, ଭାରବୀ, ଶ୍ରୀହର୍ଷ, ରାଜଶେଖରଙ୍କ ପରି ଓଡ଼ିଆ ସାହିତ୍ୟରେ ସାରଳା ଓ ବଳରାମଙ୍କ ଉତ୍ତର ପୁରୁଷମାନଙ୍କ ଚେତନାକୁ ଶୃଙ୍ଖଳା ରୋଗ ହିଁ ଆକ୍ରାନ୍ତ କରିଛି । ସଂସ୍କୃତ ପ୍ରବନ୍ଧକାରମାନଙ୍କ ପରି ସେମାନେ ମଧ୍ୟ ବାରବିଳାସୀ ହୋଇପଡ଼ିଛନ୍ତି । ଶାସ୍ତ୍ରର ପାଉଁଜି ପିନ୍ଧି ଶୃଙ୍ଗାର ଶେଯରେ ପାଦଗୁଡ଼ିକ କେତେ ଭଙ୍ଗୀରେ ଚାଲିଛନ୍ତି । କେତେବେଳେ କେଉଁଠି ନାୟକ ନାୟିକାମାନେ ଅଲଗା ଅଲଗା ଗୋଠରୁ ଆସିଥିଲେ ମଧ୍ୟ ସେମାନଙ୍କ ବିଚାର ଓ ଆଚରଣରେ ଏକ ପ୍ରକାରର ଅଭୀପ୍ସା ଓ ତଦ୍‌ଜନିତ କିତାବୀ ମାନସିକତା ପ୍ରତିଫଳିତ ହୋଇଛି । ସଂସ୍କୃତ ଓ ଆଳଙ୍କାରିକମାନଙ୍କ ପ୍ରଜ୍ଞାଫଳକୁ ସେମାନେ ଜୋକ ପରି କାମୁଡ଼ି ଧରିଛନ୍ତି । ଆଦର୍ଶମାନଙ୍କୁ ଶୃଙ୍ଖଳା ଓ ଛନ୍ଦ ଭାଣ୍ଡରେ ଆବଦ୍ଧ କରିଛନ୍ତି । ୠଷିକାର ମନରେ ମୁଖରିତ କରିଛନ୍ତି କାବ୍ୟକାନନକୁ । କବିର ସୃଜନଶୀଳତା ମୁକ୍ତ ଜଗତ ଓ ଜୀବନ ଠାରୁ ଦୂରେଇ ଯାଇଛି । ରାଜ ଉଆସର ସମର୍ଥପୁରୁଷ ଓ ସାମନ୍ତମାନଙ୍କର ରତି ଅଭିସାରୀ ମନର କାରାଗାରରେ ବନ୍ଧା ପଡ଼ିଛି ।

 

୨.୧ ସାରଳା ଓ ବଳରାମୋତ୍ତର ସମାଜ ଓ ସମୟର ତାହା ହିଁ ଥିଲା ଶୃଙ୍ଖଳିତ ମାନସିକତା । ଏକ ପରାଧୀନ ଜାତିର ଅଜଣା ଅହମିକାଗ୍ରସ୍ଥ ଅଭିମାନୀ ନବସାମନ୍ତମାନେ ଥିଲେ ବିଳାସପ୍ରିୟ । ସର୍ଜ୍ଜନଶୀଳ ପ୍ରତିଭାମାନଙ୍କୁ ଆପଣା ଆପଣା ପ୍ରାସାଦରେ ସେମାନେ କୁଳପାଳିକା କରି ବାନ୍ଧି ରଖିଥିଲେ । ପାଟ ଯଥାରେ ଆପ୍ୟାୟନ କରୁଥିଲେ । ଜନସାଧାରଣଙ୍କ ଆର୍ଥିକ ସ୍ଥିତି ଥିଲା ଦୁର୍ବଳ । ଧର୍ମଠାର ମହନ୍ତମାନଙ୍କ ଗୋଳ ଥିଲା ଅତି ପ୍ରବଳ । ତେଣୁ ଏକ ଫିସାଦି, ସର୍ବସ୍ୱ ଅଲାଜୁକ ବିଶ୍ୱବିଜୟୀମାନଙ୍କ ବୋଲକରା ବନିଥିବା କବିମାନେ ସମାଜ ଜୀବନକୁ ସନ୍ଥ ଆକାରରେ ଅନୁଭବ କରିବାର ସାମର୍ଥ୍ୟ ବୋଧହୁଏ ହରେଇ ବସିଛନ୍ତି । ସଂସ୍କୃତିମନସ୍କତା ସେମାନଙ୍କୁ ଏକ ବୃହତ୍ତର ସମାଜ ଠାରୁ ବିଯୁକ୍ତ କରି ରଖିଛି । ସେମାନଙ୍କ ସାହିତ୍ୟ ହୋଇଛି ଆପେ ବଞ୍ଚୁଥିବା ରୁଗ୍‌ଣ ସାମାଜିକ, ରାଜନୀତିକ ଓ ସାଂସ୍କୃତିକ ଜୀବନ ଅନୁରୂପ । ଅବସ୍ଥା ଏପରି ହୋଇଛି ଯେ, ସ୍ମରଣପରେ ବିଭଳିତ ବିଯୋଗୀମାନଙ୍କର ସକଳ ବୈକଲ୍ୟ ପ୍ରସମନ ପାଇଁ ସେମାନଙ୍କ ପ୍ରଗଳ୍‌ଭ ଚିତ୍ତ କୌଣସି ପ୍ରକାରର ଶାଳୀନତାକୁ ସ୍ୱୀକାର କରିପାରିନି । କାମଶାସ୍ତ୍ରର ନାନ୍ଦନିକ ବିଭବକୁ ମଧ୍ୟ ସେମାନେ ବୁଝିପାରି ନାହାନ୍ତି । ବିଦେହ ଅବବୋଧର କାବ୍ୟାୟନ କାଳରେ, ଚରିତ୍ରମାନଙ୍କର ସ୍ୱକୀୟ କିମ୍ବା ପରକୀୟା ପ୍ରେମକୁ ସମ୍ଭୋଗ କିମ୍ବା ବିପ୍ରଲମ୍ଭ ମାର୍ଗରେ ବ୍ୟକ୍ତ କରିବା ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହୋଇଛି । ସେମାନଙ୍କ ସାହିତ୍ୟ ହୋଇଛି ରାଜକୀୟ ମାନସିକତାର ଇସ୍ତାହାର-

 

୨.୨ ଓଡ଼ିଆ କାବ୍ୟ ସାହିତ୍ୟର ଇତିହାସରେ ପ୍ରାକ୍‌ଭଞ୍ଜୀୟ ରୀତିକବିମାନଙ୍କର ଆଦର୍ଶ ଆଲୋକନ କାଳରେ ଆମକୁ ଅର୍ଜ୍ଜୁନ ଦାସଙ୍କ ରାମବିଭା ଓ କଳ୍ପଲତା ଠାରୁ ଆରମ୍ଭ କରି ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳ କାବ୍ୟ ପର୍ଯ୍ୟନ୍ତ ପ୍ରାୟ ବିଂଶାଧିକ କବି ଏବଂ ସେମାନଙ୍କ କାବ୍ୟଗୁଡ଼ିକର ପୃଷ୍ଠା ଆଡ଼େଇବାକୁ ପଡ଼ିଥାଏ । ସେମାନଙ୍କର ସମୟ ସୀମା ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭ ପ୍ରଥମ ଦଶକ ଠାରୁ ଆରମ୍ଭ କରି ସପ୍ତଦଶ ଶତାବ୍ଦୀର ଶେଷ ଦଶକ ପର୍ଯ୍ୟନ୍ତ, ଦୁଇଶହ ବର୍ଷ ଧରି ପ୍ରସାରିତ । ସେମାନଙ୍କ କାବ୍ୟର ଚରିତ୍ରମାନେ ଆସିଛନ୍ତି ମହାକାବ୍ୟ, ପୁରାଣ ଓ କଳ୍ପନା ଜଗତରୁ । ମାତ୍ର ସକଳ ଚରିତ୍ରଙ୍କ ଜୀବନ ହୋଇଛି ପ୍ରେମ ଓ ଦେହ ସର୍ବସ୍ୱ । ପ୍ରେମ ପୁଣି ମୁଖ୍ୟତଃ ସରଳ ରୈଖିକ । କେତେ ଗୋଟି ଆଖ୍ୟାୟିକା ମୂଳକ ବା କାଳ୍ପନିକ କାବ୍ୟର ନାୟକ ନାୟିକା ମଧ୍ୟ ଇନ୍ଦ୍ରସଭାର ଶାପଗ୍ରସ୍ତ ଗନ୍ଧର୍ବ ଓ ଅପ୍‌ସରା । ଅନ୍ୟମାନେ ରାଜବଂଶଜ । ସେମାନେ ଜନ୍ମ ହେଉଥିଲେ । ରାଜାଘରର ପୁଅ ଝିଅଙ୍କ କରି କେତେ ଅୟସରେ ବଢ଼ୁଥିଲେ । ସେମାନଙ୍କ ଦେହ ଓ ମନରେ ବୟସ ନାଟ ଲାଗାଉଥିଲା । ଯଉବନର ପ୍ରତୀକମାନ ସେମାନଙ୍କ ଅଙ୍ଗରେ ବରଷୁଥିଲା । କନ୍ଦର୍ପତାପରେ ସେମାନେ କେତେ ବାଗରେ କାରୁଣ୍ୟ କରୁଥିଲେ । ଅଥୟ ହେଉଥିଲେ । ତାତିର ପ୍ରସମନ ପାଇଁ ସମସରିମାନଙ୍କର ଖୋଜା ପଡ଼ୁଥିଲା । ଜଣେ ଆର ଜଣକୁ ନିଜ ଆଖିରେ ବା ଚିତ୍ର ପଟରେ ଦେଖି ତା’ ପ୍ରେମରେ ପଡ଼ି ଯାଉଥିଲା । ନିଜ ନିଜର କୁସୁମିତ ଦେହ ଓ ମନକୁ ସେମାନେ ମୁକୁଳା କରି ରଖୁଥିଲେ । ପରସ୍ପରକୁ ଉପଭୋଗିବା ଲାଗି ଉପବନ ଅଥବା ଅନ୍ତଃପୁରକୁ ସଜ କରି ରଖାଯାଉଥିଲା । ଭିନ୍ନ ଭିନ୍ନ ୠତୁମତେ ସ୍ୱତନ୍ତ୍ର ବିହାର ପାଇଁ ଯୋଜନାମାନ ପ୍ରସ୍ତୁତ କରାଯାଉଥିଲା-। ବେଳେବେଳେ ସେମାନେ ସପନରେ ବି ମିଳିତ ହେଉଥିଲେ । ଦେହର ସୁଆଦ ଚାଖିଲା ପରେ ଦୈବୀ ଅଭିଶାପ ଅଥବା ଅନ୍ୟ କୌଣସି କାରଣରୁ ହେଉ ସେମାନଙ୍କ ମଧ୍ୟରେ ସଂଘଟିତ ହେଉଥିଲା ଦାରୁଣ ଅଭିଶାପ ଅଥବା ଅନ୍ୟ କୌଣସି କାରଣରୁ ହେଉ ସେମାନଙ୍କ ମଧ୍ୟରେ ସଂଘଟିତ ହେଉଥିଲା ଦାରୁଣ ବିଚ୍ଛେଦ । ମୁହୂର୍ତ୍ତକର ବିଚ୍ଛେଦ ସହି ନ ପାରି ସେମାନେ କେତେ ବିଧିରେ ବିଳାପ କରୁଥିଲେ । କାମଦେବର ଅବିବେକୀ ମଥାରେ ଅଭିସଂପାତମାନ ବର୍ଷଣ କରୁଥିଲେ । କାମିନୀମାନଙ୍କର ସୁବିପୁଳ ସ୍ତନ ଓ ଜଘନ କାମତାପରେ କ୍ରୂସ ହେଉଥିଲା । ତୁଳା ପରି ଶରୀର ଶଯ୍ୟାଶାୟୀ ହେଉଥିଲା । ମାତ୍ର ଏ ବିଚ୍ଛେଦ ଥିଲା ସାମୟିକ । ଅଭିଶାପର ମାୟା ଉତୁରି ଯାଉଥିଲା । ସମୟକ୍ରମେ ସେମାନେ ପୁଣି ମିଳିତ ହେଉଥିଲେ । ସେମାନଙ୍କ କାମ ତୃଷା ପୂର୍ଣ୍ଣ ହେଉଥିଲା କରଜ ଓ ଦନ୍ତ କ୍ଷତରେ ଦେହ ଦରଜ ହେଉନଥିଲା । ବରଷିକାର ନାଦରେ ଗଜଦନ୍ତ ପଲଙ୍କ କଟ କଟ ଡାକୁଥିଲା । ପୁଣି ସ୍ଫୀତ ହେଉଥିଲା ସେମାନଙ୍କର ସୁବିପୁଳ ସ୍ତନ ଓ ଜଘନ । କାମକୂପରେ ଦେଖା ଦେଉଥିଲା ଅଦ୍ଭୁତ ଉଦ୍‌ବେଳନ ଏବଂ ସେମାନଙ୍କର ସୁଦୀର୍ଘ ବିଚ୍ଛେଦାନ୍ତ ମିଳନ ମୁହୂର୍ତ୍ତର ନଗ୍ନ ବର୍ଣ୍ଣନା ପରେ ପରେ ବିମୁଗ୍ଧ ଓ ବିଦଗ୍ଧ କବିମାନଙ୍କର ଲେଖନୀର ରସ ମଧ୍ୟ ଶୁଖିଯାଇଥିଲା । ସେମାନଙ୍କ କବି ଜୀବନର ସକଳ ଅନୁରାଗ ନାୟକ ନାୟିକା ମିଳନର ରାଗମୟତାରେ ଯେମିତି ହୋଇଯାଇଥିଲା ଶୀର୍ଣ୍ଣ, ଶୁଷ୍କ ବର୍ଷା ଋତୁରେ ପିକ ପରି ନୀରବ ।

 

୨.୩ କାଳ୍ପନିକ କାବ୍ୟଗୁଡ଼ିକ ଠାରୁ ମହାକାବ୍ୟ, ପୁରାଣ ଓ ଦର୍ଶନ ଆଧାରିତ କାବ୍ୟଗୁଡ଼ିକର କାହାଣୀ କିଛି ପରିମାଣରେ ସ୍ୱତନ୍ତ୍ର । ରାମବିଭା, ରୁକ୍ମଣୀ ବିଭା ଓ ଉଷାଭିଳାଷ କାବ୍ୟର କଥା ଓ ବର୍ଣ୍ଣନାରୀତି କାଳ୍ପନିକ କାବ୍ୟଗୁଡ଼ିକର ପ୍ରାୟ ଅନୁରୂପ । ମାତ୍ର ଦେବ ଦୁର୍ଲ୍ଲଭଙ୍କ ରହସ୍ୟ ମଞ୍ଜରୀ, ଭୂପତି ପଣ୍ଡିତଙ୍କ ପ୍ରେମ ପଞ୍ଚାମୃତ, ବୃନ୍ଦାବତୀ ଦାସୀଙ୍କ ଉର୍ଣ୍ଣତମ ଚନ୍ଦ୍ରୋଦୟ, ଚାନ୍ଦ କବିଙ୍କ ଗୋପୀ ଚନ୍ଦନ ଓ ଦୀନକୃଷ୍ଣଙ୍କ ରସକଲ୍ଲୋଳ ଅନ୍ୟ କାବ୍ୟଗୁଡ଼ିକ ଠାରୁ ବହୁ ଦୃଷ୍ଟିରୁ ଭିନ୍ନ କୋଟିର । ବୈଷ୍ଣବ ରସତତ୍ତ୍ୱ ଆଧାରିତ କାବ୍ୟଗୁଡ଼ିକରେ ପ୍ରେମର ଧାରା ତ୍ରିମୁଖୀ ଓ ପରକୀୟା । ତତ୍ତ୍ୱ ଓ ରସ ଅବଗାହୀ କବିମାନେ ବେଶ୍‌ ସଚେତନ ଭାବରେ ପ୍ରୀତି ରଙ୍କୁଣୀମାନଙ୍କର ନାରୀ ଜନୋଚିତ ସ୍ୱାଭାବିକ ଈର୍ଷା, ମାନସିକ ଦ୍ୱନ୍ଦ୍ୱ ଓ ଆତ୍ମସମର୍ପଣୀ ଭାବକୁ ଚିତ୍ତ ଉଲ୍ଲାସକ ରୀତିରେ ଉପସ୍ଥାପନ କରିଛନ୍ତି । ତତ୍ତ୍ୱ – ଆରୋପିତ ଚରିତ୍ରମାନଙ୍କର ସାଧାରଣୀକରଣ ଘଟିଛି । ସାଧାରଣୀମାନେ ସଚେତନ କବି ଲେଖନୀରେ ହୋଇଛନ୍ତି ଅସାଧାରଣ ଓ ତତ୍ତ୍ୱ-କେନ୍ଦ୍ରିକ ।

 

୨.୩.୧.      ମନ ନିୟନ୍ତ୍ରିତ ମଣିଷ ସଂସାରରେ ସବୁଠାରୁ ବେଶି ଭଲପାଏ ନିଜକୁ । ଦେହ କ୍ଷମତା ଓ ଅର୍ଥର କ୍ଷୁଧା ତା’ର ଅତି ପ୍ରବଳ । ତା’ ଚେତନା ଆକାଶରେ ଯେତେ ଝଡ଼ ଦେଖାଦିଏ ସବୁ ମୂଳରେ ଥାଏ ସେଇମାନଙ୍କର ପ୍ରୟୋଜନ । ଜଣେ ଆର ଜଣକର ରୂପ, ଗୁଣ, ବିଭବ ଓ କ୍ଷମତାର ଜାଲରେ ଧରା ଦେଲାପରେ ପ୍ରିୟତମ ବା ପ୍ରିୟତମାମନସ୍କ ଜୀବନ ବଞ୍ଚିବା ତା ପକ୍ଷରେ ଆଦୌ ଅସ୍ୱାଭାବିକ ନୁହେଁ । ସେ ଆର ଜଣକ ଭିତରେ ନିଜକୁ ଅନୁଭବ କରିବା ପାଇଁ ଯେପରି ସବୁବେଳେ ବ୍ୟାକୁଳ ହେଉଥାଏ । ମୁହୂର୍ତ୍ତକର ବିଚ୍ଛେଦ ଲାଗେ ଯୁଗ ପରି । କଳ୍ପଲତା କାବ୍ୟରେ ଅପ୍‌ସରା ସୁରେଖା ଇନ୍ଦ୍ରଙ୍କ ଆଦେଶରେ ଦେବ ସଭାରେ ନୃତ୍ୟ କରିବାକୁ ଯାଇଛି । ଗଲାବେଳେ ପ୍ରେମିକ ବସନ୍ତ ମନା କରିଯାଇଛି ସଭାକୁ ନଯିବା ପାଇଁ । ମାତ୍ର ବସନ୍ତକ ନୃତ୍ୟନିପୁଣା ପ୍ରିୟତମାର ଲାସ୍ୟ ଅନୁଭବିବାର ଆସକ୍ତିରୁ ନିଜକୁ ମୁକ୍ତ ରଖିପାରିନି । ସେ ସଭାକୁ ଯାଇଛି । ଦର୍ଶକମାନଙ୍କ ମେଳରେ ବସି ସୁରେଖା ଭିତରେ ନିଜକୁ ହଜେଇ ଦେଇଛି ଏବଂ ବିଚାରୀ ସୁରେଖା ପ୍ରିୟତମର ଚେତନା ବିମ୍ବରେ ନିଜକୁ ଦେଖିଦେଲା ପରେ ତା’ର ଚଞ୍ଚଳ ପାଦରେ ବେଡ଼ି ପଡ଼ିଛି । ତା’ ଜଗତ ହୋଇଛି ବସନ୍ତକମୟ । (କଳ୍ପଲତା – ୧-୫୫-) ଇଚ୍ଛାବତୀ କାବ୍ୟରେ ବ୍ରହ୍ମର୍ଷି ନାରଦଙ୍କ ଚିତ୍ତକୁ ଅସ୍ଥିର କରିବା ପାଇଁ ଦେବରାଜ ଇନ୍ଦ୍ର ନୃତ୍ୟ ନିପୁଣା କଳାବତୀର ସାହାଯ୍ୟ ଲୋଡ଼ିଛନ୍ତି । ମାତ୍ର କଳାବତୀ ପ୍ରେମିକ କଳାବନ୍ତୀର ଗାଢ଼ ଆଲିଙ୍ଗନରୁ ମୁକ୍ତ ହୋଇପାରିନି । ଫଳତଃ ଅପରାଧ ପାଇଁ ଇନ୍ଦ୍ରଙ୍କ ଦ୍ୱାରା ଅଭିଶାପଗ୍ରସ୍ତ ହୋଇଛି । (ଧନଞ୍ଜୟ : ଇଚ୍ଛାବତୀ : ପ୍ରଥମ ଛାନ୍ଦ) ଅନଙ୍ଗରେଖା କାବ୍ୟରେ ପ୍ରେମିକ ପୁଷ୍ପଦନ୍ତକୁ ନୃତ୍ୟଶାଳାରେ ଦେଖି ମଦାଳସୀର ମତିଭ୍ରମ ହୋଇଛି । ଫଳତଃ କାମ ବିଭଳିତା ନିର୍ଭକୀ ମଞ୍ଚ ଉପରକୁ ଆସିବା ଲାଗି ବାଧ୍ୟ ହୋଇଛି । (ଧନଞ୍ଜୟ : ଅନଙ୍ଗରେଖା – ପ୍ରଥମ ଛାନ୍ଦ) ନରସିଂହ ରେତାଙ୍କ ପରିମାଳା ମଧ୍ୟ ସ୍ୱର୍ଗର ନୃତ୍ୟ ପଟ୍ଟିୟସୀ ତିଳୋତ୍ତମା । ଚିତ୍ରରଥ ଗନ୍ଧର୍ବ ସହିତ ନିଷିଦ୍ଧ ସମ୍ପର୍କ ଥିବା ଅପରାଧରେ ସେ ଅଭିଯୁକ୍ତା । ପ୍ରତ୍ୟେକ ଯେପରି ସମ୍ମିଳନର ଦୁର୍ବାର ଆସକ୍ତିରେ ଛଳ ଛଳ, ବିକଳ ଏବଂ ଏହି ବୈକଲ୍ୟ ହିଁ ସେମାନଙ୍କ ସ୍ୱାଭାବିକ ଜୀବନଯାତ୍ରାରେ ଅଶୁଭକାଳ ।

 

୨.୩.୨ କଳ୍ପଲତା, ଇଚ୍ଛାବତୀ, ଶଶିରେଖା, ପରିମଳ, ପ୍ରେମଲୋଚନା, ଅନଙ୍ଗରେଖା, କଳାବତୀ, ମଦାଳସାମାନେ ଅଭୀପ୍‌ସିତ ପୁରୁଷମାନଙ୍କର ଚିତ୍ରପଟ୍ଟ ଦେଖି, ସେମାନଙ୍କର ରୂପ ଓ ଗୁଣର ବର୍ଣ୍ଣନା ଶୁଣି, ଅଙ୍ଗ ସଙ୍ଗ ପାଇଁ ଏତେ ବ୍ୟାକୁଳ ହୋଇଛନ୍ତି ଯେ, ସାରା ଜଗତ ସେମାନଙ୍କୁ କୁମାରମୟ ବୋଧ ହୋଇଛି । କୁମାରମାନେ ମଧ୍ୟ ବାତୁଳଙ୍କ ପରି କାମାତୁଣୀମାନଙ୍କୁ ଖୋଜିଛନ୍ତି । ବିରହ ଜ୍ୱାଳା ସହିନପାରି ଅନ୍ନଜଳ ଛାଡ଼ି ଦେଇଛନ୍ତି । ଜଗତର ସବୁ କିଛି ସେମାନଙ୍କୁ ବିଷ ପରି ବୋଧ ହୋଇଛି । ଦେହ କ୍ଷୀଣ ହୋଇଛି । ବର୍ତ୍ତମାନ ହୋଇଛି ଦୁଃସହ । କଣ୍ଠ ଶୁଷ୍କ । ଲୋଚନ ଲୋହିତ ଓ ଅଶ୍ରୁବିଗଳିତ । ସକଳଙ୍କ ଚିତ୍ତକୁ ଉଦ୍‌ବେଗ ଗ୍ରାସ କରିଛି । ବିରହ ବେଦନା ହୋଇଛି ଅଣାୟତ୍ତ । ପ୍ରେମରେ ପଡ଼ିଲେ ମନରେ ଯେ କେତେ ବିକାର ଦେଖାଦିଏ, ପ୍ରେମିକ ପ୍ରେମିକାଙ୍କ ବଚନ, ଆଚରଣ ଓ ଅଙ୍ଗଭଙ୍ଗୀ ଯେ ମନର ବିକୃତି ପ୍ରତିଫଳିତ ହୁଏ – କବିମାନେ ମନ ବିଜ୍ଞାନୀଙ୍କ ପରି ଆପଣା ଚରିତ୍ରମାନଙ୍କ ମାଧ୍ୟମରେ ପ୍ରକାଶ କରିଛନ୍ତି । ମାତ୍ର ପ୍ରେମ ପରିବର୍ତ୍ତେ ଦେହ କ୍ଷୁଧା ସେମାନଙ୍କୁ ଏମିତି ଅଣାୟତ୍ତ କରିଛି ଯେ, ତାପର ପରିଦୃପ୍ତି ପାଇଁ ସେମାନେ କେତେ କୋଳାହଳ କରିଛନ୍ତି । ତାକୁ ଯଉବନର ଉପଯୋଗ ଓ ଉପଭୋଗ ଆକାଂକ୍ଷା ପ୍ରେମର ସୂକ୍ଷ୍ମ ଅବବୋଧଠାରୁ ଯେପରି ସେମାନଙ୍କୁ ଦୂରକୁ ନେଇଯାଇଛି । ଶୃଙ୍ଗାରରସ ପରିଚର୍ଚ୍ଚାବିଳାସୀ କବିମାନେ ସୌନ୍ଦର୍ଯ୍ୟ ରୁଚିବୋଧକୁ ସମୁଝି ପାରିନାହାନ୍ତି । ଏପରିକି ଶୃଙ୍ଗାର କହିଲେ ଶରୀରର ସଂଯୋଗ କଥା ଇ ବୁଝିଛନ୍ତି ।

 

୨.୩.୩. ନାୟକ ନାୟିକାଙ୍କ ମିଳନାକାଙ୍‌କ୍ଷା ବର୍ଣ୍ଣନା ପ୍ରଗଳ୍‌ଭ କବିମାନେ ବେଳେବେଳେ କାହାଣୀରେ ଭିନ୍ନତା ଆଣିବା ପାଇଁ ଯେ ଚେଷ୍ଟା କରିନାହାନ୍ତି ତାହା ନୁହେଁ; ମାତ୍ର ସେପରି ମାନସିକତାର ଦୃଷ୍ଟାନ୍ତ ଖୁବ୍‌ ଅଳ୍ପ । କଳ୍ପଲତା କାବ୍ୟରେ ନାୟିକା କଳ୍ପଲତା ଅମର ଶିଖରକୁ ଭଲପାଇଛି । ବାପାଙ୍କ ନିର୍ବାଚିତ ବର ଅମରତିଳକକୁ ସେ ଗ୍ରହଣ କରିପାରିନି । ବାପାଙ୍କୁ କିଛି ନ କହି ଦୁର୍ବିସହ ଦୁଃଖ ଓ ଅନୁଶୋଚନାରେ ପଇଡ଼ପାଣି, କର୍ପୂର ଓ ଲେମ୍ବୁରସରେ ପ୍ରସ୍ତୁତ ପାଚନ ପିଇ ଆତ୍ମହତ୍ୟା କରିଛି ଏବଂ ପ୍ରିୟ ସହଚରୀକୁ ମା’ଙ୍କ ପାଖକୁ ପଠାଇଛି ମିଠା ଆଣିବା ପାଇଁ । ନିଜ ଇଚ୍ଛାରେ ମୃତ୍ୟୁବରଣ କରୁଥିବା କଥା କାହା ଆଗରେ କହିନାହାନ୍ତି । (ଅର୍ଜ୍ଜୁନ ଦାସ : କଳ୍ପଲତା ୫-୫୦) ବିଷ୍ଣୁଦାସଙ୍କ ପ୍ରେମଲୋଚନା ବାପାଙ୍କ ସ୍ୱୟମ୍ବର ଆୟୋଜନରେ ଆଦୌ ସୁଖୀ ହୋଇପାରି ନାହାନ୍ତି । ପ୍ରେମିକ ରାଜପୁତ୍ର ସୁଧାକର ସ୍ୱୟମ୍ବର ସଭାକୁ ଆସି ନପାରିବାର ସମ୍ଭାବନାରେ ବିକଳ ହୋଇଛନ୍ତି । ସଭାକୁ ଅବଶ୍ୟ କୁମାର ଆସିଛନ୍ତି । ମାତ୍ର ତାଙ୍କୁ ଚିହ୍ନି ନ ପାରି ଭୟ ଓ ଆଶଙ୍କାରେ ମ୍ରିୟମାଣ କୁମାରୀ କାହାରି ଗଳାରେ ବରଣମାଳା ନଦେଇ ଫେରି ଆସିଛନ୍ତି, ମୂର୍ଚ୍ଛିତ ହୋଇଛନ୍ତି । (ବିଷ୍ଣୁଦାସ : ପ୍ରେମଲୋଚନ ୧୧-୭୦-) କବି ନରସିଂହ ଚରଣଙ୍କ ପରିମଳା କାବ୍ୟରେ ନାୟିକାର ପ୍ରେମ ଦ୍ୱିମୁଖ । ସ୍ୱର୍ଗର ଅଭିଶପ୍ତ ଅପ୍‌ସରା ତିଳୋତ୍ତମା ମର୍ତ୍ତ୍ୟର ପରିମଳା । ସେ ରାଜାଘରେ ଜନ୍ମ ହୋଇଛନ୍ତି । ମକରକେତୁ ନାମକ ରାଜକୁମାରଙ୍କୁ ଭଲ ପାଇଛନ୍ତି । ପନ୍ଦର ବର୍ଷ ବୟସରେ ରଜବତୀ ହୋଇଛନ୍ତି । ୠତୁସ୍ନାନ ରାତିରେ ପ୍ରିୟ ସହିତ ମିଳିତ ହେବା ପାଇଁ ବିକଳ ହୋଇଛନ୍ତି । ମାତ୍ର ତାଙ୍କ ପାଖକୁ ଆସିଛନ୍ତି ସ୍ୱର୍ଗର ପ୍ରେମିକ ଚିତ୍ରରଥ । ସେମାନେ ଦେହଭୋଗରେ ମତ୍ତ ରହିଛନ୍ତି ଏବଂ ଚିତ୍ରରଥ ସ୍ୱର୍ଗକୁ ଫେରିଗଲା ବେଳେ ପରିମଳାକୁ ପରାମର୍ଶ ଦେଇଛନ୍ତି ସ୍ୱର୍ଗରୁ କୌଣସି ସଂକେତ ନପାଇବା ପର୍ଯ୍ୟନ୍ତ ଆଉ କାହାକୁ ଦେହ ନଦେବା ପାଇଁ । ପରିମଳ ଓ ମକରକେତୁଙ୍କ ମଧ୍ୟରେ ଯଥା ସମୟରେ ପରିଣୟ ହୋଇଛି ଏବଂ ତାଙ୍କ ବିନା ଅନୁମତିରେ ଅଙ୍ଗ ସ୍ପର୍ଶ ନକରିବା ପାଇଁ ପରିମଳା ସ୍ୱାମୀ ସହ ସର୍ତ୍ତ ରଖିଛନ୍ତି । ସ୍ୱାମୀଙ୍କୁ ଦୂରରେ ରଖି ଚିତ୍ରରଥ ସହିତ ସେ ପରକୀୟା ପ୍ରୀତିରେ ମଜ୍ଜି ରହିଛନ୍ତି । ପରିମଳା ମନସ୍କ ମକରକେତୁ କିନ୍ତୁ ସୁନ୍ଦରୀ ପତ୍ନୀକୁ ପାସୋରି ପାରିନାହାନ୍ତି । ଜ୍ଞାନନନ୍ଦ ନାମକ ଯୋଗୀଙ୍କର ସେ ସାହାଯ୍ୟ ନେଇଛନ୍ତି । ତାଙ୍କଠାରୁ ମନ୍ତ୍ରଲାଭ କରି ସ୍ୱର୍ଗକୁ ଯାଇଛନ୍ତି । ଦୁର୍ଲ୍ଲଭ ପୁଷ୍ପ ପାରିଜାତ ତୋଳି ଆଣି ପତ୍ନୀକୁ ଉପହାର ଦେଇଛନ୍ତି । ତୁଷ୍ଟ ପରିମଳା ମକରକେତୁ ନିକଟରେ ନିଜକୁ ସମର୍ପଣ କରିଛନ୍ତି ଏବଂ ଶାପମୋଚନ ପରେ ପରିମଳା ତିଳୋତ୍ତମା ବେଶରେ ଫେରି ଯାଇଛନ୍ତି ସ୍ୱର୍ଗକୁ । ମାତ୍ର ସ୍ୱର୍ଗ ପତ୍ନୀକୁ ପାଇବା ପାଇଁ ମକରକେତୁ କମ୍‌ ସାଧନା କରିନାହାନ୍ତି । ସେ ସ୍ୱର୍ଗକୁ ଯାଇଛନ୍ତି । ତିଳୋତ୍ତମାକୁ ଭେଟିଛନ୍ତି । ତିଳୋତ୍ତମା ସ୍ୱୀକାର କରିଛନ୍ତି ମକରକେତୁର ଦେହ ଓ ମନକୁ । ମାତ୍ର ଚିତ୍ରରଥ ସେମାନଙ୍କ ଚୋରା ପ୍ରୀତିକୁ ଧରିପାରିଛନ୍ତି । ଦିନେ ରାତିରେ ନିଜ ଘରେ ମକରକେତୁକୁ ଦେଖି ରାଗରେ ତାଙ୍କୁ ସମୁଦ୍ରକୁ ଫିଙ୍ଗି ଦେଇଛନ୍ତି । ମକରକେତୁ ମରିନାହାନ୍ତି । । ସେ ଅଗ୍ନିକ ୠଷିଙ୍କୁ ତପସ୍ୟା କରିଛନ୍ତି । ତାଙ୍କ ଠାରୁ ଶ୍ରୀକୃଷ୍ଣ ଗୋପାଳ ମନ୍ତ୍ର ଲାଭ କରିଛନ୍ତି । ସ୍ୱର୍ଗକୁ ଯାଇଛନ୍ତି । ଇନ୍ଦ୍ର ସଭାରେ ବଂଶୀ ବଜେଇ ଦେବରାଜଙ୍କୁ ତୁଷ୍ଟ କରିଛନ୍ତି ଏବଂ ପୁରସ୍କାର ସ୍ୱରୂପ ତିଳୋତ୍ତମାକୁ ପାଇଛନ୍ତି । କବି ନରସିଂହ ଜଣେ ଦକ୍ଷ ମନୋବିଜ୍ଞାନୀ ପରି ପରିମଳା, ଚିତ୍ରରଥ ଓ ମକରକେତୁଙ୍କ ମାନସିକ ଅବସ୍ଥାକୁ ଚିତ୍ରଣ କରିଛନ୍ତି ।

 

୨.୩.୪. ଧନଞ୍ଜୟ ଭଞ୍ଜଙ୍କ ଅରଜୋବତୀ ନାୟିକା ଇଚ୍ଛାବତୀ ଗୁରୁଗୃହକୁ ପଢ଼ିବାକୁ ଯାଇଥିଲା ବେଳେ ରାଜପୁତ୍ର ମଧୁକରଙ୍କର ପ୍ରେମରେ ପଡ଼ିଛନ୍ତି । ପଢ଼ା କାଳରେ ତାଙ୍କ ହାତରୁ ଖଡ଼ି ଗଡ଼ିଯାଇଛି । ଖଡ଼ି ଗୋଟାଇ ଦେବାପାଇଁ ସେ କୁମାରଙ୍କୁ ଅନୁରୋଧ କରିଛନ୍ତି ଏବଂ ମଧୁକର ଇଚ୍ଛାବତୀଙ୍କ ହାତରେ ଖଡ଼ି ଧରେଇ ଦେଇ ସାରାଜୀବନ ପାଇଁ ହାତଧରିବାର ପ୍ରତିଶୃତି ଆଦାୟ କରିଦେଇଛି ଇଚ୍ଛାବତୀ କହିଛନ୍ତି – ତୁ ଯାହା ବୋଲିବୁ ମୁଁ ତାହା କରିବି ।

 

ଏ କଥା ମୋର ସମ୍ମତ । (ଇଚ୍ଛାବତୀ ୨-୩୨) ଏବଂ ନବଯୌବନ ଲାଭ କରି କୁମାରୀ ଆଉ ବିଦ୍ୟାଳୟକୁ ନ ଆସିବାରୁ କୁମାର କାମ ତା’ପରେ ଘାରି ହୋଇଛନ୍ତି ।

 

ପଢ଼ିବାର ବିଦ୍ୟାମାନ ସବୁ ପାସୋରିଲା

ଖାଇବା ଖେଳିବା ଆଉ ମନ ନଘେନିଲା

ଏକ ଇଚ୍ଛାବତୀ ତା’ର

ମରମ ଦହଇ ତା’ର ମନମଥ ଖର ।

(ଇଚ୍ଛାବତୀ ୪-୬)

 

ବାପା ମା’ଙ୍କର ଅଜାଣତରେ ଇଚ୍ଛାବତୀ ଓ ମଧୁକର ପରସ୍ପର ସହିତ ମିଳିତ ହୋଇଛନ୍ତି-। ତାପକୁ ଶୀତଳ କରିଛନ୍ତି । କୁମାରୀଙ୍କର ମୁହୂର୍ତ୍ତକର ଅନୁପସ୍ଥିତି ତାଙ୍କ ପାଇଁ ଅସହ୍ୟ ହୋଇଛି । କୁମାର ନାରୀ ବେଶରେ ବାରମ୍ବାର ଉଆସ ଭିତରେ ପ୍ରବେଶ କରିଛନ୍ତି । ମାତ୍ର ଦିନେ ବାତୁଳଙ୍କ ପରି ପ୍ରାସାଦ ପାଖରେ ବୁଲୁଥିଲା ବେଳେ ପ୍ରହରୀମାନଙ୍କ ହାତରେ ଧରାପଡ଼ିଛନ୍ତି । ରାଜସଭାରେ ତାଙ୍କୁ ପ୍ରାଣଦଣ୍ଡର ଆଦେଶ ଦିଆଯାଇଛି । ଘାତକ ତାଙ୍କୁ ଶ୍ମଶାନକୁ ନେଇଛନ୍ତି । ମୃତ୍ୟୁ ପୂର୍ବରୁ ଈଶ୍ୱରଙ୍କ ନାମ ନେବାପାଇଁ ପରାମର୍ଶ ଦିଆଯାଇଛି । ମାତ୍ର ମଧୁକର ଈଶ୍ୱରଙ୍କ ପରିବର୍ତ୍ତେ କୁମାରୀଙ୍କର ନାମ କୀର୍ତ୍ତନ କରିଛନ୍ତି । କହିଛନ୍ତି – ସେ ମୋର ଈଷ୍ଟଦେବତା, ରସକୁଶଳା, ସେ ମୋର ପରମାନନ୍ଦ, ଜନ୍ମଜନ୍ମାନ୍ତରର ରତି ଏବଂ ‘ପ୍ରିୟା ଲାଗି ଯେବେ ପରାଣ ତେଜିବି ହେବି ରସିକ ଅଗ୍ରଣୀ’’ (ଇଚ୍ଛାବତୀ ୧୦-୪୬) ଅନଙ୍ଗରେଖା ନାମକ ଅନ୍ୟ ଏକ କାବ୍ୟରେ ଧନଞ୍ଜୟ ନାୟିକା ପ୍ରେମର ଏକାଗ୍ରତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ପୁଷ୍ପଦନ୍ତ ନାମକ ଗନ୍ଧର୍ବ କୁମାରୀ ଅନଙ୍ଗରେଖାକୁ ଉପଭୋଗ କରିବା ପାଇଁ କେତେ ଚକ୍ରାନ୍ତ କରିଛନ୍ତି । ଛଦ୍ମବେଶରେ ତାଙ୍କ ପାଖକୁ ଯାଇଛନ୍ତି । ରାଜକୁମାରଙ୍କୁ ମଧ୍ୟ ଅନଙ୍ଗରେଖାଙ୍କ ଠାରୁ ଦୂରେଇ ଦେଇଛନ୍ତି । ତଥାପି ସେ ସଫଳ ହୋଇପାରି ନାହାନ୍ତି । ବରଂ କୁମାରୀ ପାଦ ଆଙ୍ଗୁଳିରେ ମାଟିରେ ନିଜ ମନ କଥା ଲେଖି ଦେଇଛନ୍ତି ଏବଂ ଅଗ୍ନିରେ ଝାସ ଦେବା ପାଇଁ ଗନ୍ଧର୍ବକୁ ଚେତେଇ ଦେଇଛନ୍ତି । (ଅନଙ୍ଗ ରେଖା ୧୨-୫୨) ।

 

୨.୩.୫. ଦୀର୍ଘକାଳର ବିଚ୍ଛେଦ ପରେ ପ୍ରେମିକ ପ୍ରେମିକାଙ୍କ ମିଳନର ଅନୁଭବ କାଳେ ଅପ୍ରକାଶ୍ୟ । ଅଧିକ ସୁଖକର । ଅର୍ଜ୍ଜୁନ ଦାସ, ବିଷ୍ଣୁଦାସ ଆପଣା ଆପଣାର କାବ୍ୟଗୁଡ଼ିକରେ ବେଶ୍‌ ଭାବଗର୍ଭୀ ଭାଷାରେ ଅନୁଭବକୁ ବ୍ୟକ୍ତି କରିଛନ୍ତି । ଅଠର ମାସ ଦେଶାନ୍ତରୀ ହେବା ପରେ ମଧୁକର ଘରକୁ ଫେରିଛନ୍ତି ଏବଂ ‘ପ୍ରେମଲୋଚନା’ ଆଗରେ ଠିଆ ହୋଇ ଭାବିଛନ୍ତି –

 

କେମନ୍ତ ହୋଇବ ବାଳା ଅନାଇଁ ମୋତେ

ସ୍ପର୍ଶମନରଥ ବାଧା କରିବ ତୁରିତେ (୪/୨୦)

ଆଖିର ଲୁହରେ ସେ ପାଦ ଧୋଇ ଦେବ,

ଆଲିଙ୍ଗନ କରିବ ଏବଂ ପଚାରିବ-

ପଚାରିବ ମୋତେ ତେଜି କେଉଁ କାମିନୀ

ଘେନି ବଞ୍ଚୁଥିଲ ୟେ ଦିବସ ରଜନୀ । (୭/୨୦)

 

ମାତ୍ର କେହି କାହାକୁ କିଛି କହିପାରି ନାହାନ୍ତି । ସକଳ ଅଭିମାନ ମୁହୂର୍ତ୍ତକ ମଧ୍ୟରେ ହରେଇ ଯାଇଛି । ଚିତ୍ରପଲିଖନ ପରାୟେ ଉଭା ହୋଇଥିବା ବେନି ଜନେ ହଜି ଯାଇଛନ୍ତି ନିଜ ନିଜ ଭିତରେ (ପ୍ରେମଲୋଚନା ୭-୨୮-୩୦) ଅର୍ଜ୍ଜୁନ ଦାସ କଳ୍ପଲତା କାବ୍ୟରେ ନାୟକ ନାୟିକାଙ୍କ ଗାଢ଼ ଆଲିଙ୍ଗନକୁ ଲୁହା ଓ ଚୁମ୍ବକର ସମ୍ପର୍କ ସହିତ ତୁଳନା କରିଛନ୍ତି । ବିଷ୍ଣୁ ଦାସଙ୍କ କଳାବତୀ କାବ୍ୟରେ କାଠ କଣ୍ଢେଇ ପରି କିଛି କହୁନଥିବା ତବଦ ହୋଇ ବସି ରହିଥିବା ନାୟିକା ହଠାତ୍‌ ନୃତ୍ୟ ଚଞ୍ଚଳ ହୋଇ ଉଠିଛି । (କଳାବତୀ – ୪-୫୨) ଅପେକ୍ଷା ଓ ଉଦ୍‌ବେଗର ଶେଷ ହୋଇଛି । ତେଣୁ ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାର, ପ୍ରାକ୍‌ ଯୌବନ ଓ ପରକୀୟା ପ୍ରେମରେ ଆବିଷ୍ଟ ଚରିତ୍ରମାନଙ୍କ ମନର ଅବସ୍ଥା ଉପସ୍ଥାପନରେ ପ୍ରାକ୍‌ ଭଞ୍ଜ ଯୁଗୀୟ କବିମାନେ ଯେ ସମର୍ଥ ହୋଇଛନ୍ତି – ଯୁଗୀୟ ମନସ୍ତତ୍ତ୍ୱ ଆଧାରରେ ଏହା ସ୍ୱୀକାର କରାଯାଇପାରେ । (କ୍ରମଶଃ)

 

 

ସରକାରୀ କଲେଜ୍‌,

ଅନୁଗୋଳ

 

***

 

Unknown

ଓଡ଼ିଆ ନାଟକ ଆଦିପର୍ଯ୍ୟାୟର ବିଭା ଓ ବିଭବ

ଡକ୍ଟର ଧରଣୀଧର ନାୟକ

 

ଉନବିଂଶ ଶତାବ୍ଦୀର ସଂସ୍କାର ଆନ୍ଦୋଳନ ଓ ଜାତୀୟ ଚେତନା ଓଡ଼ିଆ ନାଟକ କ୍ଷେତ୍ରରେ କେବଳ ଜଗନ୍‌ମୋହନ ଓ ରାମଶଙ୍କରଙ୍କୁ ଯେ ପ୍ରଭାବିତ କରିଥିଲା ତା’ ନୁହେଁ ସମକାଳୀନ ଅନ୍ୟାନ୍ୟ ବହୁ ନାଟ୍ୟକାରଙ୍କୁ ମଧ୍ୟ ଏହା ଅନୁପ୍ରାଣିତ କରିଥିଲା । ଓଡ଼ିଶାର ସୌଭାଗ୍ୟକୁ ଗଡ଼ଜାତ ଅଞ୍ଚଳର ରାଜା ମହାରାଜାମାନେ କେବଳ ଯେ ଓଡ଼ିଆ ନାଟ୍ୟକଳାର ପୃଷ୍ଠପୋଷକ ଥିଲେ ତା’ ନୁହେଁ ଅଧିକନ୍ତୁ ସେମାନେ ନାଟକ ରଚନା କରି ସ୍ଥାୟୀ ରଙ୍ଗମଞ୍ଚ ପ୍ରତିଷ୍ଠା ସହିତ ଅଭିନୟ ପ୍ରଦର୍ଶନ କରାଇ ଏହି ଆନ୍ଦୋଳନକୁ ଜୋର୍‌ଦାର କରି ତୋଳିଥିଲେ ।

 

ଇଂରେଜ ସାମ୍ରାଜ୍ୟବାଦ ଉତ୍କଳକୁ ସମ୍ପ୍ରସାରିତ ହେବାବେଳକୁ ଭାରତ ବର୍ଷର ବହୁରାଜ୍ୟ ଇଷ୍ଟଇଣ୍ଡିଆ କମ୍ପାନୀ ଅଧୀନକୁ ଆସିସାରିଥିଲା । ୧୮୦୩ ଖ୍ରୀଷ୍ଟାବ୍ଦରେ ମରହଟ୍ଟା ଶକ୍ତିକୁ ପରାହତ କରି ବାରବାଟୀ ଦୁର୍ଗକୁ ଇଂରେଜମାନେ ଅଧିକାର କରିବାପାରେ ଓଡ଼ିଶାରେ ଇଂରେଜ ଶାସନ ଆରମ୍ଭ ହେଲା । ସେ ସମୟରେ ଓଡ଼ିଶାର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା । ଇଂରେଜମାନେ ଶାସନ କ୍ଷମତାକୁ ଆସିବା ପରେ ଓଡ଼ିଶାର ରାଜନୈତିକ ଜୀବନ ଯେ କେବଳ କଳଙ୍କିତ ହେଲା ତାହା ନୁହେଁ, ଅର୍ଥନୈତିକ ଜୀବନ ମଧ୍ୟ ହେଲା ବିପର୍ଯ୍ୟସ୍ତ ଏବଂ ସାମାଜିକ ଜୀବନରେ କୁସଂସ୍କାର ଓ ଅନ୍ଧବିଶ୍ୱାସର କାଳରାତ୍ରିକୁ ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତିର କେତେକ ଅପଚାର ଅଧିକ ଘନୀଭୂତ କରିଦେଲା । ଗୋଟିଏ ଦିଗରେ ଏଭଳି ବିପର୍ଯ୍ୟୟ ପରିଦୃଷ୍ଟ ହେଉଥିବାବେଳେ ଅନ୍ୟ ଦିଗରେ ଜାତିର ଅନ୍ତରାତ୍ମା ସତେଯେପରି ସକଳ ଅବସାଦ ଅଭିଶାପ ଏବଂ ବିପର୍ଯ୍ୟୟରୁ ମୁକ୍ତିପାଇଁ ନିଭୃତରେ ତପସ୍ୟା କରୁଥିଲା । ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଆମ ପାଇଁ ଆଣିଥିଲା ଦାସତ୍ୱର ଶୃଙ୍ଖଳ, ପରାଧୀନତାର କଳଙ୍କ, ଅନେକ ଲାଞ୍ଛନା ଓ ଅଭିଶାପ କିନ୍ତୁ ଦ୍ୱିତୀୟାର୍ଦ୍ଧ ନେଇ ଆସିଲା ଅନେକ ଆଶୀର୍ବାଦ ସାଙ୍ଗକୁ ଅମୃତର କୂଳପ୍ଳାବିନୀ ଧାରା ଓ ନବୋଦିତ ସୂର୍ଯ୍ୟଙ୍କର ଶୁଦ୍ଧପୂତ ନିର୍ମଳ ଆଲୋକ । ଏ ଶତାବ୍ଦୀର ପ୍ରଥମାର୍ଦ୍ଧ ଆମ ପାଇଁ ନେଇ ଆସିଥିଲା ହଳାହଳ କିନ୍ତୁ ଦ୍ୱିତୀୟାର୍ଦ୍ଧ ଆମକୁ ଅମୃତର ସ୍ୱାଦ ଆଣି ଦେଇଥିଲା ।

 

ଇଂରେଜ ଶାସନ ସହିତ ଏ ଦେଶକୁ ଆସିଥିଲା ସେ ଦେଶର ଶିକ୍ଷା, ସଂସ୍କୃତି ଓ ସଭ୍ୟତା-। ଏହା ଧୀରେ ଧୀରେ ତା’ର ପକ୍ଷ ବିସ୍ତାର କରୁଥିଲା । ୧୮୬୬ ସାଲର ନ’ ଅଙ୍କ ଦୁର୍ଭିକ୍ଷ ଓ ୧୮୬୮ ସାଲର ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ ଓଡ଼ିଆମାନଙ୍କୁ କେବଳଯେ ସଂଗଠିତ ହୋଇ ପ୍ରତିବାଦ କରିବାକୁ ପ୍ରେରଣା ଦେଇଥିଲା ତା’ ନୁହେଁ, ଇଂରେଜ ଶାସକ ଗୋଷ୍ଠୀର ଦୃଷ୍ଟିଭଙ୍ଗିରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିଦେଇଥିଲା । ଶିକ୍ଷା କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ସାଙ୍ଗକୁ କଟକରେ ରେଭେନ୍‌ସା ମହାବିଦ୍ୟାଳୟର ପ୍ରତିଷ୍ଠା, ଡାକ ଓ ରେଳ ଚଳାଚଳ ସହିତ ଯୋଗାଯୋଗ ପଥର ସୁବ୍ୟବସ୍ଥା, ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା ସାଙ୍ଗକୁ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ପ୍ରଣୟନ ଓ ପତ୍ରପତ୍ରିକାର ପ୍ରକାଶ ଓଡ଼ିଶାରେ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ନବଜାଗରଣ ସୃଷ୍ଟି କଲା । ପାରମ୍ପରିକ ଶିକ୍ଷାପଦ୍ଧତି ପରିବର୍ତ୍ତେ ପାଶ୍ଚାତ୍ୟ ଶିକ୍ଷାପଦ୍ଧତିର ପ୍ରଚାର ଓ ପ୍ରସାର ଘଟିଲା । ଫଳରେ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧବେଳକୁ ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ଏକ ମଧ୍ୟବିତ୍ତ ଗୋଷ୍ଠୀର ଆବିର୍ଭାବ ଘଟିଲା – ଯେଉଁମାନେ କି ମାନସିକ ସ୍ତରରେ ସାମାଜିକ ଆନ୍ଦୋଳନ ଏବଂ ଜାତୀୟ ଜାଗରଣର ବାର୍ତ୍ତାବହ ହୋଇ ଆସିଥିଲେ । ଏମାନେ କୁସଂସ୍କାର, ଅନ୍ଧବିଶ୍ୱାସ ଓ ରକ୍ଷଣଶୀଳତାର ବିଷୟବାଷ୍ପରୁ ସମାଜ ଜୀବନକୁ ମୁକ୍ତ କରିବା ପାଇଁ ଅଧୀର ହୋଇପଡ଼ିବା ସଙ୍ଗେ ସଙ୍ଗେ ଦେଶର କୋଣେ ଅନୁକୋଣେ ଜାତୀୟତାର ବୀଜମନ୍ତ୍ର ପ୍ରଚାର କଲେ । ଏହିସବୁ ଦୃଷ୍ଟିରୁ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ଥିଲା ଆମପାଇଁ ବହୁ ମହତ୍ତ୍ୱପୂର୍ଣ୍ଣ । ଡକ୍ଟର ଶ୍ରୀନିବାସ ମିଶ୍ରଙ୍କ ଭାଷାରେ – ‘‘ଭାରତର ଇତିହାସରେ ଊନବିଂଶ ଶତାବ୍ଦୀ ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ସେହି ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଆମ ଜାତୀୟ ଜୀବନରେ ରେନାଁସାର ଉନ୍ମେଷ ଘଟିଥିଲା । ଜାତୀୟ ଜୀବନରେ ବିଭିନ୍ନ ସ୍ତରରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ପରିଦୃଷ୍ଟ ହେଲା ଏଂବ ନୂତନ ଭାବଚେତନା ଜନ୍ମଲାଭ କଲା । ଇଂରାଜୀ ଶିକ୍ଷାର ପ୍ରସାର ଫଳରେ ଭାରତୀୟମାନେ ପାଶ୍ଚାତ୍ୟ ଭାବଧାରା, ଆଦର୍ଶ ଏବଂ ଜୀବନଧାରା ସହିତ ପରିଚିତ ହେଲେ । ନୂତନ ଭାବରେ ଶିକ୍ଷାପ୍ରାପ୍ତ ମଧ୍ୟବିତ୍ତ ଶ୍ରେଣୀ ଭିତରେ ଆତ୍ମ ସଚେତନତା ପାଇଁ ପ୍ରଚଣ୍ଡ ଆଗ୍ରହ ଯୋଗୁଁ ପାଶ୍ଚାତ୍ୟ ଭାବଚେତନା ପ୍ରତି ସେମାନଙ୍କର ଉନ୍ମୁଖତା ପ୍ରକୃତରେ ଏକ ଐତିହାସିକ ଘଟଣା ।୧। ଓଡ଼ିଆ ନାଟକର ଆଦି ପର୍ଯ୍ୟାୟରେ ଦୁଇଟି ବିଭବ ପରିଲକ୍ଷିତ ହୁଏ – ଗୋଟିଏ ହେଲା ସଂସ୍କାରବାଦ ଏବଂ ଅନ୍ୟଟି ତା’ର ଜାତୀୟତାବାଦ । କେବଳ ନାଟକ କାହିଁକି ଓଡ଼ିଆ ସାହିତ୍ୟର ସକଳ କ୍ଷେତ୍ରକୁ ଯଥା – ପ୍ରବନ୍ଧ, କ୍ଷୁଦ୍ରଗଳ୍ପ, ଉପନ୍ୟାସ ଓ କାବ୍ୟ କବିତା ଆଦିକୁ ମଧ୍ୟ ଏହା ଆନ୍ଦୋଳିତ କରିଥିଲା ।

 

ନାଟକ ଦୃଶ୍ୟକାବ୍ୟ । ଶିକ୍ଷିତ ଓ ଅଶିକ୍ଷିତ ଉଭୟଙ୍କ ପାଇଁ ଏହାର ଆବେଦନ ଗୁରୁତ୍ୱପୂର୍ଣ୍ଣ-। ଶ୍ରାବ୍ୟକାବ୍ୟର ଏପରି ଆବେଦନ ନାହିଁ । କଳାର ଉତ୍କର୍ଷ ପାଇଁ ଉତ୍ପଳ ଯୁଗେ ଯୁଗେ ପ୍ରସିଦ୍ଧ । ପ୍ରାଚୀନ ଓ ନାଟ୍ୟକାର ବି ଥିଲେ କିନ୍ତୁ ଓଡ଼ିଆ ଭାଷାରେ ବିଦ୍ରୂପ ନାଟକ ଓ ନାଟ୍ୟକାର ନଥିଲେ । ଓଡ଼ିଆ ନାଟକ ଉନବିଂଶ ଶତାବ୍ଦୀର ଉପହାର । ବଙ୍ଗଳା ଓ ଇଂରାଜୀ ନାଟ୍ୟ ସାହିତ୍ୟର ସଂସ୍ପର୍ଶରୁ ଏହାର ସୃଷ୍ଟି । ବିଶିଷ୍ଟ ଗବେଷକ ଓ ସମାଲୋଚକ ଡକ୍ଟର ନଟବର ସାମନ୍ତରାୟ ଯଥାର୍ଥରେ କହିଛନ୍ତି – ‘‘ଓଡ଼ିଆ ସାହିତ୍ୟରେ ନାଟକ ରଚନା ସଂପୂର୍ଣ୍ଣ ଏକ ନୂତନ ଉଦ୍ୟମ । ଏହା ତଦାନୀନ୍ତନ ଆଧୁନିକ ବଙ୍ଗଳା ଓ ଇଂରାଜୀ ନାଟ୍ୟ ସାହିତ୍ୟର ପ୍ରଭାବରେ ସୃଷ୍ଟ ଓ ପରିପୁଷ୍ଟ । ଲୀଳା ଓ ଯାତ୍ରାର ଲୋକରୁଚି ଅନୁକୂଳ କେତେକ ଉପାଦାନ ଏଥିରେ ଗର୍ଭୀଭୂତ ହୋଇଥିଲେ ହେଁ ଆଧୁନିକ ଓଡ଼ିଆ ନାଟକ ଏ ଦେଶର ପରମ୍ପରାଗତ ଲୀଳା ବା ଯାତ୍ରାର ସର୍ବଶେଷ କ୍ରମ ପରିଣତି ନୁହେଁ ।୨। ୧୮୭୭ ମସିହା ଓଡ଼ିଆ ନାଟକର ଇତିହାସରେ ଏକ ଅବିସ୍ମରଣୀୟ ମସିହା । ଏହି ବର୍ଷ ଆତ୍ମପ୍ରକାଶ କରିଥିଲା ଜଗନ୍‌ମୋହନ୍‌ ଲାଲଙ୍କ ନାଟକ ‘ବାବାଜୀ’ । ଏହି ନାଟକଟି ଓଡ଼ିଆ ସାହିତ୍ୟର ଇତିହାସରେ ବହୁ ଚର୍ଚ୍ଚିତ, ସମାଲୋଚିତ ଓ ପ୍ରଶଂସିତ ମଧ୍ୟ । ଓଡ଼ିଶାର ସମାଜ ଓ ସଂସ୍କୃତିର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଜଗନ୍‌ମୋହନ୍‌ ସାହିତ୍ୟ ସାଧନା କରିଥିଲେ । ସେ ସମୟରେ ଆମର ସାମାଜିକ ଜୀବନରେ ଯେଉଁ ସଂସ୍କାର ଆନ୍ଦୋଳନର ସୂତ୍ରପାତ ହୋଇଥିଲା, ଜଗନ୍‌ମୋହନ ଲାଲ ଥିଲେ ତା’ର ମୁଖ୍ୟ ପୁରୋଧା । ତାଙ୍କ ରଚିତ ‘ବାବାଜୀ’ ନାଟକର ମୁଖ୍ୟ ସ୍ୱର ଥିଲା ସଂସ୍କାରବାଦ ।

 

ଜଗନ୍‌ମୋହନ ବ୍ୟକ୍ତିଗତ ଜୀବନରେ ଥିଲେ ଜଣେ ସଂସ୍କାରବାଦୀ । ରକ୍ଷଣଶୀଳ ସମାଜ ବିରୁଦ୍ଧରେ ସେ ସାହସିକତାର ସହିତ ସ୍ୱର ଉତ୍ତୋଳନ କରିଥିଲେ । ପାରମ୍ପରିକ ସମାଜରେ ପ୍ରଚଳିତ ବହୁ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ବିଲୋପ କରିବା ପାଇଁ ତାଙ୍କ ନାଟକଗୁଡ଼ିକରେ ସେ ସଦୁଦ୍ୟମ କରିବା ସଙ୍ଗେ ସଙ୍ଗେ ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତିର ଅନ୍ଧ ଅନୁସରଣରେ ସୃଷ୍ଟି ହୋଇଥିବା ବହୁବିଧ ସାମାଜିକ ଅପଚାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ‘ବାବାଜୀ’ ସମ୍ପର୍କରେ ସେତେବେଳେ ଉତ୍କଳଦୀପିକା ମତାମତ ଦେଇ ଲେଖିଥିଲେ ଯେ – ‘‘ଭଣ୍ଡ ମଠଧାରୀମାନଙ୍କର ଦୋଷ ପ୍ରକାଶ କରିବା, ଭୂତ, ଡାହାଣୀ, ଜଡ଼ିମନ୍ତ୍ର ଇତ୍ୟାଦି ବିଷୟରେ ଲୋକଙ୍କର ଭ୍ରମ ଓ କୁସଂସ୍କାର ଛେଦନ ଏ ଗ୍ରନ୍ଥର ମୁଖ୍ୟ ଉଦ୍ଦେଶ୍ୟ ଜଣାଯାଏ’’ । ।୩ । ଆମର ପଡ଼ୋଶୀ ସାହିତ୍ୟର ପ୍ରଥମ ନାଟକ ଭଳି ପୁରାଣ ବା ଇତିହାସରୁ ସଂଗ୍ରହ ନକରି ‘ବାବାଜୀ’ର କଥାବସ୍ତୁକୁ ନାଟ୍ୟକାର ସେଇଥିପାଇଁ ଆମ ସମାଜର ଧୂଳିମାଟିରୁହିଁ ସାଉଁଟି ଆଣିଥିଲେ । ପାଶ୍ଚାତ୍ୟ ସଭ୍ୟତା ଦ୍ୱାରା ପ୍ରଭାବିତ ଆମର ଶିକ୍ଷିତ ଯୁବକମାନଙ୍କର ମଦ୍ୟପାନ ଓ ବେଶ୍ୟାଳୟ ଗମନ, ଧର୍ମଭୀରୁ ମଣିଷମାନଙ୍କର ବାବାଜୀ ବୈଷ୍ଣବମାନଙ୍କ ମିଥ୍ୟା ଅଲୌକିକ ଶକ୍ତି ଉପରେ ଭରସା, ଅଶିକ୍ଷା ବଶତଃ ଭୂତ, ପ୍ରେତ, ଡାହାଣୀ ଓ ଜଡ଼ିବୁଟି, ହୁକୁମ ଉପରେ ଅଖଣ୍ଡ ବିଶ୍ୱାସ, ଧର୍ମର ପରଦାତଳେ ମଠ ମହନ୍ତ ଓ ବୈଷ୍ଣବମାନଙ୍କର ବ୍ୟଭିଚାର କାର୍ଯ୍ୟକଳାପ ଏବଂ ବୈଷ୍ଣବୀମାନଙ୍କ ଅସାମାଜିକ ଜୀବନର ନିଖୁଣ ଚିତ୍ର ନାଟ୍ୟକାର ପ୍ରଦାନ କରି ସାମାଜିକ ସଚେତନତା ସୃଷ୍ଟି କରିପାରିଥିଲେ । କେବଳ ‘ବାବାଜୀ’ କାହିଁକି ତାଙ୍କ ରଚିତ ‘ସତୀ’, ‘ପ୍ରୀତି’ ଓ ‘ବୃଦ୍ଧବିବାହ’ ଆଦି ପ୍ରତ୍ୟେକ ନାଟକରେ ସଂସ୍କାରମୁଖୀ ଆଭିମୁଖ୍ୟ ସୁସ୍ପଷ୍ଟ । ନାଟକ ମାଧ୍ୟମରେ ସେ କେବଳ ଯୁଗଯୁଗର ସଞ୍ଚିତ କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ଯେ ବିଦ୍ରୋହ କରିଛନ୍ତି ତାହା ନୁହେଁ, ସୁରା ଓ ସାକୀକୁ ସାଥୀ କରି ବିପଥଗାମୀ ହେଉଥିବା ଯୁବଗୋଷ୍ଠୀକୁ ସତ୍‌ପଥକୁ ଫେରାଇ ଆଣିବା ପାଇଁ ସୁଚତୁର ଉଦ୍ୟମ ମଧ୍ୟ କରିଛନ୍ତି । ଗଡ଼ଜାତ ଶାସନର ନରବଳି ପରି କଳଙ୍କିତ ପ୍ରାଥୀ ବିରୁଦ୍ଧରେ ‘ସତୀ’ ନାଟକରେ ସେ ଯେଉଁ ବୈପ୍ଲବିକ ଆହ୍ୱାନ ଦେଇଛନ୍ତି ତା’ର ପଟ୍ଟାନ୍ତର ନାହିଁ । କାୟମନୋବାକ୍ୟରେ ଜଗନ୍ମୋହନ ଏକାନ୍ତ ଭାବେ ଥିଲେ ସମାଜ ସଂସ୍କାରକ । ଗାନ୍ଧିଜୀଙ୍କର ବହୁ ପୂର୍ବରୁ ଜଗନ୍ମୋହନ ନିଶାନିବାରଣର ବାର୍ତ୍ତା ତାଙ୍କର ନାଟକରେ ଦେବାକୁ ଯାଇ କହିଥିଲେ । - ‘‘ନିଶା ବଡ଼ ମନ୍ଦ; ତାହା ସ୍ପର୍ଶ କରିବା ଉଚିତ ନୁହେଁ ।’’ ୪ । ଏ ସମ୍ପର୍କରେ ଡକ୍ଟର ମାୟାଧର ମାନସିଂହ ଯଥାର୍ଥ ମତାମତ ଦେଇ ଲେଖିଛନ୍ତି – ‘‘ଏହି ଚାରିଅଙ୍କ ବିଶିଷ୍ଟ ପ୍ରଥମ ଓଡ଼ିଆ ନାଟକଟି, ମହାତ୍ମାଗାନ୍ଧି ଓ ଜାତୀୟ କଂଗ୍ରେସ ସରକାରଙ୍କର ପଚାଶ ବର୍ଷ ଆଗରୁ ନିଶା ନିବାରଣ ପାଇଁ ପ୍ରଚାର ଆରମ୍ଭ କରି ଦେଇଥିଲେ ।’’ ୫ । ଆଜକୁ ବହୁ ବର୍ଷ ପୂର୍ବେ ଜଗନ୍‌ମୋହନ ନାଟକ ମାଧ୍ୟମରେ ତତ୍‌କାଳୀନ ସମାଜକୁ ଯେଉଁ ସଂସ୍କାରମୁଖୀ ଦିଗ୍‌ଦର୍ଶନ ଦେଇଥିଲେ; ଆଧୁନିକ ଓଡ଼ିଆ ନାଟକ କ୍ଷେତ୍ରରେ ତାହା ଏବେବି ଅନତିକ୍ରମ୍ୟ ହୋଇ ରହିଛି ।

 

ଓଡ଼ିଶାର ପ୍ରଥମ ନାଟ୍ୟକାରର ସମ୍ମାନ ନପାଇଲେବି ରାମଶଙ୍କର ନିଶ୍ଚିତଭାବରେ ଓଡ଼ିଆ ନାଟକ ଆଦିପର୍ଯ୍ୟାୟର ସର୍ବଶ୍ରେଷ୍ଠ ପ୍ରତିଭା । ‘ବାବାଜୀ’ ଆମ ନାଟ୍ୟ ସାହିତ୍ୟର ଆଦ୍ୟ ଓଁକାର ହେଲେ, ‘କାଞ୍ଚିକାବେରୀ’ ତା’ର ପ୍ରଥମ ହିରଣ୍‌ମୟ କିରଣ । ରାମଶଙ୍କରଙ୍କ ଏହି ନାଟକଟି ଯେଉଁ ଗୌରବର ଅଧିକାରୀ ହୋଇପାରିଛି ଊନବିଂଶ ଶତାବ୍ଦୀର କୌଣସି ନାଟକ ତାହା ପାଇପାରି ନାହିଁ-। ଆଦି ପର୍ଯ୍ୟାୟରେ ରାମଶଙ୍କର ଓଡ଼ିଆ ନାଟକକୁ ଉଭୟ ପରିମାଣାତ୍ମକ ଓ ଗୁଣାତ୍ମକ ବୈଭବ ଆଣି ଦେଇପାରିଥିଲେ । ଓଡ଼ିଆ ନାଟକ ଗୁଡ଼ିକ ଥିଲା ବହୁବର୍ଣ୍ଣା । କିମ୍ବଦନ୍ତୀ, ଇତିହାସ, ପୁରାଣ ଓ ସାମାଜିକ ପରିବେଶକୁ ନେଇ ଏଗୁଡ଼ିକ ରଚିତ । ଜଗନମୋହନ କେବଳ ସମାଜ ସଂସ୍କାର ଉପରେ ଦୃଷ୍ଟି ନିବଦ୍ଧ କରିଥିଲା ବେଳେ ରାମଶଙ୍କର କିନ୍ତୁ ଆଦିପର୍ଯ୍ୟାୟ ନାଟକର ଦୁଇଟିଯାକ ବିଭବ ଉପରେ ଆଲୋକପାତ କରିଥିଲେ । କଳାସୃଷ୍ଟି ମାଧ୍ୟମରେ ଆନନ୍ଦଦାନ ସଙ୍ଗେ ସଙ୍ଗେ ସମାଜ ସଂସ୍କାର କରିବାର ଅଦମ୍ୟ ପ୍ରେରଣା ସହିତ ଉତ୍କଳର ଜାତୀୟ ଚେତନା ଓ ସାଂସ୍କୃତିକ ଚେତନାକୁ ପୁନରୁଜ୍ଜିୀବିତ କରିବା ପାଇଁ ରାମଶଙ୍କର ଦୃଢ଼ ପରିକର ଥିଲେ । ‘କାଞ୍ଚିକାବେରୀ’ରେ ଆମ ସଂସ୍କୃତି ଓ ଆମ ଜାତୀୟତାର ଯେଉଁ ଓଁକାର ଧ୍ୱନି ସେ ଆମକୁ ଶୁଣାଇଥିଲେ ତାହା ପରବର୍ତ୍ତୀ ସମୟର ବହୁ ନାଟ୍ୟକାରଙ୍କୁ ପ୍ରଭାବିତ କରିଥିଲା । ‘କଳିକାଳ’, ‘ବୁଢ଼ାବର’, ‘ବିଷମୋଦକ’, ‘ଯୁଗଧର୍ମ’, ‘କାଞ୍ଚମାଳୀ’, ଓ ଲୀଳାବତୀ’, ଆଦି ନାଟକରେ ପାରମ୍ପରିକ ଓ ନୂତନ ସାମାଜିକ ଜୀବନର ବହୁବିଧ ଅପଚାର, ଅନ୍ଧବିଶ୍ୱାସ, କୁସଂସ୍କାର ଓ ରକ୍ଷଣଶୀଳ ମନୋବୃତ୍ତି ବିରୁଦ୍ଧରେ ସେ ଯୁଦ୍ଧଂଦେହି ଆହ୍ୱାନ ଦେଇଥିଲେ । ତାଙ୍କର ନାଟକଗୁଡ଼ିକ ଯୁଗଚେତନାର ଗୋଟିଏ ଗୋଟିଏ ମୂର୍ତ୍ତିମନ୍ତ ପ୍ରତୀକ ।

 

ଊନବିଂଶ ଶତାବ୍ଦୀର ସଂସ୍କାର ଆନ୍ଦୋଳନ ଓ ଜାତୀୟ ଚେତନା ଓଡ଼ିଆ ନାଟକ କ୍ଷେତ୍ରରେ କେବଳ ଜଗନ୍‌ମୋହନ ଓ ରାମଶଙ୍କରଙ୍କୁ ଯେ ପ୍ରଭାବିତ କରିଥିଲା ତା’ ନୁହଁ ସମକାଳୀନ ଅନ୍ୟାନ୍ୟ ବହୁ ନାଟ୍ୟକାରଙ୍କୁ ମଧ୍ୟ ଏହା ଅନୁପ୍ରାଣିତ କରିଥିଲା । ଓଡ଼ିଶାର ସୌଭାଗ୍ୟକୁ ଗଡ଼ଜାତ ଅଞ୍ଚଳର ରାଜା ମହାରାଜାମାନେ କେବଳ ଯେ ଓଡ଼ିଆ ନାଟ୍ୟକଳାର ପୃଷ୍ଠପୋଷକ ଥିଲେ ତା’ନୁହେଁ ଅଧିକନ୍ତୁ ସେମାନେ ନାଟକ ରଚନା କରି ସ୍ଥାୟୀ ରଙ୍ଗମଞ୍ଚ ପ୍ରତିଷ୍ଠା ସହିତ ଅଭିନୟ ପ୍ରଦର୍ଶନ କରାଇ ଏହି ଆନ୍ଦୋଳନକୁ ଜୋର୍‌ଦାର କରି ତୋଳିଥିଲେ । ରଙ୍ଗମଞ୍ଚ ନିର୍ମାଣ ଏକ ବ୍ୟୟବହୁଳ କାର୍ଯ୍ୟ । ଓଡ଼ିଶା ଭଳି ଗରିବ ରାଜ୍ୟରେ ଏହା କେବଳ ତତ୍‌କାଳୀନ ରାଜାମହାରାଜାମାନଙ୍କ ଦ୍ୱାରା ହିଁ ସମ୍ଭବ ହୋଇପାରିଥିଲା । ଉତ୍କଳ ଦୀପିକାର ସମ୍ପାଦକ ଗୌରୀଶଙ୍କର ରାୟ ଏହାକୁ ଲକ୍ଷ୍ୟକରି ସେତେବେଳେ ଲେଖିଥିଲେ – ‘‘ଓଡ଼ିଶା ପରି ଗରିବ ଦେଶରେ ରାଜକୁମାରମାନେ କୃତସଂକଳ୍ପ ହୋଇ ସ୍ଥାୟୀ ନାଟ୍ୟଶାଳାର ସୂତ୍ରପାତ କରି ନିଜର ଏବଂ ଅନ୍ୟର ରଚିତ ନାଟକାଭିନୟ ଦେଖାଇବାର ଚେଷ୍ଟା ନକଲେ ଆଉ କିଏ ତାହା କରିବାକୁ ସମର୍ଥ ହେବ?’’ ।୬। ତାଙ୍କର ଏହି ଆଶାକୁ ପୂରଣ କରି ସମକାଳୀନ କେତେକ ରାଜା ଓ ମହାରାଜାମାନେ ନାଟ୍ୟଶାଳାର ନିର୍ମାଣ ସହିତ ଓଡ଼ିଆ ଭାଷାରେ ନାଟକ ରଚନା କରି ଏବଂ ତାହାକୁ ପ୍ରଜାମାନଙ୍କୁ ପ୍ରଦର୍ଶନ କରାଇ ଓଡ଼ିଆ ନାଟକର ପ୍ରଚାର ଓ ପ୍ରସାର ଘଟାଇଥିଲେ । ସେମାନଙ୍କ ମଧ୍ୟରେ ଖଡ଼ିଆଳର ରାଜକୁମାର ବୀର ବିକ୍ରମ ଦେବ, ପାରଳାର ରାଜା ପଦ୍ମନାଭ ନାରାୟଣ ଦେବ, ଚିକିଟୀର ରାଜକବି ରାଧାମୋହନ ରାଜେନ୍ଦ୍ରଦେବଙ୍କ ନାମ ସ୍ମରଣୀୟ ଅଟେ । ପାହାଡ଼, ଜଙ୍ଗଲ ଘେରା ଗଡ଼ଜାତ ଅଞ୍ଚଳରେ ଏହି ରାଜାମାନେ ହିଁ ଓଡ଼ିଆ ନାଟକକୁ ଲୋକପ୍ରିୟ କରାଇ ବଞ୍ଚାଇ ରଖିଥିଲେ । ଏମାନଙ୍କ ଦ୍ୱାରା ରଚିତ ନାଟକଗୁଡ଼ିକ ସମସାମାୟିକ ସମାଜର ଗୋଟିଏ ଗୋଟିଏ ପ୍ରାଣସ୍ପନ୍ଦନ ।

 

ତତ୍‌କାଳୀନ ସମାଜରେ ପ୍ରଚଳିତ ଥିବା ବାଲ୍ୟବିବାହ ଓ ବୃଦ୍ଧବିବାହ ପ୍ରଥା ବିରୋଧରେ ଖଡ଼ିଆଳର ରାଜକୁମାର ବୀର ବିକ୍ରମଦେବ ନିଜର ନାଟକରେ ପ୍ରତିକ୍ରିୟା ପ୍ରକାଶ କରିବା ସଙ୍ଗେ ସଙ୍ଗେ ନାରୀଶିକ୍ଷା ପାଇଁ ସାମାଜିକ ସଚେତନତା ସୃଷ୍ଟି କରିଥିଲେ । ନାଟକକୁ ଲୋକଶିକ୍ଷାର ଏକ ବଳିଷ୍ଠ ମାଧ୍ୟମ ରୂପେ ସେ ଗ୍ରହଣ କରିନେଇଥିଲେ । ଜାତୀୟ ଚେତନାକୁ ଆଧାର କରି ସେ ‘ଉତ୍କଳ ଦୁର୍ଦ୍ଦଶ’ ନାଟକଟି ରଚନା କରିଥିଲେ । ସଂସ୍କାରଧର୍ମୀ ଓ ଜାତୀୟ ଚେତନାକୁ ଆଧାର କରି ନାଟକ ରଚନା କରିବାରେ ଗଡ଼ଜାତ ଅଞ୍ଚଳର ରାଜାମାନଙ୍କ ମଧ୍ୟରେ ବୀର ବିକ୍ରମଦେବ ଥିଲେ ମଉଡ଼ମଣି । ଓଡ଼ିଶାର ରଙ୍ଗମଞ୍ଚ ଆନ୍ଦୋଳନର ଅନ୍ୟତମ ସାରଥି ଥିଲେ ପାରଳାର ରାଜା ପଦ୍ମନାଭ ନାରାୟଣ ଦେବ । ସେ କେବଳ ପୌରାଣିକ ନାଟକ ରଚନା କରିଥିଲେ । ତାଙ୍କର ନାଟକ ଗୁଡ଼ିକର ବିଷୟବସ୍ତୁ ପୌରାଣିକ ହୋଇଥିଲେହେଁ, ସମାଜ ସଂସ୍କାର ତା’ର ଅନ୍ୟତମ ଲକ୍ଷ୍ୟ ଥିଲା । ଚିକିଟୀର ଯୁବରାଜ ରାଧାମୋହନ ରାଜେନ୍ଦ୍ର ଦେବ ଗଡ଼ଜାତ ଅଞ୍ଚଳରେ ସଂସ୍କାର ଆନ୍ଦୋଳନର ଅନ୍ୟତମ ପୁରୋଧା ଥିଲେ । ଅଧଃପତିତ ସମାଜକୁ କେବଳ ନାରୀସମାଜ ହିଁ ରକ୍ଷା କରିପାରିବ ବୋଲି ସେ ଦୃଢ଼ନିଶ୍ଚିତ ଥିଲେ । ନାରୀ ସମାଜର ପୁନଃଉତ୍‌ଥାନ କରି ସାମାଜିକ ଉତ୍‌ଥାନ କରିବା ତାଙ୍କ ନାଟକର ପ୍ରମୁଖ ଲକ୍ଷ୍ୟ ଥିଲା । ନୀତିଯୁକ୍ତ ନାଟକ ପ୍ରଣୟନ କରିବା ପାଇଁ ସେ ସର୍ବଦା ସଚେଷ୍ଟ ଥିଲେ । ‘ପ୍ରକୃତ ପ୍ରଣୟ’ ଭଳି କାଳ୍ପନିକ ନାଟକରେ ମଧ୍ୟ ସେ ସଂସ୍କାର ପ୍ରୟାସ ଜାରି ରଖିଥିଲେ ।

 

ଏହି କୃତସଂକଳ୍ପ ରାଜକୁମାରମାନଙ୍କ ବ୍ୟତୀତ ଓଡ଼ିଆ ନାଟକର ଆଦିପର୍ଯ୍ୟାୟରେ ନାଟ୍ୟକାର କାମପାଳ ମିଶ୍ର, ନାଟ୍ୟକାର ଭିକାରିଚରଣ ପଟ୍ଟନାୟକ ଓ ନାଟ୍ୟକାର ଗୋଦାବରୀଶ ମିଶ୍ରଙ୍କ ଅବଦାନ ବିଶେଷ ଉଲ୍ଲେଖଯୋଗ୍ୟ । ଏମାନଙ୍କ ନାଟକଗୁଡ଼ିକରେ ସଂସ୍କାର ଆନ୍ଦୋଳନର ଚିତ୍ର ସାଙ୍ଗକୁ ଜାତୀୟ ଭାବଧାରାର ଚିରଫଳ୍‌ଗୁ ପ୍ରବାହିତ । ଇଂରେଜମାନଙ୍କର ଶୋଷଣ ଏବଂ ସେମାନଙ୍କର ପ୍ରତ୍ୟକ୍ଷ ସମର୍ଥନରେ ବଙ୍ଗୀୟ କର୍ମଚାରୀମାନଙ୍କର ଅତ୍ୟାଚାର ଓଡ଼ିଆମାନଙ୍କୁ ପ୍ରତିକ୍ରିୟାଶୀଳ କରିଦେଲା । ଓଡ଼ିଆ ଭାଷା ଆନ୍ଦୋଳନ ଓଡ଼ିଆମାନଙ୍କ ଜାତୀୟ ଭାବଧାରାକୁ ଅଧିକ କ୍ରିୟାଶୀଳ କରଦେଲା । ୧୯୦୩ ଖ୍ରୀଷ୍ଟାବ୍ଦରେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଏବଂ ଜାତୀୟଜାଗରଣ ଲାଗି ସେଥିରେ ଯେଉଁ ଆହ୍ୱାନ ଦିଆଗଲା ତାହା ପରବର୍ତ୍ତୀ ନାଟ୍ୟକାରମାନଙ୍କୁ ଜାତୀୟ ଭାବଧାରା ଆଧାରିତ ନାଟକ ଲେଖିବା ପାଇଁ ପ୍ରେରଣା ସୃଷ୍ଟି କଲା । ଜାତୀୟତାର ଯେଉଁ ପ୍ରଚ୍ଛନ୍ନ ରୂପ ‘କାଞ୍ଚିକାବେରୀ’ରେ ଆମେ ଦେଖିଥିଲୁ ତାହା ସ୍ୱତଃସ୍ଫୁର୍ତ୍ତ ଭାବରେ ଗୋଦାବରୀଶଙ୍କ ନାଟକରେ ପ୍ରକାଶ ପାଇଲା ।

 

ଓଡ଼ିଆ ନାଟକର ଆଦି ପର୍ଯ୍ୟାୟରେ କାମପାଳ ମିଶ୍ର ଜଣେ ଜନପ୍ରିୟ ନାଟ୍ୟକାର ଥିଲେ-। ‘ସୀତା ବିବାହ’ ତାଙ୍କୁ ଅପୂର୍ବ ସାଫଲ୍ୟ ଆଣି ଦେଇଥିଲ । ବସନ୍ତ ଲତିକା, ଦୁର୍ଗାଶବରୀ ଓ ହରିଶ୍ଚନ୍ଦ୍ର ନାମକ ସେ ଅନ୍ୟ ତିନୋଟି ନାଟକ ମଧ୍ୟ ରଚନା କରିଥିଲେ । ଆଦର୍ଶବାଦର ଅନୁପ୍ରେରଣା ସାଙ୍ଗକୁ ସଂସ୍କାରମୂଳକ ଦୃଷ୍ଟିଭଙ୍ଗୀ ଥିଲା । ତାଙ୍କ ନାଟକ ଗୁଡ଼ିକର ମୁଖ୍ୟ ଲକ୍ଷ୍ୟ । ପୌରାଣିକ ବିଷୟବସ୍ତୁ ମାଧ୍ୟମରେ ଆଦର୍ଶ ଚରିତ୍ର ସୃଷ୍ଟି କରି ଦର୍ଶକମାନଙ୍କୁ ସତ୍‌ଶିକ୍ଷା ପ୍ରଦାନ କରିବା ତାଙ୍କ ନାଟକର ଚିରାଚରିତ ପନ୍ଥା ଥିଲା । ଆନନ୍ଦଦାନ ଓ ସତ୍‌ଶିକ୍ଷା ଥିଲା ଏହି ନାଟକଗୁଡ଼ିକର ପ୍ରଧାନ ଉପାଦନ । ସମାଜର ଉଚ୍ଚଜାତି ବୋଲି ଗର୍ବ କରୁଥିବା ବ୍ରାହ୍ମଣ ଓ ପୁରୋହିତମାନେ ମଦ୍ୟପାନ କରିବା ଓ ବେଶ୍ୟାସକ୍ତ ହେବା ଏବଂ ସମାଜରେ ଧର୍ମର ଢାଙ୍କୁଣି ମଧ୍ୟରେ ରହି ନାନାଦି କୁକର୍ମ କରିବାରେ ଚିତ୍ର ନାଟ୍ୟକାର ତାଙ୍କର ହିରଶ୍ଚନ୍ଦ୍ର ନାଟକରେ ପ୍ରଦାନ କରି ଲୋକଚକ୍ଷୁରେ ସେମାନଙ୍କର ଅସଲ ମୁଖାକୁ ଖୋଲିଦେଇ ଯେଉଁ ସଂସ୍କାରମୁଖୀ ମନୋଭାବର ପରିଚୟ ଦେଇଛନ୍ତି ତା’ର ତୁଳନା ନାହିଁ ।

 

ବୃତ୍ତିରେ ଆଇନ୍‌ଜୀବୀ ହୋଇମଧ୍ୟ ଭିକାରୀ ଚରଣ ଆଦିପର୍ଯ୍ୟାୟ ଓଡ଼ିଆ ନାଟକରେ ଜଣେ ଉଲ୍ଲେଖଯୋଗ୍ୟ ନାଟ୍ୟକାର । ରାମଶଙ୍କରଙ୍କ ସଂସ୍ପର୍ଶରେ ଆସି ସେ ଓଡ଼ିଆ ଭାଷାରେ ନାଟକ ରଚନା କରିଥିଲେ । ତାଙ୍କର ସାତଖଣ୍ଡ ନାଟକ ଓ ତିନୋଟି ପ୍ରହସନ ମଧ୍ୟରେ ଆମର ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ସଂହତିକୁ ସେ ଉଚ୍ଚ ଆସନ ଦେଇଛନ୍ତି । ବ୍ୟକ୍ତିଗତ ଜୀବନରେ ଭିକାରୀ ଚରଣ ଓଡ଼ିଶୀ ଜାତୀୟତାର ପୂଝାରୀ ଥିଲେ । ଏ ଦିଗରେ ଉତ୍କଳ ଗୌରବ ମଧୁସୂଦନ ଦାସ ହିଁ ଥିଲେ ତାଙ୍କର ପ୍ରେରଣାଦାତା । ତାଙ୍କ ସମୟକୁ ଇଂରେଜମାନଙ୍କ ଶାସନ ଆମ ରାଜ୍ୟରେ ଏକ ଶତାବ୍ଦୀ ଅତିକ୍ରମ କରି ସାରିଥିଲା । ଆମର ଶିକ୍ଷିତ ଯୁବଗୋଷ୍ଠୀ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରିବାକୁ ଯାଇ ସମାଜ ଓ ସଭ୍ୟତାଠାରୁ ଦୂରେଇ ଯାଇଥିଲେ । ମଦ୍ୟପାନ, ବେଶ୍ୟାଳୟ ଗମନ, ଅବୈଧ ପ୍ରଣୟରେ ପ୍ରମତ୍ତ ରହି ସମାଜରେ ନାନାଦି ବ୍ୟଭିଚାର ସୃଷ୍ଟି କରୁଥିଲେ । ନିଜର ପରିଣତା ସୁନ୍ଦରୀ ସ୍ତ୍ରୀକୁ ଏଡ଼ାଇ ବେଶ୍ୟାଳୟରେ ରାତ୍ରିଯାପନ କରି ପାରିବାରିକ ତଥା ସାମାଜିକ ଜୀବନକୁ ବିପର୍ଯ୍ୟସ୍ତ କରିଦେଇଥିଲେ । ଭିକାରୀ ଚରଣ ନିଜ ନାଟକ ମାନଙ୍କରେ ଏହାର ଦୃଢ ବିରୋଧ କରିଛନ୍ତି । ଯୌତୁକ ଏକ କଳଙ୍କିତ ସାମାଜିକ ପ୍ରଥା । ଏହାକୁ ବିରୋଧ କରି ଏବଂ ନାରୀଶିକ୍ଷାକୁ ସମର୍ଥନ କରି ସେ ‘ସଂସାର ଚିତ୍ର’ ନାଟକ ଏବଂ କରଣ ସା’ନ୍ତଙ୍କ ଢମ, ସାଆନ୍ତିଆ ବାହା ଓ ଯୌତୁକ ଆଦି ପ୍ରହସନ ଲେଖିଥିଲେ । ନାଟକର ନାୟିକା କୁନ୍ତଳା ମୁଖରେ ତତ୍‌କାଳୀନ ଯୌତୁକଲୋଭୀ ଶିକ୍ଷିତ ଯୁବକମାନଙ୍କୁ ତୀବ୍ର ସମାଲୋଚନା କରି ସେ କହିଛନ୍ତି – ‘ଯେଉଁ ଉଚ୍ଚ ଶିକ୍ଷା ପ୍ରାପ୍ତ ଯୁବକ ବିବାହ ବେଦୀରେ ମୂଲ୍ୟପ୍ରାପ୍ତି ଆଶାରେ ଆତ୍ମ ବିକ୍ରୟ କରିବାକୁ ଉତ୍ସୁକ ସେ ରୂପ ଯୁବକମାନଙ୍କୁ ବିବାହ କରିବି ନାହିଁ ।’’୭ । ‘ସୁଶୀଳା’ ନାଟକରେ ଆଧୁନିକ ଶିକ୍ଷାପ୍ରାପ୍ତ ନରନାରୀଙ୍କ ଉତ୍ସୃଙ୍ଖଳ ଓ ଅନୈତିକ ଜୀବନ ଯାପନର ଚିତ୍ର ନାଟ୍ୟକାର ପ୍ରଦାନ କରି ତା’ର କୁପରିଣତି ପ୍ରଦର୍ଶନ କରିଛନ୍ତି । ସେହିପରି ‘ନିରୁପମା’ ନାଟକରେ କୁଷ୍ଠରୋଗ ଓ ରୋଗୀଙ୍କ ପ୍ରତି ଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର ମନୋଭାବ ବିରୋଧରେ ସାମାଜିକ ସଚେତନତା ସୃଷ୍ଟି କରିଛନ୍ତି । ସାମାଜିକ ଭ୍ରଷ୍ଟାଚାର, ବ୍ୟଭିଚାର ଓ କୁପ୍ରଥାକୁ ଲୋପକରି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ନାଟ୍ୟକାରଙ୍କର ଚିରନ୍ତନ ଲକ୍ଷ୍ୟ ଥିଲା ।

 

ଓଡ଼ିଆ ନାଟକର ଆଦି ପର୍ଯ୍ୟାୟର ଶେଷ ଅରୁଣିମା ହେଉଛନ୍ତି ନାଟ୍ୟକାର ଗୋଦାବରୀଶ ମିଶ୍ର । ସେ ମାତ୍ର ଦୁଇଖଣ୍ଡ ନାଟକ ରଚନା କରିଛନ୍ତି । ଇଂରେଜମାନଙ୍କ ବିରୁଦ୍ଧରେ ଉତ୍କଳରେ ଜାତୀୟ ଆନ୍ଦୋଳନ ଗଢ଼ି ତୋଳିବାରେ ସତ୍ୟବାଦୀ ଗୋଷ୍ଠୀର ସାଧକମାନେ ମୁଖ୍ୟ ଥିଲେ । ସେମାନଙ୍କ ସାହିତ୍ୟର ଆଭିମୁଖ୍ୟ ମଧ୍ୟ ତାହାହିଁ ଥିଲା । ଇତିହାସ ମାଧ୍ୟମରେ ଓଡ଼ିଆଙ୍କ ବୀରତ୍ୱ, ଶୌର୍ଯ୍ୟ ଓ ବୀର୍ଯ୍ୟର କାହାଣୀକୁ ସ୍ମରଣ କରାଇ ଜାତୀୟତା ଭାବଧାରାରେ ଉଦ୍‌ବୁଦ୍ଧ କରାଇବା ପାଇଁ ସେ ‘ପୁରୁଷୋତ୍ତମ ଦେବ’ ଓ ‘ମୁକୁନ୍ଦଦେବ’ ନାଟକ ଦୁଇଟି ରଚନା କରିଥିଲେ । ଜାତୀୟତା ଭାବଧାରା ସାଙ୍ଗକୁ ସମାଜ ସଂସ୍କାର ମଧ୍ୟ ନାଟ୍ୟକାରଙ୍କର ଅନ୍ୟତମ ଲକ୍ଷ୍ୟ ଥିଲା । ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ରାଜା, ପ୍ରଜା, ଉଚ୍ଚ ନୀଚ ଆଦି ଭେଦଭାବର ସ୍ଥାନ ନାହିଁ । ସେ ସମସ୍ତଙ୍କର ଏବଂ ସମସ୍ତେ ତାଙ୍କର । ସେ କାଞ୍ଚିରାଜାଙ୍କର ଅହମିକାକୁ ଭାଙ୍ଗିଦେଇ ଶାଶ୍ୱତ ପ୍ରେମକୁହିଁ ସ୍ୱୀକୃତି ପ୍ରଦାନ କରିଛନ୍ତି ।

 

ଓଡ଼ିଆ ନାଟକର ଆଦିପର୍ଯ୍ୟାୟର ନାଟ୍ୟକାରମାନେ ଯୁଗସଚେତନ ଥିଲେ । ସଂସ୍କାର ମାଧ୍ୟମରେ ଏକ ସୁନ୍ଦର, ନିରାମୟ ଓ ମଙ୍ଗଳମୟ ସମାଜର ସ୍ୱପ୍ନ ଦେଖିଥିଲେ । ଜାତୀୟତା ଭାବ ସୃଷ୍ଟିକରି ଅଖଣ୍ଡ ଭାରତର ପରିକଳ୍ପନା ମଧ୍ୟ କରିଥିଲେ । ସାହିତ୍ୟର ସାମାଜିକ ଅଙ୍ଗୀକାରବଦ୍ଧତା ସମ୍ପର୍କରେ ସେମାନଙ୍କର ସଚେତନତା ସାମାଜିକ ଓ ଜାତୀୟତା ଗ୍ଲାନି ବିରୋଧରେ ସେମାନଙ୍କୁ ଉଦ୍‌ବୁଦ୍ଧ କରିଥିଲା । ଆଦି ପର୍ଯ୍ୟାୟର ଓଡ଼ିଆ ନାଟକ ଶୈଶବକୁ ଅତିକ୍ରମ କରି ନୂତନ ସମ୍ଭାବନାର ସ୍ୱପ୍ନ ଦେଖିପାରିଥିଲା ।

 

ସହାୟକ ଗ୍ରନ୍ଥସୂଚୀ

୧.

Dr. Srinivas Misra – Literary and cultural societies in the nineteenth century Orissa – Sidelights on History and culture of Orissa-Edited by M.N. Das. Page No.702, Publisher – Vidyapuri, Binodbehari, Cuttack, 1st Edition - 1977

୨.

ଡକ୍ଟର ନଟବର ସାମନ୍ତରାୟ – ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୮୨୦), ପୃଷ୍ଠା – ୪୧୬, ବାଣୀଭବନ, ସାମନ୍ତରାପୁର, ଭୁବନେଶ୍ୱର, ଦ୍ୱିତୀୟ ସଂସ୍କରଣ, ଅକ୍ଟୋବର – ୧୯୮୩ ।

୩.

ଉତ୍କଳ ଦୀପିକା – ତା ୩.୧୧.୧୮୭୭ ।

୪.

ବାବାଜୀ ନାଟକ (ସମ୍ପାଦନା – କାଳୀଚରଣ ପଟ୍ଟନାୟକ) ପୃଷ୍ଠା – ୧୨ ଓ ୧୩, ପ୍ରକାଶକ – ନିଉ ଷ୍ଟୁଡେଣ୍ଟସ୍‌ ଷ୍ଟୋର, ବାଲୁବଜାର, କଟକ – ୨ ।

୫.

ଡକ୍ଟର ମାୟାଧର ମାନସିଂହ –ଓଡ଼ିଆ ସାହିତ୍ୟର ଇତିହାସ – ପୃଷ୍ଠା – ୨୬୭, ପ୍ରକାଶକ – ଗ୍ରନ୍ଥମନ୍ଦିର, ବାଲୁବଜାର, କଟକ – ୨ ପଞ୍ଚମ ସଂସ୍କରଣ – ୧୯୯୦

୬.

ଉତ୍କଳ ଦୀପିକା – ତା ୧୫.୧୨.୧୯୦୨ ରିଖ ।

୭.

ଭିକାରୀ ଚରଣ ପଟ୍ଟନାୟକ – ସଂସ୍କାର ଚିତ୍ର – ପୃଷ୍ଠା – ୨୫ ।

 

ମୁଖ୍ୟ ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ବାବା ଭୈରବାନନ୍ଦ ମହାବିଦ୍ୟାଳୟ, ଚଣ୍ଡିଖୋଲ, ଯାଜପୁର

***

 

ଇତିହାସ ଓ କିଂବଦନ୍ତୀ ଭିତ୍ତିରେ

ନୀଳକଣ୍ଠଙ୍କ ‘କୋଣାର୍କେ’

ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ

 

ଇତିହାସ ପରି କିମ୍ବଦନ୍ତୀ ଓ ଲୋକକଥା ହେଉଛି ଆମର ଜାତୀୟ ସମ୍ପତ୍ତି । ସର୍ବଭାରତୀୟ ସ୍ତରରେ ଉତ୍କଳୀୟ ଲୋକକଥାର ସୁଖ୍ୟାତି ରହିଛି । ଉତ୍କଳୀୟ ଲୋକ ଜୀବନରେ ପ୍ରବାହ ସହିତ ଏହାର ସୃଷ୍ଟି । ଇତିହାସ ଏହାକୁ ସ୍ୱୀକାର ନ କରି ସ୍ୱୀକୃତି ନଦେଲେ ମଧ୍ୟ ଆମ ଜନଜୀବନ ସହିତ ଏହା ଏତେ ମାତ୍ରାରେ ଜଡ଼ିତ ଯେ, ଏସବୁକୁ ଜୀବନଠାରୁ ଆଦୌ ବାଦ୍‍ ଦେଇହୁଏ ନାହିଁ ।

 

‘‘ହୃଦ ଦରପଣେ ନାଚିଯାଏ ଛବି

ପଲକେ ପଲେକ ପରାଣ ପୂରି;

ଜାଗରଣେ କେତେ ଦେଖଇ ସ୍ୱପନେ

ସ୍ୱପନେ ଦେଖଇ ପରାଣ ଭରି ।’’

 

ପରାଧୀନ ଉତ୍କଳର ଅବକ୍ଷୟ ଚିନ୍ତା ଓ ଏହାକୁ ପୁନରୁଦ୍ଧାର କରିବାର ପ୍ରେରଣା ମଧ୍ୟରେ ଏପରି ଏକ ସମୟ ଆସି ଉପନୀତ ହୋଇଥିଲା, ଯେତେବେଳେ ପ୍ରବୀଣ ଜନନାୟକ, ବିଶିଷ୍ଟ ସଂସ୍କାରକ, ବରିଷ୍ଠ ସାମ୍ବାଦିକ, ପ୍ରଖ୍ୟାତ କବି ତଥା ସତ୍ୟବାଦୀ ଯୁଗର ଅନ୍ୟତମ ସାଧକ ମନୀଷୀ ନୀଳକଣ୍ଠଙ୍କ ଆଖିରେ ନିଦ ଆସିଲା ନାହିଁ । ପ୍ରାୟ ଦୁଇଦିନ ବିନିଦ୍ର ରହିବା ପରେ ଶେଷକୁ କବି କୋଜାଗର ପୂର୍ଣ୍ଣିମାର ଆକସ୍ମିକ ମେଘ ମେଦୁରିତ ପରିବେଶରେ ପରିଭ୍ରମଣରେ ଯାଇଥିବା ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରମାନଙ୍କ ସ୍ୱପ୍ନକୁ ସାକାର ରୂପ ଦେବାକୁ ଯାଇ ସୃଷ୍ଟି କରିଥିଲେ ‘କୋଣାର୍କେ’ କାବ୍ୟ । ଶାରଦୀୟ ଶାନ୍ତ ସ୍ନିଗ୍ଧ ମଧୁର ଚନ୍ଦ୍ରିକା ଚର୍ଚ୍ଚିତ ପରିବେଶରେ ସେଦିନ ମୁଖ୍ୟ ପ୍ରତିବନ୍ଧକ ଥିଲା ଭୀଷଣ ଝଡ଼ିବର୍ଷା । ଫଳତଃ ସୁଦୂର ସତ୍ୟବାଦୀ ବନବିଦ୍ୟାଳୟରୁ ପଦଯାତ୍ରାରେ ଆସି କ୍ଲାନ୍ତି ଅନୁଭବ କରୁଥିବା ଛାତ୍ରମାନେ କୋଣାର୍କର ଚାରିମାଇଲ୍‌ ଦୂର ରାମଚଣ୍ଡୀ ମନ୍ଦିରରେ ସାରାରାତ୍ରି ଆଶ୍ରୟ ନେଇଥିଲେ । ତରୁଣ ଶିକ୍ଷକ କବି ନୀଳକଣ୍ଠଙ୍କ ଆଖିରେ କିନ୍ତୁ ସେଦିନ ନିଦ୍ରା ଆସିଲା ନାହିଁ । ଛାତ୍ରମାନଙ୍କ ସହିତ ସେହି ରାମଚଣ୍ଡୀ ମନ୍ଦିରରେ ରହି ଭଗ୍ନ କୋଣାର୍କ ମନ୍ଦିର କଥା ସ୍ମରଣ କରୁ କରୁ ଅଧଃପତିତ ଓଡ଼ିଆ ଜାତିର ଗୌରବମୟ ଇତିହାସର କଥା ତାଙ୍କ ହୃଦୟକୁ ଆପ୍ଲିତ କରି ପକାଇଲା । କବିଙ୍କର ସେହି ଭାବନାର ସାକାର ମୂର୍ତ୍ତିମନ୍ତ ରୂପ ହେଉଛି ‘କୋଣାର୍କେ’ କାବ୍ୟ ଅନ୍ତର୍ଗତ ‘ରାମଚଣ୍ଡୀଠାରେ ରାତି’ ଓ ପରବର୍ତ୍ତୀ ସକାଳର କଥା ହେଉଛି ‘ରାମଚଣ୍ଡୀଠାରେ ସକାଳ’ ।

 

ଏ ପ୍ରସଙ୍ଗରେ ‘କୋଣାର୍କେ’ କାବ୍ୟର ଭୂମିକାରେ ଡକ୍ଟର ମାୟାଧର ମାନସିଂହ ଉଲ୍ଲେଖ କରିଛନ୍ତି – ‘‘ଓଡ଼ିଆରେ ସାଧାରଣତଃ ଯେପରି କାବ୍ୟ ଆମ୍ଭମାନେ ପଢ଼ିବାକୁ ପାଉଁ, ସେଗୁଡ଼ିକର ଗତାନୁଗତିକ ସ୍ଥାପତ୍ୟଠାରୁ ‘କୋଣାର୍କେ’ କାବ୍ୟର ସ୍ଥାପତ୍ୟ ସଂପୂର୍ଣ୍ଣ ଭିନ୍ନ । ଏହାର କାରୁ-ଶିଳ୍ପ ମଧ୍ୟ କବିଙ୍କର ଅନେକାଂଶରେ ନିଜସ୍ୱ ହୋଇଥିବାରୁ । କାବ୍ୟ ଜନସାଧାରଣରେ ପ୍ରିୟ ନ ହୋଇପାରେ । କିନ୍ତୁ ଠିକ୍‌ ସେଇ କାରଣରୁ ହିଁ ଚିହ୍ନରା ଗ୍ରାହକମାନଙ୍କ ନିକଟରେ ଏହାର ମୂଲ୍ୟ ବେଶୀ । ଗତାନୁଗତିକତାଠାରୁ ଭିନ୍ନ ହୋଇଥିବାରୁ ହିଁ, ଏହି କାବ୍ୟ ପ୍ରତି ମୋର ସ୍ୱତନ୍ତ୍ର ଶ୍ରଦ୍ଧା ।’’ (୧) ବାସ୍ତବରେ ସାରଳା ଦାସଙ୍କଠାରୁ ଆରମ୍ଭ କରି ବଳରାମ ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ରାଧାନାଥ ରାୟଙ୍କ ପର୍ଯ୍ୟନ୍ତ ବହୁ ସ୍ରଷ୍ଟା ଆମ ସୃଷ୍ଟିକୁ ନାନା ଦିଗରୁ ବହୁଭାବରେ ସମୃଦ୍ଧ କରିଛନ୍ତି । ମାତ୍ର କବି ନୀଳକଣ୍ଠ ତାଙ୍କର ‘କୋଣାର୍କେ’ କାବ୍ୟରେ ଆମ ଜାତିର ଇତିହାସ ଓ କିମ୍ବଦନ୍ତୀ ଯେପରି ଜୀବନ୍ତ ଓ ମାର୍ମିକ ଭାବେ ଉପସ୍ଥାପନ କରିଛନ୍ତି ତାହା ଅନ୍ୟ କୌଣସି କବିଙ୍କ କାବ୍ୟରେ ଲକ୍ଷ୍ୟ କରାଯାଏ ନାହିଁ । ନୀଳକଣ୍ଠ ‘କୋଣାର୍କେ’ କାବ୍ୟ ସୃଷ୍ଟି କାଳରେ ସମକାଳୀନ ଓଡ଼ିଆ ଜାତିର ସ୍ଥିତାବସ୍ଥା ପ୍ରତି ସଚେତନ ହୋଇଛନ୍ତି । ସେ ଲକ୍ଷ୍ୟ କରିଛନ୍ତି ଏହି ଜାତିର ଏକ ଦୀର୍ଘ ଦିନର ଇତିହାସକୁ, ପ୍ରଚଳିତ ଲୋକକଥା ତଥା କିମ୍ବଦନ୍ତୀକୁ । ଯେଉଁ ଜାତିର ଜାତୀୟ ବୀରମାନେ ଉତ୍କଳର ସୀମାକୁ ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର କରି ସମୃଦ୍ଧ ଉତ୍କଳ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେହି ଉତ୍କଳର ସୀମା କବି ନୀଳକଣ୍ଠଙ୍କ ସମୟକୁ ମାତ୍ର କେତୋଟି ଜିଲ୍ଲାରେ ସୀମିତ ହୋଇଯାଇଛି । ଗଜପତି ଶାସନ ଲୋପ ପାଇବା ସହିତ ୧୫୬୮ ଖ୍ରୀ.ଅ.ରୁ. ଓଡ଼ିଶାର ସ୍ୱାଧୀନତା ରବି ଅସ୍ତମିତ ହୋଇଯାଇଛି । ଏହାପରେ ଓଡ଼ିଶା ହୋଇଛି ମୋଗଲ, ମରହଟ୍ଟା ତଥା ଇଂରେଜ ଶାସକମାନଙ୍କର କ୍ରୀଡ଼ାକ୍ଷେତ୍ର । ଓଡ଼ିଶାର ଜନସାଧାରଣଙ୍କର ସରଳତା ଓ ଅଜ୍ଞତାର ସୁଯୋଗ ନେଇ ୧୮୬୬ ମସିହାରେ ଦେଖାଦେଇଛି ମାନବୀକୃତ ନଅଙ୍କ ଦୁର୍ଭିକ୍ଷ । ଓଡ଼ିଆଙ୍କ ମୁଖରୁ ଓଡ଼ିଆ ଭାଷାକୁ ଛଡ଼ାଇ ନେଇ ବଙ୍ଗଳାର କେତେଜଣ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବଙ୍ଗଳା ଭାଷାକୁ ତାଙ୍କ ଉପରେ ଲଦି ଦେଇ କହିଛନ୍ତି ଓଡ଼ିଆ ଭାଷା ହେଉଛି ବଙ୍ଗୀୟ ଭାଷାର ଏକ ଉପଭାଷା । ଏହି ସୁଯୋଗରେ ବଙ୍ଗଳାଭାଷୀ ତଥା ବାଲେଶ୍ୱର ହାଇସ୍କୁଲର ବଙ୍ଗୀୟ ପଣ୍ଡିତ କାନ୍ତିଚନ୍ଦ୍ର ଭଟ୍ଟଚାର୍ଯ୍ୟ ‘ଉଡ଼ିୟା ସ୍ୱତନ୍ତ୍ର ଭାଷା ନୟ’ ନାମରେ ଏକ କ୍ଷୁଦ୍ର ପୁସ୍ତିକା ପ୍ରକାଶ କରି ବଣ୍ଟନ କରିଛନ୍ତି, ଯହିଁରେ ଓଡ଼ିଆ ଭାଷାକୁ ଲୋପ କରାଯିବାର ହୀନ ଉଦ୍ୟମ ଆରମ୍ଭ କରାଯାଇଥିଲା । ଫଳତଃ ଏହିଠାରୁ ହିଁ ସୃଷ୍ଟି ହୋଇଥିଲା ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ଆତ୍ମଜାଗୃତି ଭାବନା ।

 

ଏହି ଜାଗୃତି ପ୍ରଥମେ ନଅଙ୍କ ଦୁର୍ଭିକ୍ଷ ଓ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନକୁ କେନ୍ଦ୍ର କରି ସୃଷ୍ଟି ହୋଇ ଊନବିଂଶ ଶତାବ୍ଦୀର ଶେଷ ଭାଗକୁ ସୀମା କୈନ୍ଦ୍ରିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଯାଇଥିଲା । ୧୮୮୮ ମସିହାରେ ଜାତିପ୍ରାଣ ମଧୁସୂଦନ କଟକର ଜନସାଧାରଣଙ୍କୁ ଏକତ୍ରିତ କରି ବିଦେଶୀ ଶାସକଙ୍କ ନିକଟରେ ଓଡ଼ିଶାର ଦାବି ଉପସ୍ଥାପନ କରିଥିଲେ । ଏହା ପୂର୍ବରୁ ୧୮୭୬ ସାଲରେ ଓଡ଼ିଆ ଭାଷା ଅଞ୍ଚଳ ସହିତ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ବିଷୟରେ ବ୍ରିଟିଶ୍‌ ସରକାରଙ୍କ ନିକଟରେ ଦେଶହିତୈଷୀ ସ୍ୱନାମଧନ୍ୟ ମହାରାଜା ବୈକୁଣ୍ଠନାଥ ଦେ ଓ ବିଚିତ୍ରାନନ୍ଦ ପଟ୍ଟନାୟକ ଏକ ବେସରକାରୀ ପ୍ରସ୍ତାବ ଆଗତ କରିଥିଲେ । ଫଳତଃ ଊନବିଂଶ ଶତକର ଶେଷ ଭାଗକୁ ଭାଷା କୈନ୍ଦ୍ରିକ ଆନ୍ଦୋଳନ ସୀମାକୈନ୍ଦ୍ରିକ ଆନ୍ଦୋଳନରେ ପରିବର୍ତ୍ତିତ ହୋଇ ସମଗ୍ର ଓଡ଼ିଶାର ଜନସାଧାରଣଙ୍କୁ ସଚେତନ କରିଦେଇଥିଲା ।

 

ବିଂଶ ଶତକର ପ୍ରାରମ୍ଭରେ ମଧୁସୂଦନ ଦାସଙ୍କ ନେତୃତ୍ୱରେ ସମଗ୍ର ଉତ୍କଳ ଭୂଖଣ୍ଡରେ ସୀମାକୁ କେନ୍ଦ୍ର କରି ଯେଉଁ ଜାତୀୟ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହାର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା ସମଗ୍ର ଉତ୍କଳୀୟ ଜନତାଙ୍କୁ ଏକତ୍ର କରିବା, ଭବିଷ୍ୟତ ଉତ୍କଳ ନିର୍ମାଣ କରିବା ତଥା ‘ଓଡ଼ିଶା ହେଉଛି ଓଡ଼ିଆର’ –ପ୍ରତ୍ୟେକ ଓଡ଼ିଆଭାଷୀ ମଧ୍ୟରେ ଏହି ଚେତନା ସୃଷ୍ଟି କରିବା । ଫଳତଃ ୧୮୭୧-୧୯୦୦ ମସିହା ମଧ୍ୟରେ ଓଡ଼ିଶାରେ ଜନ୍ମଲାଭ କରିଥିବା ଶିକ୍ଷିତ ଯୁବମାନସ ଦେଶହିତରେ ମନପ୍ରାଣ ଢାଳି ଦେଇଥିଲେ । ଏହି ଗୋଷ୍ଠୀର ପ୍ରେରଣା ଫଳରେ ଓଡ଼ିଶା ଭୂଖଣ୍ଡରେ ନବ ଜାଗରଣର ଉଦ୍ମାଦନା ସୃଷ୍ଟି ହୋଇଥିଲା । ‘ଓଡ଼ିଆ’ ଶବ୍ଦକୁ ସେମାନେ କେବଳ ଗୋଟିଏ ଜାତି ଉଦ୍ଦେଶ୍ୟରେ ବ୍ୟବହାର ନକରି ଓଡ଼ିଶାର ପାଣି ପବନରେ ପରିପୁଷ୍ଟ ସମସ୍ତ ଜାତିକୁ ଏଥିରେ ଅନ୍ତର୍ଭୁକ୍ତ କରିଥିଲେ । ଓଡ଼ିଶା ମାଟିରେ ଯିଏ ନିଜର ରକ୍ତକୁ ମିଶାଇଦେବ ସେ ହେବ ଓଡ଼ିଆ ଏବଂ ଓଡ଼ିଶା ହେବ ତାହାରି – ଏହାହିଁ ଓଡ଼ିଆ ଶବ୍ଦ ମଧ୍ୟରେ ପ୍ରତିଧ୍ୱନିତ ହେଉଥିଲା ।

 

ଊନବିଂଶ ଶତକରେ ସୃଷ୍ଟ ଜାତିପ୍ରୀତିର ଏହି ପ୍ରାଣ ପ୍ରବାହ ପରବର୍ତ୍ତୀ ସତ୍ୟବାଦୀ ସାହିତ୍ୟ ସାଧକମାନଙ୍କ ପର୍ଯ୍ୟନ୍ତ ପ୍ରଖର ଗତିରେ ବ୍ୟାପିଯାଇଥିଲା । ଏହାପୂର୍ବରୁ ୧୯୦୧ ମସିହାରେ ଖଲିକୋଟ ମହାରାଜା ହରିହର ମର୍ଦ୍ଦରାଜଙ୍କ ଉଦ୍ୟମରେ ଗଞ୍ଜାମର ରମ୍ଭାଠାରେ ଥିବା ତାଙ୍କରି ବଙ୍ଗଳାରେ ଗଞ୍ଜାମ ସମ୍ମିଳନୀ ଆରମ୍ଭ ହୋଇଥିଲା । ପରେ ପରେ ୧୯୦୩ ମସିହାରେ ମଧୁସୂଦନ ଦାସଙ୍କ ନେତୃତ୍ୱରେ କଟକଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସମଗ୍ର ଉତ୍କଳୀୟ ଜନତାଙ୍କୁ ଏକତ୍ରିତ କରି ଏହାର ଭାଷା ସାହିତ୍ୟ ସୁରକ୍ଷା ଦିଗରେ ଯେଉଁ ପ୍ରବଳ ତଥା ପଥିକୃତ ଉଦ୍ୟମ ଆରମ୍ଭ କରିଥିଲେ ତାହା ସତ୍ୟବାଦୀ ସାହିତ୍ୟ ସାଧକଙ୍କୁ ସାହିତ୍ୟ ସୃଷ୍ଟି କରିବା ପାଇଁ ଯଥେଷ୍ଟ ପ୍ରେରଣା ପ୍ରଦାନ କରିଥିଲା । ଏହି ସମ୍ମିଳନୀରେ ମନୀଷୀ ନୀଳକଣ୍ଠ ସେଦିନ ଥିଲେ ନୀରବଦ୍ରଷ୍ଟା । ଏ ସଂପର୍କରେ ସେ ତାଙ୍କ ଗ୍ରନ୍ଥାବଳୀରେ ସୂଚନା ଦେଇ କହନ୍ତି – ‘ଜାତୀୟ ଜୀବନର ସେ ନବ ଉନ୍ମେଷ ଆଜି ମୋର ମନରେ ପ୍ରାଚୀନ ହେଲେ ମଧ୍ୟ ଜୀର୍ଣ୍ଣ ହୋଇନାହିଁ । ଜୀବନରେ ତାହାହିଁ ଯେପରି ମୋର ଏକ ପ୍ରଥମ ଦୀକ୍ଷା ।

 

ଏହି ଦୀକ୍ଷା ଗ୍ରହଣ କରି କବି ନିଜ କର୍ମ ଜୀବନର ପ୍ରାରମ୍ଭରୁ ହିଁ ମହାଭାରତୀୟ ଜାତୀୟ ସ୍ରୋତରେ ନିଜକୁ ସାମିଲ କରିଥିଲେ । ସୁପ୍ତ ଜଡ଼ବତ୍‌ ଉତ୍କଳୀୟ ଜନତାଙ୍କୁ ଜାତୀୟ ଜାଗରଣରେ ସାମିଲ କରିବା ପାଇଁ ପ୍ରୟାସୀ ହୋଇ ସେମାନଙ୍କ ମଧ୍ୟରେ ଜାତୀୟତାର ବୀଜ ଉତ୍‌ପୋଥିତ କରିଥିଲେ । ଓଡ଼ିଆ ଜାତିର ଜଣେ ସ୍ୱାଭିମାନୀ ପୁରୁଷଭାବେ ତାଙ୍କ ହୃଦୟରୁ ସର୍ବଦା ଅନୁରଣିତ ହେଉଥିଲା – ‘‘ରକ୍ତ, ମାଂସ, ପିଣ୍ଡ ବା ଅପରିବର୍ତ୍ତିତ ଭୂମି ଖଣ୍ଡରେ ଜାତୀୟତା ରହେ ନାହିଁ । ଜାତୀୟତା ରହେ ଭାବରେ, ଆଦର୍ଶରେ, ଜାତୀୟ ଜୀବନର ମୌଳିକତା ଓ ଶକ୍ତିରେ ।’’ (୨) ସୁତରାଂ ସମକାଳୀନ ଉତ୍କଳର ନିର୍ବେଦ ପରାଧୀନ ପ୍ରପୀଡ଼ିନ ଜନସାଧାରଣଙ୍କୁ ଏକତ୍ରିତ କରି ସେ ଏକ ବୃହତ୍ତର ଓଡ଼ିଶା ଗଠନ ନିମିତ୍ତ ପ୍ରୟାସୀ ହୋଇ ଉତ୍କଳୀୟ ଜନସାଧାରଣଙ୍କ ସମ୍ମୁଖରେ ଆମ ଇତିହାସ ଓ କିମ୍ବଦନ୍ତୀକୁ ଉପସ୍ଥାପିତ କରିଥିଲେ ଓ ଅତୀତ ଉତ୍କଳର ଗୌରବ ଗରିମାମୟ କୀର୍ତ୍ତିରାଜୀକୁ ତାହାରି ମାଧ୍ୟମରେ ପ୍ରତିଭାତ କରିଥିଲେ । ଏ ପର୍ଯ୍ୟାୟରେ କବିଙ୍କ ‘କୋଣାର୍କେ’ (୧୯୧୯) ଥିଲା ଏକ ଅନନ୍ୟ, ଅସାଧାରଣ ଏବଂ ଅତୁଳନୀୟ ଐତିହାସିକ କାବ୍ୟ । କାବ୍ୟର ଭୂମିକାରେ ଡକ୍ଟର ମାନସିଂହ ସେଥିପାଇଁ ଉଲ୍ଲେଖ କରିଛନ୍ତି – ‘‘ସ୍ଥାପତ୍ୟ ଦେଖାଏ ସିନା, କାବ୍ୟ କଥା କହେ । ପ୍ରାଚୀନ ଉତ୍କଳ କେଉଁଠି କଥା କହୁଚି, ତାହାର ବହୁ ଅନୁସନ୍ଧାନ ମୁଁ ନିଜେ କରିଚି । ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘କୋଣାର୍କେ’ କାବ୍ୟ-ଯୁଗ୍ମରେ ପୁରାଣ ଉତ୍କଳର ପ୍ରାଣ-ବାଣୀ ଯେପରି ସ୍ପଷ୍ଟ ଭାବରେ ମୋର ଶ୍ରୁତିଗୋଚର ହୋଇଚି, ତାହା ଓଡ଼ିଆ, ଇଂରାଜୀ ବା ଅନ୍ୟ କୌଣସି ଭାଷାର କୌଣସି ଲେଖାଠାରୁ ମୁଁ ପାଇ ପାରିନି ।’’(୩)

 

ନୀଳକଣ୍ଠ ହେଉଛନ୍ତି ଯଥାର୍ଥରେ ମନୀଷୀ । ତାଙ୍କର ମନୀଷା ଦିଗନ୍ତ ବିସ୍ତାରୀ ଓ ସୁଦୂର ପ୍ରସାରୀ । ସେ ବହୁପାଠୀ । ସଂସ୍କୃତ ସାହିତ୍ୟଠାରୁ ଆରମ୍ଭ କରି ବେଦ, ବେଦାନ୍ତ, ପୁରାଣ, ଇତିହାସ, କିମ୍ବଦନ୍ତୀ ସବୁଥିରେ ତାଙ୍କର ପ୍ରଚଣ୍ଡ ଆଗ୍ରହ । ପୁନଶ୍ଚ ଗଭୀର ଆତ୍ମପ୍ରତ୍ୟୟ, ପ୍ରଚଣ୍ଡ ସ୍ୱାଭିମାନବୋଧ ତଥା ଉଗ୍ର ଜାତିପ୍ରୀତି ତାଙ୍କୁ ଜଣେ ଅମର ଓ ଅପ୍ରତିଦ୍ୱନ୍ଦୀ ସ୍ରଷ୍ଟାଭାବେ ଆମ ସାହିତ୍ୟରେ ସମ୍ମାନିତ କରିଛି । ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କିରବା ସମୟରେ ଭବିଷ୍ୟତ ଭାରତବର୍ଷର ନାଗରିକ ତଥା ଏହି ବିଦ୍ୟାଳୟର ଛାତ୍ର ସମାଜକୁ ଦେଶର ଅତୀତ କୀର୍ତ୍ତିରାଜୀ ସହିତ ଓତପ୍ରୋତ ଭାବେ ଜଡ଼ିତ କରି ସେମାନଙ୍କ ମଧ୍ୟରେ ସଂସ୍କୃତି ଓ ଇତିହାସ ପ୍ରୀତି ସୃଷ୍ଟି କରିବା ପାଇଁ ସେହି ଛାତ୍ରମାନଙ୍କୁ ସେ କୋଣାର୍କ ପରିଦର୍ଶନ ଉଦ୍ଦେଶ୍ୟରେ ନେଇଛନ୍ତି । କାବ୍ୟର ପ୍ରାରମ୍ଭରେ କବି ଅତ୍ୟନ୍ତ ନାଟକୀୟ ଭାବରେ ଏକ ବର୍ଷଣ ମୁଖର ପରିବେଶ ସୃଷ୍ଟି କରିଛନ୍ତି । ଫଳତଃ ସେହି ମେଦୁରିତ ପରିବେଶ ମଧ୍ୟରେ କୋଣାର୍କ ପରିଦର୍ଶନ କରିନପାରି ଛାତ୍ରମାନେ କୋଣାର୍କର ଅନତିଦୂରରେ ଥିବା ଦେବୀ ରାମଚଣ୍ଡୀ ମନ୍ଦିରରେ ଆଶ୍ରୟ ନେଇଛନ୍ତି । ପଥଶ୍ରମ କରି ଆସିଥିବା ଛାତ୍ରମାନେ ଗଭୀର ନିଦ୍ରାରେ ଶୋଇଯିବା ପରେ କବି ନୀଳକଣ୍ଠଙ୍କ ମନୋଭୂମିରେ ଅତୀତ ଉତ୍କଳର ବିଭବ, ଇତିହାସ, କୀର୍ତ୍ତିରାଜୀ ତଥା କିମ୍ବଦନ୍ତୀ ଜୀବନ୍ତ ରୂପ ଗ୍ରହଣ କରି ନାଚି ଉଠିଛି । କବି ଅନୁଭବ କରିଛନ୍ତି, ଉତ୍କଳରୁ ସ୍ଥିତାବସ୍ଥା ଦୂରେଇ ଦେଇ ଏହାର ପୂର୍ବ ଐତିହ୍ୟ ଫେରାଇ ଆଣିବାକୁ ହେଲେ ଛାତ୍ରସମାଜ ମାଧ୍ୟମରେ ସମଗ୍ର ଉତ୍କଳୀୟ ସମାଜକୁ ସଚେତନ କରିବାକୁ ପଡ଼ିବ । ଏଥିପାଇଁ ଇତିହାସର ଅନୁଧ୍ୟାନ ଓ ଅନୁଶୀଳନ ଏକାନ୍ତ ଭାବେ ଆବଶ୍ୟକ । ଏହି ପ୍ରସଙ୍ଗରେ ସେ ଷ୍ଟିଫେନ୍‌ ସ୍ପେଣ୍ଡର, ଗେଟେ ପ୍ରଭୃତିଙ୍କର ଇତିହାସ ସମ୍ପର୍କିତ ଉକ୍ତିକୁ ସତ୍ୟ ଓ ଯଥାର୍ଥ ଭାବେ ଗ୍ରହଣ କରିଛନ୍ତି ।

 

ଇତିହାସ ସମ୍ପର୍କରେ ଷ୍ଟିଫେନ୍‌ ସ୍ପେଣ୍ଡର କହନ୍ତି – ‘‘History has tongues’’ ଇତିହାସ ମୂକ, ଅଥର୍ବ ବା ପଙ୍ଗୁ ନୁହେଁ, ଏହାର ଜୀବନ ଅଛି । କଥା କହିବାର ଶକ୍ତି ଅଛି । ଏହା ଆମକୁ ଆଗକୁ ଅଗ୍ରସର ହେବାକୁ ପ୍ରେରଣା ଦିଏ, ଉଦ୍‌ବୁଦ୍ଧ କରେ ଏବଂ ଅତୀତ ବୀରମାନଙ୍କ କୀର୍ତ୍ତି କାହାଣୀ ଶୁଣାଇ ଭବିଷ୍ୟତ ଗଠନ କରିବା ପାଇଁ ପ୍ରେରଣା ଦିଏ । ସେଥିପାଇଁ ସତ୍ୟବାଦୀ ଯୁଗର ସମସ୍ତ ସାଧକ ଇତିହାସକୁ ତାଙ୍କ ସାହିତ୍ୟ ସୃଷ୍ଟିର ମୂଳ ଭିତ୍ତି ଭାବେ ଗ୍ରହଣ କରିଛନ୍ତି । ଅନୁରୂପ ଭାବେ କବି ନୀଳକଣ୍ଠ ମଧ୍ୟ ତାଙ୍କ ରଚିତ କାବ୍ୟ କବିତାରେ ଠିକ୍‌ ତାହା ହିଁ କରିଛନ୍ତି ।

 

ଆଲୋଚ୍ୟ ‘କୋଣାର୍କେ’ କାବ୍ୟ ମଧ୍ୟରେ କବି ଇତିହାସ ଓ କିମ୍ବଦନ୍ତୀକୁ ଏକତ୍ର କରି ଗୋଟିଏ ବିନ୍ଦୁରେ ମିଶାଇ ଦେଇଛନ୍ତି । ଇତିହାସ ଓ କିମ୍ବଦନ୍ତୀ ତାଙ୍କ କାବ୍ୟରେ ପ୍ରଥମ କରି ଜୀବନ୍ତ ରୂପ ଗ୍ରହଣ କରି କଥା କହିଛି) ପାଠକ ସମାଜକୁ ଉଦ୍‌ବୁଦ୍ଧ କରିଛି ଓ ସମଗ୍ର ଦେଶବାସୀଙ୍କୁ ଭବିଷ୍ୟତ ଦେଶ ଗଠନ ପାଇଁ ପ୍ରେରଣା ଦେଇଛି । ରାମଚଣ୍ଡୀ ମନ୍ଦିରରେ ବିଶ୍ରାମ ନେବା ଅବସରରେ କବି ଛାତ୍ର ସମାଜର ସ୍ୱପ୍ନ ମଧ୍ୟରେ ରୋମନ୍ଥନ କରିଛନ୍ତି ଅତୀତ ଉତ୍କଳର ଇତିହାସକୁ, ଆମ ପ୍ରାଚୀନ ସଂସ୍କୃତିକୁ, ପରମ୍ପରା ଓ ପୁରୋଦୃଷ୍ଟିକୁ । ତେଣୁ କବି କଣ୍ଠରୁ ପ୍ରକାଶ ପାଇଛି –

 

‘‘ଅଇତିହାସିକ ଭୂମି ଏ, ଏଥି ବାଳକକୁଳ

ଇତିହାସ-ସ୍ମୃତି-ପୁଲକେ ଲବେ ହେବେ ବିହ୍ୱଳ ।’’ (୪)

 

କାବ୍ୟ ବର୍ଣ୍ଣନା କ୍ରମରେ କୋଣାର୍କ ମନ୍ଦିର ସମେତ ବାରବାଟୀ ଦୁର୍ଗ ଗଙ୍ଗବଂଶୀ ରାଜା ନରସିଂହ ଦେବ, ଯାଜପୁରର କେଶରୀ ବଂଶ, ତୋଷାଳୀର ରାଜବଂଶ, ଚେଦୀ ବଂଶ, ଚୀନ ପରିବ୍ରାଜକ ହୁଏନଂସା, ଫାହିୟାନ୍‌, ପ୍ରବଳ ପ୍ରତାପୀ ଅନଙ୍ଗ ଭୀମଦେବ, ଆକବର, ମୁକୁନ୍ଦଦେବ, ବଙ୍ଗରାଜା ଲକ୍ଷ୍ମଣଙ୍କ ସମେତ ମର୍କତକେଶରୀଙ୍କ କାଠଯୋଡ଼ି ପଥର ବନ୍ଧ ଏବଂ ଚୋଡ଼ଗଙ୍ଗ ଦେବଙ୍କ ପୁରୀ ମନ୍ଦିର ନୀଳକଣ୍ଠଙ୍କ ଲେଖନୀରେ ପ୍ରାଣବନ୍ତ ହୋଇଉଠିଛି । ପୁନଶ୍ଚ ବହୁଜନାଦୃତ ଓ ଲୋକପ୍ରିୟ ଉତ୍କଳୀୟ କିମ୍ବଦନ୍ତୀ ମଧ୍ୟରେ ଶିବେଇ ସାନ୍ତରାଙ୍କ ଦେଉଳ ତୋଳା, ଧର୍ମପଦ ଉପାଖ୍ୟାନ, କଳାପାହାଡ଼ ଓ ଦେବୀ ରାମଚଣ୍ଡୀ ପ୍ରସଙ୍ଗ ତଥା ’କୋଣାର୍କେ’ କାବ୍ୟର ଦ୍ୱିତୀୟ ଭାଗ ମାୟାଦେବୀର ‘ଭାଟ ପ୍ରସଙ୍ଗ’ ପ୍ରଭୃତି କିମ୍ବଦନ୍ତୀ ଗୁଡ଼ିକ କବି ବର୍ଣ୍ଣନାରେ ଅତ୍ୟନ୍ତ ଜୀବନ୍ତ ରୂପ ଗ୍ରହଣ କରିଛି । ଏହି କାବ୍ୟରେ ନୀଳକଣ୍ଠ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ନିଜ ମନ ମଧ୍ୟରେ ସ୍ଥାପନ କରି ସୃଷ୍ଟି କରିଛନ୍ତି ତାଙ୍କ କାବ୍ୟର କୋଣାର୍କ । ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରମାନଙ୍କ ସହିତ କବି ନୀଳକଣ୍ଠ ଯେତେବେଳେ ଶିକ୍ଷା ପରିଭ୍ରମଣରେ କୋଣାର୍କ ଯାଇଛନ୍ତି, ସେତେବେଳେ କାବ୍ୟ ସୃଷ୍ଟିର ପ୍ରେରଣା ଏହି ମନ୍ଦିରରୁ ହିଁ ଲାଭ କରିଛନ୍ତି । କାବ୍ୟରେ ଇତିହାସର ତଥ୍ୟକୁ ଅଧିକ ପ୍ରାଞ୍ଜଳ ଓ ଯୁକ୍ତିନିଷ୍ଠ କରିବା ପାଇଁ ପ୍ରୟାସୀ ହୋଇ କବି ଆଇନ-ଇ-ଆକବରୀ ଗ୍ରନ୍ଥକୁ ମଧ୍ୟ ଅନୁସରଣ କରିଛନ୍ତି ।

 

ରାତ୍ରୀର ଭୀଷଣ ଝଡ଼ଝଞ୍ଝା ମଧ୍ୟରେ ବାଳବକୁଳ କୋଣାର୍କ ମନ୍ଦିର ପରିଦର୍ଶନ କରିପାରି ନଥିବାରୁ କବି ଖୁବ୍‌ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଛନ୍ତି ଓ ତାଙ୍କର ମନ ଭାଙ୍ଗି ପଡ଼ିଛି । ଏହି ପ୍ରସଙ୍ଗରେ ତାଙ୍କ ଲେଖନୀରୁ ଅନୁରଣିତ ହୋଇଛି ।

 

‘‘ଚାହିଁବେ କୋଣାର୍କ ଦେଉଳେ ଦିଗ ପ୍ରାଚୀର-ତଳେ;

ବୁଲି ଆସୁଥିବେ ପଲକେ ରାମଚଣ୍ଡୀ – ଶିଖରେ;

ବେଲେଶ୍ୱର – ବନ୍ତ ଅଦୂରେ ନାଚୁଥିବ ନୟନେ;

ଦେଖୁଥିବେ ବଡ଼ ଦେଉଳ କେବେ ନେତ୍ର କୁଞ୍ଚନେ ।

ଅତୀତ – ବିଭବ – କାହାଣୀ କହି ବିବିଧ ରଙ୍ଗେ.

ଆତ୍ମାକୁ ବିସୋରି ମିଶିବେ ପୂର୍ବ – ପୁରୁଷ ସଙ୍ଗେ ।

ଅତୀତୁ ଅତୀତ ପ୍ରସାରେ ବହି ଜୀବନ ଧାରା

ବ୍ୟାପିଯିବ ମହାବିସ୍ତାରେ ଭେଦି ଶରୀର କାରା ।’’ (୫)

 

ଏହି ବର୍ଣ୍ଣନା ମଧ୍ୟରେ କବି ସମକାଳୀନ ଉତ୍କଳର ସ୍ଥାଣୁ ଅବସ୍ଥା ସହିତ ଅତୀତର ଇତିହାସକୁ ଯୋଡ଼ିଦେଇ ଅତୀତ ଓ ବର୍ତ୍ତମାନ ମଧ୍ୟରେ ସୁସମନ୍ୱୟ ସ୍ଥାପନ କରିଛନ୍ତି । ପୁନଶ୍ଚ ନିଶାର୍ଦ୍ଧ ପର୍ଯ୍ୟନ୍ତ ଝଡ଼ର ବେଗ ନକମିବାରୁ ଖୁବ୍‌ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଛି କବିପ୍ରାଣ । ଯେଉଁ ଝଡ଼ କୋଣାର୍କ ପରି ଐତିହାସିକ ବାଲୁକା ଶଯ୍ୟାରେ ତା’ର ଲୀଳା ଖେଳା ଯେପରି ଆରମ୍ଭ କରିଦେଇଛି, ତାହା କିପରି ସମଗ୍ର ବିଶ୍ୱ ଇତିହାସରେ ପ୍ରସିଦ୍ଧ ଥିଲା କବି ତାହା ବର୍ଣ୍ଣନା କରିଛନ୍ତି । ପୁନଶ୍ଚ କାଳବକ୍ଷରେ ଲୀନ ହୋଇଯାଇଥିବା ଅତୀତ ଉତ୍କଳର ନୌବାଣିଜ୍ୟ ପରମ୍ପରା ଯେ ଏକଦା କେତେ ସମୃଦ୍ଧ ଥିଲା, ତାହା ସେହି କାଳରେ ତାଙ୍କ ମନୋଭୂମିରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଉଦ୍‌ଭାସିତ ହୋଇଯାଇଛି । ଉତ୍କଳ ଇତିହାସର ଏସବୁ ଘଟଣାରାଜୀ ହୁଏତ ଶୟନରତ ସ୍ୱପ୍ନବିଭୋର ଛାତ୍ରଙ୍କ ମନରେ ଉଙ୍କି ମାରୁଥିବ । ମାତ୍ର ସମକାଳୀନ ଉତ୍କଳର ଅବସ୍ଥା କେତେ ଯେ ଜରାଜୀର୍ଣ୍ଣ ହୋଇପଡ଼ିଛି, ତାହା ହୁଏତ ଏହି ଛାତ୍ରଗଣ ଅନୁଭବ କରିପାରୁନଥିବେ । ତେଣୁ ସେହି ଶୟନରତ ଛାତ୍ରମାନଙ୍କୁ ତାଙ୍କର ସ୍ୱପ୍ନ ମଧ୍ୟରେ କବି ମନେପକାଇ ତଥା ଚେତାଇ ଦେଇ କହିଛନ୍ତି ; -

 

‘‘ଶୋଇଛ ତ ଏବେ ଶୁଣିବ, କେତେ ସ୍ୱପନ ବାଣୀ;

କାଳ-ରୀତି ସବୁ ଦେଖିବ, ପ୍ରତିଲୋମେ ଉଜାଣି ।

ଦେଖିବ ହେ କେତେ ବିଭବ ପ୍ରାଣ-ପୁଲକ-ଭରେ;

ସମର-ଦୁନ୍ଦୁଭି ଶୁଣିବ ରୁଦ୍ଧ ଚଉଦୁଆରେ;

ଯାଜପୁର-କୁଣ୍ଡେ ପଡ଼ିବ ଅଶ୍ୱମେଧ ଆହୁତି;

ତୋସାଲି-କଟକେ ରମଣୀ-ତୁଙ୍ଗ-ରାଜନ୍ୟ-ନୀତି;

ଶିଳ୍ପୀ ପଣ୍ୟଜୀବୀ ପଣ୍ଡିତ, ପୁଣି ଦେଖିବ ବୀରେ,

ଭୀମ ରଣଭେରୀ ଶୁଣିବ ବାରବାଟୀ ଦୁଆରେ,

ଶତ ଗିରିଦୁର୍ଗ ଉତ୍କଳେ ନାଚିଯିବ ନୟନେ

କୃଷକ ବାହିନୀ ଉଠିବେ ଗ୍ରାମ ନଗର ବନେ ।’’ (୬)

 

ନୀଳକଣ୍ଠ ଏହି କାବ୍ୟରେ ଇତିହାସର ଚିତ୍ର ପ୍ରଦାନ କଲାବେଳେ ତାଙ୍କ ଦୃଷ୍ଟିର ଦିଗ୍‌ବଳୟ ପ୍ରସାରିତ ହୋଇଯାଇଛି ମଗଧ ସାମ୍ରାଜ୍ୟ ଓ ମୌର୍ଯ୍ୟବଂଶ ନିକଟକୁ । ମୌର୍ଯ୍ୟବଂଶୀ ରାଜା ଅଶୋକ ଖ୍ରୀ:ପୂ: ୨୬୧ରେ କଳିଙ୍ଗ ଯୁଦ୍ଧରେ ବିଜୟୀ ହୋଇଥିଲେ । ଏହି ବିରାଟ ମହାସମର ଫଳରେ ଧଉଳୀର ଅନତିଦୂରରେ ଥିବା ଦୟାନଦୀ ରକ୍ତ ନଦୀରେ ପରିଣତ ହୋଇଯାଇଥିଲା । ରାଜ୍ୟ ଜୟର ବିବରଣୀକୁ ସେ ଧଉଳୀ ପାହାଡ଼ର ପ୍ରସ୍ତର ଗାତ୍ରରେ ଖୋଦନ କରିଥିଲେ । ଅନୁରୂପ ଭାବେ ସମ୍ରାଟ ଖାରବେଳ ମଧ୍ୟ ଉତ୍କଳର ପ୍ରବଳ ପ୍ରତାପୀ ସମ୍ରାଟ ଥିଲେ । ଖଣ୍ଡଗିରି ଓ ଏଠାରେ ଥିବା ରାଣୀହଂସପୁର ହେଉଛି ତାଙ୍କର ସେହି ବୀରତ୍ୱର ମୁକସାକ୍ଷୀ । କବି ଇତିହାସର ଏସବୁ ପ୍ରସଙ୍ଗକୁ କାବ୍ୟ ପରିସରକୁ ଆଣିଛନ୍ତି ଏବଂ ଇତିହାସର ବୀରମାନଙ୍କ ବୀରତ୍ୱ କାହାଣୀ କହି ସେହି କାହାଣୀ ମାଧ୍ୟମରେ ପରାଧୀନ ପ୍ରପୀଡ଼ିତ ଉତ୍କଳର ସର୍ବାଙ୍ଗୀନ ଉନ୍ନତି କାମନା କରିଛନ୍ତି । ପୁନର୍ବାର ସେହି ମୌର୍ଯ୍ୟବଂଶୀ ରାଜା ଅଶୋକ ବା ଖାରବେଳଙ୍କ ଉତ୍ତରଦାୟାଦ ଉତ୍କଳୀୟଙ୍କ ହୃଦ୍‌ତନ୍ତ୍ରୀରୁ ସମରଭେରୀ ନିନାଦିତ ହୋଇ ଚତୁର୍ଦ୍ଦିଗ ପ୍ରକମ୍ପିତ ହେବ ତଥା ଉତ୍କଳୀୟମାନେ ସେମାନଙ୍କର ହୃତ୍‍ଗୌରବ ଫେରିପାଇବେ ବୋଲି କବି କୋଣାର୍କେ, କାବ୍ୟର ନିମ୍ନ ପଂକ୍ତି ମଧ୍ୟରେ ଆଶାବାଦୀ ହୋଇଛନ୍ତି ।

 

‘‘କଳିଙ୍ଗ-ପତ୍ତନେ ବାଜିବ ମୌର୍ଯ୍ୟ–ସମର ଭେରୀ;

ଧଉଳୀ-ଶିଖରେ ଶୋହିବ ଅନୁଶାସନ-ଶିରୀ ।

ରାଣୀହଂସପୁରେ ରାଜନ ଆସି ରହିବେ ସୁଖେ

ଋଷି ଯତି କେତେ ରହିବେ କେତେ ଶିଖରୀ-ଶିଖେ ।

ଖାରବେଳ-ଭେରୀ ଶୁଭିବ ହିମଗିରି-ଲଲାଟେ,

ପ୍ରତିଧ୍ୱନି ତହିଁ କୁମାରୀ ଦେବ ସାଗରତଟେ ।’’ (୭)

 

ଅତୀତ ଇତିହାସର ସ୍ମୃତି ରୋମନ୍ଥନ ପୂର୍ବକ କବି ପୁନଶ୍ଚ ପୁସ୍ତକର ବିଭିନ୍ନ ପର୍ଯ୍ୟାୟରେ ପ୍ରବଳ ପ୍ରତାପୀ ଅନଙ୍ଗଭୀମଦେବ, ଆକବର, ମୁକୁନ୍ଦଦେବ ତଥା ପଡ଼ୋଶୀ ରାଜ୍ୟର ବଙ୍ଗ ସମ୍ରାଟ ଲକ୍ଷ୍ମଣ ସେନ୍‌ ପ୍ରଭୃତି ବୀର ପୁରୁଷଙ୍କ ପ୍ରସଙ୍ଗ ଉତ୍‌ଥାପିତ କରିଛନ୍ତି । ପ୍ରତାପୀ ସମ୍ରାଟ ଅନଙ୍ଗଭୀମଦେବ ଭୁଲ୍‌ରେ ଗୋଟିଏ ବ୍ରହ୍ମହତ୍ୟା ଦୋଷରେ ଦୋଷୀ ହୋଇଥିବାରୁ ତାହାର ପ୍ରାୟଶ୍ଚିତ ସ୍ୱରୂପ ତିନିଶହ ପଚାଶ ବ୍ରାହ୍ମଣ ଶାସନ ବସାଇ ଦୋଷମୁକ୍ତ ହେବାକୁ ପ୍ରୟାସ କରିଥିଲେ-। ପୁନଶ୍ଚ ତାଙ୍କ ସମୟରେ ଶ୍ରୀଚୈତନ୍ୟ ବଙ୍ଗଦେଶରୁ ସ୍ୱଧର୍ମ ପ୍ରଚାର କରିବାକୁ ଉତ୍କଳ ଆସିଥିଲେ । ଫଳତଃ ଗଜପତି ପ୍ରତାପରୁଦ୍ରଦେବ ଚୈତନ୍ୟଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । ରାଜା ପ୍ରତାପରୁଦ୍ର ଦେବ ବୈଷ୍ଣବଧର୍ମ ଗ୍ରହଣ କରିବାରୁ ରାଜାଧର୍ମ ପ୍ରଜାଧର୍ମରେ ରୂପାନ୍ତରିତ ହୋଇଥିଲା । ଫଳତଃ ଏହି ଧର୍ମ ସେ କାଳରେ ଏକ ଆନ୍ଦୋଳନରେ ପରିଣତ ହୋଇଥିଲା ।

 

କବି ଅତୀତ ବର୍ଣ୍ଣନା ପ୍ରସଙ୍ଗରେ ବାରବାଟୀ, ଚଉଦୁଆର ତଥା ଯାଜପୁରର ଇତିହାସକୁ ରୋମନ୍ଥନ କରି ଏହାର ବିଶେଷତ୍ୱ କାବ୍ୟ ବର୍ଣ୍ଣିତ ଛାତ୍ର ସମାଜ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ଏକଦା ବାରବାଟୀ ଓ ପରେ ପରେ ଚଉଦୁଆର ଓଡ଼ିଶାର ପ୍ରାଚୀନ ରାଜଧାନୀ ଥିଲା । ଯାଜପୁର ନଗ୍ରରେ କେଶରୀ ବଂଶର ପ୍ରଖ୍ୟାତ ସମ୍ରାଟ ଯଯାତିକେଶରୀ ଦଶଗୋଟି ଅଶ୍ୱମେଧ ଯଜ୍ଞର ଆୟୋଜନ କରାଇଥିଲେ । ତୋଷାଳୀ ବୀର ରାଜବଂଶରେ ଦଣ୍ଡୀ ନାମ୍ନୀ ଜନୈକା ଗୁଣବତୀ ରାଣୀ ସାମ୍ରାଜ୍ଞୀ ଥିଲେ । ବର୍ତ୍ତମାନର ଧଉଳି ତତ୍‌କାଳୀନ ତୋଷାଳୀ ରାଜ୍ୟର ରାଜଧାନୀ ଥିଲା ବୋଲି ଅନୁମିତ ହୋଇଥାଏ । ସଂପ୍ରତି ଓଡ଼ିଶାର ବିଭିନ୍ନ ସ୍ଥାନରୁ ତାଙ୍କ ଶାସନ ସମ୍ପର୍କିତ ତାମ୍ରପତ୍ର ମିଳୁଅଛି ।

 

ସଂପ୍ରତି କଟକର ବାରବାଟୀ କିଲ୍ଲାରେ ଥିବା ଭଗ୍ନ ବାରବାଟୀ ଦୁର୍ଗର ସ୍ତୁପୀକୃତ ରୂପ ସହିତ ଭଗ୍ନ ମସଜିଦ୍‌ ଦୃଷ୍ଟିଗୋଚର ହୁଏ । କେଉଁ ଅତୀତର ଏହି ନବତଳ ପ୍ରାସାଦ ଓ ଦୁର୍ଗ କବି ଦୃଷ୍ଟିରେ ନବରୂପରେ ଭାସ୍ୱର ହୋଇଛି । କାରଣ ବାରଣାସୀ ଓ ଚଉଦୁଆର ପରେ କଟକ ହିଁ କିଛିକାଳ ଉତ୍କଳର ରାଜଧାନୀ ହୋଇଥିଲା । ରାଜା ଅନଙ୍ଗଭୀମଦେବ ଏହି ରାଜଧାନୀ ବସାଇବା ସହିତ ବାରବାଟୀ କିଲ୍ଲା ପରିସରରେ ନବତଳ ପ୍ରାସାଦ ନିର୍ମାଣ କରାଇଥିଲେ ଓ ଦୁର୍ଗ ନିକଟରେ ଏକ ବିରାଟ ଜଳାଶୟ ଖନନ କରାଇଥିଲେ । ଯାହା ରାଣୀ ପୁଷ୍କରିଣୀ ଭାବେ ଖ୍ୟାତ ଥିଲା । ମାତ୍ର କାଳଗର୍ଭରେ ସେହି ନବତଳ ପ୍ରାସାଦ ବର୍ତ୍ତମାନ ଧ୍ୱଂସ ବିଧ୍ୱଂସ ସ୍ତୂପରେ ରୂପାନ୍ତରିତ ହୋଇଯାଇଛି-। ଏତଦ୍‌ବ୍ୟତୀତ ଏହି ପ୍ରସଙ୍ଗରେ ମର୍କତକେଶରୀଙ୍କ କାଠଯୋଡ଼ୀ ବନ୍ଧ ନିର୍ମାଣ, ମତ୍ସ୍ୟକେଶରୀଙ୍କ ପୁରୀ ଓ ଯାଜପୁରରେ ଅଠରନଳା ତଥା ଚୋଡ଼ଗଙ୍ଗଦେବଙ୍କ ପୁରୀ ମନ୍ଦିର ନିର୍ମାଣ ହେଉଛି ଆମ ଉତ୍କଳ ଇତିହାସର ଏକ ଏକ କୀର୍ତ୍ତିସ୍ତମ୍ଭ । ଗଭୀର ଅମା ଅନ୍ଧକାରରେ ଛାତ୍ରମାନଙ୍କ ସ୍ୱପ୍ନ ମଧ୍ୟରେ କବି ନୀଳକଣ୍ଠ ଇତିହାସର ଏହି ସ୍ମୃତିକୁ ରୋମନ୍ଥନ କରିଛନ୍ତି ଓ ଛାତ୍ରସମାଜ ଉଦ୍ଦେଶ୍ୟରେ ପ୍ରକାଶ କରିଛନ୍ତି –

 

‘‘ମରକତ, ମତ୍ସ୍ୟ, ଲଳିତ, ବୀର ଅନଙ୍ଗଭୀମ,

ତଟିନୀ – ମେଖଳା, ମନ୍ଦିରେ, ଯହିଁ କୀର୍ତ୍ତି – କରମ ।

ସ୍ମୃତି ପଥେ ଭାସି ପଲକେ ଯିବେ ବାପା ତୁମ୍ଭର ।

ଗୋଟି ଗୋଟି ପୁଣି ଗାଇବେ ବନ୍ଦୀ ଫିଟାଇ ସ୍ୱର ।’’ (୮)

 

ଜାଭା, ବୋର୍ଣ୍ଣିଓ, ମସଲାଦ୍ୱୀପ ପ୍ରଭୃତି ଦେଶଗୁଡ଼ିକ ଦକ୍ଷିଣ ପ୍ରଶାନ୍ତ ମହାସାଗର ଓ ଅଷ୍ଟ୍ରେଲିଆ ମଧ୍ୟରେ ଅବସ୍ଥିତ । ସୁଦୂର ଅତୀତରେ ଉତ୍କଳୀୟ ବଣିକମାନେ ଏସବୁ ଦ୍ୱୀପପୁଞ୍ଜ ସହିତ ଶ୍ରୀଲଙ୍କାରେ ମଧ୍ୟ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିଲେ । ମେଦିନୀପୁରର ତମଲୁକ ପ୍ରାଚୀନ ଉତ୍କଳର ତାମ୍ରଲିପ୍ତି ନଗର ଭାବେ ପ୍ରଖ୍ୟାତ ଲାଭ କରିଥିଲା । ଏହିଠାରୁ ହିଁ ଉତ୍କଳୀୟ ନାବରେ ଖ୍ରୀ:ପୂ: ୫ମ ଶତାବ୍ଦୀ ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାହିୟାନ ସିଂହଳ ଯାତ୍ରା କରିଥିଲେ-। ଜାଭା, ବୋର୍ଣ୍ଣିଓ ପ୍ରଭୃତି ଦ୍ୱୀପପୁଞ୍ଜରେ ଓଡ଼ିଆ ବଣିକମାନେ ଉପନିବେଶ ସ୍ଥାପନ କରି ବାଣିଜ୍ୟ ବ୍ୟବସାୟାଦି କରୁଥିଲେ । ସଂପ୍ରତି ସେହି ଦ୍ୱୀପପୁଞ୍ଜ ମାନଙ୍କରେ ଥିବା ଦେବମନ୍ଦିର ତଥା ଶିଳାଲିପି ଗୁଡ଼ିକ ତାହାର ସାକ୍ଷ୍ୟ ବହନ କରିଚାଲିଛି । ଭାଷା, ପରମ୍ପରା, ସଂସ୍କୃତିରେ ମଧ୍ୟ ସେସବୁ ସ୍ଥାନମାନଙ୍କରେ ଓଡ଼ିଆ ଜାତିର ଚିହ୍ନ ରହିଛି । ଇତିହାସର ଏହି କଥାକୁ କବି ଛାତ୍ରମାନଙ୍କ ସମ୍ମୁଖରେ ନିମ୍ନ ଭାବେ ବ୍ୟକ୍ତ କରିଛନ୍ତି ।

 

‘‘କାହିଁ ଯାଭା କାହିଁ ବୋର୍ଣ୍ଣିଓ କାହିଁ ମସଲାଦ୍ୱୀପେ,

ଯିବ ଭାସି ସୁଖ ସ୍ୱପନେ, ମଣିବ ହେ ସମୀପେ ।’’ (୯)

 

ଇତିହାସରୁ ଏସବୁ ଘଟଣାରାଜୀର ଉଦାହରଣ ଦେଲାବେଳେ କବି ପୁନର୍ବାର ଆଶାବାଦୀ ହୋଇଛନ୍ତି ଯେ ଅତୀତର ଏହି ଦୁର୍ଦ୍ଦିନ ତଥା ଅମା ଅନ୍ଧକାର ଆଉ ବେଶିକାଳ ଉତ୍କଳୀୟ ଆକାଶରେ ରହିବ ନାହିଁ । ଅତୀତର ଉତ୍କଳ ଭୂମି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଯେପରି ସୁନାମ ଅର୍ଜନ କରି ଏକ ଅଗ୍ରଗାମୀ ରାଜ୍ୟରେ ପରିଣତ ହୋଇଥିଲା ବର୍ତ୍ତମାନ ସେହି ସୁଦିନ ଆସୁଛି । ଉତ୍କଳ ଭୂଖଣ୍ଡ ପୁଣି ରତ୍ନଗର୍ଭା ହେବ, ଶସ୍ୟଶ୍ୟାମଳା ଓ ସୁନାବ୍ୟା ହେବ – ଏହା ହିଁ କବି ଆଶା କରିଛନ୍ତି ।

 

ଚୀନ ପରିବ୍ରାଜକ ହୁଏନ୍‌ସା ଏହି ପବିତ୍ର ଭୂମିକୁ ଆସି ଚାରିତ୍ର ନଗରକୁ ଯାଇଥିଲେ । ସମ୍ରାଟ ଆକବରଙ୍କ ସଭାପଣ୍ଡିତ ଓ ପ୍ରଖ୍ୟାତ ଐତିହାସିକ ଆବୁଲ୍‌ ଫାଜଲ୍‌ କୋଣାର୍କର ସ୍ଥାପତ୍ୟ ଶିଳ୍ପ ଓ ଗଠନ କୌଶଳର ଏକ ପୂର୍ଣ୍ଣାଙ୍ଗ ବିବରଣ ତାଙ୍କ ପୁସ୍ତକରେ ପ୍ରଦାନ କରିଛନ୍ତି । ଇତିହାସର ଏହି କଥାକୁ ନୀଳକଣ୍ଠ ନିମ୍ନ ଭାବରେ ବ୍ୟକ୍ତ କରିଛନ୍ତି ।

 

‘‘କହ ରାମଚଣ୍ଡୀ କହ ଗୋ, ସାକ୍ଷୀ ଏକା ତ ତୁହି,

କେମନ୍ତେ ଏ ଭୂମି ଆସିଛି କାଳ-ତରଙ୍ଗେ ବହି ?

ଆସିଥିଲେ କି ସେ ଏ ଭୂମେ ଚୀନ-ପରିବ୍ରାଜକ ?

ଆବୁଲ ଫଜଲେ ଆଣି କି ଥିଲେ ଏଥି ବାହକ ?

ବାଲେଶ୍ୱର-ପୁର ବଣିକେ ଏଥି ସିଂହଳ-ପଥେ

ଭେଟିଥିଲେ କି ସେ ତରାସେ ଜଳଦସ୍ୟୁ ବୋଇତେ ?’’ (୧୦)

 

ଇତିହାସ ପରି କିମ୍ବଦନ୍ତୀ ଓ ଲୋକକଥା ହେଉଛି ଆମର ଜାତୀୟ ସମ୍ପତ୍ତି । ସର୍ବଭାରତୀୟ ସ୍ତରରେ ଉତ୍କଳୀୟ ଲୋକକଥାର ସୁଖ୍ୟାତି ରହିଛି । ଉତ୍କଳୀୟ ଲୋକ ଜୀବନରେ ପ୍ରବାହ ସହିତ ଏହାର ସୃଷ୍ଟି । ଇତିହାସ ଏହାକୁ ସ୍ୱୀକାର ନକରି ସ୍ୱୀକୃତି ନଦେଲେ ମଧ୍ୟ ଆମ ଜନଜୀବନ ସହିତ ଏହା ଏତେ ମାତ୍ରାରେ ଜଡ଼ିତ ଯେ, ଏସବୁକୁ ଜୀବନଠାରୁ ଆଦୌ ବାଦ ଦେଇହୁଏ ନାହିଁ । ନୀଳକଣ୍ଠଙ୍କ ‘କୋଣାର୍କେ’ କାବ୍ୟ ବର୍ଣ୍ଣିତ ଏହିପରି କେତୋଟି କିମ୍ବଦନ୍ତୀ ହେଉଛି ଶିବେଇ ସାନ୍ତରାଙ୍କ ଦେଉଳ ତୋଳା ପ୍ରସଙ୍ଗ । ଧର୍ମପଦ ଉପାଖ୍ୟାନ, ଦେବୀ ରାମଚଣ୍ଡୀ ପ୍ରସଙ୍ଗ ପ୍ରଭୃତି କାବ୍ୟରେ ଦେବୀ ରାମଚଣ୍ଡୀ କଳାପାହାଡ଼କୁ କୋଣାର୍କ ମନ୍ଦିର ନିକଟରେ ବସାଇ କୁଶଭଦ୍ରା ନଦୀକୁ ଏକ କଳସୀ ଧରି ଜଳ ଆଣିଯିବା କଥାର ଐତିହାସିକ ସତ୍ୟତା ଲକ୍ଷ୍ୟ କରାଯାଏ ନାହିଁ । ମାତ୍ର କିମ୍ବଦନ୍ତୀ ଅଛି ଯେ କଳାପାହାଡ଼ କୋଣାର୍କରେ ହିନ୍ଦୁ ଦେବଦେବୀଙ୍କର ପବିତ୍ରତା ନଷ୍ଟ କଲାବେଳେ ଦେବୀ ରାମଚଣ୍ଡୀ ନାରୀ ରୂପରେ ଗୋଟିଏ କଳସୀ ଧରି କୁଶଭଦ୍ରା ନଦୀକୁ ଜଳ ପାଇଁ ଆସିଥିଲେ । ମାତ୍ର ସେ ଆଉ ସେଠାରୁ କୋଣାର୍କ ମନ୍ଦିରକୁ ଫେରିଲେ ନାହିଁ । କଳାପାହାଡ଼ ଖୋଜି ଆସି ଦେଖିଲା ବେଳକୁ ସେ କୁଶଭଦ୍ରା ନଦୀ ଗର୍ଭରେ କଳସୀ ଧରି ଭାସୁଛନ୍ତି । ସେହିଦିନ ଠାରୁ ସେ ଆଉ କୋଣାର୍କକୁ ଫେରି ନାହାନ୍ତି । କେଉଁ ସୁଦୂର ଅତୀତର ଏହି ଘଟଣାକୁ ଲକ୍ଷ୍ୟ କରି ଉତ୍କଳର ସବୁ ପ୍ରାନ୍ତରେ ପ୍ରଚାରିତ ହୋଇଛି:

 

‘‘ଭଲା ରାମଚଣ୍ଡୀ ଭଲାରେ,

କଳାପାହାଡ଼କୁ ଦୁଆରେ ବସାଇ

ଭଲା ପାଣି ଆଣି ଗଲାରେ ।’’

 

ଉତ୍କଳର ପୁରପଲ୍ଲୀରେ ଦେବୀ ରାମଚଣ୍ଡୀ ଓ କଳାପାହାଡ଼ ସମ୍ପର୍କିତ ଏହି କିମ୍ବଦନ୍ତୀକୁ ନୀଳକଣ୍ଠ ତାଙ୍କ ‘କୋଣାର୍କ’ କାବ୍ୟରେ ଅତ୍ୟନ୍ତ ସତର୍କତାର ସହିତ ଆରୋପିତ କରି ଉତ୍କଳୀୟ କିମ୍ବଦନ୍ତୀ ସହିତ ସମକାଳୀନ ଛାତ୍ରମାନଙ୍କୁ ସୁପରିଚିତ କରାଇ ଦେଇଛନ୍ତି ଏବଂ କାବ୍ୟ ମଧ୍ୟରେ ପ୍ରକାଶ କରିଛନ୍ତି :

 

‘‘ଏହି ରାମଚଣ୍ଡୀ ଯବନ-ଦଣ୍ଡେ ଆସିଣ ଏଥି,

ଆଉ ସେହିଦିନୁ ଫେରାଇ ନାହାନ୍ତି ତ ହେ ଗତି ।’’ (୧୧)

 

କାବ୍ୟ ବର୍ଣ୍ଣିତ ଅନ୍ୟ କିମ୍ବଦନ୍ତୀ ହେଉଛି ଶିବେଇ ସାନ୍ତରାଙ୍କ ଦେଉଳ ତୋଳା ପ୍ରସଙ୍ଗ । କାହାଣୀଟି ହେଉଛି – ଯେଉଁ ସ୍ଥାନରେ ସଂପ୍ରତି କୋଣାର୍କ ମନ୍ଦିର ରହିଛି, ସେଠାରେ ଏକଦା ପଦ୍ମ ଗଣ୍ଡ ରହିଥିଲା । ପଦ୍ମଗଣ୍ଡର ମଧ୍ୟଭାଗକୁ ପ୍ରସ୍ତର ନିକ୍ଷେପ କରି ଗଣ୍ଡ ପୋତିବା ପାଇଁ ଯେତେ ପ୍ରସ୍ତର ନିକ୍ଷେପ କରାଗଲା ସେସବୁ ପଦ୍ମଗଣ୍ଡର ଅଥଳ ଗର୍ଭରେ ଲୀନ ହୋଇଗଲା । ଅସହାୟ ହୋଇ ଶିବେଇ ସାନ୍ତରା ଦୁଃଖରେ ଭାଙ୍ଗି ପଡ଼ିଲେ । ଗଭୀର ମନସ୍ତାପ ମଧ୍ୟରେ ସେ ନିଘଞ୍ଚ ବନ ମଧ୍ୟରେ ଭ୍ରମଣ କରୁଥିବା ଅବସ୍ଥାରେ ଭୀଷଣ କ୍ଷୁଧା ଅନୁଭବ କରିଥିଲେ । ହଠାତ୍‌ ନିକଟରେ ଏକ ପର୍ଣ୍ଣକୂଟୀର ତାଙ୍କ ଆଖିରେ ପଡ଼ିଲା । ଫଳତଃ ସେ ସେଠାକୁ ଯାଇ ସେହି କୁଟୀରରେ ବାସ କରୁଥିବା ଏକ ବୃଦ୍ଧାକୁ କିଛି ଖାଦ୍ୟ ଦେବାକୁ ଅନୁରୋଧ କଲେ । ବୃଦ୍ଧା ଜଣକ ଅତ୍ୟନ୍ତ ଦୟାଶୀଳ ହୋଇ ସେହି ଅଜ୍ଞାତ ଅତିଥିଙ୍କୁ ସଦ୍ୟ ପ୍ରସ୍ତୁତ ଗରମ ଜାଉ ଖାଇବାକୁ କହିଥିଲା । ଶିବେଇ ସାନ୍ତରା ଅତ୍ୟନ୍ତ କ୍ଷୁଧା ଅନୁଭବ କରୁଥିବାରୁ କାଳବିଳମ୍ବ ନକରି ସେହି ସଦ୍ୟ ପ୍ରସ୍ତୁତ ଗରମ ଜାଉ ମଝିରୁ ହାତ ପୁରାଇ ଖାଇବା ଆରମ୍ଭ କରିଥିଲେ । ଫଳତଃ ତାଙ୍କର ହାତ ପୋଡ଼ି ଯାଇଥିଲା । ଆଗନ୍ତୁକଙ୍କର ଏପରି ବିକଳ ଅବସ୍ଥା ଦେଖି ବୃଦ୍ଧାଟି ତାଙ୍କୁ କହିଥିଲେ – ‘‘ବାପା ତୁ ଶିବେଇ ସାନ୍ତରା ପରି ଜାଉ ମଝିରୁ ଖାଇଲୁ, ଜାଉର ଗୋଟିଏ ପାଖରୁ ସିନା ଖାଇଥିଲେ ହୋଇଥାନ୍ତା ।’’ ଏଥିରୁ ଶିବେଇ ସାନ୍ତରା ତାଙ୍କ ମନ୍ଦିର ତୋଳା ପ୍ରସଙ୍ଗ ଖୁବ୍‌ ସହଜରେ ବୁଝିପାରିଲେ ଏବଂ ପଦ୍ମଗଣ୍ଡର ଏକ ପାର୍ଶ୍ୱରୁ ଗଣ୍ଡ ପୋତା କାର୍ଯ୍ୟ ଆରମ୍ଭ କରିଦେଲେ । ଏହି କିମ୍ବଦନ୍ତୀକୁ ପଣ୍ଡିତ ନୀଳକଣ୍ଠ ‘କୋଣାର୍କେ’ କାବ୍ୟରେ ବ୍ୟକ୍ତ କରି ଆମ ଜାତି ଓ ସଂସ୍କୃତିର ଇତିହାସ ସହିତ କିମ୍ବଦନ୍ତୀକୁ ଏକାକାର କରିଦେଇଛନ୍ତି ।

 

ଅନ୍ୟ ଏକ କିମ୍ବଦନ୍ତୀ ହେଉଛି ଧର୍ମପଦର ଦେଉଳ ତୋଳା ପ୍ରସଙ୍ଗ । ବୀର ନରସିଂହ ଦେବଙ୍କ ନିର୍ଦ୍ଦେଶାନୁସାରେ ଶିବେଇ ସାନ୍ତରା କୋଣାର୍କ ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିଲେ । ବାରଶହ କୁଶଳୀ ବିନ୍ଧାଣି ଏହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ଏକାଧିକ ବର୍ଷ ବିତାଇ ଦେଇଥିଲେ ମଧ୍ୟ ମନ୍ଦିରର ଦଧିନଉତି କୌଣସି ଶିଳ୍ପୀ ଠିକ୍‌ ଭାବେ ସ୍ଥାପନ କରିପାରି ନଥିଲେ । ଫଳତଃ ସମଗ୍ର ବିନ୍ଧାଣିଙ୍କ ମଧ୍ୟରେ ଆତଙ୍କର ଘନଛାୟା ଖେଳି ଯାଇଥିଲା । ରାଜାଙ୍କର ନିର୍ଦ୍ଦେଶ ଥିଲା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ନହେଲେ ସମସ୍ତ ବିନ୍ଧାଣିଙ୍କ ମୁଣ୍ଡ କାଟ ହେବ । ଏହା ଜାଣିପାରିଲା ବିଶୁ ମହାରଣାର ବାରବର୍ଷର ବାଳକ ପୁତ୍ର ଧର୍ମପଦ । ବାରଶହ ଶିଳ୍ପୀଙ୍କ ପ୍ରାଣରକ୍ଷା କରିବାକୁ ଯାଇ ସେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରି କୋଣାର୍କ ମନ୍ଦିର ଚୂଡ଼ାରୁ ସମୁଦ୍ରକୁ ଲମ୍ଫ ପ୍ରଦାନ କଲା । ଏହି କିମ୍ବଦନ୍ତୀକୁ କବି ତାଙ୍କ କାବ୍ୟରେ ନିମ୍ନଭାବେ ବ୍ୟକ୍ତ କରିଛନ୍ତି ।

 

‘‘ଶିବେଇ ସାମନ୍ତ୍ରା ଆସିବେ ଘେନି ବାରଶ ଶିଳ୍ପୀ,

ଦେବ ହେ ବଢ଼େଇ-ବାଳକ ସୁଖେ ପ୍ରାଣ ଅରପି

ପଡ଼ିବ ମନ୍ଦିର-ଶିଖରୁ କଙ୍କଳିତ ପ୍ରାଙ୍ଗଣେ,

ଭାଜିବଟି ନିଦ ଚମକି ତବ ମଧୁସ୍ୱପନେ !’’ (୧୨)

 

କାଞ୍ଚି ଜୟ କରି କାଞ୍ଚି ରାଜଜେମାଙ୍କୁ ବିବାହ କରିବା ଓ ଗଜପତି ପୁରୁଷୋତ୍ତମ ଦେବଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବା ପାଇଁ କାଞ୍ଚି ଅଭିଯାନ ଆରମ୍ଭ ହୋଇଥିଲା । ଜଗନ୍ନାଥଙ୍କ ପରମ ଭକ୍ତ ଓ ସେବକ ଗଜପତି ପୁରୁଷୋତ୍ତମ ଦେବଙ୍କ ସ୍ୱୟଂ ଜଗନ୍ନାଥ ଏଥିରେ ସାହାଯ୍ୟ କରିଥିଲେ । ଉଭୟ ଜଗନ୍ନାଥ ଓ ବଳଭଦ୍ର ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନରେ ସାମିଲ ହୋଇଥିଲେ....ଫଳତଃ ପୁରୁଷୋତ୍ତମ ଦେବ ଯୁଦ୍ଧରେ ବିଜୟୀ ହୋଇ କାଞ୍ଚି ରାଜକନ୍ୟାଙ୍କୁ ଗ୍ରହଣ କରିଥିଲେ । ଏହାକୁ ଇତିହାସ ସ୍ୱୀକାର କରୁ ବା ନ କରୁ - ଉତ୍କଳୀୟ କିମ୍ବଦନ୍ତୀରେ ଏହାର ଗୁରୁତ୍ୱ ଅଧିକ । ଏହି କଥାକୁ କବି ନୀଳକଣ୍ଠ ‘କୋଣାର୍କେ’ କାବ୍ୟ ପୃଷ୍ଠାରେ ଗୁମ୍ଫନ କରି କାବ୍ୟ ସୌଷ୍ଠବ ବୃଦ୍ଧି କରିବା ସହିତ ଆମ କିମ୍ବଦନ୍ତୀର ସ୍ୱରୂପ ଛାତ୍ର ସମାଜ ସମ୍ମୁଖରେ ଉପସ୍ଥାପନ କରିଛନ୍ତି... କାବ୍ୟରେ କିମ୍ବଦନ୍ତୀକୁ ପୂର୍ଣାଙ୍ଗଭାବେ ଉପସ୍ଥାପନ ନ କରି ଏହାକୁ ସଂକ୍ଷେପରେ ନିମ୍ନଭାବେ କବି ବ୍ୟକ୍ତ କରିଛନ୍ତି ।

 

‘‘ଜଗନ୍ନାଥେ ବିଜେ କରିବେ କଳା ତୁରଗ ଚଢ଼ି;

ପଦ୍ମାବତୀ ଜିଣି ଆଣିବେ ନୃପ-କୁଳ କେଶରୀ ।

ପଣ୍ଡିତ ପ୍ରତାପ ଭକତ ଦେବେ ପ୍ରାସାଦ ଫେଇ,

ପଞ୍ଚସଖା ମେଳେ ଗଉର ଦେବେ ପ୍ରାଣ ନଚାଇ ।’’ (୧୩)

 

ଦେବୀ ରାମଚଣ୍ଡୀ ହେଉଛନ୍ତି କୋଣାର୍କ ମନ୍ଦିର ଓ ସେହି ମନ୍ଦିରକୁ କେନ୍ଦ୍ର କରି ସେ ଅଞ୍ଚଳରେ କଥିତ ବିଭିନ୍ନ ଲୋକକଥା, କିମ୍ବଦନ୍ତୀ, ପ୍ରବାଦ, ପ୍ରବଚନ ପ୍ରଭୃତିର ମୁକସାକ୍ଷୀ । ତେଣୁ କବି ନୀଳକଣ୍ଠ ତାଙ୍କ କାବ୍ୟ ‘କୋଣାର୍କେ’ର ଅନେକାଂଶରେ ଯେଉଁଠି ନିଜେ ଉତ୍କଳର ଇତିହାସ, କିମ୍ବଦନ୍ତୀ ପ୍ରଭୃତିର କଥା କହିବାକୁ ସମର୍ଥ ହୋଇପାରି ନାହାନ୍ତି ସେଠାରେ ସେ ଦେବୀ ରାମଚଣ୍ଡୀଙ୍କୁ ସ୍ମରଣ କରିଛନ୍ତି । ଛାତ୍ର ସମାଜ ସମ୍ମୁଖରେ ଦେବୀ ରାମଚଣ୍ଡୀଙ୍କୁ ଜୀବନ୍ତ ଭାବେ ଉପସ୍ଥାପନ କରି ତାଙ୍କ ଠାରୁ ସେହି ପ୍ରାଚୀନ ଉତ୍କଳର ଇତିହାସ ଓ କିମ୍ବଦନ୍ତୀ ପ୍ରଭୃତି ଶୁଣିଛନ୍ତି । କବିଙ୍କ କାବ୍ୟ ବର୍ଣ୍ଣିତ ଏହିପରି ଏକ ପ୍ରସଙ୍ଗ ହେଉଛି କାବ୍ୟର ତେତ୍ରିଶତମ ଅଧ୍ୟାୟ । ରାମଚନ୍ଦ୍ର ଦଣ୍ଡକାରଣ୍ୟରେ ଭ୍ରମଣ କରୁଥିବା ବେଳେ ଦେବୀ ରାମଚଣ୍ଡୀଙ୍କର ଅତିଥି ହୋଇଥିଲେ ଓ ସେଠାରେ ଥିବା ବେଲେଶ୍ୱର ଶିବଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହି କଥାକୁ କବି ନିମ୍ନ ଭାବେ ତାଙ୍କ କାବ୍ୟରେ ବ୍ୟକ୍ତ କରିଛନ୍ତି ।

 

‘‘କେଉଁ କାଳୁ ମାତ ଆସିଛୁ ରାମଚଣ୍ଡୀ ତୁ ଏଥି ?:

ରାମଚନ୍ଦ୍ର ପରା ଦଣ୍ଡକେ, ହେଲେ ତୋର ଅତିଥି ?

ବେଲେଶ୍ୱରେ ଶିବ ପୂଜିଲେ, ମାତ ଦେଖିଛୁ ତୁହି;

କାଳ ସଙ୍ଗେ କେତେ ଘଟନା ଗଲା ତୋ ଆଗେ ବହି ।’’ (୧୪)

 

ଏହି ପର୍ଯ୍ୟାୟରେ ନୀଳକଣ୍ଠଙ୍କର ଏକ କାଳ୍ପନିକ ତଥା ଆକସ୍ମିକ ସୃଷ୍ଟି ହେଉଛି ‘କୋଣାର୍କେ’ କାବ୍ୟର ଦ୍ୱିତୀୟ ଭାଗ ‘ମାୟାଦେବୀ’ ଓ କାବ୍ୟ କାହିଁକି ରଚନା ହେଲା, ସେ ସମ୍ପର୍କରେ ନୀଳକଣ୍ଠ ଏକ କାହାଣୀ କହନ୍ତି । କଥାଟି ହେଉଛି – କୋଣାର୍କ ବୁଲିଯିବାର ପ୍ରାୟ ଦୁଇମାସ ପୂର୍ବରୁ ଏକଦା ଗଡ଼ଜାତ ବୁଲିଯିବା ବେଳେ ଆଠଗଡ଼ ଠାରୁ ହାତୀରେ ଚଢ଼ି ହିନ୍ଦୋଳ ଯିବା ସମୟରେ ବାଟରେ ମୂଷଳଧାରାରେ ବର୍ଷା ହୋଇଥିଲା । ଫଳରେ ନୀଳକଣ୍ଠଙ୍କୁ ଢେଙ୍କାନାଳର ଭାପୁର ଡାକବଙ୍ଗଳାରେ ସେହି ବର୍ଷଣମୁଖର ରାତ୍ରି ଯାପନ କରିବାକୁ ପଡ଼ିଥିଲା । ସେହି ବଙ୍ଗଳାରେ ପହଞ୍ଚିବା ପରେ ଜଣେ ଭିକ୍ଷୁକ ଆସି ତାଙ୍କୁ କିଛି ଭିକ୍ଷା ମାଗିଥିଲା । ତା’ର ପରିଚୟରୁ ଜଣାଗଲା ଯେ, ସେ ଅନୁଗୁଳ ରାଜାଙ୍କର ଭାଟ୍ଟବଂଶର ଜଣେ କର୍ମଚାରୀ । ଇଂରେଜମାନେ ତା’ର ସବୁ ଜମି ଅକ୍ତିଆର କରିନେବା ପରେ ତା’ର ଏପରି ଦୁର୍ଦ୍ଦଶା ହୋଇଛି । ଦରିଦ୍ର ଭିକ୍ଷୁକ ଠାରୁ ଏହା ଶୁଣିସାରିବା ପରେ ଭାବୁକ ନୀଳକଣ୍ଠଙ୍କ ହୃଦୟରେ ଶିହରଣ ସୃଷ୍ଟି ହୋଇଥିଲା । ସେତେବେଳେ ତାଙ୍କର ଇଂରେଜ କବି ସ୍ଲଟଙ୍କ ‘‘Lay of the last Minstrel’’ କଥା ମନେପଡ଼ିଯାଇଥିଲା । ସ୍ଲଟ୍‌ଙ୍କ ଜଣେ ଭାଟକୁ ଦେଖି ଏହି କାବ୍ୟଟି ଲେଖିଥିଲେ । ସ୍ଲଟ୍‌ଙ୍କ ପରି ଜଣେ ଭାଟ୍ଟକୁ ଦେଖିସାରିଲା ପରେ ନୀଳକଣ୍ଠଙ୍କ ମନୋଭୂମିରେ ସୃଷ୍ଟି ହୋଇଥିଲା ଗଭୀର ଭାବାବେଗ । ଏହି ଆବେଗରୁ ଜନ୍ମ ନେଇଥିଲା ‘ମାୟାଦେବୀ’, ‘କୋଣାର୍କେ’ କାବ୍ୟର ଦ୍ୱିତୀୟ ଭାଗ । ‘‘କାବ୍ୟକାର ନୀଳକଣ୍ଠ ରାଧାନାଥୀ ସାହିତ୍ୟରେ ଚନ୍ଦ୍ରଭାଗା, କେଦାରଗୌରୀ ବା କୌଶଲ୍ୟା କଣ୍ଠରେ ସତ୍ୟର ଯେଉଁ ସକରୁଣ ‘ଅପଳାପ ଶୁଣିଥିଲେ ତାହାର ପ୍ରତିବାଦ ଇତିହାସର ପୀଠିକା ଉପରେ କରିଛନ୍ତି ‘ମାୟାଦେବୀ’ରେ ।’’ (୧୫)

 

କବି ନୀଳକଣ୍ଠ ଓଡ଼ିଆ ସାହିତ୍ୟରେ ସର୍ବପ୍ରଥମେ ଇତିହାସ ଓ କିମ୍ବଦନ୍ତୀ ଭିତ୍ତିରେ ଅତୀତର ଗୌରବାବହ ଉତ୍କଳର ପୃଷ୍ଠପୀଠିକା ଉପରେ ‘କୋଣାର୍କେ’ କାବ୍ୟର ସୌଧ ନିର୍ମାଣ କରି ତାହାରି ମାଧ୍ୟମରେ ଆମ ଜାତିକୁ ଚିହ୍ନି ଚିହ୍ନାଇବାର ପ୍ରୟାସ କରିଛନ୍ତି । ଇତିହାସ ମାଧ୍ୟମରେ ଅତୀତର ବହୁ ଆଶା-ଆକାଂକ୍ଷା, ସଂଗ୍ରାମ ତଥା ବୀରତ୍ୱକାହାଣୀ ବର୍ଣ୍ଣନା କରି ପରାଧୀନ ପ୍ରପୀଡ଼ିତ ମାନବକୁ ପୁନଃଜାଗ୍ରତ ହେବାକୁ ପ୍ରେରଣା ଦେଇଛନ୍ତି । ଶୟନରତ ଛାତ୍ର ସମାଜ ମାଧ୍ୟମରେ ସେ ଅତୀତ ଉତ୍କଳୀୟ ଗୌରବ ଗାଥା ଶୁଣାଇ ସେମାନଙ୍କ ଚତୁର୍ଦ୍ଦିଗରେ ଢାଙ୍କି ରହିଥିବା ଅମାଅନ୍ଧକାରକୁ ବିଦାୟ ଦେବାକୁ ପ୍ରୟାସୀ ହୋଇଛନ୍ତି । ଫଳତଃ ତାଙ୍କର ଏହି କାବ୍ୟର ଇତିହାସ ଓ କିମ୍ବଦନ୍ତୀ ଆଉ ମୂକ, ଅଥର୍ବ, ନିର୍ବେଦ, ଅବସାଦ ପୀଡ଼ିତ ଅଥବା ଜଡ଼ବତ୍‌ ହୋଇ ରହିନାହିଁ । ଇତିହାସ ଜୀବନ ପାଇ ଜୀବନ୍ତ ହୋଇଛି । କିମ୍ବଦନ୍ତୀର ମୁଖରେ ଭାଷା ପ୍ରସ୍ଫୁଟିତ ହୋଇଛି – ଏମାନେ ଓଡ଼ିଆ ଜାତିକୁ ପ୍ରାଣ ପ୍ରବାହରେ ପୁଲକିତ କରିଛନ୍ତି । ଉତ୍କଳୀୟ ଜାତୀୟ ଜୀବନ ଗଠନ ପାଇଁ ଏହି କାବ୍ୟ ମଧ୍ୟରେ ମନୀଷୀ ନୀଳକଣ୍ଠ ଯଥାର୍ଥରେ ସୃଷ୍ଟି କରିଛନ୍ତି ନବଚେତନା – ପ୍ରଚଣ୍ଡ ଉନ୍ମାଦନା, ଯାହା ସମଗ୍ର ଓଡ଼ିଆ କାବ୍ୟ ସାହିତ୍ୟରେ ବିରଳ ।

 

ସହାୟକ ଗ୍ରନ୍ଥସୂଚୀ

୧.

ନୀଳକଣ୍ଠ ଦାସ – ‘କାଣାର୍କେ’ (୪ର୍ଥ ସଂ – ୧୯୭୯), ଭୂମିକା – ପୃ-ଖ

୨.

ନୀଳକଣ୍ଠ ଗ୍ରନ୍ଥାବଳୀ – ୧ମ ଖଣ୍ଡ (୨ୟ ସଂ – ୧୯୭୩), ପୃ-୧୪୧

୩.

ନୀଳକଣ୍ଠ ଦାସ – ‘କୋଣାର୍କେ’ (୪ର୍ଥ ସଂ – ୧୯୭୯), ଭୁମିକା – ପୃ-କ

୪.

ନୀଳକଣ୍ଠ ଦାସ – ‘କୋଣାର୍କେ’ (୪ର୍ଥ ସଂ – ୧୯୭୯), ପୃ-୧୨

୫.

ନୀଳକଣ୍ଠ ଦାସ – ‘କୋଣାର୍କେ’ (୪ର୍ଥ ସଂ – ୧୯୭୯), ପୃ-୧୨-୧୩

୬.

ନୀଳକଣ୍ଠ ଦାସ –‘କୋଣାର୍କେ’ (୪ର୍ଥ ସଂ – ୧୯୭୯), ପୃ-୧୫-୧୬

୭.

ନୀଳକଣ୍ଠ ଦାସ – ‘କୋଣାର୍କେ’ (୪ର୍ଥ ସଂ – ୧୯୭୯), ପୃ-୨୨

୮.

ନୀଳକଣ୍ଠ ଦାସ – ‘କୋଣାର୍କେ’ (୪ର୍ଥ ସଂ – ୧୯୭୯), ପୃ-୩୩

୯.

ନୀଳକଣ୍ଠ ଦାସ – ‘କୋଣାର୍କେ’ (୪ର୍ଥ ସଂ – ୧୯୭୯), ପୃ-୧୭

୧୦.

ନୀଳକଣ୍ଠ ଦାସ – ‘କୋଣାର୍କେ’ (୪ର୍ଥ ସଂ – ୧୯୭୯), ପୃ-୪୨-୪୩

୧୧.

ନୀଳକଣ୍ଠ ଦାସ – ‘କୋଣାର୍କେ’ (୪ର୍ଥ ସଂ – ୧୯୭୯), ପୃ-୧୫

୧୨.

ନୀଳକଣ୍ଠ ଦାସ – ‘କୋଣାର୍କେ’ (୪ର୍ଥ ସଂ – ୧୯୭୯), ପୃ-୧୮

୧୩.

ନୀଳକଣ୍ଠ ଦାସ – ‘କୋଣାର୍କେ’ (୪ର୍ଥ ସଂ – ୧୯୭୯), ପୃ-୨୫

୧୪.

ନୀଳକଣ୍ଠ ଦାସ – ‘କୋଣାର୍କେ’ (୪ର୍ଥ ସଂ – ୧୯୭୯), ପୃ-୪୫

୧୫.

ପୂଜ୍ୟପୂଜା ସଂସଦ – ନୀଳକଣ୍ଠ ସ୍ମରଣିକା (୧୯୬୯), ପୃ-୧୪୧

 

 

ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର – ୭୬୦୦୦୭, ଓଡ଼ିଶା

 

***

 

ବୈଷ୍ଣବ ପାଣିଙ୍କ ପାଣ୍ଡିତ୍ୟ ଓ ମୌଳିକତା

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

 

ପୁରାଣ, ଇତିହାସ, କିମ୍ବଦନ୍ତୀ, ଲୋକକଥା ଇତ୍ୟାଦି ତାଙ୍କ ରଚନାବଳୀର ମୂଳ ଉତ୍ସ । ରାମାୟଣ, ସାରଳା ମହାଭାରତ, ଭାଗବତ, ନୃସିଂହ ପୁରାଣ, ଦାଣ୍ଡି ରାମାୟଣ, ବିଲଙ୍କା ରାମାୟଣ ଆଦି ପୁରାଣ ସେ ଅଧ୍ୟୟନ କରିଥିଲେ ଓ ସେଥିରୁ ଉପାଖ୍ୟାନାମାନ ଗ୍ରହଣ କରି ସେସବୁକୁ ସ୍ୱପାଣ୍ଡିତ୍ୟ ବଳରେ ଲେଖନୀ ମୁନରେ ରୂପ ଦେଇଥିଲେ । ଅନ୍ୟ ଭାଷାରେ, ସେ ବ୍ୟାସ, ବାଲ୍ମୀକି, ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ପ୍ରମୁଖଙ୍କୁ ଭଲ ଭାବରେ ଚିହ୍ନି ଚିହ୍ନାଇଥିଲେ । ଫଳରେ ତାଙ୍କର ପ୍ରତିଟି ରଚନାର ଛତ୍ରେ ଛତ୍ରେ ପାଣ୍ଡିତ୍ୟର ପ୍ରାଣପ୍ରବାହ ସଂଚରିତ ।

 

ଗଣକବି ବୈଷ୍ଣବ ପାଣି (୧୮୮୨-୧୯୫୬) ଓଡ଼ିଆ ଯାତ୍ରା ଓ ଗୀତାଭିନୟ କ୍ଷେତ୍ରରେ ଏକ ଚିରସ୍ମରଣୀୟ ପ୍ରତିଭା । ତାଙ୍କର ଜନ୍ମ ଏକ ଦରିଦ୍ର ପରିବାରରେ; ମୃତ୍ୟୁ ମଧ୍ୟ ଉତ୍କଟ ଦାରିଦ୍ର ମଧ୍ୟରେ । ଆଜୀବନ ଦାରିଦ୍ର୍ୟ ମଧ୍ୟରେ ବଞ୍ଚିଥିବା ଏହି ଅନନ୍ୟ ପ୍ରତିଭା କିନ୍ତୁ ଓଡ଼ିଶାର ଜନମାନସରେ ଏକ ଅଭୁଲା ସ୍ମୃତି, ଓଡ଼ିଆ ସାହିତ୍ୟ ଜଗତରେ ଏକ ଅମଳିନ ଦୀପଶିଖା । ଗଭୀର ଅଧ୍ୟବସାୟ ଓ ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ପ୍ରତିଷ୍ଠା ଦେଇଛି, କାଳଜୟୀ କରାଇଛି । ବିପୁଳ ସୃଷ୍ଟି ଓ ବ୍ୟାପକ ଦୃଷ୍ଟି ପାଇଁ ସେ ଆଜି ଉତ୍କଳ ଭାରତୀଙ୍କ ବରପୁତ୍ର, ଅଗଣିତ ଓଡ଼ିଆ ନାଟ୍ୟପ୍ରେମୀଙ୍କ ହୃଦୟ ସିଂହାସନରେ ମୁକୁଟହୀନ ସମ୍ରାଟ ।

 

ଅସାଧାରଣ ପାଣ୍ଡିତ୍ୟର ଅଧିକାରୀ ପାଣିକବିଙ୍କର ଶିକ୍ଷାଗତ ଯୋଗ୍ୟତା କିଛି ନଥିଲା କହିଲେ ଚଳେ । ପ୍ରଥମେ ତାଙ୍କର ପିତୃଦତ୍ତ ନାମ ଥିଲା ଶତୃଘ୍ନ । ବାଲ୍ୟକାଳରୁ ରୋଗାକ୍ରାନ୍ତ ଥିବାରୁ ତାଙ୍କ ପିତା ତାଙ୍କୁ ଜଗନ୍ନାଥଙ୍କ ବଡ଼ଛତା ତଳେ ବୈଷ୍ଣବ କରିଦେଇଥିଲେ । ସେହିଦିନ ଠାରୁ ସେ ପରିଚିତ ହେଲେ ବୈଷ୍ଣବ ନାମରେ । ଶୁକ୍ଲେଶ୍ୱର ନୂଆଗାଁର କଳ୍ପତରୁ ବେଦୀ ଥିଲେ ତାଙ୍କର ବିଦ୍ୟାଗୁରୁ । ଚାଟଶାଳୀ ପରେ ତାଙ୍କ ବିଦ୍ୟାଧ୍ୟୟନର ସମାପ୍ତି । ଏଗାର ବର୍ଷ ବୟସରେ ତାଙ୍କର ବ୍ରତୋପୟନ । ତା’ପରେ ପେଟ ପୋଷିବା ପାଇଁ ମଠରେ ଫୁଲଗୁଛା କାର୍ଯ୍ୟ ଓ ମଠ ମହନ୍ତଙ୍କ ଯାତ୍ରାଦଳରେ ଗୋଟିପୁଅ ଭୂମିକାରେ ଅଭିନୟ । ପରେ ପରେ କୋଠପଦା ମାଇନର ସ୍କୁଲ ଛାତ୍ରାବାସରେ ପାଚକରୂପେ ନିଯୁକ୍ତି । ଏହି ସମୟରେ ପାଠପଢ଼ା ପ୍ରତି ତାଙ୍କ ଆଗ୍ରହ ଦେଖି ସ୍କୁଲ୍‌ ହେଡ୍‌ମାଷ୍ଟରଙ୍କ ଯତ୍ନରେ ଚତୁର୍ଥ ଶ୍ରେଣୀରେ ତାଙ୍କ ନାମ ଲେଖାଯାଇଥିଲା ।

 

ଜୀବନ-ସଂଗ୍ରାମ ମଧ୍ୟରେ ସାଧନା ଅବାରିତ ରଖିବା ପାଇଁ ସେ ଚେଷ୍ଟା କଲେ; କିନ୍ତୁ ଦାରିଦ୍ର ତାଙ୍କୁ ଏଥିପାଇଁ ଅଧିକ ଦିନ ସୁଯୋଗ ଦେଲା ନାହିଁ । ଷଷ୍ଠ ଶ୍ରେଣୀରୁ ସେ ପୋଥିରେ ଡୋର ବାନ୍ଧିଲେ । ନୃତାଙ୍ଗରେ କିଛିଦିନ ପାଇଁ ମାସିକ ଚାରିଟଙ୍କା ବେତନରେ ସେ ଗୃହଶିକ୍ଷକ ଭାବରେ କାର୍ଯ୍ୟ କଲେ । ସେହି ଅବସରରେ ପାଲାଗାୟକ ହେବାର ବାସନା ନେଇ ସେ ଅମରକୋଷ, ବ୍ୟାକରଣ ଓ ବିବିଧ ସଂସ୍କୃତ କାବ୍ୟକବିତା ଅଧ୍ୟୟନ ଓ ଅନୁଶୀଳନର ସୁଯୋଗ ପାଇଲେ । ତାଙ୍କର ଅସୀମ ଧୀଶକ୍ତି ତାଙ୍କୁ ଏସବୁ ଶାସ୍ତ୍ର ଓ କାବ୍ୟ କବିତାକୁ ଆୟତ୍ତ କରିବାରେ ସାହାଯ୍ୟ କଲା ଓ ସେ ପାଲାଗାୟକ ଭାବରେ ମଧ୍ୟ ସିଦ୍ଧି ଲାଭକଲେ ।

 

ପାଲାଗାୟକ ପରେ ମାଳିହତା ଗ୍ରାମରେ ମାସକୁ ଚାରିଟଙ୍କା ବେତନରେ ସେ ଯାତ୍ରା ଦଳରେ ଓସ୍ତାଦ କାର୍ଯ୍ୟ ତୁଲାଇଲେ । ଓଡ଼ିଶା ଓ ଓଡ଼ିଶା ବାହାରକୁ ଯାତ୍ରାଦଳ ନେଇ ସେ ସୁନାମ ଅର୍ଜନ କଲେ । ନାଟ୍ୟକାର ଗୋପାଳ ଦାଶ, କୃଷ୍ଣପ୍ରସାଦ ବସୁ, ବାଳକୃଷ୍ଣ ମହାନ୍ତି ପ୍ରଭୃତି ସମକାଳୀନ ସୁପରିଚିତ ନାଟ୍ୟକାରମାନଙ୍କ ଯାତ୍ରା ଦଳ ବିପକ୍ଷରେ ଯାତ୍ରା କରି ସେ ବିଜୟୀ ହେଲେ-। ସଙ୍ଗୀତ, ନୃତ୍ୟ, ପାଲା ଓ ଯାତ୍ରା ସହିତ ସଂପୃକ୍ତ ହେବ ଫଳରେ ଏହି ଅସାଧାରଣ ଧୀସଂପନ୍ନ କଳାକାର ଓ ସାଧକଙ୍କ ସାରସ୍ୱତ ପ୍ରତିଭାର ଉନ୍ମେଷ ଘଟିଲା । ମାତ୍ର ଏକୋଇଶ ବର୍ଷ ବୟସରେ ସେ ରଚନା କଲେ ‘ମେଘନାଦ ବଧ’ ଗୀତିନାଟ୍ୟ । ଏହା ତାଙ୍କ ନାଟ୍ୟକାର ଜୀବନର ଆଦ୍ୟ ଓଁ କାର ।

 

‘ମେଘନାଦ ବଧ’ ଗୀତିନାଟ୍ୟ ପରେ ତାଙ୍କ ଅଜସ୍ରସ୍ରାବୀ ଲେଖନୀ ଗୋଟିଏ ପରେ ଗୋଟିଏ ଗୀତିନାଟ୍ୟ, ଗୀତାଭିନୟ, ସୁଆଙ୍ଗ, ଫାର୍ଶ ଆଦି ଲେଖିଚାଲିଲା ଏବଂ ଏହି ଜାତୀୟ ଶତ ଶତ ରଚନାରେ ଓଡ଼ିଆ ନାଟ୍ୟ ସାହିତ୍ୟକୁ ଋଦ୍ଧିମନ୍ତ କଲା: ବହୁ ଭଜନ, ଜଣାଣ, ସଂଗୀତ ସୃଷ୍ଟି କରି ପାଣି-କବିତ୍ୱକୁ ସୁଦୂରପ୍ରସାରୀ ମଧ୍ୟ କଲା । ପାଣିକବି ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଗୀତିନାଟ୍ୟ, କାବ୍ୟ-କବିତା ଇତ୍ୟାଦି ବ୍ୟତୀତ ଆତ୍ମଜୀବନୀ ଓ ଉପନ୍ୟାସ ମଧ୍ୟ ସେ ରଚନା କରିଥିଲେ ଏବଂ ଏହିପରି ଗଦ୍ୟ ଓ ପଦ୍ୟ ଉଭୟ କ୍ଷେତ୍ରରେ ସେ ସଫଳତା ଅର୍ଜନ କରିଥିଲେ । ଏହିସବୁ ବିପୁଳକାୟ ସୃଷ୍ଟି ଏବଂ ସେ ସବୁରେ ନିହିତ ସଫଳତା ପ୍ରତି ଦୃଷ୍ଟିପାତ କଲେ ଏହି ସ୍ରଷ୍ଟା ପୁରୁଷଙ୍କର ପାଣ୍ଡିତ୍ୟ ଓ ବହୁ ଶାସ୍ତ୍ରଦର୍ଶିତାର କଳନା କରିହୁଏ ନାହିଁ ।

 

ପୁରାଣ, ଇତିହାସ, କିମ୍ବଦନ୍ତୀ, ଲୋକକଥା ଇତ୍ୟାଦି ତାଙ୍କ ରଚନାବଳୀର ମୂଳ ଉତ୍ସ । ରାମାୟଣ, ସାରଳା ମହାଭାରତ, ଭାଗବତ, ନୃସିଂହ ପୁରାଣ, ଦାଣ୍ଡି ରାମାୟଣ, ବିଲଙ୍କା ରାମାୟଣ ଆଦି ପୁରାଣ ସେ ଅଧ୍ୟୟନ କରିଥିଲେ ଓ ସେଥିରୁ ଉପାଖ୍ୟାନମାନ ଗ୍ରହଣ କରି ସେସବୁକୁ ସ୍ୱପାଣ୍ଡିତ୍ୟ ବଳରେ ଲେଖନୀ ମୁନରେ ରୂପ ଦେଇଥିଲେ । ଅନ୍ୟ ଭାଷାରେ, ସେ ବ୍ୟାସ, ବାଲ୍ମୀକି, ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ପ୍ରମୁଖଙ୍କୁ ଭଲ ଭାବରେ ଚିହ୍ନି ଚିହ୍ନାଇଥିଲେ । ଫଳରେ ତାଙ୍କର ପ୍ରତିଟି ରଚନାର ଛତ୍ରେ ଛତ୍ରେ ପାଣ୍ଡିତ୍ୟର ପ୍ରାଣପ୍ରବାହ ସଂଚରିତ । ପାଣ୍ଡିତ୍ୟ ଓ ସ୍ୱକୀୟତାର ସହାବସ୍ଥାନ ହେତୁ ତାଙ୍କର ରଚନାବଳୀ ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷରେ ସମସ୍ତଙ୍କ ଦ୍ୱାରା ସମାଦୃତ । ଉଦାହରଣ ସ୍ୱରୂପ ଗଣକବିଙ୍କ ‘ଅର୍ଜ୍ଜୁନ ଲାଖବିନ୍ଧା’ ଗୀତାଭିନୟରୁ ଯାଜ୍ଞସେନୀ ନାମକରଣ ପ୍ରସଙ୍ଗଟିକୁ ଗ୍ରହଣ କରାଯାଇ ମୂଳଗ୍ରନ୍ଥର ଆଖ୍ୟାନ ଠାରୁ ଏହା କିପରି ସ୍ୱାତନ୍ତ୍ର୍ୟମଣ୍ଡିତ ଓ ମୌଳିକତାରେ ପ୍ରାଣବନ୍ତ, ତାହା ଦର୍ଶାଯାଇପାରେ ।

 

ବ୍ୟାସକୃତ ‘ମହାଭାରତ’ରେ ଦ୍ରୌପଦୀଙ୍କ ଜନ୍ମ ଯଜ୍ଞାନଳରୁ ଓ ସେହି କାରଣରୁ ତାଙ୍କ ନାମ ଯାଜ୍ଞସେନୀ ବୋଲି ବର୍ଣ୍ଣନା ରହିଛି ଏବଂ ଉତ୍କଳବ୍ୟାସ ସାରଳାଦାସ ମଧ୍ୟ ଏହି ମତକୁ ଅବିକଳ ଗ୍ରହଣ କରିନେଇଛି । ତାଙ୍କ ଭାଷାରେ –

 

‘‘ପଞ୍ଚଅଗ୍ନି ବିଦାରିଣ ମୂରତି

ଅଗ୍ନିରୁ କନ୍ୟାୟେ ଯେ ହୋଇଲେ ଉତପତି

+ + +

ଯୋଗ ସମାପତ କଲେ ବ୍ୟାସ ମହାମୁନି

ମହା ଅନଳ ଭେଦି ସମ୍ଭୂତ ଜିଘ୍ନ ସେନୀ ।’’

(ଆଦିପର୍ବ, ୨ୟ ପୃ-୬୬୫)

 

ଅନ୍ୟତ୍ର –

‘‘ଦ୍ରୋପଦ ବୋଇଲା ସ୍ୱାମୀ ସାବଧାନେ ଶୁଣିମା

ଅଗ୍ନିରୁ ଜାତ ମୋହୋର ଦୋହିତା ଦ୍ରୋପତୀ ଶୁଦ୍ଧ ବାମା

କୋଟିଏ ୠଷି ଘେନି ହୋମ କୟେ ମହାତ୍ମା ବେଦବ୍ୟାସ

ମହା ଅନଳୁଂ ତାହାର ଶରୀର ପ୍ରକାଶ ।’’

(ତତ୍ରୈବ, ପୃ-୭୬୮)

 

ଗଣକବି ‘ଅର୍ଜ୍ଜୁନ ଲାଖବିନ୍ଧା ‘ଗୀତାଭିନୟ’ରେ ବ୍ୟାସ ଓ ସାରଳା ଦାସଙ୍କୁ ଗ୍ରହଣ କରି ଅନୁରୂପ ବର୍ଣ୍ଣନା ଦେଇଛନ୍ତି କେତୋଟି ସ୍ଥାନରେ କିନ୍ତୁ ଯଜ୍ଞାନଳରୁ କନ୍ୟା ସମ୍ଭବ ହେବା କତାକୁ କେହି ଅସମ୍ଭବ ଓ ଅଲୌକିକ ବୋଲି ଭାବିପାରେ ମନେକରି ପାଣିକବି ଯଜ୍ଞାନଳରୁ ନୁହେଁ, ଯଜ୍ଞର ପୁଣ୍ୟଫଳରୁ ଦ୍ରୌପଦୀ ସମ୍ଭୁତ ହୋଇଥିବାରୁ ତାଙ୍କ ନାମ ଯାଜ୍ଞସେନୀ ବୋଲି ପ୍ରକାଶ କରାଇଛନ୍ତି ଦ୍ରୁପଦଙ୍କ ମୁଖରେ, କନ୍ୟା ଦ୍ରୌପଦୀଙ୍କ ବିଦାୟ ସମୟରେ –

 

‘‘କୃଷ୍ଣା କୃଷ୍ଣା ! କେଣେ ତେଜିଗଲୁ ତୋ ପିତାକୁ

କରି ଯଜ୍ଞ କେତେ କଷ୍ଟେ ପାଇଥିଲି ତୋତେ

ତେଣୁ ରଖିଲି ଯାଜ୍ଞସେନୀ ନାମ ।’’

(ବୈଷ୍ଣବ ପାଣି ଗ୍ରନ୍ଥାବଳୀ, ୩ୟ, ପୃ. ୯୮)

 

ଦ୍ରୌପଦୀଙ୍କ ଜନ୍ମ ପ୍ରସଙ୍ଗକୁ ଶ୍ରୋତା/ଦର୍ଶକଙ୍କ ସଂଶୟ ବଳୟରୁ ମୁକ୍ତ କରି ଗଣକବି ଏହାକୁ ଏକ ବାସ୍ତବ ବିଚାର ଭୂମିରେ ପ୍ରତିଷ୍ଠିତ କରିଛନ୍ତି, ନିଜସ୍ୱ ବିଚାରବୁଦ୍ଧିର ପରିଚୟ ଦେଇଛନ୍ତି-

 

ରାମାୟଣ-ଉତ୍ତରାକାଣ୍ଡରେ ବର୍ଣ୍ଣିତ ‘କୀର୍ତ୍ତବୀର୍ଯ୍ୟ ସଂହାର’ ଉପାଖ୍ୟାନରେ କୀର୍ତ୍ତବୀର୍ଯ୍ୟ ପରଶୁରାମଙ୍କ ଦ୍ୱାରା ନିହତ ହେବା ପୂର୍ବରୁ ତାଙ୍କ ମନୋରମା ଯୋଗାସନରେ ବସି ପ୍ରାଣାୟମ ଦ୍ୱାରା ପବନ ନିରୋଧ ପୂର୍ବକ ପ୍ରାଣତ୍ୟାଗ କରିଛନ୍ତି ଏବଂ ସ୍ୱାମୀଙ୍କ ପୂର୍ବରୁ ମରି ସତୀ ସାଧ୍ୱୀନ ଆଖ୍ୟା ଅର୍ଜନ କରିଛନ୍ତି; କିନ୍ତୁ ପାଣିକବି ଏ ଉପାଖ୍ୟାନଟିକୁ ଭିନ୍ନ ଭାବରେ ପରିବେଷଣ କରିଛନ୍ତି ସ୍ୱରଚିତ ‘କୀର୍ତ୍ତବୀର୍ଯ୍ୟ ସଂହାର ଗୀତିନାଟ୍ୟ’ରେ । ଏଥିରେ କୀର୍ତ୍ତବୀର୍ଯ୍ୟ ନିହତ ହଲାପରେ ବୈଧବ୍ୟ ଯନ୍ତ୍ରଣା ଦଗ୍ଧ ରାଣୀ ମନୋରମାଙ୍କୁ ପୁତ୍ର ନିମିବୀର୍ଯ୍ୟ ପ୍ରବୋଧନ ଦେଇଛି ଓ ପିତାହନ୍ତା ନିକଟକୁ ଯିବା ପାଇଁ ଅନୁମତି ଭିକ୍ଷା କରିଛି । ପୌରାଣିକ କାହାଣୀର ଏ ଯେଉଁ ବ୍ୟତିକ୍ରମ, ତାହା ପାଣିକବିଙ୍କ ମୌଳିକତାର ଅଂଶବିଶେଷ । କେବଳ ମୌଳିକତା ନୁହେଁ, ତାଙ୍କ ଦାର୍ଶନିକତାର ପରିଚୟ ମଧ୍ୟ ଏଥିରେ ଫୁଟି ଉଠିଛି ଯେତେବେଳେ ସେ ସଂସାରର ନିଶ୍ୱରତା ଓ ‘କୀର୍ତ୍ତି ଯଶ୍ୟ ସ ଜୀବତି’ର ସୂଚନା ବାଳକ ନିମିବୀର୍ଯ୍ୟ ମୁଖରେ ଦେଇଛନ୍ତି ।

 

ପାଣିକବି ତତ୍‌କ୍ଷଣାତ୍‌ କବିତା ରଚନା କରିବାରେ ଥିଲେ ସିଦ୍ଧହସ୍ତ । ଯେକୌଣସି ପରିବେଶ ଓ ପରିସ୍ଥିତିରେ ଏବଂ ଯେକୌଣସି ବିଷୟରେ ସେ ଅବିଳମ୍ବେ କବିତା ରଚନା କରିପାରୁଥିଲେ । ଏହି ପ୍ରକାର ଆଶୁ କବିତାରେ କେବଳ ସ୍ୱତଃସ୍ଫୂର୍ତ୍ତତା ନୁହେଁ, ପାଣ୍ଡିତ୍ୟ ମଧ୍ୟ ରହିଛି-। ଏକଦା ବାଦୀଯାତ୍ରାରେ ଗୋପାଳ ଦାଶଙ୍କ ଆହ୍ୱାନର ଉତ୍ତରରେ ସେ ନଅକ ପଣିକିଆର ଖନ୍ଦା ସାହାଯ୍ୟରେ ନାରୀ ରୂପ ବର୍ଣ୍ଣନା ଓ ତା’ ଅଙ୍ଗସଙ୍ଗ କାମନା କରି ଯେଉଁ ରସିକତାପୂର୍ଣ୍ଣ ରସାଳ ସଙ୍ଗୀତ ପରିବେଷଣ କରିଥିଲେ, ତାହା ତାଙ୍କ ପାଣ୍ଡିତ୍ୟର ଏକ ନିର୍ଭୁଲ୍‌ ଦୃଷ୍ଟାନ୍ତ । ଯାତ୍ରା ପରିବେଷଣ କାଳରେ ପାଣି ଗାଇଲେ –

 

‘‘ନଅକେ ନଅ ଯଶାରେ, ରସାଳସା

ପକାଇ କିପାଇଁ ଗୋରୀ କରାଇବୁ ଲୋକହସା ।୧

ନଅ ଦୁଣେ ଅଠରୁ ଦୁଇ,            କାଟି ବିଚାରିବୁ ସହୀ

ବୟସୀ ବସିଛି ଚାହିଁ ତୋ ଅଙ୍ଗେ ମୋ ଅଙ୍ଗ ମିଶା ।୨

ନଅତିରି ସତାଇଶ,                  ଈଶମୁଖୀ ବେଗେ ଆସ

ନଅ ଚୌ ଛତିଶ ପାଟକେ ନଥିବେ       ତୋପରି ଯୋଷା ।୩

ନଅ ପଞ୍ଚା ପଇଁଚାଳିଶର,            ଚାଳିଶ କର ଅନ୍ତର

ଶର ମାରି ବାର ବାର ନାଶେ ମୋ ଦମ୍ଭ ସହସା ।୪

+ + +

ନଅ ନୁଆଁ ଏକାଅଶୀ,            ଅସି ଧରି ମଦାଳସୀ

ମରମେ ନ ଦିଅ ଭୂଷି ନ ଭାଷ ଭାରତୀ କଷା ।୮

ନଅ ଦଶା ନବେ ହେଜ,            ନବ ପ୍ରେମ ନ ବରଜ

ଭାଷେ ବଇଷ୍ଣବ ଦ୍ୱିଜ ମୁଁ ତୋର ଚିରଦିନ ପୋଷା ।୯’’

(ପାଣିକବିଙ୍କ ଆତ୍ମ କାହାଣୀ, ପୃ-୮୩-୮୪)

 

ଏହିପରି ରାଶି ରାଶି ପାଣ୍ଡିତ୍ୟପୂର୍ଣ୍ଣ ଆଶୁକବିତା ସୃଷ୍ଟି କରି ପାଣିକବି ବହୁ ସୁନାମ ଅର୍ଜନ କରିଥିଲେ । ବାସ୍ତବିଜ ଗଭୀର ପାଣ୍ଡିତ୍ୟର ଅଧିକାରୀ ନହେଲେ ଆଶୁକବିତା ରଚନା କ୍ଷେତ୍ରରେ ଜଣେ ଏତେ ସଫଳ ହେବା ଏକ ଅସମ୍ଭବ ବ୍ୟାପାର ।

 

ଅଳଙ୍କାର ପ୍ରୟୋଗ କ୍ଷେତ୍ରରେ ପାଣିକବିଙ୍କ ସିଦ୍ଧି ସର୍ବଜନବିଦିତ । ତାଙ୍କ ରଚନାବଳୀରୁ ଆଳଙ୍କାରିକ ଜ୍ଞାନ ଓ ଭାଷା ପ୍ରୟୋଗ କ୍ଷେତ୍ରରେ ପ୍ରଭୁତ ଦକ୍ଷତା ସହଜରେ ଦୃଷ୍ଟିଗୋଚର ହୁଏ । ଅନୁପ୍ରାସ, ଯମକ, ଉପମା, ରୂପକ ଓ ଶୃଙ୍ଖଳା ଅଳଙ୍କାରର ପ୍ରୟୋଗ ତାଙ୍କ ପାଣ୍ଡିତ୍ୟର ପରିଚାୟକ-। ଉଦ୍ଦେଶ୍ୟମୂଳକ ଭାବରେ ବା ପାଣ୍ଡିତ୍ୟ ପ୍ରଦର୍ଶନ ନିମିତ୍ତ ସେ ଏସବୁର ପ୍ରୟୋଗ କରିନାହାନ୍ତି; ବରଂ ରଚନା କାଳରେ ସ୍ୱତଃ ଏସବୁର ପ୍ରବେଶ ଘଟି ତାଙ୍କ ପାଣ୍ଡିତ୍ୟର ସମ୍ୟକ୍‌ ସୂଚନା ଦେଇଛି । କେତୋଟି ଦୃଷ୍ଟାନ୍ତ –

 

ଆଦ୍ୟାନୁପ୍ରାସ :

‘‘ମେଣ୍ଢାରଖା ଭେଣ୍ଡାପଣ ଜାଣେ ତୋର

ଭଣ୍ଡାଇଲୁ ଗୋପାଳୁଣୀ ମୁଣ୍ଡାଇ ପଥର ।

ଅଣ୍ଡା ଘେନି ଗଣ୍ଡା ଚାରି      ଷଣ୍ଢାଟାକୁ ଅଛୁ ମାରି

ଗେଣ୍ଡାଳିଆ ମଣ୍ଡାଇଲୁ ମାଇଁ କୁଚେ କର ।’’

(ଯଦୁବଂଶ ଧ୍ୱଂସ)

 

ପ୍ରାନ୍ତାନୁପ୍ରାସ :

‘‘ମହୀମଣ୍ଡନାକୁ ପ୍ରେମ ଖଣ୍ଡନୀକୁ

ଦଣ୍ଡେ କୋଳେ ଧରି ବସିବି

ମଣ୍ଡି ଉପରେ କର ଖଣ୍ଡା ମାର ଡର

ଗଣ୍ଡେ ଚୁମ୍ଭ ଦେଇ ଭାଷିବି

ମଣ୍ଡି ଦେଲେ ବାଜା ବାହୁଯୁଗେ ଗଳା

ଚଣ୍ଡୀକି ଭୋଗ ମନାସିବି

ଦଣ୍ଡୀ ଝୁଲାଇବା ନାସା ଫୁଲାଇବା

ଦେଖି ଖଣ୍ଡବାଣୀ ଭାଷିବି

ଅଖଣ୍ଡଳ ପଦ ତୁଚ୍ଛ ମଣି ଜାଣି

ଫୁଲ କାଣ୍ଡକୁ ପ୍ରଶଂସିବି

ସେ ପ୍ରେମଶୀଳାର ଅବଳା ବାଳାର

ନାମ ମାଳା କରି ଘୋଷିବି

ସତେ ସଦାଶିବ ହେବ ସଦାଶିବ

ରସିକା ସଙ୍ଗରେ ମିଶିବି

ବଇଷ୍ଣବ କହି ପ୍ରେମଗୀତ ଗାଇ

ବଇଷ୍ଣବ ପରା ଦିଶିବି ’’

(ସଙ୍ଗୀତ ନବମଲ୍ଲିକା)

 

ପୂର୍ବୋଦ୍ଧୃତ ନଅକ ପଣିକିଆ ଗୀତଟି ମଧ୍ୟ ପ୍ରାନ୍ତାନୁପ୍ରାସ ଅଳଙ୍କାରର ଏକ ସୁନ୍ଦର ନମୁନା-

 

ଚ୍ଛେକାନୁପ୍ରାସ :

 

‘‘ଛାଡ଼ ମାଡ଼ଖିଆ ବୁଦ୍ଧି ହେ ବଡ଼ ଦେଉଳେ ବଡ଼ ଗୋସାଇଁ

ଯେ ମାଇଲା ମାଡ଼ ସେ ହୋଇଲା ବଡ଼ ବାଡ଼ ହେଲୁ ତାକୁ ତୁହି ।’’

(ଜଗନ୍ନାଥ ଜଣାଣ)

(ଆଦ୍ୟ) ଯମକ :

‘‘କଳପ ବଟ ମୂଳକୁ ଅଳପେ ଅନା

କଳପ ଜଳପ ପାପୀ ତରନ୍ତି ସିନା ।’’

(ଶମ୍ଭରାସୁର ବଧ ଗୀତିନାଟ୍ୟ)

(ମାଳ) ଯମକ :

‘‘ହେ ପଥରଟେକା ପଥରେ ପଥରକରିଲ ନାରୀକି ହେ

ପାର୍ଥର ଜୀବନ ପଥର ହେଲ କି ମୋ ଦୁଃଖେ ଡରିକି ହେ

ପଥର ବୁହାଇ କପିଙ୍କ ହାତରେ ବାନ୍ଧିଛ ବାରିକି ହେ

ଶପଥରେ ବଦ୍ଧ ହେଲ ମିତ୍ର ହିତେ ବାଳିକି ମାରିକି ହେ ।’’

(ବୈ:ପା: ଗ୍ରନ୍ଥାବଳୀ, ୧ମ, ପୃ-୨୪୨)

 

ଶୃଙ୍ଖଳା ଅଳଙ୍କାର :

ଜୟ ଜୟ ହେ ଲମ୍ବୋଦର

ଦର ନାଶନ ପାଶାଂକୁଶ କର

କର ସକଳ ବିଘ୍ନ ବିନାଶନ

ସନକାଦି ପୂଜିତ ଗଜାନନ’’

(ମନସା ମଙ୍ଗଳ, ପୃ-୧)

 

ଉପମା ଅଳଙ୍କାର ପ୍ରୟୋଗ କାଳରେ ଗଣକବି ଯେଉଁ ସବୁ ଶବ୍ଦ ବିନ୍ୟାସ କରିଛନ୍ତି ସେସବୁ ପରମ୍ପରାନୁସାରୀ ନୁହେଁ, ନୂତନତାରେ ଭରପୂର । ଏହି ଉପମାଗୁଡ଼ିକ ପାଣିଙ୍କ ମୌଳିକତା ଓ ପାଣ୍ଡିତ୍ୟ ପ୍ରକାଶକ । ଏତଦ୍‌ବ୍ୟତୀତ ତଦ୍ଭବ, ତତ୍‌ସମ, ବୈଦେଶିକ ଓ ଦେଶଜ ଗାଉଁଲି ଶବ୍ଦ, ଯୁଗ୍ମ ଶବ୍ଦ, ଢଗ, ପ୍ରବଚନ, ଲୋକୋକ୍ତି ଆଦିର ସାର୍ଥକ ପ୍ରୟୋଗର ସେ ଜଣେ ଅନନ୍ୟ ସ୍ରଷ୍ଟା । ଆଲୋଚନାର ଅନୁରୋଧରେ ଏସବୁର କେତୋଟି ବିଭାଗରୁ ଅଳ୍ପ ଅଳ୍ପ ଶବ୍ଦ ଉଦାହରଣ ସ୍ୱରୂପ ଦିଆଯାଇପାରେ ।

 

ଉପମାଳଙ୍କାର ଭାବେ ବ୍ୟବହୃତ ଶବ୍ଦାବଳୀ

ଚୂଡ଼ାମନ୍ଥା ପରି ମନ୍ଥିଦେବି ତୋର ପିଣ୍ଡ, ତୋଡ଼ି ମାଛ ପରି ମୋଡ଼ି ଦେବି ବେକ, ମେଣ୍ଢା ପରି ବେକ ମୋଡ଼ି ଛିଡ଼ାଇବି, ତୁଳା ପରି ଶଇଳ ତୋଳିଲୁ, ଶିଳପୁଆ ପରି ବଳି ଗୁଣ୍ଡା ଗୁଣ୍ଡା, ନନ୍ଦ ହୃଦୟ ଚାନ୍ଦ ଗୋବିନ୍ଦ, ଗୋରକ ରଜବୋଳିଆ, ଗୋକୁଳ କୂଳ ପାଳିଆ, କଳା କାଇଁଚ ମାଳିଆ, ନୀପତରୁ ତଳିଆ, ଇନ୍ଦ୍ର ଦର୍ପଦଳିଆ, ତ୍ରିଭଙ୍ଗ ଚୁଳିଆ, ପୀତ ଦୁକୁଳିଆ, ମନ୍ଦର ତୋଳିଆ, ଯମୁନା କୂଳିଆ, କାଇଁଚ ମାଳିଆ, ବରଜ ଧୂଳିଆ, କଦମ୍ବ ମୂଳିଆ, ଘନ ଶ୍ୟାମଳିଆ, ବ୍ରଜପାଳିଆ, ଗାଈ ଦୁହାଁଳିଆ, ଶଖଣ୍ଡ ଚୂଳିଆ, ଯଶୋଦା କୋଳିଆ, ଗୋରଜ ଧୂଳିଆ, ପୂତନା ଚେତାବୁଡ଼, ଗଉଡ଼ୁଣୀ ମାଡ଼ଖିଆ, ଅଘା ତାଳୁ ଭଙ୍ଗା ଇତ୍ୟାଦି ।

 

ଦୀର୍ଘ ସମାସନିଷ୍ପନ୍ନ ଶବ୍ଦାବଳୀ

ଅମଳ କମଳ ନେତ୍ର, କୁନ୍ଦ କୋରକ ବଦନା, ଖଂଜନ ରଂଜନ ଦୃଶା, ଗୋଖୀର ବରନ ବିଭବ ଦାତା, ଗୋକୁଳ କୁଳଶଶୀ, ଗୋବର୍ଦ୍ଧନ ଧାରଣ ଗୋପୀ ଚନ୍ଦନ, ଜନକ ଜେମାବଲ୍ଲଭ, ଚାରୁ କୁଟିଳ କୁନ୍ତଳେ, ଜବାଧର ପୂର୍ଣ୍ଣଚନ୍ଦ୍ର ବଦନା, ଦରପଣ ମୁଖୀ, ତରତରଳ ନୟନା, ଯମୁନା ତଟବିନୋଦ ଯଦୁନନ୍ଦନ, ନାଗ ଗରବ ଗଞ୍ଜନ, ଗୋଧନ ରଖା, ମୟୁରପୁଚ୍ଛ ମଉଳି ଅଗତି ଗତି, ମଦାଳସା ମଦନ, ସଦନା, ମଡ଼ାଭୂଇଁ ବୁଲା । ମଦନ, ନିଧନ ଧନ ପତି ବିଭବ, ଭୃତ୍ୟଜଳ ଆର୍ତ୍ତହର, ରସିବା, ନାସିକା ଛଟା, ମଲ୍ଲମରଦ କେଶୀ ଦରପଗଞ୍ଜ ଇତ୍ୟାଦି ।

 

ଅନୁପ୍ରାସିକ ସୌନ୍ଦର୍ଯ୍ୟ ସୃଷ୍ଟି ପାଇଁ ଶବ୍ଦାବଳୀ

ଲୋଡ଼ା, ଖଡ଼ା, ହଡ଼ା, ଛଡ଼ା, ଦଉଡ଼ା, ହାତଯୋଡ଼ା, କାନମୋଡ଼ା, କୁଣ୍ଡ, ମୁଣ୍ଡ, ତୁଣ୍ଡ, ତଣ୍ଡ, ଚାଣ୍ଡ, ଖଣ୍ଡ, ଦଣ୍ଡ, ରୁଣ୍ଡ, ଅଖଣ୍ଡ, ଖଣ୍ଡ ଖଣ୍ଡ, କୋଦଣ୍ଡ, ଲଣ୍ଡା, ଧଣ୍ଡା, ହଣ୍ଡା, ହୁଣ୍ଡା, ଥଣ୍ଡା, ପଣ୍ଡା, ଗଣ୍ଡା, ରଙ୍ଗା, ଦଙ୍ଗା, ଠେଙ୍ଗା, ବେଙ୍ଗ, ଚେଙ୍ଗ, ଭୁଜଙ୍ଗ, ମାତଙ୍ଗ, ପତଙ୍ଗ, ଅଙ୍ଗଦ, ଲଙ୍ଗଳ, ଫାନ୍ଦ, ଛନ୍ଦ, ଅନ୍ଧ, କାନ୍ଧ, ବନ୍ଧନ ଇତ୍ୟାଦି ।

 

ବୈଦେଶିକ ଶବ୍ଦାବଳୀ

ଯାବନିକ ଶବ୍ଦ – ଅମିନ, ଇସ୍ତଫା, କାଇଦା, କାମିଜ, ଖାରଜ, କାଫେର, ଖଲାସ, ଖସଡ଼ା, ଗୋଲାମି, ଚପରାଶି, ଜମାନବନ୍ଦୀ, ଜୁଲମ, ଜବାଡ଼ ଜାମିନ, ଜୋରିମାନା, ଦଖଲ, ଦରଜ, ନବାବ୍‌, ବେଜିତ୍‌, ଫାଣ୍ଡି, ବଦମାସ୍‌, ବରାଦ, ବିକିରି, ମାଫି, ମାମଲା, ମାଲୁମ, ମତଲବ, ମରଦ, ହାରାମଜାଦା, ହାଜତ, ହିମ୍ମତ, ହୁସିଆର, ହାକିମ, ହୁକୁମ ଇତ୍ୟାଦି ।

 

ଇଂରାଜୀ ଶବ୍ଦ – ପାଉଡ଼ର, ଫିସ୍‌, ଡେସ୍‌କ, ଲାଇବ୍ରେରୀ, ଟିକେଟ, ପକେଟ୍‌, ସିପାହୀ, ଲଟେରୀ, ଟ୍ରେଜେରୀ, ପନ୍‌ସନ୍‌, ପିଅନ, ପୋଲିସ୍‌, ପିସ୍ତଲ, ମାଷ୍ଟର, ପ୍ୟାଣ୍ଟ, କୋଟ୍‌, ଡବଲ, କ୍ଲାସ୍‌, କୋର୍ଟ, ନୋଟିସ୍‌, ପାସ୍‌, ଫେଲ୍‌, ଇତ୍ୟାଦି ।

 

ବଙ୍ଗଳା ଶବ୍ଦ – ଆଶୁନ୍‌, ଆମାର, ଓରେ, କେନ, କେମନ୍‌, କୋଥାଏ, ଖାବାର, ଗାଅତ, ଚୋଖ, ତାକେ, ଥାକିଚି, ଥାମା, ଜାଛେନ୍‌, ତୋଲା, ତଖନ୍‌, ତୁଲିଆ, ବାଲିଶି, ପାବି, ଭାଲବାସି ଇତ୍ୟାଦି ।

 

ଯୁଗ୍ମ ଶବ୍ଦାବଳୀ :

କୁଆଁକୁଆଁ, ଆପେଆପେ, ଆଉଁଆଉଁ, ଗଣ୍ଡାଏଗଣ୍ଡାଏ, ଖଣ୍ଡେଖଣ୍ଡେ, ଗଅଁଗଅଁ, ସଅଁସଅଁ, ଛିଛି, ଥୁଥୁ, ଝିମିଝିମି, ଗୁଣୁଗୁଣୁ, ଠକଠକ, ଛଳଛଳ, ଟକଟକ, ପଲପଲ, ମାଳମାଳ, ମଲିମଲି, ଦିଅଦିଅ, ଝଟଝଟ, ଝରଝର, ଧାଡ଼ିଧାଡ଼ି, କଇଁକଇଁ, ଥରଥର, ନଇଁନଇଁ, ନାହିଁନାହିଁ, ଝୁଲିଝୁଲି, ଠାଆଠାଆ, ଲଣ୍ଡଭଣ୍ଡ, ଖୋଜିଖୋଜି, ଠେଲାଠେଲି, ପେଲାପେଲି, ବିକାବିକି, ହୁରିଜୁରି, କଟମଟ, ହଟହଟା, ଟକାଟକି, ଝଟଝଟିଆ, ଗଡ଼ାପଡ଼ା, ଶିଖାଶିଖି, ଶିକାର ଫିକାର, ଚାଉଳ ଫାଉଳ, ପାଗଳଫାଗଳ, ପିଲାପିଲି, ଭୁଉସୁଭାଆସ ଇତ୍ୟାଦି ।

 

ପ୍ରାଚୀନ ଶବ୍ଦାବଳୀ :

ଗୀର, ଗୁଆଳି, ଗଞ୍ଜିବା, ଭେଇବା, ହକାରି, ଦୁତିଅ, ଦୋରେହା, କଳପଣା, ଇଚ୍ଛନ୍ତା, ପାଞ୍ଚି, ଓପ୍ରୋଧ, କେମତେ, ଭିଆଣ, ଟାଳିବା, ଜୁରିବା, ମେଲାଣି, ବହନ, ବରଗିଣ, ବୋଲଣା, ଗଞ୍ଜଣା ଚାଟ ଇତ୍ୟାଦି ।

 

ଦେଶଜ (ଗାଉଁଲି) ଶବ୍ଦାବଳୀ :

ଉଣ୍ଡାଳ, ଓଷଦ, ଖଣ୍ଡିଆ, ଖେଣ୍ଟା, କୁଳବୁଡ଼ା, ଘରପୋଡ଼ା, ନିଆଁଲଗା, ଗାତପଶା, ରାଣ୍ଡି, ରାଣ୍ଡ, ଚୁଲିପଶା, ମାଇପ, ମାଇକିନିଆ, ଛତରଖାଇ, ଉଷୁନାମୁହୀଁ, ନିଅଁଶିଆ, ଦବେଇ, ତୁଟୁକା, ହାଟୁଆ ବାଟୁଆ, ଜଳକା, ଭେଣ୍ଡା, ଅଇଁଠା, ଗୋଇଠା, ନେହୁରା, ମରଦ ମାଇପ, ଘଇତା, ସାପଖିଆ, ନଈଶୁଆ, ପରପଞ୍ଚ, ଖଣ୍ଡିଆ, ବଇଷମ, ଝୁଲାମାଳି, ଅଛୁଆଁ, ଅଲାଜୁକ, ଦୁଃଖୀ ସଂଖାଳି, ରଂକ ପସରା, କୁଳୁଚି, ଆକର, ପେଖନା, ଧାଉଡ଼ି, ପହୁଡ଼ି, ବଢ଼ା କତିକି, ଟାକିଛି, ଦଣ୍ଡା ବାଳୁଙ୍ଗା, ଭଗାରିହସା, ଡକେଇତ, ଟାହିଟପରା, ଦାଣ୍ଡିଆ, କାଣ୍ଡିଆ, ଭେଣ୍ଡିଆ, ରାଣ୍ଡୁଆ, ପେଚାମୁହାଁ, ଭୁଆସୁଣୀ ଇତ୍ୟାଦି । ଓଡ଼ିଶାର ଗାଁ ଗହଳର ଭାଷାକୁ ସେ ଯତ୍ନର ସହିତ ତାଙ୍କ କୃତିରାଜିରେ ଏପରି ଖଞ୍ଜି ଦେଇଛନ୍ତି ଯେ, ସେସବୁ ସମସ୍ତଙ୍କ ଚିତ୍ତକୁ ଛୁଏଁ ଏବଂ ମୌଳିକ ଓ ପାଣ୍ଡିତ୍ୟପୂର୍ଣ୍ଣ ସୃଷ୍ଟି ଭାବରେ ସର୍ବାଦୃତ ହୁଏ ।

 

ବହୁ ପ୍ରବାଦ, ପ୍ରବଚନ ଓ ଲୋକୋକ୍ତିର ସଫଳ ପ୍ରୟୋଗ ନିଜ ରଚନାରେ କରି ସେ ସ୍ୱୀୟ ପାଣ୍ଡିତ୍ୟର ପରିଚୟ ଦେଇଛନ୍ତି । ‘ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ ରୂପ’, ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ’, ‘ବଣେ ଘରକରି ବାଘକୁ ଡରିବା’, ‘ଚୋର ଘର ଦିନେ ଅନ୍ଧାର ହୋଇବ’, ‘ଜିଆ ଖୋଳୁ ଖୋଳୁ ବାହାରେ ସାପ’ ‘ମୂତରେ ଜଳିଲା ବତୀ’ ଆଦି କୋତୋଟିର ସୁନ୍ଦର ପ୍ରୟୋଗ ତାଙ୍କ ରଚନାକୁ ଲୋକପ୍ରିୟ କରିବାରେ ସହାୟକ ।

 

ପାଣିକବିଙ୍କ ଆୟୁର୍ବେଦ ଶାସ୍ତ୍ରରେ ଗଭୀର ପ୍ରବେଶ ଥିଲା । ଶୁଖିଲା ଆମ୍ବ କୋଇଲି । ଡାଳିମ୍ବ ଚୋପା, ହରିଡ଼ା, ବାହାଡ଼ା, ଅଁଳା, ଶୁଖିଲା ମୁଥାମୂଳ, ନିମ୍ବ, ତୁଳସୀ, ବେଲପତ୍ର ଇତ୍ୟାଦିର ଗୁଣ, ଉପକାରିତା ଓ ବ୍ୟବହାର ବିଧିର ବିଶଦ ବିବରଣୀ କବିଙ୍କ ‘ଉତ୍କଳ ଗୃହଲକ୍ଷ୍ମୀ’ ଉପନ୍ୟାସରେ ଲିପିବଦ୍ଧ । ସେହିପରି କବିଙ୍କ ‘ସଚିତ୍ର ସ୍ୱାମୀ ସ୍ତ୍ରୀ’ ଉପନ୍ୟାସରେ ନାରୀମାନଙ୍କ ପ୍ରସୂତିକାଳୀନ ଝାଡ଼ାରୋଗ ପାଇଁ ‘ଚାନ୍ଦିଭସ୍ମ’ ଏକ ଅବ୍ୟର୍ଥ ଔଷଧ ବୋଲି କୁହାଯାଇ ଏହାର ପ୍ରସ୍ତୁତୀକରଣ ଓ ସେବନବିଧିର ସମ୍ୟକ୍‌ ସୂଚନା ଦିଆଯାଇଛି । କବିଙ୍କ ‘କୋକଶାସ୍ତ୍ର’ ବା ‘ରତିକାବ୍ୟ’ରେ କାମଶାସ୍ତ୍ରୀୟ ସିଦ୍ଧାନ୍ତମାନେ ସ୍ଥାନିତ କରାଯାଇ ବିଭିନ୍ନ ଯୌନବ୍ୟାଧିର କାରଣ ଓ ଏସବୁର ନିରାକରଣ ପାଇଁ ଔଷଧ ଓ ସେବନବିଧିର ଉଲ୍ଲେଖ ରହିଛି । ଏଥିରେ ଆହୁରି ମଧ୍ୟ ସ୍ଥାନ ପାଇଛି ବନ୍ଧ୍ୟାତ୍ୱ ଓ ପୌରୁଷହୀନତାର ଦୂରୀକରଣ ନିମିତ୍ତ ଭେଷଜ ଚିକିତ୍ସା ପଦ୍ଧତି, ନାରୀ ଓ ପୁରୁଷ ଉଭୟଙ୍କ ଅଙ୍ଗ ସୌନ୍ଦର୍ଯ୍ୟ ବୃଦ୍ଧି, ବାଜୀକରଣ, ଶୁକ୍ରବର୍ଦ୍ଧନ ଇତ୍ୟାଦି ପାଇଁ ଔଷଧ ପ୍ରସ୍ତୁତିପ୍ରଣାଳୀ ଓ ସେବନ ବିଧି ।

 

ଯୋଗ ଓ ତନ୍ତ୍ରରେ ଗଣକବିଙ୍କର ପାଣ୍ଡିତ୍ୟ ମଧ୍ୟ କମ୍‌ ନଥିଲା । ‘ଧ୍ରୁବ ଚରିତ’ରେ ସପ୍ତଋଷିଙ୍କ ମୁଖରେ ଧ୍ରୁବପ୍ରତି ଯୋଗ ସମ୍ବନ୍ଧୀୟ ଯେଉଁ ଗୂଢ଼ତତ୍ତ୍ୱ ପ୍ରକାଶିତ ତାହା ପାଣିକବିଙ୍କ ଏ ସମ୍ବନ୍ଧୀୟ ଶାସ୍ତ୍ରରେ ପ୍ରବେଶ ପ୍ରଦର୍ଶନ କରେ । ସେହିପରି ତାଙ୍କ ରଚନାବଳୀରେ ବେଳେବେଳେ ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଇତ୍ୟାଦିର ସୂଚନା ଦୃଷ୍ଟିକୁ ଆସେ ।

 

ବୈଷ୍ଣବ ପାଣି ଜ୍ୟୋତିର୍ବିଦ୍ୟାରେ ମଧ୍ୟ ପଣ୍ଡିତ ଥିଲେ । ତିଥି, ବାର, ଶୁଭ, ନକ୍ଷତ୍ର ଆଦିର ନିର୍ଣ୍ଣୟ ତାଙ୍କର କେତେକ କୃତିରେ ପରିଦୃଷ୍ଟ । ହରପାର୍ବତୀଙ୍କ ବିବାହ, ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ, ମହୀକର୍ଣ୍ଣ, ପୁତ୍ରମାନଙ୍କର ବିଦ୍ୟାରମ୍ଭ, କଂସାସୁରର ଧନୁଯାତ୍ରା ଆୟୋଜନ, ଇତ୍ୟାଦି ଶୁଭକର୍ମାନୁଷ୍ଠାନର ଶୁଭମୁହୂର୍ତ୍ତ ପାଣିକବି ସ୍ଥିର କରିଛନ୍ତି । ସେହିପରି କୃଷ୍ଣପକ୍ଷ ରୋହିଣୀ ନକ୍ଷତ୍ର ଗୁରୁବାରରେ ଯୁଦ୍ଧ ନିମିତ୍ତ ପାଣ୍ଡବଙ୍କୁ ପରାମର୍ଶ ଦିଆଯାଇଛି । ଲକ୍ଷ୍ମୀଙ୍କର ସ୍ୱୟମ୍ବର ପାଇଁ ମାଘ ଶୁକ୍ଳ ପଞ୍ଚମୀ ଗୁରୁବାର ବଛାଯାଇଛି ଏବଂ ସୁରାସୁରଙ୍କ ଦିଗ୍‌ବିଜୟର ଶୁଭାନୁକୂଳ ପାଇଁ ତାଙ୍କ ରାଶି, ନକ୍ଷତ୍ର ଓ ଗ୍ରହାବସ୍ଥାନକୁ ବିଚାର କରାଯାଇଛି । ଖୋଜି ବସିଲେ, ତାଙ୍କ ରଚନାବଳୀରେ ଏହିପରି ବହୁ ଗଣନାର ଉଲ୍ଲେଖ ମିଳେ, ଯହିଁରୁ ସେ ଜଣେ ଅଭିଜ୍ଞ ଜ୍ୟୋତିଷ ଥିବାର ଧରଣା ସ୍ୱତଃ ମନରେ ଜାତ ହୁଏ ।

 

ଉପର୍ଯୁକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ, ବୈଷ୍ଣବ ପାଣି ଥିଲେ ଜଣେ ବହୁମୁଖୀ ପ୍ରତିଭା । ସେ ଏକାଧାରାରେ ଥିଲେ ପାଲାକାର, ନାଟ୍ୟକାର, ସଙ୍ଗୀତଜ୍ଞ, ନିର୍ଦ୍ଦେଶକ, ଅଭିନେତା, ଆଶୁକବି ଓ ବହୁଶାସ୍ତ୍ରଦର୍ଶୀ ଜଣେ ଉଚ୍ଚକୋଟୀର ପଣ୍ଡିତ । ଗଭୀର ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ବିଭିନ୍ନ ପୁରାଣଶାସ୍ତ୍ରରୁ ଯେଉଁ ଜ୍ଞାନ ଅର୍ଜନ କରିଥିଲେ ତାହାର ବିନିଯୋଗର ସେ ବିଶାଳ ସାରସ୍ୱତ ସୌଧ ଗଢ଼ିଥିଲେ । ମୌଳିକତା, ବହୁଶାସ୍ତ୍ରଦର୍ଶିତା ଓ ପାଣ୍ଡିତ୍ୟର ସୁମଧୁର ସମାବେଶରେ ଏହି ସାରସ୍ୱତ ସୌଧ ତାଙ୍କ ଅମଳିନ କୃତି ଓ କୀର୍ତ୍ତିର ମୁକସାକ୍ଷୀ ।

 

ଘର ନଂ ଡି- ୬/୨, ୟୁନିଟ୍‌ - ୮,

ଭୁବନେଶ୍ୱର – ୧୨

***

 

ମୁଦ୍ରିତ କବିତାର ବିଷୟବସ୍ତୁ ଓ ସାଧାରଣ ମଣିଷ

ଶ୍ରୀ ଶ୍ରୀନିବାସ ଉଦ୍‌ଗାତା

 

ଆଜି ଆଲୋଚନାର ନିର୍ଦ୍ଧାରିତ ପ୍ରସଙ୍ଗରେ କବିତା ଆଗରେ ଏକ ବିଶେଷଣ ଲାଗିଛି ‘ମୁଦ୍ରିତ’ । ବୋଧହୁଏ, ଅର୍ଥ ହେବ ଯାହା ବର୍ତ୍ତମାନ ପତ୍ର-ପତ୍ରିକା ବା ସଙ୍କଳିତ ହୋଇ ପାଠକ ପାଖରେ ପହଞ୍ଚୁଛି; ଅଥବା ଭାବାଭିବ୍ୟକ୍ତିର; ଯେହେତୁ ଏକମାତ୍ର ମାଧ୍ୟମ ହୋଇ ବର୍ତ୍ତମାନ ‘ବହି’ ରହିନାହିଁ, ଆହୁରି କିଛି ବି ରହଛି ଯହିଁରେ ଆଖି, କାନ, ମନ ସମସ୍ତେ ଆମୋଦିତ ହେବାର ସୁଯୋଗ ରହିଛି ଓ ଫଳତଃ ଯାହା ଧୀରେ ଧୀରେ ଅଧିକ ମାଡ଼ି ମାଡ଼ି ବସିଲାଣି ବୋଲି କେବଳ ଓଡ଼ିଆ କାହିଁକି ବହୁଳ ପ୍ରକାଶିତ ଓ ପ୍ରସାରିତ ରାଷ୍ଟ୍ରଭାଷା ହିନ୍ଦୀର କ୍ଷେତ୍ରରେ ମଧ୍ୟ ଚିନ୍ତା-ଆଲୋଚନାର ସନ୍ଦର୍ଭ ହେଲାଣି; ତହିଁରୁ ମୁକ୍ତ ହୋଇ ଯାହା ଲେଖା – ଛପା ଚାଲିଛି, ତାହା; କିମ୍ବା ଆଗାମୀ କାଳ ଲାଗି ଆପଣାକୁ ସବୁ ଦିଗରୁ ପ୍ରସ୍ତୁତ କରିବାକୁ ମନ କରୁଥିବା ପ୍ରତିଭାଧର ଯୁବକବି-କବୟିତ୍ରୀଙ୍କର ପ୍ରକାଶିତ ରଚନାକୁ ଦୃଷ୍ଟିରେ ରଖି ଏହି ‘ମୁଦ୍ରିତ’ ବିଶେଷଣର ପ୍ରୟୋଗ ହୋଇଛି; ତାହା ମୁଁ ନିଶ୍ଚିତ କରି ପାରି ନଥିଲେ ହେଁ, ମୁଁ ଯାହା କିହିବି ବୋଲି ଭାବୁଛି, ତାହା ବୋଧହୁଏ ସବୁ କଥାକୁ ପାଇବ ।

 

ମୁଁ ଅନେକ ଅନେକ କିଛିର ଆଶା କରି, ସ୍ୱପ୍ନ ଦେଖି ନୂତନ ସହସ୍ରାବ୍ଦକୁ ସ୍ୱାଗତ କରୁଛି । ଆସ, ଜଗତକୁ ଉଲ୍ଲସିତ କରି ଦିଅ; ଅନ୍ତରୀକ୍ଷ, ପୃଥିବୀ, ବନସ୍ପତି ମଧୁ-କ୍ଷରଣ କରନ୍ତୁ, ଅଶାନ୍ତ ହୁଅନ୍ତୁ ନାହିଁ ....... ଶାନ୍ତିରୈବ ଶାନ୍ତିଃ....

 

କଥାଏ କହି ଦେବା ଉଚିତ ଯେ ତାର୍ଜିକ ଆଖିରେ ଅନେଇ କବିତାର ସମୀକ୍ଷା ଆଲୋଚନା କରିବାର ଅଭିପ୍ରାୟରେ ମୁଁ କବିତାକୁ ଭଲ ପାଇ ନାହିଁ; କବିତାଟିଏ ପଢ଼ି ତା’ର ଅନ୍ତର୍ନିହିତ ‘କବି’ର ଭାବଭୂମି, ତା’ର ଶ୍ୟାମଳ ଶୋଭା, ନୀଳ ପ୍ରଶାନ୍ତି, ସତ୍ୟାଲୋକର ଯେ ଉଦ୍ଭାସ, ତା’କୁ ଚକିତ ଆଖିରେ ଅନେଇ ପାରିବାର ସୌଭାଗ୍ୟ ମିଳିଲେ, ଯେ ପରମ ଆନନ୍ଦ ମିଳେ, ସେଥିଲାଗି କବିତା ପଢ଼ିଥାଏଁ ଓ ଆପଣାର କ୍ଷମତାର ସୀମା ଭିତରେ କିଛି କିଛି ଲେଖିଥାଏଁ । ସେଇ ପ୍ରକ୍ରିୟାରେ ଯେତିକି ମିଳେ ତହିଁରୁ ହୁଏତ କିଛି କୋଉଠି ହଜିଯାଏ, କିଛି ଆପଣା ଛାଏଁ ସାଇତି ହୋଇ ରହିଯାଏ । ସେଇ ମୋର ପୁଞ୍ଜି ।

 

କବିମାନେ କୌଣସି କାଳର ଗଣନା ମୋଟେ କରନ୍ତି ନାଇଁ । ବୋଧହୁଏ ଏମିତି କୌଣସି କବିତାର ରଚନା ହୋଇନାହିଁ ଯହିଁରେ ଜଗତ ନାହିଁ, ମଣିଷ ନାହିଁ । ଆଉ ଜଗତ ଓ ମଣିଷ ଯୋଉଠି ଥିବେ; ସେଠି ଆଉ ମିଛ, ହସ-ଲୁହ, ଆଲୁଅ-ଅନ୍ଧାର ଆଦି ଅବଶ୍ୟ ରହିବେ; କାରଣ ଜଗତ ଓ ଜୀବନରେ, ଆକାଶ ଯେମିତି ସତ୍ୟ ସେମିତି ପାତାଳ ମଧ୍ୟ । କବି ଦୁଇ ଚରମରେ ବିଦ୍ୟମାନ ହୋଇ ରହିଥାଏ, ଯେମିତି ଜଗତକରତା ପ୍ରଭୁ, ଦୃଶ୍ୟରେ ଯେମିତି, ସେମିତି ଅଦୃଶ୍ୟରେ । କାରଣ ସେ ପ୍ରଭୁର ପ୍ରତିଭୂ, ସେ ମଧ୍ୟ ପ୍ରଜାପତି । ଜନମି ଥିଲେ ହେଁ ସେ ମରି ପାରେ ନାଇଁ ଆଉ କାଳରୁ କାଳକୁ, କାଳାନ୍ତରକୁ ଅତିକ୍ରମ କରିଯାଏ । ତା’ର ବି ଗୋଟାଏ କାରଣ ହେଉଛି, ସାଧାରଣ ମଣିଷ ଯେମିତି ଖାଲି ଜନମ ଓ ମରଣ କଥା ଭାବୁଥାଏ, ଅସଲ କବିଟି ଏ ଦୁଇ ଚରମ ବିନ୍ଦୁରେ ଥିବା ଅନିବାର୍ଯ୍ୟତାର ଉପଲବ୍ଧି କରି ତାକୁ ଯୋଡ଼ି ଦେଉଥିବା ଜୀବନ ନାମକ ଡୋରୀଟି କଥା ବେଶୀ ଭାବେ । ଜୀବନଟି ତା’ଲାଗି ସତ୍ୟ ଓ ତହିଁରୁ ଉତ୍ତରିତ ହୋଇ ଯିବାର ତନ୍ମୟ ଅଭିଳାଷ, ତା’ର ତପସ୍ୟା । ସିଦ୍ଧି ତ ସେଇ କଳ୍ପବୃକ୍ଷର ଫଳ, ଯାହା କୌଣସି ଉପାୟରେ ତୋଳି ହୁଏ ନାହିଁ, ପାଇ ହୁଏନାହିଁ; ସେ ଆପେ ବଢ଼େଇ ନ ଦେଲା ଯାଏଁ ।

 

‘କାଳ’ ବି ଦେଖନ୍ତୁ କେମିତି ଗୋଟାଏ ଫାଜିଲ୍‌ ପିଲା ! ସିଲଟଟିଏ ଧରି ବସିଛି, ମୁରୁକି ହସୁଛି ମନକୁ ପାଇଲେ, କ’ଣ କ’ଣ ସବୁ ଲେଖି ପକଉଛି ସେଥିରେ, ଅନେଇ ନିରେଖି ଦେଖୁଛି ଆଉ ହସି ଦେଇ ପୋଛି ପକଉଛି । କେଜାଣି, କ’ଣ ଲେଖି କ’ଣ ପୋଛୁଛି । ଏମିତି ଚାଲିଛି କାମ ତା’ର ଅନବରତ; ଆଉ ସେଥିରେ କେତେ ସଭ୍ୟତା, ସାମ୍ରାଜ୍ୟ, ଜାତି, ଧର୍ମ, ବିଶ୍ୱାସ ପୋଛି ହେଇ ଯାଉଛି ତ ନୂଆ ପୁଣି ଆପଣାଛାଏଁ ଗଢ଼ି ଉଠୁଛି ଯାହାର ହିସାବ ମଣିଷ ପାଖରେ ମୋଟେ ନାହିଁ; ଇତିହାସ ନାହିଁ । ସେଥିରେ କେତେ କବି ଶିଳ୍ପୀ ବୋଲାଉଥିବା ମଣିଷ କୁଆଡ଼େ କୁଆଡ଼େ ହଜି ଯାଇଛନ୍ତି ତ କେତେ ଶୁକ୍ରତାରାପରି ଆକାଶର କୃଷ୍ଣ ବିଚିତ୍ର ଚିତ୍ରପଟରେ ଚମକି ରହିଛନ୍ତି, ଅନନ୍ତ କାଳରୁ ଆଜିଯାଏଁ:, ଆଉ କାଳକାଳକୁ ରହିଥିବେ ବୋଲି ମଧ୍ୟ ବିଶ୍ୱାସଟିଏ ଛାତି ଭିତରେ ଘର କରି ଯାଉଛି । କାଳ; ନିର୍ମମ ଓ ନରହଂକାର, ମୁଁ ମୁଁ ବୋଲି ହୁଙ୍କାର କରୁ ନାହିଁ; ଯେମିତି ସତ୍‌କବି । କବିର ଆତ୍ମଶ୍ଳାଘା ନିଆରା କଥା ।

 

ଗଲା ହଜାରେ ବର୍ଷ ଭିତରେ ଓଡ଼ିଆ କବିତାର ଇତିହାସକୁ ଅନେଇଲେ, ଅଧ୍ୟାତ୍ମ ଓ ଶୃଙ୍ଗାର ଏ ଦୁଇ କଥା ବାହାରେ ପ୍ରାୟ ଯାହା କିଛି ରହିଛି ସେଥିରେ ତ କେବଳ ମାନବିକ ବିଚାରର କଥା ହିଁ ରହିଛି । ଏପରି କି ମହାଭାରତ, ରାମାୟଣ ଓ ଭାଗବତର ସର୍ଜନା ମୂଳରେ ରହିଥିବା ଲକ୍ଷ୍ୟ ଓ ଅଭିପ୍ରାୟରେ ସମାହିତ ହୋଇ ନିବିଡ଼ଭାବରେ ରହିଛି ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚଣ୍ଡ ସ୍ୱାଭିମାନ । ସଂସ୍କୃତି କବଳରୁ ଏ ଭାଷାକୁ ମୁକ୍ତ କରି, ମୌଳିକ ପ୍ରଚଳିତ ଦେଶଜ ଶବ୍ଦର ପ୍ରୟୋଗ ଦ୍ୱାରା ରଚନାତ୍ମକ ଏକ ଧାରା ପ୍ରବାହିତ ନ ହେଲେ ଯେ ଦିନ ଆସିବ ଏ ଭାଷାର ସ୍ୱାତନ୍ତ୍ର୍ୟ ହି ରହିବ ନାହିଁ । ସେଇ ବିଚାର ହୁଏତ ଆଦି କବି ଶାରଳା ଦାସଙ୍କ ଚିତ୍ତରେ ଥାଇ ପ୍ରଚଳିତ ଭାଷାରେ ମହାଭାରତଭଳି ଏକ ମହାକାବ୍ୟ ରଚନାର ପ୍ରେରଣା ଯୋଗାଇଥିଲା । ସେଇ ପ୍ରକ୍ରିୟା ରାମାୟଣ ଓ ଭାଗବତରେ ବିଦ୍ୟମାନ । ଉତ୍କଳୀୟ ଭୂଗୋଳ, ଇତିହାସ, କିମ୍ବଦନ୍ତୀ, ରୀତି ନୀତି ଆଦିର ମୌଳିକ ସଂଯୋଜନାପୁଷ୍ଟ ଏହି ଶାଶ୍ୱତ ରଚନାମାନଙ୍କରେ କେତେ ସାଧାରଣ ମଣିଷର କଥା ରହିଛି ତାହା ବିଚାରଣୀୟ । ପ୍ରଭୁ ପ୍ରତି ତନ୍ମୟ କରି ଦେବାର ଅନୁରାଗସିକ୍ତ ‘ଦାଢ଼୍ୟତା ଭକ୍ତି’ରୁ ବଳି ଆଉ କିଛି ଥାଇପାରେ, ଏହା ସେକାଳରେ ଭବାଯାଇ ପାରିଥାନ୍ତା ବୋଲି କଳ୍ପନା କରି ହୁଏ ନାହିଁ । ହୁଏତ, ଆମେ ଆଜି ଯାହାକୁ ସମକାଳୀନ ଯଥାର୍ଥ, ଜାଗତିକ ସମସ୍ୟା, ମାନବୀୟ କୁଣ୍ଠା ଆଦି ବୋଲି ନାମିତ କରିଛୁଁ, ତାହା ତହିଁରେ ପ୍ରଚ୍ଛନ୍ନଭାବରେ ନଥିଲା । ତେବେ ଏକ ଶୁଦ୍ଧ ନିର୍ମଳ ସଂସ୍କାର ଥିଲା, ଯାହା ନଥିଲା ବୋଲି କହି ହେବ ନାଇଁ । ଏମାନେ ଓଡ଼ିଆ ଜାତିର ଜୀବନ ବେଦ, ମୂଳ ସଂସ୍କୃତି ଗ୍ରନ୍ଥମାନଙ୍କର ଅନୁବାଦ ନୁହନ୍ତି, ଅନୁସୃଜନ । ଆଖ୍ୟାନ, ଉପାଖ୍ୟାନର ଆଧାର ରହିଛି; ତାହା ସହିତ ବାଟ ଭାଙ୍ଗି ଆଉ କିଛି ବି ରହିଛି । ସ୍ରଷ୍ଟା ଓ ସର୍ଜନା, ଉଭୟେ ଅମର ହୋଇ ରହିଛନ୍ତି-। ‘ଲୋକପ୍ରିୟ’ ବୋଲି କୁହାଗଲେ ବୋଧହୁଏ ଏଯାବତ୍‌ ଓଡ଼ିଆ ସାହିତ୍ୟର କୌଣସି ଗୋଟିଏ ହେଲେ ଗ୍ରନ୍ଥ ଏମାନଙ୍କଠାରୁ ଲୋକପ୍ରିୟତାରେ ବଳିଯିବେ ନାଇଁ । ପରବର୍ତ୍ତୀ ରଚନାଗୁଡ଼ିକ ଆପାତତଃ ସେଇ ଭକ୍ତି ଓ ଶୃଙ୍ଗାର । ସେମାନେ ସମସ୍ତେ ପ୍ରଚଣ୍ଡ ପ୍ରତିଭାଧର ବିଦ୍ୱାନ କବି । ଏହା ସେମାନଙ୍କର ଅପୂର୍ବ ଅପ୍ରତିମ ସର୍ଜନା ସମୂହର ଆଲୋଚନା ସମାଲୋଚନାର ମଞ୍ଚ ନୁହେଁ ।

 

ତେବେ ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳରୁ ଯେ ସାହିତ୍ୟ ସ୍ପଷ୍ଟ ଓ ଉଦାର କଣ୍ଠରେ ସାଧାରଣ ମଣିଷର କଥା କହିବା ଏକାନ୍ତ ପ୍ରୟୋଜନ ବୋଲି ଭାବିଲା, ଏଥିରେ ଦ୍ୱିମତ ନାହିଁ । ମୋ ବିଚାରରେ ପଦ୍ୟରେ ତା’ର ଆଦ୍ୟ ଉଦ୍‌ଗାତା ସନ୍ଥକବି ଭୀମଭୋଇ ଓ ଗଦ୍ୟରେ ବ୍ୟାସକବି ଫକିର ମୋହନ ସେନାପତି । ଏମାନେ ପ୍ରଚ୍ଛନ୍ନଭାବରେ ମଣିଷର କଥା, ସାଧାରଣ ଜନ-ଜୀବନର କଥା କହିବାକୁ ନିଷ୍ଠାପର ହୋଇ ମନ କଲେ । ବିଦ୍ରୋହୀ ହୋଇ ଠିଆ ହେଲେ । ମୋର ମନ ଏମାନଙ୍କ ପଛକୁ କବିବର ରାଧାନାଥ, ସ୍ୱଭାବ କବି ଗଙ୍ଗାଧର, ପଲ୍ଲୀକବି ନନ୍ଦକିଶୋରଙ୍କର ଗଣନା କରିବାକୁ ହୋଇଥାଏ । କଥାଟି ହେଲା, କାଳର ରଚନାତ୍ମକ ଅବଧିର ବୃହତ୍‌ ଅଂଶ ଉପରେ ଅକ୍ତିୟାର କରି ରହିଛି କବିତା । ଭିନ୍ନ ଭିନ୍ନ ସମୟରେ, ସେଇ ସମୟର ରୁଚି, ଚାହିଦା କାଳର ଦାବି ଆଦି ବିଚାରରେ କବିଗଣ ଆପଣା ଆପଣାର ଚିନ୍ତାକୁ ଅଭିବ୍ୟକ୍ତ କରିଛନ୍ତି । ପ୍ରେମ, ଆଧ୍ୟାତ୍ମ; ଏପରିକି ଘୃଣା ଓ କ୍ରୁରତାକୁ ବି ପ୍ରତିବଦ୍ଧତାରେ ନିର୍ମଳ କରି କହିଛନ୍ତି । କବିଲାଗି ଆପଣାର ଜୀବନାନୁଭୂତି ମୂଳ କଥା । ଆପଣାର ମିଳନ-ବିରହ, ହର୍ଷ-ବିଷାଦ, ସଫଳତା-ବିଫଳତା ଆଦିକୁ କୌଣସି ରଚନାକାର ଆପଣାର ସର୍ଜନାରୁ ଆଡ଼େଇ ଉଢ଼ୁଆଳକୁ ନେଇ ଯାଇ ପାରିବ ନାହିଁ । ତାହା କୌଣସି ନା କୌଣସି ରୂପରେ ରହିବ ହିଁ ରହିବ । ଭାଷା ଭାରତୀର ମାଧ୍ୟମରେ ସତ୍‌କଥା କହିବାର ଅଭିଳାଷ ପ୍ରତ୍ୟେକ କବିର ସାଧନାନିଷ୍ଠ ତନ୍ମୟତାର ଅଙ୍ଗ ହୋଇ ରହିଥାଏ । ସ୍ୱଭାବାନୁଭୂତି ଯେତେ ଯେତେ ଅଧିକଙ୍କର ହେବ, ତାହା ହିଁ ତା’ର ସାଫଲ୍ୟ ଓ କାଳତିକ୍ରମଣ କରି ଯିବାର ମାପକାଠି ହେବ..... ଅପରୂପ ଓ ଶାଶ୍ୱତ ହେବ । ସତ୍‌କବି ଏକ ଯୋଗୀ, ତପସ୍ୱୀ, ପ୍ରଭୁପ୍ରତି ତା’ର ଗ୍ରଗାଢ଼ ଆସ୍ଥା, ଜଗତପ୍ରତି ଅନନ୍ତ ମୋହ, ମଣିଷପ୍ରତି ଅମାପ ପ୍ରୀତି, ଆପେ ନିର୍ଭୀକ, ନିଃଶଙ୍କ । ସେମାନଙ୍କର ଉଚ୍ଚାରଣର ଆଧାର ଅତୀତ, କାଳ ବର୍ତ୍ତମାନ ଅଥଚ ସେ ଉଦ୍‌ଘୋଷଣା ଭବିଷ୍ୟତଲାଗି । ଏହା ସତ୍ୟ..... ତା’ର ବିଚାରକ ସେଇ ସିଲଟଧରା ଚଗଲା ପିଲାଟି, ବାଛି ବାଛି ପୋଛି ଦେବ, କବି ଯେତେ ଯାହାବି ‘ମୋତେ ଯାବତ୍‌ ଚନ୍ଦ୍ରାର୍କେ ଭୋଗ ଦଖଲର ଅଧିକାର ମିଳିଛି’ ବୋଲି ଭାବୁ ଥାଉନା କାହିଁକି ।

 

ତା’ପରେ କାଳକୁ ସିଧା ସଳଖ ଦୁଇ ଭାଗରେ ବିଭକ୍ତ କରି ଦେଇ ହେବ । ସ୍ଥୂଳଭାବରେ ଭାରତବର୍ଷ ସ୍ୱାଧୀନତାର ପୂର୍ବ ଓ ଉତ୍ତର ପୂର୍ବାଦେଶ ସ୍ୱାଧୀନ ହେବାଯାଏଁ, ଓଡ଼ିଆ କାହିଁକି ସବୁ ଭାରତୀୟ ଭାଷାରେ ରଚିତ କବିତାର ଉଚ୍ଚାରିତ ଆବେଗ ହେଉଛି ଦେଶପ୍ରୀତି । ତହିଁରେ ମାଟି ଅଛି, ମଣିଷ ଅଛନ୍ତି । ଆପଣାର କଳା, ସଂସ୍କୃତି, ଦର୍ଶନ ସବୁ କିଛିର ଉତ୍କର୍ଷ ପ୍ରତିପାଦିତ କରି, ମାଟିକୁ ପରାଧୀନତାର ନିଗଡ଼ମୁକ୍ତ କରିବାର ଅଦମନୀୟ ଦାମ୍ଭିକ ଉଦ୍‌ଘୋଷଣା ରହିଛି । ସତ୍ୟବାଦୀ ଯୁଗ ବୋଲି ଆମେ ଯେଉଁ ରଚନା-କାଳକୁ ଚିହ୍ନଟ କରିଛୁଁ, ତାହା ପୂର୍ଣ୍ଣତଃ ଅଧ୍ୟାତ୍ମ ଆସ୍ଥା, ମଧୁର ରମଣୀୟତା, ପ୍ରଚୁର ଦେଶପ୍ରେମ ଏବଂ ରାଷ୍ଟ୍ର ଓ ମଣିଷକୁ ନେଇ ଅପରିସୀମ ସ୍ୱପ୍ନମୟ ସର୍ଜନାର କାଳ ଯହିଁରେ ନିଷ୍ଠାପର ଭାବରେ ଉଦ୍‌ବୋଧିତ କରିବାର, ସବୁ ଭେଦ ଭୁଲି ଏକାଠି ହେବାର ଆହ୍ୱାନ ରହିଛି । ସ୍ୱାଧୀନତାର ପୂର୍ବକାଳରେ ଯେଉଁ କବିଗଣ ମଣିଷର, ସାଧାରଣ ମଣିଷର ମାନବିକ ଅଧିକାର, ପ୍ରୟୋଜନ, ସେମାନଙ୍କର ଦୁଃଖ ଦୈନ୍ୟ, ଅସହାୟତାର କଥା, ସେମାନଙ୍କ ପ୍ରତି ଅନାଚାର, ଶୋଷଣ ଆଦି ଆଦିର କଥା କବିତାରେ ବିପ୍ଳବୀର ଉଦାତ୍ତ ସ୍ୱରରେ ଉଚ୍ଚାରଣ କଲେ ସେମାନେ ମୁଖ୍ୟତଃ ହେବେ ଗୋଦାବରୀଶ ମହାପାତ୍ର, ସଚ୍ଚିଦାନନ୍ଦ ରାଉତରାୟ ଅନନ୍ତ ପଟ୍ଟନାୟକ ପ୍ରମୁଖ ଓ ସେମାନଙ୍କ ପରେ ଅନ୍ୟମାନେ ଆପାତତଃ ତାଙ୍କର ଅନୁଯାୟୀ ପରି ମନେ ହୋଇଥାନ୍ତି, ଉଭୟତଃ-ଭାବ ଓ ଶୈଳୀରେ । ଗୋଦାବରୀଶ ଓ ସଚ୍ଚିଦାନନ୍ଦଙ୍କର ରୀତି ଅନୁସରଣ କରିବାକୁ କବି ବାହାରିଲେ ସିନା ତାହା ଅନନ୍ତ ପଟ୍ଟନାୟକଙ୍କ ବେଳକୁ ସମ୍ଭବ ହେଲା ନାହିଁ, କିଛି ପରିମାଣରେ ବୋଧହୁଏ ମନମୋହନ ମିଶ୍ରଙ୍କ ବ୍ୟତୀତ । ବାମପନ୍ଥୀ ଚିନ୍ତନ ଧାରା ସହିତ ଆଉ ଏକ ଲଳିତ ସ୍ରୋତ ପ୍ରବାହିତ ହୋଇଥିଲା ସର୍ବୋଦୟୀ ପାରସ୍ପରିକ ପରିପୂରକତାର, ଗାନ୍ଧିଜୀ, ବିନୋବାଜୀଙ୍କର ସାମ୍ୟଦର୍ଶନର । ସେତେବେଳେ ବିଶେଷ ଖ୍ୟାତି ପ୍ରାପ୍ତ ଓ ଶୈଳ୍ପିକ ସାଫଲ୍ୟର ଅଧିକାରୀ ହୋଇଥିଲେ ଶ୍ୟାମସୁନ୍ଦର ଦାସ, ଶ୍ରୀବତ୍ସ ନାୟକ, ରାମପ୍ରସାଦ ପୁରୋହିତ ପ୍ରମୁଖ; ମାତ୍ର ସେମାନେ ବିସ୍ତୃତ ହୋଇ ସାରିଛନ୍ତି ବୋଲି କହିଲେ କିଛି ଅନ୍ୟାୟ ହେବ ନାହିଁ ।

 

ସ୍ୱାଧୀନତା ପ୍ରାପ୍ତିର ପର କାଳରେ ଗୋଟାଏ ରଚନାକାଳ ସହିତ ଆମର ମୁହାଁମୁହିଁ ହେଲା, ତାହାକୁ ରଚନାକାରମାନେ ହିଁ ‘ଆଧୁନିକ କାଳ’ ବୋଲି କହିଲେ ଆଉ ତାହା, ଯେଉଁ କେତେ ଜଣ ବି ଆଲୋଚନାର କ୍ଷେତ୍ରକୁ ଆସିଲେ ସେମାନଙ୍କର ସମର୍ଥନ ଲାଭ କଲା । କବିମାନଙ୍କର ଚେର ଯଦିଓ ଭାରତ ମାଟିରେ ଥିଲା ସେମାନେ ୟୁରୋପ ବା ଖାସ୍‌ ବିଲାତରୁ ପାଣି ପବନ ପାଇବା ଲାଗି ବିକଳ ହେଲେ । କାବ୍ୟିକ ଅତିଶୟୋକ୍ତି ଲାଗି ଯେମିତି କଲରୀଜଙ୍କପରି କବିମାନେ ନମୁନା ହେଲେ, ସମୁଦ୍ରରେ ନିଆଁ ଲାଗିଲା, ଟାୟାର ଫାଟିଲା, ଅଥଚ ଅତି କଳ୍ପନା, ଉଦ୍ଭଟ ଓ ଚମକୃତ କରି ଦେବାର ଅଭୀପ୍ସାର ଉଦାହରଣ ଭାବରେ, ଦୁଃଶାସନର ବାହୁ ଉତ୍ପାଟନଳ ତାକୁ ଭୀମ ଫିଙ୍ଗି ଦେବା ଫଳରେ ଖସି ପଡ଼ିଥିବା ଗୋଟିଏ କଙ୍କଣ ଯଦି କୁମେରୁ ଓ ସୁମେରୁକୁ ଘେରି ଗଲା ଓ ଉପରେ ଉପରେ ଛଞ୍ଚାଣ ବାହୁଟିକୁ ଝପଟି ନେଇଗଲା; ତେବେ ସେଭଳି ଆଉ ଏକ ବାହୁ ସମେତ ସମ୍ପୂର୍ଣ୍ଣ ଦେହଟି ଏ ମାଟିର କେଉଁ ଭାଗରେ ରହିଲା କେହି ଭାବିଲେ ନାଇଁ । ଏଭଳି ଅସୁମାରୀ ଉଦାହରଣ ପୁରାଣରୁ ଆଣି ହେବ, ଅଥଚ ବୋଧହୁଏ କବି ପ୍ରତିଭାଠାରୁ ପ୍ରଖର ବୁଦ୍ଧିର ପରିଚୟ ଦେବାର ଅଭିଳାଷରେ ଯାହା ଆସିଲା, ତାକୁ ଅର୍ଥହୀନ ବୋଲି କହୁନାଇଁ, କିନ୍ତୁ ତାହା ଯେ ଅବୋଧ୍ୟ ହୋଇଗଲା, ଫଳତଃ ଭାବ ସଂପ୍ରେଷଣର କ୍ଷମତା ହରେଇ ନିରର୍ଥକ ହେଲା ଓ ବହୁଳାଂଶରେ ଭାରତୀୟ ପାଠକମାନଙ୍କର ମନଘେନା ହେଲା ନାହିଁ, ଏହି କଥାକୁ ମଧ୍ୟ ଅସ୍ୱୀକାର କରି ହେବ ନାହିଁ । ଏହା ହୋଇପାରେ କବିମାନଙ୍କର ପ୍ରଭୁତ ଅଭାରତୀୟ ରଚନାର ପଠନ-ସ୍ୱୀକୃତି ଦେଲା ସିନା, ତାହା ସହିତ ବିପରୀତ ବିଚାରରେ ଭାରତୀୟ ସାହିତ୍ୟର ସୀମିତ ଅଧ୍ୟୟନର ସୂଚନା ବି ଦେଲା । ତା’ର ଅଗ୍ରଣୀ ଥିଲେ, ଗୁରୁପ୍ରସାଦ, ଭାନୁଜୀ, ରମାକାନ୍ତ ଓ ସୀତାକାନ୍ତ ତା’ପରେ ଅନେକ ଅନେକ । ସେହି ଦଶ-ପନ୍ଦର ବର୍ଷର ଅବଧିରେ ବହୁ ଚମତ୍କାର ସର୍ଜନା ବି ହୋଇଛି, ପରବର୍ତ୍ତୀ କବିମାନେ ବି ଆପଣା ଆପଣାର ସ୍ୱକୀୟ, ମହତ୍ତ୍ୱପୂର୍ଣ୍ଣ କବିପଣର ପରିଚୟ ଦେଇଛନ୍ତି । ତେବେ ସ୍ୱାଧୀନତାପ୍ରାପ୍ତିର ପରବର୍ତ୍ତୀ ଏ କାଳ ଯେ ବହୁ ସ୍ୱପ୍ନଭଙ୍ଗର କାଳ, ଏ ଉପଲବ୍ଧି ବି ସବୁରି ଚିତ୍ତରେ ରହିଥିବ । କବି-ଆଲୋଚକମାନେ ଅସ୍ୱୀକାର ତ କରନ୍ତି ନାହିଁ ଯେ ଯାହା ଚିରନ୍ତିନ ଓ ସର୍ବକାଳୀନ ସତ୍ୟ ତାହା ସବୁ କାଳରେ ସେ କାଳର ସମକାଳୀନ ଯଥାର୍ଥ । ଖୁସି ଲାଗୁଛି, ଜଣେ ପାଠକ ଭାବରେ ଯେ ସେଇ ସବୁ କବି ଘରକୁ ବାହୁଡ଼ି ଆସିଛନ୍ତି । ସେମାନଙ୍କର ଅନୁଜ କବି କବୟିତ୍ରୀମାନେ ତ କବିତାରେ କେତେ ସହଜ ସରଳ ରୀତିରେ ବୁଝେଇ ଦେଇ, ଯଥାସ୍ଥିତିର ସ୍ପଷ୍ଟ ଛବିଟିଏ ଆଙ୍କି ଦେଇ ସବୁ ଦିଗରୁ ମଣିଷର କଥା କହୁଛନ୍ତି ଏବଂ ସେମାନଙ୍କ ଭିତରେ ବେଶ୍‌ ଆନ୍ଦୋଳିତ କରନ୍ତି ପ୍ରସନ୍ନ କୁମାର ମିଶ୍ର, ନିତ୍ୟାନନ୍ଦ ନାୟକ, ନୃସିଂହ ତ୍ରିପାଠୀ, ଚିରଶ୍ରୀ ଇନ୍ଦ୍ରସିଂ, ସୁଚେତା ମିଶ୍ର । ଯେଉଁମାନେ ଅନେକ କିଛି ଭାବିବାକୁ ପ୍ରାୟ ବାଧ୍ୟ କରନ୍ତି ବୋଲି ସୂଚୀପତ୍ରରେ ସେମାନଙ୍କ ନାଆଁ ଦେଖିଲେ ଆଗ ପଢ଼ିବାକୁ ମନ ହୁଏ । ଖାଲି ସେମାନେ ନୁହଁନ୍ତି, ଆହୁରି ଅନେକ ଅଛନ୍ତି, ଯେଉଁମାନେ ଆସନ୍ତା କାଲିଲାଗି ହୃଦୟରେ ଆସ୍ଥା ଓ ଆଶା ସଞ୍ଚାରିତ କରି ଥାଆନ୍ତି । ଆଉ ପଦେ ମାତ୍ର କହିବାକୁ ମନ ବଳୁଛି । ଓଡ଼ିଆ ସାହିତ୍ୟରେ କିଛି କାଳଜୟୀ ଗଦ୍ୟ ମଧ୍ୟ ରଚିତ ହୋଇଛି ଯେଉଁମାନେ ପଦ୍ୟଠାରୁ କୌଣସି ଗୁଣରେ ଊଣା ନୁହନ୍ତି । ସେମାନଙ୍କର ଗଦ୍ୟରେ ଲିଖିତ କବିତାର ଆଧାରରେ ଅନେକ କବିତା ଲେଖା ହୋଇଥିବା ମଧ୍ୟ ମୁଁ ହୃଦୟଙ୍ଗମ କରିଛି । ଏଠାରେ ଅପ୍ରାସଙ୍ଗିକ ମନେ ହେଲେ ମଧ୍ୟ ଲୋଭରେ ସେମାନଙ୍କର ନାମୋଲ୍ଲେଖ କରୁଛି-। ଉପନ୍ୟାସରେ ଏଇ ସୋନପୁର ମାଟିର ଗୋପୀନାଥ ମହାନ୍ତି, ପ୍ରବନ୍ଧ ଓ ରମ୍ୟ ରଚନାର କ୍ଷେତ୍ରରେ ଚିତ୍ତରଞ୍ଜନ ଦାସ ।

 

ମୁଁ ସ୍ୱୀକାର କରୁଛି ଯେ କେତେବେଳେ କବିତାରେ ଆଧୁନିକ କାଳର ସଂକ୍ରମଣ ହେଲା ଏବଂ ସେ କାଳର ଅବଧି ଭୋଗ ହୋଇସାରି ଅତ୍ୟାଧୁନିକ ବା ଉତ୍ତର ଆଧୁନିକ ନାମକ ଆଉ ଏକ କାଳ ମଧ୍ୟ ଆସିଲା, ତାହା ଉପଲବ୍ଧି କରିପାରିବାର କ୍ଷମତା ମୋର ନାହିଁ । ମୋର ତନ୍ମୟ ଅନୁରାଗ ହୋଇଛି ଆପଣାର କ୍ଷମତାର ସୀମା ଭିତରେ କିଛି ଆପଣା ରୀତିରେ କହିବା; କବିତାରେ । ସଂଜ୍ଞା, କବିତାର ବ୍ୟାକରଣ, ରଚନା କର୍ମ-ତତ୍ତ୍ୱ, ବାଦାଦିର ଛନ୍ଦଣୀ ଭିତରେ ପଶିଲେ ଉବୁରି ପାରିବି ନାଇଁ ବୋଲି ମୋର ଭୟ; ଫଳତଃ ମୋଲାଗି ବେଶୀ ଭାଗ ଅବୁଝା ରହିଯିବ ଏବଂ ମୋ ପକ୍ଷରେ ଯାହା ବି ଲେଖିଛି ବା ଲେଖିବି ବୋଲି ଆଶା କରୁଛି ତାହା ବି ପାରିବି ନାଇଁ, ସେଇ ଶଙ୍କାରେ ତର୍କଠାରୁ ଦୂରସ୍ଥ ହୋଇ ରହିବାର ପ୍ରଚେଷ୍ଟା ପ୍ରାୟ କରିଛି । ସେଇ କାରଣରୁ ବୋଧହୁଏ କଲମକୁ ବନ୍ଧୁକ କରିବାର ଆହ୍ୱାନ ମୋର ବୋଧଗମ୍ୟ ହେଲା ନାଇଁ । ଭାବିଲି, କଲମ କେବେ ହେଲେ ବନ୍ଧୁକର କାମ କରି ପାରିବ ନାଇଁ କି ବନ୍ଧୁକ ହାତରେ କଲମର କାମ ହେବ ନାଇଁ । ହାତରେ ବନ୍ଧୁକଟିଏ ଥିଲେ ବି ଛାତିରେ ଦମ୍ଭ ନଥିଲେ, ଅଙ୍ଗୁଠିରେ ଘୋଡ଼ା ଦବେଇ ଦେବାର ବଳ ନଥିଲେ, ବନ୍ଧୁକ ବି ତା’ର କାମ କରିପାରିବ ନାଇଁ । ଏ କଥାଟି ବୋଧହୁଏ ଲଙ୍ଗଳ ଲାଗି ମଧ୍ୟ ପ୍ରଯୋଜ୍ୟ । ତେବେ କଲମ ସେଇ ଦମ୍ଭ, ଦୃଢ଼ତା, ଶକ୍ତି ସଂଚାରିତ କରି ପାରିବ ଏହା ବିଶ୍ୱାସ କରୁଛି । ଯାହା ଫୁଲଟିଏ ହୋଇ ମୋଲାଗି ଫୁଟେ, ଯାହା ମୋତେ ମୋ ବିଚାରରେ ସତ୍ୟ ବୋଲି ପ୍ରତୀୟମାନ ହୋଇଥାଏ ଓ ସ୍ୱତଃସ୍ଫୃର୍ତ୍ତ-ଉଚ୍ଚାରଣରେ ଧ୍ୱନିତ ହୋଇ ଆସେ ତାହା ମୋଲାଗି କବିତା ।

 

ଆଜି ଆଲୋଚନାର ନିର୍ଦ୍ଧାରିତ ପ୍ରସଙ୍ଗରେ କବିତା ଆଗରେ ଏକ ବିଶେଷଣ ଲାଗିଛି ‘ମୁଦ୍ରିତ’ । ବୋଧୁହୁଏ, ଅର୍ଥ ହେବ ଯାହା ବର୍ତ୍ତମାନ ପତ୍ର-ପତ୍ରିକା ବା ସଙ୍କଳିତ ହୋଇ ପାଠକ ପାଖରେ ପହଞ୍ଚୁଛି; ଅଥବା ଭାବାଭିବ୍ୟକ୍ତିର; ଯେହେତୁ ଏକମାତ୍ର ମାଧ୍ୟମ ହୋଇ ବର୍ତ୍ତମାନ ‘ବହି’ ରହିନାହିଁ, ଆହୁରି କିଛି ବି ରହିଛି ଯହିଁରେ ଆଖି, କାନ, ମନ ସମସ୍ତେ ଆମୋଦିତ ହେବାର ସୁଯୋଗ ରହିଛି ଓ ଫଳତଃ ଯାହା ଧୀରେ ଧୀରେ ଅଧିକ ମାଡ଼ି ମାଡ଼ି ବସିଲାଣି ବୋଲି କେବଳ ଓଡ଼ିଆ କାହିଁକି ବହୁଳ ପ୍ରକାଶିତ ଓ ପ୍ରସାରିତ ରାଷ୍ଟ୍ରଭାଷା ହିନ୍ଦୀର କ୍ଷେତ୍ରରେ ମଧ୍ୟ ଚିନ୍ତା-ଆଲୋଚନାର ସନ୍ଦର୍ଭ ହେଲାଣି; ତହିଁରୁ ମୁକ୍ତ ହୋଇ ଯାହା ଲେଖା-ଛପା ଚାଲିଛି, ତାହା କିମ୍ବା ଆଗାମୀ କାଳ ଲାଗି ଆପଣାକୁ ସବୁ ଦିଗରୁ ପ୍ରସ୍ତୁତ କରିବାକୁ ମନ କରୁଥିବା ପ୍ରତିରୋଧର ଯୁବକବି-କବୟିତ୍ରୀଙ୍କର ପ୍ରକାଶିତ ରଚନାକୁ ଦୃଷ୍ଟିରେ ରଖି ଏହି ‘ମୁଦ୍ରିତ’ ବିଶେଷଣର ପ୍ରୟୋଗ ହୋଇଛି; ତାହା ମୁଁ ନିଶ୍ଚିତ କରି ପାରି ନଥିଲେ ହେଁ, ମୁଁ ଯାହା କହିବି ବୋଲି ଭାବୁଛି, ତାହା ବୋଧହୁଏ ସବୁ କଥାକୁ ପାଇବ ।

 

ମୋର ପ୍ରଗାଢ଼ ଆସ୍ଥା ଓ ଭରସା ରହିଛି ମୋର କନିଷ୍ଠତମ ସମର୍ପିତ ସ୍ରଷ୍ଟା ବନ୍ଧୁମାନଙ୍କ ଉପରେ । ଯାହା ମୋ ଆଖିରେ ପଡ଼େ ତାହା ମୁଁ ମନ ଦେଇ ପଢ଼େଁ । ପଢ଼ି ବାରମ୍ବାର ବିଶ୍ୱାସ କରେଁ ଯେ ଆଗାମୀ କାଲିର ଏହି ଶ୍ରୀକୃଷ୍ଣଦ୍ୱେପାୟନମାନେ ବର୍ତ୍ତମାନ ହୁଏତ ‘କଳା’ ଦୃଷ୍ଟିରୁ ଊଣା ହେବେ ତେବେ ସେମାନେ ଯେ ଅଧିକ ଯଥାର୍ଥବକ୍ତା ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତା’ର ଗୋଟାଏ ବଡ଼ କାରଣ ହେଲା, ସେମାନେ ହିଁ ଆଗାମୀ କାଲିର ସକଳ ବିଡ଼ମ୍ବନାର ଭୋକ୍ତା ହେବେ ତେଣୁ ସେମାନେ ସତର୍କ ଓ ସଚେତନ । କଳା ଓ କାରିଗରୀ ତ ସେମାନେ ଯେତେଯେତେ ଅଭିଜ୍ଞ ହୋଇ ଚାଲିଥିବେ ସେତେ ସେତେ ଘଷି ମାଜି ହୋଇ ସାଜି ସଜେଇ ହୋଇ ଆପେ ଆପଣାଛାଏଁ ଆସିବ ।

 

ଆମେ ଯେଉଁ କାଳରେ ସଂପ୍ରତି ରହିଛୁଁ, ସେ କାଳର ରାଜାମାନେ ରାବଣ, କଂସ ଜରାସନ୍ଧଠାରୁ ଆଦୌ ଊଣା ନୁହଁନ୍ତି, ଖାଲି ରାଜନୀତି ସାଙ୍ଗରେ ସିନା କୂଟନୀତି ହାତ ମିଳେଇ ରହିଥାଏ, ଏଇନେ ତ ଧର୍ମ, ଧାର୍ମିକତା ସହିତ ବି ରହିଛି । ଗୋଟାଏ କୁଣ୍ଠିତ ସମାଜରେ, ଅନୀତି, ଅନାଚାର, ସ୍ୱାର୍ଥ, ଈର୍ଷା, କ’ଣ କ’ଣ ନାହିଁ ଯେ କୋଉଠି କୋଉଠି କବଳିତ ମଣିଷକୁ ଖୋଜିବେ; ଜଗତର ମାନବକୃତ ଯନ୍ତ୍ରଣାରୁ ମୁକ୍ତ କରିବାର ମନ କରିବେ ! କେତେ ଦ୍ରୌପଦୀଙ୍କୁ ଉଦ୍ଧାର କରି ପାରିବେ ଦୁଃଶାସନ, କୀଚକ କବଳରୁ ! ସେ ଶରୀରରେ ବିଦ୍ୟମାନ ଆତ୍ମାକୁ ଠାବ ତ କରି ପାରିବୁ ନାହିଁରେ ମୂର୍ଖ ଅନ୍ତତଃ ଦୃଶ୍ୟ ଶରୀରରୁ ପ୍ରେମ, ସମର୍ପଣ, ତୃପ୍ତି ହେଲେ ଖୋଜି ଥାଆନ୍ତୁ, ନଂପୁସକ, ଖୋଜିଲୁ କୋଉଠି କେତେ ସୁନା ଅଛି, କିଛି ନ ପାଇ ପରିଶେଷରେ ଟିଣେ କିରୋସିନି ଗୋଟିଏ ଦିଆସିଲି କାଠିକୁ ସମର୍ପି ଦେବାକୁ ! ଭୋକିଲା ପେଟରୁ ଅନ୍ନ ଝୁଣି ଖାଉଥିବା ଜନସେବକ; ମିଥ୍ୟା, ଶଠତା, ଛଳନାରେ ଜଗତକୁ ତିଳତିଳ ଶୋଷଣ କରି ଚାଲିଥିବା ଜନନେତା ଆଦିଙ୍କୁ ସଦ୍‌ବୁଦ୍ଧି ଦେବାକୁ କ’ଣ କ’ଣ କବିତାରେ କହି ଚେତେଇ ଦେବ କବିବନ୍ଧୁ । ସେଇଆତ ବାଲ୍ମୀକି – ବ୍ୟାସଦେବଙ୍କ ଅମଳରୁ ଏ ଯାବତ୍‌ ଚାଲିଛି । ମିଛ କହ ନାଇଁ, ଅପ୍ରୀତିର ନର୍କରେ ଡୁବି ଯାଅ ନାହିଁ ଆଦି ଉପଦେଶ ଛଳରେ କେଉଁ ଧର୍ମ କହି ନାଇଁ ଓ ଏ ମଣିଷ କାଣିଚାଏ ବି କୌଣସି କଥାକୁ କାନେଇ ନାଇଁ । ଏପରି କି ଏ ମାଟିର କବି ତ ଜଗତର ଉଦ୍ଧାର ଲାଗି ବିନିମୟରେ ଆପଣାର ଜୀବନ ପର୍ଯ୍ୟନ୍ତକୁ ନର୍କରେ ପଛକେ ପକେଇ ଦିଅ ବୋଲି ପ୍ରଭୁ ନିକଟରେ ଜଣା କରିଥିଲା...... ସବୁ ସତ୍ତ୍ୱେ କବି ମୌନ ହୋଇ ରହିବ ନାଇଁ, ରହି ନାଇଁ ବି । ପ୍ରାୟ ଚାଳିଶ ବର୍ଷ ତଳର ଶ୍ୟାମଭାଇଙ୍କ କବିତାଟିଏର ଯେଉଁ କେତୋଟି ଧାଡ଼ି ମନେ ପଡ଼ୁଛି, ତାହା ଶୁଣନ୍ତୁ :

 

ଯୁଦ୍ଧ ତ ଏବେବି ବାକି ଗାଣ୍ଡୀବ ଛାଡ଼ନା ପ୍ରିୟତମ

କ୍ଲାନ୍ତ ଓ ଘର୍ମାକ୍ତ ଆମେ, ଆମେ କିନ୍ତୁ ଜିଣିବା ସଂଗ୍ରାମ,

ହେ ବନ୍ଧୁ ଶପଥ କର ଚିରଞ୍ଜୀବୀ ହେଉ ଏ ସାଧନା

ବନ୍ଦୀ ଲଭି ମୁକ୍ତି କାଲି ଆଗାମୀରେ ଜଣାଉ ପ୍ରଣାମ । ।

 

କବି ଜୀବନର ସତ୍ୟ ତା’ର ତପସ୍ୟା, ସିଦ୍ଧିଲାଗି ସେ ଲାଳସୀ ନୁହେଁ । ତେବେ କାବ୍ୟଂ ଯଶସେ, ଅର୍ଥକୃତେ, ବ୍ୟବହାରବିଧେ, ଶିବେତରକ୍ଷତୟେ........ ଏହା ହୁଏତ ସେ ସାଧନାର ଏକ ନିଷ୍ଠାପର ଦିଗ.......

 

ଆସିବା, ରହିବା ଓ ଯିବା, ଏ ତିନୋଟି କାମକୁ ଛାଡ଼ିଦେଲେ ମଣିଷ ସତରେ ଜଗତରେ ଆଉ ଅଧିକ କିଛି ତ କରେ ନାହିଁ । ଆସିବା-ଯିବା କାମଟି ସିନା ଏକଲା କରିବ; ରହିବା କାମଟି କଦାପି ଏକଲା କରି ଦେଇ ପାରିବ ନାଇଁ । ପ୍ରେମ କରୁ ବା ଘୃଣା ଆଉ ଜଣକୁ ହେଲେ ଅବଶ୍ୟ ଲୋଡ଼ିବ । ଯେଉଁଠି ଆଲୁଅ ଥିବ ସେଠାରେ ଅନ୍ଧାର ରହିବ ନାଇଁ । ଏମାନେ ଉଭୟେ ସତ୍ୟ । ଗୋଟିଏ ନଥିଲେ ଅପରକୁ ଜମାରୁ ବୁଝି ହେବ ନାହିଁ । ଛାତି ଭିତରେ ପ୍ରେମ ହିଁ ପ୍ରେମ ଖୁନ୍ଦି ହେଇ ରହିଥିଲେ ଘୃଣାକୁ ଥାନ ହେଲେ କୋଉଠି ମିଳିବ ? କେତେ ସମସ୍ୟା ଅଛି, କେତେ ଅସୂୟା ଅଛି, କେତେ ଅବାଗିଆ, ଅବର୍ଜିଆ କୁଢ଼କୁଢ଼ ଆବର୍ଜନା ଅଛି । ମୁଁ ମୁଁ ମୋର ମୋର ହେଇ କିଛି ବୋଲି କିଛି ମିଳିବ ନାଇଁ । କବିଟିଏ ଆପଣାକୁ ଭଲ ପାଇ, ଅନ୍ୟକୁ ଦେବାକୁ ମନ କରି ଭଲ ପାଉ; ପ୍ରୀତିରେ ଜଗତ ଭରିଯାଉ..... ମଣିଷ ଆପଣାର ଦେଲେ ଆପଣାଛାଏଁ ପ୍ରଭୁ ନିକଟକୁ ଟାଣି ହେଇ ଆସିବ, ଆପଣାଛାଏଁ ନଟୁପରି ଆପଣା କେନ୍ଦ୍ରରେ ଘୁରୁଥିବା ଆତ୍ମକେନ୍ଦ୍ରୀ ମଣିଷର ସଂସାର ତା’ ମନକୁ କେଡ଼େ ବଡ଼ ହେଇଯିବ....... ଆକାଶଭଳି......... ।

 

କବି କୁଟୀର,

ବଲାଙ୍ଗୀର

***

 

ଅନୁବାଦ ସାହିତ୍ୟ

ଇତାଲୀୟ କବିତାମଳା

ଲୁସିଆନୋ ଏର୍ବା

 

ମିଲାନ୍‌ ନଗରୀରେ ୧୯୨୨ ମସିହାରେ କବି ଲୁସିଆନୋ ଏର୍ବାଙ୍କର ଜନ୍ମ । ସମସାମୟିକ ଇତାଲୀୟ କବିମାନଙ୍କ ମଧ୍ୟରେ ଏର୍ବାଙ୍କର ନାମ ସମ୍ମାନର ସହ ଉଚ୍ଚାରିତ ହୁଏ । ଏକାନ୍ତ ନିର୍ଲିପ୍ତ ଓ ପ୍ରଚାରବିମୁଖ ଏହି କବି ଆଭାଁଗାର୍ଦ କବିତାଧାରାଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ଏକ କାବ୍ୟସ୍ୱର । ଫରାସୀ ସାହିତ୍ୟର ପ୍ରଫେସର ଭାବେ ଲୁସିଆନୋ ମିଲାନ୍‌ ବିଶ୍ୱବିଦ୍ୟାଳୟରେ ଅବସ୍ଥାପିତ ଥିଲେ । ତାଙ୍କର ଉଲ୍ଲେଖଯୋଗ୍ୟ କାବ୍ୟକୃତି ମଧ୍ୟରେ ଲିନିଆ କେ, ଇପୋଗ୍ରାମି ଏ ମେତାଇ ପୁଗ୍ରାମି ଦି ଜିଓଭାନୋଲା, ପ୍ରିତେ ଦି ରାତାନା ପ୍ରଧାନ । କ୍ୱାର୍ତା ଜେନାରେ ଦିଓନେ : ଆଂତୋଲୋଜିଆ ଦେଲା ଜିଓଭାନେ ପୋଏଜିଆ ତାଙ୍କ ଦ୍ୱାରା ସଂପାଦିତ ଏକ ତାତ୍ପର୍ଯ୍ୟପୂର୍ଣ୍ଣ କବିତା ସଂକଳନ ।

 

ଲୁସିଆନୋ ଏର୍ବା

ପାଣି କଖାରୁ କ୍ଷେତରେ

:

ବାଟ କାଟି କାଟି.

କେତେ ଅଂଧାରେ,

:

ଏବଂ ମୋ’ ରଥ କଡ଼େ କଡ଼େ

ସମତଳ ଭୂଇଁରେ

:

ଶୁଣାଅ ଯାତ୍ରାର କାହାଣୀ ।

କେତେ ପାହାଡ଼

:

ପବନରେ ପୋଷାକ ଉଡ଼ିଗଲା ପରି

ଆଚ୍ଛା, ଏଥର ଉଡ଼ନ୍ତା ବିଦାୟ !!

:

ଗାଁ ଗଣ୍ଡାର ଭୂତପ୍ରେତମାନଙ୍କ କାହାଣୀ ଶୁଣାଅ,

ଅବଶ୍ୟ ତୁମ ଉଡ଼ାଣ

 

 

ଟକି ରବିନ୍‌ ପକ୍ଷୀର

 

 

ସମକକ୍ଷ ହୋନ ନପାରେ ।

:

ଏବଂ ରାସ୍ତାଘାଟ ଓ ଛୋଟଛୋଟ

ତୁମକୁ ଆତିଥ୍ୟ ଦେଇଥିବା

:

ଘରମାନଙ୍କୁ

ପର୍ବତ ମାନଙ୍କ ଆରପାରି

:

ଧବଳକୁଷ୍ଠ ଗ୍ରାସିଗଲା ପରି

ଯେଉଁଠି ଘୋଷିତ ହୋଇ ସାରିଛି

:

ଅଗଷ୍ଟ ରାତିର ଗଳ୍ପ କୁହ,

ଏକ ସଫେଦ୍‌ ବିଚ୍ଛିନ୍ନତା

:

କୁହ ଯବକ୍ଷେତ ମାନଙ୍କ କଥା

ସେଇଠିକୁ ଫେରିଯାଅ ।।

:

ମସୃଣ ମୋ’ ଗାଲର କଥା କୁହ;

ଫେରିଯାଅ ଡେଣା ଯାକି

:

କାଳେ ଗୋଟାଏ ନିରକ୍ତ ପାଳଗଦା

ତାଜା ହାତ ମାନଙ୍କରେ

:

ଭଲ କରି ଦେବ ଜ୍ୱର ତାଙ୍କର !!

 

 

 

***

 

***

 

Unknown

ଭିଟ୍ଟୋରିଓ ସେରେନି

 

ଇଟାଲିର ମଧ୍ୟମ ପ୍ରଜନ୍ମ କାବ୍ୟ ଆନ୍ଦୋଳନରେ ଭିଟ୍ଟୋରିଓ ସେରେନି ଏକ ପ୍ରମୁଖ ସ୍ତମ୍ଭ-। ପ୍ରାଥମିକ ଅବସ୍ଥାରେ ମଂଟେଲ୍‌ଙ୍କ କବିତାର ପ୍ରଭାବ ତାଙ୍କ କବିତା ମାନଙ୍କରେ ପ୍ରତିଫଳିତ ହୋଇଥିଲା ସତ, ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ସେ ସଂପୂର୍ଣ୍ଣ ନିଜସ୍ୱ ଏକ ଦ୍ୟୋତନା ଓ ଦୃଷ୍ଟି ପ୍ରତିଷ୍ଠିତ କରିପାରିଥିଲେ । ପ୍ରେମ ଓ ପରିପୂର୍ଣ୍ଣତାରେ ଅଭିଷିକ୍ତ ହୋଇ ଜୀବନ ସ୍ନିଗ୍ଧ ଓ ମୃଦୁମୟ ହେବା ତାଙ୍କର ନିବିଡ଼ କାବ୍ୟିକ ଅଭୀପ୍‌ସା । ୧୯୧୩ ମସିହାରେ ଲୁଇନୋଠାରେ ତାଙ୍କର ଜନ୍ମ । ‘କୋରେଂଟେ’ ଓ ‘ରାସେଗ୍ନା ଡି ଇତାଲିଆ’ ପତ୍ରିକାର ସେ ଅନ୍ୟତମ ସଂପାଦକ ଥିଲେ । ‘ଫ୍ରୋଣ୍ଟିଏରା’, ‘ପୋଏଜି’, ‘ଡାଏରିଓ ଡି ଆଲ୍‌ଜେରିଆ’, ‘ଫ୍ରାମେଂଟୋ ଡି ଉନା ସୋଂଫିଟ୍ଟା’, ‘ଗ୍ଲି ସ୍ତୃମେଂଟି ୟୁମାନି’ ତାଙ୍କର ଉଲ୍ଲେଖଯୋଗ୍ୟ କବିତାଗ୍ରନ୍ଥ ।

 

ଦୃଶ୍ୟପରିଧି

ଭିଟ୍ଟୋରିଓ ସେରେନି

ସମ୍ମେଳନ ସ୍ଥାନଟିର

ଚିଟ୍ଟିଉ ପକ୍ଷୀଙ୍କ ଉଡ଼ାଣେ ।

ଆବହାଓ୍ୱା ଥିଲା

ମେଳାସ୍ଥଳ ଓ ଆଖପାଖ;

ଦୁଃଖଦ !

ଏ ପୂରାଟା ହେଉଛି ମୁଁ ।

ଘାସମାନେ

ଛାତ ତଳେ ଯେଉଁ ଅଂଧାର

ନୀରବରେ ଦୀର୍ଘଶ୍ୱାସ ଛାଡ଼ୁଥିଲେ

ଅଧିକରୁ ଅଧିକ

ଗୋଧୂଳିର ସେଇ ଉଦ୍ୟାନରେ ।

ଘନୀଭୂତ ହେଉଥାଏ

ଚୌକିସବୁ ଗୋଲାକାରରେ ସଜ୍ଜିତ।

ତାହା ମଧ୍ୟ ମୁଁ।

ପରିଚିତ ଚାହାଣିମାନେ

କିତୁଂ ଜଣକର ଗୋଟାଏ ମାତ୍ର

ଛନ୍ଦାଛନ୍ଦି ପରସ୍ପର ସହ

କଟାକ୍ଷ ଆଗରେ

କେବଳ ଜଣକ ବ୍ୟତୀତ ।

ମୁଁ ସ୍ଥାଣୁ ପାଲଟିଯାଏ,

ସାଧାରଣତଃ ସବୁବେଳେ ଶାନ୍ତ

ମୋ’ ଚାହାଣିରୁ ଯିଏ

ଆନମନା ସେଇ ଚାହାଣି।

ଆଲୋକିତ କରେ ନିଜକୁ

ସମ୍ମେଳନ ସ୍ଥାନର ଅପରପାର୍ଶ୍ୱରେ

ଆତ୍ମପ୍ରତ୍ୟୟ ପୂର୍ଣ୍ଣ ଭାବେ:

ସଂଧ୍ୟାର ତରା ଘଂଟି ବଜାଏ।

ଅପରାଧୀ ଚାହାଣିର ହାତଧରି ହିଁ

ଯାହା କେହି ଶୁଣି ପାରନ୍ତିନି।

ମୋ’ ଚାହାଣିର ହାତଧରି ହିଁ

ଶତାବ୍ଦୀ ଶତାବ୍ଦୀ ଧରି

ନିଜକୁ ସେ ଆଲୋକିତ କରେ।

ଏହି ସମୟରେ ପୋଷାକମାନେ

 

ରକ୍ତ ଓ ଉତ୍ତେଜନାରେ

ଚୋରା ପାଦପାତ ବିରୁଦ୍ଧରେ

ତଥାପି ଉଷୁମ୍‌

ଆପଣମାନଙ୍କୁ ସେ

ଏବଂ ଚତୁର୍ଦ୍ଦିଗରେ ଶହ ଶହ

ନୀରବରେ ସହିଯାଏ ।।

 

 

***

 

ପରମ ମିତ୍ର

ଭିଟ୍ଟୋରିଓ ସେରେନି

ଖାସ୍‌ ବଂଧୁ ଜଣେ

ତା’ ନାଁ ଧରି ଡାକିପାରେ

ମୋ’ଠୁ ଢେର୍‌ ଉଚ୍ଚତାକୁ ଛୁଇଁ

ସେ ହିଁ ସଚେତନ ସୈନିକ।

ତା’ ଉଜ୍ଜ୍ୱଳତାରେ

ସକାଳ କ’ଣ ଅନ୍ୟ କିଛି ଉଦ୍ଦେଶ୍ୟରେ

ମୋତେ ତୋଳି ଧରିବ,

ଜନ୍ମ ହେଲା ପରି ଲାଗେନି?

ଯେଉଁଠି ମୁଁ ଅଳ୍ପଟିକେ

ଉତ୍କଳ ଆଲୋକର ଡେଣା

ସ୍ମିତହସ ମାତ୍ର ଉକୁଟାଇବି

ଏବଂ ହଠାତ୍‌ ସବୁଜ ଛାଇ ଭିତରକୁ

ସେଠି ସେ ସୁପ୍ରଶସ୍ତ ହସ ହସିଯିବ,

ମାଡ଼ି ଯାଇଥିବା ତୀଖ ସଡ଼କମାନେ

ଯେଉଁଠି ଭଲ ପାଇବାର

ଅନ୍ୟ କୌଣସି ଇଲାକାକୁ

ଟିକେ ଇଂଗିତ ମାତ୍ର ଦେବି ମୁଁ ସେଠି

ବାଟ କଢ଼ାଇ ନିଅନ୍ତି ନାଁ?

ସେ ଏକାନ୍ତ ନିବିଡ଼ ଭାବେ

କିଂତୁ ଏପଟେ ପ୍ରାନ୍ତରରେ

ପ୍ରେମକରି ବସିବ।

ପ୍ରତ୍ୟାଶିତ ସ୍ଥାନର ଉତ୍ତପ୍ତ ଲାଲିମା

ବିତିଯାଏ ବର୍ଷପରେ ବର୍ଷ

ଉକୁଟି ଉଠେ,

ଯେଉଁ ଆଖିଟି

ଡେରିରେ ସ୍କୁଲରେ ପହଂଚିଥିବା

ଅନାଗତ ଦିନମାନଙ୍କୁ ଦେଖିପାରେ

ପିଲାଟି ପରି

ସେଇଟି ରହିଥାଏ ଶାନ୍ତ ପ୍ରଶାଂତ,

ରେଲିଂ ଦିଆ କବାଟର ଆତଙ୍କରୁ

ପୋଲ ତଳେ ପ୍ରଥମେ ଯାଇଥିବା ନୌକାଟି

ଚଢ଼େଇ ଓ ଫୁଲମାନଙ୍କ ଲାଗି

ଆଉ ଥରେ ଦୃଶ୍ୟ ହୁଏନା।

ଦିକ୍‌ଭ୍ରଷ୍ଟ ହୁଏନା ସେ,

ସେ ଜାଣେ

ମୁଁ ତାକୁଇ ଅନୁସରଣ କରେ

ସୁଯୋଗର କେହି ବାର୍ତ୍ତାବହ

ମୁଁ ତା’ର ଛାଇ ।।

 

***

 

ମାରିଓ ଲୁଜି

 

ଭିଟ୍ଟୋରିଓ ସେରେନି ଓ ଆଲ୍‌ଫୋନ୍‌ସୋ ଗ୍ୟାଟ୍ଟୋଙ୍କ ସହିତ ମାରିଓ ଲୁଜି ଚେତନାକୁ ଆତ୍ମାର ଗଭୀରତା ଭିତରେ ସେ ବାନ୍ଧି ରଖନ୍ତି । ତାଙ୍କର ଉଚ୍ଚକୋଟୀର ବ୍ୟକ୍ତିଚେତନାମୂଳକ କାବ୍ୟସ୍ୱର ଲାଗି, ମନେହୁଏ, ସେ ନିଜର କୃତିତ୍ୱ ମୁତାବକ ସ୍ୱୀକୃତି ତଥାପି ପାଇପାରି ନାହାନ୍ତି । ଫ୍ଲୋରେନ୍ସରେ ୧୯୧୪ ମସିହାରେ ତାଙ୍କର ଜନ୍ମ । ଫ୍ଲୋରେନ୍ସ ବିଶ୍ୱବିଦ୍ୟାଳୟରେ ସେ ଥିଲେ ଫରାସୀ ସାହିତ୍ୟର ପ୍ରଫେସର । ତାଙ୍କର ବିଭିନ୍ନ ସଂକଳନରେ ସ୍ଥାନିତ ସମସ୍ତ କବିତା ଦୁଇଟି ବଡ଼ ଗ୍ରନ୍ଥରେ ସଂକଳିତ ହୋଇଛି । ସେ ଦୁଇଟି ହେଉଛି ‘ଓନୋରେ ଦେଲ୍‌ ଭେରୋ’ (୧୯୫୩) ଓ ‘ଇଲ୍‌ ଗୁସ୍ତୋ ଦେଲ୍ଲା ଭିଟା’ (୧୯୬୦) । ଏହାପରେ ଲିଖିତ କବିତାଗୁଡ଼ିକ ‘ଦାଲ୍‌ ଫଣ୍ଡୋ ଦେଲ୍ଲେ କ୍ୟାଂପାନ୍‌’ (୧୯୬୫ ନାମକ ଆଉ ଏକ ସଂକଳନରେ ସଂଗୃହୀତ ହୋଇଛି । ‘ଜିନ୍‌ଫେର୍ଣ୍ଣୋ ଏ ଇଲ୍‌ ଲିମ୍ବୋ’ ଓ ‘ତ୍ୟୁତ୍ତୋ ଇନ୍‌ କ୍ୱେଶ୍ଚିନେ’ ତାଙ୍କର ଦୁଇଟି ପ୍ରବନ୍ଧ ସଂକଳନର ନାମ ।

 

ବିଚାରକ

ମାରିଓ ଲୁଜି

ବ୍ୟଙ୍ଗ ଓ ବିସ୍ମୟର ମଝିପଥ ଦେଇ

କର୍ଷିତ ମାଟି ଓ ସିଆର ଲାଗି ସୁତୁଲି

ତାଙ୍କ ଅଭିଭାବକୀୟ ଚାହାଣି ଦ୍ୱାରା

ପ୍ରତିବିମ୍ବିତ ହେଉଥିଲା ସମୁଦ୍ରରେ ।।

ମୋତେ ସିଧାସଳଖ ବିଦ୍ଧକରି

‘‘ହଁ, ମୁଁ ଘୋର ଅପରାଧ କରିଥାଇପାରେ।’’

ସେ ପ୍ରଶ୍ନ କଲେ :

ସ୍ୱୟଂ ମୋର ଭୁଲ୍‌ମାନଙ୍କୁ

ତୁମ ପ୍ରେମ କ’ଣ ପ୍ରତିବିଦ୍ଧ ପ୍ରେମ ?

ଆଶ୍ରାଲାଗି ଜାବୁଡ଼ି ଧରି

ନିଜର ଅତୀତକୁ ସଯତ୍ନ ପରୀକ୍ଷା କର।।

ସେଇ ଲତା ଗୁଳ୍ମଭରା ଆଲୋକିତ ଇଲାକାରେ ପ୍ରଶ୍ନ ପଚାରି ଦେଇ ଅପେକ୍ଷା କଲେ ସେ। ଧରେ ଧୀରେ ମୁଁ ଉତ୍ତର ଦେଲି।

ମୁଁ ଦୂରକୁ ଚାହିଁ ରହିଥିଲି।

‘‘ତୁମର ବିଭ୍ରାନ୍ତ ପ୍ରେମ ଲାଗି

କିଛି ଢୁକୁ ନଥିଲା ମୋ ମୁଣ୍ଡକୁ।

କାନ୍ଦିବା ଉଚିତ୍‌ ତମର’’-

ଦେଖୁଥିଲି ଖାଲି :

ଝଡ଼ର ଗର୍ଜନ ପରି ଉଚ୍ଚାରିଲା ତାଙ୍କ ସ୍ୱର।

ଦ୍ୱୀପର ଅକର୍ମଶିଳାମାନଙ୍କ ମଝିରେ

ମୁଁ ତାହା ଶୁଣିଲି ଓ ଏପରିକି

ସାମାନ୍ୟ ଚଂଚଳତା ଛଡ଼ା

ଆଶ୍ଚର୍ଯ୍ୟ ବି ହେଲି ନାହିଁ ଯେ କାହିଁକି

ସାମୁଦ୍ରିକ ପକ୍ଷୀମାନଙ୍କ

ମୋ ବଦଳରେ ସେ ବେଂଚ୍‌ ଉପରେ ବସି

ଉଡ଼ାଣ ତଳେ ଗୋଟାଏ ସ୍ଥିର ସମୁଦ୍ର।

ସଂସାରରେ ଦୋଷଦୃଟି ମାନଙ୍କର

ଏବଂ ଦେଖୁଥିଲି ଏକ ଉଲଗ୍ନ ଭୂଖଣ୍ଡ

ବିଚାର କରୁଛନ୍ତି।

ନିଜର ପାହାଡ଼ ମାନଙ୍କୁ

କଣ ସବୁ ଭାବୁଭାବୁ ଜବାବ ଦେଲି

ପ୍ରତିବିମ୍ବିତ କରୁଥିଲା ସମୁଦ୍ରରେ।

‘‘ହଁ, କାନ୍ଦିବା କଥା ହୁଏତ!’’

ଏପଟେ ଶସ୍ୟବୁଣା ଲାଗି ପ୍ରସ୍ତୁତ କ୍ଷେତର

ଏବଂ ଝିଅଟି ଜାଗାରେ ଯିଏ

ଏଣେ ରାସ୍ତାଘାଟରେ

କାମରେ ଆସି ଯୋଗଦେଲା।

ତୁହାକୁ ତୁହା ନିଆଁ ଜଳି ଉଠୁଛି

ଆମ ଆଡ଼କୁ ଆଗେଇ ଆସୁଚି

ଏବଂ ଏଠି ବାର୍‌ରେ ଡ୍ୟୁଟି ଶେଷରେ

ଜ୍ୟାକେଟ୍‌ଟି ଗଳାଇ ସେ ଏଇନେ

ନିଜ କୋଟ୍‌ଟି କାଢି ଦେଇ

ହାତରେ ତା’ର ଦୁଇଟି

ଆରାମ୍‌ କରିବାକୁ ଯାଇଥିବା

ଥଣ୍ଡା ଭର୍‌ପୁର୍‌ ଗିଲାସ :

ଝିଅଟିର ଆଖିରେ

ଟେବୁଲ୍‌ରେ ଗୋଟିଏ ଥୋଇବ ସେ

ତଥାପି ଦିନର ତେଜିୟାନ୍‌ ଆଲୁଅ

ମୋ’ ପାଖରେ

ଝଟକି ଉଠୁଚି।

ଆରଟି ଅପର ପାଖରେ ।।

 

***

 

କେଉଁଠାରେ ତେବେ

ମାରିଓ ଲୁଜି

‘‘ତୁମ ସହରର ହୃଦୟ

 

‘‘ଏଠି ନାହିଁତ କେଉଁଠି ?’’

ଏଠି ଆଉ ନାହିଁ।’’

 

ମନର ଆଖିରେ

ଅସ୍ଫୁଟ ଭାବରେ

 

ଆକସ୍ମିକ ଓ ଆବଶ୍ୟକ

ଉଚ୍ଚାରିଲା ବିସ୍ମିତ ଏକ ସ୍ୱର

 

ଯୁଦ୍ଧ ଚାଲିଥିଲାବେଳେ

ଏବଂ ଉଚ୍ଚ ଛାତମାନଙ୍କ ଉପରେ

 

ଭାବି ଚାଲିଲି ମୁଁ।

ଆଗାମୀ ବଂସତର ବର୍ଷୁକ ଆଲୋକ

 

ଚିନ୍ତାକଲି ନିଜ କଥା

ପହଁରି ଆସୁନଥିବା ଜଟିଳ ଅଂଧାରରେ

 

ଓ ସାଥିମାନଙ୍କ କଥା,

ହଜିଗଲା ।।

 

ବ୍ୟଥାତୁର ଆତ୍ମାମାନଙ୍କ ସହ

ମୁଁ ଜାଣେନା କ’ଣ ଉତ୍ତର ଦେବି।

 

ଭଂଗା କଥୋପକଥନ କଥା,

ଏବଂ ଏହି ଆଦିମ ସବୁଜିମାର

 

ନିରର୍ଥକ ଜୀବନର କଥା,

ମହୁମାଛି ମାନଙ୍କୁ,

 

ଗୋଟେ ମେରୁର ସଂଧାନରେ

ପରୀ ମାନଙ୍କର ଉଡ଼ାଣକୁ,

 

ସେମାନଙ୍କର ରାଶି ରାଶି ଭାବନା

ଡ୍ରୟର୍‌ମାନଙ୍କର ଅଭ୍ୟନ୍ତରକୁ,

 

ହଜିଯିବା କଥା ।।

ଧାତୁ ଓ କାଠ ସମାନ ଶ୍ରମିକଙ୍କୁ

 

କେହି ପରାଭବ ମାନିନେଇ ନିରୀକ୍ଷଣ କରି ମୁଁ।

ପୁରୁଣା ଗୁଂଫା ମାନଙ୍କୁ

 

ଆଉ କେହି ତା’ର ପ୍ରତ୍ୟୟକୁ

ଗୋଟିଏ ପରେ ଗୋଟିଏ ବନ୍ଦ କଲି

 

ସଦୟ ବିସ୍ତାରିତ କରି

ଏବଂ କିଛି ଖୁସି ଓ କିଛି ଭୟ ସହିତ

 

ପ୍ରତିରୋଧ କରେ ।।

ଆଖପାଖରେ ଗଳି ଉପଗଳିକୁ

 

ଛିଟ୍‌କି ପଡ଼ିଲି ।।

ଉପସ୍ଥାପନା ଓ ଅନୁସୃଜନ

 

ଡକ୍ଟର ପ୍ରସନ୍ନ କୁମାର ମହାନ୍ତି

 

 

 

 

***

 

ଇତାଲୀୟ କଥା ସାହିତ୍ୟ

ଜାଗତିକ ଯନ୍ତ୍ର

ମୂଳ ଇତାଲି ରଚନା : ପାଓଲୋ ଭୋଲପାନି

ଅନୁସୃଜନ : କ୍ଷୀରୋଦ ପରିଡ଼ା

 

ଏହି କାହାଣୀଟି ପାଓଲୋ ଭୋଲ୍‌ପାନିଙ୍କ ଲା ମାସିନା ମୋଣ୍ଡିଏଲ୍‌ରୁ ଗୃହୀତ । ଏଥିରେ ଅଛି ଏକ ବଳିଷ୍ଠ କରୁଣା ଓ ମାନସିକ ଅସ୍ୱାଭାବିକତାର କଥା । ଅରବିନୋ ପର୍ବତମାଳା ଅଞ୍ଚଳର ଏକ ଯୁବ ଅଶିକ୍ଷିତ କିନ୍ତୁ ସାକ୍ଷର କୃଷକର ଥିଲା ବିଜ୍ଞାନ ଓ ଦର୍ଶନରେ ଅହେତୁକ ଆଗ୍ରହ । ଜଣେ ସେମିନାରୀ ବିଦ୍ୟାର୍ଥୀଙ୍କଠାରୁ ତାଙ୍କୁ ମିଳିଥିଲା କିଛି ପୁସ୍ତକ ଏବଂ ତାହାରି ସାହାଯ୍ୟରେ ତାଙ୍କୁ ଲେଖିବାକୁ ହୋଇଥିଲା ଏହି ଅତିଶୟ ଆଗ୍ରହୀ ବିଷୟରେ ଏକ ନିବନ୍ଧ । ସୁତରାଂ କାଳକ୍ରମେ ଏକ ନୂଆ ଧର୍ମଧାରଣା ତିଆରି ହୋଇ ଉଠୁଥିଲା ତାଙ୍କର ଏଇ ନିବନ୍ଧରେ । ସେ ବିଶ୍ୱାସ କରନ୍ତି ଯେ ମଣିଷ ଏକ ଯନ୍ତ୍ର ସେଇମାନଙ୍କ ଦ୍ୱାରା ନିର୍ମିତ ହୋଇଛି ଯେଉଁମାନେ ପରବର୍ତ୍ତୀ ସମୟରେ ସେମାନଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସଠିକ୍‌ ଭାବରେ ଅନୁଭବ କରିନଥିଲେ । ଅନ୍ୟମାନେ ପରବର୍ତ୍ତୀ ସମୟରେ ଆଜିର ଏଇ ମଣିଷମାନଙ୍କୁ ଅନାୟସରେ ଅତିକ୍ରମ କରି ଯିବେ, ଚିନ୍ତା ଚେତନା ସହିତ ଆଶ୍ଚର୍ଯ୍ୟଜନକ ଶକ୍ତି ସମାହିତ ଯନ୍ତ୍ର ମଧ୍ୟ ନିର୍ମିତ ହେବ । ଫଳତଃ ଜୀବନ ହେବ ସଂପୂର୍ଣ୍ଣ ଭାବେ ବିଜ୍ଞାନର ଆଶୀର୍ବାଦ ଧନ୍ୟ, ଶାନ୍ତି ଓ ସୌହାର୍ଦ୍ଦଯୁକ୍ତ । ଏହି ମନସ୍କତା ହିଁ ତା’ର ଧର୍ମପତ୍ନୀଙ୍କ ପାଇଁ ଉତ୍ପୀଡ଼କ ହୋଇ ଉଠିବ ।

 

ଗ୍ରୀଷ୍ମଋତୁରେ ଦିନେ କ୍ୟାନେଟୋ ନଦୀରେ ଜଣେ ଶାନ୍ତ ଯୁବକ ସ୍ନାନ କରୁଥିବାର ଦେଖିଲି । ପାଣି ଭିତରେ ଫର୍ଣ୍ଣ ବୁଦା ଉପରେ ଲୋଟି ପଡ଼ିଛି ତା’ର ଶ୍ୱେତ ଶରୀର, ହାତ ଦୁଇଟି ବୁଡ଼ି ରହିଛି ପାଣି ଭିତରେ । ମୁହଁଟି ଭାସୁଛି ପାଣି ଉପରେ । ଶିଳା ଖଣ୍ଡେ ଅଥବା ଅନ୍ୟ କିଛି ଯେମିତି ଖୋଜୁଛି ସେହି ନଦୀରେ । ସମ୍ଭବତଃ ସେ ଖୋଜୁଛି ତା’ର ଭୟର କାରଣକୁ । କାନଟି ଲାଗିଯାଇଛି କାନ୍ଧ ଉପରେ ଛାତି ହୋଇଯାଇଛି ସଙ୍କୁଚିତ, ମଝିରେ ଠିକ୍‌ ଗର୍ତ୍ତପରି । ଦୀର୍ଘ ବିରତି ପରେ ସେ ଟିକେ ଟିକେ ହଲୁଛି, ହଲୁଛି ତା’ର କିଛି ଅଙ୍ଗ ପ୍ରତ୍ୟଙ୍ଗ ସେଇ ଅଜଣା ଭୟରେ ସେ କେବଳ ଆଚ୍ଛନ୍ନ, ମୋର ଉପସ୍ଥିତି ଯୋଗୁଁ ନୁହେଁ ଅଥବା ମହାପ୍ରକୃତିର କୌଣସି କାରଣ ପାଇଁ ବି ନୁହେଁ ।

 

ଆଗେଇଲି ନଦୀର ସେଇ ଆଡ଼କୁ, ପାଣିର ଖୁବ୍‌ ନିକଟକୁ, ତା’ରି ପାଖକୁ । ମହିଳାମାନେ ଗାଧୋଇ ସାରି ସେମାନଙ୍କ ଓଦା ଲୁଗାପଟାକୁ ତାଙ୍କ ବ୍ୟାଗ୍‌ ଭିତରେ ଭର୍ତ୍ତିକରି ତଳକୁ ଓହ୍ଲାଇ ଠିଆ ହୋଇଥିଲେ । ମୁଁ ଖଚରଟିକୁ ପାଣି ଭିତରକୁ ଅଡ଼େଇ ନେଇ ଧୋଇବାକୁ ଆରମ୍ଭ କଲି; କେବଳ ଉଦ୍ଦେଶ୍ୟ ଥିଲା ପାଣିକୁ ଗୋଳିଆ କରିବା ଓ ସେଇ ଶ୍ୱେତାଙ୍ଗ ଯୁବକଟିକୁ ପାଣିରୁ ଉଠାଇ ଆଣିବା । ଫଳତଃ ସେ କହିବ କାହାକୁ ସେ ଭୟକରେ । ମୁଁ ଦେଖୁଥାଏ ସିଏ ସେମିତି ପାରି ଭିତରେ ଖେଳୁଥାଏ ଓ ନଦୀର ଗଭୀର ଅଞ୍ଚଳରୁ କୂଳ ଆଡ଼କୁ ଆସୁଥାଏ । ଆଉ ମୁଁ ଗୋଳିଆ କରୁଥିବା ପାଣି ଧାର ତାକୁ ଛୁଇଁ ନଥିଲା । ଶେଷରେ ସେ ଉଠିଆସିଲା ପାଣି ଭିତରୁ ନଇଁ ନଇଁ, ହାତ ଦୁଇଟିକୁ ଯାକିଯୁକି । ମୋର ଧାରଣା- ତା’ର ଶଙ୍କିତ ହେବାର କାରଣ ହେଉଛି ତାହାର ନଗ୍ନତା । କ୍ଷଣିକପରେ ଏକ ଜୀବନ୍ତ ଶ୍ୱେତପ୍ରାଣୀ ଭଳି ସେ ଆଗେଇବାକୁ ଲାଗିଲା । ବୁଦା ଉହାଡ଼ରେ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥିବା ତା’ର ପାଇଜାମା । ସେ ମୋଜା ପିନ୍ଧିଲା । ଛାତିରେ କ୍ରଶ୍‌ ଚିହ୍ନ ଥିବା ଲକେଟ୍‌ ପିନ୍ଧିଥିବା ସେଇ ଯୁବକ ଥିଲା ଗୋଟିଏ ସେମିନାର ଛାତ୍ର ।

 

ପାଖେଇ ଆସି ମୁଁ ତାକୁ ପଚାରିଲି : ‘ତମେ ଜଣେ ଛାତ୍ର ତ; ନୁହେଁ ?

ନାହିଁ କଲା ସେ ଓ କହିଲା ସେମିନାରୀର ଅନ୍ତେବାସୀ । ‘ତାହାହେଲେ ସେମିନାରୀର ତମେ ଜଣେ ଛାତ୍ର’ – କହିଲି ଓ ସେ ହଁ କଲା ।

 

ତା’ପରେ ମୁଁ ତାକୁ ଝରଣା କଡ଼କୁ ଡାକି ଆଣି ପଚାରିଲି – ‘ତେବେ କୁହ – ଧରିନିଅ କାହାରି ଏକ ତତ୍ତ୍ୱ ଅନୁସାରେ ମଣିଷ ସ୍ୱର୍ଗର ସୃଷ୍ଟି ନୁହେଁ; ଯନ୍ତ୍ର ସବୁ କୌଣସି ମଣିଷର ଅବଦାନ (ହୁଏତ ଅନ୍ୟ ବ୍ୟକ୍ତିମାନେ ଯେଉଁ ଅନ୍ୟତ୍ର କେଉଁଠି ବାସ କରୁଛନ୍ତି ଆଉ ସମ୍ପ୍ରତି ଲୁପ୍ତ ପ୍ରାୟ) – ଏଇ କଥାକୁ ତମେ ପ୍ରମାଣ କରିବାକୁ କ’ଣ କରିବ ? ତାହେଲେ କୁହତ ସେଇ ତତ୍ତ୍ୱର ପଣ୍ଡିତ ଜଣକ ଯାନ୍ତ୍ରିକ ବିଜ୍ଞାନ ନା ଦର୍ଶନ ଶାସ୍ତ୍ରର ଅଧ୍ୟୟନ କରିଛନ୍ତି ।

 

ସେଇ ଯୁବକଟି ମୋ ଆଡ଼କୁ ଚାହିଁଲା ବେଶ୍‌ ସିଧାଭାବରେ ଆଉ କହିଲା – ‘‘ଆପଣ କ’ଣ ଏମିତି ଲେଖକଙ୍କର ଏପରି ତତ୍ତ୍ୱ ଉପରେ କୌଣିସି ଲେଖା ପଡ଼ିନାହାନ୍ତି ?’’ ‘‘ନା, ମୁଁ କେବେ ଏସବୁ ପଢ଼ିନାହିଁ କହିଲି ।’’ ‘‘ଆଶ୍ଚର୍ଯ୍ୟ ତାହହେଲେ କୌଣସି ଅଧ୍ୟୟନ ଆପଣଙ୍କୁ ଏଇ ତତ୍ତ୍ୱର ରହସ୍ୟ ଜାଣିବାକୁ ସାହାଯ୍ୟ କରିପାରିବ ନାହିଁ’’ – କହିଲା । ମୁଁ କହିଲି – କାହିଁକି ନୁହେଁ । ତମେ କ’ଣ ସେଇ ମହତ୍ତ୍ୱର ଦାସ ପାଲଟି ସାରିଛି ?

 

ନା, କିନ୍ତୁ ଆପଣ ପ୍ରକୃତରେ ଯିଦି ଏକ ବିଶୁଦ୍ଧ ପ୍ରଶ୍ନ ପଚାରୁଥାନ୍ତି ତାହେଲେ ମୁଁ କହିବି ଏପ୍ରକାର ଚିନ୍ତାଧାରାର ମଣିଷ ନିଶ୍ଚିତ ଭାବରେ ଜଣେ ଦାର୍ଶନିକ ହିଁ ହୋଇପାରେ । ତେଣିକି ସେ ଦର୍ଶନଶାସ୍ତ୍ର ପଢ଼ିଥାଉ ବା ନଥାଉ, ସେଥିରେ କିଛି ଫରକ୍‌ ନାହିଁ । ଏଇ କ୍ଷେତ୍ରରେ ତାଙ୍କର ତାତ୍ତ୍ୱିକ ଦର୍ଶନ ହିଁ ପଢ଼ିବା ପ୍ରୟୋଜନ ।

 

ତା’ପରେ ମୁଁ କହିଲି ତମେ ଯେଉଁଠି ଅଛ ସେଇଠି ରୁହ, ମୋ ପାଇଁ ଅପେକ୍ଷା କର । ଅପେକ୍ଷା କର କାରଣ ମୁଁ ତମକୁ ପଚାରିବାକୁ ଚାହେଁ ତାତ୍ତ୍ୱିକ ଦର୍ଶନ କ’ଣ ଆଉ ତାକୁ ଜାଣିବାକୁ କେଉଁ କେଉଁ ବହିସବୁ ପଢ଼ିବାକୁ ପଡ଼ିବ । ସମ୍ଭବତଃ ତମେ ଏମିତି ବହି ପାଇ ସାରିଛ ବୋଧେ । ଆଉ ସେଇ ବୁଦା ମୂଳେ ହୁଏତ ତମର ଖଣ୍ଡେ ଦି’ଖଣ୍ଡ ବହି ବ୍ୟାଗ୍‌ରେ ବି ଥାଇପାରେ ।

 

ତା’ପରେ ମୁଁ ସେଇ ଖବରଟିକୁ କ୍ୟାନେଟୋ ଆଡ଼କୁ ମୁହାଁଇଲି ଓ ମୋଣ୍ଟେଭେଚିଓ ପାର ହୋଇ ଆସିଲି । ସେଇଠି ଠିଆ ହୋଇଥିଲା ସେମିନାରୀର ସେଇ ଛାତ୍ର ଜଣକ ଆଉ ପିନ୍ଧି ସାରିଥିଲା କଲାର ନଥିବା ଗାର ପକା ସାର୍ଟ । ତା’ ଛାତିର ସ୍ପନ୍ଦନ ଥିଲା ସାଧାରଣ । ଆଣ୍ଠୁକୁ ହାତରେ ଯାକି ବସିଛି । ତା’ର ଆସ୍ଥା ବଢ଼ାଇବା ସକାଶେ ତା’ ପାଖରେ ମୁଁ ବସିପଡ଼ିଲି ଓ କହିଲି :

 

‘ତମେ ଏଇ ନଦୀର ନାଁ କ’ଣ ଜାଣ ? ସେ ପାହାଡ଼ ତଳେ ତା’ର ନିଜ ଚାରିକଡ଼କୁ ଚାହିଁଲି । ସତେ ଯେମିତି ନିଶ୍ଚିତ ହୋଇ ଯିବା ପାଇଁ । ଗଛ ସବୁ ନିଜ ନିଜ ସ୍ଥାନରେ ଥିଲେ, ସେମାନଙ୍କ ଘନ ସବୁଜ ଓ ନୀଳଛାଇ ସହ- ଯାହାକୁ ସେମାନେ ଏକଦା ପରିତ୍ୟାଗ କରିଥିଲେ । ସେତେ ଯେମିତି ଲାଗୁଥିଲା ସେଠାରେ ଜନମାନବ ଶୂନ୍ୟ, ଓକ୍‌ ଓ ଚେଷ୍ଟନଟ୍‌ର ଜଙ୍ଗଲ ଭିତରେ ରାସ୍ତାଟିଏ ବି ନାହିଁ । ପ୍ରକୃତରେ ମୋଣ୍ଟେଭଚିଓରେ କେହି ବାସ କରୁଥିବାର କଥା କେବେ ବି ଶୁଣି ନଥିଲି । ଦୂର ପର୍ବତକୁ ଚାହିଁଲେ ଦିଶୁଥିଲା ସତେ ଯେମିତି ମୋଟା ରେଶମୀ କନାରେ ଆଚ୍ଛାଦିତ ହୋଇ ରହିଛି ସେଇ ଛାୟା । କେବେ ବି କଳ୍ପନାରେ ଚିନ୍ତା କରିନଥିଲି ଯେ ସେଠାରେ ଘରଦ୍ୱାର ବା ଗାଁଟିଏ ଥିବ ବୋଲି । ସେମିନାର-ଛାତ୍ରଟିର ପୁଣି ମୋ ଆଡ଼କୁ ମୁହାଁଇଲା ଓ କହିଲି : ୟା’କୁ ସିନିସ୍ଲୋ କହନ୍ତି । ଫ୍ରୋଣ୍ଟୋନ୍‌ ଉପରୁ ପେଟ୍ରାରାରୁ ବାହାରିଛି ଏଇ ଛୋଟ ନଦୀଟି ।

 

ମୁଁ କହି ଉଠିଲି – ‘ତମେ ଜଣେ ଖୁବ୍‌ ଚାଲାକ୍‌ ଲୋକ । ଦେଖାଅ ତମର ଦର୍ଶନ ସୂତ୍ରର ସେଇ ବହି ।’

 

ସେ ଉତ୍ତର ଦେଲା – ‘ମୋ ପାଖରେ ତାହା ନାହିଁ । ଯାହା ହେଉ, ସେ ଏକ କ୍ଷୁଦ୍ରପୁସ୍ତିକା-। ଆଉ ମୁଁ ତ ଏପର୍ଯ୍ୟନ୍ତ ଉଚ୍ଚତ୍ତର ପର୍ଯ୍ୟାୟର ଦର୍ଶନ ଅଧ୍ୟୟନକୁ ଯାଇନାହିଁ ।’

 

ପୁଣି ପଚାରିଲି – ‘ତାହାହେଲେ ତମେ ଯାନ୍ତ୍ରିକ ବିଜ୍ଞାନ ସଂପର୍କରେ କିଛି ଜାଣ ବୋଧେ-।’’ ସେ ନାହିଁ କଲା । ‘କିନ୍ତୁ ବିଜ୍ଞାନ ବିଷୟରେ ତମର ବେଶ୍‌ କିଛି ପୁସ୍ତକ ଅଛି ?’ କହିଲା – ହଁ, ପ୍ରାକୃତିକ ବିଜ୍ଞାନ ଓ ପଦାର୍ଥ ବିଦ୍ୟା ସଂପର୍କରେ କେବଳ । ନିଜର କଳା ରଂଗର ବ୍ରିଫ୍‌କେଶ୍‌ ଆଡ଼କୁ ଚାହିଁଲା । ମୁଁ ଭାବୁଥିଲି ସେ ବୋଧେ ପ୍ରାକୃତିକ ବିଜ୍ଞାନ ଉପରେ କୌଣସି ଏକ ପୁସ୍ତକ ଆଣି ଦେଖେଇବ । କିନ୍ତୁ ତା’ ପାଖରେ କୌଣସି ବହି ନଥିଲା । ତା’ ବ୍ରିଫ୍‌କେଶ୍‌ରେ ତା’ ସାର୍ଟର ସ୍କିଭ୍‌ ଆଉ ମୋଜାରେ ବାନ୍ଧିବା ପାଇଁ କେବଳ ଚାରୋଟି ଇଲାଷ୍ଟିକ୍‌ ବ୍ୟାଣ୍ଡ୍‌ ଥିଲା ।

 

ସେଇ ପ୍ରଥମ ଦେଖାରେ ମୁଁ ଲକ୍ଷ୍ୟ କରିଛି ଜଣେ ମହିଳାର ମୁହଁ ପରି ଦିଶୁଥିବା ତା’ର ମୁହଁକୁ । ଖୁବ୍‌ ସୁନ୍ଦରୀ ଝିଅର ମୁହଁପରି ଠିକ୍‌ । କିନ୍ତୁ ସେଥିରେ ଥିଲା କାଳିମାର ଛାଇ । ସେ ଥିଲା ଲାଜକୁଳା ଓ ଭୟଭୀତ । ଚେଷ୍ଟା କରୁଥିଲା ଚାହିଁବାକୁ ଲୋକଙ୍କୁ ବେଶ୍‌ ସଳଖ ଭାବରେ । ଯଦିଓ ତା’ଭିତରେ ଥିବା ଶଙ୍କା ଦୂରେଇ ଯାଇ ନଥିଲା ତଥାପି ଚେଷ୍ଟା କରୁଥିଲା ତା’କୁ ପ୍ରଶମିତ କରିବାକୁ-। ତା’ଦେହରେ ପ୍ରବାହିତ ନୀଳଶିରା ପ୍ରଶିରାକୁ ସେ ଚାହୁଁଥିଲା ବାହୁ ଦୁଇଟିକୁ ବେଶ୍‌ ହାଲୁକା କରି ବିସ୍ତାରିତ କରୁଥିଲା । ଈଶ୍ୱରଙ୍କ ଠାରେ ସମର୍ପଣ କରି ବେଶ୍‌ ଦୀର୍ଘଶ୍ୱାସ ନେବାକୁ ଆରମ୍ଭ ମଧ୍ୟ କରିଥିଲା । ଆକାଶର ବିରାଟ ବାଦଲ ଖଣ୍ଡକୁ ଅତିକ୍ରମଣ କରିଯିବାର ବିଶ୍ୱାସ ରଖି ସେ ଶୂନ୍ୟ ଆକାଶକୁ ଚାହିଁ ରହିଥିଲା ।

 

କିଛି ଦିନପରେ ସେ ମୋ ପାଇଁ ପ୍ରକୃତି ବିଜ୍ଞାନର ଏକ ବହି ନେଇ ଆସିଲା ଆଉ ପରେ ପରେ ମଧ୍ୟ ଏକ ଅଭିଧାନ, ତାତ୍ତ୍ୱିକ ଦର୍ଶନ ଓ ପଦାର୍ଥ ବିଜ୍ଞାନର ବହି । ଟାରୁଗୋର ଜଣେ ଋଷିଙ୍କ ଜୀବନୀ ଉପରେ ଲିଖିତ ଏକ ପୁସ୍ତକ ମଧ୍ୟ ଦେଲା । ଆକାଶକୁ ଛୁଇଁବାର ପ୍ରଚେଷ୍ଟା ନେଇ ଗଢ଼ୁଥିବା ଏକ କାନ୍ଥର ବିନ୍ଧାଣୀ ଥିଲେ ସେଇ ଋଷି – ସାନ୍‌ ମାର୍ଟିନୋ ଡେ ମ୍ୟୁରୀ । ଥରେ କିନ୍ତୁ ଏକ ଚର୍ଚ୍ଚ ନିର୍ମାଣ କଲା ବେଳେ ସେ ଅନୁଭବ କରିଥିଲେ ତାହାର ଶୀର୍ଷରେ ଖଣ୍ଡେ ଇଟାଟିଏ ବି ରଖିପାରୁ ନାହାନ୍ତି । ତେଣୁ ଆଣ୍ଡୁ ମାଡ଼ି ତାଙ୍କୁ ଏଇ ସକାଶେ ପ୍ରାର୍ଥନା କରିବାକୁ ପଡ଼ିଥିଲା ସେ ପବିତ୍ର ଆତ୍ମାର ଆଶିଷ ପାଇଁ ।

 

ପବିତ୍ର ଆତ୍ମାର ଆଶିଷ ବ୍ୟତୀରକେ ମୁଁ ଯନ୍ତ୍ର ସଂପର୍କରେ ମୋର କଳ୍ପନାକୁ ସାକାରରେ ପରିଣତ କରିପାରିବି ନାହିଁ । ଏଇ କଥା ଉପରେ ପ୍ରାଧାନ୍ୟ ଦେଇ ଯୁବକଟି ମୋତେ ପ୍ରବର୍ତ୍ତାଇଲା ଋଷି ସାନ୍‌ ମାର୍ଟିନୋଙ୍କ ଜୀବନୀ ପଢ଼ିବାକୁ । ମୁଁ ତାଙ୍କୁ ଅପମାନିତ କରିବାକୁ ଆଦୌ ଝୁଙ୍କି ନେଲି ନାହିଁ ଆଉ ମୋର ସ୍ୱକୀୟ ମତ ମଧ୍ୟ ଜଣାଇଲି ନାହିଁ । ଯାହା ହୋଇଥା’ନ୍ତା ତା’ ଜିଜ୍ଞାସାର ଯଥାଯଥ ପ୍ରତ୍ୟୁତ୍ତର । କାରଣ ଏ ସଂପର୍କରେ ଯେକୌଣସି ମତ ତାକୁ ଅପମାନିତ କରିବ ହିଁ ତାହା ମୋର ହୃଦବୋଧ ହୋଇ ସାରିଥିଲା । ଆଉ ମଧ୍ୟ ଏସବୁ ତାକୁ ପୁଣି ଏକ ଛାୟାବର୍ତ୍ତ ଭିତରକୁ ନେଇଯାଇଥାନ୍ତା ଓ ନୀରବିତ କରିଦେଇଥାନ୍ତା । ମୋର କୋଡ଼ିଏ ବର୍ଷ ଅତିକ୍ରାନ୍ତ ବେଳେ ସେପ୍ଟେମ୍ବର ମାସର ଶେଷ ଆଡ଼କୁ ସେ ତା’ର ସେମିନାରୀକୁ ଫେରିବା ପୂର୍ବରୁ ମୋତେ ଭେଟିଥିଲା ଶେଷଥର ପାଇଁ । ଆଉ ମୋର ଯାନ୍ତ୍ରିକ କଳ୍ପନାକୁ ଡିଜାଇନ୍‌ କରିବାକୁ ଏକ କମ୍ପାସ୍‌ ବାକ୍ସ ଆଣି ଦେଇଥିଲା । ଆଉ ତା’ର ଏକ ଅନୁରୋଧ ଥିଲା ସାନ୍‌ ଗିଭ୍‌ସେପେ ଡା କୋପେରିଣ୍ଟୋର ଛାତ୍ରମାନଙ୍କ ନିମନ୍ତେ ଏକ ଅଭିଭାଷଣ ଦେବାକୁ ।

 

ଶୀତକାଳରେ ଅଭିଧାନର ସହାୟତାରେ ଲିବୋରିଓ ଦେଇଥିବା ନୋଟ୍‌ବୁକ୍‌ରେ ପ୍ରକୃତି ବିଜ୍ଞାନର ଏଇ ପୁସ୍ତିକାକୁ ପଢ଼ି ମୁଁ କିଛି ପୃଷ୍ଠାର ଏକ ପାଣ୍ଡୁଲିପି ପ୍ରସ୍ତୁତ କଲି । ମୋ ଝର୍କାରୁ ଦେଖୁଥିଲି ଗଛ, ବୁଦା ଓ ଘୁଷୁରୀ ଗୁହାଳ ଛପର ଉପରେ ତୁଷାର ପଡ଼ିଥିବାର ଦୃଶ୍ୟକୁ । ଖୁଆଡ଼ ଭିତରେ କ୍ଲାନ୍ତ କୁକୁର ସବୁ ଯାନ୍ତ୍ରିକ ଭାବରେ ଗୋଟିଏ ପରେ ଗୋଟିଏ ଗୋଡ଼ ସବୁ ଲମ୍ବାଇ ଶୋଇ ଥିବାର ଦୃଶ୍ୟ ମଧ୍ୟ ଦେଖୁଥିଲି । କୁକୁର ପରି ଏକ ଜୀବଟିର ପରିକଳ୍ପନା ବାସ୍ତବିକ୍‌ ଏକ ଚମତ୍କାର ସାଧାରଣ ଯାନ୍ତ୍ରିକ ଉଦ୍ଭାବନ । ଅଭିଜ୍ଞତା ଅର୍ଜ୍ଜନ କରୁ କରୁ ଏମିତି ହୋଇପାରିଛି; ସେଇ କୁକୁର ଉଦ୍ଭାବକଙ୍କର ସଫଳତାର କାହାଣୀ । ସମ୍ଭବତଃ ଏହା ଏକ ଅଧିକ ଆଗ୍ରହୀ ମେସିନ୍‌ଟିଏ ନିର୍ମାଣ କରିବାରେ ମାନସିକ ଫଳଶ୍ରୁତି ହୋଇଥାଇ ବି ପାରେ ।

 

ମୁଁ ଦେଖୁଥିଲି ଝରକା ବାଡ଼ରେ ଡେଇଁ ବୁଲୁଥିବା ଛୋଟ ଘର ଚଟିଆମାନଙ୍କୁ । ସତରେ କେତେ ସରଳ ସେମାନଙ୍କ ଜୀବନଧାରା । ଆଉ ଗୋଟିଏ ଥରରେ ସ୍କେଚଟି ଆଙ୍କି ଦେଲି । ଅବଶ୍ୟ ଲିବେରିଓ ଦେଇଥିବା କମ୍ପାସର ସାହାଯ୍ୟ ନେଇଛି, ମାତ୍ର ସେ ଦେଇଥିବା ଚିତ୍ର ଅଙ୍କା କଲମର ନିବ୍‌ରେ କେମିତି କାଳିବୁନ୍ଦାକୁ ସଜାଗ ରଖିବାକୁ ହୁଏ ତାହାର କୌଶଳ ଜାଣିନଥିଲି । ଏଣୁ ଡ୍ରଇଁ ପେନ୍‌ର ବ୍ୟବହାର ନ କରି କେବଳ କମ୍ପାସ ଓ ପେନ୍‌ସିଲ୍‌ରେ ହିଁ ସ୍କେଚ୍‌ କରିଦେଇଥିଲି-। ପ୍ରକୃତି ବିଜ୍ଞାନର ସେଇ ପୁସ୍ତିକାରୁ ପଥର, ମଣିଷ ଓ ପଶୁମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗର ଛବି ଦେଖି ଆଙ୍କିବା ଆରମ୍ଭ କରିଥିଲି । ସେ ସବୁ ପକ୍ଷୀର ଡେଣା ହେଉ ବା ମଣିଷର ବାହୁ । ସେମାନଙ୍କର ଯାନ୍ତ୍ରିକ ଗୁଣକୁ ଜାଣିବାରେ ମୋର ଥିଲା ପ୍ରବଳ ଆଗ୍ରହ । ଆଉ ସେ ସବୁ କେତେ ସରଳ ତାକୁ ମୁଁ ନୋଟ କରୁଥିଲି । ସେଇ ପକ୍ଷ ବା ବାହୁର ସନ୍ଧି ସବୁ ସତେ ଯେପରି କମ୍ପାସର ବାହୁ ଓ ସନ୍ଧିସ୍ଥଳ ପରି । ମୁଁ ଟେବୁଲ ଉପରେ କମ୍ପାସ ରଖିଲି ଓ ତହିଁରେ ଗୋଟିଏ ଆଳୁ ଫୋଡ଼ି ଦେଲି । ସେଇ ଆଳୁରେ ଆଖି, ନାକ ଓ ପାଟି ଚିହ୍ନିତ କରି ମୋର କଳ୍ପିତ ଆକୃତିର ଡିଜାଇନ୍‌ କରିଦେଲି ।

 

ଅବଶ୍ୟ ତା’ପରେ ମୁଁ ଶବ୍ଦମାନଙ୍କୁ ସେମାନଙ୍କ ସ୍ୱର ଉଚ୍ଚାରଣକୁ ନେଇ ଅଧ୍ୟୟନ କଲି । ସଂସ୍କୃତି, ସଚଳ, ସ୍ୱଚ୍ଛନ୍ଦ, ସ୍ୱୟଂ, ସ୍ୱୟଂଚାଳକ, ସଂରଚକ, ସ୍ୱୟଂଚାଳିତ, ବୁଦ୍ଧି, ବୃତ୍ତି, ବଂଶଗତ, ବିଚରଣ ପ୍ରଭୃତି । ଯଦିଓ ଶବ୍ଦମାନେ ପାଠ୍ୟାନୁସାରେ ସଜେଇ ହୋଇ ରହିଥାନ୍ତି ସେମାନେ କିନ୍ତୁ ସ୍ୱକୀୟ ଗୁଣରେ ନିର୍ମାଣ କରିଚାଲନ୍ତି ଅର୍ଥ । ସ୍ୱୟଂଭାବରେ ଅର୍ଥବାହୀ ହୋଇଥାନ୍ତି । ମୋର ବ୍ୟକ୍ତିଗତ ଆବଶ୍ୟକତାକୁ ଭୃକ୍ଷେପ କରି ନ ପାରନ୍ତି । ନିଜର ଶକ୍ତି, ସାମର୍ଥ୍ୟ, ଗୁଣବତ୍ତା ଅନୁସାରେ ଚେତନା ସ୍ତରରେ ଏକ ସ୍ୱତନ୍ତ୍ର ଭାବକୁ ନିର୍ମାଣ କରିବାରେ ନିହିତ ଥା’ନ୍ତି । ପ୍ରତିଟି ଶବ୍ଦ ନିଜ ହିସାବରେ ନିଜର ଅର୍ଥକୁ ବହନ କରି ଚାଲନ୍ତି ।

 

ଏସବୁ ଅଧ୍ୟୟନ ପରେ ମୁଁ ଦେଖିଲି ମୋର କାମଗୁଡ଼ିକ ମୁଁ ସୂଚାରୁରୂପେ ସମାପନ କରିପାରୁଛି । ସଠିକ୍‌ ସମୟରେ ମୁଁ ତାହା କରିପାରୁ ନଥିଲି ଖଳା ଖମାରରେ । ଅଥବା ଯେମିତି କି ଘୋଡ଼ାଶାଳକୁ ସଫା ରଖିବାରେ କି ପଶୁମାନଙ୍କୁ ଶୁଆଇବା ପରି କାମ ସବୁକୁ । ପଶୁମାନଙ୍କୁ ଖୁବ୍‌ ନିକଟରୁ ପ୍ରତ୍ୟକ୍ଷ କଲି ଓ ସେମାନଙ୍କ ଶାରୀରିକ ଗଠନ ଓ ଅଙ୍ଗପ୍ରତ୍ୟଙ୍ଗକୁ ସଠିକ୍‌ ଭାବରେ ଜାଣିପାରିଲି । ସେଇ ପଶୁଟିକୁ ଥରେ ଲାତ ମାରିଲି । ସେଇ ପ୍ରତିକ୍ରିୟାରୁ ଘୁଷୁରୀଟିର ବୋବାଳିକୁ ଲେଖି ରଖିଲି । ଲକ୍ଷ୍ୟ କଲି ଧୀରେ ଧୀରେ ସେ ତା’ର ମୁଣ୍ଡକୁ ଠିକ୍‌ ସେଇ ଯାଗାକୁ ନେଇଯାଉଛି ଯେଉଁଠି ମୁଁ ତାକୁ ଲାତ ମାରିଥିଲି ।

 

ଖଳାବାଡ଼ିରୁ ସେତେବେଳକୁ ଶସ୍ୟ ଅମଳ ସରିଯାଇଥିଲା । ମୁଁ ଆରମ୍ଭ କଲି ମୋର ନିର୍ମାଣ କଳାର କାର୍ଯ୍ୟ । ଖଣ୍ଡ ଖଣ୍ଡ କାଠକୁ ପରସ୍ପର ଉପରେ ଲଦି ଅଥବା ଯୋଡ଼ି, ଭଙ୍ଗା ଚୌକିକୁ ଠିଆ କରି ଓ ଖାଲି ଅଙ୍ଗୁର ପେଟି ବାକ୍ସକୁ ଖଞ୍ଜି ତିଆରି କରି ଚାଲିଲି ମୋର କଳ୍ପନାର ନକ୍ସାକୁ । ଯାହା ଦିଶିଲା ସତେକି ଏକ କଙ୍କାଳ ପରି । ଏକ ଜୀବନ୍ତ ପ୍ରାଣୀର କଙ୍କାଳ ପ୍ରାୟ । ମଝିରେ ମଝିରେ ଦଉଡ଼ିରେ ବାନ୍ଧି ଦେଇଥିଲି ସେଇ ସବୁ ଅଂଶକୁ । ଦଉଡ଼ିରେ ଗୋଟିଏ ପାଖ ବନ୍ଧା ଯାଇଛି ତ ଅନ୍ୟ ଅଂଶଟି ଝୁଲିପଡ଼ିଛି । ସେଇ ଡିଜାଇନ୍‌ଟିରେ ଗୋଟିଏ କାହାଳୀ, ଚୌକି, ମହୁଭାଡ଼ିର ପଙ୍ଖା ସବୁ ଆଣି ସଂଯୋଗ କରିଦେଲି । ପରଦିନ ଦେଖିଲି ଏଇ ନିର୍ମାଣଟି ଅଦ୍ଭୁତ ଓ ସ୍ୱତନ୍ତ୍ର ପରି ଲାଗୁଛି । ଯେଉଁ ସମାନତା ମୁଁ ଆଣିଥିଲି ସେ ସବୁ ଆପଣାଛାଏଁ ବଦଳିଯାଇଛି । ଏମିତିକି ଦୁଇଟି ପୃଥକ୍‌ ପୃଥକ୍‌ ଡିଜାଇନ୍‌ ସମବେତ ହୋଇଯାଇଛି ଏକାକାର ହୋଇ । ଫଳତଃ ଏହା ଏକ ଦୁର୍ବଳତା ହୋଇପାରେ ଅଥବା ସମଷ୍ଟିଗତ ସଫଳତା । ମାତ୍ର ସେଇ କଳା ଶିଳ୍ପ ଦୁଇଟିର ପାରସ୍ପରିକ ସଂପର୍କ, ପରିପୂରକ ଗୁଣ ସେ ଦୁଇଟିକୁ ଏକତ୍ର କରିଛି ଏକ ପୂର୍ଣ୍ଣାଙ୍ଗ ରୂପ ବିଗ୍ରହରେ ପରିଗଣିତ କରିବାକୁ । ପରସ୍ପରର ଗୁଣବତ୍ତା ହୁଏତ ଖୋଜିବା ତା’ର ସଂପୂର୍ଣ୍ଣତା; ସମ୍ଭବତଃ ତାହା ଥିଲା ସଂଯୋଗୀକରଣରେ ନିବିଷ୍ଟ ।

 

ଏମିତି ଭାବରେ ମୋ ଜୀବନର ଏକୋଇଶତମ ଶୀତକାଳରେ କିଛି ଲେଖିବାକୁ ଆରମ୍ଭ କଲି । ଦେଖିଲି ସେଇ ଚାରୋଟି ପୁସ୍ତକ ଥିଲା କ୍ଲାନ୍ତିଦାୟକ । ବାକ୍ୟ ଗଠନ ଥିଲା ସଂକ୍ଷିପ୍ତ ଓ ବହୁଧା ଖଣ୍ଡିତ । ସେଥିରେ ନଥିଲା ନ୍ୟାୟ ସଂଗତ ଗାଠନିକ ନିର୍ମାଣ କୌଶଳ । ଏମିତି ମୋର ମତକୁ ଉପେକ୍ଷା କରିପାରି ଥିଲା ସେଇ ସବୁ ବାକ୍ୟଗୁଡ଼ିକ । ଏଇଠି ମୋର ସ୍ମରଣକୁ ଆସିଲା ଲିବେରିଓର କଥା । ଯିଏ ନଦୀର ନାମକୁ ସ୍ମରଣ କରିବାକୁ ଯାଇ ମେଣ୍ଟେଭେଚିଓ ଆଡ଼କୁ ମୁହଁ ବୁଲାଇ ଚାହିଁ ଥିଲା । ତା’ର ଛାଇ ଓ ପର୍ବତର ଛାଇକୁ ଲକ୍ଷ୍ୟ କରୁଥିଲା ସେତେବେଳେ । ମୋତେ ଆପଣାଛାଏଁ ଆଗେଇଯିବାକୁ ପଡ଼ିବ ମୋର ସୀମିତ ଶବ୍ଦ ଓ ଯନ୍ତ୍ରପାତି ସହିତ । ଲିବେରିଓର ପୁସ୍ତିକା ନିକଟରେ ପରାସ୍ତ ହୋଇ ନୁହେଁ ଆପଣାର ଆବେଗ ଓ ନିଷ୍ଠାକୁ ପାଥେୟ କରି । ଏହି ଆତ୍ମନିଷ୍ଠା ମୋତେ ଏକ ଶ୍ଲୋବ ସଦୃଶ ବାଟ କଢ଼େଇ ନେଲା । ସେଇ ସବୁ ଚିନ୍ତାଧାରାକୁ ବ୍ୟବଚ୍ଛେଦ କରିବାକୁ ହେବ । ଖଣ୍ଡ ଖଣ୍ଡ କରି ବିଭକ୍ତ କରିବାକୁ ହେବ । ଆଉ ସେସବୁ ପାଇଁ ତିଆରି କରିବାକୁ ହେବ ଏକ ଯୁକ୍ତି ସଂଗତ ମାଧ୍ୟମ । ଫଳତଃ ସାମଗ୍ରିକ ଭାବରେ ସେମାନେ ଏକତ୍ରିତ ହେବେ ଏକ ତନ୍ତ୍ର ପରି । ସେମିତି ଏକ ତନ୍ତ ମୁଁ ସବୁଆଡ଼େ ସତେଯେମିତି ପ୍ରତ୍ୟକ୍ଷ କରୁଛି-। ତା’ର ସ୍ୱର ଝଙ୍କାର ମୋର ଚାରିଆଡ଼େ ଗୁଞ୍ଜରିତ ହୋଇ ଉଠୁଛି ଓ ସବୁ କିଛିକୁ ଚହଲାଇ ଦେଉଛି ତା’ର ଶବ୍ଦ ସ୍ପନ୍ଦନ ।

 

ସେଇ ନିର୍ଦ୍ଧାରିତ ଶୀତକାଳରେ କ୍ରମଶଃ ମୋର ପ୍ରତିଟି ବିକଳ୍ପର ପଥ ବନ୍ଦ ହୋଇ ଆସୁଥାଏ ମୋର ଚିନ୍ତା ଚେତନା, ଦୃଷ୍ଟିଭଙ୍ଗୀ ଏମିତି କି ସ୍ୱାଧୀନ ଚିନ୍ତାଧାରାରେ ଆସୁଥାଏ ଅବରୋଧର ଆଭାସ । ଗଛମାନେ ଅଥବା ମାଟିର ଖଣ୍ଡ ବିଖଣ୍ଡିତ ଅଂଶକୁ କିଛି ମୋ ଅଭିଯାନରେ ବାଧକ ହୋଇ ଛିଡ଼ା ହୋଇଯାଉଥାଏ । ମୁଁ ଥାଏ ସେଇ ତନ୍ତର ଶବ୍ଦ ତରଙ୍ଗକୁ ବ୍ୟାହତ କରୁଥିବା ହେତୁର ଅନ୍ୱେଷଣରେ ।

 

ଯେଉଁ ତାରକାମଣ୍ଡିତ ତନ୍ତଟି ମୋତେ ମିଳିଥିଲା ସେଇ ସନ୍ଧ୍ୟାରେ ଏହା ହେଉଛି ଯାନ୍ତ୍ରିକ କୌଶଳର ହୃଦୟ ସଦୃଶ । ତାହାରି ତନ୍ତ୍ରୀର ଏକତାର କଥା ଯେତେବେଳେ ମୁଁ ପରଖି ସାରିଛି ସେତେବେଳେ ତାହାକୁ ହିଁ ପୁଙ୍ଖାନୁପୁଙ୍ଖ ଭାବରେ ମୋତେ ଅଧ୍ୟୟନ କରିବାକୁ ହେବ । ହୁଏତ ଆଗାମୀ କାଳର ବହୁ ନିର୍ମାଣଯାଏ ମୋତେ ତା’ର ସାହାଯ୍ୟ ନେବାକୁ ହେବ । ତାହାରି ବୈଶିଷ୍ଟ୍ୟ ରହିବ କାଳାତୀତ ଆଉ ନୂତନ ଭାବରେ ନିୟୋଜିତ ହେବ ସେଇ ନକ୍ଷତ୍ର ଖଚିତ ନଭମଣ୍ଡଳରେ । ଏହି ମହାଶୂନ୍ୟ ଆଉ ମହାକାଳର ସାମ୍ନାରେ ମୋର ଯନ୍ତ୍ରପାତି ଶୂନ୍ୟତା ହିଁ ମୋତେ ଏକାକୀ କରିଦେବ । ଭୟ ଓ ଆଶଙ୍କାରେ, ଶୂନ୍ୟ ହସ୍ତରେ ମୁଁ କିଛି ହିଁ ମାପିବାକୁ ଅକ୍ଷମ ହୋଇଯିବି । ଏହି ପରିପୂର୍ଣ୍ଣ ପୃଥିବୀକୁ ଯେମିତି ଅବିଚାରିତ ଭାବରେ ମୁଁ କ୍ଷୟ କରିଚାଲିଥିଲି ତାକୁ ପ୍ରତ୍ୟକ୍ଷ କରିବାକୁ ଛିଡ଼ା ହୋଇଥିବି ଏକା ଏକା ବିବଶ ହୋଇ । ସହସ୍ର ସମ୍ଭାବନାର ଦର୍ପଣରେ ଦଣ୍ଡାୟମାନ ହୋଇଥିବି ଦୁଃସ୍ଥ ଭାବରେ, ବିନା ନିର୍ଦ୍ଦେଶନାରେ ଅସହାୟ ହୋଇ ।

 

ମୋତେ ହୁଏତ ମୋର ଗବେଷଣାର ସୀମିତତା ସଂପର୍କରେ ସଚେତନ ହେବାକୁ ହେବ । ମୋର ବସ୍ତୁଗତ ଓ ଯାନ୍ତ୍ରିକ ସାଜସରଞ୍ଜାମ ସହିତ ପୁସ୍ତକର ଆବଶ୍ୟକତା ରହିଛି । ଦିବସର ଅଧିକାଂଶ ସମୟ ବ୍ୟୟିତ ହେଉଛି କେବଳ ତା’ର ଡିଜାଇନ୍‌ କରିବାରେ । ଏମିତି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମୁଁ ତାକୁ ପରିଚ୍ଛନ୍ନ ଭାବରେ ଓ ତା’ର ସଫଳତାକୁ ପ୍ରତ୍ୟକ୍ଷ କରିବାକୁ ଚାହେଁ । ଏପାଇଁ ଏକ ନିଶ୍ଚିତ ପଥ ମୋତେ ତିଆରି କରିବାକୁ ହେବ । ମୋର ଅଧୈର୍ଯ୍ୟ ହିଁ ସେଇ ବହିଟି ପ୍ରତି ବିରକ୍ତି ଭାବ ନେଇ ଆସିଛି । ସେହି ସବୁ ବହି ଯେଉଁ ପ୍ରକାରର କାଗଜରେ ତିଆରି ଆଉ ଯେମିତି ଭାବରେ ତାହା ମୁଦ୍ରିତ ହୋଇଛି ତାହା ମୋତେ ଆଦୌ ରୁଚିକର ଲାଗୁ ନାହିଁ । ଯେତେବେଳେ ସେଇ ସବୁ ବହିକୁ ମୁଁ ଛୁଇଁବାକୁ ଯାଉଛି ମୁଁ ଭୟଭୀତ ହୋଇ ଉଠୁଛି । ସତେ ଯେପରି ମୋ ଆଙ୍ଗୁଳିମାନଙ୍କରେ ଲାଗି ଯାଉଛି କଳଙ୍କର ଦାଗସବୁ, ଆଉ ଭୟଙ୍କର ସଂକ୍ରମଣରେ ଆକ୍ରାନ୍ତ ହୋଇ ଉଠୁଛି ମୋର ଅଧ୍ୟୟନ । କିନ୍ତୁ ଫେବୃଆରୀର ସେଇ କାର୍ନିଭାଲ୍‌ ପର୍ବରେ ଲୋକମାନେ ଧାଉଁଛନ୍ତି ସାନ୍‌ ସାଭିନା, କ୍ୟୁପେଲୋ, ଫେନିଗ୍ଲି ଓ ଫ୍ରୋନ୍‌ଟାନ୍‌ ଆଡ଼କୁ, ନାଚରେ ସାମିଲ୍‌ ହେବାକୁ ଆଉ ଘୁଷୁରୀକୁ ହତ୍ୟା କରିବାକୁ । ମୁଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି ମୋର ଯୋଜନାନୁସାରେ ଆଗେଇ ଯିବାକୁ, କଣ୍ଟୋସା କାର୍ସିଡୋନା କୋଠି ବା ସେମିତି ଏକ ସ୍ଥାନକୁ ଯେଉଁଠି ମୁଁ ସେଇ ସବୁ ଦୃଶ୍ୟକୁ ଖୁବ୍‌ ଭଲ ଭାବରେ ଦେଖିବା ସକାଶେ । ଠିକ୍‌ ଏଇ ସମୟରେ ଘୁଷୁରୀମାନଙ୍କ ହତ୍ୟା ହିଁ ମୋର ଏଇ କୌତୁହଳକୁ ଅଧିକ ବଢ଼ାଇ ଦେଇଥିଲା । କଂସେଇକୁ ସାହାଯ୍ୟ କରିବାକୁ ଯାଇ ହୋଇଗଲି କଂସେଇର ସହାୟକ । ଆଉ କାମଥିଲା ପଶୁମାନଙ୍କ ବେକ କଟାଗଲା ବେଳେ ଅର୍ଗଳିରେ ତାଙ୍କ କାନକୁ ଭିଡ଼ି ଧରିବା ।

 

କଂସେଇର ପଶୁମାନଙ୍କୁ ହଠାତ୍‌ ହତ୍ୟା କରିବାର ବେଳକୁ ମୁଁ ପ୍ରବଳ ଆଗ୍ରହର ସହ ଅପେକ୍ଷା କରୁଥିଲି । ଜୀବନ କେମିତି ଭାବରେ ଶରୀରଠାରୁ ବିଚ୍ଛିନ୍ନ ହୋଇଯାଏ; ଆକସ୍ମିକ ଭାବରେ ମାଂସପେଶୀ ସବୁ ସଙ୍କୁଚିତ ହୋଇଯାଏ ତାହାହିଁ ଖୁବ୍‌ ନିକଟରୁ ଦେଖିବା ପାଇଁ । କିନ୍ତୁ କଂସେଇର ଏସବୁ ପ୍ରତି ନଥାଏ ନିଘା ବରଂ ମୋ ପ୍ରତିଥାଏ ସଦା କଠୋର ଭାବରେ ଭୀତି ପ୍ରଦର୍ଶନ । ଏଣୁ ପଶୁଟି ହତ୍ୟା ହେଲା ପରେ ତଳେ କଚାଡ଼ି ପଡ଼ିବା ଯାଏ ମୁଁ ଅପେକ୍ଷା କରୁଥାଏ ତା’ ପାଖରେ ଛଟପଟ ବନ୍ଦ ହେବାଠାରୁ ଗରମ ପାଣି କୁଣ୍ଡରେ ପକାଇବା ପର୍ଯ୍ୟନ୍ତ ।

 

ଦିନେ ଦିନେ ଖୁବ୍‌ ଭୋରରୁ ଉଠି ଫାର୍ମରୁ କଂସେଇ ଖାନା ପର୍ଯ୍ୟନ୍ତ ଚାଲିଚାଲିଯାଏ । ବାଡ଼ି ଖଣ୍ଡେ ଧରି ଚାଲୁଥାଏ ଫ୍ରୋନ୍‌ଟୋନ୍‌ ଅଥବା ଆକ୍ୟୁୟାଭିଭା ରାସ୍ତାରେ । ପ୍ରତିଟି ନିଦ୍ରାପରେ ଏଇ ଅନୁଭବ ହୁଏ ଯେ ପ୍ରବଳଶୀତର ପ୍ରକୋପରେ ସମଗ୍ର ଶରୀର କେମିତି ଏକ ନବନିର୍ମାଣ ସହିତ ପରିଚିତ ହୋଇ ଉଠୁଥାଏ । ଆକସ୍ମିକ ଝଡ଼ର ମୁକାବିଲା ଓ ପ୍ରତିବନ୍ଧକ ସହ ସାଲିସ୍‌ ପାଇଁ ମୁଁ ସଦା ପ୍ରସ୍ତୁତ ରହୁଥିଲି ।

 

ଦିନେ ଖୁବ୍‌ ଏକ ପରିଷ୍କାର ସକାଳେ, ପ୍ରାୟ ପାଞ୍ଚଟା ସମୟ ହେବ, ଉତ୍ତର ଦିଗରୁ ବହୁଥାଏ ଶୀତଳ ପବନ, ଗୁଣ୍ଡ ଗୁଣ୍ଡ ହୋଇ ତୁଷାର ପଡ଼ିଛି ଗତ ରାତିରୁ, ତାହାରି ଉପରେ ସକାଳର ସୁନେଲି ସୂର୍ଯ୍ୟକିରଣ ଚିକ୍‌ଚିକ୍‌ କରୁଥାଏ । ଅନ୍ଧାରରେ ଠିଆ ହୋଇଥିଲା ମୁଁ ତିଆରି କରିଥିବା ଦୁଇଟି ଘର ଆଉ ତାହାରି ସାମ୍ନାରେ ଏକ ବସ୍‌ ଆସି ଛିଡ଼ା ହୋଇଛି ।

 

ଯେତେବେଳେ ମୁଁ ତା’ର ନିକଟବର୍ତ୍ତୀ ହେଲି, ଦେଖିଲି ଏକା ଏକା ସେଇ ଡେଙ୍ଗା ଲିବୋରିଓ ଝରକା ପାଖରେ ବସିଛି ଏକ କଳାରଙ୍ଗର ପୋଷାକ ପିନ୍ଧି । ଆଉ ତା’ ପୋଷାକର ଗଣ୍ଠିଲି ଠିକ୍‌ କା’ ମୁଣ୍ଡ ସିଧା (ରାକ୍‌) ଉପରେ ଥୁଆ ହୋଇଛି । ମୁହଁରେ ହାତ ଦେଇ ବସିଛି । ଏତେ ଧଳା ଦିଶୁଛି ତା’ର ହାତ ଦୁଇଟି ଯେମିତି ବସ୍‌ର ଝରକାରେ ଗଡ଼ିଥିବା ତୁଷାରଠାରୁ ଆହୁରି ତାହା ଅଧିକ ଧଳା ।

 

ନିଶ୍ଚଳ ଭାବରେ ସେ ବସିଥାଏ, ମୁଣ୍ଡ ବି ହଲାଉ ନଥାଏ । ସେ ମୋତେ ଦେଖିନଥାଏ, ବସ୍‌ ଚାଲିବା ଆରମ୍ଭ ହେଲା । ମୋ ଆଡ଼କୁ ତା’ର ଦୃଷ୍ଟି ଫେରେଇ ଆଣିବାକୁ ଯାଇଁ ମୁଁ ମୋର ବାଡ଼ିଟି ତଳେ ବାଡ଼େଇ ଠକ୍‌ ଠକ୍‌ ଶବ୍ଦ କଲି । ନରମ ତୁଷାର ଜମାଟ ଯୋଗୁଁ ସେଇ ଶବ୍ଦର କମ୍ପନ ସେ ଶୁଣି ପାରୁନଥିଲା । ମୁଁ ତାକୁ ଡାକି ପାରୁନଥିଲି । ଦୌଡ଼ି ଦୌଡ଼ି ଆସିଥିବାରୁ ଓ ଆଶ୍ଚର୍ଯ୍ୟ ହୋଇଯାଇଥିବା ହେତୁ ମୋ ପାଟିରୁ କୌଣସି ଶବ୍ଦ ବାହାରୁ ନଥିଲା । ଯେମିତି ଖଣ୍ଡେ ବରଫରେ ମୋର ପାଟି ବନ୍ଦ୍‌ ହୋଇଯାଇଛି ।

 

ତୁଷାରାବୃତ ରାସ୍ତାରେ ବସ୍‌ ଚାଲିବା ଆରମ୍ଭ କଲା ଖୁବ୍‌ ଧୀରେ ଧୀରେ । ଲିବୋରିଓ ତା’ ମୁହଁକୁ ଠିକ୍‌ ବସ୍‌ ଆଡ଼କୁ ସିଧା କରି ରଖିଥିଲା, ଯେମିତି ତା’ ମୁହଁଟି ଯାନ୍ତ୍ରିକ ଭାବେ ବସ୍‌ ରୁଟ୍‌ ସାହିତ ସଂଲମ୍ବିତ ହୋଇଯାଇଛି ଅଥବା ଏକ ଅଜଣା ମୁଲକକୁ ଉଡ଼ିଯାଉଥିବା ନିରୀହ ପକ୍ଷୀଟି ପରି ନିଜର ନିର୍ଲିପ୍ତ ଭାବକୁ ପ୍ରକଟ କରୁଛି ।

 

ମୁଁ କହିଉଠିଲି – ବିଦାୟ ଲିବୋରିଓ । ମୁଁ ଭାବୁଛି ତମେ ବୋଧେ ପୃଥିବୀର ଏଇ ଅଞ୍ଚଳକୁ ଛାଡ଼ି ଚାଲିଯାଉଛ । କିନ୍ତୁ ଯାଉଥିବା ସେଇ ସ୍ଥାନଟି ହେଉଛି ଏହାଠୁଁ ଅଧିକ ଖରାପ । ସେଇଠି ଏକ ଭୟାର୍ତ୍ତ ପରିବେଶରେ ଭୀରୁ ଭଳି ତମକୁ ବଞ୍ଚିବାକୁ ହେବ ।

 

ପୁଣି କହିଲି – ବିଦାୟ, ପୁଣି ଦେଖ ମୁଁ ତୁମର ମୁକ୍ତି ପାଇଁ ପରିତ୍ରାଣ ପାଇଁ ମୁଁ ନିଶ୍ଚୟ କାମ କରିବି ।

 

ମୁଁ ଅନୁଭବ କରୁଥିଲି ଭୀଷଣ କ୍ଷୁଧା । କିନ୍ତୁ ନାକ ପାଖରେ ଥିବା ଗାମୁଛା ଦେଇ ଆସୁଥିବା ଗନ୍ଧରେ ସତେ ଯେପରି ମୋ ଜିଭ ପାଇଁ ଏକ ଅନୁପମ ସ୍ୱାଦ ଆସୁଥିଲା । ଆଉ ମୁଁ ଭାବୁଥିଲି ଯଦି ମୁଁ ମୁକ୍ତ ହୋଇଥାନ୍ତି ତାହେଲେ ମୁଁ ଆଉ ଲିବୋରିଓ ଦୁହେଁ ମିଶି ହତ୍ୟା କରିଥାନ୍ତୁ ଗୋଟିଏ ଘୁଷୁରୀ ଆଉ ମନଇଚ୍ଛା ତାକୁ ଖାଇଥାନ୍ତୁ ।

 

 

ବି. ଏଲ୍‌ - ୧୦୬, ଭି.ଏସ୍‌, ଏସ୍‌ ନଗର

ଭୁବନେଶ୍ୱର – ୭୫୧୦୦୪

 

***

 

ନୂଆ ବହି

Unknown

ଭ୍ରମଣ ଓ ତୀର୍ଥଯାତ୍ରା

ଦୀପ୍ତିରଞ୍ଜନ ପଟ୍ଟନାୟକ

 

ଘରେ ବସି ବସି ଚିଟା ଲାଗିଲେ କେତେକ ଲୋକ ବାହାରେ ଘେରାଏ ବୁଲି ଆସନ୍ତି । ଘରେ କ’ଣ ଅଭାବଟାଏ ଥାଏ ଯେ, କ୍ଷୀର ସରପୁଳି କାଣ୍ଡି ହୋଇ ରହିଥିଲେ ବି, ବାହାରର ତୋରାଣି ହାଣ୍ଡି ଆଡ଼କୁ ମଣିଷ ମନ କରେ ? ବୋଧହୁଏ ଅଭାବଟା ପ୍ରକୃତରେ ଘରେ କି ବାହାରେ ନିହିତ ଥାଏ କି ? ଦର୍ଶନଶାସ୍ତ୍ରର କେତେକ ତତ୍ତ୍ୱ ଅନୁଯାୟୀ ମଣିଷର ପ୍ରକୃତି ବିବର୍ତ୍ତନଶୀଳ; ସବୁବେଳେ ଆପଣାକୁ ଅତିକ୍ରମ କରିବାକୁ ସଂଗ୍ରାମରତ । ଆପଣାର ବିଚରଣ ଭୂଇଁର ପରିଧିକୁ ଘର ଭିତରେ ସବୁଦିନ ସୀମାବଦ୍ଧ ନରଖି ବାହାର ଆଡ଼େ ମଧ୍ୟ ପରିବ୍ୟାପ୍ତ କରିବାକୁ ଆମେ ସେହି ବିବର୍ତ୍ତନଶୀଳ ସଂଗ୍ରାମର ଅଂଶବିଶେଷ ବୋଲି ଭାବିପାରିବା କି ? ମଣିଷ ସଭ୍ୟତାର ବିକାଶ ଧାରାରେ ଭ୍ରମଣର ଭୂମିକା ଲକ୍ଷ୍ୟ କଲେ; ଆମେ ଏହି ପ୍ରଶ୍ନଟିର ଯଥାର୍ଥ ଉତ୍ତର ପାଇପାରିବା ।

 

କାଳେ କାଳେ ମଣିଷ ଆପଣାର ଚିହ୍ନା ଚଉହଦୀ ବାହାରେ ପାଦ ଥାପିବାକୁ ମନ କରିଛି-। ତୁଚ୍ଛା ବିରକ୍ତିଗୁଡ଼ାକର ଅପନୋଦନ ହେଉ, ବଣିକ ପାଇଁ ହେଉ, ଦିଗ୍‌ବଳୟର ସେପାରିର ଭୂଇଁଟି ପାଇଁ ଆକର୍ଷଣ ଅନୁଭବ କରିଛି । ଫଳରେ ତା ଜାଣତରେ ଅବା ଅଜାଣତରେ ଭୂଇଁ ଭୂଇଁ ଭିତରେ ଥିବା ମାନସିକ ବାଡ଼ଗୁଡ଼ିକ ଫିଟି ଯାଇଛି । ଭାବ ଓ ବସ୍ତୁର ଆଦାନ ପ୍ରଦାନ ହେଉଛି । ପରସ୍ପର ଭିତରେ ଥିବା ବୁଝାମଣାର କ୍ଷେତ୍ରଟିରେ ପରିବର୍ତ୍ତନ ଆସିଛି । ସାଂସ୍କୃତିକ ଦେଣନେଣ ସମ୍ଭବ ହୋଇଛି । ସଭ୍ୟତାମାନଙ୍କର ସାଂସ୍କୃତିକ ବିବର୍ତ୍ତନ ସମ୍ଭବ ହେଇଛି । ବୋଧହୁଏ ଏହି କାରଣରୁ ଭ୍ରମଣକୁ କେହି କେହି mental mapping ବା ମାନସିକ ନକ୍ସାର ପରିବର୍ଦ୍ଧନର ମାଧ୍ୟମ ବୋଲି କହିଥାନ୍ତି । ନିଜର ମାନସିକ ନକ୍ସାର ପରିବର୍ଦ୍ଧନ କରୁ କରୁ ଭ୍ରମଣକାରୀ ତାହାର ଅନୁଭୂତିଗୁଡ଼ିକ ଲିପିବଦ୍ଧ କରିବାକୁ ମଧ୍ୟ ବେଳେବେଳେ ଆଗ୍ରହ ପ୍ରକାଶ କରିଛି । ସେହି ଭ୍ରମଣକାହାଣୀ ଓ ବୃତ୍ତାନ୍ତଗୁଡ଼ିକ ସାଂସ୍କୃତିକ ବିବର୍ତ୍ତନର ନିମିତ୍ତରୂପେ କାର୍ଯ୍ୟ କରିଆସିଛନ୍ତି । ଇବାନ୍‌, ବାତୁତା, ଫାହିୟାନ୍‌, ହୁଏନ୍‌ସାଂ ଆଦି ପରିବ୍ରାଜକମାନଙ୍କର ଭାରତ ଭ୍ରମଣବୃତ୍ତାନ୍ତଗୁଡ଼ିକ ଐତିହାସିକ ଦଲିଲ୍‌ ରୂପେ ବ୍ୟବହୃତ ହେଉଛି । ସେ ସମୟର ରାଜନୀତିକ, ଆର୍ଥନୀତିକ ଓ ସାମାଜିକ ବାସ୍ତବତାର ଅନୁଧ୍ୟାନ ପାଇଁ ଦୂରବୀକ୍ଷଣ ଯନ୍ତ୍ର ଭଳି କାର୍ଯ୍ୟ କରୁଛି । କେବଳ ସେତିକି ନୁହେଁ, ଭ୍ରମଣ ବୃତ୍ତାନ୍ତଗୁଡ଼ିକ ସାହିତ୍ୟର ବର୍ଗମାନଙ୍କୁ ମଧ୍ୟ ପ୍ରଭାବିତ କରିଛନ୍ତି, ୧୮୭୬ ମସିହାରେ ପ୍ରକାଶିତ ଆପଣାର ଗ୍ରନ୍ଥ The Greek Novel and its Forerunners ର Evwin Ronde ଭ୍ରମଣ ବୃତ୍ତାନ୍ତ ହିଁ ଉପନ୍ୟାସ-ସାହିତ୍ୟର ମୂଳଉତ୍ସ ବୋଲି ଦାବି କରିଛନ୍ତି ।

 

ଇତିହାସ ଓ ସାହିତ୍ୟ, ଭ୍ରମଣବୃତ୍ତାନ୍ତ ଓ ଉପନ୍ୟାସ ଆଦି ମଣିଷର ସାଂସ୍କୃତିକ ଦଲିଲ୍‌ମାନଙ୍କ ମଧ୍ୟରେ ଥିବା ବର୍ଗଗତ ପାର୍ଥକ୍ୟଗୁଡ଼ିକୁ ଏକଦା କଡ଼ାକଡ଼ି ଧରାଯାଉଥିଲା । ସାହିତ୍ୟକମାନେ ସେମାନଙ୍କର ବିଷୟବସ୍ତୁ ଓ ଶୈଳୀପାଇଁ ଐତିହାସିକମାନଙ୍କୁ ଓ ଉପନ୍ୟାସମାନେ ଭ୍ରମଣବୃତ୍ତାନ୍ତଗୁଡ଼ିକୁ ମଡେଲ୍‌ ହିସାବରେ ନଉଥିଲେ ସତ; କିନ୍ତୁ ସେହି ବର୍ଗଗତ ଭିନ୍ନତା ଉପରେ ବେଶୀ ଜୋର୍‌ ଦିଆଯାଉଥିଲା । ପ୍ରାଚୀନ ଗ୍ରୀକ୍‌ ଔପନ୍ୟାସିକମାନେ ହେରୋଡ୍‌ଟସ୍‌ଙ୍କ ଶୈଳୀ ଅନୁକରଣ କରିଥିଲେ ବୋଲି Margaret Anne Doody ଆପଣାର ଗ୍ରନ୍ଥ The true story of the novel (1996, Fontana Press, P- 22) ରେ ସୂଚାଇଛନ୍ତି । ଠିକ୍‌ ସେହିଭଳି ସାହିତ୍ୟକୃତିଗୁଡ଼ିକୁ ମଧ୍ୟ ଇତିହାସ ନିର୍ମାଣରେ ଅନେକ ସମୟରେ ବ୍ୟବହାର କରାଯାଉଛି । ସାଂସ୍କୃତିକ କୋଟୀଗୁଡ଼ିକ ମଧ୍ୟରେ ଏପରି ବିନିମୟ ଚଳି ଆସୁଥିଲେ ମଧ୍ୟ ଜ୍ଞାନବିଜ୍ଞାନର କେତେକ ପରମ୍ପରାରେ ଇତିହାସକୁ ସାହିତ୍ୟ ଠାରୁ ଓ ଅନ୍ୟ କେତେକ ପରମ୍ପରାରେ ସାହିତ୍ୟକୁ ଇତିହାସ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିପାଦିତ କରାଯାଇଥାଏ । ତଥ୍ୟର ସତ୍ୟକୁ କଳ୍ପନା ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରୁଥିବା ଜ୍ଞାନବିଜ୍ଞାନର ପରମ୍ପରା ଅନୁସାରେ ଇତିହାସ ଓ ଭ୍ରମଣବୃତ୍ତାନ୍ତ ସାହିତ୍ୟ ଓ ଉପନ୍ୟାସ ଠାରୁ ଅଧିକ ମାନ୍ୟ ଓ ଅଧିକ ଗ୍ରହଣୀୟ ବୋଲି ଧରାଯାଏ । ସ୍ୱିଫ୍‌ଟଙ୍କର Gulliver’s Travels ଓ ଡେଫୋଙ୍କର ରବିନ୍‌ସନ୍‌ କ୍ରୁସୋ ଆଦି ତୁଚ୍ଛା ଉପନ୍ୟାସଗୁଡ଼ିକୁ ଏହି କାରଣରୁ ଭ୍ରମଣକାହାଣୀ ବୋଲି ପାଠକମାନଙ୍କ ଆଗରେ ପେଶ୍‌ କରାଯାଇଥିଲା କି ?

 

ଉଭୟ ଭ୍ରମଣବୃତ୍ତାନ୍ତ ଓ ଉପନ୍ୟାସ ସାହିତ୍ୟର ଆବେଦନଗତ ଉତ୍ସ ପ୍ରାୟତଃ ସମାନ । ଉଭୟରେ ଭୌଗୋଳିକ ଓ ମାନସିକ ସମ୍ପ୍ରସାରଣ ପ୍ରତି ଥାଏ ଅଙ୍ଗୀକାରବଦ୍ଧତା; ଭିନ୍ନ ଜନଗୋଷ୍ଠୀ, ସେମାନଙ୍କର ରୀତିନୀତି, ମତବାଦ, କାର୍ଯ୍ୟ କରିବାର ପ୍ରଣାଳୀ ପ୍ରତି ଅନୁସନ୍ଧିତ୍ସୁ ଭାବ ଓ ସର୍ବୋପରି ଆଶ୍ଚର୍ଯ୍ୟ (Strange) ଓ ଅଣଗତାନୁଗତିକତା ପ୍ରତି ନମନୀୟ ଗ୍ରହଣଶୀଳତା । ସଂପ୍ରତି ଉତ୍ତରଆଧୁନିକ ସମାଲୋଚନା ପରମ୍ପରାର ଅବଧିରେ ଭ୍ରମଣବୃତ୍ତାନ୍ତ ଓ ଉପନ୍ୟାସ, ଇତିହାସ ଓ ସାହିତ୍ୟ ମଧ୍ୟରେ ଥିବା ବର୍ଗଗତ ପାର୍ଥକ୍ୟଗୁଡ଼ିକୁ ପ୍ରଶ୍ନ କରାଯାଇଛି । ସେହି ସମାଲୋଚନା ପରମ୍ପରାର ଅବଲୋକନ ବିନ୍ଦୁରୁ ପ୍ରତ୍ୟେକ ସାଂସ୍କୃତିକ ବର୍ଣ୍ଣନା ଏକ ଏକ ନିର୍ମିତ (construction) । ସେହି ନିର୍ମିତ୍ତିଗୁଡ଼ିକ ବ୍ୟକ୍ତିର ସ୍ୱକୀୟ Prejudice ବା ଭ୍ରାନ୍ତି, ସମସାମୟିକ ଭାବାଦର୍ଶ, ଉପସ୍ଥାପନା ନିମିତ୍ତ ତଥ୍ୟର ଚୟନ ଓ କ୍ଷମତା ବଳୟର ପ୍ରଭାବରେ ଦୋଷଦୁଷ୍ଟ ହେବାକୁ ବାଧ୍ୟ । ଇତିହାସରେ ତଥ୍ୟ ରହିଛି ସତ: ହେଲେ କେଉଁ କେଉଁ ତଥ୍ୟ ରହିଛି ବା କେଉଁ ତଥ୍ୟ ଅଗ୍ରାଧିକାର ପାଇଛି, ତାହା ଐତିହାସିକର ଭାବାଦର୍ଶଗତ ନିର୍ମିତ୍ତ ଦ୍ୱାରା ସ୍ଥିରୀକୃତ ହେଇଛି । ଠିକ୍‌ ସେହିପରି ସାହିତ୍ୟ ମୂଳତଃ କଳ୍ପନାଶ୍ରୟୀ ସତ, ହେଲେ ସେହି କଳ୍ପନାମାନଙ୍କର ଏକ ନିର୍ଦ୍ଦିଷ୍ଟ ବସ୍ତୁ ଭିତ୍ତି ରହିଛି । ଅତଏବ, ଇତିହାସ ପଢ଼ି ଐତିହାସିକର ଭାବାଦର୍ଶ ତଥା ସେ ରହୁଥିବା ସମାଜର କ୍ଷମତା – ସମୀକରଣ ବିଷୟରେ ଯେମିତି ଜାଣିହେବ, ସେମିତି ସାହିତ୍ୟ ମଧ୍ୟ ଦେଇ ତାତ୍କାଳିକ ବସ୍ତୁସ୍ଥିତି ପାଖରେ ପହଞ୍ଚି ହେବ । ଠିକ୍‌ ଏଇ ନ୍ୟାୟରେ ଭ୍ରମଣବୃତ୍ତାନ୍ତଗୁଡ଼ିକ ମଧ୍ୟ ଏକ ପ୍ରକାର ନିର୍ମିତି ବୋଲି ମଧ୍ୟ ଗଣନା କରାଯାଉଛି । ତେଣୁ ଅନ୍ୟାନ୍ୟ ବର୍ଣ୍ଣନା ଭଳି ସାହିତ୍ୟର ଅଂଶବିଶେଷ ବୋଲି ଧରାଗଲାଣି ।

 

ଯଦି ସବୁ ବର୍ଣ୍ଣନା, ସବୁ ସାଂସ୍କୃତିକ ଦଲିଲ୍‌, କ୍ଷମତା-ସମୀକରଣ, ବ୍ୟକ୍ତିଗତ Prejudice ଓ ଭାବାଦର୍ଶ ଦ୍ୱାରା ପୀଡ଼ିତ, ତେବେ ଭଲ ଓ ମନ୍ଦର ମୂଲ୍ୟାୟନ ହେବ କେମିତି ? କେତେକ ଉତ୍ତର-ଆଧୁନିକ ସମାଲୋଚକ ଏହାର ସମାଧାନ ସମ୍ପର୍କରେ ସୂଚାଇଛନ୍ତି, Richard king ତାଙ୍କର ନିକଟରେ ପ୍ରକାଶିତ ଗ୍ରନ୍ଥ Orientalism land Religion ରେ କହିଛନ୍ତି ଯେ, ‘interpretation’ ର ଗୁଣାତ୍ମକ ମାନ ନିର୍ଭର କରେ ତାହାର ‘appropriateness, the Level of hermeneutical openness to the text, and the degree of depth and contextualised knowledge displayed by the interpretr’, (1999, OUP, P.77); ଅର୍ଥାତ୍‌ ଇତିହାସ ଯଦି ତଥ୍ୟମାନଙ୍କର ଏକ ପ୍ରକାର ‘analysis ଓ ‘interpretation ହୁଏ, ତେବେ ତାହାର ଗୁଣାତ୍ମକମାନେଐତିହାସିକର ଆତ୍ମ – ସଚେତନତା, ନିଜ ଅବଲୋକନ ବିନ୍ଦୁର ସୀମିତତା ପ୍ରତି ସଚେତନତା ଓ ବିଷୟବସ୍ତୁ ସମ୍ପର୍କରେ ଜ୍ଞାନର ଗଭୀରତାରୁ ନିର୍ଣ୍ଣିତ ହେବ । ଭ୍ରମଣ ବୃତ୍ତାନ୍ତଟିଏ ଯଥାର୍ଥରେ ସାହିତ୍ୟ ପଦବାଚ୍ୟ ହେବା ପାଇଁ ତାହା ପ୍ରତି ଠିକ୍‌ ଏହି ନିୟମ ପ୍ରଯୁଜ୍ୟ ହେବ ବୋଲି ମୋର ଧାରଣା । ଯିଏ ଘେରାଏ ବୁଲିଆସିଲା, ମନ କଲେ ସିଏ ଭ୍ରମଣ ବୃତ୍ତାନ୍ତ ଲେଖାଯାଇ ପାରେ । ଏପରିକି Swift, Defoe ଙ୍କ ଭଳି ମନରୁ ଫାନ୍ଦି ମଧ୍ୟ ଭ୍ରମଣବୃତ୍ତାନ୍ତ ଲେଖାଯାଇପାରେ । କିନ୍ତୁ ସବୁ ଭ୍ରମଣ ବୃତ୍ତାନ୍ତ ବା ସବୁ ଉପନ୍ୟାସ ଓ ସାହିତ୍ୟର ଗୁଣାତ୍ମକ ମାନ ସମାନ ହେଇନପାରେ । ଯୁକ୍ତି ଉଠିପାରେ ଯଦି ସବୁ ଭ୍ରମଣ ବୃତ୍ତାନ୍ତ ବ୍ୟକ୍ତିଗତ Prejudice ବା Ideology ଦୋଷଦୁଷ୍ଟ ତେବେ ମାନ ନିର୍ଦ୍ଧାରଣ କିପରି ହେବ ? ଏଇଠି ଭ୍ରମଣକାରୀ ଓ ତୀର୍ଥଯାତ୍ରୀ ମଧ୍ୟରେ ପାର୍ଥକ୍ୟଟିଏ ମୁଁ ଆହ୍ୱାନ କରୁଛି । Richard king ଙ୍କର ‘accomplished interpreter’ ଭଳି ତୀର୍ଥଯାତ୍ରୀ ଆତ୍ମ ସଚେତନ ମନ ଧରି ଭ୍ରମଣକରି ବାହାରିଲେ ସବୁକ୍ଷେତ୍ର ତା ପାଇଁ ଶ୍ରୀକ୍ଷେତ୍ର ହେଇଉଠେ ଓ ତା’ର ଭ୍ରମଣବୃତ୍ତାନ୍ତ ସାହିତ୍ୟ ପଦବାଚ୍ୟ ହୁଏ । ଏହି ଔଦାର୍ଯ୍ୟ ଓ ଗ୍ରହଣଶୀଳ ଆତ୍ମସଚେତନତାର ଅଭାବ ଯୋଗୁଁ, ଗାନ୍ଧି Katherine Mayo ଙ୍କର ଭାରତ ଭ୍ରମଣ ବୃତ୍ତାନ୍ତକୁ drain inspector’s report’ କହି ଫିଙ୍ଗି ଦେଇଥିଲେ । ସାମ୍ପ୍ରତିକ ସମୟରେ କବି Nissim Exekiel ମଧ୍ୟ ପ୍ରାୟ ସମକାରଣରୁ V.S.. Naipaul ଙ୍କର ଭାରତ ସମ୍ପର୍କରେ ବିବରଣୀ ବିଷୋଦ୍‌ଗାର କରିଛନ୍ତି । ଭ୍ରମଣ ବୃତ୍ତାନ୍ତ ନାଁରେ ଦାୟିତ୍ୱହୀନ ଫାଜିଲାମି ଭାରତରେ ସୀମାବଦ୍ଧ ହୋଇନାହିଁ । Dc Bry ତାଙ୍କର କଥାକଥିତ ଆମେରିକା ଭ୍ରମଣ ବୃତ୍ତାନ୍ତରେ ଆମେରିକାର ଲୋକଙ୍କ ସମ୍ପର୍କରେ ବର୍ଣ୍ଣନା କରିବାକୁ ଯାଇ ଲେଖି ଯାଇଛନ୍ତି ଯେ, ଆମେରିକା ଲୋକଙ୍କ ମୁଣ୍ଡଟି ଛାତି ଭିତରେ ପଶିଥାଏ ।

 

ଭ୍ରମଣ ବୃତ୍ତାନ୍ତ ସମ୍ପର୍କିତ ଫାଜିଲାମି ଆମ ଓଡ଼ିଶା ଓ ଓଡ଼ିଆ ଭାଷାରେ ମଧ୍ୟ ଅନେକ ମିଳିଯାଇ ପାରିବ । ଅନେକ ଭ୍ରମଣବୃତ୍ତାନ୍ତ ପଢ଼ିବା ବେଳେ ଆମେ ସେଥିରେ ଗୁଡ଼ାଏ ବିଦେଶୀ ସହରର ନାଁ ଓ ଠାଏ ଠାଏ ତଥାପି ଓଡ଼ିଆ ଶାଗ ପଖାଳର ବର୍ଣ୍ଣନା ଦେଖୁ ସତ, ହେଲେ ସବୁଥିରେ ସବୁଠାରୁ ବେଶୀ ଜଳଜଳ ହେଇ ଯାହା ଦିଶିଯାଏ ତାହା ହେଲା ଭ୍ରମଣକାରୀର ବ୍ୟକ୍ତିତ୍ୱ, ତା’ର ଅହଂ । ଆତ୍ମ ସଚେତନ ନହେଲେ ନିଜକୁ ବିଜ୍ଞପିତ କରିବାର ମୋହଟିଏ ଜାତ ହୁଏ । ଅସଲ ତୀର୍ଥଯାତ୍ରୀ ସବାଆଗ ନିଜକୁ ଜାହିର୍‌ କରେନାହିଁ, ଭିନ୍ନ ଦୁନିଆର ଦର୍ଶନରେ ଆତ୍ମ-ଆବିଷ୍କାରର ସମ୍ଭାବନାକୁ ଅପେକ୍ଷା ରଖିଥାଏ । ଚିତ୍ତରଞ୍ଜନ ଦାସଙ୍କ ନିକଟରେ ପ୍ରକାଶିତ ‘ଆମେରିକାରୁ ଆସିଲି’ (1999, SB Publications) କୁ ଜଣେ ତୀର୍ଥଯାତ୍ରୀଙ୍କର ବୃତ୍ତାନ୍ତର ଉଦାହରଣ ରୂପେ ନିଆଯାଇ ପାରେ ।

 

‘ଆମେରିକାରୁ ଆସିଲି’ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପୂର୍ବରୁ ଆମ ଓଡ଼ିଆ ଜନମାନସର ଭାବାଦର୍ଶଗତ ନିର୍ମିତି ଓ ଭ୍ରମଣବୃତ୍ତାନ୍ତମାନଙ୍କର ସମ୍ଭାବ୍ୟ prejudice ମାନଙ୍କ ସମ୍ପର୍କରେ ସଂକ୍ଷିପ୍ତ ଆଲୋକପାତ କରିବା ସମୀଚୀନ ହେବ । ଆମେ ଓଡ଼ିଆମାନେ ଅନ୍ୟ ଭାରତୀୟମାନଙ୍କ ଭଳି ଉପନିବେଶବାଦର ଦାସତ୍ୱ ସ୍ୱୀକାର କରିଥିଲୁ । ଉପନିବେଶୀୟ ହୀନମନ୍ୟତା ଆମର ଏଷଣା ଓ ଭାବଜଗତର ପ୍ରେକ୍ଷାପଟକୁ କେତେକାଂଶରେ ବିକଳ କରିଥିବା ସମ୍ଭବ । ଜ୍ଞାନ ବିଜ୍ଞାନର ଅନ୍ୟାନ୍ୟ ବିଭାବ ଓ ଜୀବନଚର୍ଯ୍ୟାର ବିଭିନ୍ନ କ୍ଷେତ୍ର ଭଳି ଆମର ଭ୍ରମଣ ବୃତ୍ତାନ୍ତଗୁଡ଼ିକରେ ମଧ୍ୟ ଉପନିବେଶୀୟ ସଂସ୍ରବର ସ୍ତରୀଭୂତ ଚିହ୍ନ (trace) ଦେଖିବାକୁ ମିଳିବ । ବିଶେଷ କରି ଓଡ଼ିଆମାନେ ନିଜ ବିଦେଶ ଭ୍ରମଣର ବୃତ୍ତାନ୍ତ ଲେଖୁଥିବା ବେଳେ । ଏପର୍ଯ୍ୟନ୍ତ କେବଳ ମହାଭାଗ୍ୟବନ୍ତ ଓଡ଼ିଆମାନେ ହିଁ ବିଦେଶ ଭ୍ରମଣର ସୁଯୋଗ ପାଉଥିଲେ । ଆପଣାର ଏହି ବିରଳ ଭାଗ୍ୟକୁ ଯଥା ସମ୍ଭବ ବିଜ୍ଞାପିତ କରି ଅନ୍ୟ ବହୁ ଭାଗ୍ୟହୀନ ବକମାନଙ୍କ ମଧ୍ୟରେ ହଂସଭଳି ଦେଖାଯିବାକୁ ବିକଳ ପ୍ରୟାସ ଆମର ଅନେକ ଭ୍ରମଣ ବୃତ୍ତାନ୍ତରେ ଦେଖିବାକୁ ମିଳିଥାଏ-। ବିଦେଶର ସମୃଦ୍ଧିଗୁଡ଼ାକରୁ ପରିବ୍ରାଜକ ଯେ, ଆଞ୍ଜୁଳାଏ ଲେଖା ଚାଖିଛନ୍ତି ତା’ର ପ୍ରମାଣ ସ୍ୱରୂପ ବୈଷୟିକ ସମୃଦ୍ଧି, ଚାକଚକ୍ୟର ଚିତ୍ର ଆମ ଭ୍ରମଣ ବୃତ୍ତାନ୍ତମାନଙ୍କରେ ବେଶୀ ଦୃଷ୍ଟିଗୋଚର ହୁଏ ଏବଂ ବୋଧହୁଏ ଠିକ୍‌ ସେହି କାରଣରୁ ଓଡ଼ିଆ ଭାଷାରେ ଭାରତ-ଭ୍ରମଣ ଓ ଅନୁନ୍ନତ, ଅଣ-ପାଶ୍ଚାତ୍ୟ ଦେଶମାନଙ୍କ ଭ୍ରମଣ ସମ୍ପର୍କରେ ବୃତ୍ତାନ୍ତ ଖୁବ୍‌ କମ୍‌ । (ମନୋଜ ଦାସଙ୍କ ‘ଅନ୍ତରଙ୍ଗ ଭାରତ’, ଚିତ୍ତରଞ୍ଜନ ଦାସଙ୍କ ‘ଶୀଳାତୀର୍ଥ’, ସୁରେନ୍ଦ୍ର ମହାନ୍ତିଙ୍କ ‘ପେକିଂ ଡାଏରୀ’ ଭଳି । ଗୋଟିଏ ପଟେ ନିଜର ଭାଗ୍ୟକୁ ବିଜ୍ଞପିତ କରିବାର ପ୍ରଚେଷ୍ଟା ଥାଏ, ଏବଂ ଠିକ୍‌ ସେହି କାରଣରୁ ମନସ୍ତାତ୍ତ୍ୱିକ କ୍ଷତିପୂରଣ ସ୍ୱରୂପ ବିଦେଶର ବୈଷୟିକ ସମୃଦ୍ଧି ପ୍ରତି ନିଜର ବୈରାଗ୍ୟ ମିଶ୍ରିତ ନିସ୍ପୃହତା, ଏହି ଔପନିବେଶୀୟ ଦାସ ଭାବ ସମ୍ପନ୍ନ ଭ୍ରମଣକାରୀର ଅନ୍ୟ ଏକ ଲକ୍ଷଣ । ସମସ୍ତ ସମୃଦ୍ଧି ସତ୍ତ୍ୱେ ବିଦେଶରେ ମୋ ଓଡ଼ିଶାର ଓ ଭାରତବର୍ଷର ଆଧ୍ୟାତ୍ମିକତା ଓ ପାରିବାରିକ ଜୀବନର ଶୃଙ୍ଖଳା ନାହିଁ ବୋଲି ଖେଦ ମଧ୍ୟ ସମୟ ସମୟରେ ସେହି ଭ୍ରମଣ ବୃତ୍ତାନ୍ତମାନଙ୍କରେ ଠାଏ ଠାଏ ଦେଖିବାକୁ ମିଳିବ । ବିଦେଶର ସମୃଦ୍ଧି ଭିତରେ ବି ଓଡ଼ିଆ ଶାଗ ପଖାଳ ମିଳିଗଲେ ନିଜର ଭୂମିପ୍ରତି ଆନୁଗତ୍ୟ ଓ ନିଷ୍ଟାଲଜିଆ ପ୍ରଦର୍ଶନ କରିବାରେ କାର୍ପଣ୍ୟ ପ୍ରକାଶ ପାଏ ନାହିଁ । ମୋଟାମୋଟି ଭ୍ରମଣବୃତ୍ତାନ୍ତଟି ନିଜ ଅହଂ ପ୍ରଦର୍ଶନର ମାଧ୍ୟମ ହୋଇପଡ଼େ । ସଚ୍ଚା ତୀର୍ଥଯାତ୍ରୀଟିଏ ହବା ପାଇଁ ଲୋଡ଼ା ହେଉଥିବା ଆବଶ୍ୟକୀୟ ସାଧନା ଅନେକତ୍ର ଦେଖିବାକୁ ମିଳେନାହିଁ ।

 

‘ଆମେରିକାରୁ ଆସିଲି’ ସେ ଦୃଷ୍ଟିରୁ ଏକ ସଚ୍ଚା ତୀର୍ଥଯାତ୍ରୀର ଆଲେଖ୍ୟ । ନିଜର ଅନ୍ୟ ବୃତ୍ତାନ୍ତ ଭଳି ଚିତ୍ତରଞ୍ଜନ ଦାସଙ୍କ ସଦ୍ୟତମ ବୃତ୍ତାନ୍ତଟି ଜଣେ ତୀର୍ଥଯାତ୍ରୀର ସାଧନାର ସ୍ୱାକ୍ଷର ବହନ କରେ । ତୀର୍ଥଯାତ୍ରୀର ଚିତ୍ତ ପ୍ରସାରଣ ଲାଗି ସମସ୍ତ ବ୍ୟାକୁଳତା, ଅନ୍ୟ ପ୍ରତି ସମ୍ବେଦନଶୀଳତା ବିଷୟବସ୍ତୁ ସମ୍ପର୍କରେ ଗଭୀର ଜ୍ଞାନ, ଅହଂ ପ୍ରଦର୍ଶନ ପ୍ରତି ନିଷ୍ପୃହତା ଏବଂ ନିଜ ବ୍ୟକ୍ତିଗତ ଭାବାଦର୍ଶ ପ୍ରତି ଏକ ସମାଲୋଚନାମୂଳକ ଉନ୍ମୁଖତା, ‘ଆମେରିକାରୁ ଆସିଲି’କୁ ଉନ୍ନତ ସାହିତ୍ୟର ନୈର୍ବ୍ୟକ୍ତିକତା ପ୍ରଦାନ କରିଛି । ଆମେରିକା ମାଟିରେ ପାଦ ଦେବା ପୂର୍ବରୁ ଆମେରିକା ସମ୍ପର୍କରେ ସେ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରିଛନ୍ତି । ତେଣୁ ତାଙ୍କର ଯାବତୀୟ ଦର୍ଶନରେ ଆମେରିକାର ବାହ୍ୟ ଚାକଚକ୍ୟ, ସମୃଦ୍ଧିର ଅନ୍ତରାଳରେ ଥିବା ଆମେରିକାର ଅନ୍ତରାତ୍ମା ପରିଲକ୍ଷିତ ହୋଇପାରିଛି । ଆଧୁନିକ ଆମେରିକାର ସଭ୍ୟତା ଓ ସଂସ୍କୃତିର ଉଭୟ base ଓ superstructure ତାଙ୍କ ବୃତ୍ତାନ୍ତରେ ଧରାପଡ଼ିଯାଉଛି । ତଥାକଥିତ ସଭ୍ୟ, ସମୃଦ୍ଧ ଓ ସଂସ୍କୃତ ଆଧୁନିକ ଆମେରିକୀୟ ଭୂଖଣ୍ଡ ନିଜ ଅତୀତର ଦୁଷ୍କୃତିଗୁଡ଼ିକୁ ଯେତେ ଆଡ଼ମ୍ୱର ସହକାରେ ଚନ୍ଦନର ଲେପ ଦେଲେ ବି ତୀର୍ଥଯାତ୍ରୀର ଅନ୍ତର୍ଭେଦୀ ଦୃଷ୍ଟିରେ ସେ ଘା’ଗୁଡ଼ିକ ଧରାପଡ଼ି ଯାଇଛି – ସାହିତ୍ୟ ନିର୍ମାଣରେ ଆମେରିକା ଇତିହାସରେ ସେହି ବିକୃତିଗୁଡ଼ିକ ସମ୍ପର୍କରେ Richared Slotkinଙ୍କ Regeneration through violence, Saunder Redingଙ୍କ They came in chains ଇତ୍ୟାଦି ପୁସ୍ତକରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି । କିନ୍ତୁ ଜଣେ ସୌଖୀନ ଭ୍ରମଣକାରୀ, ଭିସା-ନୀତି କୋହଳ ହେଲାପରେ ଆମ ସମୟରେ ଭାରତରୁ ଆମେରିକାକୁ ରପ୍ତାନୀ ହେଇ ଯାଉଥିବା କମ୍ପ୍ୟୁଟର ଶ୍ରମିକମାନଙ୍କ ଆଖିରେ ସେହି ସାଂସ୍କୃତିକ ବିଡ଼ମ୍ୱନାର ଅସଲ ସ୍ୱରୂପ ଧରାପଡ଼େ ନାହିୋ, ଅନ୍ତତଃ ସେହି କାରଣରୁ ‘ଆମେରିକାରୁ ଆସିଲି’ ଆମକୁ ଚକ୍ଷୁଷ୍ମାନ୍‍ କରିପାରିଛି ।

 

ଆମେରିକାକୁ ଗଭୀର ଭାବରେ ବୁଝିବା ପାଇଁ ଚିତ୍ତରଞ୍ଜନ ଦାସ ସେହି ଭୌଗୋଳିକ ଭୂଖଣ୍ଡର ଗଲା ପାଞ୍ଚଶହ ବର୍ଷର ଇତିହାସ ଠାରୁ ଆହୁରି ଫଛକୁ ଫେରିଛନ୍ତି । ଆମେରିକାର ଆଧୁନିକ ସମୃଦ୍ଧି ପଛରେ ଥିବା ଇଉରୋପୀୟ ମଣିଷମାନଙ୍କର କର୍ତ୍ତୃତ୍ୱ, ଅହଂ ଓ ଅନ୍ୟକୁ ନ୍ୟୁନ ଭାବରେ ଦେଖିବାର ଭାବ ଏବଂ ତଦ୍‌ଜନିତ ବର୍ବରତାର ମୂଳଦୁଆଟି ସମ୍ପର୍କରେ ଆମକୁ ସଚେତନ କରାଇଛନ୍ତି । ଆମେରିକାରେ ବାସ କରୁଥିବା ଗୋରାଲୋକମାନଙ୍କୁ ସେ ସେଠାକାର ବାସିନ୍ଦା ନ କହି ଯଥାର୍ଥରେ ‘ଦଖଲକାରୀ’ ବୋଲି ନାମିତ କରିଛନ୍ତି । ଆଳୁ ଖୋଳୁ ଖୋଳୁ ମହାଦେବଙ୍କ ପାଖରେ ପହଞ୍ଚିବା ଆମେରିକାକୁ ଦେଖୁ ଦେଖୁ ସେ ସମଗ୍ର ମଣିଷ ସଭ୍ୟତାମାନଙ୍କର ଔପନିବେଶୀୟ, ‘‘ଏକମେବ ଦ୍ୱିତୀୟନାସ୍ତି’ ମନୋବୃତ୍ତି ସମ୍ପର୍କରେ ବୃକ୍‌ପାତ କରିଛନ୍ତି:

 

ତୁମ ପାଖରେ ଅଧିକ ବୁଦ୍ଧି, ଅଧିକ ବିଦ୍ୟା ଓ ଅଧିକ ଜ୍ଞାନକୌଶଳ ରହିଥିବ । ତୁମରି ଜାତିଟା ଉପରେ ହିଁ ଈଶ୍ୱରଙ୍କର ଅଧିକ କରୁଣା ରହିଛି ବୋଲି ତୁମେ ଏକାବେଳେ ପିଲାଦିନୁ ବିଶ୍ୱାସ କରିବାକୁ ଶିକ୍ଷା ପାଇଥିବ, ଈଶ୍ୱରଙ୍କର ଅଧିକ କରୁଣା ରହିଛି ବୋଲି ତୁମେ ଏକାବେଳେ ପିଲାଦିନୁ ବିଶ୍ୱାସ କରିବାକୁ ଶିକ୍ଷା ପାଇଥିବ, ଈଶ୍ୱର ଏହି ବିଶ୍ୱଚରାଚରକୁ ସୃଷ୍ଟି କରି ତୁମରି ଭୋଗ ନିମନ୍ତେ ପ୍ରସାରିତ କରି ରଖିଛନ୍ତି ବୋଲି ତୁମର ଧର୍ମପୁସ୍ତକ ମଧ୍ୟ ଘୋଷଣା କରିଥିବ । ତେବେ ପୃଥିବୀଯାକ ଆଉ ସମସ୍ତେ ତୁମକୁ ବିଜେତା ବୋଲି, ମାଲିକ ବୋଲି ଓ ଶାସକ ବୋଲି ଅବଶ୍ୟ ଧରିନେବେ । ଏଇ କଥାଟି ପୃଥିବୀର ପ୍ରତ୍ୟେକ ବିଜେତାଙ୍କର କ୍ଷେତ୍ରରେ ଅଳ୍ପ ବହୁତ ସର୍ବତ୍ର ଘଟିଛି ଏବଂ ୟୁରୋପୀୟ ବିଜେତାମାନଙ୍କ ବେଳକୁ ସମ୍ଭବତଃ ବିଶେଷ ଭାବରେ ଘଟିଛି । (ପୃ – ୧୬)

 

ଗୋଟିଏ ଦେଶ, ତା’ର ଇତିହାସ, ସଂସ୍କୃତିକୁ ଦେଖୁ ଦେଖୁ ସମଗ୍ର ମାନବଜାତିର ପ୍ରେରଣା ଓ ଅପପ୍ରେରଣାମାନଙ୍କ ସମ୍ପର୍କରେ ସଚେତନ ହୋଇପାରିବା ଏକ ଭିନ୍ନ ପର୍ଯ୍ୟାୟର ସହାନୁଭୂତିର କଥା । ଜଣେ ତୀର୍ଥଯାତ୍ରୀର ଆଖି ଦେଇ ଚିତ୍ତରଞ୍ଜନ ଦାସ, ଆପଣାର ଭ୍ରମଣବୃତ୍ତାନ୍ତରେ ସମ୍ବେଦନଶୀଳତାର ଏକ ପରିବେଶ ସୃଷ୍ଟି କରିପାରୁଛନ୍ତି, ମଣିଷର ଭାଗ୍ୟ ଓ ତା’ର ବିଡ଼ମ୍ବନା ପ୍ରତି ଏଇ ସମ୍ବେଦନଶୀଳ ଦୃଷ୍ଟିଭଙ୍ଗୀ ଯୋଗୁଁ ସେ ସମୟେ ସମୟେ ଆମେରିକା ପ୍ରତି ‘ବୀତଶ୍ରଦ୍ଧ’ ହୋଇପଡ଼ିଛନ୍ତି । ଆମେରିକାର ସକଳ ଆଧୁନିକ ସମୃଦ୍ଧି – ମରୀଚିକା ଅନ୍ତରାଳରେ ଥିବା ଲୋହିତ ଭାରତୀୟ ଓ ଆଫ୍ରିକୀୟ ଲୋକମାନଙ୍କ ନିପୀଡ଼ନର ସତ୍ୟତା ପ୍ରତି ତାଙ୍କର ଦୃଷ୍ଟି ପ୍ରସାରିତ ହୋଇଛି । ଚାକ୍ୟଚକ୍ୟର ମରୀଚିକାରେ ମୋହଗ୍ରସ୍ତ ଅଥବା ପାଶ୍ଚାତ୍ୟ ଦେଶ ଭ୍ରମଣର ସୁଯୋଗ ଲାଭ କରିପାରିଥିବାରୁ ଆପଣାକୁ ଅଧିକ ଭାଗ୍ୟବନ୍ତ ମନେକରୁଥିବା ଆମର ଥୋକେ ଭ୍ରମଣକାରୀ ଆପଣାର ବୃତ୍ତାନ୍ତମାନଙ୍କରେ ଆମକୁ ଅର୍ଦ୍ଧସତ୍ୟମାନଙ୍କର ବେଦୀରେ ଖଣ୍ଡିଆ କରିପକାଇ ଦିଅନ୍ତି । ଚିତ୍ତରଞ୍ଜନ ଦାସ କେବଳ ଆମେରିକାର ସାମ୍ପ୍ରତିକ ସ୍ଥିତି ନୁହେଁ, ସେ ସ୍ଥିତି ପଛରେ ଥିବା ଭାବାଦର୍ଶଗତ ନିର୍ମିତ ଗୁଡ଼ିକୁ ଆହ୍ୱାନ କରିଛନ୍ତି । ତେଣୁ ଆମେରିକା ସମ୍ପର୍କରେ ଆମକୁ ଅନେକ ପ୍ରମାଦରୁ ରକ୍ଷା କରିଛନ୍ତି ।

 

ଏକ ନିର୍ଦ୍ଦିଷ୍ଟ ମୌଳବାଦୀ ଖ୍ରୀଷ୍ଟୀୟ ଧର୍ମଧାରଣା ସମ୍ପନ୍ନ ଗୋଷ୍ଠୀକୁ ଲାଞ୍ଛନା ଭୋଗ କରିବାକୁ ପଡ଼ିବାରୁ ସେହି ଗୋଷ୍ଠୀର ଲୋକେ ଆମେରିକାରେ ସ୍ଥାୟୀ ବସତି କରି ରହିବାର ଆସ୍ପୃହା କଲେ । ତା’ ପୂର୍ବରୁ ଇଉରୋପ ଲୋକେ ଆମେରିକା ଭୂଖଣ୍ଡକୁ କେବଳ ଏକ ସମ୍ପତ୍ତିର ଭଣ୍ଡାର ହିସାବରେ ଦେଖିଥିଲେ । ଧନରତ୍ନ ଓ ସେଠାକାର ନିରୀହ ଆଦିମ ଅଧିବାସୀଙ୍କୁ ଜବରଦସ୍ତ ବୋହି ଆଣି ନିଜର ଭଣ୍ଡାରଘରେ ସାଇତି ରଖିବାକୁ ପରମ ସୌଭାଗ୍ୟ ମନେ କରୁଥିଲେ । କିନ୍ତୁ ବସତି ସ୍ଥାପନ କଲାପରେ ନିଜ ଧର୍ମ ଧାରଣା ଓ ବିଶ୍ୱାସ ଅନୁସାରେ ସମଗ୍ର ଆମେରିକାକୁ ଅନୁକୂଳିତ କରି ଆଣିବାକୁ ଚେଷ୍ଟା କଲେ । William Carlos Williams, Perry Miller ଆଦି ଆମେରିକୀୟ ସାଂସ୍କୃତିକ ବ୍ୟାଖ୍ୟାକାରମାନଙ୍କ ମତରେ ଆମେରିକାର ଯାହା କିଛି ଭଲମନ୍ଦ ତା’ର ମୂଳରେ ରହିଛି ଏଇ ପ୍ୟୁରିଟାନ୍‌ ଧର୍ମବିଶ୍ୱାସ । ତାରି ଫଳରେ ସେଠାକାର ଲୋକେ ପରିଶ୍ରମୀ ହୋଇଛନ୍ତି । ଧନ ଉପୁଜାଇଛନ୍ତି । ଧର୍ମ ଓ ବିଶ୍ୱାସ କ୍ଷେତ୍ରରେ ପ୍ରତିଟି ମଣିଷକୁ ସ୍ୱାଧୀନତା ଦେବାକୁ ଆପଣାର ରାଷ୍ଟ୍ରୀୟ ଆଦର୍ଶ ଭାବେ ଗ୍ରହଣ କରିଛନ୍ତି । ଏପରିକି ଗଣତନ୍ତ୍ରକୁ ରାଷ୍ଟ୍ରଶାସନର ପଦ୍ଧତି ହିସାବରେ ଗ୍ରହଣ କରିଛନ୍ତି । କିନ୍ତୁ ଅନ୍ୟକୁ ନ୍ୟୂନ କରି ଦେଖିବାର ଔପନିବେଶୀୟ ମନୋବୃତ୍ତି ଏହି ଆଦର୍ଶ ସକଳକୁ ଚେର ମେଲିବାକୁ ଦେଇନାହିଁ । ତେଣୁ ତଥା କଥିତ ‘Amercan Dream’ ଓ ‘American reality’ ଭିତରେ ଅନ୍ତର୍ବିରୋଧ ବିଭିନ୍ନ ପ୍ରସ୍ଥରେ ମୂଳରୁ ହିଁ ରହିଆସିଛି । ତୀର୍ଥଯାତ୍ରୀ ଚିତ୍ତରଞ୍ଜନ ଦାସଙ୍କ ଆଖିରେ ଏ ଅନ୍ତର୍ବିରୋଧ ଧରାପଡ଼ିଯାଇଛି ।

 

ବିଶ୍ୱଯାକର ମୂଲ୍ୟାୟନ ମଞ୍ଚରେ ପ୍ରାୟ ପାଖାପାଖି ହୋଇ ଆମ ଆଗରେ ସର୍ବଦା ଦୁଇଟି ଆମେରିକା ଦୃଷ୍ଟିଗୋଚର ହୋଇଥାନ୍ତି । ଅନେକ ସମୟରେ ଗୋଟିକୁ ଆଉ ଗୋଟିକ ସହିତ ଏକାଠି ମିଳାଇ ସତେ ଅବା ମୋଟେ ଦେଖିହୁଏ ନାହିଁ । ଗୋଟିଏ ହେଉଛି ଏକ ବୃହତ୍‌ ବପୁ ବିଶିଷ୍ଟ ଅଥଚ ଅତ୍ୟନ୍ତ ଭୟାଳୁ ତେଣୁ ସନ୍ଦେହୀ ଓ ଆତ୍ମସଚେତନ ଆମେରିକା.......... ଆଉ ଗୋଟିଏ ଆମେରିକା ଯାହା ଏହି ଆମେରିକାକୁ ଚାଲେଞ୍ଜ ଦେଇଛି, ଏଇଟି ହେଉଛି ଆମେରିକାର ସାହିତ୍ୟ, ଆମେରିକାରେ ଏଇ ବିକଳ୍ପ ବିତର୍କର ପରମ୍ପରା ଯାହାକି ସମ୍ଭବତଃ ସେହି ମୂଳରୁ ହିଁ ସୋଚ୍ଚାର ହୋଇ ରହିଆସିଛି । ତାହା ରାଷ୍ଟ୍ରକୁ ଚୁନୌତି ଦେଇଛି, କ୍ଷମତାକୁ ଚୁନୌତି ଦେଇଛି, ଅର୍ଥ ପରାକ୍ରମକୁ ମଧ୍ୟ ଚୁନୌତି ଦେଇଛି । ଆମେରିକାର ବିଶ୍ୱବିଦ୍ୟାଳୟମାନ ସଂପ୍ରତି ସେହି ଅନ୍ୟ ଆମେରିକାଟିର ପ୍ରତିନିଧି ହୋଇ ରହିଛନ୍ତି । (ପୃ-୩୮-୩୯)

 

ସନ୍ଦେହୀ ଓ ଆତ୍ମମଗ୍ନ (ଚିତ୍ତରଞ୍ଜନଙ୍କ ‘ଆତ୍ମ ସଚେତନ‘ ଶବ୍ଦ ଅପେକ୍ଷା ‘ଆତ୍ମମଗ୍ନ‘ ଶବ୍ଦଟି ଅଧିକ ପ୍ରଯୁଜ୍ୟ ବୋଲି ମୋର ମତ), ଏଇ ଭୟାଳୁ ଆମେରିକାଟି ପ୍ରଥମରୁ ସେଠାକାର ଆଦିମ ଅଧିବାସୀ ଓ ସେଠାକୁ ଜବରଦସ୍ତ ବୁହା ହୋଇଯାଇଥିବା ଆଫ୍ରିକା ମହାଦେଶର ଲୋକଙ୍କ ପାଇଁ ଅନେକ ଦୁଃଖର କାରଣ ହୋଇଆସିଛି । ବିଶ୍ୱ ରାଜନୀତିର ପ୍ରସାରଣଧର୍ମୀ ସାମ୍ପ୍ରତିକ ପର୍ଯ୍ୟାୟରେ ଏହି ଆମେରିକାଟି ପୃଥିବୀର ସବୁ ରାଷ୍ଟ୍ରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେଇଛି । ଚିତ୍ତରଞ୍ଜନ ଏହି ସକଳ ଦୁଃଖ ଓ ମୁଣ୍ଡବ୍ୟଥାର ଇତିହାସ ଆମ ଆଗରେ ପରିବେଷଣ କରିଛନ୍ତି । ବଡ଼ ଆଶ୍ୱାସନାର ବିଷୟ ଏଥିପାଇଁ ତାଙ୍କୁ କୌଣସି ବିଦେଶୀ ଆଖିରେ ଆବଶ୍ୟକତା ପଡ଼ିନଥିବ । ସେଇ ଆମେରିକା ଭିତରେ ହିଁ ବିକଳ୍ପ ଆମେରିକାଟିର ଅନେକ ଆଖି ! ଅନେକ ଆତ୍ମସଚେତନତା ଓ ବିବେକ କାଣ୍ଡି ହେଇ ରହିଛି । ଆମେରିକୀୟ ସଭ୍ୟତା ଓ ସଂସ୍କୃତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବଳଟି ବୋଧହୁଏ ସେୟା । ରାଷ୍ଟ୍ର ଯେତେ ପ୍ରବଳ ଓ ଅବିବେକୀ ହେଇଥାଉ ବା ଗଣଭ୍ରାନ୍ତିଗୁଡ଼ିକ ଯେତେ ନିଷ୍ଠୁର ହେଇଥାଉ ପଛକେ, ସେଗୁଡ଼ିକୁ ସାହସର ସହ ପ୍ରତିରୋଧ କରିବାର ପରମ୍ପରାଟି ମଧ୍ୟ ଆମେରିକାରେ କୌଣସି କାରଣରୁ ସଦା ଜାଗ୍ରତ । କୌଣସି ଗଣ ଓ ସମୁଦାୟ ପ୍ରକୃତରେ ଆତ୍ମବିଶ୍ୱାସୀ ହେଲେ ସମସ୍ତ ପ୍ରତିରୋଧକୁ ସହାନୁଭୂତିର ସହ ନିଜ ସାଂସ୍କୃତିକ ଜୀବନରେ ସ୍ଥାନ ଦେଇପାରେ । ସେହି କାରଣରୁ ଆମେରିକୀୟ ଅପସଂସ୍କୃତିର ଚରମ ନିନ୍ଦୁକମାନେ ଯଥା ହାରିଏଟ୍‌, ଷ୍ଟୋ, ଥୋରୋ, ନୋଆମ୍‌ ଚମ୍‌ସ୍କି ଆଦି ଆମେରିକାର ଜଣେ ଜଣେ Cult-figure ହୋଇପାରିଛନ୍ତି । ଲୋହିତମାନଙ୍କର ଗଣହତ୍ୟା, ଆଫ୍ରିକୀୟ ଲୋକମାନଙ୍କର ଅମାନୁଷିକ ନିର୍ଯ୍ୟାତନା ସତ୍ତ୍ୱେ ଆମେରିକାର ଏଇ ବିଭବଟି କାଳେ କାଳେ ବିଦ୍ୱାନ, ବିବେକୀ ଓ ମଣିଷକୁ ଭଲ ପାଉଥିବା ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିଆସିଛି, ସ୍ୱାମୀ ବିବେକାନନ୍ଦଙ୍କ ଠାରୁ ଆରମ୍ଭ କରି ଚିତ୍ତରଞ୍ଜନ ଦାସଙ୍କ ପର୍ଯ୍ୟନ୍ତ ।

 

ଆମେରିକାର ବିବିଧତା ଏହାର ଆକର୍ଷଣର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ହେତୁ । ମାନସିକ ସ୍ତରରେ ଅନ୍ୟ ପ୍ରତି ଥିବା ପୂର୍ବ ସନ୍ଦେହ ଓ ଘୃଣା ଯୋଗୁଁ ଅନେକ ଦୁର୍ଦ୍ଦଶାର କାରଣ ହୋଇଥିବା ଆମେରିକାର ଗୋରାଲୋକେ ତଥାପି ସେହି ବିବିଧତାକୁ ଜିଆଁଇ ରଖିବାକୁ କମ୍‌ ଚେଷ୍ଟା କରିନାହାନ୍ତି । ସେହି କାରଣରୁ ଆମେରିକାର ଜ୍ଞାନବିଜ୍ଞାନ ଚର୍ଚ୍ଚାର ପରମ୍ପରାରେ multi culturalism ତତ୍ତ୍ୱଟି ସମ୍ପ୍ରତି ବହୁଳ ଭାବରେ ବ୍ୟବହୃତ ହେଉଛି । ପୂର୍ବରୁ ଆମେରିକାର ସଂସ୍କୃତିକୁ ‘melting pot’ ଓ ‘salad bowl’ ନାମିତ କରାଯାଉଥିଲା । ଏବେ ଏହାକୁ ଏକ ବହୁପ୍ରସ୍ଥଯୁକ୍ତ ସାତସିଆଁ କନ୍ଥା ଭଳି ବିଚାର କରାଗଲାଣି । ଆପଣାର ସ୍ୱଳ୍ପ ରହଣିକାଳ ମଧ୍ୟରେ ଚିତ୍ତରଞ୍ଜନ ସେହି କନ୍ଥାର ଏକ ନିଗୂଢ଼ ପ୍ରସ୍ଥ ପର୍ଯ୍ୟନ୍ତ ଆଖିକୁ ପ୍ରସାରିତ କରିପାରିଛନ୍ତି । ଜଣେ ସୌଖୀନ୍‌ ଭ୍ରମଣକାରୀର ସହଜ ଦୃଷ୍ଟି ସତରେ ଆମେରିକାରେ ବାସ କରୁଥିବା ‘ଆମିଶ୍‌’ ଜନଗୋଷ୍ଠୀର ସଂସ୍କୃତିକୁ ଆବିଷ୍କାର କରିପାରନ୍ତା ନାହିଁ । ଆମିଶ୍‌ମାନେ ହଲାଣ୍ଡ ଓ ସ୍ୱିଡେନ୍‌ର ଆନାବାପ୍‌ଟିଷ୍ଟମାନଙ୍କ ବଂଶଧର । ଇଉରୋପର ଧର୍ମୀୟ persecution ରୁ ରକ୍ଷା ପାଇବା ପାଇଁ ସେମାନେ ଆମେରିକା ଆସିଥିଲେ । ଉଇଲିୟମ ପେନ୍‌ଙ୍କ ଧର୍ମ ସହନଶୀଳତାର ନିଦର୍ଶନ ପାଇଁ ହେଇଥିବା ‘holy experiment’ ରେ ସେମାନଙ୍କର ମୂଳଗୋଷ୍ଠୀ ଆମେରିକାର ପେନ୍‌ସିଲ୍‌ଭାନିଆ ରାଜ୍ୟରେ ବସବାସ କଲେ । ନମ୍ରତା, ପାରିବାରିକ ମୂଲ୍ୟବୋଧ ଓ ବୃହତ୍ତର ବିଶ୍ୱରୁ ନିଜକୁ ଅଲଗା ରଖିବା ଆଦି ସେମାନଙ୍କ ଧାର୍ମିକ ବିଶ୍ୱାସର ଅଙ୍ଗ । ଚାରିପଟେ ଉଦ୍ୟୋଗ, ଶିଳ୍ପ ଆଦିର ସକଳ ସମୃଦ୍ଧି ଓ ଜୀବନର ତଥାକଥିତ ପ୍ରଗତି ଭିତରେ ସେମାନେ ତଥାପି ଇତିହାସରେ ନିଜକୁ ବନ୍ଦୀ କରି ରଖିଛନ୍ତି । ଆଧୁନିକ ପ୍ରଗତିକୁ ଅସ୍ୱୀକାର କରି ଏକ ବିକଳ୍ପ ଅଣ-ଉଦ୍ୟୋଗବାଦୀ ଜୀବନର ନମୁନା ହିସାବରେ ଆମିଶ୍‌ମାନେ ଆମେରିକୀୟ ବିବିଧତା ଓ ସହନଶୀଳତାର ପ୍ରତୀକ ହେଇ ରହିଛନ୍ତି ।

 

ବିବିଧତା ସନ୍ଦର୍ଶନ କରିଥିଲେ ବି ବୋଧହୁଏ କେତେକ କାରଣରୁ ଚିତ୍ତରଞ୍ଜନ ଦାସ ଆମେରିକାର ସାମ୍ପ୍ରତିକ ସାମାଜିକ ସ୍ଥିତିର ଉପଯୁକ୍ତ ବ୍ୟାଖ୍ୟା କରିପାରିନାହାନ୍ତି । ଅତୀତରେ ଲୋହିତ ଭାରତୀୟମାନଙ୍କୁ ଏତେ ଅତ୍ୟାଚାର କରାଯାଇଛି, କଳାଲୋକଙ୍କୁ ଏତେ ହଟହଟା କରାଯାଇଛି, ତେବେ ଖୁବ୍‌ ଯୁକ୍ତି ସଂଗତ ଭାବରେ ଆମେ ବର୍ତ୍ତମାନ ସେମାନେ କିପରି ଅଛନ୍ତି ବୋଲି ଜାଣିବାକୁ ଚାହିଁବା । ଲୋହିତ ଭାରତୀୟମାନଙ୍କ ରିଜର୍ଭ, ମୁଖ୍ୟସ୍ରୋତ ସହ ସେମାନଙ୍କର ସମ୍ପର୍କ, ପପ୍‌ କଲ୍‌ଚର୍‌ରେ ସେମାନଙ୍କର ଚିତ୍ରଣ ସମ୍ପର୍କରେ ପାଠକ ଖୁବ୍‌ ସ୍ୱାଭାବିକ ଭାବରେ ଆଶା କରିଥାନ୍ତା । ଠିକ୍‌ ସେହିଭଳି କଳାଲୋକଙ୍କ ଅତୀତ ନିର୍ଯ୍ୟାତନାର ଇତିହାସ ଅତି ପ୍ରାଞ୍ଜଳ ଭାବେ ବର୍ଣ୍ଣିତ ହୋଇଥିଲେ ବି ସେମାନଙ୍କର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଚିତ୍ର ‘ଆମେରିକାରୁ ଆସିଲି’ରେ ନାହିଁ । Civil Rights Movement ଯୋଗୁଁ କଳାଲୋକଙ୍କ ମାନବିକ ଅଧିକାରର ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି ସତ, ହେଲେ ଅନେକ ଦୃଷ୍ଟିରୁ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ ହୋଇପାରି ନାହାନ୍ତି । ଖେଳକୁଦ, ନୃତ୍ୟଗୀତ ଆଦି ମନୋରଞ୍ଜନ ଶିଳ୍ପରେ ନିଜକୁ ଜାହିର କରି ସେମାନେ ସତେ ଯେମିତି ଏକ କ୍ଷତିପୂରଣ ଲାଭ କରିଛନ୍ତି । ସେମାନଙ୍କୁ ଏକ Stereotype ରେ ବାନ୍ଧି ରଖାଯାଇ ସାଧାରଣ ଜନଜୀବନରୁ ବହିଷ୍କୃତ କରାଯାଇଛି ବୋଲି John Hope Franklin ଙ୍କ ଭଳି ଦାର୍ଶନିକମାନେ ଅଭିଯୋଗ କରିଛନ୍ତି । ସମସ୍ତ ପ୍ରାଚୁର୍ଯ୍ୟ ଭିତରେ ବି dominant ideology କୁ ସମର୍ଥନ କରୁନଥିବା ବା କୌଣସି କାରଣରୁ ସେଥିରେ ସାମିଲ୍‌ ହୋଇପାରୁ ନଥିବା ଲୋକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ମଧ୍ୟ ଚିତ୍ତରଞ୍ଜନ ଦାସ ଆଲୋକପାତ କରିପାରିନାହାନ୍ତି, ଆମେରିକାରେ ବାସଗୃହ, ନିୟମିତ ରୋଜଗାର, ପରିବାର ଇତ୍ୟାଦି ସର୍ବନିମ୍ନ ଆବଶ୍ୟକତା ନଥିବା ଅନେକ ଲୋକ ଅଛନ୍ତି । ଏକ କଥାକଥିତ ସମୃଦ୍ଧ ସମାଜରେ ସେମାନଙ୍କର ଦୁର୍ଦ୍ଦଶା ଆମ ଭଳି ନିମ୍ନ ମଧ୍ୟବିତ୍ତ ଭାରତୀୟଙ୍କ ପାଇଁ ମଧ୍ୟ ଅକଳ୍ପନୀୟ । ଏକ ପୁଞ୍ଜିବାଦୀ, ପ୍ରତିଯୋଗିତା ସର୍ବସ୍ୱ ସମାଜରେ ଏମାନଙ୍କ ମାନବିକ ସ୍ଥିତି ଅତ୍ୟନ୍ତ ସଙ୍କୁଚିତ ହେଇଯାଇଛି । Salvation Army ଭଳି କେତେକ ସ୍ୱେଚ୍ଛାସେବୀ ସଂଗଠନ ନଥିଲେ ହୁଏତ କେବଳ ଜଳବାୟୁର ପ୍ରଭାବରେ ଅନେକ ଆମେରିକୀୟ ନାଗରିକ ପ୍ରତିବର୍ଷ ମୃତ୍ୟୁମୁଖରେ ପଡ଼ନ୍ତେ । ସେମାନେ ଆଜି ପର୍ଯ୍ୟନ୍ତ ଆମେରିକାର ସମୃଦ୍ଧି ଓ ସମାଜର ଆର୍ଥନୀତିକ-ବନ୍ଦୋବସ୍ତ ପ୍ରତି ଉପହାସ ହେଇ ରହଛନ୍ତି । ବୋଧହୁଏ, ତାଙ୍କର ରହଣି କାଳରେ ଚିତ୍ତରଞ୍ଜନ ଦାସ ଆମେରିକାର ମଧ୍ୟବିତ୍ତମାନଙ୍କର ଅତିଥି ହେଇ ରହିଛନ୍ତି । ନିଜର ସ୍ୱଳ୍ପ ରହଣି କାଳରେ ଆମେରିକାକୁ ଦେଖିବାକୁ ସେଇ ମଧ୍ୟବିତ୍ତର ଅବଲୋକନ ବିନ୍ଦୁ ଦ୍ୱାରା ନିୟନ୍ତ୍ରିତ ହେଇଛନ୍ତି । ଠିକ୍‌ ସେଇଥିପାଇଁ ଆମେରିକୀୟ ସର୍ବଗ୍ରାସିତାର ସନ୍ତକ departmental store ତାଙ୍କ ପାଇଁ ଆମେରିକାର ଗୋଷ୍ଠୀ ଜୀବର ପ୍ରତୀକ ହେଇପଡ଼ିଛି । ବିପଣୀ ହିଁ ଯୌଥ ଜୀବନର ସାମଗ୍ରିକ ନିଃସଙ୍ଗତାକୁ କେତେକ ପରିମାଣରେ ଦୂରୀଭୂତ କରୁଛି । ପୃଥିବୀ ଯାକର ସବୁଯାକ ଭଲ ଭଲ ଜିନିଷକୁ ସଂଗ୍ରହ କରି ଆମେରିକାର ଗ୍ରାସପିପାସୁମାନଙ୍କ ମୁହଁରେ ମେଲିଦେବା ସେଠାକାର ବଜାର-ସର୍ବସ୍ୱ ଅର୍ଥନୀତିର ଏକ ଚରମ ସାଫଲ୍ୟ । ଚିତ୍ତରଞ୍ଜନ ଦାସ ସେଥିରେ ବିମୋହିତ ହୋଇଛନ୍ତି । ହୁଏତ ଭୋଗଲିପ୍‌ସୁ ଅଥଚ ସୁଯୋଗହୀନ ଅନେକ ଦରିଦ୍ର ଭାରତୀୟମାନଙ୍କ ପାଇଁ ସେ ସେହିଭଳି ଏକ ସହଜଲଭ୍ୟ ବିପଣୀର ଆଶା କରିଛନ୍ତି । ତଥାପି ଏହି ବିପଣୀମାନଙ୍କ ସଫଳତା ପଛରେ ଥିବା ଉପନିବେଶବାଦୀ ମନୋବୃତ୍ତି ଓ ଶୋଷଣର ଇତିହାସ ପ୍ରତି ଉଦାସୀନ ରହିଛନ୍ତି । ଆମେରିକାର ବିପଣୀ ଓ ଗ୍ରାସ-ପିପାସା ମେଣ୍ଟାଇବା ପାଇଁ କେତେ କେତେ ଦେଶର ପାରମ୍ପରିକ କୃଷି ବ୍ୟବସ୍ଥା ହଟହଟା କରିଦିଆଯାଇଛି । Mono-cultural cropping ଅର୍ଥନୀତି ଉଜାଡ଼ି ଦିଆଯାଇଛି । ସେଠାକାର ଜନଜୀବନକୁ ବିପର୍ଯ୍ୟସ୍ତ କରିଦିଆଯାଇଛି । ତା’ର ଅନେକ ହିସାବ ଏବେ ଲୋକଲୋଚନକୁ ଆସିଲାଣି । କଦଳୀ ଚାଷ ଦ୍ୱାରା ଉଜୁଡ଼ି ଯାଇଥିବା ଏକ ଲାଟିନ୍‌ ଆମେରିକୀୟ ଦେଶର କାହାଣୀ । ନୋବେଲ୍‌ ପୁରସ୍କାର ଦ୍ୱାରା ଉଜୁଡ଼ି ଯାଇଥିବା ଏକ ଲାଟିନ୍‌ ଆମେରିକୀୟ ଦେଶର କାହାଣୀ । ନୋବେଲ୍‌ ପୁରସ୍କାର ପ୍ରାପ୍ତ ଲେଖକ ମିଗୁଏଲ୍‌ ଆସ୍ତୁରିଆସ୍‌ଙ୍କ ‘The Cyclone’ ନାମକ ଉପନ୍ୟାସରେ ମିଳିପାରିବ ।

 

ବିପଣୀ-ସଂସ୍କୃତିର କାର୍ଯ୍ୟଦକ୍ଷତା ବର୍ଣ୍ଣନା କଲାବେଳେ ତା’ର ଅନ୍ତରାଳରେ ଥିବା ଶୋଷଣ ପ୍ରବୃତ୍ତି ଓ ଉପନିବେଶବାଦୀ ମନୋବୃତ୍ତି ସମ୍ପର୍କରେ ଚିତ୍ତରଞ୍ଜନ ଦାସ ସୂଚନା ଦେଇନାହାନ୍ତି ସତ, କିନ୍ତୁ ଆମେରିକୀୟ ଭୋଗ-ପିପାସା ସମ୍ପର୍କରେ ଏକ ତୀର୍ଯ୍ୟକ ଦୃଷ୍ଟିପାତ କରିଛନ୍ତି । ସାହିତ୍ୟ ରଚନା କଲାବେଳକୁ କୌଣସି ପ୍ରକାର ବୁଲେଇ ବଙ୍କେଇ ବର୍ଣ୍ଣନାକୁ ନିଜର ପ୍ରବନ୍ଧମାନଙ୍କରେ ନିରୁତ୍ସାହିତ କରୁଥିବା ଚିତ୍ତରଞ୍ଜନ ଦାସ ଆମେରିକାର ମୋଟାଲୋକଙ୍କ ବର୍ଣ୍ଣନା ମଧ୍ୟଦେଇ ସେଇ ଭୋଗ-ପିପାସାର ନକାରାତ୍ମକ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି କି ? ଶ୍ଳେଷର କଥା ଯେ, ସେଇ ମୋଟାଲୋକଙ୍କ ବର୍ଣ୍ଣନା ହିଁ ସମସ୍ତ ବୁଲାବଙ୍କା ସତ୍ତ୍ୱେ ଅଧିକ କଳାତ୍ମକ ଭାବେ ସାମ୍ପ୍ରତିକ ଆମେରିକାର କେତେକ ଅସହାୟତାକୁ ତୋଳି ଧରିଛି ।

 

‘‘ଇଏ ପ୍ରକୃତରେ ଏକ ବିଚିତ୍ର ସ୍ୱପ୍ନ : ଗୋଟାଏ ଆଡ଼େ ଯେତିକି ବଢ଼ି ବଢ଼ି ଓ ମାଡ଼ି ମାଡ଼ି ଯାଉଥିବ, ଆଉ ଗୋଟାଏ ଆଡ଼େ ସେହିପରି କିଛି ବିଗିଡ଼ି ଯାଉଥିବ । ସମ୍ପତ୍ତିରେ, ଶରୀରରେ, ସମରକ୍ଷମତାରେ ଏବଂ ସାମୂହିକ ଭ୍ରମ ବିଶ୍ୱାସଗୁଡ଼ିକରେ ମେଦବୃଦ୍ଧି ହେବାରେ ଲାଗିଥିବ । ପୃଥିବୀଯାକରେ ଆମେରିକା ସବା ଆଗରେ ରହିଛି ବୋଲି ତୁମେ ଗର୍ବରେ ଓ ଗାରିମାରେ ପ୍ରାୟ ଫାଟି ପଡ଼ୁଥିବ, ତଥାପି ଭିତରେ ତୁମକୁ କ’ଣ ସବୁ ଛାଡ଼ି ଚାଲିଯାଉଥିବ, ଯାହାର ପୂରଣ କରିପାରିବା ପାଇଁ ତୁମ ପାଖରେ ବୁଦ୍ଧି ନଥିବ । The American Dream ଓ The American way of life କୁ ଯଥାସମ୍ଭବ ସମଗ୍ରଭାବରେ ଦେଖିବାକୁ ଚେଷ୍ଟା କରୁଥିବା ସମୟରେ ଗୋଟିଏପାଖରେ ଯେତିକି ଖୁସି ଲାଗେ, ଆଉ ଗୋଟିଏପାଖରେ ଏକ ପ୍ରକାରର ବିଷାଦ ସତେ ଅବା ଆଚ୍ଛନ୍ନ କରି ଆଣିଲା ପରି ମନେ ହୋଇଥାଏ’’ । (ପୃ. ୧୭୯-୧୮୦)

 

ପରିବେଶବାଦୀ ଦର୍ଶନିତତ୍ତ୍ୱରେ ଗୋଟିଏ ଆପ୍ତବାକ୍ୟ ଭାରି ଦୋହରା ଯାଇଥାଏ । ସେଇଟି ହେଲା, ‘Live lightly on earth’, ଅର୍ଥାତ୍‌ ଆପଣ ବଞ୍ଚୁଥିବା ଜୀବନଟି ପୃଥିବୀ ଉପରେ ଭାରି ବୋଝ ନ ହେଉ । ସେ ତତ୍ତ୍ଵ ଅନୁଯାୟୀ ସବୁ ଜୀବନ ଏ ବିଶ୍ଵ ପାଇଁ ଗୋଟିଏ ଗୋଟିଏ ବୋଝ । ତେଣୁ ନିଜ ଜୀବନଟି ରକ୍ଷା କରିବା ପାଇଁ ପୃଥିବୀ ଉପରେ ନିଜ ଦାବିକୁ ସର୍ବନିମ୍ନ କରିବା ହିଁ ଆଦର୍ଶ ଏବଂ ସେହି ଆଦର୍ଶ ଦ୍ୱାରା ପରିବେଶର ଭାରସାମ୍ୟ ରକ୍ଷା କରାଯାଇ ପାରିବ । ଆମେରିକାର ବିପଣୀ, ମୋଟାଲୋକ, ସେ ଦେଶର ବିରାଟ ବିରାଟ ଶିଳ୍ପପତି ଓ ଜନମାନଙ୍କର ଜୀବନ ପ୍ରଣାଳୀ ଲକ୍ଷ୍ୟକଲେ ଆମେରିକାର ଯୌଥଜୀବନ ଏ ଆଦର୍ଶଟିକୁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଇଥିବାର ମନେହୁଏ । ସେଥିପାଇଁ ଉପରେ ଯେତେ ଚକ୍‌ଚକ୍‌ ଦିଶୁଥିଲେ ବି ଅନ୍ତ ଭିତରୁ ସାରଗୁଡ଼ିକ ହଜି ହଜି ଯାଉଥାଏ । ମୋଟା ଲୋକଙ୍କ ଅସହାୟତା କଥା କହୁ କହୁ ଚିତ୍ତରଞ୍ଜନ ଏଇ ସତ୍ୟପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି କି ?

 

ଭାରତବର୍ଷରୁ ଓ ଆମ ଓଡ଼ିଶାରୁ ଯାଇ ସେଠାରେ ନାଗରିକ ହେଇଥିବା ଲୋକମାନଙ୍କ ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲାବେଳେ ଚିତ୍ତରଞ୍ଜନଙ୍କର ସେଇ ଅସଲ ଉଦ୍ଦେଶ୍ୟଟି ଆହୁରି ଉକୁଟି ଉଠେ । ‘‘ଆମେରିକାର ଆକର୍ଷଣରେ ଆମେରିକାକୁ ଆସିଥିଲେ ହୁଏତ ବ୍ୟାପାରଟି ଅନ୍ୟ ପ୍ରକାରର ହୋଇଥାନ୍ତା । ଆମେରିକାକୁ ଆସି ଧନରେ ଅଥବା ଖ୍ୟାତି ଅର୍ଜ୍ଜନରେ ସିଦ୍ଧିଲାଭ କରିବା ଯଦି ମୁଖ୍ୟ ପ୍ରସଙ୍ଗ ହୁଏ, ତେବେ ପରିଣାମ ନିଶ୍ଚୟ ଯାହା ଅଧିକାଂଶ ଭାରତୀୟଙ୍କ ଜୀବନରେ ଆମେରିକାରେ ହୋଇଛି, ଅନେକତଃ ତାହା ହିଁ ହେବ’’ । (ପୃ-୨୩୫)

 

ଭାରତବର୍ଷ ଓ ଆମ ଓଡ଼ିଶାରୁ ଯାଇଥିବା ପ୍ରଫେସନାଲ୍‌ମାନେ ସତକୁ ସତ ଆମେରିକାର ଚକ୍‌ଚକ୍‌ ଦିଶୁଥିବା ବାହ୍ୟଜୀବନ ପ୍ରତି ଅଧିକ ନିଷ୍ଠା ଦେଖାଇଥାନ୍ତି । ଅଧିକାଂଶ ଭାରତୀୟ ଓ ଓଡ଼ିଆ ଆମେରିକୀୟ ମୂଳ ସଂସ୍କୃତି, ସେଠିକାର ସାହିତ୍ୟର ପ୍ରତିବାଦ ଓ ବିକଳ୍ପ-ସନ୍ଧାନୀ ପରମ୍ପରା, ସେଠାକାର ମାନବ ଅଧିକାର ପାଇଁ ସଂଗ୍ରାମର ଇତିହାସ ସମ୍ପର୍କରେ ଅବଗତ ନୁହଁନ୍ତି ।

 

ସେମାନେ ସମୃଦ୍ଧି ଓ ମୋଟେଇବାର ମୂଳସ୍ରୋତରେ ସାମିଲ୍‌ ହୋଇଯାନ୍ତି । ସେଠାକାର ସାମୂହିକ ଭ୍ରାନ୍ତି ଓ ଭ୍ରମବିଶ୍ୱାସଗୁଡ଼ିକୁ ଆପଣେଇ ନିଅନ୍ତି । ଅନେକ ତ ଆଫ୍ରିକୀୟ-ଆମେରିକୀୟମାନଙ୍କ ଇତିହାସ ସମ୍ପର୍କରେ ଅବଗତ ନହୋଇ ସେମାନଙ୍କୁ ଅନ୍ୟ ସାଧାରଣ ଆମେରିକାନ୍‌ ଭଳି ଅଳସୁଆ ଓ ଅପରାଧ-ପ୍ରବଣ ବୋଲି ଘୃଣା କରିଥାନ୍ତି । ଅଥଚ ସେମାନେ ନିଜେ ଭୋଗ କରୁଥିବା ମାନବୀୟ ଅଧିକାର ଓ ସାମାଜିକ ସାମ୍ୟ, ସେହି ଆଫ୍ରିକୀୟ-ଆମେରିକୀୟମାନଙ୍କର ଦୀର୍ଘ ସଂଗ୍ରାମ, ଆତ୍ମତ୍ୟାଗର ଫଳ । କେବଳ ଧନ ଓ ଖ୍ୟାତିଲାଭର ସଂକୀର୍ଣ୍ଣ ଗଣ୍ଡି ଭିତରେ ନିଜକୁ ନିବୁଜ କରିଥିବା ଭାରତୀୟ ଓ ଓଡ଼ିଆମାନେ ନିଜେ ସଚେତନ ହୋଇନଥିଲେ ବି ଏକ ପ୍ରକାର ‘ନିଃସଙ୍ଗତା’ ଅନୁଭବ କରିଥାନ୍ତି ବୋଲି ଚିତ୍ତରଞ୍ଜନ ନିର୍ଣ୍ଣୟ କରିଛନ୍ତି । ସେଇ ‘ନିଃସଙ୍ଗତା’ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପୌତ୍ତଳିକତାର ହାବୁଡ଼ରେ ପଡ଼ନ୍ତି । ଅନ୍ତରରୁ ସାରଗୁଡ଼ିକୁ ଶୂନ୍ୟ କରିଦେବା ପରେ ବିଭିନ୍ନ ପୌତ୍ତଳିକତାକୁ ଉତ୍ସାହର ସହ ପାଳନ କରିହୁଏ ସତ, ହେଲେ ଅସଲ ଆଧ୍ୟାତ୍ମର ସ୍ପର୍ଶ ମିଳେ ନାହିଁ ।

 

ସଫଳତା କହିଲେ ଏକାବେଳକେ ଏକ ଅନ୍ୟ ଉପଲବ୍ଧିକୁ ବୁଝାଏ । ମନୁଷ୍ୟମାନେ ସଚରାଚର ନିଜର ବ୍ୟକ୍ତିଗତ କୌଣସି ଅଭୀଷ୍ଟକୁ ପୂରଣ କରିବା ପାଇଁ ଦେବତାମାନଙ୍କର ପରିତୋଷଣ କରିବାକୁ ଯାଇ ଯେଉଁ ପୂଜାବିଧିଗୁଡ଼ିକର ଆଚରଣ କରିଥାନ୍ତି ଏବଂ ଯେଉଁ ଆଚରଣଟି ଭିତରେ ବାନ୍ଧି ହୋଇ ରହି କେବଳ ନିଜର ଲାଭ ଓ ନିଜର ପୁଣ୍ୟସିଦ୍ଧି ବ୍ୟତୀତ ଆଉ ପ୍ରାୟ କିଛି ହେଲେ ଦେଖିପାରନ୍ତି ନାହିଁ, ସେଥିରେ ଭୀରୁଟା ହିଁ ମଙ୍ଗୁଆଳ ହୋଇ ବସିଥାଏ ଏବଂ, ଯେଉଁ ଧର୍ମର ବେଢ଼ଣ ଭିତରେ ରହିଥିଲେ ମଧ୍ୟ ଭୀରୁ ଓ ଆତ୍ମକାମୀମାନେ କଦାପି କୌଣସି ଆଧ୍ୟାତ୍ମର ଭାଜନ ହୋଇପାରନ୍ତି ନାହିଁ । ତେଣୁ ସାଂସାରିକ ସଫଳତା ପରେ କିମ୍ବା ଅଧିକ ସାଂସାରିକ ସଫଳତା ଲାଭ କରିବା ନିମନ୍ତେ ଯେଉଁଠି ଧର୍ମାର୍ଚ୍ଚନାର ଆଶ୍ରୟ ନିଆଯାଏ, ସେଥିରେ ସ୍ୱୟଂ ସିଦ୍ଧିକାମୀ ମଣିଷଟା ହିଁ ଏତେବେଶି ଜାଗା ମାଡ଼ି ବସିଥାଏ ଯେ, କୌଣସି ଭଗବାନଙ୍କ ପାଇଁ ସେଠାରେ ହୁଏତ ଫୁଟେ ଜାଗା ବି ନଥାଏ । ଆମେରିକାରେ ବାସ କରୁଥିବା ଭାରତୀୟମାନେ ଏବେ ସତେ ଅବା ଅଧିକ ବିଧିନିଷ୍ଠା ସହିତ ପୂଜାର୍ଚ୍ଚନାଦି କରିବାରେ ମନ ଦେଉଛନ୍ତି । ଭାରତରେ ସେମାନଙ୍କର ନିଜ ଘରେ ହୁଏତ ସେମାନଙ୍କର ପୂର୍ବବର୍ତ୍ତୀ ପୁରୁଷଟି ପ୍ରଧାନତଃ ଅର୍ଥାଭାବ ହେତୁ ଯାହା କରିବାକୁ ଆଦୌ ମନାସ କରିପାରୁ ନଥିଲେ, ସେମାନେ ଭାଗ୍ୟଶାଳୀ ହୋଇ ଆମେରିକାରେ ତାହା କରିପାରୁଛନ୍ତି । ହାତକୁ ପଇସା ଆସିବା ପରେ ପୃଥିବୀରେ ଧର୍ମାଚରଣଗୁଡ଼ିକୁ ପ୍ରାୟ ଏକ ପ୍ରଫେସନାଲ୍‌ ଉତ୍ସାହରେ କିପରି ଏହି ସର୍ବସ୍ୱ ଏକ ବେପାରରେ ପରିଣତ କରି ରଖାଯାଇଛି ଆମେରିକାରେ ଭାରତୀୟମାନଙ୍କ ଘରୁ ମଧ୍ୟ ତାହାର ଦୃଷ୍ଟାନ୍ତ ମିଳିଯାଇ ପାରିବ । (ପୃ. ୨୪୨-୨୪୩)

 

ଭାରତୀୟଙ୍କ କ୍ଷେତ୍ରରେ ଯାହା, କ୍ଷୁଦ୍ରତର ଭାବରେ ଓଡ଼ିଆମାନଙ୍କ କ୍ଷେତ୍ରରେ ଠିକ୍‌ ସେହିକଥା ଉପଲବ୍ଧ କରିଛନ୍ତି ଚିତ୍ତରଞ୍ଜନ ଦାସ ।

 

ଓଡ଼ିଶାରୁ ଯେଉଁମାନେ ଆମେରିକା ଯାଏ ଯାଇଛନ୍ତି, ସେମାନେ ନିଜ ଘରୁ ଆମେରିକାର କୁବେର ରୂପଟାକୁ ଦେଖି ସବାଆଗ ତାହାରି ଦ୍ୱାରା ହିଁ ମୁଗ୍ଧ ହୋଇ ସେଠାକୁ ଯାଇଛନ୍ତି । ସେମାନେ ସମ୍ପନ୍ନତା ଅର୍ଜନ କରିବାକୁ ଯାଇଛନ୍ତି । ଆମେରିକାରେ ସଫଳ ହେବା ନିମନ୍ତେ ସେଠାକୁ ଯାଇଛନ୍ତି । ଆମେରିକାରେ ବସବାସ କରି ରହୁଥିବା ସମୟରେ ସେମାନେ ଦୈନନ୍ଦିନ ଜୀବନର ବିବିଧ ବେହରଣରେ ଯେଉଁ ଆମେରିକାକୁ ଭେଟୁଥିବେ, ସେଇଟା ହେଉଛି ଗୁଳାର ଆମେରିକା ଏବଂ ବିକଳ୍ପ ଅନ୍ୟ ଆମେରିକାଟିର ମୁହାଁମୁହିଁ ହେବାଲାଗି ସେମାନଙ୍କୁ ହୁଏତ ଆଦୌ କୌଣସି ଅବକାଶ ମିଳୁନଥିବ । ସେମାନେ ସମ୍ଭ୍ରାନ୍ତ ଆମେରିକାଟି ସହିତ ଅତ୍ୟନ୍ତ ଅଙ୍ଗାଙ୍ଗୀ ଭାବରେ ଛନ୍ଦି ହୋଇ ଯାଇଥିବେ ଏବଂ ତାହାରି ଭିତରେ ରହିଁ ହିଁ ଉଶ୍ୱାସ ଅନୁଭବ କରୁଥିବେ । ସେଠାରେ ମଧ୍ୟ ବିକଳ୍ପ ପ୍ରାୟ ସମାନ ହେଉଛି ବୋଲି ସେମାନଙ୍କର ଗୋଚରକୁ ମଧ୍ୟ ଆସୁନଥିବ । (ପୃ. ୨୭୪)

 

ପୁଣି, ‘‘ସମ୍ପନ୍ନତା ଓ ସଫଳତା ଅର୍ଜ୍ଜନ କରିବା ନିମନ୍ତେ ଆମେରିକାର ଜୀବନହାଟରେ ଯାଇ ପହଞ୍ଚିଥିବା ମନୁଷ୍ୟଟି ଗୁଳାରେ ଚାଲିବାକୁ ହିଁ ସର୍ବଦା ନିରାପଦ ଅବଶ୍ୟ ମଣିବ’’ (ପୃ. ୨୭୫) ଗୁଳାକୁ ଆଦରି ନେଇଥିବା ମଣିଷ ସହାନୁଭୂତି ପ୍ରକାଶ କରେ, ଅନୁକମ୍ପାଶୀଳ ହୋଇପାରେ ହୁଏତ; କିନ୍ତୁ ନିଜକୁ ନିବୁଜ କରି ରଖିବାର ଆବଶ୍ୟକତା ଦୃଷ୍ଟିରୁ ସମସ୍ୟାମାନଙ୍କ ସମ୍ପର୍କରେ ତା’ର ଧାରଣାଟି ଖଣ୍ଡିଆ ହୋଇ ରହିଥାଏ । ତେଣୁ ଆମେରିକାର ଓଡ଼ିଆମାନେ ଏଯାବତ୍‌ ଓଡ଼ିଶାର ନିର୍ମାଣରେ ବିଶେଷ ଭାଗୀଦାର ହୋଇପାରନ୍ତି ନାହିଁ, ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ପାଇଁ ତଳସ୍ତରୁରୁ ନିର୍ମାଣର ଆବଶ୍ୟକତା ରହିଛି ଏବଂ ଏହି ନିର୍ମାଣ ପାଇଁ ସବା ଆଗ ଗୁଳାଗୁଡ଼ିକୁ ଭାଙ୍ଗିବା ଲୋଡ଼ା । ଗୁଳାଗୁଡ଼ିକ ସହ ସାଲିସ୍‌ କରି ସମ୍ପନ୍ନତା ହାସଲ କରିଥିବା ଆମେରିକୀୟ ଓଡ଼ିଆ ସତରେ କି ପ୍ରକାର ଓଡ଼ିଶାର କାମରେ ଲାଗନ୍ତେ ?

 

ବଦାନ୍ୟତାର ଅତ୍ୟୁତ୍ସାହରୁ ବାହାରି ଆସି ସହାନୁଭୂତିଶୀଳ ହେବାପାଇଁ ମଣିଷ ହେବା ପାଇଁ ଚିତ୍ତରଞ୍ଜନ ଆମେରିକାର ଓଡ଼ିଆମାନଙ୍କୁ ଆହ୍ୱାନ କରିଛନ୍ତି । ସେଇମାନଙ୍କ ମଧ୍ୟ ଦେଇ ସମସ୍ତଙ୍କୁ ମଧ୍ୟ ଏଇ ଆହ୍ୱାନଟି ଦେଇଛନ୍ତି ଏବଂ ଏହା ଅସଲ ସାହିତ୍ୟର ଆହ୍ୱାନ । ଏହି ଚିରନ୍ତନ ଆହ୍ୱାନଗୁଡ଼ିକର ଭୋଟାଭେଟି ହେବା ଲାଗି ଆମେରିକା ତାଙ୍କୁ କ୍ଷେତ୍ର ଯୋଗାଇଛି । ସଚ୍ଚା ତୀର୍ଥଯାତ୍ରୀ, ଯେତେ ଯୁଆଡ଼େ ଭ୍ରମୁଥିଲେ, ସେ ଭ୍ରମଣର ବୃତ୍ତାନ୍ତଗୁଡ଼ିକୁ ଲେଖୁଥିଲେ ବି ଏଇ ଚିରନ୍ତନ ଆହ୍ୱାନଗୁଡ଼ିକୁ ଆପଣାର ଦିକ୍‌ମଣ୍ଡଳରେ ପ୍ରତ୍ୟକ୍ଷ କରୁଥାଏ । ଆମେରିକୀୟ ବିବିଧତା, ଅତୀତର ବର୍ବରତାପୂର୍ଣ୍ଣ ଇତିହାସ, ସାମ୍ପ୍ରତିକ ସାମାଜିକ ଅସମତା, ଆମେରିକୀୟ ରାଷ୍ଟ୍ରର କ୍ଷମତା-ନିଶା, ତା’ର ଅସ୍ତ୍ରାଗାର, ସାହୁକାର ପଣିଆ ସତ୍ତ୍ୱେ ସହୃଦୟ ତୀର୍ଥଯାତ୍ରୀ ତଥାପି ଆମେରିକାର ‘ଗଣତନ୍ତ୍ର ବ୍ୟବସ୍ଥା’, ‘ବିକଳ୍ପ ଖୋଜିବାର ସାମର୍ଥ୍ୟ’ ଇତ୍ୟାଦିକୁ ସେଇ ଆହ୍ୱାନଗୁଡ଼ିକ ପାଇଁ ପାଥେୟ ପାଇଯାଏ । ଚିତ୍ତରଞ୍ଜନ ଦାସ ସେଇ ପାଥେୟଗୁଡ଼ିକୁ ଆପଣାର ଚିତ୍ତ ବୋଇତରେ ବୋଝେଇ କରି ପୁରୁଣା ଯୁଗର ‘ସାଧବ’ ଭଳି ଓଡ଼ିଶାକୁ ଫେରିଛନ୍ତି । ତାଙ୍କ ଭ୍ରମଣ ବୃତ୍ତାନ୍ତ ଆମ ସମସ୍ତଙ୍କ ପାଇଁ ଚିତ୍ତ-ପ୍ରସାରକ ଏକ ‘ଧନଭର୍ତ୍ତି ବୋଇତ’ ହୋଇ ରହିବ । ମନକଲେ ସେ ବୋଇତରେ ଆମେ ଆଶା ଓ ବିଶ୍ୱାସର ସନ୍ଦେଶ ନେଇ ଆମେରିକାର ଚିତ୍ତ ଯାଏଁ ପହଞ୍ଚି ପାରୁଥିବା । ଅଧିକତର ନିଷ୍ଠାର ସହ ଚେଷ୍ଟା କଲେ ଆମେରିକା ମଧ୍ୟଦେଇ ସମଗ୍ର ବିଶ୍ୱ, ସମଗ୍ର ବିଶ୍ୱର ମଣିଷମାନଙ୍କ ହୃଦୟ ପର୍ଯ୍ୟନ୍ତ ପହଞ୍ଚି ଯାଇପାରୁଥିବା, ‘‘ଆମ ସମସ୍ତଙ୍କର ଏହି ବୃହତ୍ତର ଘରଟିକୁ ଆବିଷ୍କାର କରୁଥିବା, ହୃଦୟର ବାଡ଼ି ପକାଇ ତାହାକୁ ଛୁଇଁ ପାରୁଥିବା, କଥାକଥିତ ଦୂରମାନଙ୍କୁ ଆମ ନିଜ ଅଗଣାଟିକୁ ଆମନ୍ତ୍ରଣ କରି ଆଣି ପାରୁଥିବା । ପୃଥିବୀରେ ଏତେ ଏତେ ଭାଷା, ଏତେ ଏତେ ସଂସ୍କୃତି, ଏତେ ଏତେ ଶୈଳୀ ମଧ୍ୟ ଦେଇ ଯେଉଁ ବୈଚିତ୍ର୍ୟ ଉତ୍ସବ ଜମାଇ ବ୍ୟାପ୍ତ ହୋଇ ରହିଛି, ଆମେ ସେହି ଉତ୍ସବଟିରେ ସାମିଲ୍‌ ହେଉଥିବା ।’’ (ପୃ. ୨୭୮-୨୭୯)

 

 

କରୁଣା ନିବାସ, ମକରବା ସାହି,

କଟକ – ୧

 

***

 

ଗର୍ଭଧାରିଣୀ

ସମୀକ୍ଷା : ଯୁଗଳ କିଶୋର ଦତ୍ତ

 

ବିଂଶ ଶତାବ୍ଦୀର ଯେଉଁ କେତେଜଣ ଔପନ୍ୟାସିକ ବଙ୍ଗଳା ସାହିତ୍ୟରେ ନୂଆ ସାହିତ୍ୟ ସୃଷ୍ଟି କରିଛନ୍ତି, ସମରେଶ ମଜୁମ୍‌ଦାର ସେମାନଙ୍କ ମଧ୍ୟରେ ଅନ୍ୟତମ । ସେ ଜଣେ ଗାଳ୍ପିକ ଓ ଔପନ୍ୟାସିକ । ତାଙ୍କର ସାତବାହନ, ଉତ୍ତରାଧିକାର, କାଳପୁରୁଷ, କାଳବେଳା ଓ ଗର୍ଭଧାରିଣୀ ଭଳି କାଳଜୟୀ ଉପନ୍ୟାସ ଲେଖି ପାଠକ ମହଲରେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ।

 

ଜନ୍ମ ୧୯୪୨ ମସିହା । ପିଲାଦିନ ବିତି ଯାଇଛି ଜଳପାଇଗୁଡ଼ିର ତୁୟାର୍ସର ଚା’ ବଗିଚାରେ । ସେ ପ୍ରଥମେ ନାଟକ ଲେଖି ପରେ ଗାଳ୍ପିକ ଓ ଔପନ୍ୟାସିକ ଭାବରେ ସୁପରିଚିତ । ତାଙ୍କର ପ୍ରତ୍ୟେକ ଉପନ୍ୟାସର ବିଷୟ ଗଳ୍ପ କହିବାର ଭଙ୍ଗି, ଆଙ୍ଗିକ ଗତାନୁଗତିକତା ଠାରୁ ମୁକ୍ତ । ତେଣୁ ବଙ୍ଗଳା ସାହିତ୍ୟର ପାଠକ ପାଠିକାମାନଙ୍କ ପାଖରେ ସେ ନିଜର ଆସନ ସୃଷ୍ଟି କରିପାରିଛନ୍ତି-। ୧୯୮୪ ମସିହାରେ ‘କାଳବେଳା’ ଉପନ୍ୟାସ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି । ତାଙ୍କ ଅନନ୍ୟ ସାହିତ୍ୟକୃତିର ଅକୁଣ୍ଠ ସ୍ୱୀକୃତି ।

 

ଗୋଟିଏ ଦୁଃସାହସୀ ଓ ଅଭିନବ ବିଷୟବସ୍ତୁକୁ ନେଇ ସାମାଜିକ ଓ ମାନବିକ ମୂଲ୍ୟବୋଧ ଦେଇ ନୂଆ ପରୀକ୍ଷାର ଫଳଶ୍ରୁତି ଏହି ’ଗର୍ଭଧାରଣୀ’ ଉପନ୍ୟାସ । ତାଙ୍କର ନକ୍ସାଲ୍‌ ରାଜନୈତିକ ପୃଷ୍ଠଭୂମିରେ ଯେଉଁ ତିନିଗୋଟି ଉପନ୍ୟାସ ଯଥା : ଉତ୍ତରାଧିକାର, କାଳବେଳା ଓ କାଳପୁରୁଷ ଲେଖି କାଳଜୟୀ ଉପନ୍ୟାସ ସୃଷ୍ଟି କରିଛନ୍ତି ‘ଗର୍ଭଧାରିଣୀ’ ଆଉ ଗୋଟିଏ ସୃଷ୍ଟି ବିନ୍ୟାସ ।

 

ଅସମ ଅର୍ଥନୈତିକ ପରିବେଶ ମଧ୍ୟରେ ମଣିଷ ହୋଇ ଚାରି ବନ୍ଧୁ, ତିନିଜଣ ଯୁବକ ଓ ଜଣେ ଯୁବତୀ । ଯଥା : ଆନନ୍ଦ, ସୁଦୀପ, କଲ୍ୟାଣ ଓ ଜୟିତା ଉପଲବ୍ଧି କଲେ ଏହି ଦେଶ ଉପରକୁ ଗୋଟିଏ ଅନ୍ଧକାର ମାଡ଼ି ଆସୁଛି । ଦେଶର ଅବସ୍ଥା ଦିନକୁ ଦିନ ରାସ୍ତାତଳକୁ ଖସି ଯାଉଛି-। ଦଲାଲି, ବ୍ୟଭିଚାରର ମାତ୍ରା ବଢ଼ିଯାଉଛି । କୌଣସି ଲୋକର ଯେପରି ନିଜସ୍ୱ କୌଣସି ଦାୟିତ୍ୱ ନାହିଁ । ଏହି ଦେଶର ଭାଗ୍ୟ ଯେପରି କେବଳ ରାଜନୈତିକ ଦଳ ଉପରେ ଛାଡ଼ିଦେଇ ଅଧିକାଂଶ ମଣିଷ ନିଜର ଦାୟିତ୍ୱ ପ୍ରତି ନଜର ଦେଉନାହାନ୍ତି । ସେହି ରାଜନୈତିକ ବଡ଼ପଣ୍ଡାମାନେ ହର୍ତ୍ତାକର୍ତ୍ତା ବିଧାତା । ତେଣୁ ଏହି ତିନିଜଣ ଯୁବକ ଓ ଜଣେ ଯୁବତୀ ଯେଉଁମାନେ କଲେଜର ଛାତ୍ର ଓ ଛାତ୍ରୀ । ଅତି ଧନୀ ଘରର ଝିଅ ଏହି ଜୟିତା ସେମାନେ ଅନ୍ୟାୟ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ ।

 

ପ୍ରଥମେ ସେମାନେ ଆକ୍ରମଣ କରିଥିଲେ ‘ପାହାଡ଼ା ବାଦ୍‌’ ନାମକ ଗୋଟିଏ ଅତି ଆଧୁନିକ ପାନଶାଳା ଉପରେ । ଯେଉଁଠାରେ ଫୁର୍ତ୍ତି କରିବାପାଇଁ ଯୁବକ ଯୁବତୀ, ପ୍ରୌଢ଼ବ୍ୟକ୍ତିମାନେ ଆସନ୍ତି । ଏପରି ଗୋଟିଏ ଅସାମାଜିକ ସ୍ଥାନ ଉପରେ ଚଢ଼ାଉ କରି ଘଟଣା ଚକ୍ରରେ ଦୁଇଜଣ ମୃତ୍ୟୁ ବରଣ କରିଥିଲେ । ତେଣୁ ଖବର କାଗଜରେ ପୁଣି ନକସାଲ୍‌ମାନଙ୍କର ଆକ୍ରମଣ ବୋଲି ଗୁଜବ ପ୍ରଚାରିତ ହୋଇଯାଇଥିଲା ।

 

ପୋଲିସର ନଜର ଚାରିଆଡ଼େ ଖେଳି ଯାଇଥିଲା । ତାହା ପରେ ଏହି ଚାରିଜଣ ଯୁବକ ଯୁବତୀ ଦେଶର ଗୋଟିଏ ଭେଜାଲ୍‌, ନକଲି ଔଷଧ କାରଖାନା ଉପରେ ଆକ୍ରମଣ କରି ତାହାକୁ ଧ୍ୱଂସ କରି ଦେଇଥିଲେ । ହଜାର ହଜାର ଲୋକମାନଙ୍କୁ ଭେଜାଲ୍‌ ଔଷଧ ଖୁଆଇ ମାରିଦେଉଥିବା ଏହି ଦଲାଲମାନଙ୍କୁ ସମୂଳେ ନିପାତ କରିବା ପାଇଁ ସେମାନେ ବଦ୍ଧପରିକର ହୋଇଥିଲେ । ଦୁଇଦୁଇଟା ଘଟଣାପରେ ମଧ୍ୟ ସେମାନେ ନିର୍ବିଘ୍ନରେ ରହିପାରିଥିଲେ । କିନ୍ତୁ ଏହି ଲୋକମାନଙ୍କୁ ଧରିବା ପାଇଁ ପୋଲିସ ତତ୍ପର ହୋଇ ଉଠିଥିଲା । ଆନନ୍ଦ ତେଣୁ ତାହାର ସାଥିମାନଙ୍କୁ କହିଥିଲା ଆଉ ସହଜରେ ଏହି କଲିକତାରେ ରହି ହେବ ନାହିଁ । ପୋଲିସ ସେମାଙ୍କର ଘର ଓ ହଷ୍ଟେଲ୍‌ର ସନ୍ଧାନ ନେଇ ସାରିଛି । ପୋଲିସ ହାତରେ ଧରାପଡ଼ିଗଲେ ହତ୍ୟା ଅପରାଧରେ ସେମାନଙ୍କୁ ଫାଶୀ ହୋଇ ଯାଇପାରେ । ତେଣୁ କେବଳ କଲିକତା ନୁହେଁ ଭାରତ ବାହାରକୁ ପଳାଇଯିବାପାଇଁ ହେବ । କିନ୍ତୁ ଯିବେ କେଉଁଆଡ଼େ ।

 

ଏହି ଚାରିଜଣ ଯୁବକ ଯୁବତୀ ନିଜ ଘରର ବାପାମାଆମାନଙ୍କ ପାଖରୁ ସ୍ନେହ ଓ ସହାନୁଭୂତି ହରାଇ, ହତାଶ ହୋଇ ଏହି ବାଟ ଧରିଥିଲେ । ଜୟିତାର ମାଆ ସବୁବେଳେ ରୂପଚର୍ଚ୍ଚା, କ୍ଲବ ନେଇ ବ୍ୟସ୍ତ । ବାପା ମଦ ପିଇ ବାହାରେ କ୍ଲବ ଜୀବନ ବିତାଇବା ସ୍ୱଭାବ । ତେଣୁ ଜୟିତା ଘରେ ସ୍ନେହ ସହାନୁଭୂତିରୁ ବଞ୍ଚିତ ହୋଇ ଏହି ଯୁବକମାନଙ୍କ ଦଳ ସହିତ ଜଡ଼ିତ ହୋଇପଡ଼ିଥିଲା । ସୁଦୀପର ପାରିବାରିକ ଜୀବନ ମଧ୍ୟ ସେହିପରି । କଲେଜରେ ଭଲଛାତ୍ର ଭାରବେ ସୁନାମ ଥିଲା । କିନ୍ତୁ ଘରୁ ବାପାଙ୍କ ପାଖରୁ ଅଲଗା ହୋଇ ଘର ଛାଡ଼ିଦେଇ ବାପାଙ୍କ ପାଖରୁ ଅଶୀହଜାର ଟଙ୍କା ନେଇ ସବୁଦିନ ପାଇଁ ଘରଛାଡ଼ି ଚାଲିଆସିଥିଲା । ଏଇ ଅଶୀ ହଜାର ଟଙ୍କାରେ ସେମାନେ ଗ୍ରାନାଇଡ଼୍‌, ପିସ୍ତଲ ଶୀତପୋଷାକ କିଣି ଭାରତ ବାହାରକୁ ଯିବା ପାଇଁ ପ୍ରସ୍ତୁତ ହେଲେ ।

 

ଜୟିତା ଝିଅ କି ପୁଅ ଚିହ୍ନିବା ମୁସ୍‌କିଲ୍‌ ଥିଲା । ସେ ଦେଖିବାପାଇଁ ସୁନ୍ଦରୀ ନଥିଲା । ପୁଣି ଅତି ରୁଗ୍‌ଣ, ସବୁବେଳେ ପେଣ୍ଟ ଓ ସାର୍ଟ ପିନ୍ଧିଥାଏ ତେଣୁ ଝିଅ ବୋଲି ଚିହ୍ନିବା ସମ୍ଭବ ନଥିଲା । ତେଣୁ ଜୀବନରେ ବୀତସ୍ପୃହ ହୋଇ ଏହି ବନ୍ଧୁମାନଙ୍କ ସହିତ ସାମିଲ୍‌ ହୋଇ ତିନିଜଣ ଯୁବକମାନଙ୍କ ସହିତ ସେ ମଧ୍ୟ ଜଣେ ପୁରୁଷ ଭାବେ ପରିଗଣିତ ହୋଇଯାଇଥିଲା ।

 

ସେମାନେ ପୋଲିସ୍‌ ଆଖିରେ ଧୂଳି ଦେଇ ନିଜର ପ୍ରାଣ ବଞ୍ଚାଇବା ପାଇଁ ଭାରତ ଛାଡ଼ି ଆତ୍ମଗୋପନ କରିବା ଉଦ୍ଦେଶ୍ୟରେ ହିମାଳୟର ବରଫ ଅଞ୍ଚଳରେ ଗୋଟିଏ ପାହାଡ଼ିଆ ଗ୍ରାମରେ ଆଶ୍ରୟ ନେଇଥିଲେ । ଭାବିଲେ ନେପାଳ ଆଡ଼େ ଚାଲିଗଲେ ଭାରତର ପୋଲିସ୍‌ମାନଙ୍କର ଆଉ କୌଣସି କର୍ତ୍ତୃତ୍ୱ ରହିବ ନାହିଁ । ସେମାନେ ଏପରି ସ୍ଥାନକୁ ଯାଇଥିଲେ ଯେଉଁ ସ୍ଥାନରେ ସଭ୍ୟତାର ଆଲୋକ ଆଦୌ ପହଞ୍ଚିନଥିଲା । ମ୍ୟାପ୍‌ଖୋଲି ଆନନ୍ଦ ଦେଖିଥିଲା ଉତ୍ତରବଙ୍ଗର ଶେଷ ପ୍ରାନ୍ତରରେ ସିକିମ୍‌, ଭୁଟାନ ଓ ନେପାଳୀ ଜଙ୍ଗଲ । ସେହିଆଡ଼େ ଚାଲିଗଲେ ସେମାନେ ଆତ୍ମଗୋପନ କରି ପାରିବେ । ବିପଦପୂର୍ଣ୍ଣ ସ୍ଥାନ ଓୟାଲାଂଚ୍ୟାଙ୍ଗ, ଚ୍ୟାଙ୍ଗଥାପୁ ଓ ଚାପଲ୍ୟାଙ୍ଗ ଭଳି ସ୍ଥାନମାନଙ୍କରେ ଆଶ୍ରୟ ନେବାପାଇଁ ସେମାନେ ଯାଇଥିଲେ । ଏଠାରେ ଲେଖକ ଏହି ସ୍ଥାନମାନଙ୍କୁ ଯିବାଲାଗି ଯେଉଁ ଲୋମହର୍ଷକ ବିବରଣୀ ଉପସ୍ଥାପନା କରିଛନ୍ତି ତାହା ପଢ଼ିଲେ ବାସ୍ତବ ଜୀବନ ପ୍ରତି ସେ କେତେ ସଚେତନ ତାହା ଜଣାଯାଏ । ଚାପଲ୍ୟାଙ୍ଗ ଏପରି ଗୋଟିଏ ସ୍ଥାନ ଯେଉଁଠାରେ ଲୋକମାନେ ପଶୁଠାରୁ ହୀନ ଜୀବନଯାପନ କରନ୍ତି । ସଭ୍ୟତାର ଆଲୋକ ଆଦୌ ସେଠାକୁ ଆସିନାହିଁ । ଶିକ୍ଷା ସଭ୍ୟତାଠାରୁ ସେମାନେ ବହୁ ଦୂରରେ । ବିଭିନ୍ନ ରୋଗରେ ଏମାନେ ପଶୁମାନଙ୍କ ଭଳି ମରିଯାଆନ୍ତି । ଔଷଧ ବିଷୟରେ ସେମାନଙ୍କର କୌଣସି ଧାରଣା ନାହିଁ । ତେଣୁ ସେହି ସ୍ଥାନରେ ଏହି ଚାରିଜଣ ଯୁବକ ଯୁବତୀ ସେହି ସ୍ଥାନର ଲୋକମାନଙ୍କ ପାଖରେ ବିଦେଶୀ ଓ ସନ୍ଦେହର ଘେର ଭିତରେ ରହିଲେ । ପୋଲିସର ଭୟ ଯେ ଚାଲିଯାଇଥିଲା ତାହା ନୁହେଁ । କିନ୍ତୁ ସେମାନେ ଯେଉଁ: ଜଳବାୟୁ ସହିତ ଆଦୌ ପରିଚିତ ନୁହନ୍ତି, ସେଠାରେ ଅତି ଅଦ୍‌ଭୁତ ଭାବରେ ଜୀବନ ଯାପନ ଆରମ୍ଭ କରିଥିଲେ । ଆନନ୍ଦ ଦେଖିଲା ସେଠାରେ ଲୋକମାନଙ୍କର ସହାନୁଭୂତି ପାଇବା ପାଇଁ ହେଲେ ସେମାନଙ୍କ ସହିତ ମିଶି ସେମାନଙ୍କର ଅଭାବ ଅସୁବିଧା ଦୂରକରିବା ପାଇଁ ହେବ । ତେଣୁ ପ୍ରଥମେ ଜ୍ୱର, ଝାଡ଼ା ଓ ଗଳଗଣ୍ଡ ଭଳି ରୋଗ ଭଲ କରିବା ପାଇଁ ପାଖରେ ଥିବା ଔଷଧ ଦେଇ ସେମାନଙ୍କୁ ଭଲ କରି ସେମାନଙ୍କର ସହାନୁଭୂତି ଆଦାୟ କରିଥିଲେ । ତାହାପରେ ବନ୍ଧୁ କଲ୍ୟାଣ ବରଫ ମଧ୍ୟରେ ଚାଲି ସହରକୁ ଆସି ଔଷଧ କିଣି ଫେରିବା ସମୟରେ ପୋଲିସ ଗୁଳିରେ ପ୍ରାଣ ହରାଇଥିଲା । ସୁଦୀପ ସେଠାରେ ଲୋକମାନଙ୍କ ସହିତ ମିଶି ସେଠାର ମଦ ପିଇ ପାଗଳ ହୋଇଯାଇଥିଲା । ବରଫ ଝଡ଼ରେ ଅଭ୍ୟସ୍ତ ଥିବା ସେଠାର ଲୋକମାନଙ୍କୁ ସୁଖ ସ୍ୱଚ୍ଛନ୍ଦରେ ଚଳିବା ପାଇଁ ସେମାନଙ୍କର ଘର ତିଆରି କରାଇଦେବା ପିଲାମାନେ ଦୁଧ ଖାଇବା ପାଇଁ ଗାଈ କିଣି ଆଣିଦେବା ଓ ସହଯୋଗ ସମବାୟ ଭିତ୍ତିକ ପରିବେଶ ସୃଷ୍ଟିକରି ସେମାନଙ୍କର ପ୍ରିୟ ଭାଜନ ହୋଇ ଆତ୍ମଗୋପନ କରିବା ପାଇଁ ବାଟ ପ୍ରସ୍ତୁତ କରି ନେଇଥିଲା । ସେଠି ଲୋକମାନଙ୍କୁ ଶିକ୍ଷିତ ଓ ସଭ୍ୟତାର ଆଲୋକ ଦେଖାଇବା ପାଇଁ ନାନା ପ୍ରକାର ଯୋଜନା କରି ମୋଡ଼ ବଦଳାଇ ଦେଇଥିଲା । ଯଦ୍ଦ୍ୱାରା ନେପାଳର ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା ଏମାନଙ୍କ ଉପରେ ।

 

ଜୟିତା ଏହି ତିନିଜଣ ପୁରୁଷ ବନ୍ଧୁମାନଙ୍କ ସହିତ ଥାଇ ମଧ୍ୟ ସେଠାରେ ସେହି ପାହାଡ଼ିଆ ଅଞ୍ଚଳର ଜଣେ ଯୁବକ ରୋଲାନ୍‌ର ପ୍ରେମରେ ପଡ଼ି ମାଆ ହେବାକୁ ଯାଇଥିଲା । ସେଠାରେ ଲୋକମାନଙ୍କର ମଙ୍ଗଳ ପାଇଁ ଜୟିତା ଏପରି କାମ କରିଥିଲା । ସେଠାର ଝିଅ, ସ୍ତ୍ରୀଲୋକମାନଙ୍କୁ ଶିକ୍ଷିତ ସଭ୍ୟ କରିବା ପାଇଁ ଯେଉଁ ଆପ୍ରାଣ ଉଦ୍ୟମ କରିଥିଲା ସେଥିପାଇଁ ସେଠାରେ ସ୍ତ୍ରୀ ମହଲର ସେ ଆଦୃତ ହୋଇ ଉଠିଥିଲା ଓ ଆତ୍ମଗୋପନର ବାଟ ଆହୁରି ସୁଦୃଢ଼ କରିଥିଲା । ସେଠାରେ ଲୋକମାନେ ଜୟିତାର ନୂଆ ନାମ କରଣ କରିଥିଲେ ଦ୍ରିମିତ୍‌ । ସେହି ଦ୍ରିମିତ୍‌ ଯେ ରୋଲାନ୍‌ର ସନ୍ତାନ ଜନ୍ମ ଦେବାକୁ ଯାଉଛି ତାହା ଦେଖି ନିଜର ଲୋକ ଭାବି ସେଠାର ଜଣେ ବାସିନ୍ଦା ଭାବରେ ଗ୍ରହଣ କରି ନେଇଥିଲେ । ସେଠାରେ ଲୋକମାନଙ୍କ ଉପକାର କରିବା ପାଇଁ ଯାଇ ରୋଲାନ୍‌ର ମୃତ୍ୟୁ ହୋଇଯାଇଥିଲା । ତେଣୁ ଜୟିତା ଯାହାର ନାମ ଦ୍ରିମିତ୍‌ ସେମାନେ ଦେଇଥିଲେ ତାପଲ୍ୟାଙ୍ଗ ଅଞ୍ଚଳରେ ଗର୍ଭଧାରିଣୀ ବୋଲି ପରିଚିତ ହୋଇଯାଇଥିଲା । ସେହି ପାହାଡ଼ିଆ ଅଞ୍ଚଳର ଯୁବକ ରୋଲିନ୍‌ର ସନ୍ତାନ ଦ୍ରିମିତ୍‌ ଶରୀରରେ ଆସୁଛି ଜାଣି ଗ୍ରାମବାସୀମାନେ ଦ୍ରିମିତ୍‌କୁ ସମ୍ମାନ ସହିତ ଗ୍ରହଣ କରି ନେଇଥିଲେ । କହିଥିଲେ ଆମର ମଣିଷ ଏହି ପୃଥିବୀକୁ ଆସୁଛି । ଯେତେବେଳେ ପୋଲିସ ସନ୍ଦେହ କରି ଏମାନଙ୍କ ଉପରେ ଚଢ଼ାଉ କରିଥିଲା ସେଠାରେ ଗ୍ରାମବାସୀମାନେ ଏମାନଙ୍କୁ ରକ୍ଷା କରିଥିଲେ । ପୂର୍ବରୁ କଲ୍ୟାଣ ମରିଯାଇଥିଲା । ସୁଦୀପ ଉୁଚ୍ଛ୍ରୁଙ୍ଖଳ ଜୀବନ ଯାପନ ଆରମ୍ଭ କରି ମୃତ୍ୟୁ ପ୍ରାୟ । ଜୟିତା ପାହାଡ଼ିଆ ଅଞ୍ଚଳର ସେହି ନୂଆ ସ୍ଥାନରେ ଗର୍ଭଧାରଣୀ । ଆନନ୍ଦ କେବଳ ଏକମାତ୍ର ରହିଗଲା ଏକୁଟିଆ ହୋଇ ତାପଲ୍ୟାଙ୍ଗରେ ।

 

ଲେଖକ ସମରେଶ ମଜୁମ୍‌ଦାର ଏହି ଉପନ୍ୟାସରେ ଜଣେ ନାରୀର ବିଚିତ୍ର ଆତ୍ମତ୍ୟାଗ ଓ ସାଧନାର ଚିତ୍ର ଦେଖାଇ ପାରିଛନ୍ତି । ତିନିଜଣ ଯୁବକ ଓ ଜଣେ ଯୁବତୀର ସ୍ୱପ୍ନ ସାଧନା ଓ ସଂଗ୍ରାମର କାହାଣୀ ଏପରି ଭାବରେ ବର୍ଣ୍ଣନା କରିଛନ୍ତି ଯାହା ପଢ଼ିଲେ ସେମାନେ ଆତ୍ମଗୋପନ କରିଥିବା ସ୍ଥାନରେ ଚାଲିଚଳନ, ସେଠାର ଲୋକମାନଙ୍କର ଜୀବନ ଯାପନର ପ୍ରଣାଳୀର ଚିତ୍ର ମଧ୍ୟ ସୁନ୍ଦର ଭାବରେ ଉପସ୍ଥାପନା କରି ପାରିଛନ୍ତି । ହିମାଳୟର ବରଫ ଅଞ୍ଚଳର ବିଭିନ୍ନ ସ୍ଥାନର ବର୍ଣ୍ଣନା, ସେଠାର ଲୋକମାନଙ୍କର ଜୀବନ ଯାପନ ପ୍ରଣାଳୀ ଭୌଗୋଳିକ ଚିତ୍ର ପାଠକମାନଙ୍କ ପାଖରେ ସୁନ୍ଦର ଭାବରେ ପରିବେଶିତ କରିପାରିଛନ୍ତି । ହିମାଳୟ ଅଞ୍ଚଳର ବରଫ ଝଡ଼, ବରଫ ରାଜ୍ୟର ଭାଲୁ ଯାହାକି ସେଠାର ଲୋକମାନେ ଉପଦେବତା ବୋଲି ଭାବନ୍ତି ସେମାନଙ୍କର ଅଜ୍ଞତା ଓ ବିଶ୍ୱାସର ଚିତ୍ରଣ ଅତି ପ୍ରାଞ୍ଜଳ । ଭାଷା ଓ ଶୈଳୀରେ ପୂର୍ଣ୍ଣ ଏହି ଉପନ୍ୟାସ ଯେପରି ସୁଖପାଠ୍ୟ ସେହିପରି ମଧ୍ୟ ଏହି ଯୁଗ ପାଇଁ ଶିକ୍ଷଣୀୟ ।

 

ଏହି ଉପନ୍ୟାସ ବହିର ମୁଦ୍ରଣ, ବନ୍ଧାଇ ଓ ରଙ୍ଗିନ୍‌ ପ୍ରଚ୍ଛଦ ପାଠକପାଠିକାମାନଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସହାୟକ ହେବ କହିବା ପାଇଁ ଗଲେ ଏହି ଉପନ୍ୟାସ ବଙ୍ଗଳା ସାହିତ୍ୟର ଗୋଟିଏ ଯୁଗାନ୍ତକାରୀ ଉପନ୍ୟାସ, ତ୍ୟାଗ ଓ ସାଧନାର ଏକ ମାର୍ମିକ କାହାଣୀ ।

 

 

ଆଚାର୍ଯ୍ୟ ବିହାର,

ଭୁବନେଶ୍ୱର

 

***

 

ଦି ଜର୍ଣ୍ଣି

ମୂଳ ଲେଖକ : କିଶୋରୀ ଚରଣ ଦାସ

ଇଂରାଜୀ ଅନୁବାଦ : ଫିଲିସ୍‌ ଗ୍ରେନଫ୍‌

ସମୀକ୍ଷା : ଅଶ୍ୱିନୀ କୁମାର ମିଶ୍ର

 

ବିଶିଷ୍ଟ ଓଡ଼ିଆ ଲେଖକ କିଶୋରୀ ଚରଣ ଦାସଙ୍କ ଦଶଟି ଓଡ଼ିଆ ଗଳ୍ପର ଇଂରେଜୀ ଅନୁବାଦକୁ ନେଇ ପ୍ରକାଶ ପାଇଛି ଏକ ଇଂରାଜୀ ଗଳ୍ପ ସଂକଳନ ‘‘ଦି ଜର୍ଣ୍ଣି’’ । ପ୍ରକାଶକୁ ସମୟ ୨୦୦୦ ମସିହା । ଏହାରି ପ୍ରକାଶକ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ମିଚିଗାନ୍‌ ବିଶ୍ୱବିଦ୍ୟାଳୟର ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆ ଶିକ୍ଷା କେନ୍ଦ୍ର । ଅନୁବାଦିକା ଇଂରେଜୀ ଓ ଓଡ଼ିଆ ଉଭୟ ଭାଷାଜ୍ଞାନ ଅର୍ଜନ କରିଥିବା ମାର୍କିନ୍‌ ମହିଳା ଫିଲିସ୍‌ ଗ୍ରାନ୍‌ଫ୍‌ । ସଂକଳନଟିର ପ୍ରଥମ ଅନୁଦିତ ଗଳ୍ପ ଲେଖକଙ୍କ ‘ଠାକୁର ଘର’ ଗଳ୍ପ ସଙ୍କଳନସ୍ଥିତ ଗଳ୍ପ ‘‘Once I had an Antie’’ ର ଅନୁବାଦ । ସେଇଭଳି ଅନ୍ୟ ଗଳ୍ପ ‘‘ଦି ଜର୍ଣ୍ଣି’’ ‘ଗମନ’ ଗଳ୍ପ ସଂକଳନଭୁକ୍ତ ‘ଗମନ’ ଗଳ୍ପର ଅନୁବାଦ । କିଶୋରୀ ବାବୁଙ୍କ ଗଳ୍ପର ପ୍ଲଟଗୁଡ଼ିକ ଦେଖିବାକୁ ଗଲେ ମୁଖ୍ୟତଃ ଜାତୀୟ ତଥା ପ୍ରାଦେଶିକ ଜନ ଜୀବନର ସ୍ରୋତକୁ ନେଇ । ପ୍ରତିଟି ଗଳ୍ପ ମଣିଷର ବିଶାଳତା ସାଙ୍ଗକୁ କ୍ଷୁଦ୍ରତା, ମାନବିକତା ସାଙ୍ଗକୁ ଅମାନବିକତା, ସାଧାରଣ ମଣିଷ ଜୀବନର ହସଖୁସି, ରାଗ ରୋଷର ଜୀବନଶୈଳୀ ଉପରେ ଆଧାରିତ । କୌଣସି ଚରିତ୍ରରେ ଅତିଶୟୋକ୍ତି ଭାବର ଉଦ୍ରେକ ନାହିଁ । ଶାନ୍ତ, ସରଳ, ସମାହିତ ଭାବରେ ଜୀବନକୁ ଆପଣେଇ ନେଇଥିବା ଏଇ ଚରିତ୍ର ସମୂହଙ୍କ କଥାବାର୍ତ୍ତାରେ ଅନୁଭବ କରିହୁଏ ମଧ୍ୟବିତ୍ତ ଜୀବନର ନିଆରା ପଣକୁ ।

 

କିଶୋରୀ ବାବୁଙ୍କ ‘‘ଶୀତଲହରୀ’’ ଗଳ୍ପ ସଂକଳନସ୍ଥିତ ‘ଧୋ’ ‘ବାୟା’ ଗଳ୍ପର ଅନୁବାଦ “Fly Away little Birdie” ଏହି ବହିଟିର ଅନ୍ୟ ଏକ ଆକର୍ଷଣ । ଛୁଆମାନଙ୍କୁ ସଙ୍ଗୀତର ଗଦ ଶୁଙ୍ଘେଇବାକୁ ଦରକାର ବୁଢ଼ୀମା ନେ ହେଲେ ବୁଢ଼ା ବାପା । ‘ଯେଉଁମାନଙ୍କ ପାଇଁ ସମୟ ଗୋଟିଏ ନିରବଚ୍ଛିନ୍ନ ଝୁଲା’ । ‘ଫର୍‌ ଦେମ୍‌, ଟାଇମ୍‌ ଇଜ୍‌ ଲାଇକ୍‌ ସୁଇଙ୍ଗ୍‌ ଇନ୍‌ ପାର୍‌ପେଚ୍ୟୁଏଲ ମୋସନ୍‌’ । ଇଂରାଜୀରେ ଚମତ୍କାର ଅଭିବ୍ୟକ୍ତି । କିନ୍ତୁ ଏମିତି ନାତି, ନାତୁଣୀଙ୍କ ପିଠି ଥାପୁଡ଼େଇ ଶୁଆଉଥିବା ମଣିଷ କଣ୍ଠରେ କେମିତି ତୀର୍ଯ୍ୟକ୍‌ ଭାବ ‘‘ଜନ୍ମରୁ ଆଜିଯାଏଁ କେଉଁ ଜଣକ ବାପ ମାଆ ପରିବାର, ତମ ତଥାକଥିତ ସମାଜ, ହାକିମ୍‌, ଭଗବାନ ସତେ ଶୋଇବାକୁ ଦେଇଛ କୁହ ! କହି ପାରିବ ?? ‘ପୁନଶ୍ଚ ‘ଭୁଷା ନିଘୋଡ଼ ନିଦରେ ନ ଶୋଇଲା ଯାଏଁ ସେ ଶୋଇବେ କେମିତି ? କିନ୍ତୁ ଦେଖାଗଲା ଯେ ଭୁଷା ଉତ୍ତମ ରୂପେ ଶୋଇ ଯାଇଥିବାର ଯଥେଷ୍ଟ ନିଦର୍ଶନ ମିଳିଲେ ମଧ୍ୟ ସେ ଚେଇଁ ରହିଛନ୍ତି । କାରଣ ଝରକା ବାଟେ ମନ୍ଥର ମେଘମାଳାର ଦୃଶ୍ୟ ତାଙ୍କ ବାଟ ଓଗାଳିଥିଲା ।

 

ଏଭଳି ଅନୁଭୂତିର ଲକ୍ଷଣ ଇଂରେଜୀ ସଭ୍ୟତାର ମଣିଷଙ୍କୁ କେଉଁ ସ୍ୱାଦ ଚଖେଇବ ? ‘‘ବଡ଼ ହୋଇଗଲାଣି । ତାକୁ ଆଉ ଧୋ’ ବାୟା କରି ଶୁଆଇ ପକାଇବାର ପ୍ରଶ୍ନ ଉଠୁନାହିଁ ।’’ ପ୍ରବାହମାନ ସମୟର ଏ ଚମକ ସୃଷ୍ଟିକାରା ଅଭିବ୍ୟକ୍ତିଟିଏ । ପ୍ରତ୍ୟେକ ମଣିଷର ମର୍ମକୁ ଥରାଇ ଦିଏ ।

 

‘‘ଛକଡ଼ିର ଶ୍ରୀକୃଷ୍ଣ’’ ଗଳ୍ପଟି ଲେଖକଙ୍କ ’ତ୍ରୟୋବିଂଶ ମୃତ୍ୟୁ’ ସଂକଳରୁ ଆନୀତ । ଏହି ଗଳ୍ପର ଅବତାରଣା ଗଭୀର ଭାବପ୍ରବଣତାରୁ । ଘରେ ନିଆଁ ଲାଗିଲା ଅବସ୍ଥାରେ ବିଧବା ସୁରୁଚି ତାଙ୍କ ଝିଅକୁ ନ ମୁଣ୍ଡେଇ ମୁଣ୍ଡଇଛନ୍ତି ତାଙ୍କ କୃଷ୍ଣ କଣ୍ଢେଇଟିକୁ । ସେଇଟା ଝିଅର ମନସ୍ତତ୍ତ୍ୱକୁ ଗଭୀର ଆଘାତ ଦେଇଛି । ଯଥା ‘‘ମୋରି ଦୋଷରୁ ସେ ଏମିତି ଡରୁଛି ଯେ ବିଜୁଳିକୁ ଦେଖି, ମୋତେ ଚେତେଇ ଦେଉଛି ଯେ ବିପଦ ବେଳେ ମୁଁ ତାକୁ ଛାଡ଼ି ପ୍ରଥମେ ଗଲି ମୋ କଣ୍ଢେଇ ପାଖକୁ’’ । ପରିବର୍ତ୍ତି ସମୟରେ ଅବୁଝା ଝିଅ ପୁଣି ମୋହଗ୍ରସ୍ତ ହେଇଛି, ‘‘ବୋଉ, ମୋର ପୂଜା କରିବାକୁ ଇଚ୍ଛା ହେଉଛି । ଶ୍ରୀକୃଷ୍ଣଙ୍କୁ ତୋରି ଶ୍ରୀକୃଷ୍ଣଙ୍କୁ । ତୁ ତାଙ୍କୁ ଛାଡ଼ି ଯାଇ ପାରିବୁ ନି ମୋ ପାଇଁ । ଶେଷକୁ ଏ କୃଷ୍ଣ ମୋର ନୁହେଁ – ପି.ଏ ଟୋକାର....... ଛକଡ଼ି ବାବୁ’’ କହିବାଟା ଶକ୍ତ ଚେନ୍‌ଟିର ଦୁର୍ବଳ କଡ଼ିଟିଏ ଭଳି ଲାଗୁଛି । ତେବେ ଅନୁବାଦରେ ଏଇ ସ୍ୱର ଧିମେଇ ଯାଇନି ।

 

‘କରୁଣାରୁ ବଳି’ ଗଳ୍ପଟି ଲେଖକଙ୍କ ଏହି ସଂକଳନରୁ ନିଆ ହୋଇଛି । ‘ନଟ୍‌ ଜଷ୍ଟ୍‌ କଂପେସନ୍‌’ ଇଂରେଜୀ ଶିରୋନାମାରେ । ମଧ୍ୟବିତ୍ତ କଲୋନୀ ଜୀବନର ଧରାବନ୍ଧା କାହାଣୀ । ଲେଖକ ବୃତ୍ତିଧାରୀ ଥାଇ ଯାହା ନିରେଖିଛନ୍ତି, ସେଥିରେ କଳ୍ପନା କେତେ, ସତ୍ୟତା କେତେ ସେହିଁ କହି ପାରିବେ । ମୁଁ ଯେତେବେଳେ ଶୁଣିଲି ଯେ ସେମାନେ ବାହା ହୋଇ ପଡ଼ିଛନ୍ତି, ନିଶ୍ଚୟ ଲଭ୍‌ ମ୍ୟାରେଜ୍‌ କରିଛନ୍ତି କାରଣ ସନ୍ତୁ ବଙ୍ଗାଳି ଓ ଛନ୍ଦା ବିହାରୀ । ମୋତେ ବିଶେଷ ଆଶ୍ଚର୍ଯ୍ୟ ଲାଗିଲା ନାହିଁ । ଏହି ଆଶ୍ଚର୍ଯ୍ୟ ନ ହେବାଟାହିଁ ଆଧୁନିକ ଜୀବନର ଛାୟାଛବି । ଲେଖକ ଏଠି ଆଶ୍ଚର୍ଯ୍ୟ ହେଇଥିଲେ ଇଂରାଜୀରେ ଅନୁବାଦରେ ତା’ର ପ୍ରଭାବ ସୁଦୂର ପ୍ରସାରୀ ହୋଇଥାନ୍ତା । କାରଣ ଇଂରେଜ ଭାଷାଭାଷୀ ସଂସ୍କୃତିରେ ଏଭଳି ଭାବାବେଗ ବିରଳ । ପୁଣି ମୂଳ ରଚନାରେ ‘‘ଆରେ, ଯୋଗାଣ ବିଭାଗ ବଡ଼ ଲୋକର ଝିଅ ଖାଦ୍ୟ ନିଗମ ବଡ଼ଲୋକର ପୁଅକୁ ବାହା ହେବ ନାହିଁତ ବାହା ହେବ କାହାକୁ ?’’ ସମାଜର ଏହାହିଁ ଫଟୋଗ୍ରାଫି । ‘ଜର୍ଣ୍ଣି’ (ଗମନ) ଗଳ୍ପର ନାୟକ ନିଜ ସ୍ଥିତି ପ୍ରତି କିଭଳି ସଚେତନ, ଦେଖନ୍ତୁ ‘‘ଆଇ ଏମ୍‌ ଦି ଅନ୍‌ଲି ଓ୍ୱାନ୍‌ ଲାଇକ୍‌ ମି. ଆଇ.ଆମ୍‌ ଅଲ୍‌ ଏଲୋନ୍‌’’ । ସିଏ ଭୟକରେ ମାଙ୍କଡ଼କୁ । ଏଥିପାଇଁ ମନ୍ଦିର ଆସେନି । କିନ୍ତୁ ଗଳ୍ପର ନାୟକ ମାନବେନ୍ଦ୍ର ମହାନ୍ତିଙ୍କ ଅନ୍ତର୍ଦ୍ୱନ୍ଦ୍ୱ ଖାଲି ଏତିକିରେ ତୁଟେନି । ନିରୀଶ୍ୱରବାଦୀ କିମ୍ବା ମାର୍କସବାଦୀ ହେଇ ଈଶ୍ୱରଙ୍କୁ ଅବଜ୍ଞା କରିବା ତା’ରି ପ୍ରାଥମିକ ଦର୍ଶନ । ଏଇ ଦର୍ଶନ ଶେଷ ବେଳକୁ ପଟ୍ଟ ପରିବର୍ତ୍ତନ କରିଛି । ମାଙ୍କଡ଼ଙ୍କ ଭୟ ଖାଲି ଯାହା ଉପଲକ୍ଷ୍ୟ ଏକ ମୁଖା । ଏହା ଗଳି ପଡ଼ିଛି ଶିବ ମନ୍ଦିରର ସେଇ ଶୀତଳ ଚଟାଣରେ । ମୋଟାମୋଟି ଦେଖିବାକୁ ଗଲେ ଦଶଟି ଯାକ ଗଳ୍ପ ଭାରତୀୟ ତଥା ଓଡ଼ିଶୀୟ ଜନ ଜୀବନର ସବାର୍‌ ହେଲା ଭଳି ବିଶେଷ ଖୋରାକରେ ବଳୀୟାନ୍‌ । ପାଶ୍ଚାତ୍ୟାଭିମୁଖୀ ଜୀବନର କଳ୍ପଲତାକୁ ଏହା ଛୁଇଁ ଯିବ । ପାଠକ ପାଠିକାଙ୍କ ମନ ପସନ୍ଦ ହେବ ଏହି କାରଣରୁ ଯେ ଗାଳ୍ପିକ ନିଜ ସଭ୍ୟତା ସଂସ୍କୃତି, ପରିବେଶ ପ୍ରତି ବେଶ୍‌ ସଚେତନ । ଆମେରିକାରେ କିଶୋରୀ ଚରଣ ଚର୍ଚ୍ଚିତ ହେଲା ବେଳେ ବାଦ୍‌ ଯିବନି ଉତ୍କଳୀୟ ମାଟି, ପାଣି, ପବନର ରଂଗ ରହସ୍ୟ । ସୁନ୍ଦର ମୁଦ୍ରଣ, କାଗଜ ସାଙ୍ଗକୁ କଭର୍‌ ଡିଜାଇନ୍‌ ସର୍ବୋପରି ବହିଟିର ଅଙ୍ଗସଜ୍ଜା ଦେଖିଲେ ଲାଗେ ‘ଜର୍ଣ୍ଣି’ ଯେମିତି ଗମନରେ ହିଁ ବିଶ୍ୱାସୀ । କୌଣସିଠି ଅଟକିବାର ଯୁ’ ନାହିଁ । ପ୍ରଚ୍ଛଦଟିର ସମ୍ବଲପୁରୀ ବାନ୍ଧକଳାର କିଛିଟା ପ୍ରତିଛବି ଯାହା କେବଳ ଶାଢ଼ୀର ଧଡ଼ି ବୋଲି ଚିହ୍ନଟ କରିହେବ । ପ୍ରାଚ୍ୟ ପାଶ୍ଚାତ୍ୟର ଏହି ଉନ୍ମେଷ ପର୍ବରେ ମିଚିଗାନ୍‌ ବିଶ୍ୱବିଦ୍ୟାଳୟ ସାମିଲ୍‌ ହେବା ତଥା ଜଣେ ମାର୍କିନ୍‌ ମହିଳା ଲେଖିକା ଫିଲିସ୍‌ ଗ୍ରେନଫ୍‌ ମେକ୍‌ମାଷ୍ଟର୍ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ଓଡ଼ିଆ ପ୍ରଫେସର ଶ୍ରୀଗୋପାଳ ମହାନ୍ତି ତଥା ତାଙ୍କ ସହଧର୍ମିଣୀ ଶାନ୍ତିଙ୍କଠୁ ଓଡ଼ିଆ ଭାଷା ଶିକ୍ଷା କରି କିଶୋରୀ ଚରଣଙ୍କୁ ପଢ଼ି ଉପଲବ୍ଧି କରି ତାଙ୍କ ଗଳ୍ପମାଳାକୁ ଇଂରାଜୀରେ ଅନୁବାଦ କରି ବିଶ୍ୱର ଇଂରାଜୀ ପାଠକ ପାଠିକାଙ୍କୁ ପରଷିଯିବା ବାସ୍ତବରେ ଅଭିନନ୍ଦନୀୟ ।

 

ଗଳ୍ପ ଗୁଡ଼ିକର ଅନୁବାଦ ଶୈଳୀ ପରିଚ୍ଛନ୍ନ ଓ ଭାବବୋଧ୍ୟ । ଓଡ଼ିଆ ଭାଷାର ବୃହତ୍‌ ଆବେଦନକୁ ସାଇତି ରଖିବାରେ ସେମାନଙ୍କର ସାମର୍ଥ ସୁସ୍ପଷ୍ଟ ।

 

ବିଗତ ମହାବାତ୍ୟାରେ ଜୀବନ ହରେଇଥିବା ଅଗଣିତ ମଣିଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ବହିଟି ସମର୍ପିତ । ଏହାରି ବିକ୍ରୀଜନିତ ରାଜଭାଗ ସେଇମାନଙ୍କ ପରିବାର ବର୍ଗଙ୍କୁ ସାହାଯ୍ୟ ଆକାରରେ ଦିଆଯିବ । ବହିଟିର ପ୍ରାରମ୍ଭରେ ଏଭଳି ତ୍ୟାଗପୂତ ଉଚ୍ଚାରଣ ବହିଟିର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଛି ଓ କରୁଥିବ ମଧ୍ୟ ଯେମିତି ‘‘ଜୀବନ ସାହିତ୍ୟଠୁ ଯଥେଷ୍ଟ ବଡ଼’’ ।

 

***

 

ସାକ୍ଷାତ୍‌କାର

ପ୍ରଖ୍ୟାତ ନାଟ୍ୟକାର ଶ୍ରୀ ମନୋରଂଜନ ଦାସଙ୍କ ସହ ଏକ

ଅନ୍ତରଙ୍ଗ ସାକ୍ଷାତକାର

ଉପସ୍ଥାପନା : ଡକ୍ଟର ବିଜୟାନନ୍ଦ ସିଂହ

 

ମନୋରଂଜନ ଦାସ ଏକ ବିରଳ ସୃଜନଶୀଳ ପ୍ରତିଭା । ସାଂପ୍ରତିକ ଓଡ଼ିଆ ସାହିତ୍ୟରେ ସେ ଅନନ୍ୟ ସାରସ୍ୱତ ସ୍ରଷ୍ଟା । ଆମ ନାଟ୍ୟ ସାହିତ୍ୟରେ ମନୋରଂଜନ ସୃଷ୍ଟି କରିଛନ୍ତି ଏକ ନୂତନ ଯୁଗ । ତାଙ୍କର ସମଗ୍ର ଜୀବନ ଓଡ଼ିଆ ନାଟ୍ୟ ସାହିତ୍ୟର ବିକାଶ ପାଇଁ ନିବେଦିତ ହୋଇଛି । ସତେ ଯେପରି ତାଙ୍କ ଜୀବନ-ନାଟକ, ନାଟକ-ଜୀବନ ହୋଇଯାଇଛି । ମନେହୁଏ ଓଡ଼ିଆ ନାଟ୍ୟ ସାହିତ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ପାଇଁ ତାଙ୍କର ଆବିର୍ଭାବ । କଥା ବସ୍ତୁ,, ପ୍ରଯୋଜନା, ନିର୍ଦ୍ଦେଶନା, ସର୍ବୋପରି ମଂଚ ସଜ୍ଜା ପର୍ଯ୍ୟନ୍ତ ସବୁଥିରେ ଗତାନୁଗତିକ ଧାରାକୁ ପରିବର୍ତ୍ତନ କରି ସେ ନୂତନ ଧାରାର ପ୍ରବର୍ତ୍ତକ ହୋଇଯାଇଛନ୍ତି । ଅତ୍ୟାଧୁନିକ ପ୍ରୟୋଗବାଦୀ ଓ ପରୀକ୍ଷାମୂଳକ ନାଟକ ରଚନାରେ ତାଙ୍କର କ୍ଷମତା, ସଫଳତା ଅବିସ୍ମରଣୀୟ । ମନୋରଂଜନ ନାଟକ ସାମାଜିକ, ରାଜନୀତିକ, ବୌଦ୍ଧିକ କଥାବସ୍ତକୁ ନେଇ କେବଳ ରଚିତ ହୋଇନାହିଁ । ପରନ୍ତୁ ମନସ୍ତାତ୍ତ୍ୱିକ, ଯୌନ ଚିନ୍ତା, ସର୍ବୋପରି ମଣିଷ ମନର ଜଟିଳତା, ପ୍ରକାଶନର ଶ୍ରେଷ୍ଠ ମାଧ୍ୟମ ହୋଇଯାଇଛି ।

 

ମନୋରଂଜନଙ୍କ ନିରବଚ୍ଛିନ୍ନ ପ୍ରରୋଚନା ଓଡ଼ିଆ ନାଟ୍ୟ ସାହିତ୍ୟକୁ ଦେଇଛି ଜାତୀୟ ଅର୍ନ୍ତଜାତୀୟ ମର୍ଯ୍ୟାଦା ଓ ସମ୍ମାନ । ତାଙ୍କ ସ୍ୱତନ୍ତ୍ର କଳାଦୃଷ୍ଟି ଓ ଅତ୍ୟାଧୁନିକ ମନୋବୃତ୍ତି ଭାରତୀୟ ନାଟ୍ୟ ସାହିତ୍ୟରେ ନବୀନ ବୋଲି କୁହାଯାଇପାରେ । ଓଡ଼ିଆ ନବନାଟ୍ୟ ଆନ୍ଦୋଳନର ଭଗୀରଥ ମନୋରଂଜନ ଦାସଙ୍କ ସାଧନାମୟ ଜୀବନ ଓଡ଼ିଆ ସାହିତ୍ୟର ଏକ ଗୌରବମୟ ଅଧ୍ୟାୟ । ଶ୍ରୀଯୁକ୍ତ ଦାସଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କର କଟକସ୍ଥିତ ‘‘ପଥଛାୟା’’ ବାସଭବନରେ ସାକ୍ଷାତ କରିଥିଲେ ଅଧ୍ୟାପକ ଡକ୍ଟର ବିଜୟାନନ୍ଦ ସିଂହ ।

ସୃଜନ ଆଳାପ

ପ୍ର.

ସାହିତ୍ୟ ପ୍ରତି ଆପଣଙ୍କର ଆକର୍ଷଣ କେବେଠାରୁ ହେଲା?

ଉ.

ସହିତ୍ୟ ଓ କଳାର ଆଦି ବିନ୍ଦୁଟିରେ ମୁଁ କୌଣସି ପ୍ରଭେଦ ଦେଖେ ନାହିଁ ସେଇ ଦୃଷ୍ଟିରୁ ବ୍ୟାପକ ଶବ୍ଦ ‘କଳା’ ଯାହାର ସାହିତ୍ୟପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ‘ଥିଏଟର’ ବା ‘ନାଟକ’ ତା’ ପ୍ରତି ମୁଁ ଆକୃଷ୍ଟ ହୋଇଯାଇଥିଲି ସ୍କୁଲରେ ସପ୍ତମ ଅଷ୍ଟମ ଶ୍ରେଣୀରେ ପଢ଼ିଲା ଦିନଠାରୁ ସେତେବେଳେ ଖୁବ୍‌ ଥିଏଟର କରୁଥିଲି ରେଭେନ୍‌ସା କଲେଜରେ ଆସି ପଢ଼ିଲା ପରେ ୧୯୪୧-୧୯୪୨ ରେ ମୋ’ର ଥିଏଟର ନିଶା ସଂକ୍ରମିତ ହେଲା ନାଟକ ଲେଖା ନିଶାକୁ ସେତେବେଳେ ସିଧାସଳଖ ସାହିତ୍ୟର ସ୍ଵୀକୃତ ବୃତ୍ତ ମଧ୍ୟରେ ପଶିଯାଇଥିଲେ ମଧ୍ୟ ପ୍ରକୃତରେ ମୋ’ର ପରୋକ୍ଷଭାବେ ସାହିତ୍ୟ ପ୍ରତି ଆକର୍ଷଣ ଅଙ୍କୁରିତ ହୋଇଥିଲା ସ୍କୁଲରେ ଥିଏଟର କରିବା ଦିନଠାରୁ

 

ପ୍ର.

ଆପଣ ଗଳ୍ପ କବିତା ଲେଖୁଥିଲେ, ତେବେ ନାଟକ ପ୍ରତି କାହିଁକି ଆକୃଷ୍ଟ ହେଲେ?

ଉ.

ଗଳ୍ପ କବିତା ଗୋଟିଏ ଅଧେ ଲେଖିଥିଲି କିନ୍ତୁ ସେ ସବୁ ଏତେ ସ୍ପଷ୍ଟଭାବେ ମନେପଡ଼ୁନି ଅତୀତକୁ ନିରେଖି ଦେଖିଲେ କେବଳ ସ୍କୁଲଦିନରୁ କାହିଁକି ତା’ ପୂର୍ବରୁ ମୋର ବୟସ ସାତ/ଆଠବର୍ଷ ହୋଇଥିବା ସମୟରୁ ମୁଁ ଅଲକ୍ଷ୍ୟରେ ଥିଏଟର ପ୍ରତି ଆକୃଷ୍ଟ ହୋଇଯାଇଥିଲି

 

ପ୍ର.

ଆପଣଙ୍କର ପ୍ରଥମ ନାଟକଟି କ’ଣ ? ପ୍ରଥମ ନାଟକ ଅଭିନୀତ ହେବାପରେ ଆପଣଙ୍କର ଅନୁଭୂତି କ’ଣ ଥିଲା ?

ଉ.

କଲେଜରେ ପଢ଼ୁଥିବା ସମୟରେ ଗୁଡ଼ିଏ ନାଟକ ଲେଖିଥିଲି, ବହୁତ ଲେଖା ପାଣ୍ଡୁଲିପି ଆକାରେ ରହିଗଲା ସେଗୁଡ଼ିକୁ ମଞ୍ଚସ୍ଥ କରିବା ପାଇଁ କେବେ ଚିନ୍ତା କରିନଥିଲି ତେଣୁ ଆପଣ ଯେଉଁ ଅର୍ଥରେ ମୋ’ର ପ୍ରଥମ ନାଟକଟି କ’ଣ ବୋଲି ପ୍ରଶ୍ନକଲେ ସେଇ ଅର୍ଥରେ ମୁଁ ମନେକରୁଛି ମୋର’ ପ୍ରଥମ ନାଟକଟି ହେଲା ‘ଯୌବନ’ ଏହା ୧୯୪୪ ମସିହା ଜୁଲାଇ ୧୪ ତାରିଖ ଦିନ କଟକଠାରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇଥିଲା ଅନୁଭୂତି ମୋର କିଛି ନଥିଲା ଥିଏଟର ରୂପକ ‘କସ୍ତୁରୀ ମୃଗ’ ପଛରେ ସାରା ଜୀବନ ମୁଁ କାହିଁକି ଧାଇଁ ଚାଲିଲି ତାହା କହି ପାରିବି ନାହିଁ ତେବେ ଏପର୍ଯ୍ୟନ୍ତ କେହି କାହାକୁ ଛାଡ଼ି ନାହୁଁ ପ୍ରଭୁ ଜାଣନ୍ତି ଶେଷ ପର୍ଯ୍ୟନ୍ତ କ’ଣ ହେବ

 

ପ୍ର.

‘ବକ୍‌ସି ଜଗବନ୍ଧୁ’ ପରି ଜନପ୍ରିୟ ନାଟକ ଲେଖିଲା ପରେ ଆପଣ ଲେଖିଥିବା ନାଟକଗୁଡ଼ିକ ନାଟ୍ୟଜଗତରେ ନୂତନ ଯୁଗ ଉନ୍‌ମୋଚନ କରିଛି – ଏପରି ନୂଆ ରୂପରେ ନୂଆ ଢଙ୍ଗରେ ନାଟକ ରଚନା କରିବାର ଉଦ୍ଦେଶ୍ୟ କ’ଣ ଥିଲା ?

 

ଜନ୍ମ ଓ ଶିକ୍ଷା ବୃତ୍ତାନ୍ତ

ଯଶସ୍ୱୀ ନାଟ୍ୟକାର ମନୋରଂଜନ ଦାସ ୧୯୨୧ ମସିହା ଜୁଲାଇ ୨୫ ତାରିଖରେ କଟକ ନିକଟସ୍ଥ ଝାରକଟା ପାଟଣାଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଆର୍ତ୍ତବନ୍ଧୁ ଦାସ, ମାତାଙ୍କ ନାମ ସୁଲୋଚନା ଦାସ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବି.ଏ. ଏଲ୍‌.ଏଲ୍‌.ବି ।

 

କର୍ମମୟ ଜୀବନ

ସବ୍‌ଏଡିଟର୍‌ - ରିଜିଓନାଲ୍‌ ନିଉଜ୍‌, ଆକାଶବାଣୀ ,କଟକ ।

ସିନିୟର ପ୍ରଡ୍ୟୁସର – ନାଟକ ବିଭାଗ, ଆକାଶବାଣୀ, କଟକ

ସଂପାଦକ – ଓଡ଼ିଶା ସାହିତ୍ୟ ଏକାଡେମୀ । ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଓଡ଼ିଶା ଲଳିତ କଳା ଏକାଡେମୀ ।

ସଂପାଦକ – ଉତ୍କଳ ସାହିତ୍ୟ ସମାଜ, କଟକ ଚେୟାରମ୍ୟାନ୍‌ - ବୋର୍ଡ ଅଫ ଷ୍ଟଡିଜ୍‌, ନୃତ୍ୟ,      ନାଟକ,ସଂଗୀତ ଉତ୍କଳ ବିଶ୍ୱବିଦ୍ୟାଳୟ କାର୍ଯ୍ୟକାରୀ ସଭାପତି ‘କଳା ବିକାଶ କେନ୍ଦ୍ର’, କଟକ

 

ଉ.

କଲେଜରେ ପଢ଼ୁଥିବା ସମୟରେ ପ୍ରଖ୍ୟାତ ସାହିତ୍ୟକ ସୁରେନ୍ଦ୍ର ମହାନ୍ତିଙ୍କ ସହିତ ମୋ’ର ଘନୀଭୂତ ବଂଧୁତା ସ୍ଥାପିତ ହୋଇଥିଲା । ପି.ଏସ୍‌ ସୁନ୍ଦରମ୍‌ ସେତେବେଳେ ଥିଲେ ଅଗାଧ ଜ୍ଞାନ ସଂପନ୍ନ ଇଂରାଜୀ ଅଧ୍ୟାପକ । ସୁରେନ୍ଦ୍ର ବାବୁ ଥିଲେ ତାଙ୍କର ପ୍ରିୟ ଛାତ୍ର । ସାହିତ୍ୟିକୁ ନେଇ ଆମ ମନର ଜାଗି ଉଠିଥିଲା ସେତେବେଳେ ରଙ୍ଗିନ କଳ୍ପନାମାନ । ମୋର ନାଟକ ପ୍ରତି ଆଗ୍ରହ ଥିବା ଜାଣି ଶ୍ରୀସୁନ୍ଦମ୍‌ ଏକ ତାଲିକା ପ୍ରସ୍ତୁତ କରି ଥିଲେ । ପର୍ଯ୍ୟାୟ କ୍ରମେ ପଢ଼ିଲେ ନାଟକ ପଢ଼ାର ଆଗ୍ରହ ବଢ଼ିଯିବ ଏବଂ ସରଳ ବୋଧଗମ୍ୟ ନାଟକରୁ ଚିନ୍ତା ଉଦ୍ରେକ ଉଚ୍ଚାଙ୍ଗ ନାଟକ ଆଡ଼କୁ ଜଣେ ଆକୃଷ୍ଟ ହୋଇ ଚାଲିବ । ଏଇ କଥା ଲକ୍ଷ୍ୟ ରଖି ସୁନ୍ଦରମ୍‌ ସାହେବ ମୋ’ ପାଇଁ ତାଲିକାଟି ପ୍ରସ୍ତୁତ କରିଥିଲେ । ଏଇ ସବୁ ପଢ଼ାପଢ଼ି ମୋ ଅବଚେତନ ମନରେ ଅଲକ୍ଷ୍ୟରେ ସୃଷ୍ଟି କରିଥିଲା ଏକ ଉନ୍ମୁକ୍ତ ପ୍ରସାରିତ ପଟ୍ଟଭୂମି । ସମ୍ଭବତଃ ନାଟକ ଲେଖିବା ଉଦ୍ୟମରେ ଏହା ମତେ ସାହାଯ୍ୟ କଲା ନୂଆ ରୂପରେ, ନୂଆ ଢଙ୍ଗରେ ନାଟକ ଲେଖିବା ପାଇଁ ।

 

ପ୍ର.

ଆପଣଙ୍କ ପ୍ରଥମ ଅବସ୍ଥାର ଲେଖା ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ‘ ଓ ‘ବକ୍ସି ଜଗବଂଧୁ' ପରି ଐତିହାସିକ ନାଟକ ଲେଖିବାର ଅଭିପ୍ରାୟ କ‘ଣ ଥିଲା?

ଉ.

ସ୍ୱାଧୀନତା ପ୍ରାପ୍ତିର ପୂର୍ବ ଓ ପରବର୍ତ୍ତୀ ବର୍ଷ ଗୁଡ଼ିକରେ ଓଡ଼ିଶାର ରଙ୍ଗମଞ୍ଚ ଓ ନାଟକ ମାଧ୍ୟମରେ ଓଡ଼ିଆ ଜାତି ସମ୍ମୁଖରେ ତା’ର ଗୌରବମୟ ଇତିହାସର ସ୍ମରଣ କରାଇ ଦେବା ପାଇଁ ଏକ ଅଚିନ୍ତନୀୟ ପ୍ରବୃତ୍ତି ସେତେବେଳର ନାଟ୍ୟକାରମାନଙ୍କଠାରେ ପ୍ରକାଶ ପାଇଥିଲା-। କାଳୀଚରଣଙ୍କ ‘ଜୟଦେବ’, ‘ଅଭିଯାନ’ ଏବଂ ରାମଚନ୍ଦ୍ର ମିଶ୍ରଙ୍କ ’କବିସୂର୍ଯ୍ୟ’ ନାଟକଗୁଡ଼ିକ ମଞ୍ଚସ୍ଥ ହୋଇ ଓଡ଼ିଆ ଜାତିର ଐତିହ୍ୟ ଓ କାବ୍ୟ ସାହିତ୍ୟର ଉତ୍କର୍ଷତାକୁ ମନେପକାଇ ଦେଇଥିଲା । ଏହି ଅନୁକ୍ରମର ମୁଁ ବ୍ୟତିକ୍ରମ ନଥିଲି । ଫଳରେ ଲେଖିଥିଲି ୧୯୪୫-୪୬ରେ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ଯାହା ଓଡ଼ିଆ ଥିଏଟର୍ସରେ ୧୯୪୭ ଫେବୃଆରୀରେ ଅଭିନୀତ ହୋଇଥିଲା । ସ୍ୱାଧୀନତା ପରେ ପରେ ମଧ୍ୟ ଓଡ଼ିଆ ଜାତିକୁ ତା’ର ଅତୀତର ବୀରଗାଥା ସ୍ମରଣ କରାଇବାକୁ ମୁଁ ଲେଖିଥିଲି ୧୯୪୯ ମସିହାରେ ନାଟକ ‘‘ବିଦ୍ରୋହୀ ଜଗବନ୍ଧୁ‘‘ । ପରେ ‘‘ବକ୍ସି ଜଗବନ୍ଧୁ’’ ଶିରୋନାମାରେ ପୁସ୍ତକ ଆକାରରେ ପ୍ରକାଶ ପାଇଲା ।

 

ପ୍ର.

‘ନନ୍ଦିକା କେଶରୀ’କୁ ଆପଣ ଐତିହାସିକ ଚରିତ୍ରଭାବରେ ବିଚାର କରିଛନ୍ତିକି ? କେଉଁ ପ୍ରସଙ୍ଗରେ ଆପଣ ଏହା ଲେଖିଥିଲେ ?

ଉ.

ଓଡ଼ିଶାର ଏକ ଜନପ୍ରିୟ କିଂବଦନ୍ତୀକୁ ନୂତନ ବ୍ୟାଖ୍ୟା ମାଧ୍ୟମରେ କିପରି ଆଧୁନିକ ନାଟକର ପରିସର ଭିତରକୁ ଅଣାଯାଇ ପାରିବ ସେ ବିଷୟରେ ମୁଁ ବହୁ ବର୍ଷ ଧରି ଚିନ୍ତା କରୁଥିଲି । ଏକ ନୂତନ ବ୍ୟାଖ୍ୟା ଦେଇ ନାଟକର କେନ୍ଦ୍ରବିନ୍ଦୁ ସୁବର୍ଣ୍ଣ କେଶରୀଙ୍କ କନ୍ୟା ନନ୍ଦିକାକୁ କିଂବଦନ୍ଥୀର ସୀମିତ କୋଳ ଭିତରୁ କାଢ଼ି ଆଣି କାଳ ଓ ସୀମା ଅତିକ୍ରମ କରାଇ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସବୁ ସମୟ ପାଇଁ – ଏକ ସର୍ବକାଳୀନ ଓ ସାର୍ବଜନୀନ ପ୍ରତୀକ ରୂପେ ପ୍ରତିପାଦିତ କରିବା ମୋର ଇଚ୍ଛା ଥିଲା । ଏହି ଅଦମନୀୟ ଇଚ୍ଛାର ଫଳସ୍ୱରୂପ ରଚିତ ହେଲା ନାଟକ ‘ନନ୍ଦୀକାକେଶରୀ’ ।

 

ପ୍ର.

‘ଅଗଷ୍ଟ ନଅ’ ଆପଣଙ୍କର ଆଦ୍ୟ ନାଟ୍ୟକାର ଜୀବନର ଉଜ୍ଜ୍ୱଳ ପ୍ରତିଭାର ଆଉ ଏକ ଦିଗନ୍ତ – ସେ ନାଟକ କାହିଁକି ଲେଖିଲେ ?

ଉ.

୧୯୪୨ ମସିହାରେ ରାଷ୍ଟ୍ରପିତା ଗାନ୍ଧିଜୀଙ୍କର କ୍ରାନ୍ତିକାରୀ ‘ଭାରତଛାଡ଼’ ପ୍ରସ୍ତାବ ଉପରେ ଭିତ୍ତି କରି ସେତେବେଳର ଅଖଣ୍ଡ ଭାରତ ଭୂମିରେ ଅଗଷ୍ଟ ନ’ ତାରିଖ ପରେ ଦେଖା ଦେଇଥିଲା ଯେଉଁ ସ୍ୱତଃସ୍ଫୂର୍ତ୍ତ ବିପ୍ଳବ, ସେଇ ପଟ୍ଟାନ୍ତରହୀନ ବିପ୍ଳବର ନିର୍ଯ୍ୟାସ ମୁଁ ରୂପାୟିତ କରିବାର ଚେଷ୍ଟା କରିଥିଲି ‘ଅଗଷ୍ଟ ନ’ ନାଟକରେ । ସେଦିନର ଏଇ ନାଟକଟି ଏକ ଇଂରାଜୀ ଅନୁବାଦ ମାଧ୍ୟମରେ ସମଗ୍ର ଦେଶରେ ପ୍ରସାରିତ । ସ୍ୱାଧୀନତା ଲାଭର ଅର୍ଦ୍ଧଶତାବ୍ଦୀ ପୂରଣ ଉପଲକ୍ଷେ ଏହା ପ୍ରକାଶ ପାଇଲା (୧୯୯୮) କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ।

 

ପ୍ର.

‘କାଠଘୋଡ଼ା’ ପ୍ରଭୃତି ନାଟକରେ ଆପଣ ନୂତନ ଆଙ୍ଗିକ, ଟେକ୍‌ନିକ୍‌ ପ୍ରୟୋଗ କରିଛନ୍ତି । ଆପଣଙ୍କ ବ୍ୟବହୃତ ଆଙ୍ଗିକ ନାଟକର ବିକାଶ ଓ ପରିପ୍ରକାଶ ପାଇଁ କି ସାହାଯ୍ୟ କରିଛି ସେ ବିଷୟରେ କିଛି କହିବେ କି ?

ଉ.

ଆଧୁନିକ ନାଟକର ବ୍ୟାଖ୍ୟା ବିଶ୍ଳେଷଣ କାହାଣୀ ଉପର ନିର୍ଭର ନକରି ବେଳେବେଳେ ଗୋଟିଏ ଆଇଡିଆ ଉପରେ ବି ଲେଖା ଯାଇପାରେ । ଅନେକ ସମୟରେ ଦର୍ଶକ ପାଇଁ ଏ ନାଟକ ନିରସ ଓ ଶୁଷ୍କ ହୋଇଯାଏ । ପାରଂପରିକ ଲୋକ ନାଟକର ଆଙ୍ଗିକରେ ପରୀକ୍ଷିତ ଓ ପରିପୂର୍ଣ୍ଣ ଭାବେ ଦର୍ଶକର ଚିତ୍ତବିନୋଦନ ଉପାଦାନଗୁଡ଼ିକ ଭରି ରହିଥାଏ । ତେଣୁ ଆଧୁନିକ ନାଟକକୁ ଏହି ଆଙ୍ଗିକରେ ଲେଖାଗଲେ ତାହା ଦର୍ଶକକୁ ରଙ୍ଗମଞ୍ଚରେ ନାଟକଟି ଏହି ଆଙ୍ଗିକରେ ଲେଖାଗଲେ ତାହା ଦର୍ଶକକୁ ରଙ୍ଗମଞ୍ଚରେ ନାଟକଟି ଦେଖି ଉପଭୋଗ କରିବାକୁ ଆକୃଷ୍ଟ କରେ । ନାଟକଟିକୁ ଶେଷ ପର୍ଯ୍ୟନ୍ତ ବସି ଦେଖିବା ଫଳରେ ଏହା ଆଧୁନିକ ନାଟକ ବ୍ୟାଖ୍ୟା/ବିଶ୍ଲେଷଣକୁ ଦର୍ଶକ ପାଇଁ ବୋଧଗମ୍ୟ କରେ ।

 

ସମ୍ମାନ ଓ ଶ୍ରଦ୍ଧା

 

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

୧୯୬୪

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

୧୯୭୧

ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର

୧୯୭୮

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

୧୯୮୧

ସାରଳା ପୁରସ୍କାର

୧୯୮୯

ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ

୧୯୯୨

ଭାରତ ସରକାରଙ୍କ ସିନିୟର ଫେଲୋ

୧୯୮୩-୮୪

 

ପ୍ର.

‘ବନହଂସୀ’ ଆପଣଙ୍କର ଆଧୁନିକ ଚିନ୍ତାର ସର୍ବଶ୍ରେଷ୍ଠ ରୂପାୟନ..... ଆପଣଙ୍କର ମତ କଣ?

ଉ.

ନିଜ ଲେଖା ବିଷୟରେ ମତ ପ୍ରକାଶ କରିବା ଠିକ୍‌ ନୁହେଁ । ଲେଖାଟିର ଗୁଣାତ୍ମକ ବିଚାର କରାଯାଏ ସମୟର କଷଟି ପଥରରେ । ତେବେ ଏ ନାଟକ ବିଷୟରେ ମୁଁ ଏତିକି କହିବି ଯେ ଏ ନାଟକଟି ମୋର ଅନ୍ୟ ନାଟକଠାରୁ ଭିନ୍ନ ଥିଲା । ‘ସମୟର ସମୟହୀନତା’’ ପରିକଳ୍ପନା ଉପରେ ଆଧୁନିକ ମଣିଷର କ୍ଷତାକ୍ତ ଜୀବନ ଯନ୍ତ୍ରଣା ଦେଖାଇବାର ଏଥିରେ ମୁଁ ଚେଷ୍ଟା କରିଛି ।

 

ପ୍ର.

ଓଡ଼ିଆ ନାଟକରେ ଆପଣଙ୍କୁ ନବନାଟ୍ୟ ଆନ୍ଦୋଳନର ପ୍ରବର୍ତ୍ତକ ବୋଲି କୁହାଯାଇଛି । ସେପରି ଆନ୍ଦୋଳନର କ’ଣ ଆବଶ୍ୟକତା ଥିଲା?

ଉ.

ମୁଁ ଭାବୁଛି ଥିଲା । ଆପଣ ତାକୁ ନବନାଟ୍ୟ ଆନ୍ଦୋଳନ କୁହନ୍ତୁ କିଂବା ଅନ୍ୟ ଯେକୌଣସି ନାମରେ ଚିହ୍ନିତ କରନ୍ତୁ । ଗତ ପଚିଶ ତିରିଶ ବର୍ଷ ଭିତରେ ଲେଖାଯାଇଥିବା ନାଟକ ପ୍ରତି ଆପଣ ଦୃଷ୍ଟି ପକାନ୍ତୁ, ଦେଖିବେ ପ୍ରାୟ ସବୁ ସାମାଜିକ ନାଟକରେ କ୍ରମେ ଅଧିକରୁ ଅଧିକ ଭାବେ କିଛି ନା କିଛି ପରିବର୍ତ୍ତନର ସ୍ୱର ପରିଲକ୍ଷିତ ହେଉଛି । ଏଭଳି ନାଟକ ଏବେ ଆଉ କେହି ଲେଖୁ ନାହାନ୍ତି ବା କେଉଁଠି ମଞ୍ଚସ୍ଥ ହେଉନାହିଁ । ଏପରି ସ୍ଥଳେ ବିଳମ୍ବ ହୋଇ ଯାଇଥିଲେ ମଧ୍ୟ ଏକ ପରିବର୍ତ୍ତନର ଭିତ୍ତିଭୂମି ଉପରେ ଓଡ଼ିଆ ନାଟକକୁ ଅନ୍ୟ ନାଟକର ସମକକ୍ଷ କରିବା ପାଇଁ ସେ ସମୟରେ ଏକ ଆନ୍ଦୋଳନର ଆବଶ୍ୟକତା ନିଶ୍ଚିତ ଭାବେ ଥିଲା । ଅତୀତକୁ ସ୍ମରଣ କରି ମୁଁ ଆନନ୍ଦିତ ଏ ପ୍ରାରମ୍ଭିକ ଆନ୍ଦୋଳନ ସହିତ ଘନିଷ୍ଠ ଭାବେ ମୁଁ ନିଜକୁ ସାମିଲ କରିଥିଲି । ଅନ୍ୟତମ ଉଦ୍ୟୋକ୍ତା ଥିଲି ।

 

ପ୍ର,

‘ସୃଜନୀ’ ନାଟକ ସଂସ୍ଥା ଗଠନ କରିବାର ପରିକଳ୍ପନା ଆପଣମାନେ କାହିଁକି କରିଥିଲେ ?

ଉ.

‘ସୃଜନୀ’ ଗଠିତ ହୋଇଥିଲା ୧୯୬୪ରେ । ସେଇବର୍ଷ ଜୁଲାଇ ଏଗାର ତାରିଖରେ ତା’ର ପ୍ରଥମ ନାଟକ ‘ସାଗର ମନ୍ଥନ’ର ପ୍ରଥମ ପର୍ଯ୍ୟାୟର ଅଭିନୟ ଆରମ୍ଭ ହୋଇଥିଲା କଟକ ଅନ୍ନପୂର୍ଣ୍ଣା ମଞ୍ଚରେ । ନାଟକର ଶୁଭମୁକ୍ତି ଉପଲକ୍ଷେ ଆମେ ଶିଳ୍ପୀମାନଙ୍କର ଫଟୋ ସୁଶୋଭିତ ରଂଗୀନ କଭରର ଏକ ପୁସ୍ତିକା ଛପାଇଥିଲୁ । ‘ସୃଜନୀ’ର ନାଟ୍ୟସଂସ୍ଥା ଗଠନର ଆଭିମୁଖ୍ୟ କ’ଣ ଥିଲା ଏ ବିଷୟରେ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇଁ ମୁଁ ଏବେ ପଛକୁ ୧୯୬୪ ମସିହାକୁ ଫେରିଯାଉଛି । ଆମେ ସେଇ ପୁସ୍ତିକାରେ ଆମ ନିକ କଥା କହିବାକୁ ଯାଇ ଯାହା ଲେଖିଥିଲୁ ତାହା ଉଦ୍ଧାରକରୁଛି, ‘‘ସୃଜନୀ ବିଶ୍ୱାସ କରେ ଆମୋଦ ପ୍ରମୋଦ ପାଇଁ ନାଟକରେ ଯେତିକି ଉପାଦାନ ଲୋଡ଼ା ତା’ଠାରୁ ବେଶି ଉପାଦାନ ଲୋଡ଼ା ଯାହାକି ନାଟକ ରଚନା ଓ ଅଭିନୟ କ୍ଷେତ୍ରରେ ଗଭୀର ଚିନ୍ତାର ଉଦ୍ରେକ କରିପାରିବ’’ । ‘‘ସୃଜନୀ ବିଶ୍ୱାସ କରେ ନାଟ୍ୟକାର ଶିଳ୍ପୀ ଓ ପରିଚାଳକ ଏପରି କିଛି ସୃଷ୍ଟି କରାଯିବା ଉଚିତ୍‌ ଯାହାକି ଦର୍ଶକର ବୌଦ୍ଧିକ ଅନୁଭୂତି ଓ ଚିନ୍ତାକୁ ଗଭୀର ଭାବେ ମନ୍ଥନ କରି ପାରିବ ଏବଂ ତା’ର ଚେତନ ଓ ଅବଚେତନ ମନରେ ଦୀର୍ଘକ୍ଷଣ ସ୍ଥାୟୀ ଛାପ ଆଙ୍କି ଦେଇପାରିବ । ଅନ୍ୟ ପକ୍ଷରେ ’ସୃଜନୀ’ ବିଶ୍ୱାସ କରେ ଯେ ଉଚ୍ଚାଙ୍ଗ ନାଟକ ଦର୍ଶନ ପାଇଁ କ୍ରମେ ଦର୍ଶକଙ୍କ ଦୃଷ୍ଟିଭଙ୍ଗୀ ଯେପରି ପ୍ରସାରିତ ହେଉଛି ତା’ ସହିତ ତାଳରଖି ନାଟକ ପରିବେଷଣ କ୍ଷେତ୍ରରେ ଏକ ଭାରସାମ୍ୟ ରକ୍ଷା କରିବା ଉଚିତ୍‌ । ନାଟ୍ୟକାର, ଶିଳ୍ପୀ, ପରିଚାଳକ ଓ ଦର୍ଶକମାନଙ୍କ ମଧ୍ୟରେ ଏଇ ଭାରସାମ୍ୟ ସୃଷ୍ଟି କରିବା ହେଉଛି ’ସୃଜନୀ’ର ଚରମ ଓ ପରମ ଲକ୍ଷ୍ୟ । ଅବଶ୍ୟ ଏହି ଉଦ୍ଦେଶ୍ୟ ପରବର୍ତ୍ତୀ ସମୟରେ ସଫଳ ହୋଇପାରିନଥିଲା ।

 

ପ୍ର.

ସୌଖିନ ନାଟ୍ୟ ସଂସ୍ଥାଗୁଡ଼ିକର ନାଟକ ଅଭିନୟ ପ୍ରାୟ ବନ୍ଦ ହୋଇଗଲାଣି । ଏହାର କାରଣ କ’ଣ ?

ଉ.

ସବୁଠାରୁ ବଡ଼ କାରଣଟି ମୋ ବିଚାରରେ ହେଉଛି, ଆମ ସ୍ୱାଭିମାନ ନିମ୍ନଗାମୀ ହୋଇଯାଇଥିବାରୁ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ,ନୃତ୍ୟ ନାଟକ ପ୍ରତି ଆମର ଆଗ୍ରହ ହ୍ରାସ ପାଇଯାଇଛି ।

 

ମନୋରଂଜନଙ୍କ ସୃଷ୍ଟି ସମ୍ଭାର

ନାଟକ :

ଯୌବନ, କବି ସମ୍ରାଟ ଉପେନ୍ଦ୍ର ଭଂଜ, ଅଗଷ୍ଟ ନ’, ବକ୍ସି ଜଗବନ୍ଧୁ, ଆଗମୀ, ନାରୀ, ଅବରୋଧ, ଛୋଟନାଟକ, ଜନ୍ମ ମାଟି, ମହାସମୁଦ୍ର, ସାଗର ମନ୍ଥନ ବନହଂସୀ, ଅମୃତସ୍ୟ ପୁତ୍ରଃ, କାଠଘୋଡା, ଊର୍ମି, ଅବବାହିକାର ସ୍ୱପ୍ନ, ଶବ୍ଦଲିପି, କ୍ଲାନ୍ତ ପ୍ରଜାପତି, ନାଟ୍ୟଗୁଚ୍ଛ । ବିତର୍କିତ ଅପରାହ୍ନ, ନନ୍ଦିକା କେଶରୀ, ବିଚିତ୍ରମନର ନାଟକ, ସମଗ୍ର ନାଟକ (୪ଖଣ୍ଡ) ଆତ୍ମଜୀବନୀ : ସ୍ମୃତି ସଂଳାପ ।

ଅନୁବାଦ ନାଟକ : (ଅନ୍ୟଭାଷାରୁ)

ସାଗର ମନ୍ଥନ, ତଥାପି ଡାକ୍ତର, ନବାନ୍ନ, ଭଦ୍ରଲୋକ

 

ପ୍ର.

ଆକାଶବାଣୀରେ ପ୍ରସାରିତ ନାଟକ ସବୁ ଆଗେ ଯେପରି ଲୋକପ୍ରିୟତା ହାସଲ କରିଥିଲା ତାହା କ୍ରମଶଃ କମିବାରେ ଲାଗିଛି । ଏସଂପର୍କରେ ଆପଣଙ୍କ ମତ ?

ଉ.

ଟେଲିଭିଜନ ଯୁଗ ଆସିଯିବା ପରେ ନାଟକ ଦେଖିବା, ଶୁଣିବା ଲୋକ ଆଉ ପ୍ରାୟ କେହି ରେଡ଼ିଓ ଶୁଣୁନାହାନ୍ତି । ଏପରି ସ୍ଥଳେ ରେଡ଼ିଓ ନାଟକ ଲୋକପ୍ରିୟତା ହରାଇଥିବା ପ୍ରଶ୍ନ ଆସୁଛି କେଉଁଠି ? ତେବେ ମଝିରେ ମଝିରେ ଭଲ ନାଟକ ଯେ ପ୍ରସାରିତ ହେଉ ନାହିଁ ତାନୁହେଁ – ପୁର୍ବର ଶ୍ରୋତା ଆଉ ରେଡ଼ିଓ ଶୁଣୁନଥିବାରୁ ମନରେ ସ୍ୱତଃ ଏପରି ଧାରଣା ଆସିଯାଉଛି ।

 

ପ୍ର.

ଭଲ ନାଟକ କହିଲେ ଆପଣ କ’ଣ ବୁଝନ୍ତି ?

ଉ.

ମୋ’ ପାଇଁ ଭଲନାଟକ ସେଇ ନାଟକ ଯାହା ମଞ୍ଚ ଉପଯୋଗୀ ହୋଇଥାଏ ଏବଂ ଯେଉଁଥିରେ ଥାଏ ସାହିତ୍ୟକ ମୂଲ୍ୟ ।

 

ପ୍ର.

ଆପଣ ଜାଣନ୍ତି ଯେ ଭାରତବର୍ଷରେ ବିଭିନ୍ନ ପୁରସ୍କାର ପ୍ରବର୍ତ୍ତିତ ହୋଇଛି । ସାହିତ୍ୟ କ୍ଷେତ୍ରରେ ପୁରସ୍କାର ସଂପର୍କରେ ଆପଣଙ୍କ ମତ ?

ଉ.

ସାହିତ୍ୟ, କଳା, ସଂସ୍କୃତି କ୍ଷେତ୍ରରେ ସ୍ରଷ୍ଟାକୁ ଉତ୍ସାହ ଦେବା ବା ଯଥାର୍ଥ ସ୍ୱୀକୃତି ଦେବା ପାଇଁ ପୁରସ୍କାର ଗୁଡ଼ିକର ପ୍ରବର୍ତ୍ତନ ହୋଇଥାଏ ।

 

ପ୍ର.

ଓଡ଼ିଆ ନାଟକ ପୂର୍ବେ ଯେପରି ଜନଆଦୃତ୍ତି ଲାଭ କରିଥିଲା ତାହା ଏବେ ନାହିଁ । ଏହାର କାରଣ କ’ଣ ?

ଉ.

ଆମେ ବୁଦ୍ଧିଜୀବୀମାନେ ନାଟକକୁ ଅପାଂକ୍ତେୟ କରି ଦେଇଥିବାରୁ ନାଟକ ସୃଷ୍ଟି ହ୍ରାସ ପାଇଛି । ନାଟକକୁ କାବ୍ୟ, କବିତା, ପ୍ରବନ୍ଧ ପରି ପଢ଼ିକରି ଯେ ଉପଭୋଗ କରାଯାଇଥାଏ ଏ ସତ୍ୟଟି ଜନସାଧାରଣଙ୍କ ମାନସ ସ୍ତରରେ ରୋପିତ ନହେବା ପର୍ଯ୍ୟନ୍ତ ଓଡ଼ିଶା ପାଇଁ ସାହିତ୍ୟରେ ନାଟକ ଏକ ଅପାଂକ୍ତେୟ ବିଭାଗ ହୋଇ ରହିଯିବ ।

 

ପ୍ର.

ଗୋଟିଏ ନାଟକ ଲେଖିବା ପାଇଁ କେତେ ସମୟ ଲାଗେ ?

ଉ.

ଲାଗେ ପ୍ରାୟ ତିରିଶ ଦିନରୁ ଚାଳିଶଦିନ । କିନ୍ତୁ ନାଟକଟିର ବିଷୟବସ୍ତୁ ଓ ତା’ର ଉପସ୍ଥାପନା ବିଷୟରେ ମୁଁ ବହୁଦିନ ଧରି...... ଏପରିକି ବର୍ଷ ବର୍ଷ ଧରି ଭାବେ ।

 

ପ୍ର.

ଆପଣଙ୍କ ରଚିତ ‘‘ସ୍ମୃତି ସଂଳାପ’’ ଓଡ଼ିଆ ସାହିତ୍ୟରେ ଏକ ନୂତନ ଆବେଦନ......... । ଆପଣଙ୍କ ଭାଷାରେ ଏହା ଏକ ଅଣ ନାଟକ । ଏହିପରି ଏକ ଗ୍ରନ୍ଥରଚନା କରିବାର ଇଚ୍ଛା କାହିଁକି କଲେ ?

ଉ.

ଛୋଟ ବଡ଼ ପ୍ରାୟ ପଚାଶଟି ନାଟକ ଲେଖିସାରିବା ପରେ ପ୍ରାୟ ୬୫୦ ପୃଷ୍ଠାର ଏହି ଗ୍ରନ୍ଥଟି ଥିଲା ମୋର ପ୍ରଥମ ଅଣନାଟକ । ଚାରି ପାଖରେ ମୋର ବିଂଶଶତାବ୍ଦୀର ଇତିହାସ କ୍ଷିପ୍ର ଭାବରେ ଉନ୍ମମୋଚିତ ହୋଇଥିଲା....... ଗତିଶୀଳ ହୋଇଥିଲା..... ପରବର୍ତ୍ତିତ ହୋଇଥିଲା ଖାଲି ରାଜନୀତି, ଅର୍ଥନୀତି ବା ଶିକ୍ଷାନୀତି କ୍ଷେତ୍ରରେ ନୁହେଁ, ମଣିଷ ସମାଜର ସବୁ ସ୍ତରରେ ତା’ର ବ୍ୟବହାରରେ...... ତା’ର ବିଶ୍ୱାସ ଅବିଶ୍ୱାସ, ଅନ୍ଧବିଶ୍ୱାସ ଓ ଧର୍ମ ଅଧର୍ମରେ ବିଚାରରେ ତା’ର ନୀତି ଅନୀତିର ମାନଦଣ୍ଡରେ ଏବଂ ତା’ର ମୂଲ୍ୟବୋଧ ଧାରଣାର ଆକଳନରେ । ଏସବୁ ଫେଣ୍ଟାଫେଣ୍ଟି ହୋଇ ଚଳନ୍ତି ଇତସହାସର ନିର୍ଯ୍ୟାସ ଭାବେ ଇନ୍ଦ୍ରଧନୁର ରଙ୍ଗ ବୈଚିତ୍ର୍ୟରେ ଛାପି ହୋଇ ରହିଥିଲା ସ୍ମୃତିରେ ମୋର । ଏଗୁଡ଼ିକ ଲିପିବଦ୍ଧ କରିବା ଇଚ୍ଛା କରି ଲେଖିଥିଲି ମୁଁ ‘ସ୍ମୃତି ସଂଳାପ’ ।

 

ପ୍ର.

ଅରଣ୍ୟ ଫସଲ ନାଟକ ବାସ୍ତବରେ ଓଡ଼ିଆ ନାଟକ କାହିଁକି ସର୍ବଭାରତୀୟ ସ୍ତରରେ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ହୋଇପାରିଛି । ମନସ୍ତାତ୍ତ୍ୱିକ ଚିତ୍ର, ମଣିଷର ପ୍ରବୃତ୍ତିର ଉପସ୍ଥାପନାରେ ଆପଣ ନିଜସ୍ୱ ସୃଜନଶୀଳ ଶୈଳୀର ପରିଚୟ ଦେଇଛନ୍ତି । ଏପରି ଏକ ନାଟକର କଳ୍ପନା ଓ ତା’ର ପୃଷ୍ଠଭୂମି ସଂପର୍କରେ କିଛି ଆଲୋକପାତ କରିବେ କି ?

ଉ.

ବର୍ତ୍ତମାନ ଜୀବନର ଅବକ୍ଷିପ୍ତ.... ସ୍ଖଳିତ ମୂଲ୍ୟବୋଧର ଭିତ୍ତି ଉପରେ ଏ ନାଟକଟି ରଚିତ । ଏକ ନିର୍ଜନ ଡାକବଙ୍ଗଳାରେ ମାତ୍ର ଛ’ଟି ଚରିତ୍ରକୁ ନେଇ ଉନ୍‌ମୋଚିତ ହୋଇଥିବା ଏ ନାଟକରେ, ଆଧୁନିକ ନାଗରିକ ଜୀବନର ଛଳନା, ଭଣ୍ଡାମି ଏବଂ ଅବଦମିତ ଯୌନ କାମନାର ପରିପ୍ରକାଶ ମୋଟାମୋଟି ଭାବେ ଏଥିରେ ଚିତ୍ରିତ ହୋଇଛି । ଏଥିରେ ଥିବା ପ୍ରତୀକ ଗୁଡ଼ିକ ଯଥା – ସୁଖାଖଣି ଖୋଜିବା, ଛେଳି ବୋବାଇବା ଇତ୍ୟାଦି ନାଟକର ଅଭିବ୍ୟକ୍ତିକୁ ସ୍ପଷ୍ଟତର ଓ ଶକ୍ତିଶାଳୀ କରିବାରେ ସହାୟକ ହୋଇଛି । ନାଟକର ଟେଲିଗ୍ରାଫିକ୍‌ ଭାଷା, ଗଠନର ସାନ୍ଧ୍ରତା, ଦୃଷ୍ଟିକୋଣର ନୂତନତା ସମ୍ଭବତଃ ଏହାକୁ ଏପର୍ଯ୍ୟନ୍ତ ବିଭିନ୍ନ ଦୃଷ୍ଟିକୋଣରୁ ସର୍ବଭାରତୀୟ ଆଲୋଚନା ପରିସରରେ ଜୀବନ୍ତ ରଖିପାରିଛି ।

 

***

 

ଏକାଡେମୀ ସମାଚାର

 

କବି ବ୍ରଜନାଥ ବଡ଼ଜେନା ଜୟନ୍ତୀ :

ତା ୧୩.୪.୨୦୦୦ ରିଖ ପୂର୍ବାହ୍ନରେ ଢେଙ୍କାନାଳସ୍ଥ ଗୋପବନ୍ଧୁ ଟାଉନ୍‌ ହଲରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ସ୍ମୃତି ସଭା ଆୟୋଜନରେ ଜିଲ୍ଲା ସଂସ୍କୃତି ପରିଷଦ, ଢେଙ୍କାନାଳ ଓ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ସହଯୋଗ କରିଥିଲେ ।

 

ଏହି ସ୍ମୃତି ସଭାରେ କବି ଶ୍ରୀ ପ୍ରଭାକର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କବି ବ୍ରଜନାଥ ଯୁଗର କବି ନୁହନ୍ତି ସେ ଚେତନାର କବି ବୋଲି ମତବ୍ୟକ୍ତ କରିଥିଲେ । ଆଲୋଚନାଚକ୍ର ମାଧ୍ୟମରେ ତାଙ୍କ ସାହିତ୍ୟ ଆଲୋଚନାର ଅବକାଶ ରହିଛି ବୋଲି ସେ କହିଥିଲେ-। ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ କବି ବ୍ରଜନାଥଙ୍କ ବିଭିନ୍ନ କାବ୍ୟର ଅବତାରଣା କରିବା ସହିତ ତାଙ୍କର କାବ୍ୟିକ ପ୍ରତିଭାର ମୂଲ୍ୟାୟନ କରି ତାଙ୍କୁ ଦ୍ୱିତୀୟ ଭଞ୍ଜ ଭାବରେ ପ୍ରତିପାଦିତ କରିଥିଲେ । ‘ବିଭାବନା’ ସାହିତ୍ୟ ପତ୍ରର ସଂପାଦକ, କବି ମନୋରଞ୍ଜନ ନନ୍ଦ ଏଥିରେ ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ବ୍ରଜନାଥ ସାହିତ୍ୟର ସମ୍ୟକ୍‌ ଆଲୋଚନା କରିଥିଲେ । ଏଥିରେ ଏକାଡେମୀର ଢେଙ୍କାନାଳ ଜିଲ୍ଲା ସଦସ୍ୟ ଶ୍ରୀ ହରମୋହନ ଦାଶ ପୌରୋହିତ୍ୟ କରି କବି ବ୍ରଜନାଥଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଂପାଦକ ଶ୍ରୀ ଭବାନୀ ପ୍ରସାଦ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ଲେଖକ ସଂସଦର ସଭାପତି କବି ଶ୍ରୀ ବସନ୍ତ କୁମାର ମହାପାତ୍ର (ଶାଣ୍ଡିଲ୍ୟ) ପ୍ରାରମ୍ଭିକ ସୂଚନା ଏବଂ ଶ୍ରୀ ରାଧାନାଥ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଲେଖକ ସଂସଦର ସଂପାଦକ ଶ୍ରୀ ସୁଗ୍ରୀବ ନାୟକ ବଡ଼ଜେନାଙ୍କ ସାରସ୍ୱତକୃତି ଉପରେ ଆଲୋଚନା କରିଥିଲେ । ଶୋଭନୀୟ ଶିକ୍ଷାଶ୍ରମର ସମ୍ପାଦିକା ଶ୍ରୀମତୀ ଜ୍ୟୋତିର୍ମୟୀ ଏକ କବିତା ପାଠକରି ବଜ୍ରନାଥଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ କାଳୀଚରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

 

ସାର୍‌ ବାସୁଦେବ ସୁଢ଼ଳଦେବ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାର୍‌ ବାସୁଦେବ ସୁଢ଼ଳଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଉପଲକ୍ଷ୍ୟେ ତା ୧୬.୫.୨୦୦୦ ରିଖ ସଂଧ୍ୟାରେ ଦେବଗଡ଼ସ୍ଥ ରାଜା ବାସୁଦେବ ଉଚ୍ଚବିଦ୍ୟାଳୟ ପରିସରରେ ଏକ ସାରସ୍ୱତ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏହି ସଭାରେ ଦେବଗଡ଼ ଜିଲ୍ଲାପାଳ ଶ୍ରୀ ମନୋରଂଞ୍ଜନ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସାରସ୍ୱତ ସାଧକ ବାମଣ୍ଡାଧୀଶ୍ୱର ସାର୍‌ ବାସୁଦେବ ସୁଢ଼ଳଦେବ ଓଡ଼ିଆ ସାହିତ୍ୟ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ଅର୍ଜୁନ ରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ଏବଂ ଶ୍ରୀ ଫଣୀନ୍ଦ୍ର ଭୂଷଣ ନନ୍ଦ ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ବାମଣ୍ଡାଧୀଶ୍ୱର ବହୁ ପ୍ରତିଭାର ଅଧିକାରୀ ସାର୍‌ ବାସୁଦେବ ସୁଢ଼ଳଦେବଙ୍କ ବ୍ୟକ୍ତିତ୍ୱ ଉପରେ ଆଲୋଚନା କରିଥିଲେ । ଏକାଡେମୀର ସଦସ୍ୟ ଶ୍ରୀ ମଧୁସୂଦନ ଗୁରୁ ଏଥିରେ ଅଧ୍ୟକ୍ଷତା କରି ବାମଣ୍ଡାରେ ପ୍ରଥମ ମୁଦ୍ରଣ ପ୍ରେସ୍‌ ପ୍ରତିଷ୍ଠା କରି ବିଜୁଳି, ଉତ୍କଳ-ମଧୁପ ଓ ସମ୍ବଲପୁର ହିତୈଷିଣୀ ଆଦି ପତ୍ରିକା ଓ ଦୁଷ୍ପ୍ରାପ୍ୟ ପାଣ୍ଡୁଲିପିର ମୁଦ୍ରଣ ଓ ପ୍ରକାଶନ କରି ସାର୍‌ ରାଜା ସୁଢ଼ଳଦେବ କିପରି ଓଡ଼ିଆ ସାହିତ୍ୟକୁ ପ୍ରଗତି ପଥରେ ଆଗେଇ ନେଇଥିଲେ ତାହା ବର୍ଣ୍ଣନା କରିଥିଲେ ।

 

ଏକାଡେମୀର ସମ୍ପାଦକ କବି ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ସଭା ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ବାମଣ୍ଡା ଅଧିପତି ସୁଢ଼ଳଦେବ ଆଧୁନିକ ଓଡ଼ିଆ ସାହିତ୍ୟର ସୃଜନ ସୂତ୍ରପାତ କାଳରେ ନିଜ ପୃଷ୍ଠପୋଷକତା ବଳରେ ବହୁ ସାହିତ୍ୟ ସାଧକଙ୍କୁ ଉତ୍ସାହିତ କରିଥିଲେ ବୋଲି କହିଥିଲେ ।

 

ଲୋକକବି ଜଗନ୍ନାଥ ପାଣି ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକଡେମୀ ଓ ଜଗନ୍ନାଥ ପାଣି ସ୍ମୃତି ସଂସଦଙ୍କ ମିଳିତ ଆନୁକୂଲ୍ୟରେ ଆଦିଗୀତି ନାଟ୍ୟକାର ଲୋକକବି ଜଗନ୍ନାଥ ପାଣିଙ୍କ ଜୟନ୍ତୀ ଉତ୍ସବ ତା ୧୫.୪.୨୦୦୦ ରିଖ ସଂଧ୍ୟାରେ ଭୁବନେଶ୍ୱରସ୍ଥ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର କମଳା ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଥମ ଥର ପାଇଁ ଏହି ଜୟନ୍ତୀ ପାଳିତ ହେଉଥିବାରୁ ସେ ଆନନ୍ଦ ପ୍ରକାଶ କରିବା ସହିତ ଜଗନ୍ନାଥ ପାଣିଙ୍କ ସାରସ୍ୱତକୃତି ଜନସାଧାରଣରେ କିପରି ଅଧିକ ପ୍ରସାରିତ ହୋଇ ପାରିବ ସେଥିପ୍ରତି ଯତ୍ନଶୀଳ ହେବାକୁ ଆହ୍ୱାନ ଦେଇଥିଲେ ।

 

ପର୍ଯ୍ୟଟନ କ୍ରୀଡ଼ା ଓ ସଂସ୍କୃତି ବିଭାଗ ଶାସନ ସଚିବ କବି ଶ୍ରୀ ରବିନାରାୟଣ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ତାଙ୍କ ଭାଷଣରେ ଲୋକକବିଙ୍କ ଜୀବନ ଓ ପ୍ରତିଭା ସଂପର୍କରେ ଆଲୋକପାତ କରି ପାଶ୍ଚାତ୍ୟ ଅପସଂସ୍କୃତି କବଳରୁ ଆମ ପାରମ୍ପରିକ ଲୋକ ସଂସ୍କୃତିର ସୁରକ୍ଷା ପାଇଁ ଜନସାଧାରଣଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ସେ ମତ ବ୍ୟକ୍ତ କରିଥିଲେ-। ସମୟର ସଂପାଦକ ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ଶ୍ରୀ ସାତକଡ଼ି ହୋତା ଏହି ପୂଜ୍ୟପୂଜା ଅନୁଷ୍ଠାନରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଜଗନ୍ନାଥ ପାଣିଙ୍କ ସାହିତ୍ୟରେ ସମକାଳୀନତା ରହିଛି ବୋଲି ମତବ୍ୟକ୍ତ ଭାରବେ କରିଥିଲେ । ଜଗନ୍ନାଥ ପାଣି ସ୍ମୃତି ସଂସଦର ସଭାପତି ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ସ୍ମୃତି ସଂସଦ ଜଗନ୍ନାଥ ପାଣିଙ୍କ କୃତି ଓ କୀର୍ତ୍ତିର ପ୍ରସାର ଓ ପ୍ରଚାର କଳ୍ପେ କିପରି ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଛି ତାହା ଉଲ୍ଲେଖ କରିବା ସହିତ ମିଳିତ ଭାବେ ତାହା ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ । ସ୍ମୃତି ସଂସଦର ସଂପାଦକ କବି ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ ଏଥିରେ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ଲୋକକବିଙ୍କ ନାଟ୍ୟ ସାହିତ୍ୟର ବିଶଦ୍‌ ଆଲୋଚନା କରିଥିଲେ । ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସହସଂପାଦକ ଶ୍ରୀ ଭବାନୀ ପ୍ରସାଦ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ସ୍ମୃତି ସଂସଦ ପକ୍ଷରୁ ଜଗନ୍ନାଥ ପାଣିଙ୍କ ରଚିତ ‘ବିଲଙ୍କା ଚରିତ’ କାବ୍ୟ ନାଟିକା ଡକ୍ଟର ଉପେନ୍ଦ୍ର ନାୟକଙ୍କ ନିର୍ଦ୍ଦେଶନାରେ ଅଭିନୀତ ହୋଇ ଦର୍ଶକମଣ୍ଡଳୀଙ୍କୁ ଆମୋଦିତ କରିଥିଲେ ।

 

ସନ୍ଥକବି ଭୀମଭୋଇଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭୀମଭୋଇ ସାହିତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ତା ୧୮.୫.୨୦୦୦ ରିଖ ସଂଧ୍ୟାରେ ରେଢ଼ାଖୋଲସ୍ଥ କଦମ୍ବ ପଡ଼ିଆଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

 

ଏକାଡେମୀର ସଦସ୍ୟ ପ୍ରଫେସର ମଧୁସୂଦନ ପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସଭାରେ ଶ୍ରୀ ନାରାୟଣ ପୃଷେଠ୍‌ ଏବଂ ଶ୍ରୀ ଉମାଶଙ୍କର ପଣ୍ଡା ଭୀମଭୋଇ ସାହିତ୍ୟ ପରିଷଦର ସଭାପତି ଗୋକୁଳା ନନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କବିଙ୍କ ଜଣାଣ ଭଜନ ଆଦିରେ ନିହିତ ସତ୍ୟନିଷ୍ଠ, ଆଦର୍ଶ ଜୀବନ ଦର୍ଶନ ଓ ଧର୍ମଧାରଣାର ନିଗୂଢ଼ ତତ୍ତ୍ୱାବଳୀ ସଂପର୍କରେ ବିଶଦ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଗୁଣି ଜେନା ତାଙ୍କ ଭାଷଣ ପ୍ରସଙ୍ଗରେ ଭକ୍ତକବି ଭୀମଭୋଇଙ୍କୁ ଏକାଧାରରେ ଜଣେ ମହାନ୍‌ ସ୍ରଷ୍ଟା, ଦିବ୍ୟଦ୍ରଷ୍ଟା ଓ ସମାଜ ସଂସ୍କାରକ ରୂପେ ବର୍ଣ୍ଣନା କରିଥିଲେ । ସଭା ଆରମ୍ଭରେ ଏକାଡେମୀର ସଂପାଦକ କବି ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରସଙ୍ଗରେ ବିଶ୍ୱଚେତନା ଓ ମାନବବାଦର ସ୍ୱରରେ ଝଙ୍କୃତ ସନ୍ଥକବିଙ୍କ ଅନନ୍ୟ କାବ୍ୟସୃଷ୍ଟି ଚିରନ୍ତନ ବିଶ୍ୱ ସାହିତ୍ୟର ମର୍ଯ୍ୟାଦା ଲାଭ କରିଛି ବୋଲି କହିଥିଲେ । ଶେଷରେ ଭୀମଭୋଇ ସାହିତ୍ୟ ପରିଷଦର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।

 

କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱରସ୍ଥ ପାନ୍ଥନିବାସ ସଭାଗୃହରେ ତା ୨୧.୬.୨୦୦୦ ରିଖ ସଂଧ୍ୟାରେ ଏକ ସାରସ୍ୱତ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏକାଡେମୀର ସଦସ୍ୟ ବରିଷ୍ଠ କବି ଡକ୍ଟର ଫନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଲବ୍ଧ ପ୍ରତିଷ୍ଠ ଔପନ୍ୟାସିକ ତଥା ଗାଳ୍ପିକ ଡକ୍ଟର ବିଭୂତି ପଟ୍ଟନାୟକ ମୁଖ୍ୟଅତିଥି, ବିଶିଷ୍ଟ ସାହିତ୍ୟ ସମାଲୋଚକ ଡକ୍ଟର ପ୍ରକାଶ କୁମାର ପରିଡ଼ା ମୁଖ୍ୟବକ୍ତା ଏବଂ ଡକ୍ଟର ଧରଣୀଧର ରାଉତ ସମ୍ମାନିତ ବକ୍ତାଭାବେ ଯୋଗଦାନ କରି ସ୍ୱର୍ଗତ ମହାନ୍ତିଙ୍କ ଜୀବନଚର୍ଯ୍ୟା ଓ ବହୁମୁଖୀ ପ୍ରତିଭା ସଂପର୍କରେ ଏକ ଅନ୍ତରଙ୍ଗ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ଅଶ୍ୱିନୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଏକାଡେମୀର ସହ ସଂପାଦକ ଶ୍ରୀ ଭବାନୀ ପ୍ରସାଦ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ କୃପାସିନ୍ଧୁ ସ୍ମୃତି ସମିତିଙ୍କ ମିଳିତ ଆନୁକୂଲ୍ୟରେ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ସାକ୍ଷୀଗୋପାଳ ଅନ୍ତର୍ଗତ ବୀରପ୍ରତାପପୁର ଶାସନସ୍ଥ କୃପାସିନ୍ଧୁ କ୍ଲବ ପ୍ରାଙ୍ଗଣରେ ତା ୨୭.୬.୨୦୦୦ ରିଖ ସଂନ୍ଧ୍ୟାରେ ଏକ ସାରସ୍ୱତ ସଭାର ଆୟୋଜନ କରାଯାଇଥିଲା ।

 

କୃପାସିନ୍ଧୁ ସ୍ମୃତି ସମିତିର ସଭାପତି ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଡକ୍ଟର ହରିଶ୍ଚନ୍ଦ୍ର ଦାସ ମୁଖ୍ୟଅତିଥି ଏବଂ ଶ୍ରୀ ଶ୍ରୀରାମ ଦାସ ସମ୍ମାନିତ ବକ୍ତାଭାବେ ଯୋଗଦାନ କରି କୃପାସିନ୍ଧୁଙ୍କ ଆଦର୍ଶ ଜୀବନ ସଂପର୍କରେ ଆଲୋଚନା କରିଥିଲେ । ସଭାପ୍ରାରମ୍ଭରେ ଏକାଡେମୀ ସଂପାଦକ ଶ୍ରୀ ଅଶ୍ୱିନୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

 

ରାଜା ବିକ୍ରମଦେବ ବର୍ମା ଜୟନ୍ତୀ :

ସାରସ୍ୱତ ସାଧକ ରାଜା ବିକ୍ରମ ଦେବ ବର୍ମାଙ୍କ ୧୩୧ତମ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦ, କୋରାପୁଟଙ୍କ ମିଳିତ ଆନୁକୂଲ୍ୟରେ ତା ୨୮.୬.୨୦୦୦ ରିଖ ସନ୍ଧ୍ୟାରେ ଜୟପୁରସ୍ଥ ଲକ୍ଷ୍ମଣ ନାୟକ ମେମୋରିଆଲ୍‌ ହଲ୍‌ରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

 

ଏହି ସାରସ୍ୱତ ସଭାରେ ଡକ୍ଟର ଅଜାମ୍ବର ମଲ୍ଲ ଓ ଡକ୍ଟର ତୀର୍ଥାନନ୍ଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଆନ୍ଧ୍ର ଓ ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ସାଂସ୍କୃତିକ ସଂହତି ଓ ସମନ୍ୱୟ ପ୍ରତିଷ୍ଠା ପାଇଁ ମହାରାଜା ବିକ୍ରମ ଦେବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅତୀବ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ପ୍ରକାଶ କୁମାର ସେନାପତି ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ଭାଷଣ ପ୍ରସଙ୍ଗରେ ରାଜା ବିକ୍ରମ ଦେବ ବର୍ମାଙ୍କ ପୃଷ୍ଠପୋଷକତାରେ ସମଗ୍ର ଓଡ଼ିଶା ଓ ଆନ୍ଧ୍ରର ଶିକ୍ଷା, ସ୍ୱାସ୍ଥ୍ୟ, ଭାଷା, ସାହିତ୍ୟ ଓ ସଂସ୍କୃତି କିପରି ସମୃଦ୍ଧି ଲାଭ କରିଥିଲା ତାହାର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ।

 

ଏକାଡେମୀର ସଦସ୍ୟ ଶ୍ରୀ ନରସିଂହ ମିଶ୍ର ଏଥିରେ ଅଧ୍ୟକ୍ଷତା କରି ବିକ୍ରମ ଦେବଙ୍କ ଉଦାର ବ୍ୟକ୍ତିତ୍ୱ ଓ ସଂସ୍କୃତି, ଓଡ଼ିଆ ଓ ତେଲୁଗୁ କାବ୍ୟ, ବ୍ୟାକରଣ ଓ ଜ୍ୟୋତିଷ ଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଜୟପୁରର ସାହିତ୍ୟପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

କବି ଦୀନକୃଷ୍ଣ ଦାସ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦୀନକୃଷ୍ଣ ସ୍ମୃତି ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଉପଲକ୍ଷେ ତା ୨୩.୪.୨୦୦୦ ରିଖ ଅପରାହ୍ନରେ ଜଳେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏକାଡେମୀର ସଦସ୍ୟ କବି ଶ୍ରୀ ବ୍ରଜନାଥ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସଭାରେ ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରୀତିଯୁଗୀୟ କବି ଦୀନକୃଷ୍ଣଙ୍କ ନୈସର୍ଗିକ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ ଡକ୍ଟର କୁଞ୍ଜବିହାରୀ ଧଳ ଓ ଶ୍ରୀ ଅରବିନ୍ଦ ଗିରି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି କବିଙ୍କ ଅନବଦ୍ୟ ସୃଷ୍ଟି ‘ସରକଲ୍ଲୋଳ’ରେ ଲୋକସଂସ୍କୃତି ଓ ବିଦଗ୍ଧ ରୁଚିବୋଧର କିପରି ସୁମଧୁର ସମନ୍ୱୟ ଘଟିଛି ତାହା ବର୍ଣ୍ଣନା କରିଥିଲେ । ବିଶିଷ୍ଟ କବି ଶ୍ରୀ ବ୍ରଜନାଥ ରଥ ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ ଅନନ୍ୟ କବି ଦୀନକୃଷ୍ଣ ତାଙ୍କର ସାରସ୍ୱତ କୃତି ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଜାଗରଣ ଆଣିବାକୁ ଚେଷ୍ଟା କରିଥିଲେ । ପ୍ରାରମ୍ଭରେ ଏକାଡେମୀ ସଂପାଦକ କବି ଅଶ୍ୱିନୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଦୀନକୃଷ୍ଣ ସ୍ମୃତି ପରିଷଦର ସଂପାଦକ ଶ୍ରୀ ବିପିନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଗଣକବି ଗୋପାଳ ଦାଶ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଂଗଠନଙ୍କ ମିଳିତ ସହଯୋଗରେ କେନ୍ଦ୍ରାପଡ଼ାସ୍ଥ ନସିପୁରଠାରେ ଗଣକବି ଗୋପାଳଦାଶଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ତା ୩୦.୫.୨୦୦୦ ରିଖରେ ଏକ ଆଲୋଚନାଚକ୍ର ଓ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏକାଡେମୀର ସଦସ୍ୟ ଶ୍ରୀ ଶଶିଭୁଷଣ ବିଶ୍ୱାଳ ଏଥିରେ ପୌରୋହିତ୍ୟ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ସାହିତ୍ୟକ ତଥା ବାଗ୍ମୀ ଶ୍ରୀ ରଜତ କୁମାର କର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ ।

 

ଏକାଡେମୀ ସଂପାଦକ ଅଶ୍ୱିନୀ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଗଣକବିଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅତିଥି ପରିଚୟ ପ୍ରଦାନ ଅବସରରେ ଉତ୍କଳୀୟ ସାଂସ୍କୃତିକ ପରମ୍ପରାର ଅନ୍ୟତମ ସଂରକ୍ଷକ ଗଣକବି ଗୋପାଳ ଦାଶଙ୍କ ଜୟନ୍ତୀ ଏକାଡେମୀ ପକ୍ଷରୁ ପାଳନ କରାଯାଇଥିବାରୁ ଏକାଡେମୀ ଏଥିପାଇଁ ଗର୍ବ ଅନୁଭବ କରୁଛି ବୋଲି ମତପ୍ରକାଶ କରିଥିଲେ ।

 

ଶ୍ରୀ ରଜତ କୁମାର କର ମୁଖ୍ୟ ଅତିଥି ଭାବେ ଉତ୍ସବରେ ଯୋଗଦାନ କରି ଗଣକବି ଗୋପାଳ ଦାଶ ଓ ବୈଷ୍ଣବ ପାଣିଙ୍କ ରଚନା ସଂପର୍କରେ ଏକ ତୁଳନାତ୍ମକ ବିଶ୍ଳେଷଣ କରି ଉଭୟ ଓଡ଼ିଆ ସାହିତ୍ୟର ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଛନ୍ତି ବୋଲି ଦର୍ଶାଇଥିଲେ । ଗୋପାଳ ଦାଶଙ୍କ ରଚନା ସମ୍ଭାରରେ ବିଭିନ୍ନ ବିଭାବ ଉପରେ ଲିଖିତ ପ୍ରବନ୍ଧମାନ ଶ୍ରୀ ରମାନାଥ ଜେନା, ଡକ୍ଟର ଅର୍ପର୍ଣ୍ଣା ମହାନ୍ତି ଓ ଶ୍ରୀ ନୀଳମଣି ପରିଡ଼ା ଉପସ୍ଥାପନ କରି ଗଣକବିଙ୍କ ସାରସ୍ୱତ ସୃଷ୍ଟିର ବିଭିନ୍ନ ଦିଗ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ଭିକାରି ଚରଣ ବଳ ଗୋପାଳ ଦାଶଙ୍କ ଦ୍ୱାରା ରଚିତ ଗୀତିନାଟ୍ୟ ଗୁଡ଼ିକର ପୁନାରୁଦ୍ଧାର କରାଯାଇ ତା’ର ବେତାର ରୂପାନ୍ତର କରାଯାଇ ପାରିଲେ ଗଣକବିଙ୍କ ସାହିତ୍ୟର ଉତ୍କର୍ଷ ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ବହୁଳ ଲୋକପ୍ରିୟତା ଅର୍ଜନ କରିପାରିବ ବୋଲି ମତପ୍ରକାଶ କରିଥିଲେ ।

 

ବରିଷ୍ଠ କବି ଶ୍ରୀ ଶଶିଭୂଷଣ ବିଶ୍ୱାଳ ଉତ୍ସବରେ ପୌରୋହିତ୍ୟ କରି ଗଣକବିଙ୍କ ସାହିତ୍ୟ ସଂପର୍କରେ ସମ୍ୟକ୍‌ ଆଲୋକ ପାତ କରିଥିଲେ । ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଂଗଠନର ସଭାପତି ଶ୍ରୀ ସୁଶାନ୍ତ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଗଣକବିଙ୍କ ରଚିତ ଗୀତାଭିନୟ ଏବଂ ଏକ ଆକର୍ଷଣୀୟ ସାଂସ୍କୃତିକ ବିଚିତ୍ରା ଗୋପାଳଦାଶ ସ୍ମାରକୀ କଳା ମନ୍ଦିରର କଳାକାରମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା ।

 

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ଏକାଡେମୀ ପୁରସ୍କାର – ୯୫, ୯୬, ୯୭ ଏବଂ ସାରସ୍ୱତ ସମ୍ବର୍ଦ୍ଧନା – ୯୯

 

ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ଏକାଡେମୀ ପୁରସ୍କାର ଏବଂ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ତା ୧୯.୬.୨୦୦୦ରିଖ ସଂଧ୍ୟାରେ ଭୁବନେଶ୍ୱରସ୍ଥ ସୂଚନା ଭବନଠାରେ ଏକ ମନୋଜ୍ଞ ଉତ୍ସବର ଆୟୋଜନ କରାଯାଇଥିଲା ।

 

ବହୁ କବିତା, ପ୍ରବନ୍ଧ, ରମ୍ୟ ରଚନା ଓ ଜୀବନଧର୍ମୀ ଉପନ୍ୟାସର ସ୍ରଷ୍ଟା ବର୍ଷୀୟାନ୍‌ ସାହିତ୍ୟକ ନିତ୍ୟାନନ୍ଦ ମହାପାତ୍ରଙ୍କୁ ୧୯୯୯ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ୧୯୯୫, ୧୯୯୬ ଓ ୧୯୯୭ ବର୍ଷ ପାଇଁ ସାହିତ୍ୟର ଆଠଟି ବିଭାଗରେ ୨୪ଜଣ ଲେଖକ, ଲେଖିକାଙ୍କୁ ସେମାନଙ୍କର ଶ୍ରେଷ୍ଠକୃତି ପାଇଁ ତାମ୍ର ମାନପତ୍ର, ଉତ୍ତରୀୟ ଓ ନଗଦ ଦଶହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ରାଜ୍ୟ ସଂସ୍କୃତି ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୌରୋହିତ୍ୟରେ ସୂଚନା ଭବନଠାରେ ଅନୁଷ୍ଠିତ ଏକ ମନୋଜ୍ଞ ଉତ୍ସବରେ ରାଜ୍ୟପାଳ ଏମ୍‌.ଏମ୍‌. ରାଜେନ୍ଦ୍ରନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସାହିତ୍ୟିକମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ ।

 

ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ କବିବର ରାଧାନାଥ ଓ ବ୍ୟାସକବି ଫକିର ମୋହନଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ବିଶିଷ୍ଟ ଲେଖକମାନଙ୍କ ଅବଦାନ ସଂପର୍କରେ ଦର୍ଶାଇ ସାମାଜିକ ବ୍ୟାଧିର ମୁକାବିଲା ପାଇଁ ସାହିତ୍ୟକମାନେ ନିଜ ଲେଖନୀ ଜରିଆରେ ଆଗଭର ହେବାକୁ ମାନ୍ୟବର ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ଏକାଡେମୀର ପୁରସ୍କାର ପ୍ରଦାନ ଏଣିକି ପ୍ରତିବର୍ଷ ନିୟମିତ ହେବ ବୋଲି ରାଜ୍ୟପାଳ ଓ ସଂସ୍କୃତି ମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ସଂସ୍କୃତି ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ତାଙ୍କ ଭାଷଣରେ ଓଡ଼ିଆ ସାହିତ୍ୟର ସମୃଦ୍ଧି ଦିଗରେ ସରକାର ଓ ଏକାଡେମୀ ସାଙ୍ଗକୁ ଗୁଣଗ୍ରାହୀ ପାଠକ ତଥା ସାହିତ୍ୟ ପ୍ରେମୀଙ୍କ ସହଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ୧୯୫୭ ମସିହାଠାରୁ ଏଯାବତ୍‌ ୩୩୩୫ ଜଣ ସାହିତ୍ୟ ସାଧକଙ୍କୁ ଏକାଡେମୀ ପକ୍ଷରୁ ସମ୍ମାନିତ ଓ ପୁରସ୍କୃତ କରାଯିବା ସହ ସାତଜଣଙ୍କୁ ୧୯୯୩ ମସିହାଠାରୁ ସର୍ବୋଚ୍ଚ ସମ୍ମାନ ଭାବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଦିଆଯାଇଛି ବୋଲି ସେ ସୂଚାଇଥିଲେ । ରାଜ୍ୟ ସଂସ୍କୃତି ସଚିବ ରବିନାରାୟଣ ସେନାପତି ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଉତ୍ସବ ପ୍ରାରମ୍ଭରେ ଏକାଡେମୀ ସଂପାଦକ କବି ଅଶ୍ୱିନୀ ମିଶ୍ର ସ୍ୱାଗତ ସୂଚନା ଦେଇଥିଲେ ।

 

କାବ୍ୟକବିତା, ଉପନ୍ୟାସ, କ୍ଷୁଦ୍ରଗଳ୍ପ, ନାଟକ ଓ ଏକାଙ୍କିକା, ପ୍ରବନ୍ଧ ଓ ସମାଲୋଚନା, ଜୀବନୀ ଭ୍ରମଣ ସାହିତ୍ୟ, ଅନୁବାଦ ଏବଂ ଶିଶୁ ସାହିତ୍ୟ ଏହି ଆଠଟି ବିଭାଗରେ ପୁରସ୍କାର ପାଇଥିବା ଲେଖକ/ଲେଖିକାଙ୍କ ନାମ ଏବଂ ୧୯୯୯ ମସିହା ପାଇଁ ସମ୍ବର୍ଦ୍ଧିତ ହୋଇଥିବା ସାରସ୍ୱତ ପୁରୁଷଙ୍କ ନାମ ନିମ୍ନରେ ପ୍ରଦାନ କରାଗଲା ।

 

ପୁରସ୍କାର – ୧୯୯୫

ବିଭାଗ

ପୁସ୍ତକ

ଲେଖକ

କାବ୍ୟ-କବିତା

ବିଷାଦଯୋଗ (କବିତା)

ଡକ୍ଟର ଫନୀ ମହାନ୍ତି

ଉପନ୍ୟାସ

ଚରୈବେତି

ଶ୍ରୀ ବଳରାମ ପଟ୍ଟନାୟକ

କ୍ଷୁଦ୍ରଗଳ୍ପ

ପ୍ରୌଢ଼ଭାବନା

ଡକ୍ଟର ହୃଷୀକେଶ ପଣ୍ଡା

ନାଟକ ଓ ଏକାଙ୍କିକା

ଗେଷ୍ଟ ହାଉସ (ନାଟକ)

ଡକ୍ଟର ବନବିହାରୀ ପଣ୍ଡା

ପ୍ରବନ୍ଧ ଓ ସମାଲୋଚନା

ପୁରାତନ କଳିଙ୍ଗର ସାମାଜିକ

ଡକ୍ଟର ବେଣୀମାଧବ ପାଢ଼ୀ

 

ଇତିବୃତ୍ତ

ଜୀବନୀ ଓ ଭ୍ରମଣ ସାହତ୍ୟ

ଜୀବନର ଡାକ

ଅଲେଖ ପ୍ରସାଦ ଦାସ

ଅନୁବାଦ

ଓଡ଼ିଆ ରାମ ଚରିତ ମାନସ

ସତ୍ୟନାରାୟଣ ମହାନ୍ତି

ଶିଶୁ ସାହିତ୍ୟ

ଲିପିର କମ୍ପ୍ୟୁଟର ଶିକ୍ଷା

ଡକ୍ଟର ରମେଶ ଚନ୍ଦ୍ର ପରିଡ଼ା

 

ପୁରସ୍କାର – ୧୯୯୬

କାବ୍ୟ-କବିତା

ଚନ୍ଦନ ବନରେ ଏକା

ଶ୍ରୀ ଭାନୁଜୀ ରାଓ

ଉପନ୍ୟାସ

ନିସ୍ତବ୍ଧ କୋଳାହଳ

ଶ୍ରୀମତୀ ମାନସୀ ଦାସ

କ୍ଷୁଦ୍ରଗଳ୍ପ

ଶବ୍ଦଖେଳ

ଶ୍ରୀମତୀ ଜୟନ୍ତୀ ରଥ

ନାଟକ ଓ ଏକାଙ୍କିକା

ସେମାନଙ୍କ ଆଖିରେ

ଶ୍ରୀ ଚନ୍ଦ୍ରଶେଖର ନନ୍ଦ

ପ୍ରବନ୍ଧ ଓ ସମାଲୋଚନା

ଆଧୁନିକ ସଭ୍ୟତାର ଯନ୍ତ୍ରଣା

ଡକ୍ଟର ବୈଦ୍ୟନାଥ ମିଶ୍ର

ଜୀବନୀ ଓ ଭ୍ରମଣ ସାହିତ୍ୟ

ଶତାବ୍ଦୀ ସାଧକ

ଶ୍ରୀ ପ୍ରମୋଦ କୁମାର ମହାପାତ୍ର

ଅନୁବାଦ

କନ୍ନଡ଼ ଲଘୁକଥା

ଡକ୍ଟର କେଶବ ଚନ୍ଦ୍ର ମେହେର

ଶିଶୁ ସାହିତ୍ୟ

ଥୁକୁଲୁ ଥୁକୁଲୁ ଥା

ଶ୍ରୀ ବୀରେନ୍ଦ୍ର ନାଥ ମହାନ୍ତି

 

ପୁରସ୍କାର – ୧୯୯୭

କାବ୍ୟ କବିତା

ଝଡ଼ର ଆକାଶ

ଡକ୍ଟର ରଂଜିତା ନାୟକ

ଉପନ୍ୟାସ

ମନ୍ଥରା

ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ

କ୍ଷୁଦ୍ରଗଳ୍ପ

ବୀତଂଶ

ଶ୍ରୀ ତରୁଣ କାନ୍ତି ମିଶ୍ର

ନାଟକ ଓ ଏକାଙ୍କିକା

ପ୍ରତିବିମ୍ବ

ଡକ୍ଟର ପଞ୍ଚାନନ ପାତ୍ର

ପ୍ରବନ୍ଧ ଓ ସମାଲୋଚନା

ସୃଷ୍ଟିର ଜାତକ ଓ ଜୀବନଘଡ଼ି

ଶ୍ରୀ ସହଦେବ ସାହୁ

ଜୀବନୀ ଓ ଭ୍ରମଣ ସାହିତ୍ୟ

ଅନିର୍ବାଣ

ଶ୍ରୀ ପଦ୍ମଚରଣ ନାୟକ

ଅନୁବାଦ

ପୃଥିବୀର ଆଦିବାସୀ ଲୋକକବିତା

ଶ୍ରୀ ବ୍ରହ୍ମାନନ୍ଦ ଦାସ

 

ଜନଗଣମନ

ଶ୍ରୀ ଯୁଗଳ କିଶୋର ଦତ୍ତ

ଶିଶୁ ସାହିତ୍ୟ

ପିଲାଙ୍କ ନାଟକ ବଣଭୋଜୀ

ଶ୍ରୀ କୃଷ୍ଣଚରଣ ପଟ୍ଟନାୟକ

 

ସାରସ୍ୱତ ସମ୍ବର୍ଦ୍ଧନା - ୧୯୯୯

ଶ୍ରୀମତୀ ପ୍ରସନ୍ନ କୁମାରୀ ଦେବୀ, ଡକ୍ଟର ସରସ୍ୱତୀ ସ୍ୱାଇଁ, ଶ୍ରୀ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଡକ୍ଟର କୃଷ୍ଣଚରଣ ବେହେରା, ଡକ୍ଟର ଶୁଭେନ୍ଦୁ ମୋହନ ଶ୍ରୀଚନ୍ଦନସିଂହ, ମଙ୍ଗଳୁ ଚରଣ ବିଶ୍ୱାଳ, ଡକ୍ଟର ହରିହର ଦାସ, ଡକ୍ଟର ବ୍ରଜମୋହନ ମହାନ୍ତି, ଡକ୍ଟର ମଧୁସୂଦନ ପତି, ଶ୍ରୀ ବିଜୟ କୁମାର ବାରିକ ।

 

 

ପାଠକୀୟ ଅଭିମତ

 

ବିଷୁବ ସଂଖ୍ୟା କୋଣାର୍କ ପଢ଼ିଲି । ଖୁବ୍‌ ଭଲ ଲାଗିଲା ଭିନ୍ନ ରୁଚିର ଭିନ୍ନ ପ୍ରକାରର କୋଣାର୍କ ।ଗବେଷଣାଧମୀ କୋଣାର୍କରେ ଏଥର ନୂତନ ବିଭାଗ ସାକ୍ଷାତକାରରେ ବିଶିଷ୍ଟ ସାରସ୍ୱତ ସାଧକ ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ସାକ୍ଷାତକାର ତାଥ୍ୟମୂଳକ ହୋଇଛି । ତାଙ୍କର ଉତ୍ତର ସଂକ୍ଷିପ୍ତ ହେଲେବି ମନଛୁଆଁ ହୋଇଛି । କବିଭୂଷଣ ରତ୍ନାକର ଶର୍ମା ସାହିତ୍ୟାଳଙ୍କାର ଲେଖାଟି ବହୁକଥା ପାଠକଙ୍କୁ ଅଭଗତ କରାଏ । ସେହିପରି ନାଟ୍ୟତତ୍ତ୍ୱ : ପ୍ରାଚ୍ୟଧାରାର ଲେଖକ ରମାକାନ୍ତ ରାଉତଙ୍କୁ ଧନ୍ୟବାଦ । ତାଙ୍କ ଲେଖାଟି ଅନୁଶୀଳନାତ୍ମକ ହୋଇଛି ।

 

କୋଣାର୍କ ମୁଖ୍ୟତଃ ଏକ ଗବେଷଣାଧର୍ମୀ ପତ୍ରିକା । ଏସଂଖ୍ୟାରୁ ମନେହେଉଛି ପ୍ରବନ୍ଧର ସଂଖ୍ୟା ଖୁବ୍‌ କମ୍‌ ହୋଇଥିବାରୁ କୋଣାର୍କ ତା’ର ମୂଳଲକ୍ଷ୍ୟରୁ ପଥଚ୍ୟୁତ ହେଉଛି ବୋଲି ମୋର ବିଶ୍ଵାସ । ଏଥିପ୍ରତି ଆପଣ ଦୃଷ୍ଟି ଦେବେ ବୋଲି ମୋର ବିଶ୍ୱାସ ।

 

ଇତିଶ୍ରୀ ପଟ୍ଟନାୟକ, ଶିକ୍ଷୟତ୍ରୀ

ରାଣୀହାଟ ହାଇସ୍କୁଲ, କଟକ

 

ଏଥରର କୋଣାର୍କ ଦେଖି ମୁଁ ବିସ୍ମିତ ହେଲି । କୋଣାର୍କର ଏହା ମଧ୍ୟରେ ପରିବର୍ତ୍ତନ ହୋଇଛି । ନୂତନତାକୁ ଗ୍ରହଣ କରିନେଇଛି କୋଣାର୍କ । ପ୍ରଚ୍ଛଦ ପଟ୍ଟରୁ ଆରମ୍ଭ କରି ମୁଦ୍ରଣ ପରିପାଟୀ ରୁଚି ସଂପନ୍ନ ହୋଇଛି । ଲେଖା ନିର୍ବାଚନ ଉନ୍ନତ ଧରଣର ।

 

ବହୁ ନୂତନ ବିଭାଗ ଏଥିରେ ସଂଯୋଜିତ ହୋଇଥିଲେ ମଧ୍ୟ ପ୍ରବନ୍ଧ ପ୍ରତି ଅଧିକ ଯତ୍ନ ନେବା ପାଇଁ ମୋର ଅନୁରୋଧ ।

 

ଆଦିକନ୍ଦ ପଣ୍ଡା

ବାଲେଶ୍ୱର

 

ଏଥର ଓଡ଼ିଶା ଯାଇଥିଲା ବେଳେ କଟକ ବାଦାମବାଡ଼ିରୁ ପତ୍ରପତ୍ରିକା ଦୋକାନରୁ କିଛି ଓଡ଼ିଆ ଇଂରାଜୀ ପତ୍ରିକା କିଣୁଥିଲାବେଳେ ‘କୋଣାର୍କ’ ଆଖିରେ ପଡ଼ିଲା । ଦୁଇଟି ‘କୋଣାର୍କ’ ୧୧୫ ଓ ୧୧୬ ସଂଖ୍ୟା କିଣିଲି । ଓଡ଼ିଶା ସାହିତ୍ୟ ଏକାଡେମୀର ସାରସ୍ୱତ ମୁଖପତ୍ର ଭାବରେ ‘କୋଣାର୍କ’ ତା’ର କର୍ତ୍ତବ୍ୟ ସମ୍ପାଦିତ କରୁଛି । ଓଡ଼ିଆ ସାହିତ୍ୟ ସମ୍ପର୍କୀୟ ପ୍ରବନ୍ଧମାନ ପ୍ରକାଶ କରୁଛି-। ପ୍ରବନ୍ଧଗୁଡ଼ିକର ଧାରା ପୂର୍ବପରି ଅପରିବର୍ତ୍ତିତ ରହିଛି । ସାମ୍ପ୍ରତିକ ବିଚାର ଦୃଷ୍ଟିକୋଣରୁ ପ୍ରବନ୍ଧର ରଚନା ହେବା ଆବଶ୍ୟକ ବୋଲି ମୁଁ ମନେ କରେ । ‘କୋଣାର୍କ’ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବ ବୋଲି ଆଶାକରେ । ସାକ୍ଷାତକାର ବିଭାଗ ପରି ଯଦି ପ୍ରତି ସଂଖ୍ୟାରେ ଜଣେ କବି, କଥାକାର, ପ୍ରାବନ୍ଧିକ ଯେଉଁମାନେ ବେଶ୍‌ ପ୍ରତିଷ୍ଠିତ ସେମାନଙ୍କ ଜୀବନୀ ଓ ସେମାନଙ୍କ ସାରସ୍ୱତ ସାଧନା ସମ୍ପର୍କରେ ଆଲୋଚନା ପ୍ରକାଶ ପାଇଲେ ଖୁବ୍‌ ଉପାଦେୟ ହୁଅନ୍ତା ।

 

 

ପ୍ରତିଟି ଲେଖାର ଲେଖକଙ୍କ ଠିକଣା ଦେଲେ ସେମାନଙ୍କ ସହ ପାଠକ ଯୋଗାଯୋଗ କରିପାରନ୍ତେ । କୋଣାର୍କ ଆଗକୁ ଅଗ୍ରସର ହେଉ । ଆହୁରି ପ୍ରଶଂସିତ ହେଉ, ମୋର କାମନା । ଶୁଭେଚ୍ଛା ସହ ।

 

 

ବେଣୁଧର ସ୍ୱାଇଁ

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ମହିଶୁର

ନାଗପୁର

 

***